ଓଡ଼ିଆ ଭାଷାମାରଣର ଅୟମାରମ୍ଭ

ଲେଖା: ଦେଵ ତ୍ରିପାଠୀ

୧୮୬୮ ମସିହା । ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟ ।

ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଓଡ଼ିଆ ! ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ ! ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ବଙ୍ଗାଳୀ କିରାଣୀ ଗୋଷ୍ଠୀ ଦ୍ଵାରା ଯେ ଖାଦ୍ୟର କୃତ୍ରିମ ଅଭାବ ସୃଷ୍ଟି କରାଇ ଲକ୍ଷାଧିକ ଓଡ଼ିଆଙ୍କୁ ମୃତ୍ୟୁ ଦ୍ଵାରକୁ ଠେଲିଦେଇଥିବା ବିଷୟରେ କଟକର କମିଶନର ରେଭେନ୍ସା ମହାଶୟ ହୃଦୟଙ୍ଗମ କରିଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ଘଟିସାରିଥିଲା !

ସୁବିସ୍ତୀର୍ଣ୍ଣ ଆକାର ଓ ପରିସରଭୁକ୍ତ ଥିବା କାରଣରୁ କଲିକତାରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପକ୍ଷେ ବଙ୍ଗଳା ପ୍ରେସିଡେନ୍ସିର ଗୋଟିଏ ଗୋଟିଏ କୋଣରେ ପଡିରହିଥିବା ଆସାମ, ପୂର୍ବ ବଙ୍ଗଳା ଓ ଓଡ଼ିଶା ପରି ଅଞ୍ଚଳ ଗୁଡ଼ିକ ପ୍ରତି ଦୃଷ୍ଟି ଦେବା ଅସମ୍ଭବ ବୋଲି ଯେତେ ସଫେଇ ଦିଆଯାଇଥିଲେ ମଧ୍ୟ ବଙ୍ଗାଳୀମାନଙ୍କୁ ଭରସି ପାରି ନ ଥିଲେ ରେଭେନ୍ସା ମହାଶୟ ।

ଓଡ଼ିଆଙ୍କ ପ୍ରତି ହୋଇଥିବା ଅନ୍ୟାୟ ତଥା ଘୋର ପ୍ରଶାସନିକ ଅବହେଳା ଓ ତଜ୍ଜନିତ ବ୍ୟାପକ ଜନକ୍ଷୟର ଶୋଚନୀୟ ଅଭିଜ୍ଞତାରୁ ଓଡିଶାର ସର୍ବାଙ୍ଗୀଣ ଉନ୍ନତି ପାଇଁ ଚିନ୍ତିତ ଥିଲେ ରେଭେନ୍ସା । କିଛି ଦିନ ଭିତରେ ଓଡ଼ିଆ ଜାତି ପାଇଁ ଦେବଦୂତ ସାଜି ଆସିଥିଲେ ସାର୍ ଷ୍ଟାଫୋର୍ଡ଼ ନର୍ଥକୋଟ୍ ! ଏ ପୃଷ୍ଠଭୂମିରେ ଓଡିଶା ପାଇଁ ସ୍ବତନ୍ତ୍ର ପ୍ରଦେଶ ଗଠନର ପ୍ରଥମ ଦାବି ଉପସ୍ଥାପନ କରିଥିଲେ ଷ୍ଟାଫୋର୍ଡ଼ ମହାଶୟ । ତେବେ ସେଇ ଦେବଦୂତଙ୍କ ପ୍ରସ୍ତାବ ଉପରେ ଓଡ଼ିଶାରେ ସେତେବେଳେ କାହାରି ଦୃଷ୍ଟି ପଡ଼ି ନ ଥିଲା !

କିଛି ବର୍ଷ ପୂର୍ବରୁ ବିଶ୍ୱାସଘାତକତାର ଶିକାର ହୋଇ ପ୍ରବଳପ୍ରତାପୀ ବୀର ସୁରେନ୍ଦ୍ର ସାଏ ଗିରଫ ହୋଇ ସାରିଥିଲେ ମଧ୍ୟ ନିରବି ନ ଥିଲା ସୁରେନ୍ଦ୍ର ସେନାର ଅସ୍ତ୍ରଝଙ୍କାର ! ସୁରେନ୍ଦ୍ର ଉଲଗୁଲାନ୍’ର ନିଆଁ କିନ୍ତୁ ଜଳୁଥିଲା ହୁତୁ ହୁତୁ ହୋଇ ! ସୁରେନ୍ଦ୍ରଙ୍କ ଅପୂର୍ବ ଶକ୍ତିସାହସ, ବୀରତ୍ୱ, ଶୌର୍ଯ୍ୟ, ଦୃଢ଼ପ୍ରତିଜ୍ଞାର ପ୍ରଭାବରେ ସମ୍ବଲପୁରରୁ କଟକ ଯାଏଁ ଗଢ଼ି ଉଠିଥିଲେ ଅଗଣିତ ସଂଗ୍ରାମୀ, ହେଲେ ନ ଥିଲେ କେହି ଜନନେତା, ଓଡ଼ିଶାର ରାଷ୍ଟ୍ରୀୟ ଦାବି ଉପସ୍ଥାପନ କରିବା ପାଇଁ !

ଏପରି ଉଦ୍ଯମ ପାଇଁ ସାର୍ ଷ୍ଟାଫୋର୍ଡ଼ ନର୍ଥବୋଟଙ୍କ ପିଠି ଥାପୁଡାଇ ଦେବା ପାଇଁ ଓଡ଼ିଶା ମାଟିରେ କେହି ଜଣେ ନ ଥିଲେ ସତ, କିନ୍ତୁ ସେଇ ପ୍ରସ୍ତାବରେ ପ୍ରମାଦ ଗଣିଲେ ଧୂର୍ତ୍ତ ହୀନମନା ବଙ୍ଗାଳୀ କିରାଣୀ ଓ ପ୍ରଶାସନିକ ଅଧିକାରୀଗଣ, ଷ୍ଟାଫୋର୍ଡ଼ଙ୍କ ପ୍ରସ୍ତାବ ଭିତରେ ସେମାନେ ସ୍ପଷ୍ଟ ଦେଖିପାରୁଥିଲେ ନିଜର ପ୍ରତିଷ୍ଠା ଓ ପ୍ରାଧାନ୍ୟ ପ୍ରତି ଏକ ଆହ୍ବାନର ସଙ୍କେତ !

ଓଡ଼ିଆଙ୍କ ମାଟିରେ ଓଡ଼ିଆ ଭାଷାର ଉଚ୍ଛେଦ କରିବାକୁ ସେମାନେ ସରକାରୀ ସ୍ତରରେ ଆନ୍ଦୋଳନ କରି ବହୁଦୂର ଆଗେଇ ସାରିଥିଲେ ମଧ୍ୟ ! ଫଳତଃ କଟକ, ବାଲେଶ୍ଵର ତଥା ବିଭିନ୍ନ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ମାଧ୍ୟମ ଥିଲା ସେଇ କପଟୀମାନଙ୍କ ଭାଷା !

ଏପରି ସମୟରେ ସେକ୍ରେଟାରୀ-ଅଫ୍-ଷ୍ଟେଟ୍ ଷ୍ଟାଫୋର୍ଡ଼ ନର୍ଥବୋଟଙ୍କ ପ୍ରସ୍ତାବକ୍ରମେ ଓଡ଼ିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଦାବି ଦ୍ଵାରା ନିଜ ସ୍ବାର୍ଥ ବିପନ୍ନ ହେବାର ଆଶଙ୍କାରେ କୁଚକ୍ରୀ ବଙ୍ଗାଳୀଏ ‘ମୂଳୁ ମାଇଲେ ଯିବ ସରି’ ରୀତିରେ ଷ୍ଟାଫୋର୍ଡ଼ଙ୍କୁ କଳେବଳେ କୌଶଳେ ପଦବୀରୁ ହଟାଇବା କିମ୍ବା ଆବଶ୍ୟକ ସ୍ଥଳେ ହତ୍ୟା କରିବାର ଯୋଜନା ସହିତ ଓଡ଼ିଆ ଭାଷାକୁ ଶିକ୍ଷା ଓ ଶାସନ କ୍ଷେତ୍ରରୁ ସମୂଳେ ଉତ୍ପାଟନ କରିବା ଦିଗରେ ଲାଗିପଡିଲେ !

ତେବେ କୁଚକ୍ରୀର ଚକ୍ରାନ୍ତକୁ ଭଣ୍ଡ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଦେବଦୂତ ଭାବେ ଉଭାହେଲେ ଆଉ ଜଣେ ଇଂରେଜ ଜନ୍ ବୀମ୍ସ ! ବୀମ୍ସ ମହାଶୟଙ୍କ ଗବେଷଣାତ୍ମକ ତଥା ଯୁକ୍ତିନିଷ୍ଠ ତଥ୍ୟ ଆଗରେ ହାର ମାନିଲେ ଧୂର୍ତ୍ତ ବଙ୍ଗାଳୀଏ, ଜୋକ ମୁହଁରେ ଲୁଣ ଲାଗିଲା ପରି !

ଓଡ଼ିଶା ମାଟିରେ କେହି ଜନନେତା ନ ଥିଲେ ମଧ୍ୟ ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତାର ରକ୍ଷା ପାଇଁ ଆଗେଇ ଆସିଥିଲେ ବୀମ୍ସ ମହାଶୟ । ଓଡ଼ିଆ ଭାଷା ସଂଗ୍ରାମର ସେଇ ପ୍ରଥମ ସଂଗ୍ରାମୀଙ୍କ ପ୍ରତି ଓଡ଼ିଆଏ ଋଣୀ ରହିବେ ନିଶ୍ଚୟ ।

ଓଡ଼ିଶା ମାଟିର ଏପରି ସମୟରେ କେହି ଜନନେତା ନ ଥିଲେ ସତ ! ତେବେ ଉତ୍କଳ ଜନନୀ ଯାହାକୁ ବିକଳ ହୋଇ ଖୋଜୁଥିଲେ ସେ ଓଡ଼ିଆ ପୁଅ ଥିଲା ଦୂରଦେଶରେ ! ଦୀର୍ଘଶ୍ୱାସ ପକାଇ ସେଇ ଯୁବକଟି ଭାବୁଥିଲା, ଉତ୍କଳ ଭାରତୀଙ୍କ ଆଶୀର୍ବାଦରୁ ଓଡ଼ିଶାମାଟିରେ ଓଡ଼ିଆ ଭାଷା ଆବହମାନ କାଳରୁ ଥିଲା, ଏବେ ମଧ୍ୟ ରହିଗଲା ।

କିନ୍ତୁ ୟା ପରେ ?

ତେବେ ଉତ୍କଳ ଜନନୀ ଓ ଉତ୍କଳ ଭାରତୀଙ୍କ ଆଶିଷ ହିଁ ଧୀରେ ଧୀରେ ସଞ୍ଚରି ଯାଉଥିଲା ସେଇ ୨୨ ବର୍ଷର ଯୁବକଟି ଶରୀରରେ, ପ୍ରାଣରେ ଗଢ଼ି ଉଠୁଥିବା ଜନନେତାର ସତ୍ତା, ଉତ୍କଳ ଜନନୀଙ୍କ ଅପହୃତ ଗାରିମା ଫେରି ଆସିବା ପାଇଁ !

ଅଜ୍ଞତାର ଅନ୍ଧକାର ଭିତରୁ ଓଡ଼ିଆଙ୍କୁ ଜୀବନର ନୂତନ ଆଲୋକ ଦେଖାଇବା ପାଇଁ !

ଭୀରୁ, ସ୍ଥାଣୁ, ଅଭିଳାଷବିହୀନ ଜୀବନ ଜୀଉଁଥିବା କୋଟିଏ ସରିକି ଓଡ଼ିଆଙ୍କ ମନରେ ନୂତନ ଅଭିଳାଷ ଜଗାଇବା ପାଇଁ ! ଅର୍ଦ୍ଧମୃତ କଙ୍କାଳସାର ଓଡ଼ିଆଙ୍କ ମନରେ ଦମ୍ଭ ଓ ସାହସର ସୌଧ ଗଢିବା ପାଇଁ !

ଓଡ଼ିଆର ହୃତ ଅସ୍ମିତାର ପୁନର୍ଜାଗରଣ ପାଇଁ ! ସୁପ୍ତ ସ୍ବାଭିମାନକୁ ପ୍ରସ୍ଫୁଟିତ କରାଇବା ପାଇଁ !

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago