ଲେଖା: ଦେଵ ତ୍ରିପାଠୀ
“ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ,
ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।”
ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ ! ସାଙ୍ଗରେ ଥିଲା ସମ୍ପତ୍ତି ବୋଇଲେ ହାତଲେଖା କେତୋଟି ଗୀତଖାତା ! ଓଡ଼ିଆ ଚଳଚ୍ଚିତ୍ରରେ ସେ ଗୀତ ଲେଖିବ, ପାଠ ବି ପଡ଼ିବ !
ଗୀତଖାତାଟି ଧରି ସେ କେତେ ଦଉଡିଛି ନିର୍ଦ୍ଦେଶକ ପ୍ରଯୋଜକଙ୍କ ପାଖକୁ, ଆକାଶବାଣୀକୁ । ଗୀତିକାର ବନିବାର ନିଶା ଭିତରେ ରେଭେନ୍ସାର ପଢ଼ିବାର ସୁଯୋଗଟି ମଧ୍ୟ ହେଲା ହାତଛଡ଼ା ! ଦିନେ ବିଧି ସାହା ହେଲା, ଡକରା ଆସିଲା ଆକାଶବାଣୀରୁ ! ବୈଷ୍ଣବ ଘରର ଶ୍ୟାମଳ ବର୍ଣ୍ଣର ପତଳା ଯୁବକଟି ଗୀତ ଲେଖିଲା, ଗାଇଲା, ସନ୍ଧ୍ୟାରେ ବକ୍ସିବଜାରର କ୍ଲବ୍ ଘରେ ସାହିପିଲାଙ୍କୁ ନେଇ ନାଟକ ଅଭିନୟ କଲା । ପାଠ ବି ପଢିଲା ଖ୍ରୀଷ୍ଟ ମହାବିଦ୍ୟାଳୟରେ !
ତା’ ଗୀତରେ କି ଚମକ ଥିଲା କେଜାଣି ! ସେ ଗୀତରେ ସେ ପାଇଗଲା ନିଜର ଏକ ପରିଚୟ ! ତା’ ପରିଚୟର ପରିସର ହେଲା ବ୍ୟାପକ ! ବର୍ଷକ ଭିତରେ ସେ ବନିଗଲା ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ! ଖ୍ରୀଷ୍ଟ ମହାବିଦ୍ୟାଳୟଠାରୁ କଟକର ସଙ୍ଗୀତ ଦୁନିଆଁ ପର୍ଯ୍ୟନ୍ତ ସେ ବନିଗଲା ଆଦରର କଟକୀ ବୁନୁଦା !
ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥିତଯଶା ନିର୍ଦ୍ଦେଶକ ନିତାଇ ପାଲିତ ବ୍ୟସ୍ତ ଥିଲେ ‘ମା’ ଫିଲ୍ମର ପ୍ରାକପ୍ରସ୍ତୁତିରେ ! ସଙ୍ଗରେ ଥିଲେ ଦିଗ୍ଗଜ ସଙ୍ଗୀତ ନିର୍ଦ୍ଦେଶକ ଭୁବନେଶ୍ୱର ମିଶ୍ର ! ହେଲେ ଗୀତ ଲେଖିବ କିଏ ?
କବିଚନ୍ଦ୍ର କାଳୀଚରଣ ଅବା ପର୍ଶୁରାମ ପଟ୍ଟନାୟକଙ୍କ ପରି ପ୍ରଭାବୀ ଗୀତିକାର ଥାଉ ଥାଉ ନିତାଇ ଆଜ୍ଞା ଚାହୁଁଥିଲେ ନୂଆ ମୁହଁ ! ପ୍ରତିଭାକୁ ଚିହ୍ନିବା ଆଉ ସୁଯୋଗ ଦେବାରେ ସର୍ବାଗ୍ରେ ଆସେ ନିତାଇଙ୍କ ନାମ ! ଡକାଇପଠାଇଲେ କଟକୀ ବୁନୁଦା ସମେତ ତିନିଜଣ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ଗୀତିକାରଙ୍କୁ !
ଜୀବନର ପ୍ରଥମ ଚଳଚ୍ଚିତ୍ର ଗୀତକୁ ମରମଛୁଆଁ କରିବାକୁ ଯାଇ ବୁନୁଦା ଲେଖିଲେ ପଦିଏ:
“ମୁଁ ଯେ ଭାସେ ସପନେ
ଭରା ତାରା ଗଗନେ,
ପ୍ରଣୟର ରଙ୍ଗେ
ତୁମ ଗୀତି ଛନ୍ଦେ ଲେଖେ
ମୁଁ ଗୋପନେ ତୁମ ଛବି ମରମେ . . !”
ଚଳଚ୍ଚିତ୍ରର ନାୟିକାଙ୍କ ପାଇଁ କଣ୍ଠଦାନ କରିଥିଲେ ଗାୟିକା ଇଲା ଚକ୍ରବର୍ତ୍ତୀ । ଆଉ ଏକ ଗୀତ “ଵେଦନା ସାଗରତୀରେ ଉଦାସୀ ମୁଁ ବଇଁଶୀସୁର . . “କୁ ଗାଇଲେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ! ଅନ୍ୟ ଏକ ଗୀତ “ଅଗଣା ତୋ’ ଡାକୁଛି ମତେ . . “ରେ କଣ୍ଠଦାନ କଲେ ଖୋକାଭାଇ ‌। ବୁନୁଦାଙ୍କ ପରି ଏ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନରସିଂହ ମହାପାତ୍ର ! ବାସ୍ ! ଏ ଚାରିଜଣ ପଛକୁ ଆଉ ଫେରି ଚାହିଁ ନାହାଁନ୍ତି, ବରଂ ଅଭିଆଡ଼ା ବୁନୁଦାଙ୍କ ଭଡ଼ାଘର ଗୀତ ଆଉ ସୁରର ଗମାତରେ ଉଠିଲା ପଡ଼ିଲା !
ଯେତିକି ଲେଖୁଥିଲେ ବୁନୁଦା, ସେତିକି ସୁର କରୁଥିଲେ । ବଜ୍ରକବାଟି, ଝାଞ୍ଜିରୀମଙ୍ଗଳା ସାକ୍ଷୀ ଅଛି, କେତେ ବିନୀଦ୍ର ରଜନୀ ବିତିଯାଉଥିଲା ଯେବେ ଏଇ ଯୋଗଜନ୍ମା ଗୀତିକାରଙ୍କ କଲମମୁନକୁ ଅନାଇ ବସୁଥିଲେ ପ୍ରଣବ ପଟ୍ଟନାୟକ, ଖୋକାଭାଇ, ଶିବବ୍ରତ ଦାସ, ଭୁବନେଶ୍ୱର ମିଶ୍ର, ଶାନ୍ତନୁ ମହାପାତ୍ର, ଦେବଦାସ ଛୋଟରାୟ ପ୍ରମୁଖ !
ଯାଦୁଥିଲା ବୁନୁଦାଙ୍କ ଲେଖାରେ ! ହାତରେ ତାଙ୍କର କଲମ ତ ନ ଥିଲା, ଥିଲା ଯେମିତି କୁହୁକବଂଶୀ । ଗୀତ ତାଙ୍କର ଶ୍ରୋତାଙ୍କୁ ପାଗଳ କଲା, ବୁନୁଦାଙ୍କ ପରିଚୟର ପରିସୀମା ହେଲା ଆଉରି ବ୍ୟାପକ ! ସୃଷ୍ଟି ହେଲେ ଅଗଣିତ ପ୍ରଶଂସକ, ଶ୍ରୋତା ! ଓଡ଼ିଶାର ଅଗଣିତ ସଙ୍ଗୀତପ୍ରେମୀଙ୍କ ମାନସପଟରେ ଆଉ କୁଆଁରୀ ଝିଅମାନଙ୍କ ହୃଦୟରେ ବୁନୁଦା ଅକ୍ତିଆର କରିନେଲେ ଏକ ନିଆରା ସ୍ଥାନ !
ପରଦା ପଛରେ ଥାଇ ମଧ୍ୟ ଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ଅଜିତ ଦାସଙ୍କ ସମୟରେ ଅସଲି ‘ହୀରୋ’ ବନିଯାଇଥିବା କଟକୀ ବୁନୁଦା ଓରଫ୍ ଗୁରୁକୃଷ୍ଣ ଗୋସ୍ଵାମୀ ମହୋଦୟଙ୍କ ପ୍ରତିଭାର ନାଗରା ମଧ୍ୟ ଦିନେ ବାଜି ଉଠିଲା ସୁଦୂର ବମ୍ବେର ଫିଲ୍ମ ଦୁନିଆଁରେ !
ହିନ୍ଦୀ ଚଳଚ୍ଚିତ୍ର ଦୁନିଆଁର ମହମ୍ମଦ ରଫି, ଲତା ମଙ୍ଗେସକର, ମାନ୍ନା ଦେ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଏସ୍ ଜାନକୀ, ବାଣୀ ଜୟରାମ ତଥା ଆମ ରାଇଜର ସଙ୍ଗୀତସୁଧାକର ବାଳକୃଷ୍ଣ ଦାଶଙ୍କ ପରି କଣ୍ଠଶିଳ୍ପୀଙ୍କ ଦାବି ରହୁଥିଲା ଗୁରୁକୃଷ୍ଣଙ୍କ ଗୀତରେ କଣ୍ଠଦାନ କରିବା ପାଇଁ !
ଗୁରୁକୃଷ୍ଣଙ୍କର ୨୦୦୦ରୁ ଅଧିକ ସୃଷ୍ଟି ଭିତରେ ଅଛନ୍ତି “ତୁମକୁ ପାରୁନି ତ ଭୁଲି”(ଗାଇଛନ୍ତି ମହମ୍ମଦ ରଫି), “ସେଇ ଚୁନା ଚୁନା ତାରା ଫୁଲେ ଆଜି” (ଲତା ମଙ୍ଗେସକର), “ଫୁଲେଇ ରାଣୀ ସଜଫୁଲ ଗୁଲୁଗୁଲିଆ” (ଅକ୍ଷୟ ମହାନ୍ତି), “ମନ ଦୋଳି ଉଡ଼ି ଯାଇ, ମେଘ ଛୁଇଁ ଫେରିଆ” (ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ), “ମାୟାଘେରା ମଧୁବନେ, ପ୍ରୀତିଝରା ଶିହରଣେ”, “ଏ ବନର ଛାଇ” ପରି ଅଜସ୍ର ଗୀତ !
ଖୋକାଭାଇଙ୍କ ପରି ସବୁପ୍ରକାର ଭାବଧାରାର ଗୀତକୁ ମନଛୁଆଁ ଶବ୍ଦବିନ୍ୟାସରେ ସଜାଇ ପାରୁଥିବା ସିଦ୍ଧହସ୍ତ ଗୀତିକାର ଥିଲେ ଗୁରୁକୃଷ୍ଣ ଗୋସ୍ଵାମୀ ! ଗୁରୁକୃଷ୍ଣଙ୍କ ଝାଞ୍ଜିରିମଙ୍ଗଳା ବାସଗୃହଟି ଯେ କେବଳ ପ୍ରଣବ, ଅକ୍ଷୟ ଅବା ବାଳକୃଷ୍ଣଙ୍କ ସୁରର ଝଙ୍କାରରେ ଝଙ୍କୃତ ହେଉ ନଥିଲା, ବରଂ ତାନସେନ୍ ସିଂ, ଶେଖର ଘୋଷ, ସ୍ବରୂପା ଚକ୍ରବର୍ତ୍ତୀ, ଗାୟତ୍ରୀ ବୋଷ ଇତ୍ୟାଦିଙ୍କ ପରି ପରପିଢିର କଣ୍ଠଶିଳ୍ପୀଙ୍କ ରିଆଜରେ ମଧ୍ୟ ପୁରି ଉଠୁଥିଲା ! ସୂଚନାଯୋଗ୍ୟ ଯେ ଗୁରୁକୃଷ୍ଣଙ୍କ ଧର୍ମପତ୍ନୀ ଆରତୀ ଗୋସ୍ୱାମୀ ମଧ୍ୟ ଥିଲେ ଜଣେ ଆଗଧାଡିର କଣ୍ଠଶିଳ୍ପୀ !
୨୦୧୮ ମସିହା ମଇ ୬ ତାରିଖରେ ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ଦୁଃଖର ଛାୟା ଖେଳାଇ ପରଲୋକ ଗମନ କରିଥିଲେ ଗୁରୁକୃଷ୍ଣ ଗୋସ୍ଵାମୀ ! ଛାଡ଼ିଗଲେ ଅସୁମାରୀ ନାମୀଦାମୀ ଅକ୍ଷୟ ସୃଷ୍ଟିମାନ ଓଡ଼ିଆ ସଙ୍ଗୀତର ଧ୍ୱନିମୟ ଜଗତରେ !
ତଥ୍ୟ ସୈାଜନ୍ୟ: ‘ସମାଜ’, ‘ନିତିଦିନ’, ‘ଧରିତ୍ରୀ’, ‘ସମ୍ବାଦ’
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago