ଲେଖା: ଫ୍ରାନସିସ ଶତପଥୀ

~ ଖୋକାଭାଇ ~
ଭବିଷ୍ୟତରେ ଯଦି ନିରୁତା କଟିକିଆଙ୍କୁ ନେଇ ସଂକଳନଟିଏ ହୁଏ, କିମ୍ବା ନବାଙ୍କୁରିତ କଟକର ଇତିହାସ କେବେ ଲେଖାଯାଏ ତେବେ ଖୋକାଭାଇଙ୍କ ନାଁ ତ ପ୍ରଥମେ ରହିବ ହିଁ ରହିବ।
ସଙ୍ଗୀତର ମୁର୍ଚ୍ଛନା ଠାରୁ ଆରମ୍ଭ କରି ସାହିତ୍ୟର ସର୍ଜନା ସବୁଠିଁ ନିଜର ଯାଦୁକରୀ ଦେଖାଇଛନ୍ତି ତଥା ନିଜର ପାରଦର୍ଶିତାକୁ ପ୍ରମାଣ କରିଛନ୍ତି ଖୋକାଭାଇ। ତାଙ୍କର ଅଦ୍ଵିତୀୟ କଳାକୌଶଳରେ ଓଡ଼ିଆ ସଙ୍ଗୀତରେ ଆସିଥିଲା ଅନେକ ପରିବର୍ତ୍ତନ। ଶବ୍ଦ, ତାଳ, ଲୟ ସହ ସେ ଯୋଡ଼ିଥିଲେ ସଙ୍ଗୀତରେ ସ୍ୱରତନ୍ତ୍ରର ସ୍ୱତନ୍ତ୍ର କମ୍ପନ। କୌଣସି ଯନ୍ତ୍ରର ସାହାଯ୍ୟ ନନେଇ ଶ୍ରୋତାଙ୍କୁ ଚକମା ଦେଇ ଶୁଣେଇଥିଲେ ସାଙ୍ଗିତିକ ଇକୋ-ଇଫେକ୍ଟ। ତତ୍କାଳୀନ ଓଡ଼ିଆ ସଙ୍ଗୀତରେ ତାଙ୍କର ଦଖଲ, କୌଣସି ବିପ୍ଳବ ଠାରୁ କମ୍ ନୁହେଁ।
ଆଜି ଓଡ଼ିଆ ସଙ୍ଗୀତ ଦିଗହରା। ଓଡ଼ିଆ ଚଳଚିତ୍ର ଜଗତ ରସାତଳଗାମୀ। ଯାନ୍ତ୍ରିକ ପ୍ରାଚୁର୍ଯ୍ୟ ସତ୍ତ୍ୱେ ଶ୍ରୋତା, ଦର୍ଶକଙ୍କ ଅଭାବ। କାରଣ କହିବା ଅନାବଶ୍ୟକ। ଗୋଟିଏ ବାକ୍ୟରେ କହିଲେ, ଅକ୍ଷୟ ବିହୀନ ସଙ୍ଗୀତ ଶିଳ୍ପ। ଗୀତ, କେବଳ ଶବ୍ଦଯୋଡ଼େଇ ନୁହେଁ। ଇଂରାଜୀ, ହିନ୍ଦୀ ଶବ୍ଦକୁ ମିଶାଇ ଅନ୍ତିମ ଶବ୍ଦ ମଧ୍ୟରେ ଯତିପାତ ଘଟାଇ ଗୀତ ଏବଂ ଆଧୁନିକତା ଆଳରେ ଅଟୋଟ୍ୟୁନରର ସାହାଯ୍ୟ ନେଇ ଓ ପଶୁରବ ଫୁତ୍କାରି ସ୍ୱର ସଂଯୋଜନା ତଥା ପ୍ରିଲୋଡ଼େଡ଼ ଓ କମ୍ୟୁଟରାଇଜଡ଼ ବାଦ୍ୟ ସମ୍ମିଶ୍ରଣ ଘଟାଇ ସଙ୍ଗୀତ ହେଉଛି ଆଜିର ତଥାକଥିତ ଓଡ଼ିଆ ସଙ୍ଗୀତ। କୁହାଯାଇପାରେ ସାଙ୍ଗିତିକ ଗୁରୁଦ୍ରୋହ, ଯାହାକି ଖୋକାଭାଇ ତଥା ତାଙ୍କ ସମସାମୟିକ କତିପୟ ବିନ୍ଧାଣିଙ୍କ ପରେ ଆରମ୍ଭ ହୋଇଯାଇଛି। ଏ ଅବକ୍ଷୟର ସଫେଇ ଯାହା ହେଉନା କାହିଁକି ଶ୍ରୋତାଙ୍କ ଆଗରେ ସେ ସବୁ ଭିତ୍ତିହୀନ।
ସମସାମୟିକ ସାହିତ୍ୟିକ (କବି, କଥାକାର, ପ୍ରାବନ୍ଧିକ)ଙ୍କ ସହ ତୁଳନା କଲେ ଜଣାପଡ଼ିବ ଖୋକାଭାଇ ଅକ୍ଷୟ ମହାନ୍ତିଙ୍କ ସୃଷ୍ଟି ହେଉଛି ଅନନ୍ୟ। ସରଳ ଶବ୍ଦବିନ୍ୟାସ, ଦର୍ଶନ, ମନଃସ୍ତତ୍ତ୍ୱ, ରୋମାଞ୍ଚ, ପ୍ରେମ, ପ୍ରଣୟ, ସହ ଅନ୍ତଃଦୃଶ୍ୟ ― ଏ ସମସ୍ତ ଆଭୂଷଣ ଭରି ରହିଛି ତାଙ୍କର ପ୍ରତିଟି ଲେଖାରେ, ଯେତେବେଳେ କି ସମସାମୟିକ ସାହିତ୍ୟିକଙ୍କ ଲେଖାରେ ଏକକାଳୀନ ଏ ସମସ୍ତ ମିଳିବା ବିରଳ। କୁହାଯାଇପାରେ ତାଙ୍କ ଲେଖା ହୃଦୟକୁ ଛୁଇଁଲା ଭଳି ପ୍ରାକୃତିକ ତଥା ପ୍ରକୃତିକୁ ଛୁଇଁଲା ଭଳି ହାର୍ଦ୍ଦିକ।
ଖୋକାଭାଇ ଅନନ୍ୟ, ଅକ୍ଷୟ ଏବଂ ଅଜେୟ। ଶୁଣିଥିଲି ଆଧୁନିକ ଓଡ଼ିଆ ପାଠକଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ତେବେ ମାତ୍ର ଦୁଇଟି ଶ୍ରେଣୀ ହେବ, ଯେଉଁଥିରେ ଅଧେ ହେବେ ଅକ୍ଷୟ ମହାନ୍ତିଙ୍କୁ ପଢ଼ିଥିବା ପାଠକ ଏବଂ ଆର ଅଧକ ହେଉଛନ୍ତି ତାଙ୍କୁ ପଢ଼ି ନଥିବା ପାଠକ। ତାଙ୍କ କବିତାରେ କଲ୍ଲୋଳ, ଗଳ୍ପରେ ଜୀବନ ଏବଂ ସଙ୍ଗୀତରେ ହିଲ୍ଲୋଳ ତାଙ୍କୁ ଅକ୍ଷୟ କରିଛି, ଏମିତି-ସେମିତିରେ ନୁହେଁ। କିନ୍ତୁ ପ୍ରଶ୍ନ ଉଠେ ଖୋକାଭାଇଙ୍କୁ ଶୁଣିଛନ୍ତି ଅନେକ, ପଢ଼ିଛନ୍ତି କେତେ?? ଚିହ୍ନିଛନ୍ତି ଅନେକ, ବୁଝିଛନ୍ତି କେତେ?? ଜାଣିଛନ୍ତି ଅନେକ, ଜଣେଇଛନ୍ତି କେତେ???
ଓଡ଼ିଶା ଖୋକାଭାଇଙ୍କୁ ଭଲପାଏ ନା ନାହିଁ ତା’ ତ ସମୟ କହିବ, କିନ୍ତୁ ଏଇଟା ସତ ଖୋକାଭାଇ ଓଡ଼ିଶାକୁ ବହୁତ ଭଲ ପାଉଥିଲେ। କଟକିଆ ଆଦବ କାଇଦାରେ ଘୁରିବୁଲୁଥିବା ଚଇନଫିଟ ଓଡ଼ିଆ ଟୋକାଟା ସାରା ଓଡ଼ିଶା ଭିତରେ କଟକିଆ ମହୋବତ ଦେଖୁଥିଲା, ଆଉ କଟକର ବାଉନ ବଜାର ତେପନ ଗଳିରେ ବାସ୍ନାମାର୍କା ପାନଖାଇ ଓଡ଼ିଆପଣକୁ ଖୋଜୁଥିଲା। କେହି ଗାଳି ଦେଲେ ଗାଇ ଦେଉଥିଲା, ଉଗାଳି ଦେଲେ ଲେଖି ଦେଉଥିଲା ଆଉ କାନ୍ଦିଦେଲେ ଭୁଲେଇ ଦେଉଥିଲା।
(Image: Cuttack Heritage Walks)
ଖୋକାଭାଇ ଏବେ ବି ଅଛନ୍ତି। ବିଶ୍ୱାସ ନହେଲେ କାଠଯୋଡ଼ିକୁ ପଚାର, ଗଡ଼ଗଡ଼ିଆ ତୁଠକୁ ପଚାର, ମାନସିଂପାଟଣାକୁ ପଚାର, ନେହେଲେ କଟକର ଯେ କୌଣସି ବସ୍ତିରେ ନଇଁ ପଡ଼ିଥିବା ଚାଳଘରେ ଗୋଟେ କଣରେ ପଡ଼ି ଖୁଁ ଖୁଁ କାଶୁଥିବା, ସାରା କଟକକୁ ମାପିଥିବା ଅବସରପ୍ରାପ୍ତ ରିକ୍ସାଵାଲାକୁ ପଚାର, ଖୋକାଭାଇ ଏବେ ବି କେଉଁଠି ବସି ଟିପାଖାତାରେ ଗାରାଉଥିବେ, ନହେଲେ ହାରମୋନିୟମ ବଜାଇ ସୁନ୍ଦରୀଙ୍କ ନିଦ ଭାଙ୍ଗୁଥିବେ। କାରଣ ପ୍ରେମିକ ଓଡ଼ିଆଙ୍କ ମୁରବି, ଅନେଶ୍ୱତ ରାଣୀଙ୍କ ଚିରସବୁଜ ପ୍ରେମିକ ନାଁରେ ବଦନାମ ପ୍ରେମୀ-ବାଦସାହ, ଖୋକାଭାଇ ଓଡ଼ିଶାକୁ ଛାଡ଼ି ରହିବେ କେମିତି ? ?
Khokabhai, Akshaya Mohanty
Spread the love
admin

View Comments

  • ସବୁ ଓଡ଼ିଆମାନଙ୍କ ପ୍ରିୟ ମଣିଷ । ସବୁ କ୍ଷେତ୍ରରେ ଏପରି ଲୋକପ୍ରିୟ ଯେ , ତାହା ତଉଲିବା ସମ୍ଭବ ନୁହେଁ । ଆବର୍ତ୍ତମାନରେ ଦଣ୍ଡବତ ପ୍ରଣାମ ?

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago