ଲେଖା: ଦେଵ ତ୍ରିପାଠୀ
ରାଜ୍ୟ ନ ଥାଇ ବି ସେ ଥିଲେ ରାଜା, ନିଜେ ବେଶୀ ପାଠ ନ ପଢି ମଧ୍ୟ ସେ ଜନସାଧାରଣଙ୍କ ମଧ୍ୟରେ ପଠନର ସ୍ପୃହା ସୃଷ୍ଟି ପାଇଁ ନିଜ ଜୀବନକୁ ତିଳ ତିଳ କରି ବିତାଇଥିଲେ, ସେ ଥିଲେ ସାର୍ଥକ କର୍ମଯୋଗୀ, ନିଷ୍ଠାପର ସଂଗଠକ, ଖ୍ୟାତନାମା ସଂଗ୍ରାହକ, ସମାଜସଂସ୍କାରକ, ସାହିତ୍ୟ ପ୍ରଶଂସକ । ସେ ଥିଲେ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା । ସେ ଦାଶିଆ ଅଜା, ଦାଶରଥୀ ପଟ୍ଟନାୟକ ।
ସେ ଦଶ ପଇସାର ରାଜା, ଖୁଣ୍ଟାତଡ଼ା ରାଜା ଓ ଦାଶିଆ ଅଜା ଭାବରେ ମଧ୍ୟ ପରିଚିତ ।
୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିବା ଓଡିଆ ଜାତିର ଚିରନମସ୍ୟ, ଗର୍ବ ଓ ଗୌରବ ଦାସିଆ ଅଜା ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ି ମଧ୍ୟ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରି, ପରେ ଚାକିରି ଛାଡ଼ି, ସେ ନିଜ ଗାଁର ପଥୁରିଆ ଅନୁର୍ବର ଜମି ଚାଷକରି ପେଟ ପୋଷୁଥିଲେ । ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ ।
୧୯୦୭ରୁ ୧୯୯୭ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସୁଦୀର୍ଘ ଜୀବନପଥର ନିଃସଙ୍ଗ ଯାତ୍ରୀଟିଏ ହୋଇ ସେ ସାଧନାର ବହୁ କଠିନ ସୋପାନ ଅତିକ୍ରମ କରିଥିଲେ ।
ଦାଶରଥୀ ପଟ୍ଟନାୟକ ବହି ପଢ଼ିବା ପାଇଁ ପରଦିନ ପଢ଼ିବା ବହି ତା’ ଆଗଦିନ ଆଣି ସଂଗ୍ରହ କରି ରଖୁଥିଲେ। କ୍ରମେ ତାଙ୍କର ଏହି ବହିସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା । ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲାମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ । ହାତପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ଭିକ୍ଷା କରୁଥିଲେ । ଏଥିପାଇଁ ସେ ପରିଚିତ ହୋଇଥିଲେ “ଦଶ ପଇସାର ରାଜା” ଭାବରେ ।
ନିଜର ସଂଗୃହିତ ଜିନିଷସବୁକୁ ନେଇ ଦାଶିଆ ଅଜା ନୟାଗଡ଼ର ନୂଆଗାଁରେ ସ୍ଥାପନା କରିଥିବା ଅରବିନ୍ଦ ସଂଗ୍ରହଳାୟର ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ ଓ ୬୫ ହଜାର ରକମର ପତ୍ରପତ୍ରିକା ରହିଛି । ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି, ତନ୍ମଧ୍ୟରୁ ୫ଟି ଶହେ ବର୍ଷ ପୁରୁଣା ।
ଉଦୟପୁର ସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ଦାଶରଥୀ ପଟ୍ଟନାୟକ ପ୍ରତିଷ୍ଠା କରିଥିବା ବାଞ୍ଛାନିଧି ପାଠାଗାର, ଶ୍ରୀଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ ଆଜି ସାହିତ୍ୟିକ ଓ ଗବେଷକଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତୀକା ହୋଇପାରିଛି । ଅରବିନ୍ଦ ସଂଗ୍ରହାଳୟରେ ରହିଛି ବିଭିନ୍ନ ମହାପୁରୁଷଙ୍କ ବ୍ୟବହୃତ ବିରଳ ଆସବାବପତ୍ର, ବିଭିନ୍ନ ଗ୍ରହ ଉପଗ୍ରହରୁ ସଂଗୃହିତ ଧାତୁପଥର, ବହୁ ବିରଳ ପୁରାତନ ସାମଗ୍ରୀ, ଦେଶବିଦେଶର ବହୁ ବିରଳ ମୁଦ୍ରା, ବିଭିନ୍ନ ସଭ୍ୟତାର ଶିଳ୍ପ, ବିଭିନ୍ନ ସାମୁଦ୍ରିକ ଜୀବର ଅସ୍ଥି ଇତ୍ୟାଦି ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ଦାଶିଆ ଅଜାଙ୍କ ଏ ଉଦ୍ୟମ ଓ ମହାନ ପରିକଳ୍ପନା ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ତାଙ୍କର ନିଷ୍ଠାପର ସାଧନା ଓ ଅଧ୍ୟବସାୟ ତାଙ୍କୁ ବ୍ୟକ୍ତିରୁ ଅନୁଷ୍ଠାନ କୁ ଉତ୍ତୀର୍ଣ୍ଣ କରାଇଛି । ତାଙ୍କର ପଦିଏ କଥା “ମଣିଷ ଆପଣା, ଧନ ପର, ଯେତେ ପାରୁଛ ମଣିଷ ଧର” ଆଜି ବି ସେଇ ଅନାବିଳ ସ୍ନେହ, ପ୍ରେମ, ଗଭୀର ଆତ୍ମୀୟତାର ରଜ୍ଜୁରେ ବାନ୍ଧିରଖିଛି । ନିଜର ତ୍ୟାଗ, ସାହସ, ଧୈର୍ଯ୍ୟ, ଶୃଙ୍ଖଳା, କର୍ତ୍ତବ୍ୟବୋଧ ପାଇଁ ସଭିଙ୍କ ପ୍ରିୟ ଦାଶିଆ ଅଜା ଅବା ଦାଶରଥୀ ପଟ୍ଟନାୟକ ଆଜି ଚିର ଅମର ।
ସେଇ କର୍ମଯୋଗୀ ସନ୍ଥଙ୍କ ପାଦତଳେ କୋଟି ପ୍ରଣତି ଢାଳେ ଅନ୍ତରଙ୍ଗ କଳିଙ୍ଗ ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…