ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ “କରି” ଶବ୍ଦ ବହୁ ଅର୍ଥଯୁକ୍ତ ଏଵଂ ଏହାର ଵ୍ଯାପକ ଵ୍ଯଵହାର ଆମ ଓଡ଼ିଶାରେ ରହିଛି । ଆମ ଭାଷାରେ କରି ଶବ୍ଦର ସର୍ଵାଧିକ ଵ୍ଯଵହାର ଏକ ଦେଶଜ କ୍ରିୟା ଭାଵେ ହୋଇଥାଏ ଏଵଂ ଏହା ସଂସ୍କୃତ କୃ ଧାତୁ ସହିତ ସମଦ୍ଧୃତ । ଏଇ ଶବ୍ଦ ଓଡ଼ିଆ “କରିଵା” କ୍ରିୟାର ଅସମାପିକା ରୂପ । କୌଣସି ଅସମାପିକା କ୍ରିୟା ସଙ୍ଗେ “କରି” ଶବ୍ଦ ଯୁକ୍ତ ହେଲେ ସେହି କ୍ରିୟାର ଧାରାଵାହିକତା ବୁଝାଏ । ଯେପରିକି: “ମୁଁ ବସି କରି ଲେଖେଁ ।”

କୌଣସି କ୍ରିୟାର ସମାପନାନ୍ତ କୌଣସି କ୍ରିୟାକୁ ସମାପନ କରି ବା ସାରି ଅର୍ଥରେ ମଧ୍ୟ ଏଇ ଶବ୍ଦର ପ୍ରୟୋଗ ହୁଏ । ଯଥା: “ମୁଁ ପଢି କରି ଗାଧୋଇବି” (ମୁଁ ପଢ଼ି ସାରିବା ପରେ ଗାଧୋଇବି।”)

ଵିଶେଷ୍ଯ ପରେ “ପୂର୍ଵକ ସହିତ” ଓ “ସହକାରେ” ଅର୍ଥରେ  ଏଇ ଶବ୍ଦ ଵ୍ଯଵହାର କରାଯାଏ । ଯଥା: “ମୁଁ ବଳ ପ୍ରକାଶ କରି ଘରେ ପଶିବି” (ମୁଁ ବଳପ୍ରକାଶପୂର୍ଵକ ଘରେ ପଶିବି ) କିମ୍ବା “ମୁଁ ଦମ୍ଭ କରି ଏ କଥା କହି ପାରେଁ” (ମୁଁ ଦମ୍ଭ ସହକାରେ ଏ କଥା କହି ପାରେଁ।)

ଏଇ ଶବ୍ଦ ଓଡ଼ିଆ ଭାଷାର ଵିଶେଷଣ ଵା ଅଵ୍ଯୟ ସଙ୍ଗେ ଯୁକ୍ତ ହୋଇ ‛ଭାଵରେ’, ‘ରୂପେ’ ଵା ‛ପ୍ରକାରେ’ ଅର୍ଥରେ ଵ୍ଯଵହୃତ ହୋଇଥାଏ । ଯଥା:
ଘେନିଲି ମୁଁ ଏତେ ସରି କରି
(କଵିସୂର୍ଯ୍ୟ କିଶୋରୀ ଚମ୍ପୂ ସଂଗୀତ।)
    
“ମୁଁ ଅନ୍ଧାରୁଆ କରି ତାକୁ ଧରିପକେଇଲି”
(ମୁଁ ଅନ୍ଧାରୁଆ ଭାବରେ ତାକୁ ଧରିପକାଇଲି।)

କରି ଶବ୍ଦ ଅସମାପିକା କ୍ରିୟା ସଙ୍ଗେ ଅତିରିକ୍ତ ଶବ୍ଦ ଭାବେ ଯୁକ୍ତ ହୋଇ ସେହି କ୍ରିୟାକୁ ଚିହ୍ନାଇ ଦିଏ । ଯଥା:
“ମୁରା ଲାଗି ଦେଖି କରି ସର୍ବେ ମୁକ୍ତ ହେଲୁ”
(ପୀତାମ୍ବର ନୃସିଂହପୁରାଣ)

“ନୋହିଲେ ମୁଁ ତୁମ୍ଭଙ୍କୁ ଆସି କରି
ମୁଖ ଦେଖାଇ ନାହିଁ ଆହେ ଜାଣ ନରଶିଖ
(କୃଷ୍ଣସିଂହ ମହାଭାରତ, ଦ୍ରୋଣପର୍ଵ)ଆମ ଭାଷାରେ ଏକ ଦେଶଜ ଅଵ୍ଯୟ ରୂପେ ମଧ୍ୟ ଏ ଶବ୍ଦର ଵ୍ଯଵହାର ନିମ୍ନଲିଖିତ ଅର୍ଥରେ ରହିଛି !
୧. ରୂପେ ସ୍ବରୂପେ (As)
ପରଂବ୍ରହ୍ମ ପୁରୁଷ ଯେ ନିତ୍ଯ ନିରାକାର
ତାହାଙ୍କୁ ପାଳନ୍ତି ପୁତ୍ର କରି ଵିପ୍ରଵର
(ପୀତାମ୍ବର ନୃସିଂହପୁରାଣ)

୨. କି ପରି; କେଉଁ ପ୍ରକାରେ
“ତୁମ୍ଭେ ଛାର ଵିପ୍ର ବୋଲେ
ଆସିବେ କି କରି।”
(ପୀତାମ୍ବର ନୃସିଂହପୁରାଣ)

୩. ପରି (Like)
“ମତେ ତୁ କଅଣ ଚାଟଶାଳିଆ ଅବଧାନ କରି ପାଇଛୁ।”

୪. ଦ୍ବାରା
“ଶାଳଶିଳରେ କରି ସାରଥି
ଅଶ୍ବମ୍ବରୀ ତା କରୁଁ ନେଲେ ଧନୁବାଣ ସେ।”*
(ଵିଶ୍ବନାଥ, ଵିଚିତ୍ର ରାମାୟଣ)

୫. ସଂଖ୍ଯାବାଚକ ଦ୍ବିରୁକ୍ତ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଥରକେ ଏତେ ସଂଖ୍ଯାରେ
“ଲକ୍ଷ ଲକ୍ଷ କରି ଦୁହେଁ ବିନ୍ଧୁଛନ୍ତି ଶର।”
(ପୀତାମ୍ବର ନୃସିଂହପୁରାଣ)

୬. ଲେଖାଏଁ; ହାରରେ
“ମତେ ସରକାରରୁ ମାସକୁ ଚାରି ଟଙ୍କା କରି ଦରମା ମିଳେ।”

ସେହିପରି ଗଡ଼ଜାତରେ ଏଇ ଶବ୍ଦ ଵିଶେଷ୍ଯ ଶବ୍ଦ ଭାଵରେ ମଧ୍ୟ ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ହୋଇଥାଏ

୧. କାତି (କଟୁରୀ>କରୀ)
୨. ମେଣ୍ଢାଛୁଆ (ତୁଳନାକର ଓଡି଼ଆ “କଢି଼” = ଛୋଟ ମେଣ୍ଢୀ; ଛୁଆ ଜନ୍ମ କରି ନଥିବା ମାଈ ମେଣ୍ଢା)

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, ଆମ ଭାଷାରେ “କରି” ଶବ୍ଦ ଏକ ଦେଶଜ କ୍ରିୟା, ଦେଶଜ ଅଵ୍ଯୟ ଓ ଵିଶେଷ୍ୟ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ । କିନ୍ତୁ ସଂସ୍କୃତରେ ଗୋଟିଏ ତତ୍ସମ “କରି” ଶବ୍ଦ ମଧ୍ୟ ରହିଛି ଯାହାର ତିନୋଟି ଅର୍ଥରେ ଵ୍ଯଵହାର ଥିଵା ଜଣାଯାଏ । ଯଥା:
୧. ହାତ (ଵିଶେଷ୍ଯ)
୨. କାରଣ (causing)
୩. ପୂର୍ଣ୍ଣ; ପୁରା (accomplishing)

ତେଵେ ଯେହେତୁ ଓଡ଼ିଆ ଭାଷାରେ ଦେଶଜ “କରି” ଶବ୍ଦର ନାନାର୍ଥରେ ଵିଶେଷ ଵ୍ଯଵହାର ରହିଛି ତେଣୁ ପ୍ରୋକ୍ତ ତତ୍ସମ “କରି” ଶବ୍ଦର ଵ୍ଯଵହାର ଓଡ଼ିଆ ଭାଷାରେ ହେଉଥିଵା ସେତେ ଦୃଷ୍ଟିଗୋଚର ହୁଏନାହିଁ ।

ଵେଳେଵେଳେ କିଛି ଲୋକ ତତ୍ସମ ‛କରୀ’ ଶବ୍ଦକୁ ଭୁଲ୍’ରେ ‛କରି’ ଲେଖି ଦେଉଥିଵାର ଦୃଶ୍ଯ ହୁଏ । କିନ୍ତୁ କରୀ ଏକ ତତ୍ସମ ଶବ୍ଦ ଯାହା ଓଡ଼ିଆ ସାହିତ୍ୟରେ ହାତୀ ଵା ହସ୍ତୀ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

କରି (ଦେଶଜ), କରି (ତତ୍ସମ) ଓ କରୀ (ତତ୍ସମ) ଶବ୍ଦ ଵିଷୟକ ପ୍ରୋକ୍ତ ଆଲୋଚନାରୁ ଆମେ କଣ୍ ଜାଣିଲେ ?

କ. ଦେଶଜ କରି ଶବ୍ଦ ଓଡ଼ିଆ ଭାଷାରେ ଵିଶେଷ ଭାଵେ ଵ୍ଯଵହୃତ ହୁଏ ।
ଖ. ଓଡ଼ିଆ ଭାଷାରେ ଏଇ ଶବ୍ଦ ସାଧାରଣତଃ କ୍ରିୟା ଓ ଅଵ୍ଯୟ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଏଵଂ ଏହାର ଵିଶେଷ୍ଯ ଵ୍ଯଵହାର କେତେକ ସୀମିତ ଅଞ୍ଚଳରେ ରହିଛି ।
ଗ. ଗୋଟାଏ ତତ୍ସମ “କରି” ଶବ୍ଦ ଥିଲେ ହେଁ ତାହାର ଓଡ଼ିଆ ଭାଷାରେ ସେତେ ଵ୍ଯଵହାର ନାହିଁ
ଘ. କରି ମାନେ ହାତୀ ନୁହେଁ; କରୀ ମାନେ ହାତୀ

© ଶବ୍ଦଭେଦ
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago