ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ

~ ଆମ ଓଡ଼ିଆ ଖେଳ ~

ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଓଡ଼ିଆ ଖେଳ ଖେଳାଯାଏ ‌ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର’ ଆଦି କୁହାଯାଏ ।

‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା “କଣ୍ଠଡ଼ା” ଶବ୍ଦର ଅର୍ଥ ପଣସ । କଣ୍ଟକଫଳ, କଣ୍ଟଫଳ ଵା କଣ୍ଟାଫଳ ଶବ୍ଦ ସହ ଓଡ଼ିଆ କଣ୍ଠଡ଼ା ଓ ହିନ୍ଦୀ କଠଲ ତଥା କଟହଲ ଶବ୍ଦ ସମଦ୍ଧୃତ । ଗଡ଼ଜାତରେ ଯେଉଁଠି ପଣସକୁ କଣ୍ଠଡ଼ା କୁହାଯାଏ ନାହିଁ ସେଠାକାର ଲୋକ ଏ ଖେଳକୁ ପଣସି ଖେଳ କହିଥାନ୍ତି । କେତେକ ଅଞ୍ଚଳରେ ପଣସ ସ୍ଥାନରୈ କାକୁଡ଼ି ଓ କୁକୁର ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।

ଏହି ଖେଳରେ ଅଳ୍ପ ବୟସ୍କ ପୁଅପିଲା ଓ ଝିଅପିଲା ଅଂଶଗ୍ରହଣ କରିଥାନ୍ତି। ଦୁଆର କିମ୍ବା ଗାଁ ଦାଣ୍ଡକୁ ଏଥିପାଇଁ କ୍ରୀଡ଼ାକ୍ଷେତ୍ର ଭାବରେ ବଛାଯାଇଥାଏ ।

ଏହି ଖେଳରେ ପାଞ୍ଚରୁ ଦଶ ଜଣ ପର୍ଯ୍ୟନ୍ତ ପିଲା ଭାଗ ନେଇଥାନ୍ତି। ଏମାନଙ୍କ ବୟସ ତିନିରୁ ଦଶବର୍ଷ ଭିତରେ ହୋଇଥାଏ ଏଵଂ ବେଳେବେଳେ ତତୋଽଧିକ ମଧ୍ୟ ହୋଇପାରେ । ଖେଳାଳୀମାନଙ୍କୁ ପଣସିଗଛ, ପଣସ, ବୁଢ଼ାବୁଢ଼ୀ, ଚୋର କୁକୁର ଭୂମିକାରେ ଅଵତୀର୍ଣ୍ଣ କରିବାକୁ ପଡ଼େ।

ଜଣେ ଖେଳାଳୀ ପଣସଗଛ, ଦିଜଣ ଖେଳାଳୀ ବୁଢ଼ାବୁଢ଼ୀ, ଜଣେ ଚୋର ଏଵଂ ଜଣେ କୁକୁର ହେଉଥିଵା ବେଳେ ଅନ୍ୟ ଖେଳାଳୀମାନେ ପଣସ ଗଛ ହୋଇଥିଵା ଖେଳାଳୀଙ୍କ ସହିତ ପଣସ ପରି ଲାଗିକି ରହିଥାନ୍ତି ।

ଯେତେବେଳେ ଚୋର ପଣସ ଚୋରେଇଵାକୁ ଆସେ । ସେହି ସମୟରେ ବୁଢ଼ାବୁଢ଼ୀ ଘର ଭିତରେ ଅର୍ଥାତ୍ ନିକଟସ୍ଥ ଏକ ସ୍ଥାନରେ ଶୋଇଥିଵାର ଅଭିନୟ କରନ୍ତି ।

ଚୋରକୁ ଦେଖୁ କୁକୁର ଭୂମିକାରେ ଥିଵା ପିଲା ଭୁକିଵା ଆରମ୍ଭ କରେ କିନ୍ତୁ କୁକୁରକୁ ଫାଙ୍କି ଦେଇ ଚୋର ଗୋଟିଏ ପରେ ଗୋଟିଏ ପଣସ ଚୋରି କରି ନେଇଯାଏ। ଅର୍ଥାତ୍ ଚୋର, ପଣସ ଭୂମିକାରେ ଥିଵା ଏଵଂ ପଣସଗଛ ସହିତ ଲାଗି ରହିଥିଵା ଖେଳାଳୀଙ୍କୁ ଟେକି ନେଇ ଆଢୁଆଳରେ ଲୁଚାଇ ରଖେ।

ଶେଷରେ ବୁଢ଼ାବୁଢ଼ୀ ଘରୁ ବାହାରି ଦେଖିଵାକୁ ପାଆନ୍ତି ଯେ ଚୋର ସବୁ ପଣସ ନେଇ ଯାଇଛି। ସେମାନେ ରାଗିଯାଆନ୍ତି ଓ ଚୋରକୁ ମାରିଵାକୁ ଗୋଡ଼େଇଥାନ୍ତି।

ଚୋର ଦୌଡ଼ିଥାଏ ଏବଂ ତା’ ସହିତ ପଣସ ଭୂମିକାରେ ଅଭିନୟ କରୁଥିଵା ଖେଳଳୀମାନେ ମଧ୍ୟ ଦୌଡ଼ିଥାନ୍ତି।

ଯେଉଁ ଖେଳାଳୀ ଦୌଡ଼ି ପାରେନାହିଁ ତାହାକୁ ଚୋର ଛାଡ଼ି ଦେଇଥାଏ । ବୁଢ଼ାବୁଢ଼ୀ ଓ ପଛରେ ଦୌଡ଼ୁଥିଵା କୁକୁର ତାକୁ ନେଇ ଆସନ୍ତି । ଏହିପରି ସମସ୍ତ ପଣସ ସଂଗ୍ରହ କରିସାରିଵା ପରେ ବୁଢ଼ାବୁଢ଼ୀ ଓ କୁକୁର ଚୋରକୁ ଧରିଥାନ୍ତି।

ଏହି ଓଡ଼ିଆ ଖେଳ ଏହିପରି ଦୁଇରୁ ତିନିଘଣ୍ଟା ଯାଏଁ ଖେଳା ଯାଇଥାଏ। ଏ ଖେଳରେ ପ୍ରାୟ ସମସ୍ତ ସମବୟସ୍କମାନେ ଅଂଶଗ୍ରହଣ କରିପାରୁଥିଵାରୁ ଦର୍ଶକଙ୍କ କ୍ଵଚିତ୍ର ସମ୍ଭାଵନା ଏଠାରେ ଦେଖିଵାକୁ ମିଳେ ।

ଏହି ଖେଳ ସହ ଉପକୂଳ ଓଡ଼ିଶାରେ ପ୍ରଚଳିତ ଵୋହୂଚୋରୀ ଖେଳର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ‌।

ତେଵେ ଆମ ସମାଜରେ ମୋବାଇଲ ଦୂରଦର୍ଶନର ଵ୍ୟଵହାର ବଢି଼ଵା ପରଠାରୁ ବାଟି, ଡାବଲପୁଆ, ଵୋହୂଚୋରୀ ଭଳି ଏହି ଓଡ଼ିଆ ଖେଳ ମଧ୍ୟ ଲୁପ୍ତ ହେଵାକୁ ବସିଛି ।

Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

16 hours ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

1 day ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

2 days ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

2 days ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

2 days ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

6 days ago