ଲେଖା: ଦେଵ ତ୍ରିପାଠୀ
ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ ଗବେଷକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିଲେ ମଧ୍ୟ ଉକ୍ତ ପୀଠ ନଗରବାସୀ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଶିବପ୍ରେମୀଙ୍କୁ ହାତଠାରି ଡାକିଥାଏ ।
ମହାନଗରୀର ବ୍ୟସ୍ତବହୁଳ ବକ୍ସିବଜାର ଅଞ୍ଚଳର ଏହି ପାତାଳଫୁଟା ଶିବଲିଙ୍ଗ ବର୍ଷସାରା ପାଣିରେ ବୁଡ଼ି ରହୁଥିବା ବେଳେ ପଙ୍କୋଦ୍ଧାର ଏକାଦଶୀ ଦିନ ହଁ ପଙ୍କ ଉଦ୍ଧାର ପରେ କିଛି ଘଣ୍ଟା ପାଇଁ ହିଁ ମହାପ୍ରଭୁ ମହାଶମ୍ଭୁ ଅମରେଶ୍ୱର ଦୃଶ୍ୟମାନ ହୁଅନ୍ତି । ଏଇ ଅମୃତସମୟକୁ ଅପେକ୍ଷା କରିଥା’ନ୍ତି ଲକ୍ଷ ଲକ୍ଷ ଭକ୍ତ ।
ବହୁ ବ୍ୟତିକ୍ରମର ସମାହାର ଏହି ମନ୍ଦିରରେ ଉଭୟ ହର ଓ ହରି ପୂଜିତ । ଏହି ମନ୍ଦିରର ପାର୍ଶ୍ଵ ଦେବତା ଭାବେ ପୂଜା ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ଲକ୍ଷ୍ମୀନାରାୟଣ। ଗଣେଶ, କାର୍ତ୍ତିକେୟ ଓ ପାର୍ବତୀ ପାର୍ଶ୍ୱ ଦେବଦେବୀ ଭାବେ ପୂଜିତ ହେଉଥିବା ବେଳେ ମୁଖଶାଳା ସମ୍ମୁଖରେ କଳା ମୁଗୁନି ପଥରରେ ବାସୁଆବଳଦ, ବାମ ପାର୍ଶ୍ଵରେ ମହାବୀର ହନୁମାନ ଏବଂ ଦକ୍ଷିଣ ପାର୍ଶ୍ଵରେ ଅଙ୍ଗଦଙ୍କର ରାକ୍ଷସ-ଦମନର ଏକ ଅତି ବିରଳ ମୂର୍ତ୍ତି
ଅମରେଶ୍ୱର ମନ୍ଦିର ବେଢ଼ାସ୍ଥ ବିରଳ ରାମାୟଣ ସ୍ତମ୍ଭ ଏ ମହାନ ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ । ଅଦୂରସ୍ଥ ବକୁଳ ବୃକ୍ଷଟି କଟକନଗରୀ ଏବଂ ଉକ୍ତପୀଠ ପରି ବହୁ ପ୍ରାଚୀନ । ଏହି ବୃକ୍ଷ ମୂଳେ ପୂଜାପାଆନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ ଆଉ ଅସୁମାରୀ କିମ୍ବଦନ୍ତୀ ଓ ଲୋକକଥାର ଗାଥା ଶୁଣାଏ ଏଇ ବୃକ୍ଷଟି । ମହାଦେବ, ପରମ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ କାଳିଆ ଠାକୁର ଏକତ୍ର ପୂଜାପାଉଥିବା ଇଏ ଏକ ବିରଳ କ୍ଷେତ୍ର ନିଶ୍ଚୟ
ବଡ଼ଓଷା, ଶିବରାତ୍ରି, ଶୀତଳଷଷ୍ଠୀ, ମକର ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି, ଦଶହରା ସମେତ ଓଡ଼ିଆ ଘରର ସମସ୍ତ ପର୍ବପର୍ବାଣୀ ପାଳିତ ହୁଏ ଏଇ ଅମରେଶ୍ୱର ମନ୍ଦିର ପୀଠରେ । ମକର ସଂକ୍ରାନ୍ତି ପୂର୍ବଦିନ ମହାପ୍ରଭୁ ଅମରେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କୁ ଦେଉଳ ବେଢ଼ାରେ ନଅ ଥର ପରିକ୍ରମା କରିବାର ଏକ ସ୍ବତନ୍ତ୍ର ପ୍ରଥା ପ୍ରଚଳିତ । ଏହା ନବାଙ୍କ ବେଢା ଭାବେ ପରିଚିତ ।
ଶତାଧିକ ପଣ୍ଡା ଓ ସେବାୟତ ପିଢ଼ି ପରେ ପିଢ଼ି ସେବା କରି ଆସୁଛନ୍ତି ମହାପ୍ରଭୁଙ୍କର, ନଗରୀର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନରେ ଅବସ୍ଥିତ ଥାଇ ମଧ୍ୟ ମନ୍ଦିର ନିଯୋଗ ଏବଂ ପ୍ରଶାସନ ସମସ୍ତ ଦାୟିତ୍ବ ତୁଲାଇଆସିଛନ୍ତି, ନିଷ୍ଠା ଓ ଭକ୍ତିଭରେ । ପ୍ରଭୁ ଅମରେଶ୍ୱର ମଧ୍ୟ ମା’ କଟକଚଣ୍ଡୀଙ୍କ ପରି ନଗରବାସୀଙ୍କ ଜୀବନକୁ କରିଆସିଛନ୍ତି କରୁଣାସିକ୍ତ, ଭାବାପ୍ଳୁତ । କଟକିଆ ବି ନଗରୀର ଇଷ୍ଟଦେବ ପ୍ରଭୁ ଅମରେଶ୍ୱରଙ୍କୁ ଗ୍ରହଣ କରିନେଇଛନ୍ତି ଅତି ଆପଣାର ସାଥୀଭଳି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago