ଦୀନବନ୍ଧୁ ମିଶ୍ର
~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~
ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ ମିଶ୍ରଣ ପାଇଁ ଭାରତ ସରକାର ଓ ଗଡ଼ଜାତର ରାଜାମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସାକ୍ଷରିତ ହେଲା, ୧୯୪୮ ମସିହା ଜାନୁୟାରୀ ସୁଦ୍ଧା ମୟୂରଭଞ୍ଜକୁ ଛାଡି଼ଦେଲେ ଅନ୍ୟ ସମସ୍ତ ଗଡ଼ଜାତର ଓଡ଼ିଶା ସହ ମିଶ୍ରଣ ହେଲା ଓ ତତ୍ ସଙ୍ଗେ ସଙ୍ଗେ ଷଢେ଼ଇକଳା ଓ ଖରସୁଆଁକୁ ବିହାରରୁ ଆଣି ଓଡ଼ିଶା ସହ ମିଶାଇ ଦିଆଗଲା।
କିନ୍ତୁ ୧୯୪୮ ମସିହା ମେ ମାସରେ ଭାରତ ସରକାର ଏକ ଘୋଷଣାନାମାରେ ଷଢେ଼ଇକଳା ଓ ଖରସୁଆଁକୁ ଓଡି଼ଶାରୁ ନେଇ ବିହାର ସହିତ ମିଶାଇ ଦେଵାପାଇଁ ଘୋଷଣା କଲେ ଏବଂ ୧୯୪୯ ମସିହା ଅଗଷ୍ଟ ମାସରୁ ଏହାକୁ ଆଇନତଃ ବିହାର ସହିତ ମିଶାଇ ଦିଆଗଲା । ଏହି ପରିପ୍ରେକ୍ଷୀରେ ଆମର କହିଵା କଥା ଯେ, ୧୮୨୧ ମସିହାରେ ଯେତେବେଳେ ଇଂରେଜମାନେ ପ୍ରଥମେ ସିଂହଭୂମକୁ ଦଖଲ ନେଵାକୁ ଗଲେ ସେତେବେଳେ ସେମାନେ ମୁଖ୍ୟତଃ ଆଦିଵାସୀମାନଙ୍କର ପ୍ରତିରୋଧର ସମ୍ମୁଖୀନ ହେଲେ । ପରିଶେଷରେ ସେମାନଙ୍କର ଆଦିଵାସୀମାନଙ୍କ ସହ ବୁଝାମଣା ହୋଇ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ଆଦିଵାସୀମାନଙ୍କ ତରଫରୁ ଏକ ସର୍ତ୍ତ ଦିଆଯାଇଥିଲା ଯେ, ଇଂରାଜୀ ସରକାର କେଵଳ ଓଡ଼ିଆକୁ ଏହି ଅଞ୍ଚଳର ଯୋଗସୂତ୍ରକାରୀ ଆଞ୍ଚଳିକ ଭାଷାରୂପେ ସ୍ୱୀକାର କରିଵେ । କାରଣ ସ୍ଥାନୀୟ ଆଦିଵାସୀମାନେ ସେମାନଙ୍କର ନିଜସ୍ବ ଭାଷା ପରସ୍ପର ମଧ୍ୟରେ ଵ୍ୟଵହାର କରୁଥିଲେ ମଧ୍ୟ ଅନ୍ୟ ଆଦିଵାସୀ ତଥା ଅଣଆଦିଵାସୀ ମାନଙ୍କ ସହ ଯୋଗସୂତ୍ରକାରୀ ଭାଷା ହିସାବରେ ଓଡ଼ିଆ ଢାଞ୍ଚା ଓ କିଛି ଓଡ଼ିଆ ଲୌକିକ ଶବ୍ଦର ଵ୍ୟଵହାର ସେମାନଙ୍କ ଭାଷାରେ ଦେଖାଯାଇଥାଏ, ଯଥା— ଏନାମେତେ (ଆଦିଵାସୀ)- ଏ ନିମନ୍ତେ (ଓଡ଼ିଆ), ଚିନାମେନ୍ତେ (ଆଦିଵାସୀ)-କି ନିମନ୍ତେ(ଓଡ଼ିଆ) ।
ଏହି ସ୍ଥାନୀୟ ଆଦିଵାସୀମାନେ ପରମ୍ପରାକ୍ରମେ ଓଡ଼ିଶାର ଅନ୍ୟ ଆଦିଵାସୀମାନଙ୍କ ସହିତ ବନ୍ଧୁବାନ୍ଧଵ ସମ୍ପର୍କରେ ପ୍ରତିଷ୍ଠିତ ହୋଇଆସିଛନ୍ତି । ଇଂରାଜୀ ଶାସନରେ ଓଡ଼ିଶାକୁ ଖଣ୍ଡ ଖଣ୍ଡ କରି ଵିଭିନ୍ନ ପ୍ରଦେଶ ସହିତ ମିଶାଇଦେଵା ସମୟରେ ଏହି ଅଞ୍ଚଳ ବିହାର ଅନ୍ତର୍ଗତ ହୋଇ ରହିଗଲା। ମଧୁବାବୁଙ୍କର ଦେଶମିଶ୍ରଣ ଦାବୀ ସମୟରୁ ଓଡ଼ିଶା ସହ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ଦାବୀ ହୋଇଆସୁଥିଲା । ଗୋପବନ୍ଧୁଙ୍କର ‘ଭାଷାସୂତ୍ରରେ ପ୍ରଦେଶ ଗଠନ’ ନୀତି ୧୯୨୦ ମସିହାରେ ନାଗପୁର କଂଗ୍ରେସରେ ଗୃହୀତ ହୋଇ ଭାଷାସୂତ୍ରରେ କଂଗ୍ରେସର ସାଂଗଠନିକ ମାନଚିତ୍ରରେ ପରିଵର୍ତ୍ତନ ହେଲା । ସିଂହଭୂମ ଓଡ଼ିଆଭାଷୀବହୁଳ ଅଞ୍ଚଳ ହୋଇଥିଵାରୁ ସେଠାରେ ଉତ୍କଳ କଂଗ୍ରେସର ଏକ ଶାଖା ସ୍ଥାପନ କରାଗଲା। ଅଵଶ୍ୟ ବିହାରୀମାନେ ଏହାର ପ୍ରତିଵାଦ କରିଥିଲେ ଓ ଜାତୀୟ କଂଗ୍ରେସ ତରଫରୁ ଭୋଟ ନିଆଯାଇ ଦେଖାଗଲା ଯେ, ଓଡ଼ିଆଙ୍କର ଭୋଟସଂଖ୍ୟା ବହୁ ଅଧିକ ।
ବିହାରୀମାନେ କିନ୍ତୁ ସମାନ୍ତରାଳ ବିହାର କଂଗ୍ରେସ ଶାଖା ଚାଲୁ ରଖିଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଚାଇବସାଠାରେ ଏକ କଂଗ୍ରେସର ସଭାରେ ରାଜେନ୍ଦ୍ରପ୍ରସାଦଙ୍କ ସହ ଉଦଵୋଧନ ଦେଇଥିଲେ । ସଭାପୂର୍ଵରୁ ରାଜେନ୍ଦ୍ରପ୍ରସାଦଙ୍କ ସହ ତାଙ୍କର ଷଢେ଼ଇକଳା ଓ ଖରସୁଆଁ ତଥା ବିହାରରେ ଥିଵା ଅନ୍ୟାନ୍ୟ ଓଡି଼ଶା ଅଞ୍ଚଳ ସମ୍ବନ୍ଧରେ ଘଣ୍ଟାଏ କାଳ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ରାଜେନ୍ଦ୍ରପ୍ରସାଦ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ, ଏହି ସ୍ଥାନର ଅଧିଵାସୀମାନେ ମୁଖ୍ୟତଃ ଓଡି଼ଆ ଏବଂ ବିହାରୀମାନେ ଏଠାରେ ଉପନିଵେଶ ମାତ୍ର ସ୍ଥାପନ କରିଛନ୍ତି । ସେମାନେ ଓଡ଼ିଆଙ୍କ ସହିତ ସୁସମ୍ପର୍କ ସ୍ଥାପନକରି ଶାନ୍ତିରେ ସହାଵସ୍ଥାନ କରିଵା ଉଚିତ । କିନ୍ତୁ ସ୍ଥାନୀୟ ବିହାରୀ ନେତାମାନଙ୍କର ଆସ୍ଥାନ ସୁଦୃଢ କରିଵାପାଇଁ ପରୋକ୍ଷରେ ସେ ପରାମର୍ଶ ଦେଉଥିଲେ। କ୍ରମେ ବହୁ ବିହାରୀ ପରିଵାର ସେହି ଅଞ୍ଚଳକୁ ଆସି ସ୍ଥାୟୀ ଵସତି ସ୍ଥାପନ କଲେ । କିନ୍ତୁ ଏହା ସତ୍ତ୍ବେ ଅଦ୍ୟାଵଧି ସେହି ଅଞ୍ଚଳର ଓଡ଼ିଆମାନେ ସଂଖ୍ୟାଗରିଷ୍ଠ ଥାଇ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରଚଳିତ ରହିଛି। (ଉଦାହରଣ ସ୍ଵରୂପ ‘ଚାଇଁବସା’, ‘ଚାରିବସା’ ଶବ୍ଦର ଅପଭ୍ରଂଶ ମାତ୍ର । ସେହି ଅଞ୍ଚଳର ଓଡ଼ିଆ ରାଜା ପୁରୀ ଅଞ୍ଚଳରୁ ଚାରୋଟି ବ୍ରାହ୍ମଣ ପରିଵାରକୁ ନେଇ ସେଠାରେ ସ୍ଥାପନ କରିଥିଵା ହେତୁ ସେହି ଅଞ୍ଚଳକୁ ‘ଚାରିବସା’ ନାମରେ ନାମିତ କରାଯାଇଥିଲା।)
କହିଵାକୁ ଗଲେ ବିହାର ସହିତ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ଓଡି଼ଶା ବିରୁଦ୍ଧରେ ଏକ ସୁପରିକଳ୍ପିତ ଓ ସଂଗଠିତ ଚକ୍ରାନ୍ତ ଥିଲା ଏବଂ ଓଡି଼ଶାର ନେତାମାନଙ୍କ ମଧ୍ୟରେ କ୍ଷମତା ଓ ଅହଂକାରର ସଂଘର୍ଷ ହେତୁ ଓଡ଼ିଶାର ସ୍ବାର୍ଥରକ୍ଷା ପାଇଁ ଦୃଢ ଓ ଐକ୍ୟବଦ୍ଧସ୍ୱର ଉତ୍ତୋଳିତ ହୋଇପାରି ନ ଥିଲା । ପ୍ରଥମେ ନ୍ୟସ୍ତସ୍ବାର୍ଥ ବିହାରୀମାନଙ୍କ ଉଦ୍ୟମରେ ଆଦିଵାସୀମାନଙ୍କ ମଧ୍ୟରେ ଓଡ଼ିଶା ସହ ମିଶ୍ରଣ ଵିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି କରାଯାଇ ଜାତୀୟ ସ୍ତରରେ ମିଶ୍ରଣ ଵିରୁଦ୍ଧରେ ମିଥ୍ୟାଗୁଜବମାନ ରଟନା କରାଗଲା । ଷଢେ଼ଇକଳାର ରାଜା ମଧ୍ୟ ପ୍ରଥମାଵସ୍ଥାରେ ଓଡ଼ିଶା ସହ ମିଶ୍ରଣର ଵିରୋଧ କରିଥିଲେ। ବିହାର ସରକାରଙ୍କ ସହାୟତାରେ ଏକ ଗୋଷ୍ଠୀ ବାରମ୍ବାର କେନ୍ଦ୍ର ସରକାରଙ୍କ ଉପରେ ଓଡ଼ିଶା ସହ ମିଶ୍ରଣ ଵିରୁଦ୍ଧରେ ଚାପ ପ୍ରୟୋଗ କରୁଥିଲେ । ଏଣୁ ଷଢେ଼ଇକଳା ଓ ଖରସୁଆଁ ସମସ୍ୟାର ନିଷ୍ପତ୍ତି ନେଵା ନିମନ୍ତେ କେନ୍ଦ୍ର ସରକାର ବମ୍ବେ ହାଇକୋର୍ଟର ତତ୍କାଳୀନ ଵିଚାରପତି ବାଭେଦକରଙ୍କୁ ଟ୍ରିବ୍ୟୁନାଲ ଭାବରେ ନିଯୁକ୍ତ କରିଥିଲେ । କିନ୍ତୁ ବାଭେଦକର ଯଥାସମୟରେ ଉପସ୍ଥିତ ନ ରହିଵାରୁ କେନ୍ଦ୍ର ସରକାର ଉଭୟ ପ୍ରଦେଶର ମତାମତ ଶୁଣି ବିହାର ସହିତ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ସପକ୍ଷରେ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ମତରେ ସେତେବେଳେ ମୟୂରଭଞ୍ଜ ଜିଲାର ଓଡି଼ଶା ସହ ମିଶ୍ରଣ ନ ହୋଇ ବିହାରରେ ରହିଥିଵାରୁ ଓ ଓଡି଼ଶାରୁ ଷଢେ଼ଇକଳା ଓ ଖରସୁଆଁକୁ ଯିଵାକୁ ହେଲେ ବିହାର ମଧ୍ୟଦେଇ ଯିଵାକୁ ହେଉଥିଲା ଏବଂ ଉପରୋକ୍ତ ଅଞ୍ଚଳ ବିହାରର ସିଂହଭୂମ ଜିଲ୍ଲା ମଧ୍ୟରେ ଏକ ଓଡ଼ିଶା ଶାସିତ ଦ୍ଵୀପାଞ୍ଚଳ ପରି ରହିଥିଲା। ଏଣୁ ଶାସନଗତ ସୁଵିଧା ଦୃଷ୍ଟିରୁ ଏହାକୁ ବିହାର ସହ ମିଶାଇ ଦିଆଗଲା ।
୧୯୪୯ ମସିହାରେ ମୟୂରଭଞ୍ଜ ରାଜ୍ୟର ଓଡ଼ିଶା ସହ ମିଶ୍ରଣ ହେଵା ଫଳରେ ଓଡି଼ଶାରୁ ଷଢେ଼ଇକଳା ଓ ଖରସୁଆଁକୁ ସିଧାସଳଖ ପହଞ୍ଚିଵାରେ ଆଉ କିଛି ଅସୁଵିଧା ରହିଲା ନାହିଁ । ଏହା ପରେ ଷଢେ଼ଇକଳାର ରାଜା ନିଜ ପୂର୍ଵମତର ପରିଵର୍ତ୍ତନ କଲେ । ଦୁଇଟି ରାଜ୍ୟର ଓଡି଼ଶା ସହ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ଦାବୀକରି ସୁପ୍ରିମକୋର୍ଟରେ ଏକ ମକଦ୍ଦମା ଆଗତ କଲେ । ୧୯୫୩ ମସିହାରେ କେନ୍ଦ୍ର ସରକାର ସୟିଦଫଜଲ ଅଲ୍ଲୀଙ୍କର ସଭାପତିତ୍ବରେ ଏକ ରାଜ୍ୟ ପୁନର୍ଗଠନ କମିଶନ ନିଯୁକ୍ତ କଲେ । ଓଡିଶା ସରକାରଙ୍କ ତରଫରୁ କମିଶନକୁ ଯୁକ୍ତି ଦିଆଯାଇ କୁହାଗଲା ଯେ, ଭାରତ ସରକାର ଗ୍ରହଣ କରିଥିବା ‘ଭାଷାସୂତ୍ରରେ ପ୍ରଦେଶ ଗଠନ’ ନୀତି ଦୃଷ୍ଟିରୁ ଵିଚାରକରି ଷଢେ଼ଇକଳା ଓ ଖରସୁଆଁ ଓଡି଼ଆଭାଷୀବହୁଳ ଅଞ୍ଚଳ ହୋଇଥିଵାରୁ ଏବଂ ଭୌଗୋଳିକ, ଅର୍ଥନୈତିକ ସାଂସ୍କୃତିକ ଦୃଷ୍ଟିକୋଣରୁ ଓଡି଼ଶା ସହ ଅଙ୍ଗାଙ୍ଗୀଭାବେ ଜଡିତ ଥିଵାରୁ ଏହାକୁ ଓଡି଼ଶା ସହ ମିଶାଇ ଦିଆଯିଵା ଉଚିତ ।
କିନ୍ତୁ ଏହି ସମସ୍ତ ଯୁକ୍ତି ସତ୍ତ୍ବେ କେନ୍ଦ୍ର ସରକାର ସିଂହଭୂମର ‘ପୋଡା଼ହାଟ’ ରାଜ୍ୟ ସହିତ ଷଢେ଼ଇକଳା ଓ ଖରସୁଆଁର ଐତିହାସିକ ସାମଞ୍ଜସ୍ୟ ଥିଵାରୁ ଏବଂ ସିଂହଭୂମ ଜିଲ୍ଲା ବିହାରର ଛୋଟନାଗପୁର ଡିଭିଜନର ଶାସନାଧିନ ଥିଵାରୁ ଏହି ଅଞ୍ଚଳକୁ ବିହାର ସହିତ ମିଶାଇଦେଵା ପାଇଁ ନିଷ୍ପରି ଗ୍ରହଣ କଲେ । ଏହି ପରିପ୍ରେକ୍ଷୀରେ ଆମର କହିଵା କଥା ଯେ ସିଂହଭୂମରେ ଓଡ଼ିଆମାନଙ୍କର ସଂଖ୍ୟାଗରିଷ୍ଠତା ଗୋପବନ୍ଧୁ ବହୁପୁର୍ଵରୁ ପ୍ରମାଣ କରିଥିଲେ। ସିଂହଭୂମ ଇଂରାଜୀ ଶାସନ ପୂର୍ଵରୁ ଶହ ଶହ ଵର୍ଷ ଧରି ଓଡ଼ିଶା ଅନ୍ତର୍ଗତ ଥିଵାରୁ ତାହାର କୌଣସି ଅଂଶରେ ଓଡି଼ଶାର ଏକ ଅଞ୍ଚଳ ସହିତ ସାମଞ୍ଜସ୍ୟ ରହିଵାରେ କିଛି ଅସ୍ବଭାଵିକତା ନାହିଁ । ଏଣୁ ଐତିହାସିକ ସାମଞ୍ଜସ୍ୟ ଦୃଷ୍ଟିରୁ ଷଢେ଼ଇକଳା ଓ ଖରସୁଆଁକୁ ବିହାର ସହିତ ମିଶାଇଦେଵା ପରିଵର୍ତ୍ତେ ସିଂହଭୂମକୁ ଓଡି଼ଶାରେ ମିଶାଇ ଦିଆ ନଗଲା କାହିଁକି ?
‘ପୋଡାହାଟ’ର ରାଜାକୁ ସିଂହଭୂମର ରାଜା ବୋଲି କୁହାଯାଏ, କାରଣ ପୋଡାହାଟର ଓଡ଼ିଆ ରାଜାଙ୍କର କୁଟୁମ୍ବମାନେ ଯାଇ ସିଂହଭୂମର ଵିଭିନ୍ନ ଅଞ୍ଚଳରେ ରାଜ୍ୟସ୍ଥାପନ କରି ଆଦିଵାସୀମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତିର ପ୍ରତିଷ୍ଠା କରିଥିଲେ । ଭକ୍ତ ରାଜ୍ୟମାନଙ୍କର ପୁରାତନ ନଥିପତ୍ର ଯାଞ୍ଚକଲେ ତାହା ଓଡ଼ିଆଭାଷାରେ ଲେଖାହୋଇଥିଵା ଦେଖିଵାକୁ ମିଳିଛି ।
‘ପୋଡାହାଟ’ର ଶେଷ ସ୍ବାଧନ ଓଡିଆରାଜା ଥିଲେ ଅର୍ଜୁନ ସିଂହ । ସେ ଜଣେ ଦେଶପ୍ରେମୀ ଓ ସ୍ୱାଭିମାନୀ ଵ୍ୟକ୍ତି ଥିଲେ । ୧୮୫୮ ମସିହାରେ ଜାତୀୟଭାବରେ ଉଦ୍ବୁଦ୍ଧ ହୋଇ ସେ ଇଂରାଜିଦ୍ରୋହୀ ହେଇଉଠିଵାରୁ ଇଂରାଜିସରକାର ତାଙ୍କର ସମସ୍ତ ସମ୍ପରି ବାଜ୍ୟାପ୍ତ କରିଥିଲେ । ‘ପୋଡାହାଟ’ର ରାଜାମାନଙ୍କର ସମ୍ବଲପୁର ଓ ମୟୂରଭଞ୍ଜ ରାଜାମାନଙ୍କ ସହିତ ଵିଵାହସୂତ୍ରରେ ବନ୍ଧୁ ବାନ୍ଧଵ ସମ୍ପର୍କ ରହିଥିଲା । ୧୭୭୬ ମସିହାରେ ମେଦିନୀପୁରର ଇଂରାଜୀ ସରକାରଙ୍କର ପ୍ରତିନିଧି (Resident) ଜର୍ଜ ଵାନ୍ସିଟାର୍ଟ (Gorge Vansittart) ସିଂହଭୂମ (ପୋଡାହାଟ)ର ରାଜା ଜଗନ୍ନାଥ ସିଂହଙ୍କ ଵିଷୟରେ କଲିକତାରେ ଥିଵା ଇଂରାଜି ସରକାରୀ ମୁଖ୍ୟ ଵେରେଲ୍ଷ୍ଟ (Verelst)ଙ୍କୁ ଜଣାଇ ଲେଖି ଥିଲେ, “This Raja is by marriage a distant relation of Sambalpur Raja; there is a constant correspondence between the two districts and an uninterrupted intercourse of merchants.” ରାଜା ଵିଵାହସୂତ୍ରରେ ସମ୍ବଲପୁର ରାଜାଙ୍କର ଦୂରସମ୍ପକୀୟ; ଏହି ଦୁଇଟି ଜିଲ୍ଲାମଧ୍ୟରେ ନିରଵିଛିନ୍ନ ସମ୍ପର୍କ ଓ ଅଵାଧ ଵାଣିଜ୍ୟ ରହିଅଛି।’’
ଆଦିବାସୀମାନଙ୍କ ମଧ୍ୟରେ ସିଂହଭୂମରେ ‘ହୋ’ ଆଦିଵାସୀମାନେ ସଂଖ୍ୟାଗରିଷ୍ଠ । ଏହି ‘ହୋ’ ଆଦିଵାସୀ ମାନେ ଛୋଟନାଗପୁରର ଅନ୍ୟ ଅଞ୍ଚଳ ମାନଙ୍କରେ ଦେଖାଯାଆନ୍ତି ନାହିଁ । କିନ୍ତୁ ସେମାନେ ବହୁସଂଖ୍ୟାରେ ଓଡ଼ିଶାର ଗଡ଼ଜାତ ରାଜ୍ୟ ଯଥା, ମୟୂରଭଞ୍ଜ, ବଣାଇ, ଗାଙ୍ଗପୁର, କେଉଁଝର, ଷଢେଇକଳା ଓ ଖରସୁଆଁରେ ଦେଖାଯାଆନ୍ତି। ଏମାନେ ସାଧାରଣତଃ ଓଡ଼ିଆ ଭାଷାରେ ଶିକ୍ଷିତ ହୋଇଥାଆନ୍ତି । ପ୍ରତ୍ନତତ୍ତ୍ଵଵିତ୍ ତଥା ଐତିହାସିକମାନେ ପ୍ରମାଣ କରିଛନ୍ତି ଯେ ‘ହୋ’ମାନେ ଯଦି କୌଣସି ପ୍ରଥମ ଆର୍ଯ୍ୟଜାତି ସଂସ୍ପର୍ଶରେ ଆସିଥାଆନ୍ତି, ସେମାନେ ହେଲେ ଓଡି଼ଆ। ଏଠାର ଆଦିଵାସୀମାନେ ଓଡ଼ିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ଙ୍କୁ ଛାଡି଼ଦେଲେ ଅନ୍ୟ କୌଣସି ବାହାରର ଲୋକଙ୍କୁ ସହିପାରନ୍ତି ନାହିଁ । ଏମାନଙ୍କର ଗ୍ରାମମାନଙ୍କରେ ଓଡ଼ିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ମାନେ ବାସ କରନ୍ତି ।
ପୌରାଣିକ ଯୁଗରେ ମଧ୍ୟ ଆମେ ଏ ଵିଷୟର ସଂକେତ ପାଉ । ସ୍କନ୍ଦପୁରାଣ ଉତ୍କଳଖଣ୍ଡ ୬ଷ୍ଠ ଅଧ୍ୟାୟର ୨୭ ଶ୍ଲୋକ ଓ କାଳିଦାସଙ୍କର ରଘୁବଂଶ ୪ର୍ଥ ସର୍ଗର ୩୬, ୩୭, ଓ ୩୮ ଶ୍ଳୋକରେ ସିଂହଭୂମକୁ ଉତ୍କଳର ଏକ ଅଂଶ ରୂପେ ଵର୍ଣ୍ଣନା କରାଯାଇଛି ।
ସିଂହଭୂମ ଅଞ୍ଚଳର ଲୋକମାନେ ପାରମ୍ପରିକ ପୂଜା ସମୟରେ ସଂକଳ୍ପ ପାଠରେ କହିଥାଆନ୍ତି – ”ଜମ୍ବୁଦ୍ୱୀପେ, ଭାରତବର୍ଷେ, ଉତ୍କଳଦେଶେ – ଇତ୍ୟାଦି’’। ଏହି ଅଞ୍ଚଳର ଅଧିଵାସୀମାନେ ଓଡ଼ିଆଙ୍କ ପରି ସୁଦଶାଵ୍ରତ, ଗହ୍ମାପୂର୍ଣ୍ଣିମା, ଚିତଉ ଅମାଵାସ୍ୟା, ସୁନିଆଁ, ଇନ୍ଦ୍ରଯାତ୍ରା, ଦୁର୍ଗାପୂଜା, କୁମାରପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଗୁରୁବାର ଓଷା, ଶାମ୍ବଦଶମୀ, ଆଦି ଓଡ଼ିଆ ପର୍ଵମାନ ପାଳନ କରନ୍ତି। ଏମାନଙ୍କର ଵିଵାହ ଉତ୍ସଵ ଓ ଅନ୍ୟାନ୍ୟ ସାମାଜିକ କର୍ମ ଓଡ଼ିଆ ପୁରୋହିତ ଦ୍ବାରା ସମ୍ପାଦିତ ହୁଏ। ବଙ୍ଗୀୟମାନଙ୍କର ପରି ଏକାଦିନେ ‘କୁଶଣ୍ଡିକ ହୋମ’ ନ କରି ଏମାନେ ଓଡ଼ିଆଙ୍କ ପରି ଅନ୍ୟଦିନ ହୋମ କରିଥାନ୍ତି ।
ବଙ୍ଗୀୟମାନେ ୩୧ ଦିନରେ ଶ୍ରାଦ୍ଧକଲାବେଳେ ଏମାନେ ଓଡ଼ିଆଙ୍କ ପରି ଦଶଦିନରେ (ଦଶାହ) ଶ୍ରାଦ୍ଧ କରିଥାଆନ୍ତି । ଏଠାରେ ଅଣ-ବ୍ରାହ୍ମଣମାନେ ଓଡି଼ଆ କରଣ ଗୋସାଇଁମାନଙ୍କୁ କୁଳଗୁରୁ କରିଥାନ୍ତି । କିନ୍ତୁ ଏମାନଙ୍କର ସମସ୍ତ କର୍ମକର୍ମାଣି ଓଡିଆ ବ୍ରାହ୍ମଣଙ୍କ ଦ୍ଵାରା ସମ୍ପାଦିତ ହୁଏ । ଏହି ପୂଜାର ମନ୍ତ୍ରଗୁଡିକ ତାଳପତ୍ରପୋଥିରେ ଓଡ଼ିଆ ଅକ୍ଷରରେ ଲିପିବଦ୍ଧ ହୋଇଥାଏ । ମାନଵ ଜାତିତତ୍ତ୍ୱଜ୍ଞମାନେ (Ethnologists) ସିଂହଭୂମରେ ଥିଵା ହୋ, ସାନ୍ତାଳ, କୋହ୍ଲ ପ୍ରଭୃତି ଆଦିଵାସୀମାନଙ୍କର ଭାଷାରେ ଓଡ଼ିଆଭାଷାର ପ୍ରଭାଵ ସୂଚାଇଛନ୍ତି ।
ଆମେମାନେ ଓଡ଼ିଆରେ ‘ଆରେ’, ‘କିରେ’, ‘ଯାରେ’ ଆଦିରେ ‘ରେ’ ଵ୍ୟଵହାର କଲାପରି ସେମାନେ ମଧ୍ୟ କଥିତଭାଷାରେ ‘ରେ’ ର ସେହିପ୍ରକାର ଵ୍ୟଵହାର କରିଥାନ୍ତି । ଆମେ ଓଡ଼ିଆରେ ‘ଆଲୋ’, ‘ହଇଲୋ’ ଆଦି ଵ୍ଯଵହାର କଲାପରି ସେମାନେ ମଧ୍ୟ ‘ଲୋ’ ର ଵ୍ୟଵହାର କରିଥାଆନ୍ତି । ଏମାନେ ଛେଳିକୁ ‘ମେରୋମ’ ବୋଲି କହିଥାଆନ୍ତି । କିନ୍ତୁ ମାଇଛେଳିକୁ ‘ପେଣ୍ଠି ମେରୋମ’ ବୋଲି କହିଥାଆନ୍ତି। ‘ପେଣ୍ଠି’ ଏକ ଓଡି଼ଆ ଦେଶଜ ଶବ୍ଦ । ଜଳାଶୟକୁ ଏମାନେ ଓଡ଼ିଆଙ୍କପରି ପୋଖରୀ ବୋଲି କହିଥାଆନ୍ତି। ସାନ୍ତାଳିଭାଷାରେ ଓଡ଼ିଆର ପ୍ରଭାଵରେ ‘ଲୁଗା’ କୁ ‘ଲୁଗ୍ରି’ ବୋଲି କହିଥାଆନ୍ତି। ଏମାନେ ‘ଚାଉଳ’କୁ ‘ଚାଉଳି’ ବୋଲି କହନ୍ତି। ‘ଚାର’, ‘ସହଜ’, ‘କେନ୍ଦୁ’ ଆଦି ଗଛର ନାମ ଗୁଡିକ ସିଂହଭୂମର ଅଧିଵାସୀମାନେ ଵ୍ୟଵହାର କରୁଥିଵା ବେଳେ ଏହି ନାମଗୁଡିକ କେଵଳ ଓଡିଶାରେ ପ୍ରଚଳିତ ଥିଵା ଦେଖାଯାଏ । ‘ହୋ’ମାନେ କେନ୍ଦ୍ରକୁ ‘କେନ୍ଦ’ ଓ ସାନ୍ତାଳମାନେ ‘ହେଲେ’ ବୋଲି କହିଥାଆନ୍ତି । ସେହିପରି ଆମେ କେଶଶୂନ୍ୟ ମସ୍ତିଷ୍କକୁ ‘ଚନ୍ଦା’ କହିଲାବେଳେ ଏମାନେ ମଧ୍ୟ ‘ଚନ୍ଦା’ ବୋଲି କହିଥାଆନ୍ତି । ଏହିପରି ବହୁ ଓଡିଆ ଦେଶଜ ଶବ୍ଦର ଵ୍ୟଵହାର ସିଂହଭୂମଵାସୀଙ୍କର କଥିତଭାଷାରେ ରହି ସେଠାରେ ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ ଭାଷାର ପ୍ରତିଷ୍ଠା କଥା ସୂଚାଇ ଦିଏ ।
ପ୍ରସିଦ୍ଧ ଭାଷାତତ୍ତ୍ୱବିତ୍ ଜନ୍ ବିମସ୍ (John Beams) ତାଙ୍କର ‘Comparative Grammer of modem Aryan Languages of India’ Vol I,ରେ ଓଡ଼ିଆ ଭାଷାର ଭୌଗୋଳିକ ଅଵସ୍ଥିତି ସୂଚାଇଵାକୁ ଯାଇ କହିଛନ୍ତି, ‘‘ଏହି ଭାଷା କେଵଳ ଉପକୂଳଵର୍ତ୍ତୀ ଶିକ୍ଷିତ ଲୋକମାନଙ୍କଦ୍ୱାରା ଵ୍ୟଵହାର କରାଯାଏ ନାହିଁ ପରନ୍ତୁ ଶହ ଶହ ମାଇଲ ଧରି ପଶ୍ଚିମରେ ନାଗପୁର ଓ ଦକ୍ଷିଣରେ ତେଲେଙ୍ଗାନା ପର୍ଯ୍ୟନ୍ତ ଥିଵା ଅଞ୍ଚଳରେ ରହୁଥିଵା ଆଦିଵାସୀମାନଙ୍କ ଦ୍ବାରା ମଧ୍ୟ ଵ୍ୟଵହୃତ ହୁଏ । ଉପରୋକ୍ତ ପୁସ୍ତକର ୧୦୫ ପୃଷ୍ଠାରେ ଲେଖକ ମତ ଦେଇ କହିଛନ୍ତି ଯେ ଉପକୂଳଵର୍ତ୍ତୀ ଅଞ୍ଚଳର ଓଡି଼ଆମାନଙ୍କ ଉଚ୍ଚାରଣ ଅସ୍ପଷ୍ଟ ଓ ତରବରିଆ ହୋଇଥିଲାବେଳେ ପାହାଡି଼ ଅଞ୍ଚଳର ଓଡ଼ିଆମାନଙ୍କର ଉଚ୍ଚାରଣ ସ୍ପଷ୍ଟ । ଏହିସବୁ କାରଣରୁ ୧୮୦୩ ମସିହାରେ ‘ହୋ’ ଆଦିଵାସୀମାନେ, ଇଂରେଜମାନେ ଓଡ଼ିଆକୁ ଏ ଅଞ୍ଚଳ ଯୋଗସୂତ୍ରକାରୀ ତଥା ଆଞ୍ଚଳିକ ଭାଷାରୂପେ ସ୍ବୀକୃତି ଦେଵାକୁ ଦାବୀଜଣାଇଥିଲେ । ଏହି ‘ହୋ’ମାନେ ସିଂହଭୂମର ଆଦିଵାସୀମାନଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ । ସାଧାରଣତଃ ‘ହୋ’ ଆଦିଵାସୀମାନେ ଓଡ଼ିଶାରେ ବହୁସଂଖ୍ୟାରେ ଥିଵାବେଳେ ଅନ୍ୟ ଅଞ୍ଚଳରେ ପ୍ରାୟ ଦେଖାଯାଆନ୍ତି ନାହିଁ ।
‘ଭାଷାତତ୍ତ୍ୱଵିତ ଡଃ ଗ୍ରୀଅରସନ୍ (Dr. Grerson) ତାଙ୍କର ‘Linguistic survey of India’ ପୁସ୍ତକରେ କହିଛନ୍ତି. “Oriya is also the language of the most of the district of Singbhum. ଓଡ଼ିଆ ଭାଷା ଛୋଟନାଗପୁର ଡିଭିଜନର ସିଂହଭୂମର ଅଧିକାଂଶ ଅଞ୍ଚଳର ତଥା ଅନ୍ୟାନ୍ୟ ସୀମାନ୍ତ ରାଜ୍ୟମାନଙ୍କରେ କଥିତ ହୁଏ ।’’
୧୯୧୯ ମସିହାରେ ସିଂହଭୂମର ଡେପୁଟି କମିଶନର ଏ. ଗାରେଟ୍ (Mr. A. Garret) ତାଙ୍କର ଚିଠିନମ୍ବର ୫୭-ଟି.ସି. (Letter N.O. 57-TC, Chaibasa, 1st & 10th March)ରେ ଲେଖିଛନ୍ତି, “That Porhat and Dhalbhum are essentially Oriya, when they are not aboriginal is undeniable; that Oriya is not taught in the school of these Estates is a great wrong to the people concerned”. ‘‘ଆଦିବାସୀମାନଙ୍କୁ ଛାଡିଦେଲେ ପୋଡା଼ହାଟ ଓ ଧଳଭୂମ ମୁଖ୍ୟତଃ ଓଡି଼ଆ । ଏହି ଅଞ୍ଚଳର ଵିଦ୍ୟାଳୟମାନଙ୍କରେ ଓଡ଼ିଆ ଶିକ୍ଷା ଦିଆଯାଉନଥିଵା, ସେଠାର ଲୋକଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ।
ଛୋଟନାଗପୁର ଡିଭିଜନର କମିଶନର ବି. ଫୋଲେ (Mr. B. Foley, I.C.S.) ବିହାର ଓଡ଼ିଶା ସରକାରଙ୍କର ଵିଚାର ଵିଭାଗର ସେକ୍ରେଟାରୀଙ୍କୁ ଚିଠି ନମ୍ବର ୮୬୮-ଜେ (868-J, dated Ranchi 26th March 1919) ରେ ଜଣାଇଛନ୍ତି: “On the otherhand when touring through the west of Dhalbhum, Kolhan, Sareikala and Kharsuan I have always been struck with the Oriya look of the villages. The houses seem to be built in the same way as in Balasore, Cuttack, Puri and the Orissa Tributary states.” ‘‘ଅନ୍ୟପକ୍ଷରେ ଧଳଭୂମ, କୋହ୍ଲାନ, ଷଢେ଼ଇକଳା ଓ ଖରସୁଆଁ ମଧ୍ୟଦେଇ ଗସ୍ତରେ ଯିଵା ସମୟରେ ମୁଁ ସବୁବେଳେ ଗ୍ରାମମାନଙ୍କରେ ଓଡ଼ିଆ ଢାଞ୍ଚା ଦେଖିଵାକୁ ପାଇଛି, ବାଲେଶ୍ୱର, କଟକ, ପୁରୀ ଏଵଂ ଓଡି଼ଶାର ଅନ୍ୟାନ୍ୟ ରାଜ୍ୟରେ ଥିଵା ଘରଗୁଡି଼କର ଗଠନ ଶୈଳୀ ଏଠାରେ ଦେଖିଵାକୁ ମିଳେ’’ ।
ଆନନ୍ଦପୁର, କେରା, ବଡଗାଓଁର ଜମିଦାରମାନେ ‘ପୋଡହାଟ’ ରାଜାଙ୍କର ବଂଶଧର ହୋଇଥିଵାରୁ ଓଡି଼ଆ। ଐତିହାସିକ ବି.ସି. ମଜୁମଦାରଙ୍କ ମତରେ ରାଞ୍ଚି, ସିଂହଭୂମ ଓ ମାନଭୂମର ରାଜା ଓ ଜମିଦାରମାନେ ମୁଖ୍ୟତଃ ଓଡ଼ିଆ ରାଜା ଓ ଜମିଦାରମାନଙ୍କ ସହିତ ଵୈଵାହିକ ଏଵଂ ସାମାଜିକ ସୂତ୍ରରେ ଆଵଦ୍ଧ ଥିଲେ । ଧଚ୍ଚଭୂମର ଜମିଦାର ଜଣେ ଓଡ଼ିଆ କ୍ଷତ୍ରିୟ। କାରଣ ‘ଧଳ’ ସାଙ୍ଗିଆ କେବଳ ଓଡ଼ିଶାରେ ବ୍ୟବହାର କରାଯାଏ । ଏହି ରାଜା ଓ ଜମିଦାର ମାନେ ଓଡ଼ିଆ ବ୍ରାହ୍ମଣଙ୍କୁ କୁଳଗୁରୁ କରିଥାଆନ୍ତି ଓ ବିଧିମତେ ସୁନିଆଁ ଓ ଗହ୍ମାପୂର୍ଣ୍ଣିମା ପାଳନ କରନ୍ତି । କହିବାକୁ ଗଲେ ଭାଷା ରୀତିନୀତି ଓ ଆଚାର ଆଦିରେ ଏମାନେ ଓଡିଆ । ଧଳଭୂମରେ ଓଡ଼ିଶା ପରି ରାଜା ବସାଇଥିବା ବ୍ରାହ୍ମଣଶାସନମାନ ଦେଖାଯାଏ ।
୧୯୧୬ ମସିହାରେ ପୋଡାହାଟ, ଧଳଭୂମ, କେରା, ଆନନ୍ଦପୁର, ଚଇନପୁର ଏବଂ ବଡଗାଓଁର ଜମିଦାରମାନେ ଏକ ତତ୍କାଳୀନ ବିହାର-ଓଡିଶା ଗଭର୍ଣ୍ଣର ଏଡୱାର୍ଡ ଗେଟ୍ଙ୍କୁ ଜଣାଇଥିଲେ ଯେ ସ୍କୁଲ ଓ କଚେରୀମାନଙ୍କରେ ଓଡ଼ିଆ ଭାଷାର ପ୍ରଚଳନ ରହୁ । ଏଠାର ରାଜା, ଜମିଦାର ଓ ପ୍ରଜାମାନେ ଓଡିଆମାନଙ୍କ ପରି ‘ମିତାକ୍ଷର’ ପରମ୍ପରାର ଅନ୍ତର୍ଭୁକ୍ତ । ଏହିସବୁ ଅଞ୍ଚଳରେ ଲୋକମାନେ ମାଦଳାପାଞ୍ଜି ମାନନ୍ତି । ଗ୍ରାମମୁଖ୍ୟମାନଙ୍କୁ ଏଠାରେ ଓଡିଆଙ୍କ ପରି ‘ପ୍ରଧାନ’ କୁହାଯାଏ । କେତେକ ଜାଗାରେ ‘ଠିକାଦାର ମଧ୍ୟ କୁହାଯାଏ । ଓଡ଼ିଶାର ପୁରାତନ ଆଇନର ‘ଖୁଣ୍ଟାକାଟି’ ଅଧିକାର ପ୍ରଚଳନ ଏହି ଅଞ୍ଚଳମାନଙ୍କର ପୁରାତନ ଜମିଜମା ରେକର୍ଡରୁ ମିଳେ । ତହିଁରେ ‘ଖୁଣ୍ଟାକାଟି’ ଶବ୍ଦର ଵ୍ୟଵହାର ମଧ୍ୟ ମିଳେ। ପୂର୍ଵରେ ଓଡି଼ଆ ରାଜାମାନଙ୍କର ରାଜତ୍ୱରେ ଯେଉଁ ଜଙ୍ଗଲ ଅଞ୍ଚଳମାନଙ୍କରେ ଓଡି଼ଆ ରାଜାମାନେ ରାଜ୍ୟସ୍ଥାପନ କରୁଥିଲେ, ସେଠାରେ ଜମିଜମା ସଂକ୍ରାନ୍ତୀୟ ବିବାଦରେ, ‘ଖୁଣ୍ଟାକାଟି ଅଧିକାର’ର ସୁରକ୍ଷା କରାଯାଉଥିଲା । ‘ଖୁଣ୍ଟାକାଟି ଅଧିକାର’ ର ଅର୍ଥ ଏହି ଯେ ଯେଉଁ ଵ୍ୟକ୍ତି ସର୍ଵପ୍ରଥମେ ଜଙ୍ଗଲ ଓ ଅନାବନା ସଫାକରି ସେଠାରେ ଵାସ କରିଥିଲା ତାକୁ ଜମିର ସତ୍ତ୍ଵାଧିକାର ଦିଆଯାଉଥିଲା । ଉପରୋକ୍ତ ଆଲୋଚନାରୁ ସିଂହଭୂମ କିପରି ଭାଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଵହମାନକାଳରୁ ଓଡ଼ିଶା ସହ ଅଙ୍ଗାଙ୍ଗୀଭାବରେ ଜଡିତ ରହିଛି ତାହା ବୁଝାଯାଏ ।
ପ୍ରବନ୍ଧ: ଉତ୍ତର ଓଡ଼ିଶା ଵିଚ୍ଛିନ୍ନାଞ୍ଚଳର ଭାଷା ଓ ସଂସ୍କୃତି
ପୁସ୍ତକ: ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ପ୍ରସଙ୍ଗ
ଉପସ୍ଥାପନା: ଶିଶିର ସାହୁ ମନୋଜ
#ଅମ୍ଳାନ ଗାଥା