ଗରିବ ପୁଅ

ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ

ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡ. ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖି ପାରିଛନ୍ତି।”

କବିଙ୍କର ବହୁ ଚର୍ଚ୍ଚିତ ପୁସ୍ତକ ‘ଡିଣ୍ଡିମ’ର ଏକ କବିତା ଗରିବ ପୁଅ ! ୧୯୩୫ ମସିହା ବେଳର ରଚନା ।

* ଗରୀବ ପୁଅ *
ମୁଁ – ଗରୀବ ଘରର ପୁଅ,
ମୋର – ଘରେ ନାହିଁ ଖଣ୍ଡେ ରୁଅ,
ଘର – ବତାସରେ ଗଲା ଭାଙ୍ଗି,
ଆଣି – ଦୁଇ ଚାରି ଖଣ୍ଡ ଡାଙ୍ଗି,
ଖଣ୍ଡେ – ତିଆରି କରିଛି ବସା,
ତହିଁ – ଦିନରେ ଖାଆନ୍ତି ମଶା ।

ଛିଣ୍ଡା – ହେଂସ ଖଣ୍ଡେ ମୋର ଶେଯ,
ମାଟି – ଅଧା କାନ୍ଥି ଖଣ୍ଡେ ମେଜ,
ମୋର – ଖାଇବା ବାସନ ସରା,
କଣା – ମାଠିଆଟି ମୋର ଗରା,
ଚିରା – ଗାମୁଛାଟି ମୋର ଶାଲ,
ମୋଟା – ଧୋତି ଖଣ୍ଡେ କେରପାଲ ।


ମୋର – ପେଟକୁ ନ ମିଳେ ଭାତ,
ସଦା – ଥରୁଥାଏ ଗୋଡ଼ ହାତ,
ପର – ଘରେ ଦିନ ରାତି ଖଟି,
ଖାଇ – ପ୍ରଭୁର ଗୋଇଠା ଚଟି,
ତେବେ – ନ ପୂରଇ ଦିନେ ପେଟ,
ମୋର – ପ୍ରଭୁ ପୁଣି ବଡ଼ ଶେଠ ।

ବାପ – ବିଦେଶରେ ରହି ରହି,
ତାଙ୍କ – ଦିହକ ଗଲାଣି ବହି,
ଘର – ମୁହଁ ନ ଦେଖିଲେ ଦିନେ,
ବାପ – ପୁଅଠୁଁ ରହିଲେ ଭିନେ,
ମାଆ – ପର ଘରେ ଧାନ କୁଟି,
ଆଣି – ଖୁଦ କୁଣ୍ଡା ଦୁଇ ମୁଠି,
ନିତି – ଛୁଆଙ୍କ ମୁହଁରେ ଦିଏ,
ନିଜେ – ତୋରାଣି ମୁନ୍ଦିକ ପିଏ,
ଯହିଁ – ପେଟର ଏପରି ନାଟ,
ତହିଁ – କାହୁଁବା ଆସିବ ପାଠ ?

ମୋର – ପଢି଼ବାକୁ ଥିଲା ମନ,
ମାତ୍ର – ହାତରେ ନଥିଲା ଧନ,
ଆଜି – ବୁଲୁଛି ମୁରୁଖ ହୋଇ,
ଆଖି – ତତଲା ଲୁହରେ ଧୋଇ,
ଖାଲି – କାନରେ ଶୁଣିଛି ସୁଖ,
ଦିନେ – ଦେଖିନାହିଁ ତାର ମୁଖ ।

ଦୁଃଖ – ସବୁ ମୋର ଦେଲେ କହି,
ଥାକେ – ଲେଖା ହୋଇଯିବ ବହି,
ଦୁଃଖି – ଡାକୁଛି କେବଳ ହରି,
ଦୁଃଖ – ଦିଅ ମୋର ଶେଷ କରି,
ମୁଠେ – ଖାଇବାକୁ ଦିଅ ଭାତ,
ପିଠି – ନ ଖାଉ ପ୍ରଭୁର ନାତ ।”

ଦେଶ – ନୋହୁ ମୋର ଶମଶାନ,
ବଢ଼ୁ – ଗରିବ ପୁଅର ମାନ ।

ଉପସ୍ଥାପନା: ନିରଞ୍ଜନ ସାହୁ (Niranjan Sahu)

Gariba Pua Pandita Upendra Tripathy 

Spread the love

Leave a Reply

Your email address will not be published. Required fields are marked *