ମହାମନିଷୀଗଣ

ଜନମାନସର କବି ଆଶୁକବି ବିଦଗ୍ଧକବି ଗଣକବି ବୈଷ୍ଣବ ପାଣି

ଲେଖା: ଦେଵ ତ୍ରିପାଠୀ
“ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ”
ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା; ସମାଜରେ ନିଷ୍ପେସିତ ଗରିବ ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ଉପସ୍ଥାପନା ଦ୍ଵାରା ତତ୍କାଳୀନ ଓଡ଼ିଶାରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ସହିତ ଓଡ଼ିଆ ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛନ୍ତି ସେ ହେଉଛନ୍ତି ‘ଜନମାନସର କବି’, ‘ଆଶୁକବି’, ‘ବିଦଗ୍ଧକବି’, ‘ଗଣକବି’ ବୈଷ୍ଣବ ପାଣି
ବହୁମୁଖୀ ପ୍ରତିଭାର ଅଧିକାରୀ ବୈଷ୍ଣବ ପାଣି ପାଲାଗାୟକ ଭାବରେ ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ, ଦାଣ୍ଡି ରାମାୟଣବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତଗୁଡ଼ିକ ପାଇଁ ସେ ଗଣକବି ଭାବରେ ଜଣାଶୁଣା । ଏଥିରେ ଗଣଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।
‘ଶକୁନ୍ତଳା’ ଓ ‘ଛାନ୍ଦ କିଶୋରୀ ବିଳାପ’ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ ।
ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ଓ ସ୍ଵଭାବକବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ‘ଛାନ୍ଦ କିଶୋରୀ ବିଳାପ’ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ଵରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।
ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ଵତଃସ୍ପ୍ବର୍ତ୍ତ ତାଙ୍କର କବିତ୍ଵ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍‌ ହୃଦ୍ୟଗ୍ରାହୀ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍‌ ବ୍ୟତୀତ ତାଙ୍କର ‘ସାରଳା ଦେବୀ ଜଣାଣ’, ‘ଚଉତିଶା’, ‘ଓଲଟ ଚଉତିଶା’, ‘ରାଧାକୃଷ୍ଣ ଚଉତିଶା’, ‘ମଙ୍ଗଳା ଚଉତିଶା’ ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତିକବିତା ।
ଗଣକବି ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତିକବିତା ମଧ୍ୟରେ ‘ଉତ୍କଳମଣି ଗୋପବନ୍ଧୁ ଶୋକ’, ‘ପଞ୍ଜାବ କେଶରୀ ବିୟୋଗ’ ଅନ୍ୟତମ । ‘ସ୍ଵରାଜ୍ୟ ପ୍ରଶଂସା’, ‘ସତ୍ୟାଗ୍ରହୀ’, ‘ଜାତୀୟ ଗୀତିକା’, ବାପୁଜୀ ଓ ଉତ୍କଳକୁ ନେଇ ସେ ବହୁ ଜାତୀୟବାଦୀ ଗୀତିକବିତା ରଚନା କରିଛନ୍ତି ।
ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ‘ଭି.ପି. ବର‘ ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ଵକୀୟତା ପ୍ରତିପାଦନ କରେ । ତାଙ୍କର ‘ସଚିତ୍ର ସ୍ଵାମୀସ୍ତ୍ରୀ‘ ଓ ‘ଉତ୍କଳ ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ମର୍ମସ୍ପର୍ଶୀ ।
କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ଆଜିର ବୈଶାଖ ଅମାବାସ୍ୟା ତିଥିରେ ମହାପ୍ରୟାଣ ଲଭିଥିବା ଏହି ମହାନ ମାନବବାଦୀ ସ୍ରଷ୍ଟାଙ୍କ ଚରଣରେ ଅନ୍ତରଙ୍ଗ କଳିଙ୍ଗ ଭକ୍ତିପୂତ ନମନ ।
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

5 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago