ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ
~ ଢେଙ୍କାନାଳର କଥା – ୧ ~
ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି ଓ ନାଗେନାଵସ୍ତି । ଆତିଣ୍ଡାର ପଶ୍ଚିମପାର୍ଶ୍ଵସ୍ଥ ଭୂଖଣ୍ଡରେ ଏହି ପ୍ରାଚୀନ ନାଗନା ନଗରୀ ଅଵସ୍ଥିତ । ଏକଦା ଏଠାରେ ନାଗ ବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା । ସମ୍ରାଟ ଶତ୍ରୁଭଞ୍ଜଙ୍କ ସମୟରେ ଏ ଅଞ୍ଚଳ ଓଡି଼ଶାର ଏକ ସମୃଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ଅଞ୍ଚଳ ପରିଗଣିତ ହେଉଥିଲା ‌।
ଢେଙ୍କାନାଳର କଥା କହିଲେ ଅନଙ୍ଗଭୀମ ଦେଵଙ୍କ ନାମ ହିଁ ସର୍ବାଗ୍ରେ ଉଚ୍ଚାରିତ ହୁଏ । ଗଙ୍ଗବଂଶୀ ଶାସକ ଅନଙ୍ଗଭୀମ ଦେଵ ଏହି ନାଗନା ଗ୍ରାମରେ ନାଗନାଥେଶ୍ଵର ଶିଵ ମନ୍ଦିର ନିର୍ମାଣ କରିଥିଲେ । କିମ୍ବଦନ୍ତୀ କହେ ଅନଙ୍ଗଭୀମ ଦେଵ ନାଗେନା ଗ୍ରାମ ନିକଟରେ ନିଜ ନାମରେ ଭୀମପୁର ବୋଲି ଏକ ଗ୍ରାମ ସ୍ଥାପନ କରାଇଥିଲେ ଯାହା ଆଜି ଭୂଇଁପୁର ଵା ଭୀଁପୁର ଗ୍ରାମ ନାମରେ ଜଣାଶୁଣା । କେହି କେହି କୁହନ୍ତି ଅନଙ୍ଗଭୀମ ଦେଵଙ୍କ ଜନ୍ମ ଏହି ଗ୍ରାମରେ ହୋଇଥିଲା । ସେହିପରି ଅନଙ୍ଗଭୀମ ଦେଵଙ୍କ ପୁତ୍ର ଲାଙ୍ଗୁଳା ନରସିଂହଦେଵ କପିଳାସ ମନ୍ଦିର ନିର୍ମାଣ କରି ସେଵାପୂଜା ନିମିତ୍ତ ନାଗେନା ଓ ଭୀମପୁର ଵା ଭୀଁପୁର ଜନପଦ ଦାନ କରିଥିଲେ । ସେହିଦିନ ଠାରୁ ଏହି ଅଞ୍ଚଳ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନାଧୀନରେ ଅନେକ କାଳ ଯାଏଁ ଥିଲା ।
ତେବେ କାଳକ୍ରମେ କରମୂଳ ରାଜଗାଦୀରେ ଅରାଜକତାର ସୁଯୋଗ ଉଣ୍ଡି ପ୍ରାଚୀନ ନାଗବଂଶର ଜନୈକ ରାଜା ନାଗନା ସନ୍ନିକଟ ରୂପାବଳିଆ ପର୍ବତରେ ଏକ ଗିରିଦୁର୍ଗ ନିର୍ମାଣ କରି ଏହି ଅଞ୍ଚଳରେ କେତେକ ଵର୍ଷ ଶାସନ କଲେ । କରମୂଳ ରାଜ୍ୟର ରାଜା ହରିସିଂହ ଵିଦ୍ୟାଧର ସେହି ରୂପାବଳିଆ ପାର୍ବତ୍ୟ ଦୁର୍ଗସ୍ଥିତ ନାଗରାଜାଙ୍କୁ ଅଧୀନତା ସ୍ବୀକାର କରିଵାକୁ ବାର୍ତ୍ତା ପଠାଇଲେ । ନାଗରାଜା ଏହାର ପ୍ରତ୍ୟୁତ୍ତରରେ ଲେଖି ପଠେଇଲେ, “ହରିସିଂହ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି” । ସେଇଠୁ ହରିସିଂହ ରାଗି ପାଚି ଅଵିଳମ୍ବେ ରୂପାବଳିଆ ପର୍ଵତ ଘେରାଉ କଲେ । ୧୫୩୯ ଖ୍ରୀଷ୍ଟାବ୍ଦରେ ବଣସିଂହ ଗ୍ରାମ ନିକଟ ରଣ ପ୍ରାଙ୍ଗଣରେ ଦୀର୍ଘ ଛଅଦିନ କାଳ ଯୁଦ୍ଧ ଲାଗିଲା । ଫଳସ୍ଵରୂପ ଏହି ଯୁଦ୍ଧରେ ରୂପାବଳିଆର ନାଗରାଜା ପରାସ୍ତ ଓ ନିହତ ହେଲେ । ତହୁଁ ପ୍ରାଚୀନ ନାଗନା ଅଞ୍ଚଳ କରମୂଳ ସାମ୍ରାଜ୍ୟ ଭୁକ୍ତ ହେଲା ।
ଏହି ପ୍ରାଚୀନ ଓ ସମୃଦ୍ଧ ଅଞ୍ଚଳ ରାଜ୍ୟର “ଅପର ଅଙ୍ଗ” ହୋଇଥିଵାରୁ ହରି ଵିଦ୍ୟାଧର ଏ ଭୂଖଣ୍ଡଟିର ନାମ “ଅପଙ୍ଗା” ରଖିଲେ । ରୂପାବଳିଆ ନାଗରାଜା ହରିସିଂହଙ୍କୁ ବଣରେ ନୂଆ ରାଜା ହୋଇ ସିଂହପଣିଆ ଦେଖାଉଛନ୍ତି ବୋଲି କହିଥିବାରୁ କରମୂଳ ଅଧିପତି ଯୁଦ୍ଧ କ୍ଷେତ୍ରରେ ବଣସିଂହ ଓ ନୂଆପଡ଼ା ନାମରେ ଦୁଇଟି ନୂତନ ଗ୍ରାମ ସ୍ଥାପନ କରିଥିଲେ ଏଵଂ ଏହି ଦୁଇଟି ଗ୍ରାମ ଭୂଇଁପୁର ଵା ଭୀଁପୁର ଗ୍ରାମ ନିକଟରେ ଅଵସ୍ଥିତ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago