ଲେଖା: ଶିଶିର ସାହୁ ମନୋଜ
~ ହଜିଯାଉଛି ପାରମ୍ପରିକ ବରଡ଼ା ପେଣ୍ଡୁ ~
ପ୍ରାଚୀନ କାଳରୁ ଭାରତରେ ପେଣ୍ଡୁ ଖେଳ ଥିଵାର ପ୍ରମାଣ ମହାଭାରତ ଓ ଏହାର ଉଚ୍ଛିଷ୍ଟ ପର୍ଵ ହରିଵଂଶପର୍ଵରୁ ଜଣାଯାଏ । ପୁରାଣ କଥାନୁସାରେ ଶ୍ରୀକୃଷ୍ଣ ତାଙ୍କର ବନ୍ଧୁମାନଙ୍କ ସହ saven stone game ଵା ସପ୍ତପ୍ରସ୍ତର କ୍ରୀଡ଼ାଦି ଖେଳୁଥିଲେ । ପାଣ୍ଡଵମାନଙ୍କ ପେଣ୍ଡୁ କୂପ ମଧ୍ୟରେ ପତିତ ହେଵାରୁ ଦ୍ରୋଣାଚାର୍ଯ୍ୟ ତାକୁ କାଠି ସାହାଯ୍ୟରେ ବାହାର କରିଦେଇଥିଵାର କାହାଣୀ ମଧ୍ୟ ରହିଛି । ପ୍ରାଚୀନ ଭାରତରେ ପେଣ୍ଡୁକୁ କନ୍ଦୁକ, ଗିନ୍ଦୁକ, ଗଣ୍ଡୁକ, ଗୋଳା, ପିଣ୍ଡ, ଗୋଲକ, ଗୁଟିକା, ଗୁଡ଼କ, ଗୁଲିକା, ପତଗ, କୂର୍ଚ, ବଟକ, ପିଣ୍ଡି, ଅଷ୍ଠୀଳ, ଲୁଣ୍ଡିକା, ଗଣ୍ଡକା, ମଣ୍ଡଳ, ଗେଣ୍ଡୁ, ଗ୍ଲୌ ଆଦି କୁହାଯାଉଥିଲା ।
ଭାରତରେ ପ୍ରାଚୀନ କାଳରେ କନାରେ ଗୁଡା଼ଇ ପେଣ୍ଡୁ ତିଆରି କରାଯାଉଥିଲା ତେବେ ଓଡ଼ିଶାରେ ତାଳ ପତ୍ରରେ ମଧ୍ୟ ପେଣ୍ଡୁ ତିଆରି କରି ପିଲାମାନେ ଖେଳୁଥିଲେ । ଓଡ଼ିଶାର ଅନ୍ୟ ଅଞ୍ଚଳରେ ବରଡ଼ାପେଣ୍ଡୁ ଗଢ଼ା ଯାଉଥିଲା କି ନାହିଁ ତାହା ଅସ୍ପଷ୍ଟ ତେବେ ଢେଙ୍କାନାଳର ଗ୍ରାମାଞ୍ଚଳରେ ଆଗେ ପିଲାଏ ତାଳ ବରଡ଼ାରେ ଏକପ୍ରକାରର ପେଣ୍ଡୁ ତିଆରି କରି ଖେଳୁଥିଲେ ।
ନବେ ଦଶକ ସମୟର ଢେଙ୍କାନାଳ ଗଡ଼ଜାତରେ ଏହି ଜାତୀୟ ବରଡ଼ାପେଣ୍ଡୁ ଦ୍ଵାରା ବେସ୍‌ବଲ୍, କ୍ରିକେଟ୍ ଓ ପାରମ୍ପରିକ ସେକା ତଥା ଫେଣ୍ଡୁଧରା ଖେଳଗୁଡି଼କ ଵିଶେଷ ଭାବରେ ଖେଳାଯାଉଥିଲା‌।‌ ପିଲାଏ ଆଵଶ୍ୟକତା ଅନୁଯାୟୀ ଵିଭିନ୍ନ ପ୍ରକାରର ବରଡ଼ା ପେଣ୍ଡୁ ତିଆରି କରୁଥିଲେ ଓ ତାକୁ ତାଳ କୋରଟର ଦାଣ୍ଡୁ ଵା ବ୍ୟାଟ୍ ସାହାଯ୍ୟରେ ନାନାପ୍ରକାରର ଖେଳ ଖେଳୁଥିଲେ ।
ଯଥା—
କ. ଗୋଡି଼ଦିଆ ବରଡ଼ାପେଣ୍ଡୁ
ଏହି ଜାତୀୟ ପେଣ୍ଡୁରେ ଛୋଟ ଛୋଟ ଗୋଡି଼ ଦିଆଯାଇଥାଏ ଫଳତଃ ଏହା ଭାରୀ ହୋଇଥାଏ । ଏଭଳି ପେଣ୍ଡୁ ଅନ୍ୟଜାତୀୟ ପେଣ୍ଡୁ ଅପେକ୍ଷା ଅଧିକ ଗଢ଼ା ଯାଉଥିଲା । କ୍ରିକେଟ୍ ଓ ବେସବଲ୍ ଖେଳ ପାଇଁ ଏହାର ଵ୍ୟଵହାର ଵୟସ୍କ ପିଲାଏ ଅଧିକ କରୁଥିଲେ କାରଣ ଏ ଜାତୀୟ ବରଡ଼ା ପେଣ୍ଡୁ ଭାରୀ ହେଉଥିଵାରୁ ଛୋଟ ପିଲା ଏଗୁଡ଼ିକ ଧରିଵା ସମୟରେ ସେମାନଙ୍କ ହାତ ମାଡ଼ ହେଵାର ଭୟ ରହୁଥିଲା ।
ଖ. ପତ୍ରଦିଆ ବରଡ଼ାପେଣ୍ଡୁ
କ୍ରିକେଟ୍, ସେକାଖେଳ, ପେଣ୍ଡୁଧରା ଖେଳ ଓ ବେସବଲ୍ ଭଳି ଖେଳରେ ପେଣ୍ଡୁ ହାତ ଓ ଦେହରେ ମାଡ଼ହୋଇଯିଵାର ଭୟ ଅଧିକ ଫଳତଃ ଅନେକେ ପତ୍ରଦିଆ ବରଡ଼ାପେଣ୍ଡୁ ଖେଳିଵାକୁ ପସନ୍ଦ କରୁଥିଲେ । ଏହି ଜାତୀୟ ପେଣ୍ଡୁରେ ଗୋଡ଼ି ପରିଵର୍ତ୍ତେ ହାଲୁକା ଓଜନର ପତ୍ର ଵ୍ୟଵହାର ହେଉଥିଲା । ଆମ ଅଞ୍ଚଳରେ ଆମେ ଫୁଲୁରୀ (ପାରିମାଳ, କାମାକ୍ଷାନଗର ଆଞ୍ଚଳରେ Chromolaena odorata ଗଛକୁ ଫୁଲୁରୀ କୁହାଯାଏ) ନାମକ ଗଛର ପତ୍ରକୁ ବରଡ଼ାପେଣ୍ଡୁରେ ଵ୍ୟଵହାର କରୁଥିଲୁ ।
ଗ. କାଗଜ଼ଦିଆ ବରଡ଼ାପେଣ୍ଡୁ
ଏହି ଜାତୀୟ ବରଡ଼ାପେଣ୍ଡୁରେ ଅଲୋଡ଼ା ନଷ୍ଟଯୋଗ୍ୟ କାଗଜ଼ ଵ୍ୟଵହାର କରାଯାଉଥିଲା । ତେବେ ଏଭଳି ବରଡ଼ାପେଣ୍ଡୁର ଵ୍ୟଵହାର କେଵଳ ଖରାଦିନଗୁଡି଼କରେ ହେଉଥିଲା । ପାଣିରେ ପଡି଼ଲେ ପେଣ୍ଡୁ ଭିତରର କାଗଜ ଓଦା ହେଵା ଯୋଗୁଁ ନାନା ଅସୁଵିଧା ସୃଷ୍ଟି ହେଉଥିଵା ହେତୁ ଏ ଜାତୀୟ ବରଡ଼ାପେଣ୍ଡୁ ବହୁତ କମ୍ ଗଢା଼ ଯାଉଥିଲା । ଏତଦ୍‌ଵ୍ୟତୀତ ମଣ୍ଡା ସୂର୍ଯ୍ୟମୁଖୀ ଫୁଲଠାରୁ ଆରମ୍ଭ କରି ରବର ଯାଏଁ ପିଲାଏ ବରଡା଼ପେଣ୍ଡୁ ମଧ୍ୟରେ ଵ୍ୟଵହାର କରି ଜାତିଜାତିକା ପେଣ୍ଡୁ କରୁଥିଲେ ।
ପେଣ୍ଡୁକୁ ଭଲ ଡିଆଁଇଵା ତଥା କ୍ରିକେଟ୍ ଆଦି ଖେଳରେ ଦୀର୍ଘସ୍ଥାୟୀ କରିଵାପାଇଁ ଅଧିକରୁ ଅଧିକ ବରଡା଼ରେ ବଡ଼ ବଡ଼ ପେଣ୍ଡୁ କରାଯାଉଥିଲା । ଏହି ପେଣ୍ଡୁ ତିଆରି କରିଵାପାଇଁ ତାଳପତ୍ର ବରଡ଼ାରୁ ସର୍ଵନିମ୍ନ ତିନୋଟି ପତ ଆଵଶ୍ୟକ ହେଉଥିଲା ।
ପ୍ରଥମେ ଗୋଟିଏ ବରଡ଼ାପତକୁ ଆଵଶ୍ୟକ ପେଣ୍ଡୁ ଆକାର ଆଧାରରେ ଅଣ୍ଡାକାର ଭାବରେ ମୋଡା଼ଯାଏ (ଚିତ୍ର୧) ।‌ ଅନ୍ୟ ଏକ ବରଡ଼ା ପତକୁ ସେହିପରି ସମାକାରରେ ମୋଡ଼ି ପ୍ରଥମେ ମୋଡା଼ଯାଇ ହାତରେ ଧରାଯାଇଥିଵା ବରଡ଼ାପତ ମଧ୍ୟରେ ପୁରେଇଦିଆଯାଏ (ଚିତ୍ର ୨) । ଉଭୟ ବରଡା଼ପତ ମଧ୍ୟରେ ଥିଵା ଖାଲିସ୍ଥାନ ମଧ୍ୟରେ ଆଵଶ୍ୟକ ଅନୁଯାୟୀ ଗୋଡ଼ି,କାଗଜ କିଂଵା ପତ୍ର ଦିଆଯାଏ (ଚିତ୍ର ୩) । ଏହାପରେ ତୃତୀୟ ବରଡ଼ାପତକୁ ପୂର୍ଵୋକ୍ତ ଦୁଇ ମୋଡା଼ବରଡା଼ ପତ୍ର ମଧ୍ୟସ୍ଥ ଖାଲି କଣା ଭିତରେ ପ୍ରଵେଶ କରାଯାଏ (ଚିତ୍ର ୪) ।‌ ତୃତୀୟ ବରଡା଼ ପତକୁ କିଛି ଥର ଅନ୍ୟ ଦୁଇଗୋଟି ଗୁଡା଼ଯାଇଥିଵା ବରଡା଼ପତ ଓ ଗୋଡ଼ି ମଧ୍ୟରେ ପୁରାଇଵାପରେ ତାହା ପେଣ୍ଡୁ ଆକାରର ହେଵାକୁ ଲାଗେ (ଚିତ୍ର ୫) । ଶେଷରେ ତିନୋଟି ଯାକ ବରଡ଼ାପତକୁ ସମାନ ଭାବରେ ପୁରାଇ ପେଣ୍ଡୁ ପ୍ରସ୍ତୁତ ହୋଇଥାଏ (ଚିତ୍ର ୬) ।
ବଡ଼ ବଡ଼ ଓ ଦୀର୍ଘସ୍ଥାୟୀ ପେଣ୍ଡୁ ତିଆରି କରିଵାପାଇଁ ବଡ଼ ବଡ଼ ବରଡା଼ପତ ତଥା ଗୋଟିଏ ପରିଵର୍ତ୍ତେ ଦୁଇ ଵା ତତୋଧିକ ବରଡା଼ପତ ଵ୍ୟଵହାର କରାଯାଏ । ଅର୍ଥାତ ଏହି କ୍ଷେତ୍ରରେ ତିନୋଟି ପରିଵର୍ତ୍ତେ ଛଅ ଵା ନଅଗୋଟି ବରଡ଼ାପତ ଵ୍ୟଵହୃତ ହେଉଥିଲା । କେହି କେହି ବାଳୁତମାନଙ୍କ ଚିତ୍ତ ଵିନୋଦନ ହେତୁକ ଛୋଟ ଆକାରର କ୍ଷୁଦ୍ର କ୍ଷୁଦ୍ର ବରଡ଼ାପେଣ୍ଡୁ ମଧ୍ୟ ଗଢୁ଼ଥିଲେ ।
ବରଡ଼ାପେଣ୍ଡୁ ଗଢ଼ି ନବେ ଦଶକଯାଏଁ ଢେଙ୍କାନାଳ ଜିଲ୍ଲାର ପିଲାଏ ଵିଶେଷ ଭାବରେ ଖେଳୁଥିଲେ । ଏବେ ମଧ୍ୟ ଢେଙ୍କାନାଳର ଗ୍ରାମାଞ୍ଚଳରେ ବରଡ଼ା ପେଣ୍ଡୁକରି କାଁ ଭାଁ ପିଲାଏ ଖେଳିଥାନ୍ତି ‌ । ତେବେ ଏହିଜାତୀୟ ପେଣ୍ଡୁର ହାନୀ ଓ ଲାଭ ଉଭୟ ଦିଗ ରହିଛି । ପ୍ରଥମେ ହାନୀ ଦିଗଟିକୁ ଵିଚାର କରି ଦେଖାଯାଉ । ପିଲାଏ ବରଡା଼ପେଣ୍ଡୁ ତିଆରି କରି ଖେଳୁଥିଲେ ହେଁ ଏ ପେଣ୍ଡୁ କେତେକ ସମୟ ଖେଳିଵାପରେ ଆଘାତ ବାଜି ଖରାପ ହୋଇଯାଉଥିଲା । ବରଡ଼ାପତ ଶୁଖିଗଲେ ମଧ୍ୟ ଏ ପେଣ୍ଡୁ ରଙ୍ଗହୀନ ହେଵାରୁ ପିଲାଏ ପୁରୁଣାପେଣ୍ଡୁକୁ ଛାଡ଼ି ନୂଆପେଣ୍ଡୁ ଗଢୁ଼ଥିଲେ । ବେସ୍‌ବଲ୍, ସେକା ଓ କ୍ରିକେଟ୍ ଆଦି ଖେଳ ଖେଳିଵା ପାଇଁ ତିନି ଵା ତତୋଽଧିକ ବରଡ଼ାପେଣ୍ଡୁ ଆଵଶ୍ୟକ ହେଉଥିଲା । ବରଡ଼ା ପେଣ୍ଡୁ ତିଆରି କରିଵାପାଇଁ କିଶୋର ଓ ନଵ୍ୟଯୁଵକମାନେ ଅଳ୍ପଵୟସ୍କ ତାଳଗଛର ପତ୍ର କାଟୁଥିଵାରୁ ବେଳେବେଳେ ତାଳଗଛ କ୍ଷତିଗ୍ରସ୍ତ ହେଉଥିଲା । କେବେକେବେ ପିଲାଏ ତାଳଗଛର ଧଳାରଙ୍ଗର ଗଜାପତ୍ରକୁ ନେଇ ପେଣ୍ଡୁକରୁଥିଲେ ଫଳତଃ ତାଳଗଛ ଶିଘ୍ର ଉଧେଇ ପାରୁନଥିଲା । ବରଡ଼ାପେଣ୍ଡୁରେ ଖେଳୁଥିଵାଵେଳେ ଦିହ ହାତରେ ମାଡ଼ ବସି ଦରଜ ହେଵାର ଭୟ ରହିଛି ‌ ।
ବରଡ଼ାପେଣ୍ଡୁର ହାନୀ ଭଳି ଲାଭ ମଧ୍ୟ ଅନେକ ଅଛି । ପ୍ରଥମତଃ ଏହା ପ୍ରସ୍ତୁତ କରିଵାପାଇଁ କୌଣସି ଵିଶେଷ ଯନ୍ତ୍ର ଆଵଶ୍ୟକ ହୁଏ ନାହିଁ କାରଣ ଓଡ଼ିଶାରେ ବରଡ଼ା ଓ ଗୋଡ଼ି ସର୍ଵତ୍ର ସହଜରେ ମିଳିଥାଏ । ପ୍ଲାଷ୍ଟିକ ଓ ରବର ତିଆରି ଆଧୁନିକ ପେଣ୍ଡୁ ସହଜରେ ନଷ୍ଟ ହୁଏ ନାହିଁ ଏଵଂ ଏସବୁ ପେଣ୍ଡୁକୁ ନଷ୍ଟ କରିଵା ସମୟରେ ଵିଷାକ୍ତ ଵାୟୁ ନିର୍ଗତ ହେତୁ ପରିବେଶ ପ୍ରଦୂଷିତ ହୋଇଥାଏ । କିନ୍ତୁ ବରଡ଼ା ପେଣ୍ଡୁ ପ୍ରାକୃତିକ ହୋଇଥିଵାରୁ ଏହି ସମସ୍ୟା ଦେଖାଯାଏ ନାହିଁ । ବରଡା଼ପେଣ୍ଡୁ ପୁରୁଣା ହୋଇଗଲେ ତହିଁ ମଧ୍ୟର ଗୋଡ଼ି ବାହାର କରି ତାକୁ ଜାଳ ମଧ୍ୟ କରାଯାଇପାରେ । ପ୍ଲାଷ୍ଟିକ ଓ ରବରପେଣ୍ଡୁ ହଜିଲେ ତାକୁ ବହୁତ ଖୋଜାଖୋଜି କରିଵାକୁ ହୁଏ କିନ୍ତୁ ଖେଳୁଥିଵା ସମୟରେ ବରଡ଼ାପେଣ୍ଡୁ ଲଟିଆଦିରେ ହଜିଗଲେ ତାକୁ ନ ଉଣ୍ଡି ଅନ୍ୟ ଏକ ବରଡ଼ାପେଣ୍ଡୁ ଦ୍ଵାରା ଖେଳାଯାଇପାରେ ।
ତେବେ ବରଡ଼ାପେଣ୍ଡୁ କରି ଆଜି ଆଉ ପିଲାଏ ସେତେ ଖେଳୁନାହାନ୍ତି । ଏହାର ଅନେକ କାରଣ ରହିଛି । ପ୍ରଥମତଃ ଦୂରଦର୍ଶନ ତଥା ମୋବାଇଲରେ ଗୃହମଧ୍ୟସ୍ଥ ଖେଳ ଓ ଚଳଚ୍ଚିତ୍ରାଦି ଅଧିକ ଖେଳିଵା ତଥା ଦେଖିଵା ଯୋଗୁଁ ନଗର କଥା ଛାଡ଼ନ୍ତୁ ଗ୍ରାମାଞ୍ଚଳର ପିଲା ସୁଦ୍ଧା ଆଉ ଆଗଭଳି ବାହାରେ ଖେଳାଯାଉଥିଵା ଅନେକ ଖେଳ ଖେଳନ୍ତି ନାହିଁ । ଯଦି ଵା ବାହାରେ କୌଣସି ଖେଳ ଖେଳାଯାଏ ତାହା ପ୍ରାୟତଃ କ୍ରିକେଟ୍ ନୋହିଲେ କବାଡ୍ଡି ହୋଇଥାଏ । ଦ୍ଵିତୀୟରେ ଧୀରେ ଧୀରେ ପ୍ଲାଷ୍ଟିକ ଓ ରବର ପେଣ୍ଡୁ ସୁଲଭ ମୂଲ୍ୟରେ ସବୁଆଡେ଼ ମିଳିଯାଉଥିଵାରୁ ପିଲାମାନେ ଆଉ ପରିଶ୍ରମ କରି ଶିଘ୍ର ନଷ୍ଟ ହେଇଯାଉଥିଵା ବରଡ଼ାପେଣ୍ଡୁରେ ଖେଳୁନାହାନ୍ତି ‌ ।
ଏହା କଟୁ ସତ୍ୟ ଯେ ଭାରତର ଅନେକ ପାରମ୍ପରିକ ଖେଳ ଓ ତହିଁର ଉପକରଣ ଆଜି ଲୁପ୍ତପ୍ରାୟ ଏଵଂ କାଳଗର୍ଭରେ ଦିନେ ବରଡ଼ାପେଣ୍ଡୁ ଓ ତହିଁର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ନବେ ଦଶକର ପିଲାଙ୍କ ଅଵସାନ ସହିତ ଲୋପପାଇଯିଵ ‌ । ବରଡ଼ାପେଣ୍ଡୁକୁ ଓଡ଼ିଶାର ଲୋକସଂସ୍କୃତିରେ ବଞ୍ଚାଇ ରଖିଵାର ଏକମାତ୍ର ଉପାୟ ହେଲା ପରଵର୍ତ୍ତୀ ପିଢ଼ିକୁ ବରଡ଼ାପେଣ୍ଡୁ ତିଆରି କୌଶଳ ଶିଖାଇଵାକୁ ହେଵ । ଅନ୍ୟଥା ଡୋଡୋ ପକ୍ଷୀ ପରି ଓଡ଼ିଶା ମାଟିର ପାରମ୍ପରିକ ପେଣ୍ଡୁ ବରଡ଼ାପେଣ୍ଡୁ କାଳ ଆଗରେ ପରାଜିତ ହୋଇ ଵିଲୁପ୍ତ ହୋଇଯିଵ ‌।
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago