ଲେଖା: ନିରଞ୍ଜନ ସାହୁ
“ପଡ଼ିବ ଯଦି ଦରକାର,
ଲେଖିବି ସବୁ ଅତ୍ୟାଚାର ।
ହାକିମ ଚିଡ଼ିଲେ ଚିଡ଼ନ୍ତୁ,
ରାଇଜ ଭିତରୁ ତଡ଼ନ୍ତୁ ।
ତନୁରୁ ମାଉଁସ ଝାଡ଼ନ୍ତୁ,
ଅଥବା ମସ୍ତକ ମୋଡ଼ନ୍ତୁ ।
ଜୀବନ ପଛେ ଗଲେ ଯାଉ,
କଥନେ ନ ଡ଼ରିବି ଆଉ ।
ମରଣ ପଛେ ମୋତେ ହେଉ,
କାହାରି ବିପଦ ନ ରହୁ ।
ଡ଼ରିବ ଯଦି ଭାଇ ମାନେ,
କନିକା ସଢ଼ିବ ଅଜ୍ଞାନେ ।
ଉଚିତ କଥା କହିବାକୁ,
ନ ଡ଼ର ନ ଡ଼ର କାହାକୁ ।”
କାହିଁକି ଏପରି ଲେଖିଲେ ହେ ଆମ୍ଭର ପ୍ରିୟକବି ? ଆପଣ କ’ଣ ଜାଣି ନଥିଲେ, ଏହି ଲେଖା ଆପଣଙ୍କୁ ଗୋଟିଏ ‘ଲୋକ’ ରୁ ଆଉ ଏକ ‘ଲୋକ’କୁ ନେଇ ଯାଇପାରେ ବୋଲି ? ହୁଏତ ଜାଣି ଥାଇପାରନ୍ତି, ହେଲେ ଆପଣ ତ ସତୁଆ ଆଉ ନିର୍ଭୀକ ମଣିଷ ଜଣେ ! ଆପଣ ତ ଶୋଷିତ ! ତେଣୁ ଶୋଷକ ବିରୁଦ୍ଧରେ ପାଟି ଫିଟାଇବା କ’ଣ ଆପଣଙ୍କର ଅଧିକାର ନାହିଁ ! ପୁଣି ବଜ୍ରକଣ୍ଠରେ ଯେତେବେଳେ ଆପଣ ଉଦଘୋଷଣ କରୁଛନ୍ତି — “ତନୁରୁ ମାଉଁସ ଝାଡ଼ନ୍ତୁ, ଅଥବା ମସ୍ତକ ମୋଡ଼ନ୍ତୁ ××× ଉଚିତ କଥା କହିବାକୁ, ନ ଡ଼ର ନ ଡ଼ର କାହାକୁ”, ସେହି ସମୟରେ ନମ୍ର ହୋଇ ଏକଥା ବି କହିପାରିଛନ୍ତି,
“ମରଣ ପଛେ ମୋତେ ହେଉ,
କାହାରି ବିପଦ ନ ରହୁ ।”
ହେ କବି, ସତ୍ୟର କେତେ ନିକଟବର୍ତ୍ତୀ ସତେ ଆପଣ ! ଅନ୍ୟ ପାଇଁ ପ୍ରାଣବଳି ଦେବାକୁ ତ ପଛେଇଲେ ନାହିଁ । କିନ୍ତୁ ଏ ସ୍ଵାର୍ଥନ୍ଵେଷୀ ମଣିଷଗୁଡ଼ା, ସେ ମହତ କଥା କ’ଣ ବୁଝି ପାରିଲେ ! ନ ବୁଝିଲେ ବୋଲି ତ କହି ହେବନି, ଅଳ୍ପ ଦିନ ପାଇଁ ଯାହା ବୁଝିଲେ । ଏବଂ ତାପରେ — ଶୋଷକର କ୍ରୋଧ, ଷଡ଼ଯନ୍ତ୍ର, କୋପ, କୂଟନୀତି ସାମ୍ନାରେ ସବୁକିଛି ହୋଇଗଲା କ୍ଷୀଣ, ନିର୍ବାପିତ ହୋଇଗଲା !
ହେ ସଂଗ୍ରାମୀ, ହେ ସତ୍ୟନିଷ୍ଠ, ହେ ବିପ୍ଳବୀ ମଣିଷ !
ହେ ଅଶରୀରୀ ! ପ୍ରଥମେ ଆମର ପ୍ରଣାମ ଆପଣଙ୍କୁ ।
ପୂଜ୍ୟ ଆନନ୍ଦ ଚନ୍ଦ୍ର ଜେନା ମହୋଦୟ ! ‘ଆନନ୍ଦ’ ନାମ ନେଇ ଆପଣ ଧରାବତରଣ କରିଥିଲେ ୧୮୮୪ ମସିହା ଜୁଲାଇ ମାସ ୧୭ ତାରିଖରେ କଟକ ଜିଲ୍ଲା (ଏବେ କେନ୍ଦ୍ରାପଡ଼ା)ର ରାଜକନିକା ନିକଟସ୍ଥ ଡ଼ାଳିକାଏନ୍ଦା ଗ୍ରାମରେ । ବାପା ଖଗେଶ୍ବର ଜେନା ଏବଂ ମାଆ ସୁଲଭ ଦେଇ ନାଁ ଦେଇଥିଲେ ‘ଆନନ୍ଦ’ । କିନ୍ତୁ, ଜୀବନ ବ୍ୟାପୀ ବିଷାଦ ହିଁ ଭରି ଯାଇଥିଲା ଆପଣଙ୍କ ଭାଗ୍ୟରେ । ଗାଁ ଚାହାଳିରେ ପାଠ ପଢ଼ିଲେ, ପରେ କଲିକତା ଯାଇ ଏଣ୍ଟ୍ରାନସ୍ ପାଶ୍ କଲେ । ସେହିଠାରେ ପୋଲିସ ସବଇନ୍ସପେକ୍ଟର ଚାକିରୀ କଲେ ।
ସେହି କଲିକତା ମହାନଗରୀରେ ଆପଣ ସାନିଧ୍ୟ ପାଇଲେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ବିପ୍ଳବୀ ଅରବିନ୍ଦ, ଦେଶବନ୍ଧୁ ଚିତ୍ତରଞ୍ଜନ, ରାସବିହାରୀ ବୋଷ, ଡ. ସଭର୍ କର୍, ମଦନମୋହନ ମାଲବ୍ୟ ଆଦି ଜାତୀୟବାଦୀ ନେତାମାନଙ୍କର । ଇଂରେଜ ଶାସନ ପାଖରେ ଆଉ ମୁଣ୍ଡ ବିକିବା ପାଇଁ ଭଲ ଲାଗିଲା ନାହିଁ ଆପଣଙ୍କୁ । ତେଣୁ ଚାକିରୀ ଛାଡ଼ିଲେ । ବଙ୍ଗଭଙ୍ଗ ଆନ୍ଦୋଳନରେ ଯୋଗ ଦେଇ କାରାଦଣ୍ଡ ଭୋଗିଲେ । ଜେଲରୁ ମୁକ୍ତ ହେବା ପରେ ଆପଣ ବରିନେଲେ ଓଡ଼ିଶାକୁ କର୍ମଭୂମି ଭାବରେ । ତେଣୁ ଫେରି ଆସିଲେ ନିଜ ଜନ୍ମସ୍ଥାନ ରାଜକନିକା ।
~ ଉତ୍କଳ ସମ୍ମିଳନୀ ଓ ଦୁର୍ଭିକ୍ଷର ସାଥୀ ଆନନ୍ଦ ଚନ୍ଦ୍ର ଜେନା ~
୧୯୧୪ ମସିହାରେ ଅନୁଷ୍ଠିତ ହେଉଥିବା ଉତ୍କଳ ସମ୍ମିଳନୀରେ ସକ୍ରିୟ ଅଂଶ ଗ୍ରହଣ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ କୁଳବୃଦ୍ଧ ମଧୁସୂଦନ ଓ ଗୋପବନ୍ଧୁ ଦାସଙ୍କ ନିକଟତର ହୋଇ କାମ ଆରମ୍ଭ କରିଦେଲେ । ଏହାର ଗୋଟିଏ ବର୍ଷ ପରେ ଓଡ଼ିଶାର ଚିର ସହଚର ଦୁର୍ଭିକ୍ଷ ପହଞ୍ଚି ଗଲା । ବ୍ୟଥିତ ହୋଇ ଉଠିଲେ ଗାନ୍ଧୀ ଓ ଗୋପବନ୍ଧୁ ଦାସ। ସହଜେ ତ ଆପଣ ସାମାଜିକ କର୍ମୀ, ଦରଦୀ ମଣିଷ ! ତେଣୁ ଦାସେ ଆପଣେ ଆପଣଙ୍କୁ ସାଥିରେ ଧରି ଗାଁ ଗାଁ ବୁଲି ନାଲି ଖୁଦ ଚାଉଳ ବାଣ୍ଟିବା ପାଇଁ ଲାଗିଗଲେ ।
~ ସାବରମତୀ ଆଶ୍ରମରେ ଆନନ୍ଦ ଚନ୍ଦ୍ର ଜେନା ~
“ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ “! ଆପଣ ଥିଲେ ସଦା ଝଟକୁଥିବା ସୁବର୍ଣ୍ଣ ଖଣ୍ଡ । ଦହନରେ ସୁବର୍ଣ୍ଣ ଖଣ୍ଡ ଯେପରି ଆହୁରି ତେଜୀୟାନ ହୋଇଯାଏ, ଦୁର୍ଭିକ୍ଷ ବେଳେ ନିଜେ ଜଳି ଜଳି, ଭୋକ ଉପାସରେ ରହି, ଦଗ୍ଧ ହୋଇ ଯେଉଁ ସହାୟତା କଲେ ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କୁ, ସେଥିରେ ଆହୁରି ଦୀପ୍ତିମନ୍ତ ହୋଇ ଉଠିଲେ ଆପଣ ଜାତୀୟ ସ୍ତରର ନେତା ମାନଙ୍କ ନିକଟରେ । ମହାତ୍ମାଗାନ୍ଧୀଙ୍କ ଆମନ୍ତ୍ରଣ କ୍ରମେ ଆପଣ ଚାଲିଲେ ସାବରମତୀ । ସେଇଠି ତିନି ମାସର ରହଣୀ, ତାଲିମ, ବାପୁଙ୍କ ସାନିଧ୍ୟ ଏବଂ ଜାତୀୟ ସ୍ତରର ନେତୃବୃନ୍ଦଙ୍କ ସହ ସମ୍ପର୍କ ସ୍ଥାପନ ।
~ କନିକା ଅତ୍ୟାଚାର, ମେଳି ~
ହେ ମହାଭାଗ ! ସ୍ଵାଧୀନତା ସଂଗ୍ରାମ ପାଇଁ କାମ କରୁଥିବା ବେଳେ, ଆପଣଙ୍କ ଦୃଷ୍ଟିରେ ପଡ଼ିଲା ନିଜ ଅଞ୍ଚଳ, କନିକା ଇଷ୍ଟେଟ । “ଏତେ ଅତ୍ୟାଚାର, ଏତେ ଦୁଃଖ, ଏତେ ନିର୍ଯ୍ୟାତନା ମଧ୍ୟରେ ମୋ ଅଞ୍ଚଳ ବାସୀ ?” — ବାରମ୍ବାର ଉଙ୍କି ମାରିଲା ଆପଣଙ୍କ ମନରେ । ଜଣେ ସତ୍ୟନିଷ୍ଠ ଯୁବକ ମଣିଷ କିପରି କରିପାରିବ ଅସତ୍ୟର ଜୟଗାନ ! ତେଣୁ ଶପଥ ନେଲେ ଆପଣ, “କନିକା ବାସୀଙ୍କୁ ରାଜାଙ୍କର ଅତ୍ୟାଚାରରୁ ମୁକ୍ତ କରିବାକୁ ହେବ ।” ସେଇଠୁ ଆରମ୍ଭ ହେଲା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ କନିକା ଇଷ୍ଟେଟକୁ ଚଳାଉଥିବା ଅମଲାତନ୍ତ୍ର ବିରୁଦ୍ଧରେ ସ୍ବର ଉତ୍ତୋଳନ, ଜାରି ହୋଇଥିବା ୬୪ ପ୍ରକାର ଅନ୍ୟାୟ କର (Egg Tax) ବିରୁଦ୍ଧରେ ରଣ ହୁଙ୍କାର । ଆପଣ ସେଦିନ ଚାଲିଆସିଥିଲେ ଆଗକୁ । ସଂଗଠନ ଆରମ୍ଭ କଲେ । ପ୍ରଜାମେଳି ପାଇଁ ଲୋକ ସଂଗ୍ରହ କଲେ । ଅନ୍ୟାୟ ଅଧର୍ମ ବିରୋଧରେ ଗାଁ ଗାଁ, ଘର ଘର ବୁଲି ଲୋକଙ୍କୁ ପ୍ରବର୍ତ୍ତାଇବା ଆରମ୍ଭ କରିଦେଲେ । କିନ୍ତୁ, ଆମେ ତ ସୁପ୍ତଜାତି, ଆମ ପରି କିଏ ହବରେ ! ରାଜା ଭୟରେ ପ୍ରତିବାଦ ତ ଦୂରର କଥା, ମେଳି ବା ହେବ କେଉଁଠୁ ! ହାରିଯିବା ଲୋକ ନଥିଲେ ଆପଣ । କାହିଁକି ବା ହାରିବେ ? ଏ ପ୍ରତିରୋଧ ତ ଲୋକ କଲ୍ୟାଣ ପାଇଁ, ଏ ହୁଙ୍କାର ତ ଅନ୍ୟାୟ ଭାବେ ବସାଯାଇଥିବା କର (Egg Tax) ନିମିତ୍ତ, ଏ ମେଳି ତ ଶୋଷଣ ବିରୁଦ୍ଧରେ, ଶୋଷିତର ଜୟଯାତ୍ରା ତ ଏଇଠୁ — ତେଣୁ କାହିଁକି ପଛଘୁଞ୍ଚା ଦେବେ ଆପଣ ?
~ ‘ଦୁଃଖିନୀ କନିକା’ର କବି ଆନନ୍ଦ ଚନ୍ଦ୍ର ଜେନା ~
ଆପଣ ତ ଥିଲେ ଜଣେ କବି ! ମନର ଦୁଃଖ, କୋହ, ଲାଞ୍ଛନା, ପୁଞ୍ଜିଭୂତ ଅସନ୍ତୋଷ ସହିତ ସମାଜର ଦର୍ପଣ ଭଳି ତ ଥିଲା ଆପଣଙ୍କ କାଳଜୟୀ ରଚନା ‘ଦୁଃଖିନୀ କନିକା’ । କନିକାର ଦୁଃଖ ଦୁର୍ଦ୍ଦଶା କଥା ବଖାଣି, ସେହି କବିତା ମାଧ୍ୟମରେ ଚିତ୍ର ଆଙ୍କି ଦେଲେ ରାଜାଙ୍କର ଅତ୍ୟାଚାର ଓ ଅନ୍ୟାୟ ସମ୍ପର୍କରେ । ବହିଟି ଇଂରାଜୀରେ ଅନୁବାଦ କରି ଗାନ୍ଧୀଜୀ, ଲାଲା ଲାଜପତ୍ ରାୟ, ପଣ୍ଡିତ ମଦନମୋହନ ମାଲବ୍ୟଙ୍କୁ ଦେଇ ସେମାନଙ୍କ ଦୃଷ୍ଟି ଆକର୍ଷଣ କଲେ । ଇଂଲଣ୍ଡ ପାର୍ଲ୍ୟାମେଣ୍ଟରେ ବହୁ ବାଦାନୁବାଦ ହୋଇଗଲା ଏହି କ୍ଷୁଦ୍ର ପୁସ୍ତକକୁ ନେଇ । ରାଜାଙ୍କର ସୁନାମରେ ଆଞ୍ଚ ଆସିଯାଇଥିଲା । ତେଣୁ ରାଜା ବାଜ୍ୟାପ୍ତ କରିଦେଲେ ବହିଟିକୁ । ଯେପରି ଆଉ କେଉଁଠି ମିଳିବ ନାହିଁ ତା’ର ସୁବନ୍ଦୋବସ୍ତ କରିଦେଲେ ।
ଏ ବହିର ମୁଖବନ୍ଧରେ କ’ଣ ଲେଖିଥିଲେ, ଏବେ ମନେ ନଥିବ ହୁଏତ ଆପଣଙ୍କର । ଆମ୍ଭେ ଏବେ ଟିକେ ମନେ ପକେଇ ଦେଉଛୁ – “ଅଧମ ଆପଣା ସହିତ ପ୍ରାୟ ବାଇଶି ହଜାର ଭାଇଙ୍କୁ ବେଳକୁ ବେଳ ଅଧିକରୁ ଅଧିକତର ଓ ଅଧିକତମ ସଙ୍କଟାପନ୍ନ ହେଉଥିବାର ପ୍ରତ୍ୟକ୍ଷ ଭାବରେ ତନ୍ନ ତନ୍ନ ନିରୀକ୍ଷଣ କରି ହୃଦୟର ବେଦନା ସ୍ପଷ୍ଟାକ୍ଷରରେ ଜଣାଇବା ଦ୍ଵାରା ବିପଦମୁକ୍ତ ହେବା ନିମିତ୍ତ ସଫଳକାମ ହେବା ଆଶାରେ ଆମ୍ଭର, ଏହି କନିକା ଇଷ୍ଟେଟ କର୍ତ୍ତୃପକ୍ଷ ମାନଙ୍କ କୃତ ବହୁବିଧ ଭୀଷଣ ଅତ୍ୟାଚାର ମଧ୍ୟରୁ କେତେକ ମାତ୍ର ପଦ୍ୟାକାରରେ ପ୍ରକାଶ ପୂର୍ବକ ସମଷ୍ଟିକୁ “ଦୁଃଖିନୀ କନିକା” ନାମରେ ଅଭିହିତ କରି ମହାମାନ୍ୟ ମହୋଦୟଙ୍କ କର୍ତ୍ତୃକ ଆମ୍ଭମାନଙ୍କର ପିତା ଶ୍ରୀଯୁକ୍ତ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ବାହାଦୂର, ଓ.ବି.ଇ. ମହୋଦୟଙ୍କୁ ସସମ୍ମାନେ ଅର୍ପଣ କରୁଛି ।
ଏହି ପୁସ୍ତିକାର ଉଦରସ୍ଥ ଯେ କୌଣସି ବିଷୟ ଅପ୍ରକୃତ ଲେଖା ଥିବାର ଜଣା ପଡି଼ଲେ ଅଧମକୁ ଦୀନହୀନ ଦଣ୍ଡରେ ଦଣ୍ଡିତ କରାଇବାକୁ ଏବଂ ଅନ୍ୟଥା ଶ୍ରୀଯୁକ୍ତ ରାଜା ବାହାଦୂରଙ୍କୁ ଜଣାଇ କନିକାର ଦୀନହୀନ ପ୍ରଜାଗୁଡ଼ିକଙ୍କୁ ଜୀବନ ସଙ୍କଟରୁ ଉଦ୍ଧାର କରିବାକୁ ବ୍ରତୀ ହେବା ନିମିତ୍ତ ମାନନୀୟ କନିକା ଇଷ୍ଟେଟର କର୍ତ୍ତୃପକ୍ଷମାନଙ୍କୁ ସବିନୟ ପ୍ରାର୍ଥନା କରୁଅଛି ।
ପ୍ରକାଶ ଥାଉକି ଅଧମ ଯାହା ଦେଖିଅଛି, ଜାଣିଅଛି ଏବଂ ଭୋଗିଅଛି, ତହିଁରୁ ଅଳ୍ପ କେତେକ ବର୍ଣ୍ଣନା କରୁଅଛି ମାତ୍ର । ବର୍ଣ୍ଣିତ ବିଷୟ ଗୁଡିକରୁ କିଏ କିଏ ବେଆଇନ ମୂଳକ ଅଟେ, ତାହା ଜାଣେ ନାହିଁ ।”
ଏତେ କଥା ପରେ ପଣ୍ଡିତ ଗୋପବନ୍ଧୁ, ଭାଗିରଥି ମହାପାତ୍ର ଏବଂ ହରେକୃଷ୍ଣ ମହତାବ ବାଲେଶ୍ବରଠାରେ ସଭା କଲେ କନିକା ପ୍ରଜାମେଳି ଉପରେ । ଆପଣଙ୍କ ପାଇଁ ସମର୍ଥନ ଦେଲେ ।
ଫଳ କ’ଣ ହେଲା ?
୧୯୨୨ ଅପ୍ରେଲ ୨୩ ତାରିଖ ଦିନ ପ୍ରଜାମେଳିକୁ ଦମନ କରିବାକୁ ଯାଇ, ନୃଶଂସ ଭାବେ ଗୁଳିଚାଳନା କରି ଏସ୍. ପି. ଶ୍ରୀକୃଷ୍ଣ ମହାପାତ୍ର ହତ୍ୟା କଲେ ବାସୁ ସେଠୀ ଓ ବିଶୁନି ମଢ଼ୁଆଳ (ବାସୁ ବିଶୁନି)ଙ୍କୁ। ୧୫୦ ଜଣ ସାଧାରଣ ଲୋକଙ୍କ ହାତରେ ହାତକଡ଼ି ପକାଇ ଚାନ୍ଦବାଲି ଭଦ୍ରକ ରାସ୍ତାରେ ଚଲାଇ ଚଲାଇ କଟକ ପର୍ଯ୍ୟନ୍ତ ନେଲେ ବନ୍ଦୀ ଭାବରେ ।
ଆଉ ଆପଣ ?
ରାଜଦ୍ରୋହୀ ଭାବେ ଘୋଷିତ ହେଲେ । ରାଜାଙ୍କର ଆକ୍ରୋଶ, କ୍ରୋଧ ଅଜାଡ଼ି ହୋଇ ପଡ଼ିଲା ଆପଣଙ୍କ ଉପରେ । ସେହି ୧୯୨୨ ମସିହାରେ ଗିରଫ ହୋଇ ଜେଲରେ ରହିଲେ ଆପଣ । ପରିବାରକୁ ଅନାହାରରେ ରହିବାକୁ ଦିଆହେଲା । ଆପଣଙ୍କର ୪୨ ଏକର ଜମି ବାଜ୍ୟାପ୍ତ କରି ରାଜା ନେଇଗଲେ ନିଜ ଅକ୍ତିଆରକୁ । ଆପଣ ଜେଲରୁ ମୁକୁଳିଲେ । ରାଜାଙ୍କ ଆକ୍ରୋଶରେ ପଡ଼ିବା ଭୟରେ ଲୋକେ ସହଯୋଗ କରିବା ପାଇଁ ଆଗେଇ ଆସିଲେ ନାହିଁ । ପ୍ରଜାମେଳି ନୋହିଲା । ଯବନିକା ପଡ଼ିଗଲା। ପ୍ରଜାମେଳି ସହ ଆପଣଙ୍କୁ ସମର୍ଥନ ଦେଉଥିବା ଦାସେ ଆପଣେ ଓ କଂଗ୍ରେସ ସମ୍ପାଦକ ଭାଗିରଥି ମହାପାତ୍ର ଗିରଫ ହୋଇଗଲେ । ଗୋପବନ୍ଧୁଙ୍କ ଦରଦୀ ପ୍ରାଣରେ ଗୁଞ୍ଜରିତ ହେଲା –
“ଯେତେ କାଳ ମୋର ଥିବ ଭବେ ଆୟୁ,
ବହୁଥିବ ଯେତେ ଦିନ ପ୍ରାଣବାୟୁ ।
ଥାଏ ଯହିଁ ତହିଁ ଦୂରେ ବା ନିକଟେ,
ରହିବ ସେ ଦୁଃଖ ଦାଗ ଚିତ୍ରପଟେ ।
ଦୁଃଖିନୀ କନିକା କରୁଣ କୁହାଟ,
ଲାଗେ ଯେହ୍ନେ ଭେଦି ବିଲ ବନ ପାଟ ।”
ହେ ପ୍ରଥିତଯଶା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ମହୋଦୟ !
ସେଦିନ ରାଜା ହାରିଗଲେ ଯେମିତି ! ଭାରତବର୍ଷର ବହୁ ନେତୃବୃନ୍ଦଙ୍କ ସହ ସୁସମ୍ପର୍କ ରଖିଥିବା ରାଜା, ଇଂଲଣ୍ଡର ସମ୍ଭ୍ରାନ୍ତ ବଂଶୀୟ ବ୍ୟକ୍ତିବିଶେଷଙ୍କ ସହ ଏକା ସାଙ୍ଗରେ ଭୋଜନ କରୁଥିବା ରାଜା ଶେଷରେ ହାରିଗଲେ ଆପଣଙ୍କ ପାଖରେ ! ସମ୍ପତ୍ତି ତ ବାଜ୍ୟାପ୍ତି କରି ଦେଇଥିଲେ ପୂର୍ବରୁ, ଏବେ କୌଶଳ କ୍ରମେ ରାଜ୍ୟରୁ ବିତାଡ଼ିତ କରିଦେଲେ ! ଆପଣ ସେଦିନ ଶେଷଥର ପାଇଁ ପ୍ରିୟ କନିକା ଭୂମିକୁ ପ୍ରଣାମ କରି ଚାଲିଆସିଲେ କେନ୍ଦ୍ରାପଡ଼ା ସହର ନିକଟସ୍ଥ ହଜାରୀ ବଗିଚାକୁ । ସେଇଠି ପରିବାର ସହ ଘର କରି ରହିଲେ ।
ମନ ଓ ପ୍ରାଣରେ ଥିଲା କନିକାର ଦୁଃଖ ଦୁର୍ଦ୍ଦଶା ମୋଚନ । ଏଥିସହିତ ସାମିଲ ହୋଇଗଲେ ଚରଖା କାର୍ଯ୍ୟକ୍ରମ ଓ ଭାରତ ଛାଡ଼ ଆନ୍ଦୋଳନରେ । ରାଜା କିନ୍ତୁ ତୀକ୍ଷ୍ମ ନଜର ରଖିଥିଲେ ଆପଣଙ୍କ ଉପରେ । “ସ୍ଫୁଲିଙ୍ଗ କେତେ ବେଳେ ବି ଅଗ୍ନି ରୂପ ଧାରଣ କରିପାରେ ।” ତେଣୁ ରାଜାଙ୍କ ଷଡ଼ଯନ୍ତ୍ର କ୍ରମେ ଦୁଇ ଜଣ ବିଶ୍ଵାସୀ ପ୍ରଜା ଆପଣଙ୍କ ପାଖରେ ପହଞ୍ଚି, ବନ୍ଧୁତା ସ୍ଥାପନ କରି ସମୟ ଉଣ୍ଡୁଥିଲେ । ଆପଣ ବା କାହିଁକି ଜାଣିବେ ଷଡ଼ଯନ୍ତ୍ରର ଶିକାର ହୋଇଯିବେ ଶୀଘ୍ର । ବିଶ୍ଵାସର ସୁବିଧା ନେଇ କୁଆଡ଼େ ଆପଣଙ୍କ ଖାଦ୍ୟରେ ବିଷ ମିଶାଇ ଦେଲେ ଦୁଇ ବନ୍ଧୁ !
ସେଦିନ ଥିଲା ୧୯୪୬ ମସିହା ଜାନୁଆରୀ ମାସ ୨୭ ତାରିଖ । ଜୀବନ ପ୍ରଦୀପ ବିଷ ଜ୍ଵାଳାରେ ନିର୍ବାପିତ ହୋଇଗଲା । ପଞ୍ଚଭୂତରେ ଲୀନ ହୋଇଗଲେ ଆପଣ ! ହେ ବରେଣ୍ୟ ବିପ୍ଳବୀ ! ରାଜତନ୍ତ୍ର ସେଦିନ ଲଜ୍ଜିତ ହୋଇ ମଥା ପିଟୁଥିବ ନିଶ୍ଚିତ ଭାବେ ।
ଆନନ୍ଦ ଚନ୍ଦ୍ର ଜେନା ମହୋଦୟ ! ଆପଣଙ୍କ ବିପ୍ଳବ, ସଂଗ୍ରାମୀ ଜୀବନକୁ ଯୋଡ଼ ହସ୍ତରେ ଜୁହାର ଜଣାଇବା ସହ ଅଶ୍ରୁ ତର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ‘ଅନ୍ତରଙ୍ଗ କଳିଙ୍ଗ’ ସାରା ଓଡ଼ିଶାର ଭାଇଭଉଣୀଙ୍କ ସହ ।
ଆଧାର: ୰ ପ୍ରଫୁଲ୍ଲ ଦାସ, ବାଚନିକ ଇତିହାସ; ଡ. ହରେକୃଷ୍ଣ ମହତାବ, ସାଧନା ପଥେ; ଡାଳିକାଏନ୍ଦା ଗ୍ରାମର ବନ୍ଧୁଗଣ, ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି ପାଠାଗାର; ‘ଦୁଃଖିନୀ କନିକା’ ଏବଂ ‘ଆମେ ଓଡ଼ିଆ‘ ପୁସ୍ତକ।
ଫଟୋ ସୌଜନ୍ୟ: ଅନନ୍ତ ନାୟକ, ରାଜକନିକା