ଖାନନଗର

ଲେଖା: ଓଁ ଅଭିଜ୍ଞାନ ସାହୁ

ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି  ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ ଗଳି ଭିତରେ ଭୁଲରେ ପସିଯାଇଥିଲା ଯେ ଏ ପର୍ଯ୍ୟନ୍ତ ବାହାରିବାକୁ ରାସ୍ତା ପାଉନି । ଏ ଅଭେଦ୍ୟ ସହରର ଭେଦ କେବଳ ସେଇ ସହରକୁ ଜଣା ।

ଏଇ ସହରର ପୂର୍ବ ଦିଗରେ ଅବସ୍ଥିତ ଗୋଟେ ଗାଁ । ନାଁ ଟି ତାର ଖାନନଗର । ମରହଟ୍ଟା ମାନଙ୍କ କଟକ ରାଜୁତି ସମୟରେ ଏଇ ଅଂଚଳରେ ସେମାନଙ୍କ ସୈନ୍ୟଶିବିର ସ୍ଥାପନ କରିଥିଲେ । (ଲକ୍ଷ୍ମୀନାରାୟଣ ସାହୁଙ୍କ ଆତ୍ମଜୀବନୀ) କିଛି ପୁରୁଖା ଲୋକ କୁହନ୍ତି କାଳେ ପୂର୍ବରୁ କୌଣସି ଜଣେ ମୁସଲମାନ ଜମିଦାରଙ୍କ ଏଠି ଜମିଦାରୀ ଥିଲା । ସମାଜସେବୀ ଲକ୍ଷ୍ମୀନାରାୟଣ ସାହୁଙ୍କ ବହିରେ ଆଉ ଗୋଟେ କଥା ପଢିବାକୁ ମିଳେ, ଖାନନଗର ଅଞ୍ଚଳରେ ପୂର୍ବରୁ ଜଣେ ମୁସଲମାନ ଧନୀକଙ୍କର ଗୋଟେ ଜୋତା କାରଖାନା ଥିଲା । ଜୋତା ପାଇଁ ବ୍ୟବହୃତ ଚମଡାକୁ ପ୍ରସ୍ତୁତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଓ ଦୁର୍ଗନ୍ଧକୁ ଏଡ଼ାଇବା ପାଇଁ ସହରଠାରୁ ଦୂର ଜାଗା ହୋଇଥିବା ଦରକାର । ବୋଧହୁଏ ସେଇଥିପାଇଁ ଖାଁ ସାହେବ ତାଙ୍କର ଚମଡା ଜୋତା କାରଖାନାକୁ ସେତେବେଳେ ଏଇ ସହରତଳି ଅପେକ୍ଷାକୃତ କମ ଜନବସତି ଅଞ୍ଚଳରେ କରିଥାଇ ପାରନ୍ତି । ଖାଁ ସାହେବଙ୍କ ଜୋତା କାରଖାନା ଓ ତା’ ସହ ତାଙ୍କ ମାଲିକାନାରେ ଥିବା ବିସ୍ତୃତ ଜମିରେ ଗଢିଉଠିଥିବା ବସ୍ତିକୁ ହୁଏତ ଲୋକେ ଖାଁ ନଗର ବୋଲି ନାମ କରଣ କରିଥାଇ ପାରନ୍ତି । ଏହା ଆପାତତଃ ସତ୍ୟ ଲାଗୁଛି । ଯାହା ପରବର୍ତ୍ତୀ କାଳରେ ଅପଭ୍ରଂଶ ହୋଇ ଖାନନଗର ବୋଲି କୁହାହେଲା । କିନ୍ତୁ ରୋଚକ କଥା ହେଲା ଏହି ପ୍ରାଚୀନ ଖାଁ ନଗରରେ କେବେବି ଗୋଟିଏ ହେଲେ ‘ଖାଁ’ ସ୍ଥାୟୀ ବାସିନ୍ଦା ନାହାଁନ୍ତି ।

ଏହି ଗ୍ରାମରେ ଅଛି  ଶ୍ୟାମସୁନ୍ଦର ମଠ (ଚକ୍ରଧର ବାବାଙ୍କ ମଠ)। ମଠର ମହନ୍ତ ଚକ୍ରଧର ବାବା ଗୌଡୀୟ ବୈଷ୍ଣବ ଥିଲେ । ସହରର ଅନେକ ଲୋକଙ୍କୁ ସେ ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ କରିଛନ୍ତି। କିନ୍ତୁ ଜଣେ ପ୍ରସିଦ୍ଧ କବିରାଜ ଭାବେ ତାଙ୍କର ବେଶ ସୁଖ୍ୟାତି ଥିଲା । ପ୍ରତିଦିନ ଅନେକ ଲୋକ ଚିକତ୍ସା ପାଇଁ ମଠରେ ଭିଡ଼ କରନ୍ତି । ବାବା ପରାମର୍ଶ ଦେବା ସହ ମାଗଣା ଔଷଧ ଦେଉଥିଲେ । ଶ୍ୟାମସୁନ୍ଦର ମଠକୁ ଲାଗି ଆଜି ଯେଉଁଠି ଶ୍ମଶାନ ଅଛି ସେ ଜାଗାରେ ପୂର୍ବରୁ ଧୂନୀ ମନ୍ଦିର ଥିଲା । ବ୍ୟକ୍ତିଗତ ମାଲିକାନାରେ ଥିବା ଧୂନୀ ମନ୍ଦିରଟି ପରେ କାଳିଆବୋଦା ବାବାଙ୍କ ଅଧୀନକୁ ଗଲା । କୁହାଯାଏ ସେତେବେଳେ କାଳେ ସେଠି ଅହରହ ଯଜ୍ଞ ଧୁନୀ ଜଳୁଥିଲା । ଯେଉଁମାନେ ଦୁଃସାଧ୍ୟ ବେମାରରେ ପଡୁଥିଲେ ସେମାନେ ସେଠାରେ ମାନସିକ କରି ଯଜ୍ଞ ମନ୍ଦିରରେ ଅଧିଆ ପଡୁଥିଲେ । ଗୋଟିଏ ପଟେ ଚିକିତ୍ସିତ ହେବା ପାଇଁ ଦୁରଦୁରାନ୍ତରୁ ଲୋକ କବିରାଜ ଚକ୍ରଧର ବାବାଙ୍କ ପାଖକୁ ଆସୁଥିବା ବେଳେ ଠିକ ପାଚେରୀ ଆର ପଟେ ଦୁଃସାଧ୍ୟ ରୋଗରୁ ଉପଶମ ପାଇଁ କିଛି ଲୋକ ଯଜ୍ଞ ମନ୍ଦିରରେ ଅଧିଆ ପଡୁଥିଲେ । ବିଜ୍ଞାନ ଓ ବିଶ୍ୱାସ ଭିତରେ କେବଳ ଗୋଟେ ଦଶ ଇଂଚର ପାଚେରୀ ଥିଲା ।

ଖାନନଗରର ଅପରପାର୍ଶ୍ଵରେ ଆଜି ଯାହାକୁ ଆମେ ପଞ୍ଚମୁଖୀ ହନୁମାନ ପଡିଆ କହୁ ତାହାର ପୁରୁଣା ନାଁ ଥିଲା ରାମଦଣ୍ଡି । କଟକର ପ୍ରମୁଖ ହାଟ ସେଇଠି ବସୁଥିଲା । ଏହାର ଗୋଟିଏ ପଟରେ ଅବସ୍ଥିତ ସହରର ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିର । କଟକରେ ଅଶିଦଶକ ବେଳକୁ ସରକାରୀ ଜାଗାରେ ମନ୍ଦିର ସ୍ଥାପନ କରିବାର ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା କହିଲେ ଚଳେ । ପ୍ରାୟ ସେହି ସମୟରେ ଏକଦା ରାମଦଣ୍ଡିର ବ୍ୟବସାୟୀ ମାନଙ୍କ ଦ୍ୱାରା ପୂଜା ପାଉଥିବା  ପଞ୍ଚମୁଖୀ ହନୁମାନଙ୍କ ଟୁଙ୍ଗି ଆସ୍ଥାନ ସ୍ଥାନରେ ଏକ ସୁଦୃଶ୍ୟ ମନ୍ଦିର ଗଢିଉଠିଥିଲା ।

ଆଉ ଗୋଟେ କଥା ଲୋକମୁଖରୁ ଶୁଣିବାକୁ ପାଉ ସେତେବେଳେ ରାସ୍ତାଘାଟ ସବୁ ଏତେ ଆଲୋକିତ ନଥିଲା । ଗ୍ରାମର ଉତ୍ତର ସୀମାରେ ଥିବା ବାଦାମବାଡ଼ି ଥିଲା ବାଦାମ ଗଛର ଗହଳ ଜଙ୍ଗଲ । ସହରର ଅନେକ ପଥଚାରି ସେହିବାଟେ କାଠଯୋଡିର ଶୁଖିଲା ବାଲିକୁ ଖସି ନଦୀ ଆରପଟକୁ ଯାଉଥିଲେ । ଅନେକ ସମୟରେ ବାଦାମ ଗଛ ଆଢୁଆଳରେ ଲୁଚିଥିବା ବାଟମାରଣା ମାନେ ସେମାନଙ୍କୁ ଲୁଟୁଥିଲେ । ଠିକ ସେହିପରି ରେଳ ପାହିଆ (ପୋଲ) ତଳେ କିଛି ଲୁଟେରା ଅନ୍ଧାରର ସୁଯୋଗ ନେଇ ହାଟ କୁ ଯାଉଥିବା ବ୍ୟବସାୟୀଙ୍କୁ ଲୁଟୁଥିଲେ । ତାପରେ ସେମାନେ  ପୋଲ ଦେଇ ବାରଙ୍ଗ ପଟକୁ ଚାଲିଯାଉଥିଲେ । ଏବେ ସେ ପୋଲ ତଳ ସହରର ଛାଗଳଙ୍କ ନିର୍ବାଣପ୍ରାପ୍ତିର ଏକ ପ୍ରମୁଖ ସ୍ଥଳ ଭାବେ ପରିଚିତ। ତାରି ପାଖରେ ଅଛି ସହର ପୂର୍ବ ପଟର ଏକ ପ୍ରମୁଖ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ତାକୁଇ ଲାଗି ରହିଛି ରାଜ୍ୟର ସର୍ବବୃହତ ସରକାରୀ ଛପାଖାନା ତଥା ରାଜ୍ୟର ପ୍ରଥମ ଛପାଖାନା ସଂଗ୍ରହାଳୟ (ଓଡିଶା ମୁଦ୍ରଣ ସଂଗ୍ରହାଳୟ)।

ପୋଲର ଅପର ପାର୍ଶ୍ୱ ରେ ଥିଲା ଏକ ତାରିଣୀ ମନ୍ଦିର ।  ମନ୍ଦିର ବେଢାକୁ ଲାଗି  ସିମେଣ୍ଟ ଚଉତୁରା । ଚଉତରାର ଗୋଟେ ପଟେ ଏକ ତୁଳସୀ ଚଉଁରା ଓ ଆର କୋଣରେ ଏକ ଭଗ୍ନ ଗୁମୁଟି ତ୍ରିନାଥ ମନ୍ଦିର । ସନ୍ଧ୍ୟା ନଇଁଲେ କଟକର ମାର୍କାମରା ଗଂଜୋଡଙ୍କ ଆସର ସେଠି ଜମେ । ସହରର କାହିଁ କେତେ କୋଣ ଅନୁକୋଣରୁ ଗଞ୍ଜେଇ ଭକ୍ତ ଟାଣିହେଇ ଆସନ୍ତି । ଚଉତୁରା ଉପରେ ତାସ ମାଡ଼ ହୁଏ । ଗଞ୍ଜେଇ ଟଣା ଯାଏ ।  ନିଶା ଚଢିଲେ କିଛି ଭକ୍ତ ଗୋଡ଼ ହାତ ଧୋଇ ବେକରେ ଗାମୁଛା ପକେଇ ତ୍ରିନାଥ ଙ୍କ ସାମନାରେ ଭଜନ ଗାଆନ୍ତି । ନିଜର ମୋକ୍ଷ ପ୍ରାପ୍ତି ପାଇଁ  ରାଗ ପଞ୍ଚମ ସ୍ୱରରେ ତ୍ରିନାଥଙ୍କୁ ଗୁହାରୀ କରନ୍ତି । କିଛି ବାଟୋଇ ଉତ୍ସୁକତା ବଶତଃ  ଚଉତରା ପାଖରେ ଘଡ଼ିଏ ଅଟକି ଯାଉଥିଲେ । ଭକ୍ତ ଭକ୍ତକୁ ଚିନ୍ହି ପାରେ ।  ନୂଆ ଭକ୍ତ ପ୍ରସାଦ ପାଇ ଭକ୍ତିରେ ବିଭୋର ହୋଇଯାଆନ୍ତି । ଭାବର ଆଦାନ ପ୍ରଦାନ ଚାଲେ । ଶେଷରେ ତ୍ରିନାଥଙ୍କ ପାଖରେ କଦଳୀ ମୋଦକ ଚକଟା ଭୋଗ ଲାଗି ହେଇ ଭକ୍ତ ମଣ୍ଡଳୀଙ୍କୁ ବଣ୍ଟା ଯାଏ । ଭକ୍ତଗଣ ଭୋଗ ପାଇ ମୁଣ୍ଡରେ ହାତ ପୋଛି ଘରକୁ ଫେରନ୍ତି କିଛି ଭକ୍ତ ପ୍ରଭୁ ତ୍ରିନାଥଙ୍କ ସାମ୍ନାରେ ସେମିତି ପୁଙ୍ଗୁଳା ଚଉତୁରା ଉପରେ ସକାଳ ଯାଏଁ ଅଧିଆ ପଡ଼ିଥାନ୍ତି । ଧୀରେ ଧୀରେ ଏ ଗଞ୍ଜେଇ ଆଡ୍ଡାର ପ୍ରସାର ଘଟିବା ଫଳରେ ଭକ୍ତଙ୍କ ସଂଖ୍ୟା ଆହେତୁକ ଭାବେ ବୃଦ୍ଧି ପାଇଲା । କିଛି ଭକ୍ତଙ୍କ ଆଗ୍ରହ ଫଳରେ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ପ୍ରଥମ ବୈଶାଖ ମାସ ଝାମୁ ଯାତ୍ରା ଆରମ୍ଭ ହୁଏ ।  ଝାମୁ ଦେଖିବାକୁ ଆସୁଥିବା ସମସ୍ତ ଭକ୍ତଗଣଙ୍କୁ ମାଗଣା ବେଲ ପଣା ବଣ୍ଟାଯାଉଥିଲା । ବିଶେଷ କରି ଗ୍ରୀନ ପଣାକୁ ଆଜି ବି କେତୁଟା ପୁରୁଣା ଭକ୍ତ ଝୁରନ୍ତି ।  ପ୍ରଥମ କେଇ ବର୍ଷ ବେଶ ସୁରୁଖୁରୁରେ ଝାମୁଯାତ୍ରା ଚାଲିଥିଲା । ସେହିସମୟରେ  ଗ୍ରାମରେ ନୂତନ କରି ଗଢିଉଠିଥିଲା ନଚିକେତା ବାଳୁତ ସଂଘ । କିଶୋର ବୟସର ପିଲାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବାଳୁତ ସଂଘ ଗ୍ରାମର ରାସ୍ତା, ନାଳ ସଫେଇ ଠାରୁ ଆରମ୍ଭ କରି ବିଭିନ୍ନ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କାମ କରି ଗ୍ରାମର ଗୁରୁଜନଙ୍କ ବେଶ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । କିଛି ବର୍ଷ ପରେ ଏହାର କିଛି ସଭ୍ୟ ଝାମୁଯାତ୍ରା ଚାଲିଥିଲା ବେଳେ ଝାମୁର ନିଆଁ ଭିତରେ ବାରଣ ସତ୍ତ୍ୱେ ଧସେଇ ପଶିଲେ । ନିଆଁରେ ନାଚିଲେ ହଳଦୀ ପାଣିରେ ଗୋଡ଼ ବୁଡ଼େଇ ନିଆଁ ରେ କୁଦିଲେ । ଲୋକଙ୍କୁ କହିଲେ  ନିଆଁରେ ଚାଲିବା କାଳେ କୌଣସି  ଆଲୌକିକ କଥା ନୁହେଁ ବରଂ ସୁଦ୍ଧୁ ବିଜ୍ଞାନ । ପରିସ୍ଥିତି ଏପରି ହେଲା ଯେ ସେ ବର୍ଷ ଖୋଦ କାଳୀସି ବି ସୁଯୋଗ ପାଇଲେନାହିଁ ନିଆଁ ଉପରେ ଚାଲିବା ପାଇଁ । ଝାମୁ ପାଖରେ ଛିଡା ହୋଇ ସେମିତି ଝୁଲୁଥାନ୍ତି ଆଉ ବେତ ବୁଲେଇ ଦୁନିଆଯାକର ଅଭିଶାପ ଛୁଆଁଙ୍କୁ ଦେଉଥାନ୍ତି । ଏଣେ କାଳୀସି ଙ୍କ ପାଇଁ ଆସିଥିବା ଚାଙ୍ଗୁ ବାଜାର ତାଳେ ତାଳେ ଛୁଆ ରଡ଼ ନିଆଁ ରେ ଡେଉଁଥିଲେ । ତାଙ୍କ ଦେଖା ଦେଖି ଆଉ କିଛି ଦେଖଣାହାରିବି ଝାମୁର ନିଆଁରେ ସାହସ କରି ଚାଲିଲେ । ଛୁଆଗୁଡା କି ସୂତ୍ର ଜାଣିଥିଲେ କେଜାଣି କାହାରି ପାଦ ଜଳିଗଲା ନାହିଁ କି ଫୋଟକା ହେଲାନି । କାଳୀସି ଯେମିତି ଝୁଲି ଝୁଲି ଆସିଥିଲେ ସେମିତି ଝୁଲି ଝୁଲି ଯାଇ ତାରିଣୀ ମନ୍ଦିର ଭିତରେ ମୂର୍ଚ୍ଛା ଗଲେ ।

ଏ ଗଂଜୋଡ ଭକ୍ତଙ୍କ ଭକ୍ତିରେ କି ତ୍ରୁଟି ରହିଲା କେଜାଣି ଅସହିଷ୍ଣୁ ସରକାର ଜାତୀୟ ରାଜପଥ ଚଉଡା ହେବା ବାହାନାରେ ତାରିଣୀ ମନ୍ଦିରରୁ ଫାଳେ ସହ ତ୍ରିନାଥ ଚଉତରା କୁ କଳାପାହାଡ଼ ଭଳି ଭାଙ୍ଗି ମାଟିରେ ମିସେଇଦେଲେ । କଣ୍ଟ୍ରାକ୍ଟରର ନିର୍ଦ୍ଦୟୀ ଜେସିବି ଡ୍ରାଇଭର ଅର୍ଦ୍ଧଭଗ୍ନ ଗୁମୁଟି ତ୍ରିନାଥ ମନ୍ଦିରକୁ ଶୂନ୍ୟରେ ଟେକି ନେଇ ପାଖ ଗଛମୂଳ ଅପନ୍ତରାରେ ଥୋଇଦେଇ ଛୁ । ପ୍ରଶାସନ କହିଲା ରାସ୍ତାକାମ ସରିଲେ ନୂଆ ଚଉତୁରା ସହ ନୂତନ ତ୍ରିନାଥ ମନ୍ଦିରକୁ ସରକାର ନିଜ ଖର୍ଚ୍ଚରେ ତିଆରିକରିଦେବେ । ରାସ୍ତକାମ କେବେଠୁ ସରିଲାଣି । ସେ ପ୍ରଶାସନିକ ଅଧିକାରୀ ସବୁ କିଏ କୁଆଡେ ଗଲେଣି । ତ୍ରିନାଥଙ୍କ ଗୁମୁଟି ମନ୍ଦିର ଉପରେ ଧୂଳି ଜମି ଅଧା ମାଟିରେ ପୋତିହୋଇଗଲାଣି । ଏବେବି କିଛି ବୁଢ଼ା ଗଂଜୋଡ ବିଳମ୍ବିତ ସନ୍ଧ୍ୟାରେ ପୋଲ ତଳେ ଆସି ବସୁଛନ୍ତି । ପୁରୁଣା ସ୍ମୃତିକୁ ଅଣ୍ଡାଳୁଛନ୍ତି । ନା ଅଛି ସେ ଚଉତରା ନା ସେ ମଣିପୁରୀ କଲି । ବେଳେବେଳେ ଅସହ୍ୟ ବୋଧକଲେ  ଭବିଷ୍ୟତ ପିଢିଙ୍କୁ ଦାର୍ଶନିକଙ୍କ ଭଳି ଦୁଇ ତିନି ପଦ ନିରାଶଜନକ ମନ୍ତବ୍ୟ ଦେବାକୁ ଭୁଲୁନାହାଁନ୍ତି । କହିବା ବାହୁଲ୍ୟ  ସେବେର ରାମଦଣ୍ଡି ସମୟର ଲୁଟେରାଙ୍କ ଠାରୁ ଆଜିର ମାଂସ ହାଟ ପର୍ଯ୍ୟନ୍ତ ପୋଲ ତଳଟା ତାର ନିଃସ୍ୱାର୍ଥପର ଓ ନିରନ୍ତର ସେବା ଯୋଗେଇଆସୁଛି ।

ନଚିକେତା ସଂଘ ସମୟରେ ଗ୍ରାମର ମହିଳା ମାନଙ୍କୁ ନେଇ କସ୍ତୁରବା ମହିଳା ସମିତି ଗଠିତ ହୋଇଥିଲା । ଗ୍ରାମର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଅନେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ମୋର ମନେପଡେ ଆଗରୁ ଏହି ଅଞ୍ଚଳରେ କିଛି ଜୁଆ ଆଡ୍ଡା, ଦେଶୀ ଭାଟି, ମଦ ଦୋକାନ ଥିଲା । ନଚିକେତା ସଂଘ ଓ କସ୍ତୁରବା ମହିଳା ସମିତିର ଉଦ୍ୟମ ଫଳରେ ଏ ସବୁ ସମ୍ପୂର୍ଣ୍ଣରୂପେ ବନ୍ଦ ହେବା ସହ ଗ୍ରାମ କମିଟି ଦ୍ୱାରା ଏକ ହୁଲିଆ ମାଧ୍ୟମରେ ଗ୍ରାମର ସୀମା ଭିତରେ  ମଦ ଦୋକାନ ଓ ଚୋରାମଦ ବିକ୍ରିକୁ ନିଷିଦ୍ଧ କରାଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଘରେ ପିଲା, ମହିଳା ଓ ପଡୋଶୀ ମହିଳାଙ୍କ ଦ୍ୱାରା ହଲାପଟାରୁ ରକ୍ଷାପାଇବା ପାଇଁ ମଦ ପିଇ ରାତିରେ ଘରକୁ ଫେରିବାକୁ ମଦ୍ୟପ ଡରୁଥିଲେ । ଏ ବିଷୟରେ ସମ୍ବାଦପତ୍ରରେ ପ୍ରଚାରିତ ହୋଇ  ନଚିକେତା ସଂଘ ଓ କସ୍ତୁରବା ମହିଳା ସମିତି ସେମାନଙ୍କର ଏହି କାର୍ଯ୍ୟପାଇଁ ଅନେକ ପ୍ରଶଂସା ପାଇଥିଲେ । କିନ୍ତୁ କୋୖଣସି କାରଣ ଯୋଗୁଁ ପ୍ରାୟ ଦଶ ବାର ବର୍ଷ ସଫଳତାର ସହ ଚାଲିବା ପରେ ଉଭୟ ସଂଘ ଓ ସମିତି ବନ୍ଦ ହୋଇଯାଇଥିଲା । ନଚିକେତା ସଂଘର ବାଳୁତ ପିଲା ଏବେ ବୟସ୍କ । କେବେକେବେ ପୁରୁଣା କଥା ପଡିଲେ କଥା ଛଳରେ କୁହନ୍ତି “ନଚ୍ଚିକେତା – କେତେ କଥା”

ନବ ସହରୀକରଣରେ ଏ ଗ୍ରାମର ଅନେକ କିଛି ବଦଳି ଗଲାଣି । ଗ୍ରାମର ଦକ୍ଷିଣ ପାର୍ଶ୍ୱ ସୀମାରେ ଥିବା ଦୀର୍ଘ କାଠଯୋଡ଼ି ନଦୀବନ୍ଧର କଡେ କଡେ ଆଜି ଅନେକ ଛୋଟ ବଡ଼ ହୋଟେଲ । ନଦୀକୂଳ ସୁଲୁସୁଲିଆ ପବନରେ ବସି ମଦ ପିଇବା ଏକ ନିଆରା ଅନୁଭୂତି । ଖାସ ସେଇଥି ପାଇଁ ସହରର ଭିଡ଼ ଭିତରୁ ଅନେକ ଛୁଟି ଆସନ୍ତି ଏଇ ସବୁ ହୋଟେଲକୁ । ଏକଦା ମଦ ବିକ୍ରି ତ ଦୂରର କଥା ମଦ ପିଇ ରାତିରେ ଘରକୁ ଫେରିଲେ ଲାଂଛିତ ହେଉଥିବା ଗ୍ରାମରେ ଆଜି ମାଳ ମାଳ ମଦ ସର୍ବସ୍ୱ ହୋଟେଲ । ଏହାକୁ ତାଳ ଦେଇ ନଦୀକୂଳ ପାର୍ଶ୍ୱରେ ଗଣ୍ଡାଏ ଦିଗଣ୍ଡା ଚଉତରା ତିଆରି ସରିଲାଣି । ଚଉତରା ଅଧିପତି ଭାବେ ତ୍ରିନାଥ, ଶନିଶ୍ଚର, ବାବା ସ୍ୱପ୍ନେଶ୍ୱର ଇତ୍ୟାଦି ଦେବାଦେବୀଙ୍କ ଗୁମୁଟି ମନ୍ଦିର ସବୁ ଶୋଭା ପାଉଛି । ମୁଣ୍ଡ ଉପରୁ ସୂର୍ଯ୍ୟ ହଟିଲେ ଖଟିପ୍ରିୟ ମାନେ ସାହିରୁ ବାହାରି ନଦୀକୂଳ ଚଉତରା ପାଖରେ ରୁଣ୍ଡ ହୁଅନ୍ତି । ଅନ୍ଧାର ହେବା ଯାଏଁ ତାସ କ୍ୟାରମ ଖେଳ ଚାଲେ । ମୋଦୀଠୁ ମାଛ ତରକାରୀ ଯାଏଁ ସବୁ ଆଲୋଚନା ଏଇ ସବୁ ଖଟିରେ ହୁଏ । ବାର ନକ୍ଷତ୍ର ଦେଖି ପ୍ରସାଦ ସେବନର ବ୍ୟବସ୍ଥା ବି ହୁଏ ।

ଏଇ ଖାନନଗର ସୀମା ଭିତରେ ଅଛି ଦୁଇଟି ବାଲିଘାଟ । ଘାଟ ମହାସୁଲ ଦୁର୍ଗାପୂଜା କମିଟି କୁ ଯାଏ । ଏହା ସହ ଖପୁରିଆ ଶିଳ୍ପାଞ୍ଚଳ ବି ଏଇ ଗ୍ରାମର ସୀମା ଭିତରେ ଅଛି । ପ୍ରଥମେ ଚାନ୍ଦିମେଢ଼ ଓ ତାପରେ ଦେବୀଙ୍କ ସୁନାମୁକୁଟ ଏହି ଗ୍ରାମ ପୂଜାକମିଟିର ଶ୍ରେଷ୍ଠ ଉପଲବ୍ଧି । ମା’ ଚାହିଁଲେ ଆଗକୁ ସମ୍ପୂର୍ଣ୍ଣ ସୁନାମେଢ଼ ହୋଇପାରେ । ସହରର ଅନ୍ୟତମ ବ୍ୟୟବହୁଳ ପୂଜାର ଆୟୋଜନ ଏଠାରେ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ଠାରୁ କୌଣସି ପୂଜା ଚାନ୍ଦା ଆଦାୟ ହୁଏନି ।

ଗ୍ରାମର ପଶ୍ଚିମ ସୀମାରେ ଅଛି ବିଶ୍ଵନାଥ ପଣ୍ଡିତ ପାର୍କ ବା ଖାନନଗର ପାର୍କ ଓ ପ୍ରସିଦ୍ଧ ଖାନନଗର ଶ୍ମଶାନ । ସ୍ଥାନୀୟ ନାଁ ‘ମଲାଚଣ୍ଡିଆ’ । ଗବେଷକ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଏହି ଶ୍ମଶାନ ନାମ ପ୍ରକୃତରେ ମଲାତଣ୍ଡିଆ । ଶବ ଦାହ କରିବାକୁ ଆସୁଥିବା ଲୋକଙ୍କ ଠାରୁ ଏଠି ତଣ୍ଡ ବା ଫିସ୍ ନିଆଯାଉଥିଲା । ଏଣୁ ମଲାତଣ୍ଡିଆ । ରୋଚକ କଥା ହେଲା ଖାନନଗର ମଶାଣି ଭାବେ ପରିଚିତ ଏହି ସ୍ମଶାନରେ ଖାନନଗର ବାସୀଙ୍କ ଶବ ଦାହ ହୁଏନାହିଁ । ଖାନନଗର ବାସୀଙ୍କର  ଶବସଂସ୍କାର ହୁଏ ରାମଦଣ୍ଡି ପାଖରେ କିମ୍ବା ଶ୍ୟାମସୁନ୍ଦର ମଠ ପାଖ ଶ୍ମଶାନରେ ।

ରାମଦଣ୍ଡି ପାଖ ଶ୍ମଶାନର ଏବେ ନାମ ହୋଇଛି ସ୍ୱର୍ଗଧାମ । ଏକ ସୁନ୍ଦର ପାର୍କର ଭ୍ରମ ସୃଷ୍ଟି କରୁଥିବା ସ୍ୱର୍ଗଧାମ ଏଯାବତ ଓଡ଼ିଶାର ଏକ ପ୍ରମୁଖ ରମଣୀୟ ଶ୍ମଶାନର ଖ୍ୟାତିଲାଭ କରିଛି । ସେହିପରି ଓଡ଼ିଆ ସାହିତ୍ୟରେ ଅନେକ କବି ଲେଖକଙ୍କ କୃତିରେ ଖାନନଗର ସ୍ମଶାନ ବା ମଲାଚଣ୍ଡିଆ ବିଷୟରେ ଉଲ୍ଲେଖ ଅଛି । ସହୀଦ ବାଜି ରାଉତ, ଗୋପବନ୍ଧୁ ଚୌଧୁରୀ, ରମାଦେବୀଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ, ଦେଶସେବୀ, ବିପ୍ଲବୀ ସାହିତ୍ୟିକ ଇତ୍ୟାଦିଙ୍କ  ଶରୀର ଏହିଠାରେ ପଞ୍ଚଭୂତରେ ଲୀନ ହୋଇଛି। ବାଜିରାଉତଙ୍କ  ଚିତାଗ୍ନି ପାଖରେ ଛିଡ଼ାହୋଇ କବି ସଚ୍ଚି ରାଉତରାୟ ଏଇଠି ଲେଖିଥିଲେ ତାଙ୍କର ପ୍ରସିଦ୍ଧ ଖଣ୍ଡକାବ୍ୟ ‘ବାଜିରାଉତ’ । ଏହି ପାବନ ମାଟିକୁ ଲାଗି ରହିଛି  ଶ୍ମଶାନ ଚଣ୍ଡୀଙ୍କ ମନ୍ଦିର ଓ ଅନତି ଦୂରରେ ଅଛି ଆଉ ଏକ ପ୍ରସିଦ୍ଧ କାଳୀ ମନ୍ଦିର । ଶୁଣାଯାଏ ପ୍ରଥମେ ଜଣେ ଅଘୋରି ବାବା ଏହିଠାରେ ରହି କାଳୀ ସାଧନା କରୁଥିଲେ । ଏହାର ଠିକ ସାମନାରେ ଚାଲେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ । ପାଖରେ ଶିବାଳୟ ଓ ତାରି ଭିତରେ ଅଛନ୍ତି ସାଇ ବାବା । ଶାକ୍ତ, ଶୈବ, ବୈଷ୍ଣବ ଓ ବାବାଙ୍କ ଆରଧନାର ଅପୂର୍ବ ସଙ୍ଗମ ସ୍ଥଳ ।

ପ୍ରତ୍ୟହ ସନ୍ଧ୍ୟା ଆଳତି ବେଳେ ଏକ ସମୟରେ ବିଭିନ୍ନ ମନ୍ଦିରରୁ ଆସୁଥିବା ଢୋଲ, ମୃଦଙ୍ଗ, ଝାଞ୍ଜ, ମାର୍ଦଳ, ଘଣ୍ଟ ଓ ଘଣ୍ଟିର ଏକ ଅପୂର୍ବ ସିମ୍ଫୋନି ଦେଖିବାକୁ ମିଳେ । ଏହା ସହ ଏକଦା ଓଡିଶୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଭଳି ଗାଆଣ, ବାଜଣ ଓ ନାଚରେ ରୁଚି ରଖୁଥିବା ଅନେକ କାଳାକାରଙ୍କ ଏକଦା ଏନ୍ତୁଡ଼ିଶାଳ ବନିଥିବା କାଳିଆବନା ମଠ ଏହି ଗ୍ରାମରେ ଅବସ୍ଥିତ । ଦୋଳଯାତ୍ରା ସମୟରେ କଟକର ପ୍ରସିଦ୍ଧ ବାଇଶି ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀ ଏକାଦଶୀ ମେଳଣ ଏହି କାଳିଆବନା ମଠ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୁଏ ।

ପିଲାଦିନେ ଦେଖିଛି ଆମ ଗ୍ରାମରେ ଅନେକ ଗୁଡିଏ ଭାଗବତ ଟୁଙ୍ଗି ଥିଲା । ସନ୍ଧ୍ୟା ସମୟରେ ଚଉଁରା ପାଖରେ କିଛି ବୁଢା ବୁଢ଼ୀ ବସି ଭାଗବତ ଶୁଣୁଥିଲେ । ଗ୍ରାମର କିଛି ଶିକ୍ଷିତ ଯୁବକ ଏହି ଭାଗବତ ବହି ପଢି କିଛି ପାରିଶ୍ରମିକ ପାଉଥିଲେ । ଆଜି ଏ ସବୁ ପ୍ରାୟ ଆଉ ଦୃଶ୍ୟ ହେଉନାହିଁ ।

ବାରମାସରେ ତେର ପର୍ବ ପାଳିତ ହେଉଥିବା ଏହି ଗ୍ରାମରେ ପଞ୍ଚାୟତ, ଅଧିକାରୀ, ମହନ୍ତ, ଗ୍ରାମ କଟୁଆଳ, ଜାତି କଟୁଆଳଜେଜମାନି ଭଳି ଅନେକ ସାମାଜିକ ବ୍ୟବସ୍ଥା ଆଜିବି ଏଠି ରହିଛି । ଯଦିଓ କିଛି ଦଶନ୍ଧି ପୂର୍ବେ ଏହା ସହରରେ ରୂପାନ୍ତରିତ ହୋଇସାରିଛି ଏବଂ ଆଧୁନିକ ସହରିକରଣ ରେ ଜାତି ପ୍ରଥା ତଥା ଭେଦଭାବର ଉତ୍କଟ ଗନ୍ଧ ନାହିଁ ତଥାପି ଜାତି ବା ଗୋଷ୍ଠୀ ଭିତ୍ତିକ ସାହିର ନାମ କରଣ ଆଜି ବି ଏଠି ଦେଖିବାକୁ ମିଳେ । ଏହିପରି ଅନେକ ଗୁଡିଏ ସାହିର ସମଷ୍ଟିକୁ ନେଇ ସହରର ଏକ ବିସ୍ତୃତ ଇଲାକାରେ ଖାନନଗର ଗ୍ରାମ ତାର ଏକ ନିଜସ୍ୱ ପରିଚୟ ନେଇ ଗର୍ବିତ ।

ପିଲାଟି ଦିନରୁ ଦେଖି ଆସୁଛି । ଗାଁରୁ ସହରକୁ ରୂପାନ୍ତରିତ ହେବାର ପ୍ରକ୍ରିୟାକୁ । ଦେଖିଆସୁଛି ସଂସ୍କୃତି ଅପସଂସ୍କୃତିର ଦ୍ଵନ୍ଦ ଭିତରେ ବଦଳୁଥିବା ସାମାଜିକ ବ୍ୟବସ୍ଥାକୁ । ନବ ସହରୀକରଣର ପ୍ରଭାବରେ ସମ୍ପର୍କ ଭିତରକୁ ଧସେଇ ପସିଆସୁଥିବା କଳୁଷିତ ମାନସିକତା । ଅନେକ କିଛି ବଦଳି ଗଲାଣି । ଅନେକ କିଛି ପରିବର୍ତ୍ତନଶୀଳ ସମୟର ପ୍ରଭାବରେ ନିଶ୍ଚିନ୍ହ ହୋଇଗଲାଣି । କିନ୍ତୁ ବଦଳିପାରିନି କଟକିଆଙ୍କ ଭାଇଚାରା ପଣିଆ ଓ ମାନବିକତା । ସୁଖରେ ଦୁଃଖରେ କାନ୍ଧରେ କାନ୍ଧ ମିଶେଇ କାମକୁ ବଢ଼େଇ ଦେବାରେ ।  ଏଠି ବଦଳିନି ମଣିଷପଣିଆ । ଘରେ ନାମକୁ ମାତ୍ର କୋଲପଟିଏ ପକେଇ ସାହି ପଡିଶାରେ ‘ଟିକେ ଅନେଇଥିବ’ କହି ଗୃହକର୍ତ୍ତା ବେଧଡକ ଦିନ ଦିନ ବାହାରେ ରହିବା କେବଳ ଏଇଠି ସମ୍ଭବ । ଏଇଠୁ ମାତ୍ର କୋଡିଏ କିଲୋମିଟର ଦୂରରେ ମଣିଷଠୁ ଅଧିକ ନିଜ ପାଳିତ କୁକୁରକୁ ବିଶ୍ୱାସ କରୁଥିବା ସହର ବାସିନ୍ଦାଙ୍କୁ ଏହା ହୁଏତ ଗପ ପରି ଲାଗିପାରେ ।

ସହର ଭିତରେ ବି ମହମହ ବାସୁଥିବା ଗ୍ରାମୀଣ ମାନସିକତାର ମହକର କଟକର ଦକ୍ଷିଣ ପୂର୍ବ କୋଣରେ ସଗର୍ବେ ଅବସ୍ଥିତ ସ୍ୱାଭିମାନୀ ମୋ ‘ଗାଁ’ ଖାନନଗର । ଉତ୍ତରରେ ବ୍ୟସ୍ତବହୁଳ ଲିଙ୍କରୋଡ଼, ଦକ୍ଷିଣରେ ମନୋରମ କାଠଯୋଡ଼ି, ପୂର୍ବରେ ରମଣୀୟ ସ୍ୱର୍ଗଧାମ ଓ ପଶ୍ଚିମରେ ଓଡ଼ିଶାର ପ୍ରଥମ କ୍ରେମେଟରିୟାମ, ମଝିରେ ଭାବୋଚ୍ଛ୍ୟଳ ଜୀବନର ପ୍ରତୀକ ଏହି ପ୍ରାଚୀନ ଗ୍ରାମ ଖାନନଗର ।

ଐତିହାସିକ ନାଁ — ଖାଁ ନଗର
ଲିଖିତ ନାଁ– ଖାନନଗର
କଥିତ ନାଁ– ଖାନଗର (କଟକୀ)

4 thoughts on “ଖାନନଗର”

  1. ଶିବାଶିଷ ପାଢ଼ୀ

    ଏକ ବଳିଷ୍ଠ ସୂଚନାଧର୍ମୀ ପ୍ରବନ୍ଧ, ବହୁତ ଭଲ ଲାଗିଲା ଅନେକ କିଛି ଜାଣିହେଲା, ନମସ୍କାର

Leave a Comment

Your email address will not be published. Required fields are marked *

Scroll to Top