ମହାମନିଷୀଗଣ

ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ

ଲେଖା: ଶିବାଶିଷ ମହାପାତ୍ର
ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି ଘରେ ୧୮୯୫ ମସିହା ମେ ମାସ ୮ ତାରିଖ ତାରିଖ ଜନ୍ମ ଗ୍ରହଣ କରିଥିଲେ ଗାଁ ମଫସଲ ତଥା “ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ”
ବାପା ଥିଲେ ଜମିଦାର ତଥା କଟକର ଜଣେ ନାମକରା ଓକିଲ, ତେଣୁ ସନ୍ଥଙ୍କ ଶିକ୍ଷା ଆରମ୍ଭ ହୋଇଥିଲା ଗ୍ରାମରୁ ଏବଂ ଶେଷ ହୋଇଥିଲା ସୁଦୂର କଲିକତା ସହରରେ । କଲିକତା ପ୍ରେସିଡେନ୍ସି କଲେଜରୁ ୧୯୧୨ ମସିହାରେ  ବି.ଏ ଏବଂ ୧୯୧୪ ମସିହାରେ ପାସ କରିଥିଲେ ଏମ୍.ଏ । ଓକିଲାତି ପଢ଼ିଲା ବେଳେ ହୋଇଥିଲା ବାପାଙ୍କ ଦେହାନ୍ତ ଏବଂ ଏହି କାରଣ ଯୋଗୁଁ ଚାଲି ଆସିଥିଲେ ଓଡ଼ିଶା, ଡୋରି ଲଗାଇ ପାଠ ପଢ଼ାରେ । ୧୯୧୭ ମସିହାରେ ବ୍ରିଟିଶ ସରକାର ଅଧିନରେ ଚାକିରୀ ଆରମ୍ଭ କଲେ କଟକରେ ଡେପୁଟି ମାଜିଷ୍ଟ୍ରେଟ ପଦରେ ।
ଏମ୍.ଏ. ପାସ କରିବା ବର୍ଷ ୧୯୧୪ ମସିହାରେ ବିବାହ କରିଥିଲେ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଝିଆରି ତଥା ତାଙ୍କ ସାନ ଭାଇ ଗୋପାଳବଲ୍ଲଭଙ୍କ କନ୍ୟା ଶ୍ରୀମତି ରମାଦେବୀ, ଯାହାଙ୍କ ନାମରେ ମୁଣ୍ଡ ଟେକିଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଭୁବନେଶ୍ୱରରେ । ଚାକିରୀ କରିବାର ୪ ବର୍ଷ ବେଳକୁ ଯାଜପୁର ଜିଲ୍ଲାର ଡେପୁଟି କଲେକ୍ଟର ଥିବା ସମୟରେ ଦେଇଥିଲେ ଇସ୍ତଫା ଚାକିରୀରୁ ଏବଂ ନିଜ ତଥା ନିଜ ପରିବାର ସମେତ ଝାସ ଦେଇଥିଲେ ସ୍ବାଧୀନତା ସଂଗ୍ରାମରେ । ଚାକିରି ଛାଡିବା ଆଶ୍ଚର୍ଯ୍ୟାନିତ କରିଥିଲା ଅନେକଙ୍କୁ । ପରେ ପରେ ଏ ଦେଶ ଜାତି ପାଇଁ ତାଙ୍କ ଧର୍ମପତ୍ନୀ ରମା ଦେବୀ ପାଲଟିଗଲେ ମା’ ଏବଂ ନିଜେ ବନିଗଲେ ସନ୍ଥ । ସାନଭାଇ ସେବା କଲେ ଓଡ଼ିଶା ମାଟିର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବରେ ।
୧୯୨୧ ମସିହାରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ଡକାଗଲା ସର୍ବଭାରତୀୟ କଂଗ୍ରେସ କମିଟିର ସଭାକୁ ଏବଂ ସନ୍ଥ ଗୋପବନ୍ଧୁ ଚୌଧୁରୀ କରିଥିଲେ ଓଡ଼ିଶାର ପ୍ରତିନିଧିତ୍ଵ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ।
ଜଗତସିଂହପୁର ଜିଲ୍ଲାରେ ଅଳକା ନଦୀ କୂଳରେ ପ୍ରତିଷ୍ଠା କରିଥିଲେ ଅଳକା ଆଶ୍ରମ । ଗାଁରେ ମ୍ୟାଲେରିଆ ଏବଂ ହଇଜା ବିରୁଦ୍ଧରେ କରୁଥିଲେ ସଂଗ୍ରାମ । ପରେ ଗାନ୍ଧୀଜିଙ୍କ ଅନୁସାରେ ବରୀ ନିକଟରେ ନିଜର ଆଶ୍ରମ ପ୍ରତିଷ୍ଠା କରି ଗାଁ ଲୋକଙ୍କୁ ଖଦି, ଚାଷ ଏବଂ ଶିକ୍ଷା ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ମାନ ଆଣିଛନ୍ତି । ତାଙ୍କ ଦ୍ବାରା ଆରମ୍ଭ ଚାଷପ୍ରଣାଳୀ ଏବେ ମଧ୍ୟ ବରୀ ଅଞ୍ଚଳରେ ଦେଖିବାକୁ ମିଳେ । ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ସମୟରେ କାରାବରଣ ତଥା ଆହତ ମଧ୍ୟ ହୋଇଥିଲେ ।
ଭାରତ ସ୍ଵାଧୀନତା ଲାଭ କଲାପରେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇ ବରୀ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିରେ ନିଜ କରିଥିଲେ ନିୟୋଜନ । ପରେ ପରେ ଆଉ ଜଣେ ସନ୍ଥ ବିନେବା ଭାବେଙ୍କ ସହ ମିଶି ଲୋକଙ୍କ ପାଖରେ ପହଞ୍ଚାଇଥିଲେ ଭୂଦାନ ଆନ୍ଦୋଳନକୁ । ମହାତ୍ମାଗାନ୍ଧୀଙ୍କ ଜୀବନୀ ପୁସ୍ତିକାକୁ ଅନୁବାଦ କରିଥିଲେ ଓଡ଼ିଆରେ । ତାଙ୍କ ଶେଷ ଜୀବନ କଟିଥିଲା କଟକର ଭୂଦାନ ଆଶ୍ରମରେ ।
ଆଜି ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ ନାହାନ୍ତି ସତ, କିନ୍ତୁ ରହିଯାଇଛି ତାଙ୍କ ନୀତି ତଥା ଆଦର୍ଶ । ସମାଜ ସେବାକୁ ପାଥେୟ କରି ଆଜି ସେ ହୋଇଯାଇଛନ୍ତି ଚିର ଅମର ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago