All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

କର୍ମବୀର ଗୌରୀଶଙ୍କର

ଲେଖା: ଦେଵ ତ୍ରିପାଠୀ

୧୮୭୦ ସନ୍, ସରକାରୀ ବିଦ୍ୟାଳୟ, ବାଲେଶ୍ଵର ସହର ।

ନଅଙ୍କ ଦୁର୍ଭିକ୍ଷର ବହୁ ପୂର୍ବରୁ ଓଡ଼ିଶା ମାଟିରେ ଚାଲି ଆସୁଥିବା ଓଡ଼ିଆ ଭାଷା ବିରୋଧର ଚକ୍ରାନ୍ତକାରୀଗଣ ଜନ୍ ବୀମ୍ସଙ୍କ ଉପଚାରରେ ଜୋକ ମୁହେଁ ଲୁଣ ପରି ଧରାଶାୟୀ ହୋଇପଡ଼ିଥିଲେ ! ଲୌହପୁରୁଷ କର୍ମଵୀର ଗୌରୀଶଙ୍କରଙ୍କ ନିର୍ଘାତ ମସୀମାଡରେ ଭାଜି ଯାଇଥିଲା ଶତ୍ରୁ ପକ୍ଷର ଦର୍ପ ଓ ଅଭିମାନ ! ଭାଷାବିବାଦର ଉତ୍ତେଜନା ଓ ତିକ୍ତତା ଧୀରେ ଧୀରେ ଉଣା ପଡ଼ି ଆସୁଥିଲେ ମଧ୍ୟ ମୁଖ୍ୟତଃ ବାଲେଶ୍ଵର ଓ କଟକ ପରି ଚଞ୍ଚଳ ନଗରୀଦ୍ଵୟରେ କୁହୁଳି ଚାଲିଥିଲା ସେଇ ନିଆଁ ! ସେଇ ନିଆଁକୁ ପୂର୍ଣ୍ଣ ମାତ୍ରାରେ ପ୍ରଜ୍ବଳିତ କରିବା ପାଇଁ ପଡୋଶୀ ଭଗାରି ସୁଯୋଗ ଉଣ୍ଡୁଥିଲା ନିରନ୍ତର !


ବାଲେଶ୍ଵର ସହରର ଲୋକପ୍ରିୟ ସଂସ୍କୃତ ଓ ଓଡ଼ିଆ ପଣ୍ଡିତ ସଦାଶିବ ନନ୍ଦ ମହାଶୟଙ୍କ ଅବସର ଉପରାନ୍ତେ ପଡୋଶୀ ରାଜ୍ୟରୁ ଭୁଷପଣ୍ଡିତ ଶିକ୍ଷକ ଜଣେ ଆସି ଯୋଗଦିଅନ୍ତି ବାଲେଶ୍ଵର ବିଦ୍ୟାଳୟରେ । ହୃଦୟରେ ପରାଜୟଜନିତ ଗ୍ଳାନି, ଅପମାନ, ହିଂସା, ଦ୍ୱେଷ, ପ୍ରତିଶୋଧ ପରାୟଣତାର ଭାର ବୋହି ବୋହି ଆସିଥିବା ସେ ଶିକ୍ଷକ ମହାଶୟ ନିଶ୍ଚିନ୍ତ ଥିଲେ ଯେ ଓଡ଼ିଆ ଗୋଟିଏ ସାଧାରଣ ନିଉଛୁଣା ଭାଷା ! ସେ ଭାଷାକୁ ଆୟତ୍ତ କରିବା କେବେହେଲେ ତାଙ୍କୁ ଅସାଧ୍ୟ ହେବନି ! ସେଇ ଭାଷାକୁ ସେ ଯେମିତି ଚାହିଁବେ ସେମିତି ମାଡ଼ିମକଚି ଫିଙ୍ଗି ଦେଇ ପାରିବେ !ତେବେ ସେଇ “ସହଜ” ଭାଷାଟିକୁ ଆୟତ୍ତ କରିବା ପାଇଁ କେତେ ମାସ ସମୟ ନେଇଥିଲେ ଶିକ୍ଷକ ମହାଶୟ ! ହେଲେ ଖଳରାକ୍ଷସଙ୍କ ତୁଣ୍ଡରେ ହରିନାମ କି ସହଜେ ପଲଟେ ! ଯେତେ ଚେଷ୍ଟା କଲେ ମଧ୍ୟ ବଙ୍ଗାଳୀ ଶିକ୍ଷକଙ୍କ ତୁଣ୍ଡରେ ଓଡ଼ିଆ ତ ଉତୁରିଲା ନାହିଁ, ବରଂ ଓଡ଼ିଆ ଛାତ୍ରମାନଙ୍କୁ ସେଇ ସହଜିଆ ଭାଷାରେ ଶିକ୍ଷା ଦେଲାବେଳେ ସେ ହେଲେ ଉପହାସର ପାତ୍ର !ବିକୃତ ଉଚ୍ଚାରଣର ପ୍ରତିବାଦ ସ୍ବରୂପ ଛାତ୍ରମାନଙ୍କ ଦାବିକୁ ଆଡେ଼ଇ ପାରି ନ ଥିଲେ ପ୍ରଧାନଶିକ୍ଷକ । କଥା ପହଞ୍ଚିଥିଲା ଶିକ୍ଷା ବିଭାଗରେ ! ଓଡ଼ିଆ ଭାଷା ସଂଗ୍ରାମର ଇତିହାସରେ ବାଲେଶ୍ଵର ସରକାରୀ ବିଦ୍ୟାଳୟର ସେଇ ଛାତ୍ରମାନଙ୍କର ପ୍ରତିବାଦ ଅଲିଖିତ ଥିଲେ ମଧ୍ୟ ତା’ର ଗୁରୁତ୍ୱ ଅନସ୍ବୀକାର୍ଯ୍ୟ !ଅପମାନର ନିଆଁରେ କିନ୍ତୁ ଜଳୁଥିଲା ବଙ୍ଗାଳୀ ଶିକ୍ଷକ ! ଓଡ଼ିଆ ଭାଷାକୁ ମୂଳରୁ ମାରିଦେବା ନିମନ୍ତେ ଯେମିତି ପଣ କରିଥିଲା ସେ ! “ଉଡିଆ ତ ସ୍ବତନ୍ତ୍ର ଭାଷା ନୟ ! ବାଙ୍ଗଲାର ବିକୃତି ମାତ୍ର ! ଉଡ଼େ ପଢାର ଆର ଦରକାର୍ ନାଏ !” କେବଳ କହିଦେଲେ ତ ଚଳିବନି, ଏ କଥାକୁ ସିଦ୍ଧ କରିବାକୁ ହେବ ! ଶିଆଣିଆ ଶିକ୍ଷକ ଜଣକ ବହିଖଣ୍ଡିଏ ଲେଖିବସିଲେ, ନାମ ଦେଲେ “ଉଡ଼ିଆ ସ୍ବତନ୍ତ୍ର ଭାଷା ନୟ” !ସେଇ ଧୂର୍ତ୍ତ ବଙ୍ଗାଳୀ ଶିକ୍ଷକ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ସମର୍ଥନ କରିବା ନିମନ୍ତେ ବାଲେଶ୍ଵର ଓ କଟକରେ ଗୃହଶତ୍ରୂଙ୍କ ଅଭାବ ନ ଥିଲା ! ପ୍ରବଳ ବାଦବିବାଦ ସମର୍ଥନ-ବିରୋଧ ସହିତ ଚର୍ଚ୍ଚିତ ବହିଟି ଜନମାନସରେ ଆଲୋଡ଼ନ ସୃଷ୍ଟି କଲା ! ଧୂର୍ତ୍ତ ଶିକ୍ଷକଙ୍କ ଲେଖାରେ ଓଡ଼ିଆ ଭାଷା ବିରୋଧୀମାନେ ତମତ୍କୃତ ହେଲେ, ଦ୍ଵିଗୁଣିତ ହେଲା ସେମାନଙ୍କର ସାହସ ! ନୂଆ ଆଶା ନେଇ ଅଣ୍ଟା ଭିଡ଼ିଲେ ବାଲେଶ୍ଵର, କଟକ ସମେତ କଲିକତୀ ବଙ୍ଗାଳୀଏ । ଶିକ୍ଷକଙ୍କ ଯୁକ୍ତିସମ୍ବଳିତ ଭାଷାତତ୍ତ୍ୱକୁ ସମର୍ଥନ ଦେଲେ ଶିକ୍ଷା ବିଭାଗୀୟ ଅଧିକାରୀ ମାର୍ଟିନ ମହାଶୟ ! ଓଡ଼ିଆ ଭାଷା ଉପରେ ପୁଣି ଫଣା ଟେକିଲା କାଳସର୍ପ !

ତେବେ କାନ୍ତିଚନ୍ଦ୍ର ସମେତ ସେଇ ବଙ୍ଗାଳୀମାନେ ହୁଏତ ପାସୋରି ଦେଇଥିଲେ ଯେ, କେଇ ବର୍ଷ ପୂର୍ବେ ଏ ମାଟିର ଯେଉଁ ଓଡ଼ିଆ ପୁରୁଷପୁଙ୍ଗବଙ୍କ ନିର୍ଘାତ ମସି ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ସେମାନେ, ସେଇ ଅଜେୟ ବୀରଙ୍କ ମସି ଏବେ ହୋଇଯାଇଛି ଆଉରି ତୀକ୍ଷ୍ମ, ଆଉରି ଶକ୍ତ ! ଓଡ଼ିଶା ଆକାଶରେ ଅସ୍ମିତାର ସୂର୍ଯ୍ୟ ଅସ୍ତ ହୋଇ, ଅନ୍ଧକାର ଗୋଟି ଆସିଲା ବେଳକୁ, ଓଡ଼ିଆ ଏ ଆତ୍ମରକ୍ଷା ପାଇଁ ବ୍ୟାକୁଳ ହେଲା ବେଳକୁ ଓଡ଼ିଆଙ୍କ ନୈଶ ଜୀବନରେ ଜାତୀୟ ସହାୟ ହେବାକୁ ଦୀପଟିଏ ଜଳାଇଥିଲେ ସେଇ ମସୀଯୋଦ୍ଧା, ସେଇ ଉତ୍କଳ ଦୀପିକା ଆଜି ମଧ୍ୟ ସତତ ଜାଗ୍ରତ !

ଓଡ଼ିଶା ମାଟିରେ ଦେଶପ୍ରେମ, ଭାଷାପ୍ରେମ, ଜାତିପ୍ରେମର ଅନିର୍ବାଣ ଦୀପଶିଖା ଜଳାଇଥିବା ସେଇ କର୍ମଯୋଗୀ, କର୍ମଵୀର ଉତ୍କଳପ୍ରାଣ ଗୌରୀଶଙ୍କର ଏବଂ ତାଙ୍କର ଆଗ୍ନେୟଗିରିର ବିସ୍ଫୋରଣ ଭଳି ଉତ୍କୀର୍ଣ୍ଣ ହୋଇଥିବା ଶବ୍ଦରାଜି ସମ୍ବଳିତ ଉତ୍କଳ ଦୀପିକା ପୁନଃ ଆକ୍ରମଣ କରିଚାଲିଲା ଶତ୍ରୁମାନଙ୍କୁ ! ବରଫଶୀତଳ ନିଶ୍ଚେତନାରେ ମୁମୂର୍ଷୁପ୍ରାୟ ଜୀଉଁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଜାଗ୍ରତ କରାଇବାରେ ଲାଗିପଡିଥିଲେ ସେ !

ନିଜର ଯୁକ୍ତିନିଷ୍ଠ ତଥ୍ୟାବଳୀକୁ ଆବଶ୍ୟକ ସ୍ଥଳେ ବଙ୍ଗଳା ଓ ଇଂରାଜୀରେ ଲେଖି ଉପସ୍ଥାପନ କରୁଥିଲେ କର୍ମଵୀର, ଶିକ୍ଷା ବିଭାଗର ବଙ୍ଗାଳୀ ପଦସ୍ଥ ଅଧିକାରୀଙ୍କ ଠାରେ, ତତ୍କାଳୀନ ଲେଫ୍ଟନାଣ୍ଟ ଗଭର୍ଣ୍ଣର କ୍ୟାମ୍ପବେଲଙ୍କ ସମ୍ମୁଖରେ !


ତେଣେ, ଶିକ୍ଷାବିଭାଗର ଇନସ୍ପେକ୍ଟର ପଣ୍ଡିତ ଭୁଦେବଚନ୍ଦ୍ର ମୁଖୋପାଧ୍ୟାୟଙ୍କ କଲମରୁ ଯଦି ନିଜ ସନ୍ଦର୍ଭଟି ପ୍ରଶଂସିତ ହୋଇ ଚାଲିଆସେ, ତେବେ ନିଜ ଲେଖାର ଏକ ପ୍ରାମାଣିକତା ଆସିଯିବ ବୋଲି ଆଶା ବାନ୍ଧିଥିଲେ କାନ୍ତିଚନ୍ଦ୍ର ! ମାତ୍ର କର୍ମଵୀରଙ୍କ ସମସ୍ତ ତଥ୍ୟକୁ ଅନୁଶୀଳନ କରି ପଣ୍ଡିତ ମୁଖୋପାଧ୍ୟାୟ ଲେଖିଲେ ପଦେ, ” . . . ଓଡ଼ିଆ ବଙ୍ଗଳାର ଅପଭ୍ରଂଶ ତ ନୁହେଁ, ବରଂ ଓଡ଼ିଆ ଭାଷା ବଙ୍ଗଳା ଭାଷାଠାରୁ ଅନେକାଂଶରେ ସମୃଦ୍ଧ . . . ।” ଓଡ଼ିଆ ପରି ଏକ ପ୍ରାଚୀନ ତଥା ଐତିହ୍ୟସମ୍ପନ୍ନ ଭାଷା ଓ ସାହିତ୍ୟର ବିଲୋପର ପ୍ରଚେଷ୍ଟା ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ସାବ୍ୟସ୍ତ କଲା କଲିକତାର ସମ୍ଭ୍ରାନ୍ତ ପତ୍ରିକା ‘କଲିକତା ରିଭ୍ୟୁ’ ।ଅବଶେଷରେ ଓଡ଼ିଆ ଭାଷା ଉଚ୍ଛେଦ ପାଇଁ ଶତ୍ରୁଙ୍କ ସବୁ ଷଡଯନ୍ତ୍ରରେ ପଡ଼ିଲା ପୂର୍ଣ୍ଣଛେଦ !ଓଡ଼ିଶା ମାଟିରେ ଏପରି ସମୟରେ କର୍ମଵୀରଙ୍କ ପିଠି ଥାପୁଡି ଦେବା ପାଇଁ କେହି ନ ଥିଲେ ସତ ! ତେବେ ଉତ୍କଳ ଜନନୀଙ୍କ ପାଇଁ ଡହଳବିକଳ ହେଉଥିଲା ୨୨ ବର୍ଷୀୟ ଓଡ଼ିଆ ପୁଅ ପରଦେଶରେ ଥାଇ ! ଦୀର୍ଘଶ୍ୱାସ ପକାଇ ସେ ଯୁବକଟି ଭାବୁଥିଲା, ଓଡ଼ିଶା ମାଟିରେ ସ୍ମରଣାତୀତ କାଳରୁ ଓଡ଼ିଆ ଭାଷା, ଲିପି ଓ ସାହିତ୍ୟ ରହିଥିଲା, ଏବେ ମଧ୍ୟ ରହିଗଲା, ଗୁରୁ ଗୌରୀଶଙ୍କରଙ୍କ ଉନ୍ନିତ ମସିର ପ୍ରଭାବରେ !

କଟକ ମାଟିରେ କର୍ମଵୀର ଗୌରୀଶଙ୍କର ଓ ଉତ୍କଳ ଦୀପିକା ଲାଗି ପଡ଼ିଥିଲେ ଏଇ ମାଟିରୁ ଅଜ୍ଞାନର ଅନ୍ଧକାରକୁ ଅପସାରିବା ପାଇଁ । ସେ ବେଳରେ ବାଲେଶ୍ଵର ମାଟିରେ ୨୭ ବର୍ଷୀୟ ଯୁବକ ଜଣେ ନିଜକୁ ଗଢ଼ି ତୋଳୁଥିଲା ଭାଷା ସଂଗ୍ରାମର ଆଉ ଜଣେ ସେନାପତି ଭାବେ ! ଉତ୍କଳ ଭାରତୀଙ୍କ ଆଶିଷରେ ବଳୀୟାନ ସେ ଯୋଦ୍ଧାର ଧନୁର ଟଙ୍କାର ବାଜି ଉଠୁଥିଲା ! ଓଡ଼ିଆ ଭାଷାଫଲ୍ଗୁର ପ୍ରବାହ ପାଇଁ ଓଡ଼ିଶା ମାଟିରେ ସେ ଆରମ୍ଭ କରି ଦେଇଥିଲା କୁଚ୍ଛ୍ର ସାଧନା !

 

Spread the love
admin

Next କର୍ମବୀର ଗୌରୀଶଙ୍କର »
Previous « ଓଡ଼ିଆ ଭାଷାମାରଣର ଅୟମାରମ୍ଭ

View Comments

Leave a Comment
Share
Published by
admin
Tags: ଉତ୍କଳ ଦୀପିକାଓଡ଼ିଆ ଭାଷାସଂଗ୍ରାମକଟକକର୍ମବୀର ଗୌରୀଶଙ୍କର
6 years ago

    Related Post

  • ଓଡ଼ିଆ ସାହିତ୍ୟର ଇତିହାସ
  • ଔପନ୍ୟାସିକ କାହ୍ନୁଚରଣ ମହାନ୍ତି
  • ନବକୃଷ୍ଣ ଚୌଧୁରୀ

Recent Posts

  • ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago
  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago
All Rights ReservedView Non-AMP Version
  • L