ମହାମନିଷୀଗଣ

ଜନମାନସର କବି ଆଶୁକବି ବିଦଗ୍ଧକବି ଗଣକବି ବୈଷ୍ଣବ ପାଣି

ଲେଖା: ଦେଵ ତ୍ରିପାଠୀ
“ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ”
ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା; ସମାଜରେ ନିଷ୍ପେସିତ ଗରିବ ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ଉପସ୍ଥାପନା ଦ୍ଵାରା ତତ୍କାଳୀନ ଓଡ଼ିଶାରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ସହିତ ଓଡ଼ିଆ ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛନ୍ତି ସେ ହେଉଛନ୍ତି ‘ଜନମାନସର କବି’, ‘ଆଶୁକବି’, ‘ବିଦଗ୍ଧକବି’, ‘ଗଣକବି’ ବୈଷ୍ଣବ ପାଣି
ବହୁମୁଖୀ ପ୍ରତିଭାର ଅଧିକାରୀ ବୈଷ୍ଣବ ପାଣି ପାଲାଗାୟକ ଭାବରେ ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ, ଦାଣ୍ଡି ରାମାୟଣବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତଗୁଡ଼ିକ ପାଇଁ ସେ ଗଣକବି ଭାବରେ ଜଣାଶୁଣା । ଏଥିରେ ଗଣଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।
‘ଶକୁନ୍ତଳା’ ଓ ‘ଛାନ୍ଦ କିଶୋରୀ ବିଳାପ’ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ ।
ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ଓ ସ୍ଵଭାବକବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ‘ଛାନ୍ଦ କିଶୋରୀ ବିଳାପ’ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ଵରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।
ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ଵତଃସ୍ପ୍ବର୍ତ୍ତ ତାଙ୍କର କବିତ୍ଵ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍‌ ହୃଦ୍ୟଗ୍ରାହୀ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍‌ ବ୍ୟତୀତ ତାଙ୍କର ‘ସାରଳା ଦେବୀ ଜଣାଣ’, ‘ଚଉତିଶା’, ‘ଓଲଟ ଚଉତିଶା’, ‘ରାଧାକୃଷ୍ଣ ଚଉତିଶା’, ‘ମଙ୍ଗଳା ଚଉତିଶା’ ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତିକବିତା ।
ଗଣକବି ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତିକବିତା ମଧ୍ୟରେ ‘ଉତ୍କଳମଣି ଗୋପବନ୍ଧୁ ଶୋକ’, ‘ପଞ୍ଜାବ କେଶରୀ ବିୟୋଗ’ ଅନ୍ୟତମ । ‘ସ୍ଵରାଜ୍ୟ ପ୍ରଶଂସା’, ‘ସତ୍ୟାଗ୍ରହୀ’, ‘ଜାତୀୟ ଗୀତିକା’, ବାପୁଜୀ ଓ ଉତ୍କଳକୁ ନେଇ ସେ ବହୁ ଜାତୀୟବାଦୀ ଗୀତିକବିତା ରଚନା କରିଛନ୍ତି ।
ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ‘ଭି.ପି. ବର‘ ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ଵକୀୟତା ପ୍ରତିପାଦନ କରେ । ତାଙ୍କର ‘ସଚିତ୍ର ସ୍ଵାମୀସ୍ତ୍ରୀ‘ ଓ ‘ଉତ୍କଳ ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ମର୍ମସ୍ପର୍ଶୀ ।
କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ଆଜିର ବୈଶାଖ ଅମାବାସ୍ୟା ତିଥିରେ ମହାପ୍ରୟାଣ ଲଭିଥିବା ଏହି ମହାନ ମାନବବାଦୀ ସ୍ରଷ୍ଟାଙ୍କ ଚରଣରେ ଅନ୍ତରଙ୍ଗ କଳିଙ୍ଗ ଭକ୍ତିପୂତ ନମନ ।
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

7 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago