ଲେଖା: ସୁକାନ୍ତି ସାହୁ

ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ମତ୍ସ୍ୟ ପୁରାଣ, ସ୍କନ୍ଧ ପୁରାଣ, କାଳିକା ପୁରାଣ ଓ ଦେବୀ ଭାଗବତ ଇତ୍ୟାଦି ଗ୍ରନ୍ଥରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ ଗୁରୁତ୍ୱ ଓ ପ୍ରାଚୀନତା ସମ୍ପର୍କରେ ଅନୁସନ୍ଧାନ କଲେ, ଆମେ ଓଡ଼ିଶାର ସର୍ବପୁରାତନ ଓ ପୁରାଣପ୍ରସିଦ୍ଧ ଶ୍ରୀ ବିରଜା ପୀଠର ନାମ ଦେଖିବାକୁ ପାଉଁ ।

ପ୍ରଥମେ ଏହି ପୀଠର ଉତ୍ପତ୍ତି ସମ୍ପର୍କିତ ପୌରାଣିକ ମତବାଦ ଉପରେ ଆଲୋକପାତ କରାଯାଇପାରେ। ପୁରାଣବର୍ଣ୍ଣିତ ଦକ୍ଷପ୍ରଜାପତି ନିଜ ଅନୁଶୋଚନାର ପ୍ରତିହିଂସାରେ ଶିବଯଜ୍ଞ ଆୟୋଜନ କରିଥିଲେ। ସେହି ଯଜ୍ଞାଗ୍ନିରେ ସ୍ଵାମୀଙ୍କ ଅପମାନ ସହି ନପାରି ସତୀଦେବୀ ଆତ୍ମାହୁତି ଦେଇଥିଲେ। ଏ ସମ୍ବାଦ ପାଇ ଦେବଦେବ ମହାଦେବ ତତକ୍ଷଣାତ ସେଠାରେ ଉପସ୍ଥିତ ହୋଇ ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ସାଉଁଟି ନିଜ କାନ୍ଧରେ ପକାଇ ଭାରତ ଭ୍ରମଣ କରିଥିଲେ। ସେହି ଅର୍ଦ୍ଧ ଦଗ୍ଧ ଶରୀରରୁ ଭିନ୍ନ ଭିନ୍ନ ଅଙ୍ଗ ସ୍ଖଳିତ ହେବାରୁ, ତାହା ବିଭିନ୍ନ ସ୍ଥାନରେ ପଡ଼ିଲା। ସେଗୁଡିକ ପରବର୍ତ୍ତୀ ପର୍ଯ୍ୟାୟରେ ସିଦ୍ଧ ତନ୍ତ୍ରପୀଠରେ ପରିଣତ ହୋଇଥିଲା। ଏହି ଏକାବନ ଗୋଟି ତନ୍ତ୍ରପୀଠର ନାମ ହେଲା —
ହିଙ୍ଗୁଳା – ( ବେଲୁଚିସ୍ଥାନ )
ତ୍ରିନେତ୍ର – ଶର୍କର
ନେତ୍ରାଶ – ତାରା
ବାମକର୍ଣ – କରତୋୟାତଟ
ଡାହାଣ କର୍ଣ – ଶ୍ରୀ ପର୍ବତ
ନାସିକା – ସୁଗନ୍ଧା
ଭ୍ରୂ ମଧ୍ୟ – ବକ୍ରନାଥ
ବାମଗଣ୍ଡ – ଗୋଦାବରୀ
ଡାହାଣ ଖଣ୍ଡ – ଗଣ୍ଡୁକୀ
ଉର୍ଦ୍ଧଦନ୍ତ – ଅନଳ
ଅଧୋଦନ୍ତ – ପଞ୍ଚସାଗର
ଜିହ୍ୱା – ଜ୍ୱାଳାମୁଖୀ
କଣ୍ଠ – କାଶ୍ମୀର
ଗ୍ରୀବା – ଶ୍ରୀ ଶୈଳ
ଓଷ୍ଠ – ଭୈର ପର୍ବତ
ଉଦର – ପ୍ରଭାସ
ମର୍ମ – ପ୍ରଭାସ ଖଣ୍ଡ
ଚିବୁକ – ଜନ୍ମ ସ୍ଥାନ
ଦ୍ଵିହସ୍ତାଙ୍ଗୁଳି – ପ୍ରୟାଗ
ଡାହାଣ ହସ୍ତ – ମାନସ ସରୋବର
ଡାହାଣ ବାହୁ – ଚଟ୍ଟଗ୍ରାମ
ବାମ ସ୍କନ୍ଧ – ମିଥିଳା
ଡାହାଣ ସ୍କନ୍ଧ – ରତ୍ନାବଳୀ
ବାମ ମଣିବନ୍ଧ – ମଣିବନ୍ଧ
ଡାହାଣ ମଣିବନ୍ଧ – ମଣିଦେବ
ବାମ କହୁଣି – ଉଜ୍ଜୟିନୀ
ଡାହାଣ କହୁଣି – ରଣଖଣ୍ଡ
ବାମ ବାହୁ – ବହୁଳା
ଡାହାଣ ବାହୁ – ବକ୍ରେଶ୍ଵର
ବାମ ସ୍ତନ – ଜଳନ୍ଧର
ଡାହାଣ ସ୍ତନ – ରାମଗିରି
ପୃଷ୍ଟ ଦେଶ – କନ୍ୟାଶ୍ରମ
ହୃଦୟ – ବୈଦ୍ୟନାଥ
ନାଭି – ଉତ୍କଳ ବିରଜା
ଜଠର – ହରଦ୍ଵାର
କକ୍ଷ – କୋକ
କଙ୍କାଳ – କାଞ୍ଚି ଦେଶ
ବାମ ନିତମ୍ବ – କାଳ ମାଧବ
ଡାହାଣ ନିତମ୍ବ – ନର୍ମଦା
ଯୋନି – କାମରୂପ
ବାମ ଜାନୁ – ମାଳବି
ଡାହାଣ ଜାନୁ – ସ୍ରୋତୀ
ବାମ ଜଂଘ – ଜୟନ୍ତୀ
ଡାହାଣ ଜଂଘ – ନେପାଳ
ବାମ ପାଦ – ତିରୋଣ
ଡାହାଣ ପାଦ – ତ୍ରୀପୁରା
ବାମ ପାଦାଙ୍ଗୁଷ୍ଠ – କ୍ଷୀର ଗ୍ରାମ
ଡାହାଣ ପାଦାଙ୍ଗୁଷ୍ଠ – କାଳିଘାଟ
ବାମ ଗୁଲ୍ଫ – ବିଭତ୍ସ
ଡାହାଣ ଗୁଲ୍ଫ – କୁରୁକ୍ଷେତ୍ର
ବାମ ପାଦଙ୍ଗୁଳି – ବିନ୍ଧ୍ୟଶେଖର

ଉପରୋକ୍ତ ଏକାବନ ଗୋଟି ତନ୍ତ୍ର ପୀଠରୁ ‘ବିରଜା କ୍ଷେତ୍ର‘ ହେଉଛି ‘ନାଭିକ୍ଷେତ୍ର‘ ।


ପୁରାଣ ଅନୁସାରେ ପ୍ରତ୍ୟେକ ପୀଠରେ ଏକ ଭୈରବୀ ବା ଦେବୀ ବିଭିନ୍ନ ନାମରେ ପୂଜା ପାଉଛନ୍ତି। ଏମାନଙ୍କ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜଣେ ଭୈରବ ଉଦ୍ଭବ ହେଲେ। ଏହି ମତ ଅନୁଯାୟୀ ବିରଜା କ୍ଷେତ୍ରର ଭୈରବୀ ହେଲେ ଶ୍ରୀବିରଜା ଏବଂ ଭୈରବ ହେଲେ ‘ଜୟ’। ଅନ୍ୟ କେତେକ ମତ ଦିଅନ୍ତି ଯେ, ଏହି ବିରଜା ଦେବୀ ପୁରୀର ଅଧିଷ୍ଠାତ୍ରୀ ‘ବିମଳା‘ ଓ ଭୈରବ ହେଉଛନ୍ତି ‘ଶ୍ରୀ ଜଗନ୍ନାଥ’। କହିବା ବାହୁଲ୍ୟ, ଶ୍ରୀଜଗନ୍ନାଥଙ୍କ ପୂଜାପାର୍ବଣରେ ପ୍ରଭୁ ଶ୍ରୀ ନିଳାଦ୍ରୀନାଥଙ୍କୁ ମଧ୍ୟ ‘ଭୈରବ‘ ରୂପେ ପୂଜା କରାଯାଇଥାଏ।
       
ଉଡ୍ଡୀଶ ତନ୍ତ୍ରର ଉଡ୍ଡୀୟାନ ପୀଠର ତୃତୀୟ ସ୍ତବକରେ ବର୍ଣ୍ଣନା କରାଯାଇଛି ଯେ, ସତୀଙ୍କର ଜିହ୍ୱା ଉଡ୍ରଦେଶରେ ପଡ଼ିଥିଲା। ଏହି ଉଡ୍ରଦେଶର କ୍ଷେତ୍ରାଧିଶ୍ଵରୀ ହେଉଛନ୍ତି ‘ବିମଳା’ । କାରିକା ପୁରାଣ ବର୍ଣ୍ଣିତ ଚଉଷଠି ଅଧ୍ୟାୟରେ –
“ରସନା ଉଡ୍ରଦେଶେଚ ବିମଳା ପୁରୁଷୋତ୍ତମେ,
ତଦୁଛିଷ୍ଟ ମହାପୀଠେ ଜଗନ୍ନାଥାଖ୍ୟ ଭୈରବଃ।”


ପୂର୍ବ ବର୍ଣ୍ଣନା ଅନୁସାରେ “ତନ୍ତ୍ରସାର ଗ୍ରନ୍ଥ” ଓ “କାଳିକା ପୁରାଣ’ ର ମତ ଭିନ୍ନତା ଦୃଷ୍ଟିରୁ ଜିହ୍ୱା ଜଳନ୍ଧର ଓ ପୁରୁଷୋତ୍ତମ ଉଭୟ କ୍ଷେତ୍ରରେ ପଡ଼ିଥିବାର ପ୍ରମାଣ ମିଳେ। କିନ୍ତୁ ଏହି ସ୍ଥାନରେ ଗୋଟିଏ ପ୍ରସଙ୍ଗ ଆମକୁ ନିଶ୍ଚିତ କରାଏ ଯେ, ସତୀଙ୍କ ନାଭି ବିରଜା ବା ଯାଜନଗ୍ର (ଯାଜପୁର)ରେ ପଡ଼ିଥିବାର ଦ୍ବିଧା ନାହିଁ। ତେବେ ଉଭୟ ବିରଜା ଓ ବିମଳା (ଉଭୟଙ୍କର) ଭୈରବ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ।

ଏହି କ୍ରମରେ ଶ୍ରୀଜଗନ୍ନାଥଙ୍କ ଏକାକୀତ୍ଵକୁ ସ୍ଵୀକୃତି ଦେଇ କେତେକ ସମାଲୋଚକ ‘ବିମଳା’ ଓ ‘ବିରଜା’ଙ୍କ ଠାରେ ଅଭିନ୍ନତା ପ୍ରତିପାଦନ କରିଛନ୍ତି। ଶାସ୍ତ୍ରାନୁସାରେ,
“ଉତ୍କଳେ ନାଭି ଦେଶେଚ ବିରଜା କ୍ଷେତ୍ର ମୁଚ୍ୟତେ,
ବିମଳାତ୍ମା ମହାଦେବୀ ଜଗନ୍ନାଥସ୍ତୁ ଭୈରବ ।”
      
ପୁରାଣକୁ ବାଦ ଦେଇ ଶ୍ରୀବିରଜା ଦେବୀଙ୍କ ପ୍ରାଚୀନତା ସମ୍ପର୍କରେ ଅନ୍ୟ କେତେକ ମତବାଦକୁ ଗ୍ରହଣ କରାଯାଇପାରେ। ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ବୌଦ୍ଧତାନ୍ତ୍ରିକ ବଜ୍ରଯାନୀମାନେ ଭାରତର ବିଭିନ୍ନ ସ୍ଥାନରେ ପୀଠ ସ୍ଥାପନ କରିଥିଲେ। ପୂର୍ବବର୍ଣ୍ଣିତ ଭାରତର ଦେବୀପୀଠ ଗୁଡିକରେ ଯେଉଁ ଶାକ୍ତ ଉପାସନା ଚଳିଆସୁଥିଲା, କ୍ରମଶଃ ତାକୁ ଶିବଙ୍କର ପତ୍ନୀ ପାର୍ବତୀ ରୂପରେ ପରିକଳ୍ପିତ କରାଗଲା। ଅଜ୍ଞାନ ରୂପକ ମହୀଷକୁ ନାଶ କରିଥିବାରୁ ଏହି ପୁରାଣ ଦେବୀ ବୌଦ୍ଧତନ୍ତ୍ର ଦେବୀ ‘ମହିଷାମର୍ଦ୍ଦିନୀ‘ ହୋଇଗଲେ। ଅନ୍ୟାନ୍ୟ ବୌଦ୍ଧଦେବୀ ସମୂହ ସପ୍ତମାତୃକା, ଚଉଷଠୀ ଯୋଗିନୀ ଓ ବନଦୁର୍ଗା ପ୍ରଭୃତିରେ ନାମିତ ହେଲେ। ଅତଃ ସେହି ସ୍ଥାନରେ ‘ଶାକ୍ତତନ୍ତ୍ର’ ପ୍ରବର୍ତ୍ତିତ ହେଲା ଏବଂ ଦେବୀଗଣ ଶାକ୍ତତନ୍ତ୍ର ଦେବୀ ବୋଲାଇଲେ। ସେହି କାରଣରୁ ଯାଜପୁରର ଅଧିଷ୍ଠାତ୍ରୀ ‘ଶ୍ରୀବିରଜା’ ଶାକ୍ତ ତନ୍ତ୍ର ବିଧି ଅନୁସାରେ ପୂଜା ପାଉଛନ୍ତି।

ଆଧାର: ଡଃ ଦୁର୍ଗା ମାଧବ ପୃଷ୍ଟି, ଆମ ସାହିତ୍ୟ ଆମ ସଂସ୍କୃତି

Image Courtesy: Maa Biraja and SriLingaraj Mahaprabhu FB Page

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago