ଲେଖା: ଅମ୍ବିକା ପଟ୍ଟନାୟକ

 

∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼
ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପଶ୍ଚିମ ଦିଗରେ ଅବସ୍ଥିତ ଚିତ୍ରକାରିଣୀ ମନ୍ଦିର ସମୂହ l ଲିଙ୍ଗରାଜ ମନ୍ଦିର କର୍ଜନ ସ୍ତମ୍ଭ ରାସ୍ତା ଦେଇ ପଶ୍ଚିମକୁ ଆଗେଇ ଚାଲିଲେ ଚିତ୍ରକାରିଣୀ ମନ୍ଦିର l ତେବେ ମନ୍ଦିର ଆଗରୁ ରାସ୍ତା ଉପରେ ଏକ ଛ ଫୁଟ ଉଚ୍ଚ ପିଣ୍ଡି ଉପରେ ଏକ ଛୋଟ ଘର l କାନ୍ଥରେ ଲେଖା ଅଛି “କପାଳୀ ମଠ” l ଚିନ୍ହ ସ୍ୱରୂପ ଏକ କ୍ଷୁଦ୍ର ଶିଖର ଓ ଉପରେ ପତାକା l
କପାଳୀ ଯଦିଓ ଦେବ ଦେବ ମହାଦେବଙ୍କ ଅନ୍ୟ ଏକ ନାମ ତେବେ ଭୁବନେଶ୍ୱରର ପ୍ରସିଦ୍ଧ ବୈତାଳ ମନ୍ଦିର ଅଧିଷ୍ଠାତ୍ରୀ ଦେବୀ ଚାମୁଣ୍ଡା ଲୋକମୁଖରେ ଗ୍ରାମଦେବତୀ କପାଳୀ ନାମରେ ସମ୍ବୋଧିତା l ସେପରି କପାଳୀ ମଠରେ ପୂଜା ପାଆନ୍ତି ବ୍ୟାଘ୍ରବାହିନୀ ଦେବୀ ‘କପାଳି’ l ମଠଟି କିଛି ବର୍ଷ ତଳେ ପୁନଃରୁଦ୍ଧାର ହୋଇଛି କିନ୍ତୁ ଦ୍ୱାରବନ୍ଧ ଜୀର୍ଣ୍ଣ ଶୀର୍ଣ୍ଣ ଓ ପ୍ରାଚୀନ l ଅନ୍ୟୂନ ସାତ ଆଠ ଶହ ବର୍ଷ ପୁରୁଣା l
କ୍ଷୁଦ୍ର ବୀଜରୁ ବିଶାଳ ବଟବୃକ୍ଷ ସୃଷ୍ଟି ହୁଏ l ସେପରି ଏ କ୍ଷୁଦ୍ର ଜୀର୍ଣ୍ଣ ଶୀର୍ଣ୍ଣ କପାଳି ମଠରେ ୫୯୦ ବର୍ଷ ତଳେ ଏକ ବୀଜବପନ ହୋଇଥିଲା ଯାହା ପରବର୍ତୀ କାଳରେ ବିଶାଳ ଓଡ଼ିଶା ମହାରାଜ୍ୟ ସ୍ଥାପନରେ ସହାୟକ ହୋଇଥିଲା l ୧୩୬୧ ରେ ଦିଲ୍ଲୀ ସୁଲତାନ ଫିରୋଜ ଶା ତୁଘଲକ ଅତର୍କିତ ଭାବେ କଟକ ଆକ୍ରମଣ କରି ବାରବାଟୀ ଦୁର୍ଗ ଭିତରେ ଥିବା ଜଗନ୍ନାଥ ମନ୍ଦିର ଧ୍ବଂସ କରି ଗଙ୍ଗ ରାଜାଙ୍କ ଠାରୁ କର ସଂଗ୍ରହ କରିଥିଲେ l ଆନୁମାନିକ ୧୪୨୦/୨୨ ବେଳକୁ ବଙ୍ଗ ସୁଲତାନ ହୁସାଙ୍ଗ ଶାହା ଓଡ଼ିଶା ଆକ୍ରମଣ କରି ଭାନୁଦେବଙ୍କୁ ବନ୍ଦୀ କରି କିଛି ହାତୀ ବିନିମୟରେ ମୁକ୍ତି ଦେଇଥିଲେ l ଏ ଦୁଇଟି ଘଟଣାରେ ଓଡ଼ିଶାର ସାମରିକ ପ୍ରତିପତ୍ତି ଯଥେଷ୍ଟ ହ୍ରାସ ପାଇଥିଲା l ସେ ସମୟରେ ବିଜୟନଗର ରାଜାଙ୍କ ମତାଣରେ ରାଜ ମହେନ୍ଦ୍ରୀ ରେଡ୍ଡୀ ଶାସକ ଓଡ଼ିଶାର ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରି ନିଜ ସୀମା ବିସ୍ତାର କରୁଥିଲେ l (ଆମେ କିନ୍ତୁ ଗଜପତି ପ୍ରତାପରୁଦ୍ରଙ୍କୁ ଅବିଚାରିତ ଭାବେ ଓଡ଼ିଶାର ସାମରିକ ଅଧୋପତନ ପାଇଁ ଦାୟୀ କରୁଥାଉ l)
ଏ ସବୁ ଘଟଣା ଓଡ଼ିଶାର ପାତ୍ର ମନ୍ତ୍ରୀଙ୍କୁ ବିଚଳିତ କରୁଥିଲା l ଏକ ଯୋଗ୍ୟ ନେତୃତ୍ୱର ସନ୍ଧାନ କରୁଥିବାବେଳେ ଆଗେଇ ଆସିଥିଲେ ଜଣେ ସାହସୀ ଯୁବକ କପିଳେଶ୍ଵର ଦେବ l ଗଙ୍ଗବଂଶୀ ମତ୍ତ ଭାନୁଦେବ ସୁଦୂର ଦକ୍ଷିଣରେ ବିଜୟନଗର ରାଜାଙ୍କ ସହ ଯୁଦ୍ଧ ଉଦ୍ୟମ ଚଳାଇଥିଲେ l ଏପଟେ ଉଦ୍ୟମୀ କପିଳେଶ୍ଵର ପାତ୍ରମନ୍ତ୍ରୀଙ୍କ ସହଯୋଗରେ ବିଦ୍ରୋହ ଘୋଷଣା କରି ଓଡ଼ିଶା ସିଂହାସନ ଅଧିକାର କଲେ l ଭଗ୍ନ ମନୋରଥ ଗାଦିଚ୍ୟୁତ ଭାନୁଦେବ ‘ଗୁଡାରି କଟକ‘ରେ ରହିଗଲେ l
ରାଜଧାନୀ କଟକରୁ ସମର୍ଥନ ଅନିଶ୍ଚିତ ଥିଲା l ଏଣୁ କପିଳେଶ୍ଵର ବାରବାଟୀ ନ ଯାଇ ଏକାମ୍ରକ୍ଷେତ୍ର କୃତିବାସ କଟକରେ ବିଜେ କଲେ l (ଲିଙ୍ଗରାଜ ମନ୍ଦିର ଦକ୍ଷିଣପାର୍ଶ୍ଵରେ ଥିବା ମଧୁ ବିଦ୍ୟାପୀଠ ସେଇ କୃତିବାସ କଟକ ଭିତ୍ତି ଉପରେ ନିର୍ମିତ l) ୧୪୩୫ ଜୁନ ୨୯ ତାରିଖରେ କପିଳେଶ୍ଵର କପାଳୀ ମଠରେ ନିଜର ରାଜ୍ୟ ଅଭିଷେକ ସମ୍ପନ୍ନ କରି ଓଡିଶାରେ ସୂର୍ଯ୍ୟବଂଶ ଶାସନ ପ୍ରତିଷ୍ଠା କଲେ l ପ୍ରଥମେ ବହୁ ବାଧାବିଘ୍ନ ସହି ଆଭ୍ୟନ୍ତରୀଣ ବିଦ୍ରୋହ ପ୍ରଶମନ କରି ପରେ ଜୌନପୁର ସୁଲତାନ, ବଙ୍ଗ ସୁଲତାନ, ରାଜମହେନ୍ଦ୍ରୀ ରେଡ୍ଡୀ, କୋଣ୍ଡାବିଡୁ ରେଡ୍ଡୀ, ବିଜୟନଗର ରାଜା, ବାହ୍ମନୀ ସୁଲତାନଙ୍କୁ ପରାସ୍ତ କରି ସେତୁବନ୍ଧ ରାମେଶ୍ୱର, ୱାରଙ୍ଗଳ, କଲବର୍ଗ ଉପରେ ଅପରାଜିତ ଜୈତ୍ର ଯାତ୍ରା କରି ସେ ହୋଇଗଲେ . . . ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବରଗେଶ୍ୱର, ଅଭୟତି ଭୂତ ଭୈରବ, ଦୁଃସହ ଦୁଃଶାସନ, ଅନିକରଣେ ରାଉତରାୟ, ଅତୁଳ ବଳ ପରାକ୍ରମଶାଳୀ, ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୂଳ ଧୂମକେତୁ ବିରାଧୀବୀରବର, ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ l ମଧ୍ୟଯୁଗୀୟ ଭାରତର ମହାପ୍ରତାପୀ ଶାସକ l ସେଇ ସ୍ମୃତିରେ ସେ କପାଳୀ ମଠ ଦକ୍ଷିଣ ପାର୍ଶ୍ଵ କାନ୍ଥରେ ଗର୍ବିତ ଗଜପତିଙ୍କ ଗଜବାହିନୀ ଅଭିଯାନର ଏକ ମୂର୍ତ୍ତି ସ୍ଥାନିତ l ଦୁଇ ଧାଡି ଶିଳାଲିପିରେ ବୀର ଶ୍ରୀ ମହାରାଜା କପିଳେଶ୍ଵର ଦେବ ଓ ତାଙ୍କ ମହାସେନାପତି ନାମ ଖୋଦିତ l
ଅବଶ୍ୟ ଦର୍ଶନୀୟ ଓ କୃତଜ୍ଞତା ଚିତ୍ତରେ ସ୍ମରଣୀୟ ଏ କପାଳୀ ମଠ l ଗଜପତି କପିଳେନ୍ଦ୍ର ହିଁ ଏ ଭୂଖଣ୍ଡ ନାମ “ଓଡ଼ିଶା” କରିଥିଲେ l
ଦେବୀଙ୍କ ଚିତ୍ର କୃତଜ୍ଞତା Sushant Bubby
#ଅନାଲୋଚିତ ଐତିହ୍ୟ Odisha
Kapali Math, Kapilendra Deba
Barabati, Ambika Patnaik
Ekamra
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago