ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’

ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ,

■ ପୋତଯାତ୍ରୀ ଶବ୍ଦର ଅପଭ୍ରଂଶ ପଝାରି
ଡ଼ଙ୍ଗାରେ ଚଢ଼ି ପାର ହେଉଥିବା ଯାତ୍ରା କରୁଥିଵା ନୌକାରୋହୀ ବ୍ଯକ୍ତିଗଣଙ୍କୁ ଓଡ଼ିଆ ଭାଷାରେ ପଝାରି କୁହାଯାଏ । ସମ୍ଭଵତଃ “ପୋତ-ଯାତ୍ରୀ” ଶବ୍ଦ ସମୟ ସହ ପଝାରି ଶବ୍ଦରେ ପରିଵର୍ତ୍ତିତ ହୋଇଅଛି ।

ଶାସ୍ତ୍ରୀୟ ‛ପୋତ’ ଶବ୍ଦର ଅନେକ ଅର୍ଥ ରହିଛି କିନ୍ତୁ ଏହା ସର୍ଵାଧିକ ବୋଇତ ଅର୍ଥରେ ହିଁ ଵ୍ଯଵହୃତ ହୋଇଥାଏ ।

ବୋଧହୁଏ ପୋତ ଶବ୍ଦରୁ କାଳକ୍ରମେ କେଵଳ ‛ପ’ ରହିଯାଇଥିଵା ଵେଳେ ଯାତ୍ରୀ ଶବ୍ଦରୁ ଅଵର୍ଗ୍ଯ ‛ଯ’ ଵର୍ଗ୍ଯ ‛ଜ’ ହୋଇ ମହାପ୍ରାଣ ‛ଝ’ ରେ ପରିବୃତ ହୋଇଛି ଏଵଂ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ କେଵଳ ରି ରହିଯାଇଛି ।

“ପୋତଯାତ୍ରୀ > ପୋଯାତ୍ରୀ > ପୋଜାରି > ପଝାରି”

ତେଵେ ଏହା କେଵଳ କଳିଙ୍ଗ ଦେଶରେ ହୋଇଛି କାରଣ କଳିଙ୍ଗୀ ଲୋକେ ସହସ୍ରାଧିକ ଵର୍ଷ ପୂର୍ଵରୁ ନୌଯାତ୍ରା କରିଆସୁଛନ୍ତି । ଭାରତୀୟଙ୍କ ମଧ୍ୟରେ ସର୍ଵାଧିକ ସାହସିକ ଜାତି ଭାଵେ ତେଣୁ କଳିଙ୍ଗ ଦେଶୀୟ ଲୋକଙ୍କୁ ଗଣନା କରାଯାଏ ।

■ ପାଣିଯାତ୍ରୀ କିଂଵା ପୟଯାତ୍ରୀରୁ ପଝାରି ଶବ୍ଦ ସୃଷ୍ଟ
ପାଣି ଯାତ୍ରୀରୁ ମଧ୍ୟ ଏ ଶବ୍ଦ ଆସିଥାଇପାରେ । ଓଡ଼ିଶାରେ ଲୋକେ water ପାଇଁ ନୀର, ବାରି, ଜଳ ଆଦି ଶବ୍ଦ ଅପେକ୍ଷା ‛ପାଣି’ ଶବ୍ଦର ବହୁଳ ଵ୍ଯଵହାର କରନ୍ତି । ସଂସ୍କୃତରେ ମଧ୍ୟ ‛ପୟ’ ଶବ୍ଦ ପାଣି ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ପାଣି ଵା ପୟରେ ଯାତ୍ରା କରୁଥିଵା ଲୋକଙ୍କୁ ପାଣିଯାତ୍ରୀ ଵା ପୟଯାତ୍ରୀ କୁହାଯାଉଥିଲା ଯାହା କାଳକ୍ରମେ ବଦଳିଯାଇ ପଝାରି ହୋଇଅଛି ।

ପାଣି ଵା ପୟ ଶବ୍ଦରୁ କେଵଳ ‛ପ’ ରହିଯାଇଥିଵା ଦୁଇଟି ଶବ୍ଦ ଏଵେ ବି ଗଡ଼ଜାତରେ ଚଳୁଅଛି ଯାହା ଏ ମତକୁ ଆହୁରି ସୁଦୃଢ କରେ ।
୧. ପଝରିବା―ତରଳିଯିଵା (ଗଡ଼ଜାତ) ଏ ଶବ୍ଦରେ ସମ୍ଭଵତଃ ପ = ପାଣି ଏଵଂ ଝରିଵା ଶବ୍ଦ ଵସ୍ତୁର ତରଳ ଅଵସ୍ଥା ଆଡ଼କୁ ଇଙ୍ଗିତ କରୁଅଛି । 
୨. ପଝ’ରେନ୍―ପାଣି ସର୍ଵଦା ଗଳିଵା(ସମ୍ବଲପୁରୀ) ଏ ଶବ୍ଦ ‛ପାଣି ଝରିଵା’ କ୍ରିୟା କୁ ସ୍ପଷ୍ଟ ପ୍ରକାଶ କରୁଛି ।

ତେଵେ ଏତଦ୍ବ୍ୟତୀତ ଅନୁଗୁଳର କଥିତ ଓଡ଼ିଆ ଭାଷାରେ ପଝାରି ଶବ୍ଦ ସହ ସମସାଦୃଶ୍ଯ ‛ପଝାର’ ବୋଲି ଆଉ ଗୋଟିଏ ଶବ୍ଦ ବି ରହିଛି ଏଵଂ ଏହାର ଅର୍ଥ ସୁନା । ସେଇଭଳି ଅନୁଗୋଳରେ ଗାଈଙ୍କ ପାକୁଳି କରିଵା କ୍ରିୟାକୁ ପଝାକରିଵା କୁହାଯାଏ ଯାହା ଢେଙ୍କାନାଳରେ ‛ଚଭା କରିଵା’ ଭାଵେ ପ୍ରଚଳିତ ।

■ ବୋଇତଯାତ୍ରୀରୁ ପଝାରି ଶବ୍ଦ ସୃଷ୍ଟି ସମ୍ଭଵ
ଆମେ ସମସ୍ତେ ଜାଣୁ ଯେ ଆଗେ କଳିଙ୍ଗୀମାନେ ଜାହାଜ ଭଳି ଵୈଦେଶିକ ଓ ପୋତ ପରି ସଂସ୍କୃତନିଷ୍ଠ ଶବ୍ଦ ଅପେକ୍ଷା boat ଅର୍ଥରେ ବୋଇତ ଶବ୍ଦର ବହୁଳ ଵ୍ଯଵହାର କରୁଥିଲେ । ସାଧଵ ପୁଅ ନୌଵାଣିଜ୍ଯ କରୁଥିଲେ ଓ ଅନ୍ଵେଷଣକାରୀ କଳିଙ୍ଗୀ ଲୋକେ ଜଳଯାତ୍ରା କରି ସାଗରପାରି ନୂଆ ନୂଆ ଭୂଭାଗରେ ନଵ ସଭ୍ଯତା ସ୍ଥାପନ କରୁଥିଲେ । ସେତେଵେଳେ ଏହି ବୋଇତ ଶବ୍ଦ ଏତେ ଲୋକପ୍ରିୟ ଥିଲା ଯେ କଵି ଜୟଦେଵ ଏ ଶବ୍ଦକୁ ସଂସ୍କୃତନିଷ୍ଠ କରି ବହିତ୍ର ଭାଵେ ଵ୍ଯଵହାର କରିଥିଲେ ଏଵଂ ଏ ଶବ୍ଦ ଭାଷା ଇଣ୍ଡୋନେସିଆରେ ସୁଦ୍ଧା ଵ୍ଯଵହାର ହେଉଥିଵାର ପ୍ରମାଣ ରହିଛି । ତେଣୁ ସମ୍ଭଵତଃ ପୋତ ନୁହେଁ ଵରଂ ବୋଇତ ଶବ୍ଦରୁ ପଝାରି ଶବ୍ଦ ଅପଭ୍ରଂଶ ହୋଇଥାଇପାରେ। ଵର୍ଗ୍ଯ ‛ବ’ ଵର୍ଣ୍ଣ ଟି ‘ପ’ ଵର୍ଗରେ ଥିଵାରୁ ସ୍ଥଳଵିଶେଷରେ ‘ପ’, ‘ଫ’, ‘ଭ’ ଏଵଂ ‘ମ’ ରେ ରୂପାନ୍ତରିତ ହୋଇଥାଏ । ଏହି ସାଧାରଣ ଵର୍ଣ୍ଣଧର୍ମକୁ ଅନୁକରଣ କରି ବହୁତ ସମ୍ଭଵ ବୋଇତଯାତ୍ରୀରୁ ବୋଯାତ୍ରୀ ହୋଇ ଶେଷକୁ ପଝାରି ହୋଇଥାଇପାରେ ।

ତେଵେ ଓଡ଼ିଆ ଭାଷାରେ ‛ପଝାରି’ ଶବ୍ଦ ଵ୍ଯଵହାରର ଅନେକ ଉଦାହରଣ ରହିଛି । ପଲ୍ଲୀକବି ନନ୍ଦକିଶୋର ବଳ ତାଙ୍କ ‛ନିର୍ଝରିଣୀ’ରେ ଏ ଶବ୍ଦର ଵ୍ଯଵହାର କରି ପଦେ ଲେଖିଛନ୍ତି:
“ପାହାଡ଼ିଆ ରାଗ ଛାଡ଼ି 
ନାଉରିଆ କରୁଛି “ପଝାରି” ପାରି।”

ସେଇଭଳି ‛ଛ ମାଣ ଆଠଗୁଣ୍ଠ’ରେ ଫକୀରମୋହନ ସେନାପତି ଏ ଶବ୍ଦର ଵ୍ଯଵହାର କରିଥିଵା ଦୃଷ୍ଟିଗୋଚର ହୁଏ, ଯେପରି କି, “ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହା ଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହି ବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ “ପଝାରି” ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ . . ”

© ଶିଶିର ସାହୁ ମନୋଜ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago