ଲେଖା: ରବୀନ୍ଦ୍ର କୁମାର ରଣା

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ ଗାଁରେ ଅବସ୍ଥିତ କାଙ୍କଣ ଶିଖରୀ କ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର

ଖୋର୍ଦ୍ଧାରୁ ବ୍ରହ୍ମପୁର ଯାଇଥିବା ମୁଖ୍ୟ ଜାତୀୟ ରାଜପଥର ନାଚୁଣୀ ବଜାରରୁ ମାତ୍ର ୧୧ କି.ମି. ଦୂରରେ ଚିଲିକା କୂଳରେ ଅବସ୍ଥିତ ନଈରୀ ଏକ ଐତିହାସିକ ଗ୍ରାମ । ବହୁ ପ୍ରାଚୀନ ମନ୍ଦିର ଏହି ଗ୍ରାମରେ ଅବସ୍ଥିତ ।

ଇତିହାସର ତଥ୍ଯ ଅନୁଯାୟୀ ମହାପ୍ରଭୁ ଚିଲିକାର ଏହି କୁଦ ଉପରେ ୭ ମାସ ୨୭ ଦିନ ଯାଏଁ ରହିଥିଲେ । ଏହି କୁଦର ଚାରିପଟୁ ଘେରି ରହିଛି ଚିଲିକା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ଲୁକ୍କାୟିତ ଐତିହ୍ୟ ଆକୃଷ୍ଟ କରିଥାଏ ଭକ୍ତ ମାନଙ୍କୁ । ନଈରୀ ଗ୍ରାମର ହରି-ହରେଶ୍ୱର ମନ୍ଦିର ମଣ୍ଡପକୁ ଦୁଇଥର ମହାପ୍ରଭୁ ଜଗନ୍ନାଥ ବିଜେ କରି ଲୀଳା କରିଥିଲେ । 


ମହାପ୍ରଭୁଙ୍କ ଲୀଳାରେ ଶ୍ରୀକ୍ଷେତ୍ର ବାହାରେ ନଈରୀଠାରେ ଗୋଟିଏ ଥର ରଥଯାତ୍ରା ହୋଇଥିଲା । ତିନିଟି ଶଗଡ଼କୁ ରଥ ରୂପେ ବ୍ୟବହାର କରାଯାଇଥିଲା । ନଈରୀ ଗ୍ରାମର ପୂର୍ବପଟେ ଥିବା ଜଙ୍ଗଲକୁ କାଟି ସଫାକରି ଏକ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଥିଲା, ତାହା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଗୁଣ୍ଡିଚା ମନ୍ଦିର ନିକଟରେ ସେତେବେଳେ ଖୋଳାଯାଇଥିବା ଗୁଣ୍ଡିଚା କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ମହାପ୍ରଭୁ ନଈରୀ ଗ୍ରାମର ଶ୍ରୀ ହରି ହରେଶ୍ୱର ମନ୍ଦିରରୁ ଶ୍ରୀକ୍ଷେତ୍ର ଫେରି ଆସିବା ପରେ କେବଳ ମହାପ୍ରଭୁ ବସିଥିବା ଚକାଗୁଡ଼ିକ ସେଠାରେ ପୂଜା ପାଉଛନ୍ତି । ନଈରୀରେ ବିଗ୍ରହ ନଥିବାରୁ ସେଠାରେ ରଥଯାତ୍ରା ହେଉନାହିଁ । ତେଣୁ ଗୁଣ୍ଡିଚା ଘର ଓ ଗୁଣ୍ଡିଚା କୂଅ ଅବହେଳିତ ହେଇଥିବା ସ୍ୱାଭାବିକ ।

୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିବା ସମୟରେ ମହାପ୍ରଭୁଙ୍କୁ ଭାର୍ଗବୀ ନଦୀର ଦୋବନ୍ଧା ପେଣ୍ଠରୁ ଚିଲିକା ବାଟଦେଇ ନଈରୀ ଗ୍ରାମର ଶ୍ରୀ ହରି-ହରେଶ୍ଵର ମନ୍ଦିର ମଣ୍ଡପରେ ଗୋପନରେ ବିଜେ କରାଯାଇଥିଲା । ଏହି ମନ୍ଦିର ହରି ଓ ହରଙ୍କର ମିଳିତ ଉପାସନାର ଏକ ଐତିହ୍ୟପୂର୍ଣ୍ଣ ନିଦର୍ଶନ । ମନ୍ଦିରର ଦକ୍ଷିଣରେ ଶ୍ରୀନୃସିଂହ ମନ୍ଦିର ରହିଛି ।

ସେତେବେଳେ ପ୍ରଥମେ ମହାପ୍ରଭୁଙ୍କୁ ଏହି ମନ୍ଦିରର ମଣ୍ଡପରେ ବିଜେ କରାଯାଇ ସେଠାରୁ ୧କି.ମି. ଦୂରରେ ଚିଲିକା ଭିତରେ ଥିବା କାଙ୍କଣ ଶିଖରୀ ବା କାଙ୍କଣ କୁଦ ଦ୍ଵୀପରେ ନେଇ ପୂଜା କରାଗଲା । ସେବକମାନେ ନାଆରେ ଯାଇ କାଙ୍କଣ କୁଦରେ ମହାପ୍ରଭୁଙ୍କର ସେବାକାର୍ଯ୍ୟ ସମ୍ପନ୍ନ କରୁଥିଲେ । ଏହି କୁଦରେ ପ୍ରଚୁର କାଙ୍କଣ ଫଳୁଥିଲା । ମହାପ୍ରଭୁଙ୍କର ଗୋପନ ଲୀଳା କାଳରେ ସେବକଗଣ କାଙ୍କଣ ରାନ୍ଧି ମଣୋହି କରିଥିଲେ । ତେଣୁ ଏଠାରୁ କେହି କାଙ୍କଣ ତୋଳି ଖାଇନଥାନ୍ତି । ଏବେବି ଏହା ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ବୋଲି ବିଶ୍ୱାସ କରାଯାଉଛି । ମହାପ୍ରଭୁଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିରରେ ବିଜେ କରାଯିବା ପରେ ନନ୍ଦିଘୋଷ ରଥର ଏକ ଚକା କାଙ୍କଣ ଶିଖରୀ ଠାରେ ପୂଜା କରାଯାଉଛି । ପ୍ରତି ଥର ନବକଳେବର ସମୟରେ ଏହି ଚକାକୁ ବଦଳା ଯାଇଥାଏ ।


କାଙ୍କଣ ଶିଖରୀ ଛୋଟ କୁଦଟିଏ । ଚିଲିକା କୂଳରୁ ମାତ୍ର ୫୦୦ ମିଟର ଚିଲିକା ଭିତରେ ଜାଗାଟି ।  ଯିବା ପାଇଁ ମୋଟରବୋଟ୍ ଆଦିର ସୁବିଧା ଅଛି । ଜଣ ପ୍ରତି ମାତ୍ର ୨୦ଟଙ୍କା ଦେଇ ଯାଇ ହେବ । ସେଠାରେ ପ୍ରତିଦିନ ଦୁଇ ଜଣଙ୍କ ପାଇଁ ଅନ୍ନପ୍ରସାଦ ଠାକୁରଙ୍କ ପାଖରେ ଭୋଗ କରାଯାଏ । ଯେ କେହି ସେଇ ଅନ୍ନ ପ୍ରସାଦକୁ କିଣି ପ୍ରସାଦ ପାଇ ପାରିବେ । 

କାଙ୍କଣ ଶିଖରୀ କୁଦ ଭିତରେ ଗାଁଗଣ୍ଡା ନାହିଁ କେବଳ ଠାକୁରଙ୍କ ପୀଠ ଓ ରହିବା ପାଇଁ ଧର୍ମଶାଳା ରହିଛି । ଏଠାରେ ଥିବା ମନ୍ଦିର କାନ୍ଥରେ ପବିତ୍ର ମାଦଳା ପାଞ୍ଜିର କିଛି ଅଂଶ ଲିପିବଦ୍ଧ କରାଯାଇଛି, ତାହା ଏହିପରି, “ସିଂହ ୧୨ ଦିନେ ଶ୍ରୀଛାମୁ ଚିଟାଉ ପ୍ରମାଣେ ବଡ ପରିଛା ପରମାନନ୍ଦ ମହାପାତ୍ରେ, ସାନପରୀଛା ପଶ୍ଚିମ କବାଟ ମହାପାତ୍ର ଦୁଇଜଣ ଅଧିକାରେ ପରମେଶ୍ଵରଙ୍କୁ ନିଳାଦ୍ରି ସିଂହାସନ ଛଡ଼ାଇ ଚଉଦୋଳରେ ବିଜେ କରାଇ ଦୋବନ୍ଧା ଠାରେ ଚାପରେ ବିଜେ କରାଇ ଚିଲିକା ପାରହୋଇ ବାଣପୁର ନଇରୀଠାରେ ହରୀଶ୍ୱର ମଣ୍ଡପରେ ବିଜେ କରାଇଲେ । ୧୦ ଅଙ୍କ କୁମ୍ଭ ୧୮ ଦିନେ ନବାବ ମହମ୍ମଦ ଖାଁ ଖୋରଧା ଘେନିବାକୁ ନୂଆଗଡ଼ ବିଜେ କଲେ । ପରମେଶ୍ବରଙ୍କୁ ନଇରୀ ହରୀଶ୍ୱରଙ୍କ ମଣ୍ଡପରୁ ବିଜେ କରାଇ ଚଉଦୋଳ ସହିତ କରି ଚାପରେ ବିଜେ କରାଇଲେ । ଖଲିକୋଟ ସୀମା ଟିକିଲି ବିଜେ କରାଇଲେ । ପୁନଶ୍ଚ ଶ୍ରୀ ଠାକୁର ପରମେଶ୍ଵରଙ୍କୁ ଟିକିଲି ଠାରୁ ବିଜେ କରାଇ ଆଣି ଶ୍ରୀଗୁଣ୍ଡିଚା ଯାତ୍ରା କଲେ । କଟକରୁ ଦଶରଥ ଖାଁ ଅଇଲେ । ଏ ମହାରାଜାଙ୍କ ୧୧ ଅଙ୍କ ବିଛା ୨୪ ଦିନ ପରମେଶ୍ବରଙ୍କୁ ନୀଳାଦ୍ରୀ ସିଂହାସନ ଛଡାଇ ନଈରୀ ହରୀଶ୍ୱରଙ୍କ ମଣ୍ଡପରେ ବିଜେ କରାଇଲେ । ଧନୁ ୨୯ ଦିନେ ନବାବ ରସୁଣ ଖାଁ ଆସି ଖୁରୁଧା ଘେନିଲାକୁ ପରମେଶ୍ବରଙ୍କୁ ନଈରୀରୁ ଆଠଗଡ଼ ସୀମାରେ ମାରଦା ବିଜେ କରାଇଲେ”। 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago