ଜଣା ଅଜଣା

ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର

ଲେଖା: ଅମ୍ବିକା ପଟ୍ଟନାୟକ

ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l
କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l
ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ ଏହି ଆଇନ ଅମାନ୍ୟ ଆନ୍ଦୋଳନର ପରିଣତି ଥିଲା ବ୍ରିଟିଶ ସରକାରଙ୍କ “ଲବଣ ଆଇନ” ପ୍ରତ୍ୟାହାର l
“ଦାଣ୍ଡିଯାତ୍ରା”ର ପ୍ରାୟ ପାଞ୍ଚ ଶହ ବର୍ଷ ପୂର୍ବେ ଜଣେ ଶାସକ ଲୁଣ ଉପରେ ବସାଇ ଥିବା କର, ଜନସାଧାରଣଙ୍କ ବିକ୍ଷୋଭ ଓ ପ୍ରତିବାଦ ହେତୁ ପ୍ରତ୍ୟାହାର କରିଥିଲେ l ସେତେବେଳେ ସେ କେବଳ ରାଜା କପିଳେଶ୍ୱର l ନିଜ ବାହୁବଳରେ ଦୁର୍ବଳ ଗଙ୍ଗ ରାଜାଙ୍କ ଶିଥିଳ ହସ୍ତରୁ ଉତ୍କଳ ରାଜ୍ୟ କର ଗତ କରିଥିଲେ l ଆହୁରି ହୋଇ ନାହାନ୍ତି “ବୀରାଧିଵୀରବର ଵୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର, ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୂଳ ଧୂମକେତୁ, ଦୁଃସହ ଦୁଃଶାସନ ଅନିକରଣେ ଅତୁଳବଳ ପରାକ୍ରମଶାଳୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ l
ରାଜତ୍ୱ ପ୍ରାରମ୍ଭରେ ଯୁଦ୍ଧାଭିଯାନ ରାଜସ୍ବ ସଂଗ୍ରହ ନିମିତ୍ତ ପ୍ରଜା ମାନଙ୍କ ଉପରେ କିଛି ନୂଆ କର ବସେଇ ଥିଲେ l “ଲବଣ କର” ଅନ୍ୟତମ ଥିଲା l ନୂତନ ରାଜାଙ୍କ ଏହି ନିଷ୍ପତ୍ତିରେ ଜନ ଅସନ୍ତୋଷ ଓ ବିକ୍ଷୋଭ ଦେଖାଗଲା l ଏବଂ ଯେହେତୁ କପିଳେନ୍ଦ୍ର ନୂଆ ନୂଆ ରାଜା ହୋଇଥିଲେ, କିଛି ଅଧିନସ୍ଥ କରଦରାଜା ମଧ୍ୟ ବିଦ୍ରୋହ କରିଥିଲେ l ତେବେ ରାଜା କପିଳେନ୍ଦ୍ର ବୁଦ୍ଧି ପ୍ରୟୋଗ କରି “ଦାନ” ଓ “ଦଣ୍ଡ” ଦ୍ଵାରା ଏ ସମସ୍ୟାର ସମାଧାନ କରିଥିଲେ l
ବିଦ୍ରୋହୀ ସାମନ୍ତମାନଙ୍କୁ ଦମନ କରି ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଏକ ଶିଳାଲିପି ଲେଖାଇ ଥିଲେ l “ଶ୍ରୀ ଵୀର କପିଳେସର ଦେବ ମହାରାଜାଙ୍କ ବିଜେ ରାଜ୍ୟେ ସମସ୍ତ ୪ ଅଙ୍କ ଶ୍ରାହି ମିଥୁନ ସଂକ୍ରାନ୍ତି କୃଷ୍ଟ ୯ ମଙ୍ଗଳବାର କୃତିବାସ କଟକେ ଭିତର ପୂଜା ଅବକାସେ ରାୟେଗୁରୁ ବାସୁ ମାହାପତ୍ର ଭୁବନେଶ୍ୱର ମାହାପାତ୍ର ଏ ଦୁଇହେ ଆସି ଲିହାଇଲେ ଏ ଦୁହିଁଙ୍କ ଗୋଚରେ ଆଗ୍ୟାଂ ବୋଲି ହୋଇଲା ଆମ୍ଭ ଓଡିଶା ରାଜ୍ୟେ ଯେତେ ରାଜା ମୂଳ ସବୁହେଁ ରାଜାଙ୍କୁ ହିତେ ବ୍ରତିୟେ ଆପଣା ସଦାଚାରେ ଥିବେ ଅସଦମାର୍ଗେ ନ ରହିବେଂ ରାଜାଙ୍କ ଅଣ ହିତେ ବ୍ରତିଲେ ରାଜା ବାହାର କରି ତାର ସର୍ବସ ହରି”, ବିଦ୍ରୋହୀ ସାମନ୍ତମାନଙ୍କ ଉଦ୍ଦେଶ୍ୟରେ ଏ ସତର୍କ ବାଣୀ l
ଏ ଶିଳାଲିପିରେ ବ୍ୟବହୃତ ଶବ୍ଦ “ଲିହାଇଲେ” ଲେଖାଇଲେ ପରିବର୍ତ୍ତେ ସ୍ଥାନ ପାଇଛି l ପରବର୍ତ୍ତୀ କାଳରେ କବିବର ରାଧାନାଥ ମଧ୍ୟ “ଲିହିଛି” ବ୍ୟବହାର କରିଛନ୍ତି l
“ଵୀର ଶ୍ରୀ ପ୍ରତାପ କପିଳେଶ୍ୱର ଦେବ ମାହାରାଜାଙ୍କ ବିଜୟ ରାଜ୍ୟେ ସମସ୍ତ ୪ ଅଙ୍କ ଶ୍ରାହୀ ଧନୁ ଅମାବଇ ସୌରିବାରେ ଶ୍ରୀ ପୁରୁଷୋତ୍ତମ କଟକେ ପରମେଶ୍ୱରଙ୍କ ଦର୍ଶନ ସମଏ ମହାପାତ୍ର କକାଇ ସାନ୍ତରା ମହାପାତ୍ର ଜଳସରସେନ ନରେନ୍ଦ୍ର ମହାପାତ୍ର ଗୋପୀନାଥ ମଙ୍ଗରାଜ ମହାପାତ୍ର କାଶୀ ବିଦ୍ୟାଧର ମହାପାତ୍ର ବେଲେଶ୍ୱର ପ୍ରହରାଜ ମହାପାତ୍ର ଲକ୍ଷଣ ପୁରୋହିତ ପଟନାୟକ ଦାମୋଦର ମାହାସେନାପତୀ ଥାଇ ପରମେଶ୍ୱରଙ୍କ ଶ୍ରୀଚରଣ ଅଗ୍ରତେ ଭୋଗପରୀକ୍ଷା ପାତ୍ର ଅଗ୍ନିସର୍ମା ମୁଦ୍ରହସ୍ତର ଗୋଚରେ ବୋଇଲା ମୁଦଲେ ଶ୍ରୀ ପୁରୁଷୋତ୍ତମ ଦେବଙ୍କ ଦ୍ୱାରେ ଲେଖନ କରିବା ଆମ୍ଭର ଓଡିସା ରାଜ୍ୟର ଲୋଣ କଉଡ଼ି ସୁଳକର ଛାଡ଼ିଲି ଛାଡ଼ିଲି ଏହା ରାଜା ହୋଇ ଯେ ଲଂଘଇ ସେ ଶ୍ରୀଜଗନ୍ନାଥଙ୍କୁ ଦ୍ରୋହ କରଇ l”
ଆନୁମାନିକ ୧୪୩୬ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଖୋଦିତ ଜୟ ବିଜୟ ଶିଳାଲିପି l ଏ ଦୁଇ ଶିଳାଲିପି ମଧ୍ୟରେ ବ୍ୟବଧାନ ଛ ମାସ l
ନରପତି ଅନଙ୍ଗ ଭୀମଦେବଙ୍କ ସମୟରୁ ଉତ୍କଳ ରାଜ୍ୟ ଅଧୀଶ୍ଵର ଶ୍ରୀ ଜଗନ୍ନାଥ l ରାଜା କେବଳ ମାତ୍ର ତାଙ୍କ ରାଉତ ବା ସେବକ l ଏଣୁ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ଵାରରେ ଲିପି ଉତ୍କୀର୍ଣ୍ଣ ଅର୍ଥ ଭବିଷ୍ୟତର କୌଣସି ରାଜା / ଗଜପତି ଏହାର ଅମାନ୍ୟ କରି ପାରିବେ ନାହିଁ l
ଏହି ଦୁଇ ଶିଳାଲିପି ଗଜପତି କପିଳେନ୍ଦ୍ରଙ୍କ ଦୁରଦୃଷ୍ଟିର ପରିଚୟ ଦିଏ l ଏ ଦୁଇ ଶିଳାଲିପି କିଛି ଗଭୀର ଓ ଗମ୍ଭୀର ସଂକେତ ଦିଏ l
୧. ବର୍ତ୍ତମାନ ବ୍ୟବହୃତ ଓଡ଼ିଆ ଲିପିର ଅନ୍ୟତମ ପ୍ରାଚୀନ ନିଦର୍ଶନ l ମାନକ ଓଡ଼ିଆ ଲିପିର ପ୍ରୟୋଗ ଆଦ୍ୟ ପ୍ରୟୋଗ l ସମସାମୟିକ ସଂସ୍କୃତ ଶିଳାଲିପି/ତାମ୍ରଲିପି ସବୁ ଆଳଙ୍କlରିକ ଭାଷାରେ ଲିପିବଦ୍ଧ ଏ ଲିପି କିନ୍ତୁ କଥିତ ଓଡ଼ିଆ ଭାଷାରେ ଲିଖିତ l
୨. ପୁରୀ “ପୁରୁଷୋତ୍ତମ କଟକ” ନାମରେ ପରିଚିତ ଥିଲା, ଭୁବନେଶ୍ୱର “କୃତିବାସ କଟକ” ଭାବେ ନାମିତ ଥିଲା l ରାଜଧାନୀ “ବାରାଣସୀ କଟକ” l
୩. ଆମ ଭୂଖଣ୍ଡର ନାମ “ଓଡିଶା” ବୋଲି ଉଭୟ ଲିଙ୍ଗରାଜ ଓ ଜୟବିଜୟ ଶିଳାଲିପିରେ ପ୍ରଥମ ଥର ଘୋଷଣା l ସମକାଳୀନ ସାରଳା ଦାସ ମଧ୍ୟ ମହାଭାରତ ଆଦି ପର୍ବରେ “ଓଡିଶା” ଶବ୍ଦ ପ୍ରୟୋଗ କରିଛନ୍ତି l ପ୍ରାଚୀନ କାଳର କଳିଙ୍ଗ, ପରବର୍ତ୍ତୀ କାଳର ଉତ୍କଳ ଏହି ଗଜପତିଙ୍କ ଦ୍ଵାରା “ଓଡିଶା” ନାମରେ ନାମିତ ହେଲା l
୪. “ମହାପାତ୍ର” ସମ୍ଭବତଃ ଏକ ରାଜଦତ୍ତ ପଦବୀ ଥିଲା ଏଣୁ ବ୍ରାହ୍ମଣ, ଖଣ୍ଡାୟତ, ରାଜପୁତ୍ର ସମସ୍ତଙ୍କ ପଦବୀ ମହାପାତ୍ର ଥିଲା l
୫. ଶିଳାଲିପି ବର୍ଣ୍ଣିତ ମହାପାତ୍ର କାଶୀ ବିଦ୍ୟାଧର କିମ୍ବଦନ୍ତୀୟ “କାଶିଆ କପିଳା”ର କାଶିଆ ଓ କପିଳେଶ୍ୱର କପିଳା ହୋଇପାରନ୍ତି l

୬. ରାଜାଙ୍କ ସେନାପତି କେବଳ ଖଣ୍ଡାୟତ ବା କ୍ଷତ୍ରିୟ ନୁହେଁ ଯୋଗ୍ୟ ବ୍ରାହ୍ମଣ ଓ କରଣ ମଧ୍ୟ ହୋଇ ପାରୁଥିଲେ l “ବାହିନୀପତି”“ସାମନ୍ତରାୟ” ବ୍ରାହ୍ମଣ ମାନଙ୍କ ସାମରିକ ପଦବୀ ଥିଲା l
୭. “ମୁଦ୍ରହସ୍ତ” ବା ମୁଦିରଥ.. ଶ୍ରୀମନ୍ଦିରରେ ରାଜାଙ୍କ ପ୍ରତିନିଧି l ଏ ପରମ୍ପରା କେବେଠୁ ଆରମ୍ଭ ଅନୁମାନସାପେକ୍ଷ ମାତ୍ର ପଂଚଦଶ ଶତାବ୍ଦୀରେ ପ୍ରଚଳିତ ଥିଲା l
ଏ ଶିଳାଲିପି ସୂଚାଏ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କର କଥା ! ଏ ଶିଳାଲିପିର ସାହିତ୍ୟିକ ଗୁରୁତ୍ୱ ନ ଥାଇ ପାରେ ମାତ୍ର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ଅପରିସୀମ !
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago