| ଲେଖା: ଦେଵ ତ୍ରିପାଠୀ ୧୮୪୮ ମସିହା, ସେପ୍ଟେମ୍ବର ୨୮, ଅଣଚାଶ ଅଙ୍କ, ୧୨୫୬ ସାଲ କନ୍ୟା ୧୫ ଦିନ, ଆଶ୍ୱିନ ଶୁକ୍ଳ ଦ୍ଵିତୀୟା, ଗୁରୁବାରର ବର୍ଷଣମୁଖର ସନ୍ଧ୍ୟା । କେଦାରପୁର ଗ୍ରାମ । ଜିଲ୍ଲା ବାଲେଶ୍ବର । ଗ୍ରାମର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ସୁନ୍ଦର ନାରାୟଣ ରାୟଙ୍କ ଧର୍ମପତ୍ନୀ ତାରିଣୀ ଦେବୀଙ୍କ ଗର୍ଭରୁ ଜନ୍ମ ନିଏ ଅଢ଼େଇ ପାଉଣ୍ଡରୁ କମ୍ ଓଜନର ଦୁର୍ବଳ ଶିଶୁପୁତ୍ର ! ଧାଈ ସମେତ ପରିବାରବର୍ଗ ଆଶଙ୍କିତ ଥିଲେ ଶିଶୁଟିର ଦୁର୍ବଳ ସ୍ଵାସ୍ଥ୍ୟକୁ ନେଇ ! ସେଦିନର ସେ ଅପାଠୋଇ ଧାଈ ଅବା ଶିକ୍ଷିତ ରାୟ ପରିବାରର କେହି କ’ଣ କଳ୍ପନା କରିପାରିଥିଲେ ସେଇ ଦୁର୍ବଳିଆ ଛୁଆଟି ଯେ ଦିନେ ଓଡ଼ିଆ ଭାଷା ସାହିତ୍ୟକୁ ଅପୂର୍ବ ସୁନ୍ଦରୀ ସ୍ବାସ୍ଥ୍ୟବତୀ କରାଇ ନିଜେ ଓଡ଼ିଶା ମାଟିର କବିସମ୍ରାଟ ବନିଯିବ ବୋଲି ! ! ହଁ, ନିଶ୍ଚିତ ଭାବେ ସେ କବିସମ୍ରାଟ ଥିଲେ, କବିକୂଳକଞ୍ଜ ଉପେନ୍ଦ୍ରଙ୍କ ଯୁଗର ପ୍ରାୟ ଦେଢ଼ ଶତାବ୍ଦୀ ପରେ ଏ ମାଟିରେ ଜନ୍ମିଥିଲେ ସେଇ କାବ୍ୟ ଜଗତର ମଉଡ଼ମଣି ! ପରମ୍ପରା ଭିତରେ ବ୍ୟତିକ୍ରମର ଅବତାରଣା କରି ସେ ଆଣିଥିଲେ ବୈପ୍ଳବିକ ପରିବର୍ତ୍ତନ ! ଚିରାଚରିତ ଧାରାର ବିପରୀତ ଦିଗର କଣ୍ଟକିତ ପଥକୁ ସେ ଆବୋରି ନେଇଥିଲେ ଜଣେ ଉଚ୍ଚମନା ସମ୍ରାଟ ପରି ! ସବୁ ନିନ୍ଦାପ୍ରଶଂସାକୁ ତୁଚ୍ଛ କରି ! ବିପଦମୁଖୀ ଓଡ଼ିଆ ଭାଷାକୁ ସୁରକ୍ଷା ଦେବାରେ ସେ କରିଥିଲେ ଆପ୍ରାଣ ମସିଯୁଦ୍ଧ ! ରଚିଥିଲେ ଭାରତଗୀତିକା ! ଅସୁମାରୀ କାଳଜୟୀ ମହାକାବ୍ୟମାନ ! ତେବେ ସେଇ କବିକୂଳ ଚୂଡ଼ାମଣି ଆଧୁନିକ ଓଡ଼ିଆ ସାହିତ୍ୟର କବିସମ୍ରାଟ ରାଧାନାଥ ରାୟଙ୍କୁ ଓଡ଼ିଆ ସାହିତ୍ୟ ପ୍ରେମୀ ଓ ସରକାର କେତେ ସମ୍ମାନ ଦିଅନ୍ତି, ତାଙ୍କ ସ୍ମୃତିରକ୍ଷା ପାଇଁ କେତେ ବ୍ୟାକୁଳ ହୁଅନ୍ତି, ସେ କଥା କବିଙ୍କ ଜନ୍ମପୀଠ କେଦାରପୁରରେ ହିଁ ଜଣାପଡ଼େ ! ତାଙ୍କ ଭଳି ଜଣେ ଯୋଗଜନ୍ମାଙ୍କ ଜନ୍ମ, ଶୈଶବ ଓ ଯୌବନ ସମୟର ସାଥୀସନ୍ତକ ସବୁ ଭାଙ୍ଗିରୁଜି ହଜିଯାଇଥିବା ବେଳେ ଏକମାତ୍ର ଦୁଇମହଲାର କବିସମ୍ରାଟଙ୍କ ଷଠିଘର କେବେଠୁ ମାଟିରେ ମିଶିସାରିଛି !କବିଙ୍କ ଜନ୍ମଜୟନ୍ତୀ ଅବସରରେ ସରକାରୀ ବାବୁ, ରାଜନେତା, ମନ୍ତ୍ରୀ, ବିଧାୟକ ସଭିଏଁ ଧାଇଁ ଆସନ୍ତି, କୁମ୍ଭୀର ଲୁହର ଗଙ୍ଗା ବୁହାଇ ଫେରିଯା’ନ୍ତି ସିନା, କବିସମ୍ରାଟଙ୍କ ଷଠିଘରଟି କିନ୍ତୁ ସେମିତି ସାପବେଙ୍ଗ, ଅସାମାଜିକଙ୍କ ଭୂଇଁ ହୋଇ ପଡ଼ିରହେ ! ଜନ୍ମମାଟି କେଦାରପୁରରେ ‘ସମାଜ’ କର୍ତ୍ତୃପକ୍ଷଙ୍କ ଦ୍ଵାରା ୨୦୦୪ ମସିହାରେ କବିଙ୍କ ମୂର୍ତ୍ତିଟିଏ ସ୍ଥାପିତ ହୋଇଛି ସତ, କିନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ଵର୍ଗ ରୂପେ ପରିଚିତ ବ୍ୟାସଭୂମି ବାଲେଶ୍ଵର ମାଟିରେ କବିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିଟିଏ ଏବେ ମଧ୍ୟ ଦିବାସ୍ବପ୍ନ ! କହିବା ବାହୁଲ୍ୟ, ସୋରସ୍ଥିତ ରାଧାନାଥ ପାଠାଗାର କବିଙ୍କ ସ୍ମୃତି ଚାରଣ ନିଷ୍ଠାର ସହ କରିଆସୁଥିଲେ ମଧ୍ୟ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ସେପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଖବର ନାହିଁ ।କବିସମ୍ରାଟଙ୍କ ଷଠିଘର ପରି କଟକ ସତୀଚଉରାରେ କବିଙ୍କ ସମାଧୀପୀଠ ମଧ୍ୟ ଅବହେଳିତ ଅବସ୍ଥାରେ ! ରାଜ୍ୟ ରାଜଧାନୀରେ ପୁଞ୍ଜିପତିଙ୍କ ଦୟାରେ ଦାମୀ ହୋଟେଲରେ ସାହିତ୍ୟ ସଭାମାନ ହୁଏ ସିନା, ଓଡ଼ିଆ ଭାଷା ପାଇଁ ଲଢ଼ିଥିବା ସମ୍ରାଟଙ୍କୁ ସମ୍ମାନ ଦେବା ପାଇଁ କେଉଁ ଆଧୁନିକ କବି ସାହିତ୍ୟିକ କେବେ ବିବେକର ଦଂଶନ ଲଭନ୍ତି ନାହିଁ !ଧନ୍ୟ ଆମର ପୂଜ୍ୟପୂଜା ! ଶତଧିକ ଆମକୁ ! ! | |
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…