ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଗୃହରେ ପାଳନ ହୋଇଥାଏ ଅତିକମ୍’ରେ ଚାରିଟିରୁ ପାଞ୍ଚଟି ପର୍ବ।

ସମଗ୍ର ଓଡିଶାର ପର୍ବପର୍ବାଣି ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏପରି ଏକ ପର୍ବ ହେଉଛି ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ।

ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଏହି ଦିନ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ। ଏହି ପିଠାଭୋଗରେ ସାତପରସ୍ତ ପୁର ମତାନ୍ତରେ ସାତ ପ୍ରକାର ପୁର ଦିଆ ଯାଇଥାଏ। ତେଣୁ ଏହାର ନାମ ସପ୍ତପୁରୀ ଅମାବାସ୍ୟା।

ପଶ୍ଚିମ ଓଡିଶାରେ ବିଶେଷ କରି ସୋନପୁର, ଜୁନାଗଡ଼ ଆଦି ଅଞ୍ଚଳରେ ଏହାକୁ ପୂରା ଉଆଁସ ବା କାଞ୍ଚିକୁଣ୍ଢି ପର୍ବ କୁହନ୍ତି। ଏ ଦିନ ସେଠାରେ ଛୋଟ ଛୁଆମାନେ ଗାଈ, ବଳଦ, ଘୋଡ଼ା ଆଦି କାଠ ତିଆରି ଖେଳନା ବାଉଁଶ ତିଆରି କୁଲାରେ ନେଇ ଏକ ଜାଗାରେ ଖେଳନ୍ତି। ଏହାକୁ କୌଶୀ ଅମାବାସ୍ୟା ବି କୁହାଯାଏ। ତେଣୁ କରି ପିତୃତର୍ପଣ ନିମିତ୍ତ କୁଶ ଆଜି ସଂଗ୍ରହ କରାଯାଏ। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ବିଧି ରହିଛି।

ସମଗ୍ର ଦକ୍ଷିଣ ଓଡିଶାରେ ଏହି ଦିନଟି କୁଣ୍ଢାକୁଣ୍ଢି ଅମାବାସ୍ୟା ଭାବେ ଖୁବ୍ ପରିଚିତ। ପ୍ରଥମେ କୁଣ୍ଢାକୁଣ୍ଢି ଶୁଣିଲେ ମନକୁ କୋଳାଗ୍ରତ ଅବା ଆଲିଙ୍ଗନ ଶବ୍ଦଟି ଆସେ। କିନ୍ତୁ ଏଠାରେ ଏହାର ଅର୍ଥ ତାହା ନୁହେଁ। ସାମାଜିକ ଦୃଷ୍ଟିକୋଣରୁ ଏହି ପର୍ବ ବିଶ୍ୱାସର ପର୍ବ ରୂପେ ଜଣାଯାଏ। ଏହି ଦିନ ଗୟା ଶ୍ରାଦ୍ଧ ବା ଜଗନ୍ନାଥ ଦର୍ଶନ ଲାଗି ପରିଣତ ବୟସର ଲୋକମାନେ ତିର୍ଥାଟନରେ ବାହାରୁଥିଲେ। ଯାତ୍ରା ପୁର୍ବରୁ ନିଜ ଧନ ସମ୍ପତ୍ତି ଆଦି ଅଞ୍ଚଳର ଗୁଣୀ, ଧନୀ ବା ପ୍ରତିପତ୍ତି ଥିବା ବ୍ୟକ୍ତିଙ୍କ ଘରେ ରଖି ଯାଉଥିଲେ। ପୁଣି ତୀର୍ଥରୁ ଫେରିଲେ ସେ ଜିନିଷ ସବୁ ଫେରସ୍ତ ନେଉଥିଲେ। ଦୈବାତ୍ କାହାର ଯଦି ମୃତ୍ୟୁ ହୋଇଯାଏ, ତେବେ ତାହା ଉକ୍ତ ପରିବାରର ଉତ୍ତର ଦାୟାଦ ମାନେ ପାଉଥିଲେ।

ଏହା ଆମ ସମାଜର ବିଶ୍ୱସନୀୟତାର ପରିଚାୟକ। କେହି ଯଦି ଆଗାମୀ ଦିନରେ ଏହି ନ୍ୟସ୍ତ ଧନ ଦେବାରେ ପଛଘୁଞ୍ଚା କରିପାରେ ଏଥିଲାଗି, ଏହି ଅମାବାସ୍ୟା ଦିନ ସନ୍ଧ୍ୟାରେ ନିଜ ସମସ୍ତ ଆୟଅଳଙ୍କାର ମାନ ଘରର ଝିଅ, ବୋହୂମାନଙ୍କୁ ପିନ୍ଧାଇ ସାହିରେ ସାତ ଘରେ ବୁଲାଇ ଆଣୁଥିଲେ । ଭବିଷ୍ୟତ ରେ କିଛି ମତାନ୍ତର ବା ଦ୍ଵନ୍ଦ ଉଭା ହେଲେ ସାହି ପଡୋଶୀ ସାତ ଘର ବିଶ୍ୱାସର ଏହି ପ୍ରଥାକୁ ସାକ୍ଷ୍ୟ ହିସାବରେ ରଖୁଥିଲେ।

ପ୍ରାଚୀନ ଦକ୍ଷିଣ ଓଡିଶା ଉପଭାଷାରେ କୁଣ୍ଢା ଅର୍ଥ ମାଟିହାଣ୍ଡି, କୁଣ୍ଢି ଅର୍ଥ ପନିକୀ ବୋଲି ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ମତ ଦିଅନ୍ତି। ଘରର ଯେଉଁ ବଡ଼ ଲୋକମାନେ ଏହି ଦିନ ତୀର୍ଥ ଭ୍ରମଣରେ ବାହାରନ୍ତି ସେମାନେ ସାଥୀରେ ବାଟରେ ରୋଷେଇ ପାଈଁ ହାଣ୍ଡି,ପନିପରିବା ଓ ତାକୁ କାଟିବାକୁ ପନିକୀ ଓ ଅବଶ୍ୟକ ଗୃହ ଉପକରଣ ଘେନିଯାଆନ୍ତି। ହେଲେ ଫେରିଲା ବେଳେ କେତେକ ଫେରନ୍ତି ଆଉ କେତେକ ବାହୁଡ଼ନ୍ତି ନାହିଁ। ସେହି ପୁର୍ବଜଙ୍କ ସ୍ମୃତି ଚାରଣ କରିବା ପାଇଁ ଏହି ଦିନ ଘରର ଛୋଟମାନେ ମାଟିରେ ତିଆରି ଗୃହ ଉପକରଣ ଯଥା ହାଣ୍ଡି(କୁଣ୍ଢା), ବେଲା, ଚଢୁଆ, ଗିନା, ପନିକୀ(କୁଣ୍ଢି) ମତାନ୍ତରେ ପାତ୍ର ଭଳି ଜିନିଷ ତିଆରି କରି ପୂଜା କରନ୍ତି। ତେଣୁ କରି ଏହାର ନାମ କୁଣ୍ଢାକୁଣ୍ଢି ଅମାବସ୍ୟା।

ପୁଣି ଏହି ଦିନ ଯେହେତୁ ବୟୋଜ୍ୟେଷ୍ଠ ଲୋକମାନେ ଘର ଛାଡ଼ି ଯାଆନ୍ତି, ଘରେ ଥିବା ଛୁଆମାନଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଷଠି ଠାକୁରାଣୀଙ୍କୁ ପୂଜା କରି ଘରୁ ବାହାରନ୍ତି। ସେଦିନ ଛୋଟ ଛୋଟ ଝିଅମାନେ ସଜବାଜ ହୋଇ ଦକ୍ଷିଣ ଓଡିଶାରେ ପରିଚିତ ପିଠା ଓ ମିଠା ସାହିର ସାତ ଘରେ ଗୀତ ଗାନ କରି ବାଣ୍ଟି ଥାଆନ୍ତି। ଉଖୁରଖଜା, ରାଶିଖଜା, ମୁଗୁଡ଼ିଖଜା, ଠୁଲୁକା, ପାଗଉଖୁଡା ଓ ଚଲ୍ଲା ଆଦି ଏହି ଉତ୍ସବର ପ୍ରଧାନ ପିଠାପଣା। ଗୀତ ବୋଲି ଗାଆନ୍ତି:
“ଓଡିଶାକୁ ଯିବି ବୋଲି ପିନ୍ଧିଥିଲି ପାଟ
ଓଡିଶା ର ଲୋକେ ନ ଛାଡ଼ିଲେ ବାଟ।
ଆସ ଗୋ ଗଙ୍ଗା ଯିବା, ଗୟା ଯିବା,
ଜଗନ୍ନାଥ ଦରଶନ କରିବା।।”

ଏହି ପରମ୍ପରା କେଉଁ କାଳରୁ ଦକ୍ଷିଣ ଓଡିଶାରେ ପ୍ରଚଳିତ ହୋଇ ଆସୁଅଛି। ଇତିହାସ କୁହେ ପଣ୍ଡିତ ଗୋପବନ୍ଧୁ ଦାସ ଥରେ ପ୍ରାଚୀନ ଗଞ୍ଜାମ ଜିଲ୍ଲାର ପାରଳା ସହର ଆସିଥିବା ସମୟରେ ଏହି ପର୍ବଟି ପଡ଼ିଥିଲା। ସେ ଏହି ବିଷୟରେ ଅବଗତ ନଥିଲେ, ସେଠାରେ ଥିବା ଆନନ୍ଦ ମଠରେ ଗୋପବନ୍ଧୁଙ୍କ ରହଣି ସମୟରେ କିଛି ଲୋକ ଆସି ଜାତିପ୍ରାଣ ଆପନ୍ନା ପାରିଚ୍ଛାଙ୍କୁ କିଛି ଗଣ୍ଠିଲି ଦେଇ ଯାଆନ୍ତି। ପରିଚ୍ଛା ମହୋଦୟ ତାକୁ ଏକ କଠୋରୀରେ ରଖିଆସି ଉକ୍ତ ବ୍ୟକ୍ତିଙ୍କୁ “ରହିଲା” ବୋଲି ଉତ୍ତର ଦିଅନ୍ତି। ପରେ ଏ ବିଷୟରେ ପଣ୍ଡିତ ଗୋପବନ୍ଧୁ ଆପନ୍ନାଙ୍କୁ ପଚାରନ୍ତେ ସେ କୁଣ୍ଢାକୁଣ୍ଢି ଅମାବାସ୍ୟା ବିଷୟରେ ବିସ୍ତାର କରି କୁହନ୍ତି। ଏହା ଶୁଣି ଗୋପବନ୍ଧୁ ଉକ୍ତ ପରମ୍ପରାକୁ ଆଦିମ କାଳର ” insurance” ବା ବୀମା ବୋଲି ତୁଳନା କରିଥିଲେ। ଏହି ସଂକ୍ରାନ୍ତରେ ଲେଖକ ବିଷ୍ଣୁ ଚରଣ ମହାନ୍ତି ତାଙ୍କ ସ୍ଵଲିଖିତ ପୁସ୍ତକରେ ସ୍ଥାନ ଦେଇଛନ୍ତି।

ଆଜିକାଲି ଆଉ ସେ କାଳର ବିଶ୍ଵସନୀୟତା ନାହିଁ କି ଆଉ ସେ ପ୍ରଥା ନାହିଁ । ସମୟର ପ୍ରବାହରେ ଏହି ଉଚ୍ଚ ପରମ୍ପରାଟି କ୍ଷୟ ହୋଇଛି। କର୍ପୁର ଉଡି ଯାଇଛି, କେବଳ କନା ଖଣ୍ଡେ ପଡ଼ି ରହିଲା ଭଳି କିଛି ଅଞ୍ଚଳ ରେ ଏହି ପର୍ବ କେବଳ ବିଧିକୁ ବଞ୍ଚାଇବା ପାଈଁ ନୂଆଁ ମାଟି ଖେଳନା ପୂଜା, ପିଠାପଣା ଓ ଷଠି ଠାକୁରାଣୀ ଉପାସନାରେ ସୀମିତ ହୋଇ ରହିଛି।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago