ଲେଖା: ଶିବାଶିଷ ମହାପାତ୍ର

ଓଡ଼ିଶା ନିଜର ସଂସ୍କୃତି ପରମ୍ପରା ତଥା ଐତିହ୍ୟ ପାଇଁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର କୋଣ ଅନୁକୋଣ ଇତିହାସ ସହ ସଂଶ୍ଳିଷ୍ଟ ରହିଛି । ପଶ୍ଚିମ ଓଡ଼ିଶାର ମାଳଭୂମି, ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମନ୍ଦିର ମାନଙ୍କର ଏକ ବିଶେଷ ଆକର୍ଷଣ ରହିଛି । ଏହି ସବୁ ଅଞ୍ଚଳ ଗବେଷକଙ୍କ ଦୃଷ୍ଟିକୋଣରୁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଆଜି ମଧ୍ୟ ଅନେକ ଅଞ୍ଚଳ ତଥା ଐତିହାସିକ ସ୍ଥାନ ରହିଛି ଯାହା ଲୋକଲୋଚନକୁ ଆସି ପାରୁନାହିଁ ।

ଓଡ଼ିଶାର ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଯେ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଏଥିରେ ସନ୍ଦେହ ନାହିଁ । ଏହ୍ଲାବାଦସ୍ଥିତ ପ୍ରୟାଗ ତୀର୍ଥରେ ଗଙ୍ଗା-ଯମୁନା-ସରସ୍ବତୀଙ୍କ ଭଳି ଏଠାରେ ମହାନଦୀ-ତେଲନଦୀ-କର୍ପୁର ନଦୀର ତ୍ରିବେଣୀ ସଙ୍ଗମ ଘଟିଛି । ଏଥିପାଇଁ ଏହାକୁ ସାକ୍ଷାତ ବାରଣାସୀ ତଥା ଭାରତର ଦ୍ଵିତୀୟ ପ୍ରୟାଗ କ୍ଷେତ୍ର ଭାବରେ ଅବିହିତ କରାଯାଇଛି । ମହର୍ଷି ଜାମଦଗ୍ନ ଏଠାରେ ମହାରୁଦ୍ର ଯଜ୍ଞ ଅନୁଷ୍ଠିତ କରିଥିବାରୁ ଏହାକୁ ପର୍ଶୁରାମଙ୍କ ଭୂମି ମଧ୍ୟ କୁହାଯାଏ ।


ସୁବର୍ଣ୍ଣପୁର ସହର ମନ୍ଦିରମାଳିନୀ ସହର ଭାବରେ ପରିଚିତ । ପ୍ରତ୍ନତାତ୍ବିକ ଖନନରେ ଏଠାରୁ ମିଳିଛି ଅନେକ ମନ୍ଦିର ତଥା ଦେବାଦେବୀଙ୍କ କୀର୍ତ୍ତିରାଜି । ଛୋଟ ବଡ଼ କରି ଗଢ଼ି ଉଠିଛି ଅନେକ ପୁରାତନ ତଥା ନୂତନ ମନ୍ଦିର। ସମସ୍ତ ମନ୍ଦିର ନିର୍ମାଣ ପଛରେ ରହିଛି କିଛି ସ୍ମୃତି ତଥା କିମ୍ବଦନ୍ତୀ । ଏହି ସହରରେ ଦେଖାଯାଏ ଅନେକ ଗୁଡ଼ିଏ ହନୁମାନ ମନ୍ଦିର । ଏକଦା ଏହା ଅଷ୍ଟଶମ୍ଭୁ, ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁଙ୍କ ଭଳି ଅଷ୍ଟମହାବୀରଙ୍କ ପୀଠ । ଏହି ଅଷ୍ଟ ମହାବୀରଙ୍କ ପୀଠ ମଧ୍ୟରୁ ଅନେକ କାଳର କରାଳ ଗର୍ଭରେ ଲୀନ ହୋଇସାରିଥିଲା ବେଳେ ଆଉ କେତେକ ଅପେକ୍ଷା ରତ। ଏହି ଅଷ୍ଟ ମହାବୀରଙ୍କ ନାମକରଣ ତାଙ୍କର ଅବସ୍ଥିତିକୁ ନେଇ କରାଯାଇଛି ଯେପରି ବଡ଼ ହନୁମାନ, ଗଡ଼ ହନୁମାନ, ବାଟ ହନୁମାନ, ଘାଟ ହନୁମାନ, ଧାର ହନୁମାନ, ଝାର ହନୁମାନ, ଘର ହନୁମାନ ଓ ପର ହନୁମାନ


ସୋନପୁର ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ସହରର ଉଚ୍ଚତମ ହନୁମାନ ମନ୍ଦିର ରହିଛି । ଏହାର ନିର୍ମାଣ ଶୈଳୀ ଅନୁସାରେ ଏହା ମହାରାଜା ଅଚଳ ସିଂହଦେବଙ୍କ ଦ୍ଵାରା ୧୭୨୫-୧୭୫୦ ମସିହା ମଧ୍ୟରେ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ ।ଏହି ମନ୍ଦିର ସମ୍ମୁଖରେ ପୂର୍ବରୁ ସୈନ୍ୟ ସାମନ୍ତ ମାନେ ଯୁଦ୍ଧ ବିଦ୍ୟା ସାଧନ କରୁଥିଲେ । କାଳକ୍ରମେ ଏହା ସେନାପତି ମାନଙ୍କ ଇଷ୍ଟଦେବତା ଭାବରେ ପୂଜା ପାଉଥିଲେ । ସ୍ବାଧୀନତା ପୂର୍ବରୁ ଆଶ୍ଵିନ ପୁର୍ଣିମା ଦିନ ରାଜଭବନରୁ ଛତ୍ର ଯାତ୍ରାରେ ହନୁମାନଙ୍କୁ ବରୁଆ ଦେହରେ ଆବିର୍ଭାବ କରାଯାଉଥିଲା ।

ସୋନପୁର ସହରର ଗଡ଼ ଭିତରେ ଏକ ହନୁମାନ ମନ୍ଦିର ରହିଛି । ଏହା ଗଡ଼ ଭିତରେ ଥିବାଯୋଗୁଁ ଏହାକୁ ଗଡ଼ ହନୁମାନ କହନ୍ତି । ଏହି ହନୁମାନ ସୁବର୍ଣ୍ଣପୁର ରାଜ ଦୁର୍ଗର ପୂର୍ବ ଦିଗରେ ଥିବା ଦ୍ଵାରରେ ଗଡର ରକ୍ଷା ପାଇଁ ଅଧିଷ୍ଠିତ ହୋଇଛନ୍ତି । ଅନେକ ଦିନ ଧରି ଏହି ଠାକୁର ଏକ ଅର୍ଦ୍ଧଭଗ୍ନ ମଣ୍ଡପରେ ଅବସ୍ଥାନ କରିଥିଲେ । ପରେ ମହାରାଜା ବୀରମିତ୍ରୋଦୟ ସିଂହଦେବ ଏକ ଛୋଟ ମନ୍ଦିର ନିର୍ମାଣ କରି ହନୁମାନଙ୍କୁ ପ୍ରତିଷ୍ଠିତ କରିଥିଲେ ।

ସୋନପୁର ସହରର ଅନତି ଦୂରରେ ସାତ ଗୋଟି ବନ୍ଧ ଅବସ୍ଥିତ । ଲୋକେ ଏହାକୁ ସାତବନ୍ଧ ବୋଲି କହିଥାନ୍ତି ‌। ସୋନପୁର ସହରର ବନ୍ୟା ନିୟନ୍ତ୍ରଣ, ଜଳସେଚନ ତଥା ବର୍ଷା ଜଳ ସଂରକ୍ଷଣ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ । ଏହି ବନ୍ଧ ନିକଟରେ ଏକ ହନୁମାନ ମନ୍ଦିର ରହିଛି ଯାହା ଘାଟ ହନୁମାନ ନାମରେ ନାମିତ । କାହିଁ କେଉଁ କାଳରୁ ଠାକୁର ଏକ ଗଛ ମୂଳେ ପୂଜା ପାଉଥିଲେ ପରେ ଏକ ଶ୍ରଦ୍ଧାଳୁ ଏଠାରେ ଖୋଲା ଆକାଶତଳେ ବୃକ୍ଷମୂଳରେ ପୂଜା ପାଉଥିବା ବିଗ୍ରହଙ୍କ ପାଇଁ ଛୋଟ ମନ୍ଦିରଟିଏ ନିର୍ମାଣ କରିଛନ୍ତି ।

ପଶ୍ଚିମ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବାଟ ହନୁମାନଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ରାଜା ପ୍ରତାପରୁଦ୍ର ଦେବ ୧୮୯୧ -୧୯୦୨ ମସିହାରେ ନିର୍ମାଣ କରିଛନ୍ତି । ଏତଦବ୍ୟତୀତ ରାଜଭବନରେ ଘର ହନୁମାନ ରାଜାଙ୍କ ପରିବାର ପୂଜା କରୁଥିଲେ । ଦିଲବାହାଲିପୁର ଜଙ୍ଗଲରେ ଝାର ହନୁମାନଙ୍କ ମନ୍ଦିର ଅବସ୍ଥିତ । ଆଜି କାଲି ଏହି ସବୁ ହନୁମାନ ନିଜ ନିଜର ଅସ୍ତିତ୍ବ ହରାଇବା ଉପରେ । ଏହା ବାଦ୍ ଅନେକ ଭଗ୍ନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଅବହେଳାର ଚରମ ସୀମାରେ ପଡିରହିଛନ୍ତି ।

ସୁବର୍ଣ୍ଣପୁର ବା ସୋନପୁର ଏକ ତ୍ରିବେଣୀ ସଙ୍ଗମ ଭାବରେ ପରିଚିତ । ଏହି ମହାନଦୀ ଏବଂ ତେଲନଦୀର ସଙ୍ଗମ ସ୍ଥଳରେ ଧାର ହନୁମାନ ଶୋଭା ପାଉଛନ୍ତି । ନଦୀ ମଧ୍ୟରେ ଥିବା ଚଟାଣକୁ କାଳେଶ୍ବର ଟାଙ୍ଗର ବୋଲି କୁହାଯାଏ । ପୁରୁଣା ମନ୍ଦିରଟି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲେ ମଧ୍ୟ ସେଠାରେ ଥିବା ବିଷ୍ଣୁପାଦ ଏବଂ ଯଜ୍ଞକୁଣ୍ଡ ସବୁ ସୁରକ୍ଷିତ ଥିଲା । ବର୍ତ୍ତମାନର ମନ୍ଦିରଟି କିଛି ବର୍ଷ ତଳେ ନିର୍ମିତ । ସହର ବାହାରେ ତେଲ ନଦୀ କୂଳରେ ଗନ୍ଧଷଣ ମୁହାଣରେ ପର ହନୁମାନ ଅବସ୍ଥିତ । ସହରର ବାହାରେ ଥିବାରୁ ତାଙ୍କୁ ପର ହନୁମାନ କୁହାଯାଏ ।


ତନ୍ତ୍ର ମନ୍ତ୍ରର ପୀଠ ସୁବର୍ଣ୍ଣପୁରକୁ ପଶ୍ଚିମ ଲଙ୍କା ବୋଲି କହିଥାନ୍ତି । ଏହି ଅଞ୍ଚଳ ତନ୍ତ୍ର ସାଧନାର ଏକ ପୁରାତନ ପୀଠ । ସୋନପୁର ସହରର ଅତି ନିକଟରେ ମହାନଦୀ ମଧ୍ୟରେ ଲଙ୍କେଶ୍ଵରୀ ଦେବୀଙ୍କ ମନ୍ଦିର ରହିଛି । ଏହି ସହରରେ ଭିନ୍ନ ପ୍ରକାରର ଲଙ୍କାପୋଡ଼ି ଯାତ୍ରା ହୋଇଥାଏ ଯାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହା ଭାଦ୍ରପଦ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ବିଶ୍ବାସ କରାଯାଏ ଏହି ହନୁମାନ ଲଙ୍କା ନଗରୀକୁ ପୋଡ଼ି ଦେଇଥିଲେ । ଏହି କଥାକୁ ମନେ ରଖିବା ପାଇଁ ଛୋଟ ଛୋଟ ପିଲାମାନେ ମାଟି ଏବଂ କାଠ ନିର୍ମିତ ବିଭିନ୍ନ ପ୍ରକାରର ହନୁମାନ ମୁର୍ତ୍ତିର ଲାଞ୍ଜରେ ନିଆଁ ଲଗାଇ ସହର ପରିକ୍ରମା କରିଥାନ୍ତି ।

ପୁରୁଣା ଏହି ସହର ତଥା ପୁରୁଣା ଏହାର ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ତଥାପି ଏହି ସହର ଚରମ ଅବହେଳିତ । ଅନେକ କୀର୍ତ୍ତିରାଜି ସବୁ ଆଜି ଲୀନ ହୋଇସାରିଥିଲା ବେଳେ ଅନେକ ଲୀନ ହେବାକୁ ଅଗ୍ରସର । ଗବେଷଣାର ଅବହେଳା ତଥା ଅଭାବ ଯୋଗୁଁ ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରୁନାହିଁ । ଅଷ୍ଟମହାବୀରଙ୍କ ପୀଠ ସୁବର୍ଣ୍ଣପୁର ସହରର ଏସବୁ କୀର୍ତ୍ତିରାଜି ତଥା ଐତିହ୍ୟର ଗବେଷଣା ତଥା ସଂରକ୍ଷଣ ହୋଇପାରିଲେ ଏହା ଏକ ପୁରାତନ ଐତିହ୍ୟ ପୀଠ ଭାବରେ ପରିଚିତ ହେବ ଏଥିରେ ଦ୍ବିମତ ନାହିଁ ।

http://odishastories.blogspot.com/2020/04/blog-post_13.html

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago