ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର

ମା’ ସର୍ବଦା ବନ୍ଦନୀୟ, ସ୍ନେହର ଅବତାର, ପରିବାରର ଶ୍ରେଷ୍ଠତମ ରୂପ, ସର୍ବଜନ ପ୍ରିୟ, ଶ୍ରଦ୍ଧାର ସାଗର, ପବିତ୍ର ! ମା’ ବିନୁଁ ଅନ୍ୟ ଗତି, ମୁକ୍ତି ନାହିଁ । ତେବେ ବିଶଦ ଅର୍ଥରେ ମାତୃଭୂମି ସମସ୍ତଙ୍କର ମା’। ଏହି କ୍ରମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ ମାତୃଭୂମି କବିତା ! ଥରୁଟିଏ ଚିନ୍ତା କରିବା ସତରେ କ’ଣ ଆମେ ମା’କୁ ସମ୍ମାନ ଦେଇ ପାରିଛନ୍ତି ଓ ମାତୃଭୁମି ପ୍ରତି କର୍ତ୍ତବ୍ୟ କରୁଛନ୍ତି ?  ଆମେ ନିଜେହିଁ ନିଜର ବିଚାରକ ! ଆସନ୍ତୁ ପ୍ରଣାମ ଜଣାଇବା ସମସ୍ତେ ଆମରି ମାତୃଭୂମି ଓଡ଼ିଶାକୁ ଏହି ସୁନ୍ଦର କବିତା ମାଧ୍ୟମରେ ଓ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା।

ବନ୍ଦେ କଳିଙ୍ଗ ମାତା ।।

** ମାତୃଭୂମି **
ଯେ କାଳେ ବାଳକ ବୁଲି ଯାଇପାରେ
ପଡୋଶୀ ମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା ସଙ୍ଗୀ ବାଳକଙ୍କର ।୧।

ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ ।୨।

ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମେ ଅଟେ ତାହାର ।୩।

ଆପଣା ଗ୍ରାମର ନଦୀ ପୁଷ୍କରିଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ ପୁଣି ସେହି
ସବୁକୁ ମଣଇ ଭଲ ।୪।

ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠ ପଣ ।୫।

ହାତୀ ଘୋଡ଼ା ଠାରୁ ଛେଳି ମେଣ୍ଢା ଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକର  ତାହାରି
ରାଜ୍ୟଟି ଅଟେ କେବଳ ।୬।

ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ଵର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର ।୭।

ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ ସମାଜ ପ୍ରତି ।୮।

ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ଵପତିଙ୍କର ବିଶ୍ଵଗୃହେ ଅଟେ
ସେ ତେବେ ଯୋଗ୍ୟ କୁମାର ।୯।

ଏହି ରୂପେ ଗ୍ରାମ୍ୟ କଥା, ରାଜ୍ୟ କଥା,
ଦେଶ କଥା, ବିଶ୍ଵ କଥା,
ମାନବ- ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା ।୧୦।

ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ ,
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ? I ୧୧ I 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago