ଲେଖା: ଅମ୍ବିକା ପଟ୍ଟନାୟକ

 

∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼
ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପଶ୍ଚିମ ଦିଗରେ ଅବସ୍ଥିତ ଚିତ୍ରକାରିଣୀ ମନ୍ଦିର ସମୂହ l ଲିଙ୍ଗରାଜ ମନ୍ଦିର କର୍ଜନ ସ୍ତମ୍ଭ ରାସ୍ତା ଦେଇ ପଶ୍ଚିମକୁ ଆଗେଇ ଚାଲିଲେ ଚିତ୍ରକାରିଣୀ ମନ୍ଦିର l ତେବେ ମନ୍ଦିର ଆଗରୁ ରାସ୍ତା ଉପରେ ଏକ ଛ ଫୁଟ ଉଚ୍ଚ ପିଣ୍ଡି ଉପରେ ଏକ ଛୋଟ ଘର l କାନ୍ଥରେ ଲେଖା ଅଛି “କପାଳୀ ମଠ” l ଚିନ୍ହ ସ୍ୱରୂପ ଏକ କ୍ଷୁଦ୍ର ଶିଖର ଓ ଉପରେ ପତାକା l
କପାଳୀ ଯଦିଓ ଦେବ ଦେବ ମହାଦେବଙ୍କ ଅନ୍ୟ ଏକ ନାମ ତେବେ ଭୁବନେଶ୍ୱରର ପ୍ରସିଦ୍ଧ ବୈତାଳ ମନ୍ଦିର ଅଧିଷ୍ଠାତ୍ରୀ ଦେବୀ ଚାମୁଣ୍ଡା ଲୋକମୁଖରେ ଗ୍ରାମଦେବତୀ କପାଳୀ ନାମରେ ସମ୍ବୋଧିତା l ସେପରି କପାଳୀ ମଠରେ ପୂଜା ପାଆନ୍ତି ବ୍ୟାଘ୍ରବାହିନୀ ଦେବୀ ‘କପାଳି’ l ମଠଟି କିଛି ବର୍ଷ ତଳେ ପୁନଃରୁଦ୍ଧାର ହୋଇଛି କିନ୍ତୁ ଦ୍ୱାରବନ୍ଧ ଜୀର୍ଣ୍ଣ ଶୀର୍ଣ୍ଣ ଓ ପ୍ରାଚୀନ l ଅନ୍ୟୂନ ସାତ ଆଠ ଶହ ବର୍ଷ ପୁରୁଣା l
କ୍ଷୁଦ୍ର ବୀଜରୁ ବିଶାଳ ବଟବୃକ୍ଷ ସୃଷ୍ଟି ହୁଏ l ସେପରି ଏ କ୍ଷୁଦ୍ର ଜୀର୍ଣ୍ଣ ଶୀର୍ଣ୍ଣ କପାଳି ମଠରେ ୫୯୦ ବର୍ଷ ତଳେ ଏକ ବୀଜବପନ ହୋଇଥିଲା ଯାହା ପରବର୍ତୀ କାଳରେ ବିଶାଳ ଓଡ଼ିଶା ମହାରାଜ୍ୟ ସ୍ଥାପନରେ ସହାୟକ ହୋଇଥିଲା l ୧୩୬୧ ରେ ଦିଲ୍ଲୀ ସୁଲତାନ ଫିରୋଜ ଶା ତୁଘଲକ ଅତର୍କିତ ଭାବେ କଟକ ଆକ୍ରମଣ କରି ବାରବାଟୀ ଦୁର୍ଗ ଭିତରେ ଥିବା ଜଗନ୍ନାଥ ମନ୍ଦିର ଧ୍ବଂସ କରି ଗଙ୍ଗ ରାଜାଙ୍କ ଠାରୁ କର ସଂଗ୍ରହ କରିଥିଲେ l ଆନୁମାନିକ ୧୪୨୦/୨୨ ବେଳକୁ ବଙ୍ଗ ସୁଲତାନ ହୁସାଙ୍ଗ ଶାହା ଓଡ଼ିଶା ଆକ୍ରମଣ କରି ଭାନୁଦେବଙ୍କୁ ବନ୍ଦୀ କରି କିଛି ହାତୀ ବିନିମୟରେ ମୁକ୍ତି ଦେଇଥିଲେ l ଏ ଦୁଇଟି ଘଟଣାରେ ଓଡ଼ିଶାର ସାମରିକ ପ୍ରତିପତ୍ତି ଯଥେଷ୍ଟ ହ୍ରାସ ପାଇଥିଲା l ସେ ସମୟରେ ବିଜୟନଗର ରାଜାଙ୍କ ମତାଣରେ ରାଜ ମହେନ୍ଦ୍ରୀ ରେଡ୍ଡୀ ଶାସକ ଓଡ଼ିଶାର ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରି ନିଜ ସୀମା ବିସ୍ତାର କରୁଥିଲେ l (ଆମେ କିନ୍ତୁ ଗଜପତି ପ୍ରତାପରୁଦ୍ରଙ୍କୁ ଅବିଚାରିତ ଭାବେ ଓଡ଼ିଶାର ସାମରିକ ଅଧୋପତନ ପାଇଁ ଦାୟୀ କରୁଥାଉ l)
ଏ ସବୁ ଘଟଣା ଓଡ଼ିଶାର ପାତ୍ର ମନ୍ତ୍ରୀଙ୍କୁ ବିଚଳିତ କରୁଥିଲା l ଏକ ଯୋଗ୍ୟ ନେତୃତ୍ୱର ସନ୍ଧାନ କରୁଥିବାବେଳେ ଆଗେଇ ଆସିଥିଲେ ଜଣେ ସାହସୀ ଯୁବକ କପିଳେଶ୍ଵର ଦେବ l ଗଙ୍ଗବଂଶୀ ମତ୍ତ ଭାନୁଦେବ ସୁଦୂର ଦକ୍ଷିଣରେ ବିଜୟନଗର ରାଜାଙ୍କ ସହ ଯୁଦ୍ଧ ଉଦ୍ୟମ ଚଳାଇଥିଲେ l ଏପଟେ ଉଦ୍ୟମୀ କପିଳେଶ୍ଵର ପାତ୍ରମନ୍ତ୍ରୀଙ୍କ ସହଯୋଗରେ ବିଦ୍ରୋହ ଘୋଷଣା କରି ଓଡ଼ିଶା ସିଂହାସନ ଅଧିକାର କଲେ l ଭଗ୍ନ ମନୋରଥ ଗାଦିଚ୍ୟୁତ ଭାନୁଦେବ ‘ଗୁଡାରି କଟକ‘ରେ ରହିଗଲେ l
ରାଜଧାନୀ କଟକରୁ ସମର୍ଥନ ଅନିଶ୍ଚିତ ଥିଲା l ଏଣୁ କପିଳେଶ୍ଵର ବାରବାଟୀ ନ ଯାଇ ଏକାମ୍ରକ୍ଷେତ୍ର କୃତିବାସ କଟକରେ ବିଜେ କଲେ l (ଲିଙ୍ଗରାଜ ମନ୍ଦିର ଦକ୍ଷିଣପାର୍ଶ୍ଵରେ ଥିବା ମଧୁ ବିଦ୍ୟାପୀଠ ସେଇ କୃତିବାସ କଟକ ଭିତ୍ତି ଉପରେ ନିର୍ମିତ l) ୧୪୩୫ ଜୁନ ୨୯ ତାରିଖରେ କପିଳେଶ୍ଵର କପାଳୀ ମଠରେ ନିଜର ରାଜ୍ୟ ଅଭିଷେକ ସମ୍ପନ୍ନ କରି ଓଡିଶାରେ ସୂର୍ଯ୍ୟବଂଶ ଶାସନ ପ୍ରତିଷ୍ଠା କଲେ l ପ୍ରଥମେ ବହୁ ବାଧାବିଘ୍ନ ସହି ଆଭ୍ୟନ୍ତରୀଣ ବିଦ୍ରୋହ ପ୍ରଶମନ କରି ପରେ ଜୌନପୁର ସୁଲତାନ, ବଙ୍ଗ ସୁଲତାନ, ରାଜମହେନ୍ଦ୍ରୀ ରେଡ୍ଡୀ, କୋଣ୍ଡାବିଡୁ ରେଡ୍ଡୀ, ବିଜୟନଗର ରାଜା, ବାହ୍ମନୀ ସୁଲତାନଙ୍କୁ ପରାସ୍ତ କରି ସେତୁବନ୍ଧ ରାମେଶ୍ୱର, ୱାରଙ୍ଗଳ, କଲବର୍ଗ ଉପରେ ଅପରାଜିତ ଜୈତ୍ର ଯାତ୍ରା କରି ସେ ହୋଇଗଲେ . . . ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବରଗେଶ୍ୱର, ଅଭୟତି ଭୂତ ଭୈରବ, ଦୁଃସହ ଦୁଃଶାସନ, ଅନିକରଣେ ରାଉତରାୟ, ଅତୁଳ ବଳ ପରାକ୍ରମଶାଳୀ, ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୂଳ ଧୂମକେତୁ ବିରାଧୀବୀରବର, ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ l ମଧ୍ୟଯୁଗୀୟ ଭାରତର ମହାପ୍ରତାପୀ ଶାସକ l ସେଇ ସ୍ମୃତିରେ ସେ କପାଳୀ ମଠ ଦକ୍ଷିଣ ପାର୍ଶ୍ଵ କାନ୍ଥରେ ଗର୍ବିତ ଗଜପତିଙ୍କ ଗଜବାହିନୀ ଅଭିଯାନର ଏକ ମୂର୍ତ୍ତି ସ୍ଥାନିତ l ଦୁଇ ଧାଡି ଶିଳାଲିପିରେ ବୀର ଶ୍ରୀ ମହାରାଜା କପିଳେଶ୍ଵର ଦେବ ଓ ତାଙ୍କ ମହାସେନାପତି ନାମ ଖୋଦିତ l
ଅବଶ୍ୟ ଦର୍ଶନୀୟ ଓ କୃତଜ୍ଞତା ଚିତ୍ତରେ ସ୍ମରଣୀୟ ଏ କପାଳୀ ମଠ l ଗଜପତି କପିଳେନ୍ଦ୍ର ହିଁ ଏ ଭୂଖଣ୍ଡ ନାମ “ଓଡ଼ିଶା” କରିଥିଲେ l
ଦେବୀଙ୍କ ଚିତ୍ର କୃତଜ୍ଞତା Sushant Bubby
#ଅନାଲୋଚିତ ଐତିହ୍ୟ Odisha
Kapali Math, Kapilendra Deba
Barabati, Ambika Patnaik
Ekamra
admin

Recent Posts

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

2 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

2 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

2 weeks ago

ପ୍ରଥମାଷ୍ଟମୀ

ଲେଖା: ଅଶୋକା ନାୟକ ପ୍ରଥମାଷ୍ଟମୀ ଦିନ ହଳଦୀପତ୍ରରେ ତିଆରି ଏଣ୍ଡୁରି ପାଇଁ ଅଥାର ହାଣ୍ଡି ବସିଥାଏ । ମାଟିହାଣ୍ଡିରେ ପାଣି,…

2 weeks ago