ଲେଖା: ଡ଼ାଃ କୁମାର ଅରୋଜ୍ୟୋତି

 

କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି “ଅଁଳା ନବମୀ” ରୂପେ ପାଳିତ ହୁଏ। ଏହି ତିଥିରେ ଦାନ-ପୁଣ୍ୟାଦି କର୍ମ କଲେ ସୌଭାଗ୍ୟ ଅର୍ଜିତ ହୁଏ ବୋଲି ବିଶ୍ୱାସ ରହିଛି। ଏହି “ଅଁଳା ନବମୀ” ତିଥିରେ କରାଯାଇଥିବା ପୁଣ୍ୟାଦି କେବେହେଲେ କ୍ଷୟ ହୁଏନାହିଁ ବା ଅକ୍ଷୟ ରହିଥାଏ, ତେଣୁ ଏହାକୁ “ଅକ୍ଷୟ ନବମୀ” ବୋଲି ମଧ୍ୟ କୁହାଯାଏ। ଏହି “ଅକ୍ଷୟ ନବମୀ”, “ଅକ୍ଷୟ ତୃତୀୟା” ତିଥୀ ଭଳି ପବିତ୍ର ଓ ମହତ୍ୱପୂର୍ଣ୍ଣ। “ଅକ୍ଷୟ ତୃତୀୟା” ତିଥିରେ ତ୍ରେତା ବା ତ୍ରେତୟା ଯୁଗର ଆରମ୍ଭ ହୋଇଥିବା ବେଳେ “ଅକ୍ଷୟ ନବମୀ” ତିଥିରେ ସତ୍ୟ ଯୁଗର ଆରମ୍ଭ ହୋଇଥିଲା ବୋଲି ବିଶ୍ବାସ ରହିଛି।

ପାରମ୍ପରିକ ଭାବେ ଏହି ତିଥିରେ ଅଁଳା ଗଛକୁ ପୂଜା କରାଯାଇଥାଏ। ଅଁଳା ନବମୀରେ ଅଁଳା ଗଛ ତଳେ ବଟା ଅଁଳାରେ ଭଗବାନ୍ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ । ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ “ଅଁଳା ନବମୀ”ରୁ ଆରମ୍ଭ ହୋଇ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ । ହବିଷିଆଳୀମାନେ ଏହିଦିନ ଅଁଳା ଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ଗଛ ଚାରିପଟେ ପ୍ରଦକ୍ଷଣା କରିଥାନ୍ତି ।

“ଅଁଳା ନବମୀ”, ପ୍ରକୃତିକୁ କୃତଜ୍ଞତା ଜଣାଇବାର ଏକ ପର୍ବ ବୋଲି ବିବେଚନା କରାଯାଏ। ବିଶ୍ବାସ ରହିଛି ଯେ ଏହି ଦିନ ଅଁଳା ଗଛ ତଳେ ବସିଲେ ବା ଭୋଜନ କଲେ ସମସ୍ତ ରୋଗ ଦୂର ହୋଇଥାଏ ତଥା ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିଥାଏ ।  ସନ୍ତାନ ପ୍ରାପ୍ତି ଓ ସନ୍ତାନମାନଙ୍କର ଶୁଭ ମନାସୀ ମହିଳାମାନେ “ଅଁଳା ନବମୀ” ବ୍ରତ ପାଳନ କରିବା ସହିତ ଅଁଳା ଗଛକୁ ପୂଜା କରିଥାଆନ୍ତି।

ଏହି ଦିନରେ ଶ୍ରୀରାଧାଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ଫଳ ମିଳେ ବୋଲି ବିଶ୍ବାସ ରହିଛି । ସେଥିପାଇଁ ପୁରୀ ନିକଟସ୍ଥ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।  ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହିଥିବା ଶ୍ରୀରାଧାଙ୍କ ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ମାତ୍ର ଏହି “ଅଁଳା ନବମୀ” ତିଥିରେ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହି ଦିବସ “ରାଧାପାଦ ଦର୍ଶନ” ନାମରେ ବିଦିତ ।

ଏହିଦିନ ଶ୍ରୀରାଧାଙ୍କ “ଓଡିଆଣି ବେଶ” ଅନୁଷ୍ଠିତ ହୋଇଥାଏ । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ଵର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ “ନଟବର ବେଶ”ରେ ସଜ୍ଜିତ କରାଯାଏ ଏବଂ ଶ୍ରୀରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ଏହିଦିନ ମନ୍ଦିର ପରିସରରେ ଥିବା ଅଁଳା ଗଛରେ ଭକ୍ତମାନେ ଶଙ୍ଖା ସିନ୍ଦୁର ବାନ୍ଧିଥାନ୍ତି। ଅଁଳା ଗଛରେ ଶଙ୍ଖା ସିନ୍ଦୁର ବାନ୍ଧିଲେ ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି।

ଏହି ଧର୍ମୀୟ ବିଶ୍ୱାସ ସବୁ ପ୍ରକୃତରେ ପୂରଣ ହୁଏ କି ନାହିଁ, ତାହା ବ୍ୟକ୍ତିଗତ ଅନୁଭବର କଥା, ତେବେ ଏତିକି ଜୋର ଦେଇ କହିହେବ ଯେ “ଅଁଳା ନବମୀ” ତିଥିଟି ପ୍ରକୃତିକୁ ପୂଜା କରିବାକୁ, ପ୍ରକୃତିକୁ ଭଲ ପାଇବାକୁ ତଥା ପ୍ରକୃତିକୁ କୃତଜ୍ଞତା ଜଣାଇବା ପାଇଁ ଏକ ସୁବର୍ଣ୍ଣ ଅବସର ଯାହାକୁ କି କେହି ହାତଛଡା କରିବା ଉଚିତ ନୁହେଁ।

ଫଟୋ ସୌଜନ୍ୟ: ଦୈନିକ ସମାଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago