ଲେଖା: ଶ୍ରୀକାନ୍ତ ସିଂହ
~ ନାଗନାଥେଶ୍ୱର ମନ୍ଦିର ~
ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା l ଉତ୍କୃଷ୍ଟ କଳାର ଦେଶ କଳିଙ୍ଗୋତ୍କଳ l କୋଣାନୁକୋଣରେ ତାର ଅଜସ୍ର ମଠ ଓ ମନ୍ଦିର l ପ୍ରାଗ ଐତିହାସିକ ଯୁଗରେ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ, ତା’ର ଅଙ୍କା ବଙ୍କା ଛବି ଅବା ଗୁମ୍ଫାର ଚିତ୍ରକଳା, ଶିଳାଲିପି ହେଉ ଅବା ସ୍ତୁପ, ମୂର୍ତ୍ତିକଳା ବା ପରବର୍ତ୍ତୀ ସମୟର ଶାସକ ମାନଙ୍କ ଦ୍ୱାରା ନିର୍ମିତ ଅଜସ୍ର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ତୋରଣ ହେଉ, ଏହି ପରି ଅନେକ କୀର୍ତ୍ତିରେ ଆମେ କୀର୍ତ୍ତିମାନ ଓ ଅଗଣିତ ଗୌରବକୁ ନେଇ ଗରୀୟାନ l
ଆମ ପୂର୍ବ ଶାସକଗଣ ନିଜର ସୁଖ ସୁବିଧା ପାଇଁ ଐଶ୍ବର୍ୟ୍ଯମୟ ମହଲ, ପ୍ରାସାଦ ବା ଦୁର୍ଗ ନିର୍ମାଣ ପରିବର୍ତ୍ତେ ସମୂହ ଜାତିର ଉତ୍କର୍ଷକୁ ଅଗ୍ରାଧିକାର ଦେଇ ସୁନ୍ଦର ସୁନ୍ଦର ମନ୍ଦିରମାନ ନିର୍ମାଣ କରି ଆମକୁ ଗୌରବାନ୍ୱିତ କରିବା ସହିତ, ଆମ ମୂର୍ତ୍ତିକାରମାନେ ମଧ୍ୟ ତାଙ୍କ ନିହାଣ ମୁନରେ ନିର୍ଜୀବ ପାଷାଣକୁ ଚମତ୍କାର ଭାବରେ ରୂପ ଦେଇ ସଜୀଵ କରିଯାଇଛନ୍ତି l
ଆମ ଢେଙ୍କାନାଳ ପ୍ରକୃତିର ଗନ୍ତାଘର l ଢେଙ୍କାନାଳର ଚୀରହରିତ ବନ୍ୟଭୂମି, ତାର ପ୍ରାକୃତିକ ସମ୍ପଦ, ତାର ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ, ତାର ସବୁଜିମା ତାର ଝରଣା, ତଥା ମନୋରମ ପ୍ରାଚୀନ ମନ୍ଦିରମାନ ବି ସେତିକି ଅନନ୍ୟ l
ସେଦିନ ବାତ୍ୟା ଜୱାଦର ପବନ ଓ ବର୍ଷା ସହିତ ତାଳ ଦେଇ ଆମେ ରୁଦ୍ର ଦର୍ଶନର ଅଭିଳାଷ ନେଇ ଆଗେଇ ଚାଲିଥାଉ ଢେଙ୍କାନାଳ ସହର l ଉଦ୍ଦେଶ୍ୟ ଥିଲା ସୁପ୍ରାଚୀନ ଶୈବ ପୀଠ ନାଗନାଥଙ୍କୁ ଦର୍ଶନ କରିବା l ବାଜିଚୌକ ପାର ହୋଇ କପିଳାସ ରାସ୍ତାରେ ଅଗ୍ରସର ହୋଇ ପୁଣି ଯୋରନ୍ଦା ରାସ୍ତାରେ ଆଗେଇ ଚାଲିଲୁ l ଗୁଗୁଲ ମ୍ୟାପରେ ନାଗନାଥେଶ୍ୱର ମହାଦେବଙ୍କ ପୀଠକୁ ଯିବାପାଇଁ କୌଣସି ରାସ୍ତାର ଦିଗ ନିର୍ଦେଶ ମିଳିଲା ନାହିଁ l ଅଗତ୍ୟା ଲୋକଙ୍କୁ ପଚାରି ପଚାରି ଯିବାହିଁ ସର୍ବୋତ୍ତମ ମାଧ୍ୟମ l
କାଇମାଟି ଗ୍ରାମରୁ କିଛିବାଟ ଆଗକୁ ଗଲେ ବାମ ଦିଗରେ ଏକ ଜଙ୍ଗଲି ମାଟି ରାସ୍ତା ପଡ଼ିଛି ନାଗନା ପର୍ଯ୍ୟନ୍ତ l ଜଙ୍ଗଲଟି ଅତି ଘଞ୍ଚ ନ ହେଲେବି ନିର୍ଜ୍ଜନ ଓ ନିଛାଟିଆ l ମଝିରେ ମଝିରେ କେତୋଟି ଜନବସତି ରହିଛି ଯାହା l ସେହି ଗ୍ରାମର ଆଦିବାସୀ ଲୋକଙ୍କୁ ପଚାରି ପଚାରି ଯିବାକୁ ହେଲା l ଏହି ରାସ୍ତାରେ ଗଲେ ପ୍ରାୟ ଦଶ ବାର କିଲୋମିଟର ରାସ୍ତା କମ୍ ପଡ଼ିବ ନଚେତ ଯୋରନ୍ଦା ବଜାର ଦେଇ ଗଲେ କିଛିଟା ଅଧିକ ରାସ୍ତା ଯିବାକୁ ହୋଇଥାଆନ୍ତା l
(ଗଜବିଡ଼ାଳ)
ଚତୁଃପାର୍ଶ୍ୱରେ ଜଙ୍ଗଲ ଆଉ ମଝିରେ ନାଗନା ଗାଁ l ଆଉ ଗ୍ରାମର ଶେଷ ପ୍ରାନ୍ତରେ ବ୍ରାହ୍ମଣୀ ନଦୀ କୂଳରେ ନାଗନାଥେଶ୍ୱର ମହାଦେବଙ୍କ ପ୍ରାଚୀନ ମନ୍ଦିର l ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ବାତ୍ୟାପବନର ଭୟ ହେତୁ ରାସ୍ତାଘାଟ ପ୍ରାୟ ଜନଶୂନ୍ୟ l ରାସ୍ତାରେ ବିଶେଷ କେହି ଲୋକବାକ ନ ଥିଲେ, ନା ହିଁ ମନ୍ଦିର ପରିସରରେ l
କୁହାଯାଏ ଶ୍ରୀ ନାଗନାଥେଶ୍ୱର ମନ୍ଦିରଟି ବହୁତ ପ୍ରାଚୀନ l ଏପରିକି ତିନି ହଜାର ବର୍ଷରୁ ବି ଅଧିକ ପୁରୁଣା ହେବ l ଭିନ୍ନ ଭିନ୍ନ ସମୟରେ ଜୀର୍ଣ୍ଣ ମନ୍ଦିର ଉପରେ ନୂତନ ମନ୍ଦିର ପୁନଃ ନିର୍ମାଣ ହୋଇଛି ଯାହା l କିଛି ଐତିହାସିକଙ୍କ ମତରେ, କେଶରୀ ବଂଶୀୟ ଶାସକଙ୍କ ଦ୍ୱାରା ନିର୍ମିତ ମନ୍ଦିରର ଭଗ୍ନାବଶେଷ ଉପରେ ବର୍ତ୍ତମାନର ଏହି ମନ୍ଦିରଟି ଗଙ୍ଗବଂଶୀୟ ଶାସକ ଅନଙ୍ଗଭୀମ ଦେବ ତୃତୀୟଙ୍କ ଦ୍ୱାରା ନିର୍ମାଣ ହୋଇଛି l କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ ବା ଶିଖରେଶ୍ୱର ମନ୍ଦିରରେ ଥିବା ଶିଳାଲେଖରେ ଏହି ନାଗନାଥ ମହାଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି l
(କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର କାର୍ଯ୍ୟାଳୟରେ ଥିବା କଳସ ଶିଳାଲିପି)
ଅନ୍ୟ କେତେକ ଐତିହାସିକଙ୍କ ମତରେ ପୂର୍ବେ ଏଠାରେ ନାଗବଂଶୀୟ ନୃପତିମାନେ ଶାସନ କରୁଥିଲେ, ଆଉ ସେହି ନାଗବଂଶୀ ଶାସକଙ୍କ ଦ୍ୱାରା ନାଗନାଥ ଅବା ନାଗନାଥେଶ୍ୱର ମନ୍ଦିରଟି ପ୍ରତିଷ୍ଠା ହୋଇଥିଲା l ସେ ଯାହାବି ହେଉନା କାହିଁକି ନାଗନାଥେଶ୍ୱର ମନ୍ଦିରଟି ଯେ ବହୁତ ପ୍ରାଚୀନ ଏହାକୁ ପୁଷ୍ଟି କରିବାକୁ ଯାଇ କିଛି ପଣ୍ଡିତ ମତବ୍ୟକ୍ତ କରନ୍ତି ଯେ ଏହି ଶିବଲିଙ୍ଗଟି ଭାରତର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ l ଏହା ବିଷୟରେ ମନ୍ଦିର ପରିସରରେ ଥିବା ଏକ ସାଇନ୍’ବୋର୍ଡରେ ବିସ୍ତୃତ ଭାବେ ଲେଖା ଯାଇଛି l ସେହି ସାଇନ୍ ବୋର୍ଡ ର ଛବିଟି ଏଠାରେ ସ୍ଥାନୀତ କରାଯାଇଛି l
(ନାଗନାଥ ମନ୍ଦିର ପରିସରରେ ଥିବା ବିବରଣୀ)
ବୃକ୍ଷ ଲତା ଘେରା ପାହାଡ଼ିଆ ନିକାଞ୍ଚନ ସ୍ଥାନରେ ଥିବା ଏହି ନାଗନାଥ ବା ନାଗନାଥେଶ୍ୱର ମନ୍ଦିରକୁ ବାହାର ଲୋକ ପ୍ରାୟ ଆସନ୍ତି ନାହିଁ କହିଲେ ଚଳେ l ଗମନାଗମନର ସେତେଟା ସୁବିଧା ନାହିଁ l ମନ୍ଦିରଟି ପଥର ପ୍ରାଚେରୀ ପରିବେଷ୍ଟନୀ ମଧ୍ୟରେ ଦଣ୍ଡାୟମାନ l ମନ୍ଦିରର ମୂଳ ବିମାନଟି ରେଖଶୈଳୀରେ ନିର୍ମିତ ହୋଇଥିବା ବେଳେ, ଜଗମୋହନଟି ପୀଢ଼ଶୈଳୀରେ ନିର୍ମିତ l ଏହା ବାଦ ଦେଉଳର ଭୋଗ ମଣ୍ଡପ ବି ରହିଛି l ମନ୍ଦିରଟି ମଧ୍ୟ ଭୂମି ପତ୍ତନ ଠାରୁ ବହୁ ନୀଚ୍ଚରେ ରହିଛି l
(ନାଗନାଥ ମନ୍ଦିର ପରିସରରେ ଥିବା ପ୍ରାଚୀନ କୂପ ଓ
କୂପର ଭିତର ପାର୍ଶ୍ୱରେ ଥିବା କେତେକ ମୂର୍ତ୍ତି)
(ପାର୍ଶ୍ୱ ଦେବଦେବୀ)
ପାର୍ଶ୍ୱ ଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ପ୍ରତିମା ଶୋଭା ପାଉଛନ୍ତି l ମନ୍ଦିର ପରିସରରେ ଏକ ପ୍ରାଚୀନ କୂପ ରହିଛି, ଆଉ କୂପର ଭିତର ପାର୍ଶ୍ୱରେ କେତେକ ମୂର୍ତ୍ତି ଦୃଷ୍ଟିଗୋଚର ହୁଏ l ଜଗମୋହନର ଉଭୟ ପାର୍ଶ୍ୱରେ ରାଜକୀୟ ଠାଣୀରେ ଉପବିଷ୍ଟ ମୁଦ୍ରାରେ ଦୁଇଟି ପ୍ରତିମା ରହିଛି ଯାହାକି ଗଙ୍ଗବଂଶୀ ଶାସକ ଅନଙ୍ଗଭୀମ ଦେବ ତୃତୀୟଙ୍କର ବୋଲି ଅନୁମାନ କରାଯାଏ l ଏହା ବ୍ୟତିରେକ ଜଗମୋହନ ଗାତ୍ରରେ ତଥା ଗବାକ୍ଷରେ ଆଉ କେତେକ ମୂର୍ତ୍ତି ଦୃଶ୍ୟମାନ ହୁଏ ଯାହାକି ଏବେ ବି ନିଖୁଣ ଆଉ ଜୀବନ୍ତ l
(ଜଗମୋହନ କାନ୍ଥରେ ଥିବା ନୃପତି ଅନଙ୍ଗଭୀମ ଦେବ ତୃତୀୟଙ୍କ ପ୍ରତିମା)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago