ଲେଖା: ଶିଶିର ମନୋଜ ସାହୁ
ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ !
୧. ଦୀପାବଳୀ
୨. ଦୀପାବଳି
୩. ଦିପାବଳୀ
୪. ଦିପାବଳି
୫. ଦୀପାୱଳୀ
୬. ଦୀପାୱଳି
ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍ ନୁହେଁ । କାରଣ ଦୀପାଵଳି ଏକ ଶାସ୍ତ୍ରୀୟ ସଂସ୍କୃତ ଶବ୍ଦ ଏଵଂ ଏ ଭାଷାରେ ଅଵର୍ଗ୍ଯ ‘ଵ’ ର ଵ୍ଯଵହାର ନିତାନ୍ତ ଆଵଶ୍ୟକ ହୋଇଥାଏ । ଏଣୁ ଯେହେତୁ ଦୀପାଵଳି ଏକ ଶାସ୍ତ୍ରୀୟ ଶବ୍ଦ ତହିଁରେ ଅଵର୍ଗ୍ଯ ‘ଵ’ ଵ୍ଯଵହାର ହେଵା କଥା । ସେହିପରି ୱ ଏକ ଦ୍ଵିସ୍ଵର (ଦୁଇଟି ସ୍ଵର ଯୁକ୍ତ ହୋଇ ଗଠିତ= ଉ+ଅ =ୱ) ଏଵଂ ଏହା ତାୱା, ହାୱା ଓ ୱାଟର୍ ଆଦି ଵୈଦେଶିକ ଶବ୍ଦ ଲେଖିଵା ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଭିଧାନକାର ଶ୍ରୀ ପ୍ରହରାଜ ଆଵିଷ୍କାର କରିଥିଲେ । ଆଗେ ଆମ ଭାଷାରେ ଵର୍ଗ୍ଯ ‛ବ’ ଓ ଅଵର୍ଗ୍ଯ ଵ ପାଇଁ ଦୁଇଗୋଟି ସ୍ଵତନ୍ତ୍ର ଅକ୍ଷର ରହିଥିଲା । ତେଵେ ଦୀର୍ଘଦିନ ଧରି ଵୈଦେଶିକ ଵିଶେଷତଃ ବଙ୍ଗାଳୀ ଶାସକଙ୍କ ଶାସନାଧୀନ ରହିଵା ଯୋଗୁଁ ଆମଭାଷାରେ ଏ ଉଭୟ ଵର୍ଣ୍ଣରେ ଥିଵା ଭିନ୍ନତା ଅନେକାଂଶରେ ଲୁପ୍ତ ହୋଇସାରିଥିଲା । ଆମେ ଆଜି ଯେଉଁ ଵର୍ଗ୍ଯ ‛ବ’ ଵ୍ଯଵହାର କରନ୍ତି ତାହା ଏକଦା ଅଵର୍ଗ୍ଯ ‘ଵ’ ଵର୍ଣ୍ଣ ପାଇଁ ଵ୍ଯଵହାର ହେଉଥିଲା । ଆଜି ଆମଭାଷାର ଲିପିରେ ଅଵର୍ଗ୍ଯ ‛ଵ’ ପାଇଁ ନୂଆ ଅକ୍ଷରଟିଏ ସୃଷ୍ଟି କରାଯାଇଛି । ଵର୍ଗ୍ଯ ‘ବ’ ଓ ଅଵର୍ଗ୍ଯ ‘ଵ’ ର ପ୍ରାଚୀନ ସ୍ଵରୂପ ଜାଣିଵାକୁ ଚାହୁଁଥିଲେ ଭୁଵନେଶ୍ଵରର ରାଜ୍ଯ ସଂଗ୍ରହାଳୟ ପରିଦର୍ଶନ କରିପାରନ୍ତି ।
ସେଇଭଳି କେହି କେହି ଦୀପାଵଳି ଶବ୍ଦକୁ ଦୀପାଵଳୀ ଲେଖନ୍ତି । ଅଵଶ୍ଯ ଆଵଳି ଶବ୍ଦର ଅନ୍ୟ ରୂପ ଆଵଳୀ ହୋଇଥିଵା ହେତୁ ଏ ଶବ୍ଦ ମଧ୍ୟ ଠିକ୍ ଅଟେ । ଆଙ୍(ଆ)+ବଳ୍+ଇନ୍(ଇ) = ଆଵଳି ବୋଲି ଅମରକୋଷରେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି । ଇନ୍ ପ୍ରତ୍ଯୟ ଲାଗି ଵେଳେ ଵେଳେ ଦୀର୍ଘ ‘ଈ’ ରୂପ ହେଉଥିଵା ହେତୁରୁ ଏହି ଶବ୍ଦ ମଧ୍ୟ ଗ୍ରହଣୀୟ ।
ଏହି ଆଵଳି ଶବ୍ଦର ଅନେକ ଅର୍ଥ ରହିଛି । ଯଥା―
୧. ଶ୍ରେଣୀ; ପଂକ୍ତି; ଧାଡି
୨. ସମୂହ
୩. ବଂଶ
୪. ଏକସାଜ
ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ଯଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ହୋଇଅଛି ।
ତେଵେ ସେ ଯାହା ହେଉ ଆମଭାଷାରେ କିନ୍ତୁ ଦୀପାଵଳି ଶବ୍ଦ ଛଡ଼ା #ଦିପାଳୀ,#ଦେଆଲୀ,#ଦେଵାଲୀ #ଦିଆଲି ଆଦି ଦେଶଜ ଶବ୍ଦର ଵ୍ଯଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି । ସେଇଭଳି ଅନେକ କଳିଙ୍ଗ ଦେଶୀୟ ଜନଜାତୀୟ ଲୋକେ ମଧ୍ୟ ଦୀପାଵଳି ପାଳନ୍ତି । ତେଣୁ ପ୍ରାୟ ସମସ୍ତ କଳିଙ୍ଗ ଦେଶୀୟ ଜନଜାତୀୟ ଭାଷାଗୁଡି଼କରେ ଦୀପାଵଳି ପାଇଁ ରହିଛି ନାନା ପ୍ରତିଶବ୍ଦ …
ଯଥା:
■କୁଈ―ଡିପଲାକା
■ମୁଣ୍ଡା―ସହରାଈ
■ହୋ― ସୁବିଃଜୁଲ୍
■ଓରାଂ-କିସାନ― ଦିଆଲି
■ସାନ୍ତାଳୀ― ଦିଆଲୀ/ଦିଵାଲୀ
■ଜୁଆଙ୍ଗ―ଦିପବଲୀ
■ବିନ୍ଝାଲ୍ ―ଦିୟାଲୀ
ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା ! ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ଯଵହାର ହୋଇଥିଵା ଦେଖାଯାଏ
“ଆରେ ଛତରା !
ଦଶରା ଗଲା; ଦିଆଲି ଗଲା
ବାକି ରହିଗଲା ବାଲିଯାତରା”
ଦୀପାଵଳି ନାମରେ ଖ୍ଯାତ କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଆମ ଦେଶରେ ଵିଭିନ୍ନ ନାମ ରହିଛି ।
■ ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯା ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା
ଆମ କଳିଙ୍ଗ ଦେଶରେ ଏଇ ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ ।
ଫଟାକି ଉଆଁସ
ଆଧୁନିକ ଯୁଗରେ ବାଣଫୁଟା ଵିଶେଷତଃ ତାଳଫୋଟକା ଵାଣ ଫୁଟେଇଵା ଆରମ୍ଭ ହେଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଏ ନାମଟି ଚଳିଵା ଆରମ୍ଭ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago