ଲେଖା: ଦେଵ ତ୍ରିପାଠୀ
୧୮୭୫ ମସିହା । ତତ୍କାଳୀନ ଭାରତ ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶ ପାଇଥିଲା ‘The Antiquities of Orissa‘ ନାମକ ଦୁଇଭାଗ ବିଶିଷ୍ଟ ଏକ ମହାର୍ଘ ପୁସ୍ତକ । ଏଇ ପୁସ୍ତକରେ ପ୍ରାମାଣିକ ଭାବେ ଓଡ଼ିଶାର ଅତୁଳନୀୟ ପ୍ରାଚୀନ କୀର୍ତ୍ତିରାଜି ଉପରେ ମନନ ଗବେଷଣାତ୍ମକ ଆଲୋଚନାମାନ ଉପସ୍ଥାପନ କରି ଦେଶୀୟ ତଥା ପାଶ୍ଚାତ୍ୟ ପଣ୍ଡିତମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ଜଣେ ବଙ୍ଗାଳୀ ପଣ୍ଡିତ ।
ସୂଚନାଯୋଗ୍ୟ ଯେ ଭାରତର ପ୍ରତ୍ନତତ୍ତ୍ଵ ଓ ଭାସ୍କର୍ଯ୍ୟ ଉପରେ ନିର୍ଦ୍ଦିଷ୍ଟ ଗବେଷଣା ପାଇଁ ତତ୍କାଳୀନ ଲଣ୍ଡନର Royal Society of Art ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତେ, ସରକାର ବଙ୍ଗଳା ପ୍ରେସିଡେନ୍ସିଙ୍କୁ ପ୍ରଚୁର ଅର୍ଥ ସହିତ ଏ ଗବେଷଣା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସମଗ୍ର ବଙ୍ଗଳା ପ୍ରେସିଡେନ୍ସିରେ ଏକମାତ୍ର ଓଡ଼ିଶା ବ୍ୟତୀତ ଅନ୍ୟ କୌଣସିଠାରେ ପ୍ରତ୍ନତତ୍ତ୍ଵ ଓ ଭାସ୍କର୍ଯ୍ୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପ୍ରାଚୀନ ମନ୍ଦିର ଅଥବା ଐତିହାସିକ କୀର୍ତ୍ତି ନ ଥିଲା ! ସେ ନିମନ୍ତେ କୋଣାର୍କ, ଭୁବନେଶ୍ୱର ଇତ୍ୟାଦି ସ୍ଥାନର ମନ୍ଦିର ତଥା କୀର୍ତ୍ତିରାଜିର ସାଂସ୍କୃତିକ ଓ ଐତିହାସିକ ପୃଷ୍ଠଭୂମି ଗବେଷଣା ସହିତ ଓଡ଼ିଶାର ପ୍ରାଚୀନ ଇତିହାସ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଓଡିଶା ମାଟିକୁ ପ୍ରେରିତ ହୋଇଥିଲେ ସେଇ ବଙ୍ଗାଳୀ ପଣ୍ଡିତ ।
ଅତୀତର ଏକ ‘ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟ‘ ଉପରେ ଅଶ୍ରୁତର୍ପଣ କରୁଥିବା କେତେକ ପ୍ରାଚୀନ ଧ୍ୱଂସାବଶେଷର ବିବରଣୀ (Some of the relics of the Past, weeping over a lost Civilisation and an estinguished grandeur) ପ୍ରଦାନ କରିଥିବା ସେଇ ପଣ୍ଡିତ ଜଣକ ସେ ପୁସ୍ତକରେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ଓଡ଼ିଶାର ସୀମା ଏକଦା ଉତ୍ତରରେ ହୁଗୁଳୀ ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତିର ଗର୍ବିତ ସ୍ପନ୍ଦିତ ଗାଥା ! ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରେ ଓଡ଼ିଶା ଭୂଖଣ୍ଡର ଇତିହାସକୁ ଚିହ୍ନିବାରେ କୋୖଣସି ତ୍ରୁଟି କରି ନ ଥିଲେ ସେ ପଣ୍ଡିତ ରାଜେନ୍ଦ୍ରଲାଲ ମିତ୍ର !
ବିଶ୍ୱବାସୀଙ୍କ ନିକଟରେ ଓଡ଼ିଶାମାଟିର ମହାନ ଇତିହାସକୁ ଯେପରି ପରିଚିତ କରାଇପାରିଥିଲେ, ସେଥି ନିମନ୍ତେ ଓଡ଼ିଆ ଜାତି ସେ ପଣ୍ଡିତଙ୍କୁ ମୁଣ୍ଡରେ ବସାଇଥାନ୍ତା, ପାଦଧୋଇ ପାଣି ପାଇଥା’ନ୍ତା !
କିନ୍ତୁ ସେ ପଣ୍ଡିତ ଜଣକ ଥିଲେ ଜଣେ ବଙ୍ଗାଳୀ !
ନିଜର ଗଭୀର ଅଧ୍ୟବସାୟ ବଳରେ କଳିପାରିଥିବା ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟର ଧ୍ୱଂସାବଶେଷ ସବୁ ଯେପରି ତାଙ୍କୁ ଉତ୍ତରାଧିକାରୀ ବିହୀନ ସମ୍ପତ୍ତି ବୋଲି ପ୍ରତ୍ୟୟ ହେଉଥିଲା !
ଗବେଷଣାରୁ ଜାତ ମହାନ ଇତିହାସକୁ ଦେଖି ମନ ଭିତରେ ଗଜରୁଥିଲା ଇର୍ଷା, ହୃଦୟରେ ସଞ୍ଚରୁଥିଲା ହଳାହଳ ବିଷ ଏଇ ନିରୀହ ଜାତିଟା ପ୍ରତି ! ରୂପ ବଦଳାଇଲେ ସେ ବଙ୍ଗାଳୀ ପଣ୍ଡିତ !
ସେଇ ମହାନ ତଥା ‘ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟ’ର ଉତ୍ତରାଧିକାରୀ ପାଇଁ ଲାଳାୟିତ ଧୂର୍ତ୍ତ ପଣ୍ଡିତ ରଚିଲେ ଷଡ଼ଯନ୍ତ୍ର ! ପଣ୍ଡିତଙ୍କ ହୀନଚକ୍ଷୁକୁ ଦିଶୁଥିଲା କଟକ, ବାଲେଶ୍ଵର, ପୁରୀ ପରି ତିନୋଟି ଜିଲ୍ଲାକୁ ନେଇ ବକଟେ ବୋଲି ରାଜ୍ୟ ଯାହାର ଲୋକସଂଖ୍ୟା କୋଡ଼ିଏ ଲକ୍ଷ ଟପିବ ନାହିଁ ! କୋଡ଼ିଏ ଲକ୍ଷ ଅପରିଚ୍ଛନ୍ନ ଓ ଅମାର୍ଜିତ (ସେଇ ଧୂର୍ତ୍ତ ପଣ୍ଡିତଙ୍କ ଭାଷାରେ) ଲୋକଙ୍କ ପାଇଁ ପୁଣି ଗୋଟିଏ ଭାଷାର କି ପ୍ରୟୋଜନ ! ଓଡ଼ିଆଏ ବଙ୍ଗଭାଷୀ ହୋଇପାରିଲେ ସେଇ ‘ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟ’ର ଉତ୍ତରାଧିକାର ପଣ୍ଡିତଙ୍କ ଭାଷାଭାଷୀମାନଙ୍କୁ ଅକ୍ଳେଶରେ ମିଳିଯିବାର କୁତ୍ସିତ ଭାବନା ଉଦିତ ହୋଇଥିଲା ତାଙ୍କ ମାନସପଟରେ !
ଧୂର୍ତ୍ତ ରାଜେନ୍ଦ୍ରଲାଲଙ୍କୁ ଏ ବେଳରେ ସମର୍ଥନ କରିଥିଲେ ଜଣେ ଗୃହଶତ୍ରୁ କଟକୀ ବଙ୍ଗାଳୀ ଆଇନ ଅଧ୍ୟାପକ ରାଜକୃଷ୍ଣ ମୁଖୋପାଧ୍ୟାୟ ଏବଂ ଜଣେ କଲିକତିଆ ବଙ୍ଗାଳୀ ଉମାଚରଣ ହାଲଦାର୍ ! ସେମାନେ ଭାବି ସ୍ଥିର କରିଥିଲେ ଯେ ରାଜେନ୍ଦ୍ରଲାଲ ପରି ଜଣେ ସରକାରୀ ପଣ୍ଡିତ ଯଦି ଓଡ଼ିଆ ଭାଷାର ବିଲୋପ ସମ୍ପର୍କରେ କଟକ ମାଟିରେ ଆସି ପ୍ରାମାଣିକ ମତମାନ ପ୍ରକାଶ କରିଦିଅନ୍ତି, ତେବେ ସେମାନଙ୍କ ପକ୍ଷେ ତାହା ଅନୁକୂଳ ହେବ ଏବଂ ଓଡ଼ିଆ ଭାଷାସମର୍ଥକମାନେ ତାଙ୍କର ପ୍ରତିବାଦ କରି ନ ପାରି ନିରବ ହୋଇ ବସିଯିବେ !
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…