ଲେଖା: ଦେଵ ତ୍ରିପାଠୀ

ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ ଭାଷାର ସୌଧ ଗଢିବାକୁ ଦଳେ ଷଡ଼ଯନ୍ତ୍ରକାରୀ ବଙ୍ଗାଳୀ, ହିନ୍ଦୀଭାଷୀ ଓ ମିଶନାରୀ ସୁଚିନ୍ତିତ ଉଦ୍ୟମ ଆରମ୍ଭ କରିଦେଇଥିଲେ । କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟର ‘ଓଡିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ’ ବୋଲି ଆକ୍ଷେପ, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉପଯୁକ୍ତ ଭାବେ ସାହିତ୍ୟ ଓ ପାଠ୍ୟପୁସ୍ତକର ଅଭାବଜନିତ ପୀଡ଼ାରେ ସମଗ୍ରଜାତି ଥିଲା ପୀଡ଼ିତ ।


ଏପରି ଏକ ଅସହ୍ୟ, ଅସ୍ବସ୍ତିକର ପରିସ୍ଥିତି ଭିତରୁ ଆଗ୍ନେୟଗିରିର ବିସ୍ଫୋରଣ ଭଳି ଉତ୍କୀର୍ଣ୍ଣ ହେଲେ ଜଣେ ସ୍ଫୁଲିଙ୍ଗ – ଅଜେୟ ସୈନିକ। ସେ ଥିଲେ ଅମୃତସନ୍ତାନ ଫକୀରମୋହନ ସେନାପତି । ଉତ୍କଳଭାରତୀଙ୍କର ଅଦୃଶ୍ୟ ଆଶିଷ ତାଙ୍କ ମସୀ ମଧ୍ୟରେ ସଞ୍ଚରିତ ହୋଇଉଠିଲା । ତତ୍କାଳୀନ ଓଡ଼ିଶାର ସାମାଜିକ, ଶିକ୍ଷାଗତ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ପରିସ୍ଥିତିର ବିଶ୍ୱସ୍ତ ଚିତ୍ରଣ ସହିତ ସେ ଓଡ଼ିଆ ସାହିତ୍ୟ ଜଗତରେ ଯୋଡ଼ି ଚାଲିଲେ ଐତିହାସିକ ଫର୍ଦ୍ଦମାନ ।

ସେଇ ଯୋଗଜନ୍ମାଙ୍କ ଉଦ୍ଗତ ମସୀରୁ ନିର୍ଗତ ହେଲା ଭାରତ ଭୂଖଣ୍ଡର ପ୍ରଥମ କ୍ଷୁଦ୍ରଗଳ୍ପ । ଧୀରେ ଧୀରେ ଅଜ୍ଞାନର ଅନ୍ଧାର ହଟିଲା । ଶିକ୍ଷା, ସଂସ୍କୃତି ଓ ସ୍ବାଭିମାନର ବାର୍ତ୍ତା ପ୍ରସାରିଲା । ତାଙ୍କ ଉଦୀପ୍ତ ଆଭାର ଉଷ୍ମ ସ୍ପର୍ଶରେ ବରଫ-ଶୀତଳ ନିଶ୍ଚେତନା ତରଳିଲା, କଡ ଲେଉଟେଇଲା ସରୀସୃପୀ-ନିଦ୍ରାରେ ଶାୟିତ ଏକ ଜାତି । ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟ ଉତ୍ସ ସେ ମହାସ୍ରୋତରେ ସାମିଲ ହେଲେ । ସେ ସ୍ରୋତରେ ଥିଲେ କବିବର, ଗଙ୍ଗାଧର, ଭକ୍ତକବିଙ୍କ ପରି କେତେ କେତେ ସାହିତ୍ୟରଥୀ । ଅଜ୍ଞାନର ଅନ୍ଧାର ହଟୁ ହଟୁ ନୂତନ କିରଣ ବିଛୁରିତ ହୋଇଥିଲା ଶତାବ୍ଦୀର ସୂର୍ଯ୍ୟ ମଧୁବାବୁଙ୍କର । ସେହି ମହାନ ପରାକ୍ରମୀ ମସୀଧାରୀଙ୍କ ପାଣ୍ଡିତ୍ୟ, ଗାରିମା ଓ ଭାଷାଶିଳ୍ପର ମହିମାର ଔଜଲ୍ୟରେ ଝାଉଁଳି ପଡିଲା ଧୂର୍ତ୍ତ ବଙ୍ଗାଳୀ ସାହିତ୍ୟକଙ୍କ ଦର୍ପ ଏବଂ ବିଜ୍ଞ ବଙ୍ଗାଳୀ ଓ ଅନ୍ୟାନ୍ୟ ଭାଷା ସାହିତ୍ୟିକମାନେ ହେଲେ ତାଙ୍କ ପ୍ରଶଂସାରେ ଶତମୁଖ । ଏକାକୀ ସୈନିକରୁ ସେ ବନିଗଲେ ଓଡ଼ିଆ ଭାଷା ସାହିତ୍ୟର ମହାରଥୀ, ଅପରାଜେୟ ସେନାପତି ।


ଓଡ଼ିଆ କଥା ସାହିତ୍ୟରେ ସେ କରାଇଥିଲେ ଅଭାବନୀୟ ଉନ୍ନତି, ଶ୍ରଦ୍ଧାଶୀଳ ପାଠକମାନଙ୍କ ମନରେ ପକାଇଥିଲେ ପରମ ଆକର୍ଷଣୀୟ ତଥା ଅଲଂଘନୀୟ ପ୍ରଭାବ । ମସୀ ଧରିବା ଠାରୁ ଶେଷ ନିଃଶ୍ୱାସ ତ୍ୟାଗ ଯାଏଁ ଅଦମନୀୟ ଉତ୍ସାହ ଓ ନିଷ୍ଠାର ସହିତ ଅମରକୃତି ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ଆତ୍ମଚରିତ ରଚନା କରି ସ୍ଵକୀୟ ମହିମାରେ ଉଦ୍ଭାସିତ ତଥା ନିଜର ସୃଷ୍ଟି ମର୍ଯ୍ୟାଦାକୁ ବହୁଗୁଣିତ କରାଇ ସେ ବନିଯାଇଥିଲେ ଓଡ଼ିଆ ସାହିତ୍ୟ ଜଗତର କଥାସମ୍ରାଟ ।ସଂସ୍କାରଧର୍ମୀ ଓ ଭବିଷ୍ୟତ ଦୃଶ୍ୟକାରୀ ଉପନ୍ୟାସମାନ ରଚନା କରି ସେ ବନିଯାଇଥିଲେ ଓଡ଼ିଆ ଭାଷାଫଲ୍ଗୁର ଭଗୀରଥ । ବହୁ ପୁରାତନ ରଚନା ସମେତ ରାମାୟଣ, ମହାଭାରତ ଇତ୍ୟାଦିର ସ୍ବତନ୍ତ୍ର ଶୈଳୀରେ ଅନୁବାଦ ତଥା ସାହିତ୍ୟର ସମସ୍ତ ବିଭାଗକୁ ପରାଙ୍ଗପୁଷ୍ଟ କରି ଫକୀରମୋହନ ପାଇଥିଲେ ‘ବ୍ୟାସକବି‘ର ଆସ୍ଥାନ । ଅସଂଖ୍ୟ ସାହିତ୍ୟିକ ସୃଷ୍ଟି କରାଇ ସେ ମଧ୍ୟ ବନିଯାଇଥିଲେ ସାହିତ୍ୟ ଜଗତର ଚିରସ୍ମରଣୀୟ ଗୁରୁଦେବ । ଉତ୍କଳମଣି, ଗୋଦାବରୀଶ ମିଶ୍ରଙ୍କ ପରି ବ୍ୟକ୍ତି ଯାହାଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଟିକକ ପାଇଁ ଥିଲେ ସଦାବ୍ୟାକୁଳ, ସେହି ଫକୀରମୋହନ ଥିଲେ ଏ ମାଟିର ବାସ୍ତବ ଗୁରୁଦେବ, ଆମ ଭାଷାସାହିତ୍ୟର ଭୀଷ୍ମ, ସାହିତ୍ୟ ଗୁରୁକୂଳର ଦ୍ରୋଣ, ସେ ହିଁ ଥିଲେ ଯଥାର୍ଥରେ ବ୍ୟାସ, ସେ ହିଁ ଥିଲେ ଗଦ୍ୟସାହିତ୍ୟର ଆଦ୍ୟ, ସେ ମଧ୍ୟ ଥିଲେ ଓଡ଼ିଆ କଥାସାହିତ୍ୟରେ ନୂତନ ଯୁଗର ଅବଧାରକ ।


ପବିତ୍ର ମକର ସଂକ୍ରାନ୍ତିରେ ଧରାବତରଣ ଏବଂ ରଜ ସଂକ୍ରାନ୍ତିରେ ଦେହତ୍ୟାଗ କରିଥିବା ଫକୀରମୋହନ ଓଡ଼ିଆଙ୍କ ପାଇଁ ଥିଲେ ସଂକ୍ରାନ୍ତି ପୁରୁଷ ।ଓଡ଼ିଆ ଗଦ୍ୟସାହିତ୍ୟର ସେଇ ଅପ୍ରତିଦ୍ଵନ୍ଦୀ ସମ୍ରାଟ ତଥା କୋଟିସୂର୍ଯ୍ୟ ସମ ଚିରଜାଜ୍ୱଲ୍ୟ ମହାପୁରୁଷ ଫକୀରମୋହନଙ୍କୁ ଅନ୍ତରଙ୍ଗ କଳିଙ୍ଗ ଶତକୋଟି ଦଣ୍ଡପ୍ରଣାମ କରୁଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago