ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ

~ ଆମ ଓଡ଼ିଆ ଖେଳ ~

ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଓଡ଼ିଆ ଖେଳ ଖେଳାଯାଏ ‌ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର’ ଆଦି କୁହାଯାଏ ।

‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା “କଣ୍ଠଡ଼ା” ଶବ୍ଦର ଅର୍ଥ ପଣସ । କଣ୍ଟକଫଳ, କଣ୍ଟଫଳ ଵା କଣ୍ଟାଫଳ ଶବ୍ଦ ସହ ଓଡ଼ିଆ କଣ୍ଠଡ଼ା ଓ ହିନ୍ଦୀ କଠଲ ତଥା କଟହଲ ଶବ୍ଦ ସମଦ୍ଧୃତ । ଗଡ଼ଜାତରେ ଯେଉଁଠି ପଣସକୁ କଣ୍ଠଡ଼ା କୁହାଯାଏ ନାହିଁ ସେଠାକାର ଲୋକ ଏ ଖେଳକୁ ପଣସି ଖେଳ କହିଥାନ୍ତି । କେତେକ ଅଞ୍ଚଳରେ ପଣସ ସ୍ଥାନରୈ କାକୁଡ଼ି ଓ କୁକୁର ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।

ଏହି ଖେଳରେ ଅଳ୍ପ ବୟସ୍କ ପୁଅପିଲା ଓ ଝିଅପିଲା ଅଂଶଗ୍ରହଣ କରିଥାନ୍ତି। ଦୁଆର କିମ୍ବା ଗାଁ ଦାଣ୍ଡକୁ ଏଥିପାଇଁ କ୍ରୀଡ଼ାକ୍ଷେତ୍ର ଭାବରେ ବଛାଯାଇଥାଏ ।

ଏହି ଖେଳରେ ପାଞ୍ଚରୁ ଦଶ ଜଣ ପର୍ଯ୍ୟନ୍ତ ପିଲା ଭାଗ ନେଇଥାନ୍ତି। ଏମାନଙ୍କ ବୟସ ତିନିରୁ ଦଶବର୍ଷ ଭିତରେ ହୋଇଥାଏ ଏଵଂ ବେଳେବେଳେ ତତୋଽଧିକ ମଧ୍ୟ ହୋଇପାରେ । ଖେଳାଳୀମାନଙ୍କୁ ପଣସିଗଛ, ପଣସ, ବୁଢ଼ାବୁଢ଼ୀ, ଚୋର କୁକୁର ଭୂମିକାରେ ଅଵତୀର୍ଣ୍ଣ କରିବାକୁ ପଡ଼େ।

ଜଣେ ଖେଳାଳୀ ପଣସଗଛ, ଦିଜଣ ଖେଳାଳୀ ବୁଢ଼ାବୁଢ଼ୀ, ଜଣେ ଚୋର ଏଵଂ ଜଣେ କୁକୁର ହେଉଥିଵା ବେଳେ ଅନ୍ୟ ଖେଳାଳୀମାନେ ପଣସ ଗଛ ହୋଇଥିଵା ଖେଳାଳୀଙ୍କ ସହିତ ପଣସ ପରି ଲାଗିକି ରହିଥାନ୍ତି ।

ଯେତେବେଳେ ଚୋର ପଣସ ଚୋରେଇଵାକୁ ଆସେ । ସେହି ସମୟରେ ବୁଢ଼ାବୁଢ଼ୀ ଘର ଭିତରେ ଅର୍ଥାତ୍ ନିକଟସ୍ଥ ଏକ ସ୍ଥାନରେ ଶୋଇଥିଵାର ଅଭିନୟ କରନ୍ତି ।

ଚୋରକୁ ଦେଖୁ କୁକୁର ଭୂମିକାରେ ଥିଵା ପିଲା ଭୁକିଵା ଆରମ୍ଭ କରେ କିନ୍ତୁ କୁକୁରକୁ ଫାଙ୍କି ଦେଇ ଚୋର ଗୋଟିଏ ପରେ ଗୋଟିଏ ପଣସ ଚୋରି କରି ନେଇଯାଏ। ଅର୍ଥାତ୍ ଚୋର, ପଣସ ଭୂମିକାରେ ଥିଵା ଏଵଂ ପଣସଗଛ ସହିତ ଲାଗି ରହିଥିଵା ଖେଳାଳୀଙ୍କୁ ଟେକି ନେଇ ଆଢୁଆଳରେ ଲୁଚାଇ ରଖେ।

ଶେଷରେ ବୁଢ଼ାବୁଢ଼ୀ ଘରୁ ବାହାରି ଦେଖିଵାକୁ ପାଆନ୍ତି ଯେ ଚୋର ସବୁ ପଣସ ନେଇ ଯାଇଛି। ସେମାନେ ରାଗିଯାଆନ୍ତି ଓ ଚୋରକୁ ମାରିଵାକୁ ଗୋଡ଼େଇଥାନ୍ତି।

ଚୋର ଦୌଡ଼ିଥାଏ ଏବଂ ତା’ ସହିତ ପଣସ ଭୂମିକାରେ ଅଭିନୟ କରୁଥିଵା ଖେଳଳୀମାନେ ମଧ୍ୟ ଦୌଡ଼ିଥାନ୍ତି।

ଯେଉଁ ଖେଳାଳୀ ଦୌଡ଼ି ପାରେନାହିଁ ତାହାକୁ ଚୋର ଛାଡ଼ି ଦେଇଥାଏ । ବୁଢ଼ାବୁଢ଼ୀ ଓ ପଛରେ ଦୌଡ଼ୁଥିଵା କୁକୁର ତାକୁ ନେଇ ଆସନ୍ତି । ଏହିପରି ସମସ୍ତ ପଣସ ସଂଗ୍ରହ କରିସାରିଵା ପରେ ବୁଢ଼ାବୁଢ଼ୀ ଓ କୁକୁର ଚୋରକୁ ଧରିଥାନ୍ତି।

ଏହି ଓଡ଼ିଆ ଖେଳ ଏହିପରି ଦୁଇରୁ ତିନିଘଣ୍ଟା ଯାଏଁ ଖେଳା ଯାଇଥାଏ। ଏ ଖେଳରେ ପ୍ରାୟ ସମସ୍ତ ସମବୟସ୍କମାନେ ଅଂଶଗ୍ରହଣ କରିପାରୁଥିଵାରୁ ଦର୍ଶକଙ୍କ କ୍ଵଚିତ୍ର ସମ୍ଭାଵନା ଏଠାରେ ଦେଖିଵାକୁ ମିଳେ ।

ଏହି ଖେଳ ସହ ଉପକୂଳ ଓଡ଼ିଶାରେ ପ୍ରଚଳିତ ଵୋହୂଚୋରୀ ଖେଳର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ‌।

ତେଵେ ଆମ ସମାଜରେ ମୋବାଇଲ ଦୂରଦର୍ଶନର ଵ୍ୟଵହାର ବଢି଼ଵା ପରଠାରୁ ବାଟି, ଡାବଲପୁଆ, ଵୋହୂଚୋରୀ ଭଳି ଏହି ଓଡ଼ିଆ ଖେଳ ମଧ୍ୟ ଲୁପ୍ତ ହେଵାକୁ ବସିଛି ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago