ଲେଖା: ଦେଵ ତ୍ରିପାଠୀ

ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ, ବିଭମମଣ୍ଡିତ କଳାହାଣ୍ଡି ବହୁବିଧ କଳାସଂସ୍କୃତିରେ ସମୃଦ୍ଧ।

ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟ ସଂସ୍କୃତିର ମିଳନଭୂମି ‘କଳାର ହାଣ୍ଡି‘ କଳାହାଣ୍ଡିରେ ଅନେକ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକକଳା ବିକଶିତ ଓ ବିସ୍ତାରିତ । ଏସବୁ ମଧ୍ୟରୁ ଗଣବାଦ୍ୟ ଲୋକନୃତ୍ୟ ‘ଘୁମୁରା’ର କଳାତ୍ମକ ଆବେଦନ କାହାରିକୁ ଅବିଦିତ ନୁହେଁ ।

ବିଗତ କିଛି ବର୍ଷ ଧରି ଦେଶବିଦେଶ ଯାଏ ପ୍ରସାରିତ, ମନ୍ଦ୍ରିତ ଏଇ ଲୋକନୃତ୍ୟ ସତେ ଯେମିତି ଏ ମାଟିର ଆତ୍ମାର ଏକ ଅନ୍ତରଙ୍ଗ ପ୍ରତିଧ୍ଵନି । ଚଳନ୍ତି ସମୟ ସୁଅରେ ସଂଘର୍ଷ କରି ଏଇ ନୃତ୍ୟ ନିଜର ସ୍ଥିତି ଓ ସ୍ବାତନ୍ତ୍ର୍ୟ ପାଇଁ ମହୀୟାନ ।

କ୍ଷୁଧା ବ୍ୟତୀତ ଅନ୍ୟ ଅଞ୍ଚଳର ମଣିଷଙ୍କ ମନରେ କଳାହାଣ୍ଡି ମାଟିର ପରିଚୟ ‘ଘୁମୁରା’ ନୃତ୍ୟ କୁ ହିଁ ନେଇ ଏବଂ ଗବେଷଣା-ସାପେକ୍ଷ ଏହି ନୃତ୍ୟର ଚୌହଦୀ ଆଜି ମଧ୍ୟ ଉନ୍ମୁକ୍ତ ଓ ପରିବ୍ୟାପ୍ତ । ଇତିହାସର ଅନ୍ଧାରୀ ଦୁନିଆରୁ ଆଲୋକିତ ଆଜିର ସମୟ ଯାଏଁ ବହୁ ପଥ ଅତିକ୍ରମ କରି ଏକ ମହାନ ସଂସ୍କୃତିର ପ୍ରତିନିଧିତ୍ଵ କରୁଥିବା ଘୁମୁରା ସମ୍ପର୍କରେ ବହୁ ତଥ୍ୟ, କିମ୍ବଦନ୍ତୀ, ପ୍ରମାଣ ରହିଥିଲେ ମଧ୍ୟ ସାମ୍ପ୍ରତିକ ଗଣମାଧ୍ୟମ ଓ ଇଣ୍ଟରନେଟର ବିକୃତ ପ୍ରଭାବରୁ ଏହା ନବୀନ ପିଢ଼ି ପାଖରେ ଧୀରେ ଧୀରେ ବିସ୍ମୃତ ହୋଇଯିବା କିଛି ବିଚିତ୍ର ନୁହେଁ ।ଘୁମୁରା । ବଣମୁଲକର ନିଘଞ୍ଚ ମାଳ ଅଞ୍ଚଳର ସମର ସଙ୍ଗୀତ ଏଇ ଘୁମୁରା । ଇତିହାସ ଲିପିବଦ୍ଧ କରିନାହିଁ ତା’ର ଜନ୍ମଜାତକ । ଯୁଗ ଯୁଗ ଧରି ଜନଶ୍ରୁତିରେ, ଲୋକାଚାରରେ ରହିଆସିଛି ଏହାର ପ୍ରୟୋଗଧାରା ।
ଯୁଦ୍ଧମୁହାଁ ଯୋଦ୍ଧାମାନଙ୍କୁ ଅନୁପ୍ରେରିତ, ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ଏହି ବାଦ୍ୟ ସହ ରଣହୁଙ୍କାର ତୋଳି ଉଦଣ୍ଡନୃତ୍ୟ କରିବାର ପରମ୍ପରା ରହିଛି । ଯୁଦ୍ଧଫେରନ୍ତା ଯୋଦ୍ଧାମାନଙ୍କର କ୍ଲାନ୍ତି ମେଣ୍ଟାଇବା ପାଇଁ ଏକମାତ୍ର ସାଧନରୂପେ ବ୍ୟବହୃତ ହେଉଥିବା ରଣବାଦ୍ୟ ସହ କ୍ରମେ ସଂଯୁକ୍ତ ହୋଇଛି ଲୋକନୃତ୍ୟ ଏବଂ ପରେ ପରେ ସଙ୍ଗୀତ । ସେ ତ୍ରିବେଣୀଧାରାକୁ ଅଧିକ ରସାଣିତ ଓ ବିବର୍ତ୍ତିତ କରିଛି ରୀତିଯୁଗୀୟ କାବ୍ୟ, ଚଉପଦୀର ସଂଯୋଜନା । ଅନ୍ୟାନ୍ୟ ଲୋକନୃତ୍ୟ ଓ ସଙ୍ଗୀତ ପରି ଏହାର ମଧ୍ୟ ରହିଛି ଏକ ଶୃଙ୍ଖଳିତ ବ୍ୟାକରଣ । ଗଣବିଶ୍ୱାସ ଧାରାରେ ଇନ୍ଦ୍ରଙ୍କୁ ଶଙ୍କିତ କରୁଥିବା ଏହି ବାଦ୍ୟ ବର୍ଷାଋତୁ ଶେଷରେ ହିଁ ବାଦନ ହୋଇଥାଏ ।
ଆଦିମ ସଂସ୍କୃତି ସହିତ ଘୁମୁରା ଲୋକନୃତ୍ୟର ଘନିଷ୍ଠ ସମ୍ପର୍କ ଥିବା କଥା କଳାହାଣ୍ଡିର ଅନେକତ୍ର ପ୍ରାଗୈତିହାସିକ ଗବେଷଣାଲବ୍ଧ ଧ୍ୱଂସାବଶେଷ ତଥା ଗୁଡ଼ହାଣ୍ଡି, ମାରାଗୁଡା, ଯୋଗୀମଠ ଆଦି ସ୍ଥାନରୁ ଆବିଷ୍କୃତ ପ୍ରାଚୀନ ଗୁମ୍ଫା ଗୁଡ଼ିକରେ ଦୃଷ୍ଟି ଗୋଚର ହେଉଥିବା ଡମ୍ବରୁ ଓ ଘୁମୁରା ସହ ସାମଞ୍ଜସ୍ୟ ଥିବା ଚିତ୍ର ଆଦିର କାଳ ନିରୂପଣ କରିବାକୁ ଯାଇ ପଣ୍ଡିତମାନେ ଏହାକୁ ଖ୍ରୀଷ୍ଟପୂର୍ବ ୨୫୦୦୦ରୁ ୧୫୦୦୦ ମଧ୍ୟରେ ସୃଷ୍ଟି ହେବାର ଦାବି କରନ୍ତି !
କେହି କେହି ଗବେଷକ ଓଡ଼ିଆ ଲିପି ସୃଷ୍ଟି ହେବାର ବହୁ ପୂର୍ବରୁ ଆମ ମାଟିରେ ଘୁମୁରା ସୃଷ୍ଟି ହେବା ବାବଦରେ ଆମର ପୁରାଣ ଓ ପ୍ରାଚୀନ ସାହିତ୍ୟରେ ଆଲୋଚନା ରହିଛି । ଚଣ୍ଡୀପୁରାଣରେ ପରା ଆଦିକବି ଲେଖିଯାଇଛନ୍ତି,
“ବାଜଇ କମକାହାଳୀ ଦାଉଣ୍ଡି ଘୁମୁରା,
କାଦମ୍ବରୀ ପାନ କରି ନାଚନ୍ତି ଅସୁରା ।
*** *** ***
ବୀର ତୂର ବୀର ଢୋଲ ଦାଉଣ୍ଡି ଘୁମୁରା,
କଡ଼ା ମର୍ଦ୍ଦଳ ବଜାନ୍ତି ମାରି ଗାଲତୁରା ।”
ଏତଦବ୍ୟତୀତ, ଆଦିକବିଙ୍କ ବର୍ଣ୍ଣନା ଅନୁଯାୟୀ ଗୋସିଙ୍ଗ ରାକ୍ଷସର ରାଜଧାନୀ ଜେନାବଳୀପାଟଣାରେ (ଆଧୁନିକ ସମୟର ଜୁନାଗଡ଼) ଅସୁରଗଡ଼ ନାମକ ଦୁର୍ଗଟିଏ ଥିଲା ।

ସତ୍ୟବାଦୀର ପଞ୍ଚସଖା ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ‘ଉତ୍କଳ ଇତିହାସ‘ରେ ମଧ୍ୟ ସୁଦୂର ଅତୀତରେ କଳାହାଣ୍ଡି ଅଞ୍ଚଳରେ ଏକ ସମୁନ୍ନତ ସଭ୍ୟତା ସ୍ଥାପିତ ହେଇଥିବା କଥା କହିଛନ୍ତି । ଏସବୁ ତଥ୍ୟ ପ୍ରମାଣିତ କରେ ଯେ ଘୁମୁରା ବାଦ୍ୟଟି କଳାହାଣ୍ଡି ଅଞ୍ଚଳରୁ ହିଁ ସୃଷ୍ଟ ।
ରାବଣରାଜ୍ୟରେ ଘୁମୁରା ଏକ ବିଭୀଷିକାମୟ ରଣ ତଥା ବୀରବାଦ୍ୟ ଭାବେ ବହୁଳ ବ୍ୟବହୃତ ହେଉଥିବା କଥା ମଧ୍ୟ ଗବେଷକମାନେ ମତ ପ୍ରକାଶ କରିଥାନ୍ତି ! କଳାହାଣ୍ଡିର ଜନଶ୍ରୁତି ଅନୁଯାୟୀ ରାବଣସୂତ ମେଘନାଦର ତପସ୍ୟାଲବ୍ଧ ରଣବାଦ୍ୟ ଏଇ ଘୁମୁରା । ତେଣୁ ଲୋକଙ୍କର ବିଶ୍ୱାସ ଯେ ବର୍ଷାଋତୁ ପରେ ହିଁ ଏ ବାଦ୍ୟ ବଜାଇବା ଉଚିତ, ଅନ୍ୟଥା ଇନ୍ଦ୍ରଦେବ ଶତ୍ରୁପକ୍ଷର ଭାବ ନେଇ ବୃଷ୍ଟି କରି ନ ପାରନ୍ତି !

ସତ୍ୟ ଯୁଗରେ ବ୍ରହ୍ମାଦେବଙ୍କ ଆଦେଶରେ ବିନ୍ଧାଣି ଚନ୍ଦ୍ରଧ୍ୱଜ ଏବଂ ତାଙ୍କ ଧର୍ମପତ୍ନୀ ଭରଗୀ କାଞ୍ଚିନଗରୀରେ ଚବିଶପଳ ମାଟିରେ ଗଢ଼ି ଥିଲେ ଘୁମୁଘଣ୍ଟ । ପ୍ରାଚୀନ କବି ଗଗନେଶ୍ୱରଙ୍କ ରଚନାରୁ ଉଦ୍ଧାର କରି ପ୍ରତ୍ନତାତ୍ତ୍ୱିକ ଡ଼ଃ ଯୋଗେଶଚନ୍ଦ୍ର ସିଂହଦେଓ କହନ୍ତି, ସେ ଘୁମୁଘଣ୍ଟର ଉଦର ବାର ଆଙ୍ଗୁଳ ରଖାଗଲା । ଅତି ଯତ୍ନରେ ଚୈତନ୍ୟ ମନ୍ତ୍ରରେ ଶୁଦ୍ଧ କରାଗଲା ଘୁମୁଘଣ୍ଟକୁ । ଭୈବର୍ତ୍ତ ପର୍ବତରୁ ମଣିକର୍ଣ୍ଣ ମାରି ଆଣିଥିବା ଗୋଧି ଓ ଏଣ୍ଡୁଅ ଚର୍ମରେ ରୁଦ୍ରାକ୍ଷ ମନ୍ତ୍ରରେ ପବିତ୍ର କରାଇ ଘଣ୍ଟକୁ ଛାଉଣୀ କରାଗଲା । ଏହାପରେ ଏଇ ବାଦ୍ୟଯନ୍ତ୍ରଟି ଇନ୍ଦ୍ରପୁରୀ ଓ କୁବେରପୁରୀକୁ ଯାଇଥିବା କଥା କବି ଗଗନେଶ୍ୱର ଉଲ୍ଲେଖ କରିଛନ୍ତି ।

ଆଦିମ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ ଘୁମୁରା ଲୋକନୃତ୍ୟ ଖ୍ରୀଷ୍ଟପୂର୍ବ ୨୫୦୦୦ରୁ ୧୫୦୦୦ ମଧ୍ୟରେ ସୃଷ୍ଟି ହେବା ଅନୁମେୟ ! ପୁନଶ୍ଚ ଏଇ ଘୁମୁରା ବାଦ୍ୟ ଓ ନୃତ୍ୟ କେବଳ କଳାହାଣ୍ଡି ଓ ଆଖପାଖ ଅଞ୍ଚଳରେ ଅନୁସୃତ ହେଉଥିବା କାରଣରୁ ଏହି ଲୋକକଳାଟି କଳାହାଣ୍ଡିର ସ୍ବାତନ୍ତ୍ର୍ୟ ।

~ ଘୁମୁରାର ନାମକରଣ ~
ଅଧିକାଂଶ ଗବେଷକ ଘୁମୁ ଘୁମୁ ନାଦରୁ ଘୁମୁରାର ନାମକରଣ ହୋଇଥିବା ଯୁକ୍ତି କଲେ ମଧ୍ୟ ନୃତ୍ୟଗୁରୁ ୰ମୂର୍ତ୍ତିମନ୍ତ ସାହୁ କିନ୍ତୁ ଭିନ୍ନ ମତ ପୋଷଣ କରିଥା’ନ୍ତି, “ଘୁମୁରା ବାସ୍ତବରେ ଘୁମୁ ଘୁମୁ ଶୁଣେନା ! *** ନାଦବ୍ରହ୍ମର ସଙ୍କେତ ଡମ୍ବରୁ, ଏବଂ ଏଇ ଆଦି ବାଦ୍ୟର ପରବର୍ତ୍ତୀ ସଂସ୍କରଣ ଓ ଉନ୍ନତ ରୂପ ହିଁ ଘୁମୁରା ! ଫଳିତ ଧ୍ୱନି ଉତ୍ପନ୍ନ କରୁଥିବା ଏହାର ଉପରିଭାଗ ଡମ୍ବରୁ ସଦୃଶ । ଏହା ପରବର୍ତ୍ତୀ କାଳରେ ହୋଇପାରିଛି ଉଭୟ ଶିବ ଏବଂ ଶିବାନୀଙ୍କ ପ୍ରିୟ ବାଦ୍ୟ ! ଏଣୁ ଘୁମ୍+ ଉ +ରା ହୋଇ ଘୁମୁରା ହେବା ସ୍ବାଭାବିକ । *** ‘ଘୁମ୍’ ଶବ୍ଦ ର ଅର୍ଥ ମୃତ୍ତିକା ନିର୍ମିତ ସରୁ ମୁହଁ ଓ ବଡ଼ ପେଟ ଥିବା ମାଠିଆ ବା ଘୁମ, ‘ଉ’ ଶବ୍ଦ ର ଅର୍ଥ ଶିବ ଏବଂ ‘ରା’ ଅର୍ଥ ରାବ ବା ଧ୍ୱନି ।”

~ ଘୁମୁରାର ବିବର୍ତ୍ତନ ~
ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ସମନ୍ୱିତ ଯୁଦ୍ଧବାଦ୍ୟ ତଥା ବୀରବାଦ୍ୟ ଘୁମୁରାରେ ଏକଦା ଥିଲା ସମରମୁହାଁ ଯୋଦ୍ଧା ମାନଙ୍କୁ ଅନୁପ୍ରେରିତ ଓ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ରଣହୁଙ୍କାର ତୋଳି ଉଦଣ୍ଡ ନୃତ୍ୟ କରିବାର ପରମ୍ପରା ! ତେବେ ବ୍ରିଟିଶ ଅମଳରେ ଏହା ଗଣ୍ୟ ହେଲା ଏକମାତ୍ର ଉପଭୋଗ୍ୟ ଲୋକନୃତ୍ୟ ଭାବେ !ରାଜାମହାରାଜାଙ୍କ ପୃଷ୍ଠପୋଷକତାରେ ଚଳମାନ ଏଇ ସଂସ୍କୃତିରେ ପୁଣି ଧସେଇ ପଶିଆସିଲା ରାଜାରାଜୁଡ଼ାଙ୍କ ପ୍ରଶସ୍ତିଗାନ !ଦେବାଦେବୀଙ୍କ ପଦବନ୍ଦନା ଛଳରେ କାଳକ୍ରମେ କବିସମ୍ରାଟ, ଅଭିମନ୍ୟୁ ସାମନ୍ତସିଂହାର, କବି ଦୀନକୃଷ୍ଣ ଇତ୍ୟାଦିଙ୍କ ଜଣାଣ, ଛାନ୍ଦ, ଚମ୍ପୁ, ଚଉପଦୀ ଆଦି ଘୁମୁରା ମଧ୍ୟକୁ ପ୍ରବେଶ କରିବା ସହ ଗ୍ରାମାଞ୍ଚଳରେ ବହୁଳ ଭାବେ ଆଦୃତ ହେବାରେ ଲାଗିଲା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡକୁ ବ୍ରିଟିଶ ସରକାର ବିରୋଧରେ ଜାତୀୟତାବାଦର ସ୍ଵର ଦେଖିବାକୁ ମିଳିବାକୁ ଲାଗିଲା ଘୁମୁରାର ସଙ୍ଗୀତରେ !

ସମୟକ୍ରମେ କଳାହାଣ୍ଡିର ଏଇ ଅନନ୍ୟ ଲୋକକଳାର ଲୋକପ୍ରିୟତାରେ ବାନ୍ଧି ହୋଇଯାଇଥିଲେ ତତ୍କାଳୀନ କଟକ ଓ ପୁରୀ ଜିଲ୍ଲାର ଶବର ଆଦିବାସୀ ! ଶବରଙ୍କ ଘୁମୁରାରେ ଯୁଦ୍ଧରୂପ କିମ୍ବା ବୀରରସର ଅଭାବ ସତ୍ତ୍ୱେ ଧୀରେ ଧୀରେ ଉକ୍ତ ଅଞ୍ଚଳରେ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଲା ଘୁମୁରା !


ସମୟ ଆସିଲା, କଟକ ଓ ପୁରୀ ଜିଲ୍ଲାର ଭାଗବତଟୁଙ୍ଗୀ ପରି କଳାହାଣ୍ଡିର ପ୍ରତ୍ୟେକ ଗାଁରେ ଗଢ଼ି ଉଠିଲା ଘୁମୁରା ଦଳ, ମୁଖରିତ କରିଚାଲିଲା ପୁରପଲ୍ଲୀକୁ; ଯୁଦ୍ଧ ବାଦ୍ୟ ବୀରବାଦ୍ୟଟି ଉପଭୋଗ୍ୟ ବାଦ୍ୟରେ ବିବର୍ତ୍ତିତ ହେବା ଉତ୍ତାରୁ କଳାହାଣ୍ଡିର ବିଭିନ୍ନ ଦେବାଦେବୀ ପୀଠରେ ଘୁମୁରା ଦଳମାନେ ସମନ୍ୱିତ ହୋଇ ମହିମାବ୍ୟାପ୍ତ କରିଚାଲିଲେ ଏଇ ନୃତ୍ୟକୁ ! ପ୍ରତିଯୋଗୀତାର ମନୋବୃତ୍ତିରେ କଳାକାରମାନେ ବେଶ, ନୃତ୍ୟ ଓ ବାଦ୍ୟରେ ଆଣିପାରିଲେ ବହୁବିଧ ସଂସ୍କାର ! ଛାନ୍ଦ, ଚଉପଦୀର ଧାର ଦେଇ ବହିଚାଲିଲା ବାଦୀଗୀତ ! ଦଶହରା ସମେତ ସ୍ଥାନୀୟ ଅଣ/ଆଦିବାସୀ ପର୍ବପର୍ବାଣୀ ତଥା ଉତ୍ସବଗୁଡିକୁ ଏଇ ଗଣନୃତ୍ୟବାଦ୍ୟ କଲା ଅଧିକ ରସାଣିତ, ମନୋଜ୍ଞ ତଥା ହୃଦ୍ୟ ! ଯୁଗ ଯୁଗର ଏଇ ରସ ଓ ରଙ୍ଗମୟ ନୃତ୍ୟ-ବାଦ୍ୟ-ସଙ୍ଗୀତ ସମନ୍ୱିତ କଳା ଦେଇ ଚାଲିଲା କଳାହାଣ୍ଡି ଜିଲ୍ଲାବାସୀ ଜନତାଙ୍କ କଳାତ୍ମକ ରୁଚିବୋଧର ନିବିଡ଼ ପରିଚୟ !ତେବେ ଆଧୁନିକତାର ବିକଳ ମୋହରେ ପ୍ରତାରିତ କଟକ ଓ ପୁରୀ ଜିଲ୍ଲାର ଶବର ଆଦିବାସୀମାନେ ଏଇ ପାରମ୍ପରିକ ଲୋକକଳା ପ୍ରତି ବିମୁଖ ହୋଇପଡୁଥିଲେ ଧୀରେ ଧୀରେ ! ଅବଶ୍ୟ ଲୋକକଳାର ଗନ୍ତାଘର କୁହାଯାଉଥିବା କଟକ ଜିଲ୍ଲାର ବହୁବିଧ ଲୋକକଳା ସହିତ ପ୍ରତିଯୋଗୀତାରେ ପରାଜୟ ଲଭି ଚାଲିଥିଲା ଘୁମୁରା !

© ଅନ୍ତରଙ୍ଗ କଳିଙ୍ଗ
ତଥ୍ୟ ଆହରଣ: ‘ପ୍ରଜାତନ୍ତ୍ର’, କଟକ; ‘ସଚିତ୍ର ବିଜୟା’, ଚନ୍ଦାମାମା ପ୍ରକାଶନୀ, ଚେନ୍ନାଇ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago