ମହାମନିଷୀଗଣ

ଓଡ଼ିଆ ଭାଷାସଂଗ୍ରାମର ଅଜେୟ ଯୋଦ୍ଧା: ସେନାପତି ଫକୀରମୋହନ (Fakirmohan)

ଲେଖା: ଦେଵ ତ୍ରିପାଠୀ

କର୍ମଵୀର ଗୌରୀଶଙ୍କର ଓ ଉତ୍କଳ ଦୀପିକାର ନିରବଚ୍ଛିନ୍ନ ସାଧନା ଏ ମାଟିରୁ ବଙ୍ଗଳା ଭାଷାଭାଷୀଙ୍କର ଓଡ଼ିଆମାରଣ ଚକ୍ରାନ୍ତର ପଣ୍ଡ ହୋଇଥିଲା ସତ ! ତେବେ ଓଡ଼ିଆଙ୍କ ମାନସିକତାରେ ବସା ବାନ୍ଧି ସାରିଥିଲା ବଙ୍ଗଳା ଭାଷା ! ଓଡ଼ିଆଙ୍କ ଦୈନନ୍ଦିନ ଜୀବନ ଓ ଚଳଣିରେ ଥିଲା ବଙ୍ଗାଳୀପଣ !

କର୍ମଵୀରଙ୍କ ସାଧନାର ଫଳସ୍ବରୂପ ଓଡ଼ିଆଙ୍କ ଜୀବନାକାଶରେ ଅସ୍ମିତାର ସୂର୍ଯ୍ୟ ଉଇଁ ଆସିଥିଲେ ମଧ୍ୟ, ସେ ଯୁଗସନ୍ଧିରେ ତତ୍କାଳୀନ ନବ୍ୟ ସଭ୍ୟ ଇଂରାଜୀ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀଙ୍କ ମଧ୍ୟରେ ଦୃଶ୍ୟମାନ ଥିଲା ଏକ ପରିବର୍ତ୍ତନର ଧାରା ! ସରକାରୀ କର୍ମପ୍ରାପ୍ତି ନିମନ୍ତେ ଇଂରାଜୀ ଶିକ୍ଷାକୁ ଯୋଗ୍ୟତାର ମାନଦଣ୍ଡର ସ୍ବୀକୃତିପ୍ରାପ୍ତି ଯୋଗୁଁ ନୂତନ ଶିକ୍ଷିତ ଗୋଷ୍ଠୀ ଥିଲେ ଇଂରାଜୀ ପ୍ରତି ବ୍ୟାକୁଳ, ଅଥଚ ଏ ମାଟିର ଭାଷା ପ୍ରତି ସତତ ବିମୁଖ !

ଇଂରେଜ ସମାଜର ଇତିହାସ ଅବା ଗାରିମାର ଗାଥା ଗାଇ ସେମାନେ ନିଜକୁ ପଣ୍ଡିତ ବୋଲାଉଥିଲେ ସିନା, ନିଜ ମାଟିର କଥା, ବାପଅଜା ଚଉଦପୁରୁଷର ଅତୀତର କଥା, ସଂସ୍କୃତି, ପରମ୍ପରା, ଐତିହ୍ୟର ଗାଥା ଗାଇବାକୁ ସେମାନେ ଥିଲେ ପରାଙ୍ମୁଖ ! ବିକୃତ ଶିକ୍ଷାନୀତିର ପ୍ରଭାବରେ ସେମାନେ ଥିଲେ ପାଶ୍ଚାତ୍ୟ ମୁଖୀ, ଅଥଚ ଆତ୍ମମର୍ଯ୍ୟାଦାହୀନ ! ସେଇ ଆତ୍ମମର୍ଯ୍ୟାଦାହୀନ ତଥା ମାନସିକ ସ୍ତରରେ ଦୁଃସ୍ଥ ମଧ୍ୟବିତ୍ତ ଜନତାଙ୍କ ଜୀବନର ଅସ୍ମିତାର ବାର୍ତ୍ତାବହ ସାଜିଥିଲା ଉତ୍କଳ ଦୀପିକା ! ମାତ୍ର ସେହି ନବ୍ୟଶିକ୍ଷିତ ମାନଙ୍କ ମନ ଓ ହୃଦୟରେ ଓଡ଼ିଆ ଭାଷା ନିମନ୍ତେ ଆବେଗ ଜନ୍ମାଇବାର ଆବଶ୍ୟକତା ଅନୁଭବ କରୁଥିଲା ବାଲେଶ୍ଵର ମାଟିର ଉଚ୍ଚାକାଙ୍କ୍ଷୀ ସ୍ବାଭିମାନୀ ଯୁବକ ଜଣେ !


ପ୍ରତିବେଶୀ ବଙ୍ଗଭାଷୀମାନଙ୍କ ଓଡ଼ିଆ ଭାଷା ମାରଣ ପ୍ରକ୍ରିୟା ମଧ୍ୟରେ ସେ ଯୁବକ ଜଣକ ମଧ୍ୟ ଅନୁଧ୍ୟାନ କରିଥିଲା ସେଇ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ସାମୂହିକ ଉଦ୍ୟମ ଓ ଯୋଜନା ! ସେ ଭାଷା ସାହିତ୍ୟର ଉନ୍ନତି କଳ୍ପେ ବ୍ରିଟିଶ ସରକାରଙ୍କ ବଙ୍ଗାଳୀ ପଦାଧିକାରୀମାନେ ଗଢ଼ି ପାରିଥିଲେ ଏକାଧିକ ସାହିତ୍ୟ ବିକାଶ ସମିତି ! ମାତ୍ର ଉତ୍କଳ ମାଟିରେ ସେସବୁର ଅଭାବ ଦେଖି ବ୍ୟଥିତ ହେଉଥିଲା ସେଇ ୨୭ ବର୍ଷୀୟ ଯୁବକ ଜଣକ !ବଙ୍ଗଳା ଭାଷାରେ ଯେପରି ଦିନକୁ ଦିନ ନୂତନ ପୁସ୍ତକମାନ ପ୍ରକାଶିତ ହେଉଛି, ଉତ୍କଳର ଭାଷାରେ କ’ଣ ସେପରି ପୁସ୍ତକ ପ୍ରକାଶନ ହୋଇ ପାରିବ ନାହିଁ ?ଲୋକାଭିମୁଖୀ ସାହିତ୍ୟର ସୃଷ୍ଟି ବ୍ୟତୀରକେ କି ଉନ୍ନତି ବା ହେବ ମାତୃଭାଷାର ?ମାତୃଭାଷା ଯଦି ଅବହେଳିତ ହୁଏ, ତେବେ କି ଭାଷା ପ୍ରତି ଶତ୍ରୁଙ୍କ ବିପଦର ଆଶଙ୍କା ହଟିଯିବ ?

ମାତୃଭାଷାର ଉନ୍ନତି ବିନା, କ’ଣ ଏ ଜାତି ଅବଜ୍ଞାତ ହୋଇ ରହିଯିବ ?

ଯୁବକର ମନରେ ଦିବାନିଶି ଗୋଟିଏ କଥା, ଗୋଟିଏ ଭାବନା, ମାତୃଭାଷା ଓଡ଼ିଆର ଉନ୍ନତି !

ମାତୃଭାଷାର ବିକାଶ ଲକ୍ଷ୍ୟରେ ପ୍ରାଣପାତ ଉଦ୍ୟମ ନିମନ୍ତେ ସେ ନେଲା ଦୃଢ଼ ସଙ୍କଳ୍ପ !

ଶିକ୍ଷିତ ଓଡ଼ିଆଙ୍କ ମଧ୍ୟରେ ଭାଷାପ୍ରେମ ଜାଗ୍ରତ ନିମନ୍ତେ ସେ ହେଲା ପ୍ରତିଜ୍ଞାବଦ୍ଧ !

ଓଡ଼ିଶା ମାଟିରୁ ମିଶନାରୀ ସାହିତ୍ୟ, ପାଦ୍ରୀମାନଙ୍କର ବିକୃତ ସୃଷ୍ଟି ତଥା ଓଡ଼ିଆ ଗଦ୍ୟ ସାହିତ୍ୟରୁ ବଙ୍ଗଳା ଭାଷାର ଯଥେଚ୍ଛା ବ୍ୟବହାରକୁ ସମୂଳେ ଧ୍ୱଂସ କରିବାପାଇଁ ସେ ଉଠାଇଲା ଅମୋଘ ଅସ୍ତ୍ର !

ଓଡ଼ିଆ ଗଦ୍ୟସାହିତ୍ୟକୁ ସୁଷମାମଣ୍ଡିତ ଓ ସମୃଦ୍ଧିସମ୍ପନ୍ନ କରିବା ନିମନ୍ତେ ସେ ମଜ୍ଜିଗଲା ନିରବଛିନ ସାଧନାରେ !

ନିଜ ପେଟପାଟଣା ପାଇଁ ବ୍ୟଗ୍ରତା ଓ ଚିନ୍ତା ମଧ୍ୟରେ ମାତୃଭାଷାର ଉନ୍ନତି କଳ୍ପେ ସାହିତ୍ୟ ସର୍ଜନା ପାଲଟିଗଲା ତାର ଧର୍ମ !

ସେ ସମୟରେ ବଙ୍ଗବାସୀଙ୍କ ଜୀବନରେ ପ୍ରଭୂତ ପ୍ରଭାବ ବିସ୍ତାର କରି ପାରିଥିବା ପଣ୍ଡିତ ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କ ରଚିତ ଜୀବନଚରିତ ସଂକଳନ ଥିଲା ବଙ୍ଗାଳି ଛାତ୍ରମାନଙ୍କ ଚରିତ୍ର ଗଠନ ନିମନ୍ତେ ଉପଯୁକ୍ତ l ପଣ୍ଡିତଙ୍କ ଠାରୁ ଅନୁବାଦର ଅନୁମତି ନେଇ ସେସବୁକୁ ମାତୃଭାଷାରେ ଅନୁବାଦ କରି ସେଇ ପଣ୍ଡିତ ଈଶ୍ବରଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ପତ୍ରିକା ସମେତ ଅନ୍ୟାନ୍ୟ ପତ୍ରିକାରେ ପ୍ରକାଶ କରିବା ପାଇଁ ଲେଖାମାନ ପଠାଇ ଚାଲିଲେ ଯୁବକ ଜଣକ I ବଙ୍ଗଳା ପତ୍ରିକାରେ ଓଡ଼ିଆ ଭାଷାରେ ରଚିତ ଲେଖାଗୁଡ଼ିକର ପ୍ରକାଶଶନର କୌଣସି ଯୁକ୍ତି ନ ଥିବା ସତ୍ତ୍ୱେ ପଣ୍ଡିତ ଈଶ୍ବରଚନ୍ଦ୍ରଙ୍କ ଲେଖଗୁଡିକର ଅନୁବାଦ ସୃଷ୍ଟିକୁ ଆଡେଇ ଦେଇ ପାରି ନ ଥିଲେ ବଙ୍ଗଳାର ଗୁଣୀ ପତ୍ରିକା ସମ୍ପାଦକମାନେ !

ବଙ୍ଗଳା ପତ୍ରିକାରେ ଓଡ଼ିଆ ଅନୁବାଦ ପ୍ରକାଶ କରାଇ ଯୁବକ ଜଣକ ଆରମ୍ଭ କରି ଦେଇଥିଲା ନିଜର ମସୀଯୁଦ୍ଧ ! ପଡୋଶୀ ବଙ୍ଗାଳିମାନଙ୍କୁ ନିଜ ଲେଖା ମାଧ୍ୟମରେ ଦେଇଥିଲା ବାର୍ତ୍ତାଟିଏ, “ଏବେ ଜାଗିଉଠିଛି ଓଡ଼ିଆ ଜାତି ! ତୁମେମେନେ ବି ପ୍ରସ୍ତୁତ ହୋଇଯାଅ ଯୁଦ୍ଧ ପାଇଁ !“

ସମସ୍ତ ପ୍ରକାରର ପ୍ରତିବନ୍ଧକ ସତ୍ତ୍ୱେ ଈଶ୍ବରଚନ୍ଦ୍ରଙ୍କ ଜୀବନଚରିତର ଅନୁବାଦଗୁଡିକୁ ସେ ଯୁବକ ପ୍ରକାଶ କରାଇ ପାରିଲା, ଓଡ଼ିଆ ଛାତ୍ରଙ୍କ ଅଧ୍ୟୟନ ନିମନ୍ତେ ! ଅପର ପକ୍ଷରେ ପଣ୍ଡିତଙ୍କ ସ୍ୱରଚିତ ଜୀବନଚରିତ ତାଙ୍କ ଭାଷାରେ ପ୍ରକାଶିତ ହେଲା ପ୍ରାୟ ୨୦/୨୧ ବର୍ଷ ପରେ !

ବଙ୍ଗାଳୀଙ୍କ ସହ ଭାଷାକୁ ନେଇ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧରେ ଯୁବକ ଜଣକ ଥିଲା କେଇ ପାଦ ଆଗରେ !

ଓଡ଼ିଆ ସାହିତ୍ୟର ନବ ଆକାଶରେ, ନୂତନ ଦେଶ ଆବିଷ୍କାର ନିମନ୍ତେ ଦୁଃସାହସିକ ଅଭିଯାନ ପରି ପ୍ରାଚୀନ ଶାସ୍ତ୍ରସାହିତ୍ୟର ପୁନରୁଦ୍ଧାର, ସଂସ୍କୃତ ଗ୍ରନ୍ଥ ମାନଙ୍କର ଅନୁବାଦ, ନବଯୁଗର ଶିକ୍ଷା ଉପଯୋଗୀ ପାଠ୍ୟପୁସ୍ତକ ରଚନା ପରି ସାହସିକ ପଦକ୍ଷେପ ଗ୍ରହଣ କରି ସେ ଯୁବକ ବନିଗଲେ ଓଡ଼ିଆ ଭାଷାସଂଗ୍ରାମର ଅଜେୟ ଯୋଦ୍ଧା । ଓଡ଼ିଆ ଗଦ୍ୟ ସାହିତ୍ୟରେ ନବଜାଗରଣ ଅବତାରଣା କରି ସେଇ ସାଧାରଣ ଯୁବକ ଜଣକ ହୋଇଉଠିଲେ ଓଡ଼ିଆ ଭାଷା ସୁରକ୍ଷା ଓ ବିକାଶ ଆନ୍ଦୋଳନର ପ୍ରଧାନ ସେନାପତି ! ତାଙ୍କ ଉଦ୍ଗତ ମସୀରୁ ନିର୍ଗତ ହେଲା ଭାରତ ଭୂଖଣ୍ଡର ପ୍ରଥମ କ୍ଷୁଦ୍ରଗଳ୍ପ ।

ସେଇ ସେନାପତି ଫକିରମୋହନଙ୍କ ହାତରେ ହିଁ ସ୍ବଦେଶପ୍ରେମ, ସ୍ବଜାତିପ୍ରୀତି ସମ୍ବଳିତ ଅନନ୍ୟ ଗୌରବମଣ୍ଡିତ ମନୋରମ ରସସିକ୍ତ ସାହିତ୍ୟ ସୃଷ୍ଟି ହୋଇ ଓଡ଼ିଆ ଗଦ୍ୟସାହିତ୍ୟ ପାଇଁ ନୂତନ ପରିଚୟ ସୃଷ୍ଟି କରିବାକୁ ଯାଉଥିଲା ।

ଧୀରେ ଧୀରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭି ଆସୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟ ଉତ୍ସ ସେ ମହାସ୍ରୋତରେ ସାମିଲ ହେଉଥିଲେ । ସେ ସ୍ରୋତରେ ଥିଲେ କବିବର, ଗଙ୍ଗାଧର, ଭକ୍ତକବିଙ୍କ ପରି କେତେ କେତେ ସାହିତ୍ୟରଥୀ । ସେହି ମହାନ ପରାକ୍ରମୀ ମସୀଧାରୀଙ୍କ ପାଣ୍ଡିତ୍ୟ, ଗାରିମା ଓ ଭାଷାଶିଳ୍ପର ମହିମାର ଔଜଲ୍ୟରେ ଝାଉଁଳି ପଡୁଥିଲା ଧୂର୍ତ୍ତ ବଙ୍ଗାଳୀ ସାହିତ୍ୟକଙ୍କ ଦର୍ପ, ଏବଂ ବିଜ୍ଞ ବଙ୍ଗାଳୀ ଓ ଅନ୍ୟାନ୍ୟ ଭାଷା ସାହିତ୍ୟିକମାନେ ହେଉଥିଲେ ତାଙ୍କ ପ୍ରଶଂସାରେ ଶତମୁଖ । ଏକାକୀ ସୈନିକରୁ ସେ ବନିଯାଉଥିଲେ  ଓଡ଼ିଆ ଭାଷାସାହିତ୍ୟର ଭଗୀରଥ !

ଉତ୍କଳ ଜନନୀଙ୍କ ମୁଖମଣ୍ଡଳରେ ହଜିଯାଇଥିବା ହସ ଫେରି ଆସୁଥିଲା ! ଦୂର ଦେଶରେ ଥାଇ ସବୁ ଅନୁଧ୍ୟାନ କରି ଭାବୁଥିଲା ଆଉ ଜଣେ ଓଡ଼ିଆ ପୁଅ, ଦୀର୍ଘଶ୍ୱାସ ପକାଇ ! ଉତ୍କଳ ଜନନୀଙ୍କ ଆଶିଷରୁ ଫକୀରମୋହନ କର୍ତ୍ତୃକ ସାହିତ୍ୟ ଯୋଦ୍ଧାଙ୍କ ବଳରେ ଆଜି ଓଡ଼ିଆ ଭାଷା ବଳୀୟାନ, ସମୃଦ୍ଧ !

କିନ୍ତୁ ତା’ ପରେ ?

ତାଙ୍କ କ୍ଷୋଭକୁ ପଢ଼ିପାରି ଗୌରୀଶଙ୍କର ଲେଖିଥିଲେ ଉତ୍ତରଟେ ! “ଏ ମାଟିରେ ତୁମର ଉପସ୍ଥିତି ଆଜି ସତତ ଆବଶ୍ୟକ ! ଫେରିଆସ ତୁମେ ନିଜ ମାଟିକୁ” !

ଗୁରୁ ଆଜ୍ଞା ମାନି ସବୁ କ୍ଷୋଭ, ଅଭିମାନକୁ ପଛରେ ପକାଇ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲା ସେ ଓଡ଼ିଆପୁଅ ! ଓଡ଼ିଆଙ୍କ ମନରେ ଦମ୍ଭ ଓ ସାହସର ସୌଧ ଗଢ଼ିବା ପାଇଁ ଲେଉଟି ଆସୁଥିଲେ ଏ ଜାତିର ଗାଲମାଧବ !

ଉଦବିଗ୍ନ ହୋଇ ଉତ୍କଳ ଜନନୀ ଅପେକ୍ଷା କରିଥିଲେ, ଲେଉଟି ଆସୁଥିବା ସନ୍ତାନକୁ କୋଳେଇ ନେବା ପାଇଁ !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago