ଲେଖା: ସୋନାଲି ସୁଚିସ୍ମିତା ପରିଡା

~ କୁମାରୀ ବିବାହ ଓ କୁମାର ପୂର୍ଣ୍ଣିମା ~
ଭାଗବତ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାର ପୂର୍ଣ୍ଣିମା ଯାଏଁ କୁମାରୀ ଝିଅ ମାନଙ୍କର ଜହ୍ନି ଓଷା ସହ ଖେଳ ଓ ମଉଜ ଚାଲେ। ଓଡ଼ିଶାର କିଛି ଅଞ୍ଚଳରେ କୁମାରୀ ବିବାହ ପରମ୍ପରା ରହି ଆସିଛି, ଯାହା କେବଳ ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ। ଯେପରି ରଜରେ ୩ ଦିନିଆ ମଉଜ ସେମିତି କୁମାର ପୂର୍ଣ୍ଣିମା ପୂର୍ବରୁ ଗୋଟେ ମାସ ମଉଜ । ଏହା ପ୍ରାୟତଃ ପୁରୀର ଗ୍ରାମାଞ୍ଚଳ ତଥା କଟକ ନିଆଳିର ଗ୍ରାମାଞ୍ଚଳରେ ପାଳନ କରାଯାଇଥାଏ।
ଇନ୍ଦୁ ପୂର୍ଣ୍ଣିମା ରାତିରେ କୁମାରୀ ମାନେ ନିଜର ରାତ୍ରୀଭୋଜନ ସାରି ଡକାଡକି ହୋଇ ଗାଁର ଗୋଟିଏ ସ୍ଥାନରେ ମେଳି ହୋଇଥାନ୍ତି । ଛୋଟବଡ଼ ଝିଅ, କିଛି ସାନ ଭାଇମାନେ ମଧ୍ୟ ଆସି ମିଶିଥାନ୍ତି ଗାଆଁ ଦାଣ୍ଡରେ। ଝିଅମାନେ ଦିନ ବେଳା ପୁଅମାନଙ୍କ ପରି ଏତେ ନିଶ୍ଚିତ ହୋଇ ଖେଳି ପାରି ନ ଥାନ୍ତି, ମନରେ ସଙ୍କୋଚ ଥାଏ, ଲଜ୍ୟା ଥାଏ। ସେଥିପାଇଁ ବର୍ଷକୁ ଥରେ ଗୋଟିଏ ମାସ, ମନ ଭରି ନିଜ ପିଲାଦିନର ଖେଳସବୁକୁ ଖେଳି ଆନନ୍ଦ ଲାଭ କରନ୍ତି।
ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଗୀତ ଗାଇବା ସହ ନାଚନ୍ତି । ଖେଳର ଆରମ୍ଭ ଏକ ପାରମ୍ପରିକ ଗୀତରୁ ଆରମ୍ଭ ହୋଇଥାଏ। ଯେମିତିକି “କୁଭାଇ” ! କୁଭାଇ ହେଉଛି ଏହି ଗୋଟିଏ ମାସ ହେଉଥିବା ଖେଳର ପ୍ରଥମ ଦିନର ଅନୁକୂଳ ଗୀତ । ସଭିଏଁ ହାତ ଧରାଧରି ହୋଇ ଗୋଲେଇ କରି ବୁଲନ୍ତି ଓ ବୁଲିବୁଲି ଗୀତ ଗାଆନ୍ତି;
“ଚଢ଼େଇ ମୁଣ୍ଡରେ ଚୂଳ କୁଭାଇ ଲୋ,
ଗାଆଁ ସେ ମୁଣ୍ଡରେ ଠାକୁର ଘର,
ଖେଳ ହେଲା ଅନୁକୂଳ କୁଭାଇ ଲୋ।”
“କଦଳୀ କାଟିଲି ଚେକି ଚେକିକା,
ବାଉଙ୍ଗା କାଟିଲି ଠିଆ କୁଭାଇ ଲୋ।
ଚାଳେ ଚାଳେ ଗଲା ଚାଳୁଆ ମୂଷା,
ଢାଳିଦେଇ ଗଲା ଘିଅ କୁଭାଇ ଲୋ।
ଆମ ବାପାଙ୍କର ଯୋଡିଏ ଝିଅ
ଦାଦାଙ୍କୁ ଗୋଟିଏ ଦିଅ କୁଭଇ ଲୋ।
ଦାଦା ନାଇଁ ନାଇଁ କଲେ କୁଭାଇ ଲୋ,
ଖୁଡିଙ୍କ ମନରେ କପଟ ଥିଲା
ଦରିଆକୁ ଠେଲି ଦେଲେ କୁଭାଇ ଲୋ
xxx     xxx    xxx
ବାଟରେ ପୋତିଲି ଜହ୍ନି କୁଭାଇ ଲୋ
ସେଇ ବାଟେ ଗଲେ ଆମରି ନାନୀ
ଦିଶି ଗଲା ରଙ୍ଗ କାନି କୁଭାଇ ଲୋ।
ବାଟରେ ପୋତିଲି ମକା କୁଭାଇ ଲୋ,
ସେଇ ବାଟେ ଗଲେ ଆମରି କକା
ଦିଶି ଗଲା ରଙ୍ଗ ଛତା କୁଭାଇ ଲୋ।
ବାଟରେ ପୋତିଲି ଗୋଡ଼ି କୁଭାଈ ଲୋ,
ସେଇ ବାଟେ ଗଲେ ଆମରି ଖୁଡି
ଦିଶିଗଲା ରଙ୍ଗ ଚୁଡ଼ି କୁଭାଇ ଲୋ . .
ଏହା ପରେ ଖେଳ ବିଭିନ୍ନ ପ୍ରକାରର ଖେଳର ଆରମ୍ଭ ହୋଇଥାଏ । ଯେମିତି କି:
*ଗୋଲେଇ ଗୋଲେଇ ଷ୍ଟପ
*ବିଷ ଅମୃତ
*କରେଣ୍ଟ ଚାର୍ଜ
*ମୂଷା ବିଲେଇ
*ପାହାଡ଼ ପାଣି
*ଜଞ୍ଜିର
*ବାଘ ବଜାରି
*ଅଲ ଇଣ୍ଡିଆ ରେଡିଓ କଟକ
*କି ରଙ୍ଗ କିସ୍କା ରଙ୍ଗ
*ଘୁମୁ ଘୁମୁକା ଘୁମେଇ ନାଟ
*କବାଡି
*ବୋହୂଚୋରି
*ଗୋଡ଼ି ଦିଆ ଦି’
*ଲୁଚକାଳି
*ଚିଙ୍ଗୁଡ଼ି ରାଡୁରାଡୁ, ଶୁଖୁଆ ଭାଡୁଭାଡୁ
*ଚକୋଲେଟ
ଏହା ସହ ବିଭିନ୍ନ ଗୀତ ବୋଲା ଯାଇଥାଏ। ଯଥା – “ବଉଳା ଗାଈ ଗୀତ”
“ଘରେ ଛାଡ଼ି ଟିକି ବାଛୁରୀ
ଯାଇଥିଲା ପାଖ ବନସ୍ତେ ସେ ତ ଚରିବା ପାଇଁ . . ” ।
ପ୍ରତି ରାତିର ଖେଳ ମଧ୍ୟରେ କିନ୍ତୁ କୁମାର ପୂର୍ଣ୍ଣିମାର କୁମାରୀ ବିବାହ ଆୟୋଜନ ଜୋର୍ ଧରେ। ସମୟ ପାଖେଇ ଆସିଲେ କୁମାରୀ ବିବାହ ପାଇଁ ବରବଧୂ ଚୟନ କରାଯାଏ। ଏହା କୁମାରୀ ବିବାହ ହୋଇଥିବାରୁ ବର ଓ କନ୍ୟା ଉଭୟ ଛୋଟ ଛୋଟ ଝିଅ ହିଁ ହୋଇଥାନ୍ତି। ଏହା ସହ ଆମ ଓଡ଼ିଆ ବାହାଘରର ବିଭିନ୍ନ ରୀତିନୀତି ମଧ୍ୟ ପାଳିତ ହୋଇଥାଏ। ନିର୍ବନ୍ଧ ହେବାପରେ ବାହାଘରର ପ୍ରସ୍ତୁତି ଜୋର ଧରେ। ବରବଧୂଙ୍କ ବିବାହ ବସ୍ତ୍ର ସହ ସମସ୍ତ ଅଳଙ୍କାର ଚୟନ କରି ଆଗରୁ ପ୍ରସ୍ତୁତ ରଖାଯାଏ।
ଦିନକ ପୂର୍ବରୁ ମଙ୍ଗଳକୃତ୍ୟ ହେବାସହ ରୀତି ନୀତି ଅନୁସାରେ ଦିଅଁ ମଙ୍ଗୁଳା ହୋଇଥାଏ।ବାହାଘର ଦିନ ବରକନ୍ୟାଙ୍କ ବାଡ଼ୁଅପାଣି ଗାଧୁଆ ହୋଇଥାଏ। ରାତିରେ ବରଯାତ୍ରୀଙ୍କ ସହ ବର ବିବାହ ସ୍ଥାନକୁ ଆସିଥାଏ। ଆଡମ୍ବର ସହକାରେ ଭୋଜିଭାତ ହୁଏ, ଝିଅମାନେ ଖୁସିରେ ନାଚ ଗୀତ କରନ୍ତି। ବିବାହ ସମୟରେ ବେଦିରେ କେତେ ଥଟ୍ଟା ପରିହାସ ସହ ବିବାହର ବିଭିନ୍ନ ରୀତି ଯଥା ହସ୍ତ ଗଣ୍ଠି, କଉଡ଼ି ଖେଳ, ଶଳାବିଧା, ବନ୍ଦାଣ ଆଦି ସହ କୁମାରୀ ବିବାହ ସମ୍ପୂର୍ଣ୍ଣ ହୋଇଥାଏ ।
ରାତି ପାହି ଆସି ଥାଏ, ତେଣୁ କରି ବାହା ବେଦୀ ପାଖରେ ଗୋବର ପାଣିରେ ଲିପା ପୋଛା କରି କୁମାରୀମାନେ ଗାଧୋଇ ଯାଇଥାନ୍ତି। ନୂତନ ବସ୍ତ୍ର ପିନ୍ଧି କୁଲାରେ ଲିଆ, ନଡ଼ିଆ, କଦଳୀ, କଷି ପିଜୁଳି, କାକୁଡିକଷି, ଜହ୍ନିକଷି, ଗୁଆ, ସେଓ ଇତ୍ୟାଦି ଏହି ପରି ସାତ ଗୋଟି ଫଳ ଆଣି ଯେ ଯାହା କୁଲା ପୂଜା କରି, ଉଇଁ ଆସୁଥିବା ଥିବା ସୂର୍ଯ୍ୟ ଦେବତାଙ୍କୁ ସାତଫଳ, ଲିଆ ସହ ସାତ ଥର ଆଞ୍ଜୁଳି ଟେକିଥାନ୍ତି। ଦିନ ସାରା ଓଷା କରି ସନ୍ଧ୍ୟାରେ ଚଉରା ମୂଳକୁ ଚାନ୍ଦଚକଟା ପୂଜା କରିବାକୁ ନେଇ ସେଠାରେ ଉଦିତ ଚନ୍ଦ୍ରଙ୍କୁ ପୂଜା କରି ଚାନ୍ଦ ଦେଖି ଘରକୁ ଫେରନ୍ତି। ଶେଷ ରାତିରେ ପୁଣି ଖେଳି, ପୁରୁଣା କଥାକୁ ମନେ ପକାଇ ମନ ଦୁଃଖ କରି, ଆର ବରଷକୁ ଅପେକ୍ଷା କରି ଖେଳ ଭାଙ୍ଗି ଥାନ୍ତି।
ଏହି କୁମାରୀ ବିବାହ ପରମ୍ପରା ବହୁତ ଗାଁରେ କୁମାର ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେବାବେଳେ ନିଆଳିର ଅଧିକାଂଶ ଗାଁରେ କୁମାର ପୂର୍ଣ୍ଣିମା ପୂର୍ବଦିନ ହୋଇଥାଏ ।
Kumari Bibaha Ritual, Kumar Purnima, Kubhai
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago