ଲେଖା: ଶିଶିର ସାହୁ ମନୋଜ

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ରୀୟ ଶବ୍ଦଟି ଏକ ସଂସ୍କୃତ ଵିଶେଷଣ ବୋଲି ଉଲ୍ଲେଖ ଅଛି ଯାହାର ଅର୍ଥ ‘ଶାସ୍ତ୍ର ସମ୍ବନ୍ଧୀ’ କୁହାଯାଇଛି ।  ‘ଶାସ୍ତ୍ର’ ଶବ୍ଦରେ ‘ଈୟ’ ପ୍ରତ୍ୟୟ ଲଗେଇ ଶବ୍ଦଟି ଗଢ଼ାଯାଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ର ଶବ୍ଦର ନିମ୍ନୋକ୍ତ ଅର୍ଥ ଲେଖାଅଛି:
୧. (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)—ବେଦ ତନ୍ତ୍ର; ସ୍ମୃତି ପୁରାଣାଦି ଧର୍ମଗ୍ରନ୍ଥ; ଦେଵତା ବା ମୁନିପ୍ରଣୀତ ଗ୍ରନ୍ଥ

୨. ଵିଜ୍ଞାନ; କୌଣସି ଵିଶିଷ୍ଟ ଵିଷୟ ଵା ପଦାର୍ଥ ସମ୍ବନ୍ଧେ ଧାରାଵାହିକ ସଂଗୃହୀତ ଜ୍ଞାନ (ୟଥା—ପ୍ରାଣୀଶାସ୍ତ୍ର, ଅର୍ଥଶାସ୍ତ୍ର, ବନସ୍ପତିଶାସ୍ତ୍ର)

୩. (ଶାସ୍ ଧାତୁ=ଶାସନ କରିଵା +ଭାଵ. ତ୍ର) ଶାସନ

୪. ଆଜ୍ଞା

ଏଠାରେ ଥିବା ଵୈଜ୍ଞାନିକ ମୂଳଧାତୁ—ଶାସ୍ (ଧାତୁ) ର ଅର୍ଥ— ଶାସନ କରିଵା, ଦମନ କରିଵା, ଆଜ୍ଞା ବା ଆଦେଶ ଦେଵା, ଉପଦେଶ ଦେଵା, ଶିକ୍ଷା ଦେଵା; ତାଲିମ୍ କରିଵା, କହିଵା; ଜଣାଇଵା,ଵ୍ୟଵସ୍ଥା କରିଵା; ଆଇନ୍ କରିଵା, ଦଣ୍ଡ ଦେଵା,ଇଚ୍ଛା କରିଵା, ପୋଷିଵା; ଵଶ କରିଵା ଇତ୍ୟାଦି ଅଟେ ।


ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ‘ଶାସ୍ତ୍ରୀୟ’ ଶବ୍ଦର ଯେଉଁ ଆଧୁନିକ ଵ୍ୟଵହାର ‘Classical’ର ‘ପ୍ରାଚୀନ’ ଅର୍ଥରେ ହେଉଅଛି ତାହା ଅର୍ଵାଚୀନ ଅଟେ । ତେଣୁ କୌଣସି ଭାଷାକୁ ଶାସ୍ତ୍ରୀୟ କୁହାଯିବାର ଅର୍ଥ ତାହାର କେଵଳ ପ୍ରାଚୀନତା ଗୁଣକୁ ବୁଝାଏ ନାହିଁ ଵରଂ ‘ଶାସ୍ତ୍ର’ ଶବ୍ଦର ଵ୍ୟାପକ ଅର୍ଥ ଘେନି ଏହାର ଅନ୍ୟ ଗୁଣଗୁଡ଼ିକୁ ବି ଜଣାଯାଇପାରିଵ ।‘ଶାସ୍ତ୍ର’ ଶବ୍ଦର ପ୍ରଥମ ଅର୍ଥ ହେଲା— “ଵେଦ ତନ୍ତ୍ର; ସ୍ମୃତି ପୁରାଣାଦି ଧର୍ମଗ୍ରନ୍ଥ” । ଏସବୁ ଗ୍ରନ୍ଥ ପ୍ରାଚୀନ ହୋଇଥିଵା ହେତୁରୁ ପରଵର୍ତ୍ତୀକାଳରେ ‘ଶାସ୍ତ୍ରୀୟ’ ଶବ୍ଦର ‘ପ୍ରାଚୀନ’ ଅର୍ଥରେ ଵ୍ୟଵହାର ଲାଗି ପ୍ରେରିତ କରିଥିଵା ଅନୁମାନ କରାଯାଇପାରେ । ଦ୍ୱିତୀୟ ଅର୍ଥ ହେଉଛି—‘ଵିଜ୍ଞାନ’ । ଏହା ଭାଷାରେ ଧ୍ୱନିତତ୍ୱର ଵୈଜ୍ଞାନିକତା, ଶବ୍ଦ, ଵ୍ୟାକରଣ, ଲିପି ତଥା ଲିଖନଶୈଳୀର ମୌଳିକତା ଓ ସମୃଦ୍ଧିକୁ ଦର୍ଶାଇଥାଏ । ଓଡ଼ିଆଭାଷାରେ ଵିଭିନ୍ନ ଅଞ୍ଚଳର ଶୈଳୀରେ ଥିବା ଧ୍ୱନିତତ୍ୱ (ଛ, ଷ, କ, ଖ = କ୍ଷ), ଵ୍ୟାକରଣ (ଡ଼, ଢ଼ ଉଚ୍ଚାରଣ, ଅଵର୍ଗ୍ୟ ଯ, ଵର୍ଣ୍ଣ ଦ୍ୱିତକରଣ = ର୍ଣ୍ଣ, ର୍ମ୍ମ/ର – ଲ – ଡ଼ – ଣ = ଳ/) ଓ ଅଶିଷ୍ଟ ଶବ୍ଦଗୁଡ଼ିକୁ (ଗାଣ୍ଡି, ବାଳ ଆଦି) ଧ୍ୟାନରେ ରଖି ଭାଷାର ମାନକୀକରଣ କରାଯାଇଛି, ଉଚ୍ଚାରଣ ଅନୁଯାୟୀ ଵିଭିନ୍ନ ଯୁକ୍ତାକ୍ଷର ଵ୍ୟଵହାର ହେଉଛି (ଙ୍କ, ଙ୍ଖ, ଙ୍ଘ, ତ୍ତ ଇତ୍ୟାଦି) ପୁଣି ଲିପିରେ ଲେଖିଲାବେଳେ ସହଜ, ଶିଘ୍ର ଓ ଇଂରାଜୀ ଭଳି ହାତ ନ ଉଠାଇ ନିରବଚ୍ଛିନ୍ନ ଲିଖନ ହେତୁ ଅନେକ ଵର୍ଣ୍ଣ ଓ ଯୁକ୍ତାକ୍ଷରକୁ ଵିଭିନ୍ନ ପ୍ରକାରରେ ଲେଖାଯାଉଛି (ତ ଫଳା = ଦ୍ମ-ତ୍ମ, ) ।

ମୋଟ ଉପରେ ଦେଖିଵାକୁ ଗଲେ ଓଡ଼ିଆ ଭାଷାରେ ଆଞ୍ଚଳିକତା ଵିରୁଦ୍ଧରେ ସାଧୁ ଉଦ୍ୟମ କରାଯାଇ ସବୁ ଅଞ୍ଚଳର ଶବ୍ଦ ଶୈଳୀ ଓ ଵ୍ୟାକରଣକୁ ଗ୍ରହଣ କରାଯାଇ ମାନକୀକରଣ ହୋଇଛି ଯାହା ଵିଶ୍ୱରେ, ଭାରତରେ ଏକ ଵିରଳ ଉଦାହରଣ ଅଟେ ।      

ତୃତୀୟ ଅର୍ଥ ‘ଶାସନ’ ଆଧାରରେ ମଧ୍ୟ କୁହାଯାଇପାରେ ଯେ, ଯେଉଁ ଭାଷା ତହିଁର ଵ୍ୟାକରଣ ଦ୍ୱାରା ସ୍ୱଶାସିତ ଥିଵା ଯୋଗୁଁ ତାହାର ସ୍ୱାତନ୍ତ୍ର୍ୟ ଵଜାୟ ରଖିବାରେ ସମର୍ଥ ନିଃସନ୍ଦେହ ତାହା ଏକ ‘ଶାସ୍ତ୍ରୀୟ ଭାଷା’ ଅଟେ ।

ତେବେ ଏହି ‘ଶାସ୍ତ୍ରୀୟ’ ଶବ୍ଦଟି ଆଧୁନିକକାଳରେ ‘Classical’ ଶବ୍ଦର ପ୍ରତିଶବ୍ଦ ଭାଵରେ ଵ୍ୟଵହାର ହେଉଅଛି । ଆମ୍ଭେମାନେ ଏ ଶବ୍ଦର ଵ୍ୟଵହାର ସଂଗୀତ କ୍ଷେତ୍ରରେ ବହୁଳ ଭାବରେ ହେଵାର ଦେଖିଥାନ୍ତି ।

ଇଂରାଜୀରେ ଚଳୁଥିବା  ‘Classical’ ଶବ୍ଦର ଓଡ଼ିଆ ଵିଶେଷ୍ୟ ଅର୍ଥ:
ଶାସ୍ତ୍ରୀୟ (academic), ଵରେଣ୍ୟ, ପ୍ରତିଷ୍ଠିତ, ମାନ୍ୟ (valid, recognized, accepted), ଏବଂ ବିଶେଷଣ ଅର୍ଥ — ଅତି ଉତ୍କୃଷ୍ଟ (excellent, fine, best), ଶ୍ରେଷ୍ଠ (surpassing, nailing, spanking) ଓ ପ୍ରାଚୀନକାଳୀନ (Ancient, Older) ରେ ଵ୍ୟଵହାର ହେଉଥିବା ଦେଖାଯାଏ ।

ପୂର୍ଵେ ଭାରତରେ ସଂସ୍କୃତକୁ ‘ଶାସ୍ତ୍ରୀୟ’ ଶବ୍ଦର ପ୍ରୋକ୍ତ ପ୍ରାଚୀନ ଅର୍ଥ ଆଧାରରେ କୁହାଯାଉଥିଲା । ସଂସ୍କୃତକୁ ଅନେକ ପ୍ରାଚ୍ୟ ପାଶ୍ଚାତ୍ୟ ପଣ୍ଡିତ ସୁସମୃଦ୍ଧ ସ୍ୱଶାସିତ ଵୈଜ୍ଞାନିକ ଭାଷା କେଵଳ କହିନାହାନ୍ତି ପ୍ରମାଣ ବି କରିସାରିଛନ୍ତି । 


ସଂସ୍କୃତ ପରେ ‘ଶାସ୍ତ୍ରୀୟତା’ ଶବ୍ଦର ପ୍ରାଚୀନ ଅର୍ଥ ଆଧାରରେ ଭାରତଵର୍ଷରେ ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭାଷା ବୋଲାଇପାରେ ।ବାକି ଚାରୋଟି ଦକ୍ଷିଣ ଭାରତୀୟ ଭାଷାକୁ (ତାମିଲ, ତେଲୁଗୁ, କନ୍ନଡ଼, ମଲାୟଲମ) ବହୁତ ସମ୍ଭବ ‘classical’ ଶବ୍ଦର ପ୍ରାଚୀନ ଓ ସାହିତ୍ୟ ଦ୍ୱାରା ପ୍ରତିଷ୍ଠିତ ଲୋକପ୍ରିୟତା ଏଵଂ ରାଜନୈତିକ ଚାପ ପ୍ରୟୋଗ ଦ୍ୱାରା ପ୍ରାପ୍ତ କରାଯାଇଛି ।ଦକ୍ଷିଣଭାରତୀୟ ଭାଷାଗୁଡ଼ିକ ସାହିତ୍ୟ ଦୃଷ୍ଟିରୁ ସମୃଦ୍ଧ ହୋଇପାରନ୍ତି କିନ୍ତୁ ଧ୍ୱନିତତ୍ୱ ଆଧାରରେ ଦେଖିଲେ ସେସବୁ ଭାଷାର ସେତେ ଵିକାଶ ହୋଇପାରିନାହିଁ ।

ସଂସ୍କୃତ ପରେ ରାଜନୈତିକ ଚାପ ପ୍ରୟୋଗ ଦ୍ୱାରା ଶାସ୍ତ୍ରୀୟ ମାନ୍ୟତା ପାଇଥିବା ତାମିଳରେ ‘କ, ଖ, ଗ, ଘ’ ଵର୍ଣ୍ଣଗୁଡ଼ିକ କେଵଳ ‘କ’ ଉଚ୍ଚାରିତ ହୋଇଥାଏ ଫଳରେ ‘କର’, ’ଖର’, ’ଗର’ ଓ ‘ଘର’ ଏକାକାର ହୋଇଗଲା ଓ ଧ୍ୱନିତତ୍ୱ ଏଠାରେ ଆତ୍ମହତ୍ୟା କଲା ବୋଲି ବୁଝିବାକୁ ହେବ । 

ଭାଷାର କେଵଳ ପ୍ରାଚୀନତା ଆଧାରରେ ଶାସ୍ତ୍ରୀୟତା ମିଳୁଥିଲେ କଳିଙ୍ଗୋତ୍କଳର ସର୍ଵପ୍ରାଚୀନ ଦ୍ରାଵିଡ଼ଭାଷା ‘କୁଈ’ ଓ ଆଷ୍ଟ୍ରିକଭାଷା ‘ମୁଣ୍ଡାରୀ’କୁ ବହୁ ପୂର୍ଵରୁ ଶାସ୍ତ୍ରୀୟତା ମିଳିଯିଵାର ଥିଲା । ଅସ୍ତୁ, ଶାସ୍ତ୍ରୀୟତାର ହେତୁ କେବଳ ‘ପ୍ରାଚୀନତା’ ନୁହେଁ ଵରଂ ଏହାର ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ମଧ୍ୟ ରହିଅଛି ।

ଓଡ଼ିଶାରେ କିଛି ମୂର୍ଖ ତିନୋଟି ‘ଶ’, ‘ଷ’ ଓ ‘ସ’ ହଟେଇ କେଵଳ ସ ଵ୍ଯଵହାର କରୁଛନ୍ତି, କିଛି ଲୋକ ଅଵର୍ଗ୍ୟ ଯ ଯୁକ୍ତ ଶବ୍ଦରେ ଯ ପରିଵର୍ତ୍ତେ ୟ ଓ ଜ ଵ୍ଯଵହାର କରିଵାକୁ ପଵର୍ତ୍ତାଉଛନ୍ତି ।

ନିକଟରେ ଏକ ଓଡ଼ିଆ ଶୈଳୀର ନୂଆ ଲିପି ତିଆରି କରିଵାକୁଯାଇ କିଛି ଧ୍ଵନିତତ୍ଵ ଵିଷୟକ ଜ୍ଞାନ ଶୂନ୍ୟ ଲୋକେ ତହିଁରୁ ‘ଯ’, ‘ଵ’, ‘ୱ’, ‘ଶ’, ‘ଷ’; ଯୁକ୍ତାକ୍ଷର ହଟାଇ ଦେଇଦେଇଛନ୍ତି ।

ଏଭଳି ଅଵୈଜ୍ଞାନିକ ଲିପିରେ ଲିଖନ ଦ୍ଵାରା ଉକ୍ତ ଭାଷାଶୈଳୀର ଦୁଇଗୋଟି କ୍ଷତି ହେଵ;

୧. ତାଙ୍କ କଥିତ ଶୈଳୀରେ ଥିଵା ଓଡ଼ିଆ ଭାଷାର ସବୁ ଵୈଜ୍ଞାନିକ ଗୁଣ ଲୁପ୍ତ ହେଵ ଏଵଂ ଉକ୍ତ ଭାଷାଶୈଳୀଟି ଅଵୈଜ୍ଞାନିକ ହୋଇଯିଵ

୨. ଉକ୍ତ ଭାଷା ଶୈଳୀରେ ପ୍ରଚଳିତ ଶବ୍ଦଗୁଡି଼କର ନିରୁକ୍ତି ନିର୍ଣ୍ଣୟ କଷ୍ଟକର ହୋଇଯିଵ ଫଳତଃ ଯେତେ ସାହିତ୍ୟ ରଚନା ହେଁସେହି ଭାଷା ଵିଷୟରେ ଗଵେଷଣା ନହେଲେ ତହିଁର ଵୈଜ୍ଞାନିକତା ଯଥାର୍ଥତା ସାର୍ଥକତା ପ୍ରମାଣିତ ହୋଇପାରିଵ ନାହିଁ ।

ଓଡ଼ିଶାରେ ଓଡ଼ିଆ ଭାଷାଦ୍ଵେଷୀ ଲୋକେ, ଵର୍ଣ୍ଣହନ୍ତା ସମ୍ପ୍ରଦାୟ ଓ ସ୍ୱନିମ ଵିନ୍ଦୁ, ତିନି ଶଷସ ତଥା ଅଵର୍ଗ୍ୟ ‘ଵ’ ଆଦି ଆମ ଭାଷାର ଵୈଜ୍ଞାନିକତା ଵିରୁଦ୍ଧରେ ମସିଯୁଦ୍ଧ କରୁଥିଵା ଲୋକେ ଉପରୋକ୍ତ ଵିଷୟକୁ ହୃଦୟଙ୍ଗମ କରନ୍ତେ ତେବେ ଓଡ଼ିଆଭାଷାର ଅନେକ ମଙ୍ଗଳ ହୋଇପାରନ୍ତା ।

© ଶିଶିର ସାହୁ ମନୋଜ
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

5 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

7 days ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

7 days ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

7 days ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago