~ ସିକନ୍ଦର ଆଲାମ ~

ଲେଖା: ଅମୃତେଶ ଖଟୁଆ

“ଏ ବନ ଝରଣା
ନାଚି ନାଚି ଯାଅନା
ଏ ମୋର ମଇନା ଧରା ଦିଅନା।”

‘ମନ ଆକାଶ’ (୧୯୭୪) ଚଳଚ୍ଚିତ୍ରରେ ପ୍ରଥମ କରି କଣ୍ଠଦାନ କରିଥିଲେ ସେତେବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା। ଏହି ଲୋକପ୍ରିୟ ତଥା ଚିରସବୁଜ ଗୀତ ଆଜି ବି ସମସ୍ତଙ୍କ ପାଇଁ ହୃଦୟସ୍ପର୍ଶୀ ହେଇ ରହିଛି। ଆଉ ଏହିଥିରେ ତାଙ୍କ ସହ ଯିଏ କଣ୍ଠଦାନ କରିଥିଲେ, ସିଏ ପରବର୍ତ୍ତୀ ସମୟରେ ଆମ ଓଡ଼ିଆ ମାଟିରେ ଆଧୁନିକ ଯୁଗର ସାଲବେଗ ରୂପେ ଅଭିହିତ ହୋଇଥିଲେ – ସିକନ୍ଦର ଆଲାମ୍ ! [“ମନ ଆକାଶ” ଚଳଚ୍ଚିତ୍ର ପ୍ରସିଦ୍ଧ ନାଟ୍ୟକାର ବସନ୍ତ କୁମାର ମହାପାତ୍ରଙ୍କ “ଝରା ବଉଳ” ନାଟ୍ୟ ଉପରେ ପର୍ଯ୍ୟବସିତ।]

କଟକ ଜିଲ୍ଲା ବୟାଳିଶି ମୌଜାର ରାଉତରାପୁରଠାରେ ସେ ଜନ୍ମିତ ସିକନ୍ଦର କଟକ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲରୁ ନିଜର ମାଟ୍ରିକ୍ ଏବଂ ଷ୍ଟୁଆର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ୍ ସମାପନ କରି ନିଜ ପିତା ଓ ଅଗ୍ରଜଙ୍କ ପ୍ରେରଣାରେ ସେ ନୂଆଦିଲ୍ଲୀ ସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗ ଦିଅନ୍ତି। ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧୀନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତୀତ୍ୱର ସହ ସଂଗୀତ ବିଶାରଦ ହେବାର ଗୌରବ ହାସଲ କରିଥିଲେ ।

ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ । ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ ସ୍ଵଳ୍ପ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।

୨୨ ମାର୍ଚ୍ଚ ୧୯୬୨ ମସିହାରେ କଟକର କ୍ୟାପିଟାଲ୍ ସିନେମା ହଲରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବିଶିଷ୍ଟ ଅଭିନେତା ଗୌର ଘୋଷ ଓ ଗୀତିକାର ସାରଦା ପ୍ରସନ୍ନ ନାୟକଙ୍କ ସୁଯୋଗରୁ ବାଳକୃଷ୍ଣ ଦାଶଙ୍କ ସଂଗୀତ ନିର୍ଦ୍ଦେଶନାରେ ସେଥିରେ ଥିଲେ ଜଣେ ନୂଆ ଓ ତରୁଣ ଗାୟକଙ୍କର ଦୁଇଟି ଗୀତ । ଆଉ ସେହି ତରୁଣ ସିକନ୍ଦର ଆଲାମ ଗାଇଥିଲେ –
“ଆରତ ସୁରେ ବାରେ କରେ ମିନତିରେ,
ଚକା ନୟନ ଚାହାଁ ମାଗେ ମାଗୁଣୀ ରେ….”
ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ  ଭାବର ଗୀତ । ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଙ୍କୁ ସେତେବେଳେ ଅଭିମନ୍ତ୍ରିତ କରିଥିଲା। ଆଉ ପଛକୁ ଫେରି ଚାହିଁ ନ ଥିଲେ ସିକନ୍ଦର ।

HMV କମ୍ପାନୀ ଦ୍ଵାରା ପ୍ରଥମ କରି ଯେଉଁ ଫିଲ୍ମ ଗୀତ ଆତ୍ମପ୍ରକାଶ ହୁଏ, ସେଥିରେ ସର୍ବପ୍ରଥମେ କଣ୍ଠଦାନ କରିଥିଲେ, ସିକନ୍ଦର ଆଲାମ୍।  ନବପ୍ରତିଭାଙ୍କ ବିକାଶ ସହ ସମଧର୍ମା କଳାକାରଙ୍କ ସମବେତ ସହଯୋଗରେ ଓଡିଶାର ସଙ୍ଗୀତର ବିକାଶକ୍ରମକୁ ଆଗେଇ ନେବା ପାଇଁ ସବୁବେଳେ କହୁଥିଲେ।

ସେ ନିଜେ କହୁଥିଲେ ଆଜିର ଆଧୁନିକ ଯୁଗରେ ସାଲବେଗଙ୍କ ଗୀତକୁ ମଧ୍ୟ କେହି ପରିଲକ୍ଷିତ କରୁନାହାନ୍ତି। କଟକ ଆକାଶବାଣୀର ନିର୍ଦ୍ଦେଶକ ପି.ଭି. କୃଷ୍ଣମୂର୍ତ୍ତିଙ୍କ ପ୍ରୋତ୍ସାହନରେ ସେତେବେଳେ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ୍ ଏବଂ ଅକ୍ଷୟ ମହାନ୍ତି ସଂଗୀତ ଜଗତର ସୁବର୍ଣ୍ଣତ୍ରିଭୁଜ ରୂପେ ଯଥାମାନ୍ଯ ଥିଲେ !

“ବୃନ୍ଦାବନେ ବଂଶୀ କେ ବଜାଇଲା….”, “ଗୋ ରାଧେ ବଂଶୀଟି ଆମର  ଦିଅ….”, “କି ଅନ୍ଧ କରି ମୋତେ କରିଲୁ ରେ ଧନ୍ୟ….. “, “କେଡେ ସୁନ୍ଦର ଦିଶେ କାଳିଆ ହାତୀ….. “, “ନୀଳାଚଳେ ବସି କରୁଅଛ ଲୀଳା…. “, “ତୋ ଚକାଡୋଳାକୁ ଚାହିଁ ରହିଥିବି…. “, “ବନ ପକ୍ଷୀ ଝୁରେ ରେ ମନ…”, “ସାଗରେ ଅଧୀର ନୀଳ ତରଙ୍ଗ… “, “ଆଖି ବୁଝା ବୁଜି ଦିଅ, ନୀରବରେ କଥା କୁହ….. “, “ଏଇ ମୋ ମନର ଅଲେଖା ଖାତାରେ , ଲେଖି ଦେଇଗଲ ଯେଉଁ କବିତା…..”, “ମାୟାବିନୀ ବନ ଜୋଛନା….” ଭଳି ୪୦ରୁ ଊର୍ଦ୍ଧ୍ଵ ଚିରସବୁଜ ଭଜନ ଓ ଗୀତର କଣ୍ଠଶିଳ୍ପୀ ରୂପେ ଉଭା ହୋଇଥିଲେ ସିକନ୍ଦର ଆଲାମ୍ !

ସେ ସାଲବେଗ ପରମ୍ପରାର ସୁଯୋଗ୍ୟ ଉତ୍ତରପିଢି । ଜୀବନର ଅନ୍ତିମ କ୍ଷଣ ଯାଏଁ ସେ ଥିଲେ ଗୋଟାପଣେ ଓଡିଆ । ସଂହତି ଓ ସମନ୍ବୟର ସେ ଥିଲେ ସାର୍ଥକ ଯୋଗସୂତ୍ର । ତାଙ୍କ ପାଇଁ ଶ୍ରୀଜଗନ୍ନାଥ ହିଁ ଆଲ୍ଲାଙ୍କ ସ୍ଵରୂପ – ହୃଦୟରୁ ସେ ଥିଲେ ଜଣେ ଏକୀଭୂତ ରସଗ୍ରାହୀ ବ୍ଯକ୍ତିତ୍ଵ ! ଓଡ଼ିଆ ମାଟିର ବାସ୍ନାରେ ହିଁ ତାଙ୍କର ତରୁଣ ତଥା କୋମଳ କଣ୍ଠରେ ଗୀତର ଧାରା ବେଶ୍ ଉନ୍ମୁଖ ଥିଲା । ମାତ୍ର, ତାଙ୍କୁ ଓଡିଆ ମାଟିରୁ କୌଣସି ବି ଲବ୍ଧପ୍ରତିଷ୍ଠ ଅନୁଷ୍ଠାନ ପକ୍ଷରୁ ସ୍ଵୀକୃତି ମିଳିଲାନି। ହେଲେ କଣ୍ଠର ଅବାରିତ ସ୍ଫୁରଣରେ ସଦା କୋମଳତା ବିରାଜମାନ !

ଏକଦା ଝଙ୍କଡ ସାରଳାଙ୍କ ପୀଠରେ ଭଜନ କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନରେ ସିକନ୍ଦର ଆଲାମଙ୍କୁ ପ୍ରସାଦ ମିଳିନଥାଏ । ହେଲେ ଜନୈକ ବ୍ୟକ୍ତି ତାଙ୍କ ପାଇଁ ହୋଟେଲରେ ଖାଇବା ବ୍ୟବସ୍ଥା ହୋଇଥିବାର କହିବାରୁ ସେ କହିଥିଲେ – “ତମର ଧାରଣା ନାହିଁ, ମୁଁ ଜଗନ୍ନାଥଙ୍କ ଭଜନ ଗାଇବାକୁ ଗଲେ ମନ୍ଦିରରେ ପ୍ରସାଦ, ଯଦି ପ୍ରସାଦ ନ ହୋଇଥାଏ, ତେବେ ଅରୁଆ ଅନ୍ନ, ଡାଲମା ଖାଇ ଶାନ୍ତିରେ ଫେରେ। ଏ ହେଉଛି ମୋର ସଂସ୍କୃତି। ଏ ମୋର ଭକ୍ତି ଓ ବିଶ୍ୱାସ !” ପ୍ରକୃତ ଭକ୍ତ ଆଡମ୍ଵର ଲୋଡେ ନାହିଁ, ଆତ୍ମତୃପ୍ତିରେ ହିଁ ପରାପର ଭୁଲି ପରମାତ୍ମାଙ୍କୁ ଧ୍ୟାନ କରେ !

‘ଅମଡ଼ା ବାଟ’ (୧୯୬୪), ‘ଅଦିନ ମେଘ’(୧୯୭୦), ‘ମାଣିକ ଯୋଡ଼ି’ (୧୯୬୩), ‘ମମତା’ (୧୯୭୫), ‘ସୂର୍ଯ୍ୟମୁଖୀ’ (୧୯୬୨), ‘ପୂଜା’ (୧୯୮୧), ‘ଶଙ୍ଖ ମହୁରୀ’, ‘କନକଲତା’ ପ୍ରଭୃତି ବିବିଧ ଚିରସବୁଜ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ସବୁ ଅନ୍ୟତମ । ଏତଦ ବ୍ୟତୀତ, ସେ ଅନେକ ଆଲବମ୍ ଗୀତରେ କଣ୍ଠଦାନ କରିଛନ୍ତି। ଇତି ମଧ୍ୟରେ ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିବା ସହ ଓଡ଼ିଶା ରାଜ୍ୟ ‘ସଂଗୀତ ନାଟକ ଏକାଡେମୀ’ର ଉପସଭାପତି ଓ ସଂଗୀତ ସୁଧାକର ‘ବାଳକୃଷ୍ଣ ଦାଶ ଫାଉଣ୍ଡେସନ’ର ସଭାପତି ପଦବୀ ଅଳଙ୍କୃତ କରିଥିଲେ ।

‘ଚିତ୍ରପୁରୀ ସମ୍ମାନ’, ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ପକ୍ଷରୁ ‘ସୁର ସାଗର’, ‘ଓଡିଶା ସୋସାଇଟି ଅଫ୍ ଆମେରିକା’, ‘ଧରିତ୍ରୀ ସମ୍ମାନ’, ସିନେ କ୍ରିଟିକ୍ ଆସୋସିଏସନ ପକ୍ଷରୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ, ରାଜ୍ୟ ଚଳଚ୍ଚିତ୍ର ସମ୍ମାନ, ଆକାଶବାଣୀ ପକ୍ଷରୁ ‘ଅବସର ବିନୋଦନ କେନ୍ଦ୍ର ସମ୍ମାନ’, ପୁରୀର ସାଲବେଗ ସାଂସ୍କୃତିକ ପରିଷଦ ପକ୍ଷରୁ ‘ସାଲବେଗ ସମ୍ମାନ‘, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ‘ସଂଗୀତଶ୍ରୀ‘ ପରି ଅନେକ ବଦାନ୍ୟ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କରି ସ୍ମୃତିରେ ଅଦ୍ୟାବଧି ‘ଆଲାମ ଫାଉଣ୍ଡେସନ’ ପକ୍ଷରୁ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’ ପ୍ରତ୍ୟହ ପ୍ରଦାନ କରାଯାଏ। ଏହା ଶେଷ ଥର କିମ୍ବଦନ୍ତୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ପ୍ରଦାନ କରାଯାଇଥିଲା।

ଦେଶବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ । କେବଳ ଏତିକି ନୁହେଁ, ସେ ବିବିସି ଲଣ୍ଡନରୁ କଣ୍ଠଦାନ କରିବାରେ ମଧ୍ୟ ପ୍ରଥମ ଓଡ଼ିଆ ଥିଲେ ! ୨୦୧୦ ମସିହା ଅଗଷ୍ଟ ୮ ତାରିଖରେ ସେ ଇହଲୀଳା ସମ୍ଵରଣ କରିଥିଲେ ।

Sikandar Alam

Amritesh Khatua

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago