ଲେଖା: ଦେଵ ତ୍ରିପାଠୀ

‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’’ ଭକ୍ତ ସାଲବେଗଙ୍କ ଏ ଭଜନ ସହିତ ଅଜସ୍ର ବ୍ୟଥାକ୍ଳିଷ୍ଟ ଓଡ଼ିଆ ପ୍ରାଣର ଅଦମନୀୟ ଉତ୍ସରୂପେ ପ୍ରତ୍ୟହ ସନ୍ଧ୍ୟାଦୀପ ଓ ଆରତୀର ନୈବେଦ୍ୟ ଭିତରେ ଯେଉଁଠି ଓଡ଼ିଶାର ମଉଡ଼ମଣି ମହାବାହୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ଅର୍ଘ୍ୟ ଉଠେ, ସେ ସ୍ଥାନ କିନ୍ତୁ ଉପକୂଳ ଓଡ଼ିଶାର ଶାନ୍ତଶ୍ୟାମଳ ବଣଭୂଇଁ ଓ ପୁରପଲ୍ଲୀଠାରୁ ଅନେକ ଦୂରରେ । ସକାଳର ମଙ୍ଗଳ ଆରତି ଠାରୁ ରାତ୍ରିର ବଡ଼ସିଂହାର ପର୍ଯ୍ୟନ୍ତ ସେଠି ସମସ୍ତ ନୀତି ନିୟମ ଭିତରେ ଜଗନ୍ନାଥଙ୍କୁ ବାନ୍ଧି ରଖୁଛି ଭୂଗୋଳ ପୋଥିପତରରେ ନାଁ ନ ଥିବା ଗାଁଟିର ଓଡ଼ିଆଙ୍କର ଭକ୍ତପ୍ରାଣ ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅପାର। ସେ କେବେ କେଉଁଠି ନିଜ ଆସ୍ଥାନ ଜମାଇବେ ସେ କଥା ତାଙ୍କୁ ହିଁ ଗୋଚର । ସେଇଥିପାଇଁ ତ କେହି କେବେ ଚିନ୍ତା କରିନଥିବା ଏଇ ସ୍ଥାନ ଗତ କେଇବର୍ଷ ହେଲା କାରୁଣ୍ଡ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିବାଲିଛି, ତାହା ପୁଣି କଳାହାଣ୍ଡିରେ ।


ଏହି ଜିଲାର ମଦନପୁର ରାମପୁର ବ୍ଲକର ପଶ୍ଚିମକୁ ୬ କି.ମି. ଦୂରରେ ଉତ୍ତେଇ କେନାଲ କୂଳରେ ଅଛି ପତିତପାବନ ଡଙ୍ଗର (ପାହାଡ଼) । ସେଠାରେ ପ୍ରତିଷ୍ଠିତ ହୋଇଛି ଜୟ ଜଗନ୍ନାଥ ଆଶ୍ରମ ଓ ତୋଳାଯାଇଛି ବଡ଼ଦେଉଳ । ଏଠାକାର ବିଶେଷତ୍ତ୍ୱ ହେଉଛି ମହାପ୍ରଭୁଙ୍କ ପ୍ରତୀକ ଭାବେ ତିନୋଟି ପାହାଡ଼ ଉତୁଙ୍ଗ ।

କଳାହାଣ୍ଡି ଜିଲ୍ଲାର ପ୍ରାଚୀନ ନାମ କାରୁଣ୍ଡ, ତେଣୁ କ୍ଷେତ୍ରର ନାମ  କାରୁଣ୍ଡ ଶ୍ରୀକ୍ଷେତ୍ର। ସର୍ବଧର୍ମ ସମନ୍ବୟ ଜଗନ୍ନାଥ ସଂସ୍କୃତିକୁ କେନ୍ଦ୍ର କରି ଜୟ ଜଗନ୍ନାଥ ଆଶ୍ରମ ତଥା ଜୀବନଶିକ୍ଷା ବିଶ୍ବବିଦ୍ୟାଳୟ ସ୍ଥାପନା ହୁଏ ୧୯୮୩ ମସିହା ଫେବୃୟାରୀ ୨୦ ତାରିଖରେ।

ଏହି କାରୁଣ୍ଡ ଶ୍ରୀକ୍ଷେତ୍ରର ପ୍ରବେଶ ଦ୍ବାରରେ ହନୁମାନ ଓ ମା’ ସନ୍ତୋଷୀ ମନ୍ଦିର ବିଦ୍ୟମାନ। ଦ୍ୱାରଦେଶର ଅନତିଦୂରରେ ରହିଛି ବଳଭଦ୍ର ପାହାଡ଼ । ଏହି ପାହାଡ଼ର ଉଚତା ୩୪ ଫୁଟ । ଏହାର ଶିଖରରେ ପ୍ରତିଷ୍ଠା ହୋଇଛି ବଡ଼ଦେଉଳ, ଯାହାର ଗୋଲେଇ ୧୩୨ଫୁଟ ହୋଇଥିବାବେଳେ ଉଚ୍ଚତା ୬୬ ଫୁଟ । ପଞ୍ଚତଳ ବିଶିଷ୍ଟ ମନ୍ଦିରର ପ୍ରଥମ ମହଲାରେ ଭଗବାନ ରାମସୀତା ଓ ରାଧାକୃଷ୍ଣ, ଦ୍ବିତୀୟ ମହଲାରେ ଚତୁର୍ଦ୍ଧାମୂର୍ତ୍ତି, ତୃତୀୟ ମହଲାରେ ବଳଭଦ୍ର ଭଗବାନ ପୀଠାଧୀଶ, ଚତୁର୍ଥ ମହଲାରେ ମହାଯୋଗେଶ୍ବର, ପଞ୍ଚମ ମହଲାରେ କଳକୀ ଅବତାର ଓ ସବା ଉପରେ ମୁକ୍ତ ମହଲାରେ ଶୂନ୍ୟମନ୍ଦିର ପ୍ରତିଷ୍ଠା ହୋଇଛି ।

ଏହାପରେ ରହିଛି ଦେବୀସ୍ବରୂପା ବେଲଗଛ ଓ ଖଇରଗଛ ସନ୍ନିବେଶିତ ଧବଳ-ହଳଦୀ ରଙ୍ଗର ସୁଭଦ୍ରା ପାହାଡ଼। ଏହାର ଉଚ୍ଚତା ୧୨ ଫୁଟ । ତା’ପରେ ରହିଛି ୩୩ଫୁଟ ଉଚ୍ଚର କଳାରଙ୍ଗର ଜଗନ୍ନାଥ ପାହାଡ଼ । ଜଗନ୍ନାଥଙ୍କ ପ୍ରତୀକ ସ୍ଵରୂପ ଏଠାରେ ରହିଛି ଅସୁମାରୀ ବଣତୁଳସୀ ଓ ଶେଫାଳୀ ବୃକ୍ଷ । ବଡ଼ଦେଉଳରୁ ୩ କି.ମି. ଦୂରରେ ଅବସ୍ଥିତ। ଏ କ୍ଷେତ୍ରର ଉତ୍ତର ଦିଗରେ ନବଗ୍ରହ ପାହାଡ଼ ଅବସ୍ଥିତ ଓ ଏଠାରେ ୯ଟି ଶୃଙ୍ଗ ବିଦ୍ୟମାନ।

ଉକ୍ତ ପବିତ୍ର କ୍ଷେତ୍ରର ପ୍ରତିଷ୍ଠା ପଛରେ ରହିଛି ଜୟ ଜଗନ୍ନାଥ ଆଶ୍ରମର ଆଦିଆଚାର୍ଯ୍ୟ ୰ଭୋଳାନାଥ ଦାଶକର୍ମୀ ମହୋଦୟଙ୍କ ନିରବଚ୍ଛିନ୍ନ ଅଧ୍ୟବସାୟ ଓ ତ୍ୟାଗ । କ୍ଷେତ୍ରର ପ୍ରଥମ ଗଜପତି ଦିବ୍ୟସିଂହ ମାଝୀଙ୍କ ଦେହାନ୍ତ ଅନ୍ତେ ରଥଯାତ୍ରାରେ ଛେରାପହରା କରି ଆସୁଛନ୍ତି ଦ୍ଵିତୀୟ ଗଜପତି । ଏହାର ତତ୍ତ୍ଵାବଧାନ କରନ୍ତି ଆଚାର୍ଯ୍ୟପାଦ ବିଷ୍ଣୁମୋହନ ଦାଶକର୍ମୀ, ଗୁରୁମାତା ଭାର୍ଗବୀ ଦାଶକର୍ମୀ ଏବଂ ତାଙ୍କ ପୁଅ ଜଗନ୍ନାଥ ଦାଶକର୍ମୀ ।

କଳାହାଣ୍ଡି ସମେତ ବଲାଙ୍ଗୀର, ରାୟଗଡ଼ା, ସୁବର୍ଣ୍ଣପୁର, ନବରଙ୍ଗପୁର ଆଦି ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟରୁ ସମ୍ମିଳିତ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତି ରେ ରଥତ୍ରୟରେ ବିରାଜମାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥା’ନ୍ତି ।

ପୁରୀ ଦେଉଳର ନୀତି ଅନୁସାରେ ଏଠାରେ ସମସ୍ତ ନୀତି ଅନୁସୃତ ତଥା ପର୍ବପର୍ବାଣୀ ପାଳିତ ହୋଇଥାଏ। ତେବେ ଶ୍ରୀମନ୍ଦିର କେବଳ ହିନ୍ଦୁଙ୍କ ପାଇଁ ପ୍ରବେଶମୁକ୍ତ ଥିବାବେଳେ ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଙ୍କ ଲାଗି ଦ୍ଵାର ଉନ୍ମୁକ୍ତ ରହିଥାଏ ।

କଳାହାଣ୍ଡିର ଏହି କାରୁଣ୍ଡ ଶ୍ରୀକ୍ଷେତ୍ର ଯେ ଭବିଷ୍ୟତରେ ସମଗ୍ର ରାଜ୍ୟ ଓ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁ ବୋଲି ଆଶା କରିବା। 

Courtesy: ‘SAMAJA’

Images: Social Media

Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago