ମହାମନିଷୀଗଣ

ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ ସେନାପତି ଫକିରମୋହନ

ଲେଖା: ଦେଵ ତ୍ରିପାଠୀ

୧୯୧୦ ମସିହା, କଲିକତା ବିଶ୍ଵବିଦ୍ୟାଳୟ ।

ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ପତ୍ରଟିଏ ପାଇଲେ ଅର୍ଥନୀତିର ଛାତ୍ର ଗୋଦାବରୀଶ । ଢେବା ଢେବା ଅକ୍ଷରରେ ଲେଖା ଯେଉଁ ପତ୍ରଟି ତାଙ୍କ ହାତରେ ଥିଲା, ସେ ପତ୍ର ଆସିଥିଲା ବାଲେଶ୍ଵର ମାଟିରୁ ! ଲେଖିଥିଲେ ଓଡ଼ିଆ ସାହିତ୍ୟର ମଉଡ଼ମଣି ଫକୀରମୋହନ ! ପତ୍ରଟି ପଢି ଗୋଦାବରୀଶ ଅନୁଭଵ କରିଥିଲେ ସତେ ଅବା ପରମାତ୍ମାଙ୍କ ଆଶୀର୍ବାଦ ଲଭିଛନ୍ତି ସେ ସେଇ ପତ୍ର ମାଧ୍ୟମରେ ! ପତ୍ରଟିର ଉତ୍ତର ଦେବାକୁ ହେବ ! ମାତ୍ର କି ଉତ୍ତର ବା ଦେଇପାରିବେ ସେଇ ପୁରୁଷଶ୍ରେଷ୍ଠଙ୍କୁ, ସେଇ ଦିବ୍ୟାତ୍ମାଙ୍କୁ ?

ଉତ୍କଳ ସାହିତ୍ୟ” ପତ୍ରିକାରେ ଗୋଦାବରୀଶଙ୍କ ‘ସରସ୍ବତୀ ଆବାହନ‘ କବିତାର ପ୍ରକାଶନ ପରେ ଭାବଗଦଗଦ ଭାବେ ପ୍ରଶସ୍ତିମୂଳକ ଯେଉଁ ପତ୍ରଖଣ୍ଡିକ ପଠାଇଥିଲେ ଫକୀରମୋହନ, ସେ ପତ୍ର ପଢି କିଂକର୍ତ୍ତବ୍ୟବିମୁଢ଼ ଗୋଦାବରୀଶ ଉତ୍ତର ଦେଇ ପାରି ନଥିଲେ I ବରଂ କିଛି ଦିନ ଉତ୍ତାରେ ଅନ୍ୟ ଏକ ପତ୍ର ପାଇଥିଲେ ସେ ଫକୀରମୋହନଙ୍କଠାରୁ ! ଅତି ସଙ୍କୋଚରେ ଏଥର ଉତ୍ତର ଦେଇଥିଲେ ସେ !

ପତ୍ର ପାଇବା ଓ ଉତ୍ତର ଦେବାରେ ଦି’ ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି’ ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ  ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର ! ଏ କଥା ସ୍ୱୟଂ ଗୋଦାବରୀଶ ସ୍ବୀକାରିଛନ୍ତି ନିଜର “ଥରକର ସ୍ମୃତି” ଆଲେଖ୍ୟରେ ! ଫକୀରମୋହନଙ୍କୁ ଗୁରୁତୁଲ୍ୟ ମାନୁଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ସେଇ ପତ୍ର ଦୁଇଟିକୁ ଜୀବନର ଶ୍ରେଷ୍ଠ ସମ୍ପଦ ଭାବେ ସାଇତି ରଖିଥିଲେ ଶେଷ ସମୟ ପର୍ଯ୍ୟନ୍ତ !

ଗୋଦାବରୀଶଙ୍କ ପୂଜ୍ୟଗୁରୁ ଫକୀରମୋହନ ଥିଲେ ଏପରି ଜଣେ ମହାତ୍ମା, ଯିଏ ଜୀବନର ସାୟାହ୍ନରେ ଯଶଖ୍ୟାତିର ଶୀର୍ଷାରୋହଣ କଲା ପରେ ମଧ୍ୟ ନୂତନ ସ୍ରଷ୍ଟା, ତରୁଣ ଓ ଯୁବକମାନଙ୍କୁ ଉତ୍ସାହିତ କରୁଥିଲେ, ଆଶୀର୍ବାଦ କରୁଥିଲେ ଓ ସ୍ନେହାପ୍ଳୁତ ଦୁଇ ବାହୁ ମେଲି ସେମାନଙ୍କୁ ଏକାନ୍ତ ଆତ୍ମୀୟ ଭାବି କୋଳେଇ ନେଉଥିଲେ

ତାଙ୍କୁ ଗୁରୁ, ପଥପ୍ରଦର୍ଶକ, ଅଗ୍ରଜତୂଲ୍ୟ ମଣୁଥିବା ଯୁଗପୁରୁଷମାନଙ୍କ ମଧ୍ୟରେ ଥିଲେ ଗୋଦାବରୀଶଙ୍କ ସମେତ ପଞ୍ଚସଖା, ଶତାବ୍ଦୀର ସୂର୍ଯ୍ୟ ମଧୁସୂଦନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ସ୍ବଭାବକବି ଗଙ୍ଗାଧର ପ୍ରମୁଖ !

*** *** ***

୧୯୧୮ ମସିହା, ଜୁନ୍ ୧୩ ତାରିଖ, ପହିଲି ରଜ, ଶାନ୍ତିକାନନ, ବାଲେଶ୍ଵର ।

କାଇଁ କେତେ ଦିନରୁ ଫକୀରମୋହନ ପାଇସାରିଥିଲେ କାଳର ମହାନିମନ୍ତ୍ରଣ ! ରୋଗ ଶଯ୍ୟାରେ ଶୋଇଥାନ୍ତି, ପଲଙ୍କ ଉପରେ ! ନିଶ୍ଚଳ ଶରୀର ! ପାଦ ପାଖରେ ବସିଥିବା ଗୋଦାବରୀଶଙ୍କ ଅନୁରୋଧରେ ନିଜ ପ୍ରିୟ ଓଡ଼ିଆଙ୍କ ପାଇଁ ଥରଥର କଣ୍ଠରେ ଦେଇଥିଲେ ବାର୍ତ୍ତାଟିଏ ! ସପ୍ତାହ ପୂର୍ବରୁ ଲେଖିଥିବା ଜୀବନର ସେଇ ଶେଷ ରଚନା ଜୀର୍ଣ୍ଣପଲ୍ଲବର ସେଇ ପଦଟିକୁ ଗାଇ:
“ଆଶୀର୍ବାଦ, ଆଶୀର୍ବାଦ ନବପତ୍ର ଦଳ,
ଛାୟାଦାନେ ହୁଅ ପାନ୍ଥ, ପାଦପସମ୍ବଳ ।।”

ପରିଣତ ବୟସରେ ଏ ପୃଥିବୀରୁ ବିଦାୟ ନେବା ପୂର୍ବରୁ ନିଜକୁ ଏକ “ଜୀର୍ଣ୍ଣପଲ୍ଲବ” ମନେ କରି ଆଗନ୍ତୁକ ‘ନବପତ୍ର‘ମାନଙ୍କୁ ଆଶୀର୍ବାଦ କରିଥିଲେ ସେଇ ଫକୀରମୋହନ !

ପରଦିନ, ରଜ ସଂକ୍ରାନ୍ତି ! ଅପରାହ୍ଣ !

ମେଜ ଉପରେ ଗଦି ପକାଇ ଶୁଆଇ ଦିଆଯାଇଛି ଫକୀରମୋହନଙ୍କୁ ! ଶତାଧିକ ଶୁଭେଚ୍ଛୁଙ୍କ ମେଳରେ ଚଳଚଞ୍ଚଳ ଶାନ୍ତିକାନନ ! ନିକଟରେ ଗୋଦାବରୀଶ, ମଲ୍ଲୀକାଶପୁରର ବାଲ୍ୟବନ୍ଧୁ ଚିନ୍ତାମଣି ଦାସ ଓଗେର ! ବୋହୂ ହିରଣପ୍ରଭା ଗାଉଛନ୍ତି ବ୍ରାହ୍ମସଙ୍ଗୀତ ! ଅନ୍ୟତମ ବାଲ୍ୟବନ୍ଧୁ ଭଗବାନ ବାବୁ କରୁଛନ୍ତି ବ୍ରାହ୍ମ ଉପାସନା !

ଶାନ୍ତିକାନନକୁ ନିଷ୍ପ୍ରାଣ କରି ଚାଲିଗଲେ ଫକୀରମୋହନ . . . ଚାଲିଗଲେ ଓଡ଼ିଆ ସାହିତ୍ୟର ତ୍ରାଣକର୍ତ୍ତା !

ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ଅଗ୍ରସାରଥୀ, ସାହିତ୍ୟ ସିଂହଦ୍ଵାରର ପ୍ରତିହାରୀ ! ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ !

ଚାଲିଗଲେ ଏ ମାଟିର ଜନମାନସରେ ଚିରସବୁଜ, ଚିରସତେଜ, ସଜଳ ହୋଇ ରହିଥିବା କୋଟି ହୃଦୟର ମଉଡ଼ମଣି, ଦିବ୍ୟପୁରୁଷ ସରସ୍ବତୀ ଫକୀରମୋହନ . . କୋଟି ହୃଦୟକୁ କନ୍ଦାଇଥରାଇ, ଏ ଜାତିକୁ ହୀନିମାନ କରି . .

ଅବିଳମ୍ବେ ବାଲେଶ୍ଵର ନଗରୀରେ ପ୍ରଚାର ହୋଇଯାଇଥିଲା, ଓଡ଼ିଆ ସାହିତ୍ୟର ପ୍ରବାଦପୁରୁଷ ଆଉ ନାହାଁନ୍ତି !

ବ୍ୟାସକବିଙ୍କ ବାସଭବନ ହତାରେ, ବାହାରେ, ରାସ୍ତାରେ, ହଜାର ହଜାର ଜନତାଙ୍କ ଭିଡ଼ ! ସଭିଙ୍କର ପ୍ରଚ୍ଛନ୍ନ ଅଭିଳାଷ, ଦେଖିନେବେ ନିଜର ପ୍ରିୟମଣିଷଙ୍କୁ ଟିକିଏ, ଶେଷଥର ପାଇଁ !

ସୂଚୀଭେଦ୍ୟ ନିରବତା !

ସନ୍ଧ୍ୟା ହେଉ ହେଉ ଫୁଲରେ ସଜ୍ଜିତ ଶବ ଜନସମୁଦ୍ର ଭିତରେ ବୁହା ହୋଇ ଚାଲିଲା ! ଶବ ଆଗରେ ପୁତ୍ର ମୋହିନୀମୋହନ, ନାତୁଣୀଗଣ ! ପଛେ ପଛେ ଅଗଣିତ ଜନତା ! ସେମାନେ ଜଣାଇବାକୁ ଚାହାଁନ୍ତି କେବଳ ସେମାନଙ୍କ ହୃଦୟର ସମ୍ରାଟଙ୍କ ପାଇଁ ଶେଷ ଶ୍ରଦ୍ଧାଞ୍ଜଳି !

ଛତୁଆପୋଖରୀ କୂଳର ଶ୍ମଶାନରେ ଫକୀରମୋହନଙ୍କ ଚିତା ଜଳିଲା ବେଳକୁ ଗୁମୁରି ଗୁମୁରି କାନ୍ଦୁଥିଲା ସାରା ସହର ! ସବୁରି ଅଲକ୍ଷ୍ୟରେ କାନ୍ଦୁଥିଲେ ଉତ୍କଳ ଜନନୀ !

ସେ ଜଡ଼ଦେହରେ ଆମ ସଙ୍ଗେ ଥା’ନ୍ତୁ ବା ନ ଥା’ନ୍ତୁ, ଦିବ୍ୟଧାମରେ ତାଙ୍କ ଆତ୍ମା ବାସ କରୁଥାଉ ବା ନ ଥାଉ, ତାଙ୍କ ଶାଶ୍ବତ ସର୍ଜନା କିନ୍ତୁ ଚିରଦିନ ଚିରଞ୍ଜିବୀ ହୋଇ ରହିବ ଉତ୍କଳ ଭାରତୀଙ୍କ ସିଂହାସନରେ, ନିଃସନ୍ଦେହରେ . . ।” ଉପସ୍ଥିତ ଜନତାଙ୍କ ଭିତରେ ଗୁଞ୍ଜୁରି ଉଠୁଥିଲା ଏଇ କଥାପଦକ . . !

ସେଇ ଯୁଗସ୍ରଷ୍ଟା ଯୁଗପୁରୁଷ ତଥା ଓଡ଼ିଆ ସାହିତ୍ୟ ସିଂହଦ୍ଵାରର ପ୍ରତିହାରୀ ହିମାଳୟସମ ଉତ୍ତୁଙ୍ଗ ପ୍ରତିଭାଙ୍କୁ ଶତ କୋଟି ଦଣ୍ଡପ୍ରଣାମ କରୁଛି ଅନ୍ତରଙ୍ଗ କଳିଙ୍ଗ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago