ମହାମନିଷୀଗଣ

ଗୀତଗୋବିନ୍ଦ ପାଣିଗ୍ରାହୀ (Raghunath Panigrahi)

ଲେଖା: ଦେଵ ତ୍ରିପାଠୀ
ସେ ଥିଲେ ସୁରର ସମ୍ରାଟ, ତାଙ୍କ ସୁରରେ ଥିଲା ଅପୂର୍ବ ଶିହରଣ, ଶ୍ରୋତାର ମନରେ ଆଣୁଥିଲା ପୁଲକ, ସେ ଗଢିଥିଲେ ସୁରର କୋଣାର୍କ, ସେ ଥିଲେ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମଉଡ଼ମଣି, ସେ ଥିଲେ ସୁରମଣି ପଦ୍ମଶ୍ରୀ ପଣ୍ଡିତ ଡଃ ରଘୁନାଥ ପାଣିଗ୍ରାହୀ I
ସେ ହିଁ ପ୍ରଚାର ଓ ପ୍ରସାର କରିଥିଲେ, ଜଗନ୍ନାଥ ସଂସ୍କୃତି ସହିତ ଜୟଦେବଙ୍କ ଗୀତଗୋବିନ୍ଦକୁ I କଟକରୁ କାନାଡ଼ା, ମୁମ୍ବଇରୁ ବର୍ଲିନ୍ ସର୍ବତ୍ର ସେ ହିଁ ଲେଖିଥିଲେ ଗୀତଗୋବିନ୍ଦର ସ୍ୱର୍ଣ୍ଣିମ ସ୍ୱାକ୍ଷର I ତାଙ୍କର ଗୀତଗୋବିନ୍ଦ ଗାୟନର ଅନନ୍ୟ ଶୈଳୀ ପାଇଁ ସେ ଦକ୍ଷିଣ ଭାରତରେ “ଗୀତଗୋବିନ୍ଦ ପାଣିଗ୍ରାହୀ” ଭାବରେ ହୋଇଥିଲେ ପରିଚିତ I
ଏକାଧାରରେ ଓଡ଼ିଶୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ଯଥେଷ୍ଟ ଖ୍ୟାତି ଅର୍ଜନ କରିବାରେ ସେ ଥିଲେ ସମ୍ଭବତଃ ଏକମାତ୍ର ଓଡ଼ିଆ । ଅସଂଖ୍ୟ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ ଓ ଗଜଲ ଗାଇ ସେ ଓଡ଼ିଆ ସଂଗୀତକୁ କରିଥିଲେ ପରିପୁଷ୍ଟ I
ଓଡ଼ିଆ, ତେଲୁଗୁ, ତାମିଲ, କନ୍ନଡ଼ ଇତ୍ୟାଦି ଭାଷାର ଅନେକ ଚଳଚ୍ଚିତ୍ରରେ ସେ କଣ୍ଠଦାନ ଓ ସଂଗୀତ ନିର୍ଦ୍ଦେଶନା ଦେଇ ତିଆରିଛନ୍ତି କେତେ କେତେ କାଳଜୟା ସଂଗୀତ I ଗୁଣଗ୍ରାହୀ ଶ୍ରୋତାଙ୍କୁ ଭାବାପ୍ଲୁତ କରୁଥିବା ସିନ୍ଦରବିନ୍ଦୁ ଚଳଚ୍ଚିତ୍ରରେ “ନ ଯା ରାଧିକା ଏକା ଏକା . . . “ ଗୀତ ଗାଇ ରଘୁନାଥ ଅର୍ଜିଥିଲେ ପ୍ରଚୁର ଖ୍ୟାତି I ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଜୟାଭେରୀ, ଲାଇଭେଲପ୍ପୁ ଆଦିରେ କଣ୍ଠଦାନ ଓ ସ୍ୱର ସଂଯୋଜନା କରି ସେଠାକାର ଶ୍ରୋତାମହଲରେ ସ୍ୱତନ୍ତ୍ର ପରିଚୟ ଗଠନ କରିପାରିଥିଲେ I
ଓଡ଼ିଆ, ସଂସ୍କୃତ, ହିନ୍ଦୀ ବ୍ୟତୀତ ଅନ୍ୟ ୯ଟି ଭାଷାରେ ସଂଗୀତ ଗାନ କରି ସାଉଁଟି ପାରିଥିଲେ କୋଟି କୋଟି ପ୍ରଶଂସକ, ଓଡ଼ିଶାକୁ କରିଥିଲେ ଗୌରବାନ୍ୱିତ I ମୁମ୍ବଇ ସୁର୍ ସିଙ୍ଗାର ସଂସଦ ଅନୁଷ୍ଠାନରୁ “ସୁରମଣି“ର ଆଖ୍ୟା ପାଇଥିବା ରଘୁନାଥ ଦେଶବିଦେଶରୁ ଅସଂଖ୍ୟ ପୁରସ୍କାର ଓ ସମ୍ମାନ ପାଇଛନ୍ତି I ପ୍ରଥମ ଓଡ଼ିଆ ଭାବରେ ଆନ୍ତର୍ଜାତୀୟ ଗ୍ରାଁପ୍ରି ପୁରସ୍କାର ପ୍ରାପ୍ତି ହୋଇ ଓଡ଼ିଆ ଜାତିର ଟେକ ରଖିଛନ୍ତି I ରେଭେନ୍ସା, ଉତ୍କଳ ଓ ବ୍ରହ୍ମପୁର ତିନି ତିନିଟି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂତକ ଡି.ଲିଟ୍ ପାଇବାରେ ସେ ଜଣେ ବିରଳ ଓଡ଼ିଆ I
ସେ ମଧ୍ୟ ଆଣିଥିଲେ ଓଡ଼ିଶୀନୃତ୍ୟରେ ଅଭିନବତ୍ୱ I ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ଧର୍ମପତ୍ନୀ ତଥା କାଳଜୟୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗାହୀ। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ ଓଡ଼ିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ । ସଂଯୁକ୍ତାଙ୍କ ସହିତ ମିଶି ରଘୁନାଥ ଓଡ଼ିଶୀ ନୃତ୍ୟର ଅନେକ ବ୍ୟବହୃତ ପଲ୍ଲବୀ, ଅଭିନୟ ଓ ନୃତ୍ୟନାଟିକା ଭଳି ବିଭିନ୍ନ ବିଭବର ସଙ୍ଗୀତ ସଂଯୋଜନା କରିଥିଲେ ଯାହା ଏବେ ବି ମଞ୍ଚସ୍ଥ ହେଉଛି । ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ଵର ବିଭବ ପୃଥିବୀବ୍ୟାପୀ ନୃତ୍ୟାଙ୍ଗନାଙ୍କଦ୍ଵାରା ପରିବେଷିତ ହେଉଛି, ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏତଦବ୍ୟତୀତ ଅଭିନୟ, ବର୍ଷା ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତର ସେ ପ୍ରସ୍ତୁତକର୍ତ୍ତା।
ରଘୁନାଥଙ୍କ ଜୀବନ ଥିଲା ଛନ୍ଦମୟ, ସୁରମୟ, ସେ ଥିଲେ ଯଥାର୍ଥରେ ସୁରପାଗଳ ମଣିଷ, ସେ ଥିଲେ ଗୁରୁମାନଙ୍କର ଗୁରୁ, ମହାନ କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଏମ୍. ବାଳମୁରଲୀକ୍ରାଷ୍ଣାଙ୍କ ସମେତ ଦେଶର ବହୁ ପ୍ରଥିତଯଶା କଳାକାର ଶିଳ୍ପୀ ଯାହାଙ୍କ ସାନ୍ନିଧ୍ୟ ଟିକିଏ ପାଇଁ ପାଗଳ ହେଉଥିଲେ, ସେଇ ମହାଶିଳ୍ପୀ ୧୯୩୨ ମସିହା ଅଗଷ୍ଟ ୧୦ ତାରିଖରେ ଭୂମିଷ୍ଠ ହୋଇଥିଲେ ଏବଂ ୨୦୧୩ ମସିହା ଅଗଷ୍ଟ ୨୫ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago