ସିଦ୍ଧବକୁଳ ମଠ 

 ଲେଖା: ଦେଵ ତ୍ରିପାଠୀ

ଶ୍ରୀଚୈତନ୍ୟଙ୍କ ଆବାସସ୍ଥଳୀ ପୁରୀ ବାଲିସାହିସ୍ଥିତ ଶ୍ରୀରାଧାକାନ୍ତ ମଠ ବା ଗମ୍ଭୀରା ସନ୍ନିକଟରେ ଅବସ୍ଥିତ ସୁପ୍ରସିଦ୍ଧ ସିଦ୍ଧବକୁଳ ମଠ । ଏଇ ମଠର ବିଜେସ୍ଥଳୀଟି ଏକଦା ଉକ୍ତ ସାହିର ପଣ୍ଡିତ କାଶୀ ମିଶ୍ରଙ୍କ ପୁଷ୍ପଉଦ୍ୟାନ ଥିଲା । ଶ୍ରୀ ଚୈତନ୍ୟ ପଣ୍ଡିତଙ୍କୁ ଯବନଭକ୍ତ ଶ୍ରୀହରିଦାସଙ୍କ ପାଇଁ ନିର୍ଜନ ସ୍ଥାନଟିଏ ମାଗି ଉକ୍ତ ଉଦ୍ୟାନରେ ବାସ କରିବାର ଅନୁମତି ଦେଲେ ।

ହରିଦାସ ଖରାରେ ବସି ରହି ଜପ କରୁଥିବାର ଦେଖି ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରସାଦୀ ବକୁଳ ଦାନ୍ତକାଠିଟିଏ ଆଣି ପୋତି ଦେଇଥିଲେ ସେ ସ୍ଥାନରେ । ସେ ଦାନ୍ତକାଠି ଦିନେ ବିଶାଳ ବକୁଳ ବୃକ୍ଷରେ ପରିଣତ ହେଲା ଏବଂ ଏହାର ସୁଶୀତଳ ଛାୟାରେ ନିୟମିତ ଜପ କଲେ ହରିଦାସ । ଏହିଠାରେ ହିଁ ବ୍ରହ୍ମଲୀନ ଘଟିଥିଲା ହରିଦାସଙ୍କର ।

କଥିତ ଅଛି, ହରିଦାସ ଓ ଚୈତନ୍ୟଙ୍କ ମହାପ୍ରୟାଣ ପରେ ଏକଦା ରଥଚକ ନିର୍ମାଣ ନିମନ୍ତେ କାଠର ଅଭାବ ଯୋଗୁଁ ରାଜକର୍ମଚାରୀମାନେ ବହୁ ସ୍ଥାନ ଅନ୍ୱେଷଣ କରି ପରିଶେଷରେ ଉକ୍ତ ମଠର ବକୁଳବୃକ୍ଷକୁ ଛେଦନ ପାଇଁ ଧାର୍ଯ୍ୟ କଲେ । ମଠର ମହନ୍ତ ସେ ରାତିରେ ପ୍ରଭୁଙ୍କ ଶରଣାଗତ ହେବାରୁ ମଧ୍ୟରାତ୍ରରେ ବୃକ୍ଷଟି ବିରାଟ ଶବ୍ଦ କରି ଅନ୍ତଃସାର ଶୂନ୍ୟ ହୋଇଗଲା, ଫଳରେ ପରଦିନ ପ୍ରଭାତରେ କର୍ମଚାରୀଗଣ ଆଚମ୍ବିତ ହୋଇ ଫେରିଗଲେ । ଉକ୍ତ ମଠରେ ଆଜି ମଧ୍ୟ ଶୋଭା ପାଏ ଭୂଲୁଣ୍ଠିତ ବକୁଳବୃକ୍ଷ, ପ୍ରଧାନଗଣ୍ଡି ନ ଥାଇ, ମାତ୍ର ଶାଖାପ୍ରଶାଖା, ପତ୍ର, ଫୁଳ, ପୁଷ୍ପ ଆଦିରେ ମଣ୍ଡିତ ଥାଇ । ଉଦ୍ଭିଦ ଜଗତ ରେ ଏବଂ ଉଦ୍ଭିଦ ବିଜ୍ଞାନରେ ଇଏ ଏକ ବିଶେଷ ବ୍ୟତିକ୍ରମ ।

~ ଶ୍ରୀମନ୍ଦିର ଓ ସିଦ୍ଧବକୁଳ ମଠ ~
କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ବାଳଧୂପ ଭୋଗ ନିମନ୍ତେ ଏଇ ସିଦ୍ଧବକୁଳ ମଠ ତରଫରୁ ଦୈନନ୍ଦିନ ବାଳଧୂପ ଶ୍ରୀମନ୍ଦିରକୁ ଯାଇଥାଏ । ମଠ ତରଫରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ରଥ ଉପରେ ‘ରଥ ଭୋଗ’ ହୋଇଥାଏ । ଏତଦବ୍ୟତୀତ ଶ୍ରୀମନ୍ଦିର ରୋଷଘରେ ମଠର ଏକ ଚୁଲି ରହିଛି । 

ଦୀର୍ଘ ପାଞ୍ଚଶତ ବର୍ଷ ଚିରସ୍ମରଣୀୟ ଏହି ସିଦ୍ଧବକୁଳ ମଠର ଇତିହାସ ସମ୍ପର୍କରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତିକା ଆଦି ପ୍ରକାଶ କରାଯାଇ ଭକ୍ତଜନଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି । ବିଶେଷ କରି ଗତ କେତେ ବର୍ଷ ମଧ୍ୟରେ ମଠର ବିଜେସ୍ଥଳୀଟି ସମ୍ପୂର୍ଣ୍ଣ ଜୀର୍ଣ୍ଣୋଦ୍ଧାର କରାଯିବା ଯୋଗୁଁ ନାମାଚାର୍ଯ୍ୟ ହରିଦାସଙ୍କ ଅନୁଗାମୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Leave a Comment

Your email address will not be published. Required fields are marked *

Scroll to Top