ଲେଖା: ବିକ୍ରମ କୁମାର ନାୟକ
~ କୁଶଳେଶ୍ୱର ଶୈବପୀଠ ~
ଓଡିଶାର ଶୈବ ଉପାସନା ବହୁ ପ୍ରାଚୀନ l ପ୍ରଦେଶର କୋଣ ଅନୁକୋଣର ଗାଁଠୁ ସହର ପର୍ଯ୍ୟନ୍ତ ରହିଛି ଶୈବ ଉପାସନାର ପୀଠସ୍ଥଳୀ l କେଉଁଠି ବିଶାଳ ମନ୍ଦିର ତ କେଉଁଠି ଗଛମୂଳ ପୂଜା ପାଉଛନ୍ତି ମହେଶ୍ୱର l ମନ୍ଦିର ଗୁଡ଼ିକର ସୁକ୍ଷ୍ମ କାରୁକାର୍ଯ୍ୟ କଳିଙ୍ଗ କଳାସ୍ଥାପତ୍ୟର ନିଦର୍ଶନ ଦେଉଛି l ଶହଶହ ବର୍ଷ ପୁରୁଣା ଏହି ମନ୍ଦିର ଆଧ୍ୟାତ୍ମିକ ଇତିହାସ ଗାଥା ବହନ କରୁଛି l କେଉଁଠି ନା ଅଛି ସ୍ଥାପତ୍ୟ ନା ମନ୍ଦିର, ଖୋଲା ଆକାଶ ତଳେ ବିଶାଳ ଶିବଲିଙ୍ଗ ପୂଜା ପାଉଛି l ମନ୍ଦିରଗୁଡ଼ିକ ମଧ୍ୟ କଳିଙ୍ଗ କାରିଗରଙ୍କ କାର୍ଯ୍ୟ ଦକ୍ଷତାକୁ ଆଜି ଭୁରିଭୁରି ପ୍ରଶଂସା କରୁଛି l କେନ୍ଦୁଝର ଜିଲ୍ଲାର ଏହି କୁଶଳେଶ୍ୱର ଶୈବମନ୍ଦିର ହେଉଛି ୯ଶହ ଖ୍ରୀଷ୍ଟାବ୍ଦର l ଯଯାତି କେଶରୀ ଏହାର ନିର୍ମାଣ କରିଥିଲେ l ଏହାର ପାଦଦେଶରେ ବୋହି ଯାଇଛି କୁଶେଇ ନଦୀ l ଏହି ନଦୀର ନାମ ଅନୁସାରେ ପୀଠର ନାମକରଣ ହୋଇଛି l
ଲୋକକଥା ରହିଛି ଏହି କୁଶଳେଶ୍ୱର ମନ୍ଦିର ଅଞ୍ଚଳ ସେତେବେଳେ କୁଶ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା l କୃଷି ଉପରେ ନିର୍ଭର କରି ବଞ୍ଚୁଥିବା ଏହି ଅଞ୍ଚଳ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର l ପ୍ରାୟତଃ ସବୁ ଜମି ଅସମାନ ପରି ଦେଖାଯାଏ l କୁଶେଇ ନଦୀର ଦୁଇପାର୍ଶ୍ଵରେ ଅଳ୍ପ ଅଳ୍ପ ଜଙ୍ଗଲ ଏବଂ ମଝିରେ କୁଶେଇ ନଦୀ ବହି ଯାଇଛି l
ଏହି କୁଶେଇ ନଦୀ କୂଳରେ ରହିଛି ଦେଓଗାଁ ସେହି ଗାଁରେ ପୂଜା ପାଉଛନ୍ତି କୁଶଳେଶ୍ଵର l ମନ୍ଦିର ପରିସର ମଧ୍ୟରେ ଅନ୍ୟପାର୍ଶ୍ଵ ଦେବତା ମଧ୍ୟ ରହିଛନ୍ତି l ମା ପାର୍ବତୀ ଅଷ୍ଟଭୁଜା ଗଣେଶ ଏବଂ କାର୍ତ୍ତିକଙ୍କ ଏକ ବିରଳ ମୂର୍ତ୍ତି ରହିଛି l ବୌଦ୍ଧ କୀର୍ତ୍ତିରାଜିର ଏକ ଅବଲୋକେଶ୍ୱର ମୂର୍ତ୍ତି ରହିଛି ଏବଂ ଏଠାରେ ଗୋଟିଏ ଏକପାଦୀ ଭୈରବଙ୍କ ମୂର୍ତ୍ତି ରହିଛି ଯାହାକୁ ଘଣ୍ଟାକର୍ଣ୍ଣ କୁହନ୍ତି l ଅନ୍ୟ ଏକ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ କୁଶଳେଶ୍ୱର ମହେଶ୍ୱରଙ୍କ ଚଳନ୍ତି ପ୍ରତିମୂର୍ତ୍ତି, ଶ୍ରୀ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ମା’ ସୀତାଙ୍କ ପୂଜା ପ୍ରତିମୂର୍ତ୍ତି ରହିଛି l ଏହି ସ୍ଥାନରେ ରହିଛି ଏକ ପ୍ରାଚୀନ ଲୌହ ସିନ୍ଧୁକ l
ଅନ୍ୟ ଏକ ମନ୍ଦିରରେ ବୁଢା ମହେଶ ପୂଜା ପାଉଛନ୍ତି l ମନ୍ଦିରର ପୂର୍ବ ଦିଗରେ ରହିଛି ଏକ ମଣ୍ଡପ ଯାହାର ନିର୍ମାଣଶୈଳୀ ମୁକ୍ତିମଣ୍ଡପ ପରି l କୁଶଳେଶ୍ୱର ମନ୍ଦିର ପରିସର ଭିତରେ ରହିଛି ଏକ ଐତିହାସିକ ବାମ୍ଫି ଯାହାର ଜଳ ମନ୍ଦିରସେବା କାର୍ଯ୍ୟରେ ଲାଗିଥାଏ l ଏଠାରେ ରହିଛି ଏକ ବଟବୃକ୍ଷ ଯାହା ଗୋକର୍ଣ୍ଣିକା ବଟ ନାମରେ ପରିଚିତ l ଏହି ଗଛର ପତ୍ରଗୁଡ଼ିକ ଦେଖିବାକୁ ଗାଈକାନ ସଦୃଶ l
ବର୍ଷସାରା ବିଭିନ୍ନ ପର୍ବପର୍ବାଣି ଲାଗି ରହିଥିବା ବେଳେ ଜାଗର, ମହାଅଷ୍ଟମୀ, ମକର ଆଦି କେତକ ମୁଖ୍ୟ ପର୍ବ ହୋଇ ଥାଏ l କେନ୍ଦୁଝର ରାସ୍ତାରେ ଗଲେ ବେଲବାହାଳି ଛକରୁ ବାମପାର୍ଶ୍ୱ ଦେଇ ଦଶ କିଲୋମିଟର ଗଲେ ପଡେ ଦେଓଗାଁ l ଆନନ୍ଦପୁର ଛକରୁ ମଧ୍ୟ ଯାଇପାରିବେ l କୁଶଳେଶ୍ୱର ମନ୍ଦିରରେ ମାନସିକ ପୂରଣ କରିବା ପାଇଁ ମାନସିକଧାରୀ ମାନେ ବୃଷଭ ଦେଇଥାନ୍ତି l କୁଶେଇ ନଦୀର ବନ୍ୟାରୁ ଏହି ମନ୍ଦିର ଏବଂ ଅଂଚଳର ସୁରକ୍ଷା ପାଇଁ ସେତେବେଳେର ସେଠାକାର ରାଜାଙ୍କ ଦ୍ୱାରା ଏଠାରେ ଏକ ନଦୀବନ୍ଧ ମଧ୍ୟ ନିର୍ମାଣ ହୋଇଛି l
Spread the love
admin

View Comments

  • ଏକ ଐତିହାସିକ କୀର୍ତ୍ତିରାଜିର ସୁନ୍ଦର ତଥ୍ୟ

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

3 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago