ଲେଖା: ଅମ୍ରିତେଶ ଖଟୁଆ
“ମୁଁ ଏଇ ଜନ୍ମିଲି ଆରେ, ଉତ୍ସବରେ ବନ୍ଧୁକ କ୍ରୀଡାରେ,
ନବତମ ଯାତ୍ରୀ ମୁହିଁ,
ବାପା ମୋର ଭାଇ ମୋର, ଏ ନିଅ ମଥା ମୋର ଆଜି।”
** ** ** ** ** **
ଆସିଛି ମୁଁ ଆସିଛି,
ଯାଚଜ୍ଞାର ଅର୍ଜିସ୍ତୂପ ଠେଲି ମୁଁ ଆସିଛି,
ସ୍ଥବିରତାର ମର୍ମଭେଦ କରି
ମୁଁ ଆସିଛି ତାରୁଣ୍ୟର ଅଭିମାନ। “
ଏକାଧାରରେ ଜଣେ ଶକ୍ତିଶାଳୀ କବି, ସଂଗଠକ, ଗାଳ୍ପିକ, ଶିଶୁ ସାହିତ୍ୟିକ, ନାଟ୍ୟକାର ତଥା ପ୍ରଗତିଶୀଳ ମାନବୀୟତାରେ ବିଭେଦହୀନ ସଂସ୍କୃତି ! ବିଶିଷ୍ଟ ଔପନ୍ୟାସିକ ଗୋପୀନାଥ ମହାନ୍ତି ବୋଇଲେ – “କବି ଅନନ୍ତ ଲେଖାରେ ‘ଭାଷାର ଡୁଡୁମା ଝରେ”। ଆଦ୍ୟ କିଶୋରମୂର୍ତ୍ତ ତାରୁଣ୍ୟର ଲଗ୍ନାଭିମୁଖ ହୋଇ ସେ ବିସ୍ମରି ଯାଇଥିଲେ ପ୍ରତିପତ୍ତି, ବିଳାସର ପ୍ରାଚୁର୍ଯ୍ୟ, ଆତ୍ମାମ୍ଭରିତା ! ଚାଲିବାର ଏକ ନିରବଚ୍ଛିନ୍ନତା ମଧ୍ୟରେ ଆବିଷ୍କାର କରିଛନ୍ତି ନିଜର ସାମାଜିକ ସତ୍ତ୍ଵ ଓ ସତ୍ତାକୁ, – କବି ଅନନ୍ତ ପଟ୍ଟନାୟକ !
ଶଶକ-ଗୋତ୍ରୀୟ ଶାସନ ସମେତ ସେତେବେଳେ ପୁଞ୍ଜିବାଦର ଧାରାରେ ପ୍ରସ୍ତାବନାରେ ଦୁଇଟି ଶ୍ରେଣୀ ସୃଷ୍ଟ – ଶାସକ ଓ ଶୋଷକ । ସାହିତ୍ୟ ସମ୍ପର୍କରେ ରକ୍ଷିତ ହୋଇ ୧୯୩୫ ମସିହାରେ ସୃଷ୍ଟି ହୁଏ ‘ନବଯୁଗ ସାହିତ୍ୟ ସଂସଦ’ ।
‘ଆଧୁନିକ’ ନାମିତ ସାହିତ୍ୟ ପତ୍ରିକାଟିଏ ଏ ସମଗ୍ର ନୂଆ ଚେତନାର ବାହକ ହୋଇ ପ୍ରକାଶିତ ହେଲା। ଶ୍ରେଣୀଗତ ଘାତ-ପ୍ରତିଘାତସମ୍ପନ୍ନ ସଂଘର୍ଷର ଘନଘଟାରେ ସାହିତ୍ୟର ସୃଷ୍ଟି ବିଭିନ୍ନ କ୍ଷେତ୍ରରେ ଏବଂ ଆଙ୍ଗିକରେ ନିବେଦିତ ହେଲା। ଏ ପ୍ରଶସ୍ତିରେ ସଚ୍ଚି ରାଉତରାୟଙ୍କ ‘ଆଗନ୍ତୁକ’ର କେଇ ପଦ –
“ମୁଁ ଶିକାର କରେ ଜଙ୍ଗଲର ସେଇ
ଉଚ୍ଛିଷ୍ଟତ୍ୟାଗୀ ମଖମଲ ଦେହୀ ବାଘ,
ତେର୍ଚ୍ଛା ଦନ୍ତୁରିତ ଝରଣା କୂଳରେ ବସି କରି ହାଇ ମାରେ ! “
୧୯୧୨ ମସିହା ଜୁନ୍ ୧୧ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲାର ଚଣାହାଟ ଗ୍ରାମରେ ପିତା ଚୌଧୁରୀ ଜୟକୃଷ୍ଣ ପଟ୍ଟନାୟକ ଓ ମାତା ମାଧବୀ ଦେବୀ (ମହାଦେଈ)ଙ୍କ କୋଳମଣ୍ଡନ କରିଥିଲେ କବି ଅନନ୍ତ ପଟ୍ଟନାୟକ। ମାତ୍ରା, ୧୯୧୮ ମସିହାରେ ତାଙ୍କ ପିତା ଇହଲୀଳା ସମ୍ବରଣ କରିଛନ୍ତି। ଏହାପରେ ପିତାମହୀ ସୁଲୋଚନା ଦେବୀ ତାଙ୍କ ଲାଳନ ପାଳନ ଦାୟିତ୍ୱ ନ୍ୟସ୍ତ ରହିଲେ। ଆଦ୍ୟ ଶୈଶବରୁ କୋଣାର୍କର ଶିରିପୁର ମାତୁଳାଳୟରେ ରହି ବିଦ୍ୟାରମ୍ଭ କରିଥିଲେ।
ଚଣାହଟ୍ଟା ଗ୍ରାମ ବିଦ୍ୟାଳୟରେ ବିଦ୍ୟାରମ୍ଭ। ଖୁଡି ବସନ୍ତ କୁମାରୀ ଦେବୀ ଓ କକା ସତ୍ୟବାଦୀ ଦାସଙ୍କ ପ୍ରଗାଢ ଯତ୍ନବଳେ ତାଙ୍କ ସମୁନ୍ନତି ହୋଇଛି। କଥିତବ୍ଯ, “ଛାତ୍ରାଣାଂ ଅଧ୍ୟୟନଂ ତପଃ।” ଠିକ୍ ସେହିପରି ଏକ ମନଲୁବ୍ଧ ପରିବେଶ ମଧ୍ୟରେ ନିରାଡମ୍ଵର ଅଧ୍ୟୟନେ ତପସ୍ୟାନିରତ ! ତାଙ୍କ ବଂଶଖ୍ୟାତି ଓ ସୁଯଶର ଲାଭରୁ ନିବୃତ୍ତ ରହିଥିଲେ। ୧୯୪୨ ର ଭାରତ ଛାଡ଼ ମହାମନ୍ତ୍ରର ଧ୍ଵନି ଅନୁରଞ୍ଚିତ କରିଛି ତାଙ୍କର ତରୁଣ ପ୍ରାଣକୁ !
ସେ ସମୟରେ ସୋଭିଏତ୍ ସାମ୍ୟବାଦୀ ଆନ୍ଦୋଳନର ରୂପରେଖ ଅତିମାତ୍ରାରେ ବ୍ଯାପକତା ଧାରଣ କରିଥାଏ। ଲେନିନ୍’ଙ୍କ ଦୀର୍ଘ କାଳବ୍ୟାପୀ ନିର୍ବାସନ ପରେ ସମାଜବାଦୀ ଧାରା ଓ ସାମ୍ୟବାଦୀ ଧାରାର ମିଳିତ କ୍ରିୟାନ୍ଵୟନ ଲେନିନ୍’ଙ୍କ ଆହ୍ଵାନ ସମଗ୍ର ବିଶ୍ଵରେ ଶୁଭିଥିଲା – ଯାହାର ପ୍ରଭାବ ଅଦ୍ୟାବଧି ମଧ୍ୟ ଅନେକତ୍ର ପ୍ରତିଫଳିତ ହୁଏ।
କିଶୋର ବୟସରେ ବାନରସେନା ଭାବରେ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ କାରାବରଣ କରନ୍ତି କବି ଅନନ୍ତ ପଟ୍ଟନାୟକ। ଓଡ଼ିଶାର ପ୍ରଥମ ଛାତ୍ର-ସଙ୍ଗଠନ, ଗଡ଼ଜାତ ଆନ୍ଦୋଳନ ଏବଂ ନବଯୁଗ ସାହିତ୍ୟ ଆନ୍ଦୋଳନ ପାଇଁ ତାଙ୍କର ଭୂମିକା ଅବିସ୍ମରଣୀୟ।
ନିଜ ଗ୍ରାମର ଦୁର୍ଦ୍ଦଶା ଓ ଔପନିବେଶିକ ଶାସନର ନିପୀଡନ ତାଙ୍କୁ ଆଖିଦୃଶିଆ ହୁଏ। ଦୁଃଖୀରଙ୍କିଙ୍କ ପାଇଁ ତାଙ୍କର ଯେତିକି ଥିଲା ଅନୁକମ୍ପା, ମାତ୍ର ତଦୁପରି ଶାସନକଳରେ ନିଗଡ଼ଛନ୍ଦା ପରାଧୀନତାକୁ ଆକ୍ଷେପ କରି ଲେଖିଥିଲେ –
“କାହିଁ ଭଗବାନ କାହିଁ ବା ସ୍ଵର୍ଗ କହ,
କାହା ପାଇଁ ବସି ଗଡାଅ କାଷ୍ଠମାଳି।
ପୃଥିବୀ କା’ ପାଇଁ କରିଲ ଦେଉଳମୟ,
ଶ୍ରମିକ ମରେ ଯେ ଶରୀରୁ ରକ୍ତ ଢାଳି।
******
ତୁମେ ଜାଣୁଚ କି ପୁଣି ଜାଣୁ ନାହଁ
କେତେ କଳା ମଣିଷର ଗଳା ଚିପି,
କେତେ ଛାତିରୁ ଛାଲ ସେ ଉତୁରାଏ।”
ତାଙ୍କ ଭାଇ ଗୁରୁଚରଣ ପଟ୍ଟନାୟକ ମଧ୍ୟ ଥିଲେ ସ୍ଵଭାବରେ ଆଦର୍ଶାନୁରାଗୀ। ବିଦ୍ୟାଳୟରେ ପଢୁଥିବା ବେଳେ ତାଙ୍କ ଗାନ୍ଧୀଙ୍କ ଉପରେ କବିତା ଉଚ୍ଚପ୍ରଶଂସିତ ହୋଇ ଆସିଛି। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ ସେ କାବ୍ୟିକ ଅଭିଦୃଷ୍ଟି ଯନ୍ତ୍ରଣାକ୍ତ ବିଶ୍ଵକୁ ଆପଣାର କରିଛି। ସେଥିପାଇଁ ସମସ୍ତ କବିଙ୍କ ମଧ୍ୟରେ ତହିଁ କାଳୁ କବି ଅନନ୍ତ ପଟ୍ଟନାୟକ ଥିଲେ ଯଥେଷ୍ଟ ଉଚ୍ଚରେ ଓ ସ୍ଵତନ୍ତ୍ରମନା। । ଏଥିପାଇଁ ସେ ଲେଖିଥିଲେ ‘ତର୍ପଣ କରେ ଆଜି’ –
“ପିତୃ ଶୋଣିତେ ଅନ୍ଧ ନୟନ ମାଜି
ତର୍ପଣ କରେ ଆଜି,
ପିତୃଘାତୀ ଏ ଆତ୍ମଘାତୀରୁ ଜାତି,
ଗଭୀର କୃଷ୍ଣ ଜୀବନ ଯମୁନା ତୁଠେ
ହତାଶ ପ୍ରାଣର ମତ୍ତ ବତାସି ଉଠେ
ଚିତ୍ତ ଥରଇ ପ୍ରଳୟ ଦୁଃଖୁଁ ତାତି।”
ଏଥି ସହ ଦେଶଦେଶର କଥା ନିଜସ୍ଵ ଅଭିଦୃଷ୍ଟିରେ ପ୍ରତୀକିତ କରିବାରେ ବେଶ୍ ରୁଚି ରଖୁଥିଲେ କବି ଅନନ୍ତ ପଟ୍ଟନାୟକ। ଦେଶର ପରାଧୀନତା ଥାଇ ସମସ୍ତଙ୍କ ମନୋବଳ ବଢାଇବା ପାଇଁ ଆଗେଇ ଆସୁଥିଲେ ବିପ୍ଳବୀର ସ୍ବନିଷ୍ଠ ବାଣୀରେ !
ତାଙ୍କ କାବ୍ୟ ସମଗ୍ରରେ ଶୈଥିଲ୍ଯ ନାହିଁ – ଅଛି କେବଳ ଅସରନ୍ତି ଦୁର୍ବାର ବିପ୍ଳବୀର ବାଣୀ। କିନ୍ତୁ, ଗାନ୍ଧିବାଦୀ ହେତୁ ନିଇତି ଖଦୀ ପିନ୍ଧା ହେଉଥିଲା। ସାଥୀ ଥିଲେ ଭଗବତୀ ଚରଣ, ଜଗବନ୍ଧୁ, ଗୌରାଙ୍ଗ ଚରଣ, ବିଶ୍ଵନାଥ ପଶାୟତ ପ୍ରଭୃତି। ୧୯୨୮ ରୁ ୨୯ ମସିହାରେ ସେ ସେତେବେଳେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନରତ।
୧୯୩୧ ମସିହାରେ କବି ଅନନ୍ତ ପଟ୍ଟନାୟକ ଆର୍ତ୍ତବଲ୍ଲଭ ମହାନ୍ତି ଓ ଦେଶପ୍ରାଣ ବ୍ରଜସୁନ୍ଦର ଦାସଙ୍କ ପରିଚାଳିତ “ପ୍ରାଚୀ ସମିତି” ସହ ସମ୍ପୃକ୍ତ ହୋଇଥିଲେ। ତାଙ୍କ ସର୍ଜନାତ୍ମକ ଚୈତନ୍ୟ ଥିଲା ଶକ୍ତବକ୍ଷର ଲୌହସମ ଟାଣ – ଶାସନର ଦୁଷ୍କୃତକୁ ସେ ଅତୀବ ଜିଦଖୋର ହୋଇ ବିରୋଧ କରିଛନ୍ତି। ସମପକ୍ଷରେ ସେ ସଂସ୍କୃତିର ଅପକର୍ମ ଓ ଅଶୋଭନୀୟତାକୁ ମଧ୍ୟ ସେ ତିରସ୍କୃତ କରିଛନ୍ତି।
ଗର୍କୀ, ଟଲଷ୍ଟୟ ଆଦି କୃତବିଦ୍ୟଙ୍କ ଅନୁଚିନ୍ତନରେ ପ୍ରଭାବିତ ହୋଇଥିଲେ । କାବ୍ୟିକ ଛନ୍ଦୋମୟିତା ଓ ଭାଷାଗତ ସଂଯୋଜନା ଯେତିକି ବଳିଷ୍ଠ – ସେମିତି ମଧ୍ୟ ଥିଲା ବ୍ଯକ୍ତି କେନ୍ଦ୍ରିତ ଅନୁରାଗ-ସାନ୍ଦ୍ର। ବାଧାବିଘ୍ନକୁ ଲଙ୍ଘି ସେ ସବୁକୁ ଉପେକ୍ଷା କରିବା ପାଇଁ ବଦ୍ଧପରିକର –
“ଯୁଗର ବକ୍ଷରେ ମୁଁ ଅକାଳ ବସନ୍ତ
ତିତିକ୍ଷା ମୁଁ ପୁରୁ ,
କପାଳ ଘର୍ମ ତୁମର ଓଷ୍ଠ ପୁଟରେ
ନଇଁ ମୁଁ ଆସିଚି, ମୁଁ ଆସିଚି ! ”
(ଆସିଚି ମୁଁ ଆସିଚି)
ଆଦର୍ଶବାଦୀ କବି ଅନନ୍ତ ପଟ୍ଟନାୟକ କଲେଜ ଛାତ୍ର ଥାଇ କଂଗ୍ରେସ ଅଧିବେଶନରେ ଓଡ଼ିଶା ଛାତ୍ର ପରିଷଦର ପ୍ରତିନିଧିତ୍ଵ କରିବା ପାଇଁ ଦିଲ୍ଲୀ ଯାଉଥିବା ବାଟରେ ଗିରଫ ହେଲେ। ଆଲିପୁର କେନ୍ଦ୍ରୀୟ କାରାଗାରରେ ତାଙ୍କୁ ନାନା ଅକଥ୍ୟ ଲାଞ୍ଛନା ଭୋଗ କରିବାକୁ ପଡିଲା।
ଏଥି ସହ ସ୍ଵତନ୍ତ୍ର ଓଡିଶାର ଦାବି ଉପସ୍ଥାପନ କରି ସେ ଫିରିଙ୍ଗିଙ୍କ ଦୃଷ୍ଟିକଟୁ ହୋଇଥିଲେ। ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ବିତାଡିତ ହେବା ପରେ ୧୯୩୨ ମସିହାରେ ତଦାନୀନ୍ତନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜାଙ୍କ ଅନୁମୋଦନ କ୍ରମେ ପୁଣି ନାମ ଲେଖାଇଛନ୍ତି।
ନେତୃତ୍ବ ଦେବାର ସମସ୍ତ ଶ୍ଳାଘ୍ୟ ଭାବରେ ଉଦବୁଦ୍ଧ କ୍ରମେ ଗୁଣଗତ ଏବଂ ଲିଙ୍ଗଗତ ବୈଷମ୍ୟ ପରିହରି ‘ସଖି ସଜନୀ’ରେ ନାରୀ ପୁରୁଷର ସମାନତାକୁ ଅଙ୍ଗୀକୃତ କରିଛନ୍ତି –
“ସଖି ଲୋ ! ଶ୍ରବଣୁଁ ଫିଙ୍ଗ ତୋ ଫୁଲ କଳିକା,
ନୁହ ତୁହି ଆଉ ପ୍ରଣୟିନୀ ପୁର ବାଳିକା।
ଖୋଲି ଦେ ତୋହର ସ୍ଵର୍ଣ୍ଣଭୂଷଣ, ରୂପସି !
ସାଞ୍ଜୁରେ ଶୋହେ ଶାନ୍ତିର ରଣ ଝଲସି ! “
ରେଭେନ୍ସାରେ ସ୍ନାତକ ସମୟରେ ବନ୍ୟା ପ୍ରପୀଡିତ ପୁରୀ ଜିଲ୍ଲାରେ ସାହାଯ୍ୟ ବିତରଣ ସମୟରେ କବି ଅନନ୍ତ ପଟ୍ଟନାୟକ ଯେଉଁ ମର୍ମନ୍ତୁଦ ଦୃଶ୍ୟ ଦେଖିଲେ, ତାହାର ବର୍ଣ୍ଣନା କରିଲେ ନିଜ କାବ୍ୟ ‘ପାଣିର ପର୍ବତ ତଳେ’ ।
ପରିଣତ କବି ମାନସରେ ପୁନଶ୍ଚ ଶୈଶବର ଅନ୍ଵେଷା ଓ ପ୍ରବଣତା ଭୀଷଣତର ହୋଇଛି। ଏହା ପରେ ୧୯୩୫ରେ ସ୍ନାତକ ସମାପନ ପରେ ‘ନବଯୁଗ ସାହିତ୍ୟ ସଂସଦ’ରେ ମନୋନିବେଶ କରନ୍ତି।
ଯୁଦ୍ଧୋତ୍ତର ସଭ୍ୟତା ମଧ୍ୟରେ ଶ୍ରମଶକ୍ତିର ସ୍ଵାର୍ଥଶୂନ୍ଯ ଅବଦାନ ଅନ୍ଧ ମସୁଧାରେ ଅବହେଳିତ ହେବାର ଆସନ୍ନ ବିପଦରେ ସେହି ସଂଗୋଷ୍ଠୀର ସୃଜନୀ ଶିହରିତ ହୁଏ।
କ୍ଷୁଧିତମନା ଜାତି, ରୁଗ୍ଣତା, ଋଜୁତା ଏବଂ ନରନାରୀ ମଧ୍ୟରେ ଏକତାର ଏକଛନ୍ଦ ଲୟରେ ଆଗେଇ ଯିବାର ଆହ୍ଵାନକ୍ରମେ ଅଗ୍ରଗାମୀ ହେଲେ।
୧୯୩୬ର ଲକ୍ଷ୍ନୌ ଠାରେ ଅନୁଷ୍ଠିତ ପ୍ରଗତିଶୀଳ ଲେଖକ ସମ୍ମେଳନ ପରେ ଓଡ଼ିଶାରେ ପ୍ରଗତିଶୀଳ ଧାରା ଓ ସବୁଜ ଧାରାର ପ୍ରବାହ କ୍ରମେ ସ୍ପଷ୍ଟ ପରିଲକ୍ଷିତ ହେଲା।
ଗୋପୀନାଥ ମହାନ୍ତି ସ୍ମୃତିଚାରଣ କରି ତାଙ୍କ ଗ୍ରନ୍ଥ ‘ଅନନ୍ତ ବିଚିତ୍ରା’ରେ ବର୍ଣ୍ଣନା କରିଛନ୍ତି – “ଅ’ନ୍ତ ବୟସରେ ଅବଶ୍ୟ ଟିକିଏ ବଡ଼ ମୋ’ଠୁ। କିନ୍ତୁ ଇସ୍କୁଲରେ ଆମେ ଏକା ସମୟରେ । ସେ ବି ୧୯୩୦ରେ ମାଟ୍ରିକ୍ୟୁଲେଶନ ପାଶ୍ କଲା। ଏକା କ୍ଲାସର। ତଫାତ୍ ଏତିକି, ମୁଁ ପାଟଣା ହାଇସ୍କୁଲ ଛାତ୍ର-ବିହାରର, ସିଏ ପୁରୀ ଜିଲ୍ଲା ସ୍କୁଲର …. “
“ସେ ସମୟ ତ ଅପୂର୍ବ ସମୟ। ଗାନ୍ଧିବାଦ, ତା’ ସହିତ ମାର୍କ୍ସ, ମହାନ୍ ଲେନିନ୍, ଏ ଦୁଇ ବାଦର ପ୍ରଭାବ ପଡୁଥିଲା ସେତେବେଳେ ଯୁବକମାନଙ୍କ ଉପରେ। ୧୯୧୭ର ଋଷ୍ ବିପ୍ଳବ। …. ଯୁବକମାନଙ୍କ ଭିତରେ ଯେଉଁମାନେ ବେଶୀ ସ୍ପର୍ଶପ୍ରବଣ ଥିଲେ, ସେମାନେ ଏ ନିଆଁରେ ଜଳି ଉଠିଥିଲେ। ତାଙ୍କରି ଭିତରେ ଅନ୍ୟତମ ଥିଲେ ଅନନ୍ତ ପଟ୍ଟନାୟକ।”
“…. ଆରମ୍ଭ ହେଲା ନବଯୁଗ ସାହିତ୍ୟ ସଂସଦ। ତା’ର ଉଦବୋଧନ ସଂଗୀତ ରଚନା କରିଥିଲା ଅନନ୍ତ। ଆଉ ତା’କୁ ଗାଇଥିଲେ ମାଳତୀ ଚୌଧୁରୀ –
“ନବୀନ ଯୁଗର ତରୁଣ ଜାଗରେ,
ଜାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକ ଧାରା …. । “
“ଆଧୁନିକ” ପତ୍ରିକାର ସମ୍ପାଦନା ଦାୟିତ୍ୱ ନିର୍ବାହ ସମେତ ଅନେକ ପତ୍ରପତ୍ରିକାରେ ନିଜର କାବ୍ୟ ପ୍ରକାଶିତ କରେଇ ସ୍ଵନାମଧନ୍ୟ ହୋଇଥିଲେ କବି ଅନନ୍ତ ପଟ୍ଟନାୟକ। ତାଙ୍କ ସମ୍ପାଦନା ସମୟରେ ହିଁ ଗୋପୀନାଥ ମହାନ୍ତି ଏବଂ ପ୍ରାଣବନ୍ଧୁ କରଙ୍କ ରଚନାମାନ ପ୍ରକାଶ ଲାଭ କରେ।
୧୯୩୬ ମସିହାରେ କବି ଅନନ୍ତ ପଟ୍ଟନାୟକ କୃଷକ ଆନ୍ଦୋଳନରେ ଯୋଗ ଦେଇ ସହସ୍ରପାଟବକୁ ନିଜ ଚୈତ୍ୟଗର୍ଭୀ ଆହ୍ଵାନରେ ଉଦବୁଦ୍ଧ କରେଇ ପାରିଥିଲେ । ସଚ୍ଚି ରାଉତରାୟଙ୍କ ପରି ସେ ‘ଅଲୋଡା ଲୋଡା’ କାବ୍ଯର ‘ଲୋଡା ନାହିଁ’ କବିତାରେ ନୂଆ ମଣିଷକୁ ନିଜର ପରିଚୟ ଦିଅନ୍ତି –
“କୋଟି ଜୀବନର ବିକ୍ଷତ ପ୍ରାଣ,ସ୍ଵପ୍ନେ କରିଛି ଅନ୍ଧ,
ନବଯୌବନେ ସିକ୍ତ ହୃଦୟ, ପ୍ରଳୟ ପାଶେ ଠିଆରେ।”
ସ୍ଵତଃ ଏଥର ନବଜୀବନର ଧାରା ଆସୁଛି – ଔପନିବେଶିକ ଶାସନ ଅନ୍ତ ଅବଶ୍ୟମ୍ଭାବୀ। ଇଂରେଜ ସରକାର ୧୯୩୮ ରୁ ୧୯୪୦ ମଧ୍ୟରେ ତାଙ୍କ ବିରୋଧରେ ଜାଗତିଆର ରହନ୍ତି, ଧମକ ଦିଅନ୍ତି ଥରକୁ ଥର। କିନ୍ତୁ ଏହି କ୍ରାନ୍ତିବୀର୍ଯ୍ୟଙ୍କୁ କାହାରି ସମ୍ମାନ ନାହିଁ ! ସେଇ ଅନୁଭୂତିରେ ଶାଣିତ କବିତାର ନିମ୍ନୋକ୍ତ ପଂକ୍ତି ଗୁଡିକ ତାଙ୍କ ସାମାଜିକ ଅଙ୍ଗୀକାର ସମ୍ପର୍କରେ ଆଲୋକପାତ କରେ –
“ଝରି ଯା ଲହୁ ମୋ ଝରିଯା ପୁଲକେ
ଜନ୍ମଭୂମିର ଜୀବନ ପଥେ,
ଜଞ୍ଜୀର ଶତ ଖସୁ ମୋ ଜାତିର
ଚଳୁ ସେ ମାତିରେ ସୃଜନ ରଥେ … ।”
(“ଝରରେ ରୁଧିର”)
ଏତଦ୍ ବ୍ୟତୀତ, ନାଟକ ରଚନା ଓ ଚଳଚ୍ଚିତ୍ର ନିର୍ଦ୍ଦେଶନା ପ୍ରତି ମଧ୍ୟ ତାଙ୍କ ରସାମୋଦ ଥିଲା। ଚଣହଟ୍ଟା ହାଇସ୍କୁଲରେ ପଢୁଥିଲା ବେଳେ ତାଙ୍କର ‘ରାବଣ’ ନାଟକ ପ୍ରଥିତ ହୋଇଥିଲା। ସେହି ‘ରାବଣ’ ନାଟକର କିୟତ୍ ପଂକ୍ତିରେ ରାବଣ ପୃଚ୍ଛା କରିଛି ଦୁଃଖୀ ରଙ୍କିଙ୍କ ବିଷୟରେ ପ୍ରଜାପତି ବ୍ରହ୍ମାଙ୍କୁ। ରାବଣର ଲଙ୍କାକୁ ଗୌରବ-ମଣ୍ଡିତ କରିବାରେ ପରବର୍ତ୍ତୀ ସମୟରେ କ୍ଷୁଧିତମନା ଚିତ୍ତ – ଆଧୁନିକ ପ୍ରେକ୍ଷାପଟ୍ଟକୁ ରୋମାଞ୍ଚିତ କରେ।
୧୯୫୪ ରେ ତାଙ୍କର ରଚିତ ‘ଚିରି ଅନ୍ଧାର ରାତି’ ନାଟକ ପ୍ରକାଶ ପାଇଥିଲା ୧୯୯୦ ମସିହାରେ। ଆଇ.ପି.ଟି.ଏ. ଓଡ଼ିଶାର ଶାଖା ‘ଉତ୍କଳ ଲୋକସଂସ୍କୃତି ମଣ୍ଡଳ’ର ଉପସଭାପତି ଥିବାବେଳେ କୃଷକମାନଙ୍କ ଉପରେ ହେଉଥିବା ଅନ୍ୟାୟ ଉପରେ ପର୍ଯ୍ୟବେସିତ। ଏପରିକି ଅନନ୍ତ ପଟ୍ଟନାୟକଙ୍କୁ ଶହୀଦ୍ ଭବନରେ ଅଭିନୀତ କରିବା ପାଇଁ ‘ବାନ୍ଦୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କର ଉଦଘୋଷିତ ବିଶ୍ଵଶାନ୍ତି’ ଉପରେ ‘ପଞ୍ଚଶୀଳ’ ଏକାଙ୍କିକା ରଚନା କରିଥିଲେ।
ପରିଣତବୟଃ କବି ଅନନ୍ତ ପଟ୍ଟନାୟକ ପରବର୍ତ୍ତୀ ସମୟରେ ‘ଶିଶୁଲେଖା’ ପତ୍ରିକାରେ ସମ୍ପାଦନା କରି ସର୍ବଜନାଦୃତ ହୋଇଥିଲେ। କ୍ରମେ ସମାଜ ସଚେତନ ହେଉଥିଲା ବେଳେ କିଶୋରକିଶୋରୀଙ୍କ ମନରେ ସର୍ଜନାତ୍ମକ ଅନୁଚିନ୍ତନର ଅଙ୍କୁରୋଦ୍ଗମ ପାଇଁ ସେ ଅନେକ ପ୍ରତିଭାଧରଙ୍କ ସାହାଯ୍ୟ ଲୋଡିଥିଲେ। ପତ୍ରିକାର ପ୍ରଚ୍ଛଦର ଚିତ୍ରସଜ୍ଜାର ଶ୍ରେୟ ଥିଲା ଶିଳ୍ପୀ ଅସିତ୍ ମୁଖାର୍ଜୀଙ୍କର !
ଶିଶୁ ମନରେ ଅନୁସନ୍ଧିତ୍ସା ଓ ସାମାଜିକ ଦାୟିତ୍ୱର ସଚେତନା ସହ ଭାରତୀୟ ନାଗରିକ ହେବାର କୌଶଳ କ୍ରମେ ସେ ନୂତନ ବକ୍ତିମା ମାଧ୍ୟମରେ ବେଶ୍ ଜନପ୍ରିୟ ହୋଇଥିଲେ –
“ଲାଲୁ କହେ ‘ଲାଲା ଲାଲା’, ଲୁଲୁ କହେ ‘ଲୁ’ ।
ସନ୍ ସନାସନ୍ ବହିଲା ବାଆ, ନଈରେ ସୁଅ ସୁ ! ”
ଅନନ୍ତ ପଟ୍ଟନାୟକଙ୍କ ବାକ୍ ରୀତିରେ ଗ୍ରାମୀଣ ପୃଷ୍ଠଭୂମିର ଆବେଦନ ଓ ଅବୟିତ ସାମାଜିକ ସମସ୍ଯା ପାଇଁ ସମ୍ବେଦନା ସୃଷ୍ଟି କରିଛନ୍ତି। ‘ମର୍ଡର’, ‘ବାବୁ’, ‘ଫେରିଆ’ , ‘ଚଢା ଉତ୍ତରା’ , ‘ଫଲଗୁଧାରା’ , ‘ପ୍ଲାଟଫର୍ମ’, ‘ତାରକସି ଫୁଲ’, ‘ଜହ୍ନରାତି’, ‘ଛାୟାହୀନ କାୟା’ ‘ସଂଗ୍ରାମ’, ‘ଯାତ୍ରା’ ଭଳି ରୋମାଞ୍ଚକାରୀ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ହେଉଛନ୍ତି ଅନନ୍ତ ପଟ୍ଟନାୟକ। ଏ ସମସ୍ତ ଗଳ୍ପ ସମଗ୍ରରେ ଜୀବନ ରୀତି, ସାମାଜିକ ଚଳନ୍ତି ମଧ୍ୟରେ ଘଟୁଥିବା ନାନାବିଧ ରହସ୍ୟମୟ ଘଟଣା ଓ ସସ୍ପେନ୍ସ ଧାରା ବେଶ୍ ସ୍ପଷ୍ଟ ଉଦ୍ଭାସିତ ହୁଏ।
୧୯୫୪ ମସିହାରେ କବି ଅନନ୍ତ ପଟ୍ଟନାୟକ ‘ସପ୍ତଶଯ୍ୟା’ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ, ସଙ୍ଗୀତ ରଚନା ସହ ସହଯୋଗୀ ନିର୍ଦ୍ଦେଶକର ଭୂମିକା ନିର୍ବାହ କରିଥିଲେ। ଏଥି ସହ ମାକ୍ସିମ୍ ଗର୍କିଙ୍କ ‘ମା’ ଉପନ୍ୟାସ, ବେଦିଲ୍’ଙ୍କ ‘କୌମୁଦୀ ଓ ମଦନ’, ଏମ୍.ସୋଲୋକୋଭ୍ ଙ୍କ ‘ଭାଗ୍ଯରୁ ଖିଏ’ , ହୁଇଟ୍ ମ୍ୟାନ୍’ଙ୍କ ‘ଦି ଲିଭ୍ସ୍ ଅଫ୍ ଗ୍ରାସ୍’, ଶୂଦ୍ରକଙ୍କ ‘ମୃଚ୍ଛକଟିକ’ ନାଟକ, ପିଲାଙ୍କ ପାଇଁ ‘ଛବିଟିକି ଗପଟିଏ’, ‘ଲାଲ୍ ଟୁକୁଟୁକୁ ସୂର୍ଯ୍ୟଟିଏ’ ପ୍ରଭୃତି ପ୍ରସିଦ୍ଧ ଅନୁବାଦ ରଚନା ।
ନିଜର କବିତା ସଙ୍କଳନ ‘ଅବାନ୍ତର’ (୧୯୭୮) ପାଇଁ କବି ଅନନ୍ତ ପଟ୍ଟନାୟକ ୧୯୮୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ନିଜର ଅଧିକାଂଶ କବିତା ପାଇଁ ସେ ୧୯୪୦ ମସିହାରେ କାରାଦଣ୍ଡ ଭୋଗି କଟକ ଓ ଅନୁଗୁଳ ଜେଲ୍’ରେ ରହିଥିଲେ। ‘ଛାଇର ଛିଟା’ (୧୯୬୬), ‘ଶିକ୍ଷା ନବୀଶ’ (୧୯୭୮), ‘ଅଋତୁ ଋତୁ’, ‘ଅଗଡ଼ ବଗଡ଼’, ‘ସୂତ୍ରଟିଏ ସୁ କୃତୀ’ (୧୯୮୬) ତାଙ୍କର ପ୍ରଭୃତି ପ୍ରସିଦ୍ଧ କାବ୍ୟ ଓ ଅନ୍ୟାନ୍ୟ ସଙ୍କଳନ। ୧୯୮୭ ମସିହାରେ ଶାରଳା ପୁରସ୍କାର ଲାଭ କରିଥିଲେ। ୨୫ ଜୁନ୍ ୧୯୮୭ ମସିହାରେ ତାଙ୍କର ପରଲୋକ ଘଟିଥିଲା।