ନୃସିଂହନାଥ ଗୁଣ୍ଡିଚା ମନ୍ଦିର

ଲେଖା: ଶିବାଶିଷ ମହାପାତ୍ର
ତନ୍ତ୍ର, ମନ୍ତ୍ର ଏବଂ ମନ୍ଦିରର ସହର ସୁବର୍ଣ୍ଣପୁର । ଅତି ପୁରାତନ ତଥା ପ୍ରାଚୀନ ଲୋକକଥା ଏବଂ କିମ୍ବଦନ୍ତୀରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲାର ଇତିହାସ । ଐତିହାସିକଙ୍କ ମତ ଅନୁସାରେ ପ୍ରାଚୀନ ସହର କଟକ ଠାରୁ ମଧ୍ୟ ପୁରାତନ ସୁବର୍ଣ୍ଣପୁର ସହରର ସଭ୍ୟତା । ପର୍ଶୁରାମଙ୍କ ଭୂମି ତଥା ପଶ୍ଚିମ ଲଙ୍କା ଭାବରେ ମଧ୍ୟ ଏହି ସହର ପରିଚିତ । ସଙ୍ଗମ କ୍ଷେତ୍ର ଭାବରେ ଏହା ଦ୍ବିତୀୟ ପ୍ରୟାଗ କ୍ଷେତ୍ର ଭାବରେ ଅବିହିତ । ଏହି ସହରକୁ କୁହାଯାଏ ମନ୍ଦିରମାଳିନୀ ଏବଂ ତୁଳନା କରାଯାଏ ଭୁବନେଶ୍ୱର ସହିତ । କିନ୍ତୁ ଭୁବନେଶ୍ଵର ଭଳି ବିରାଟ ସହର ଏବଂ ରାଜ୍ୟର ରାଜଧାନୀ ସହର ସହ ଏକ ଛୋଟ ସାଧାରଣ ସହରକୁ ତୁଳନା କରାଯାଇ ନପାରେ । ଏହି ଐତିହ୍ୟ ସହରରେ ଥିବା ମନ୍ଦିରଗୁଡିକ ନିଜର ସ୍ବତନ୍ତ୍ର ନିର୍ମାଣ ଶୈଳୀ ତଥା କାରୁକାର୍ଯ୍ୟ ପାଇଁ ପରିଚିତ ।
  
ଘଟଣା ବହୁଳ ସୋନପୁରର ରାଜ୍ୟ । ସହରର ବଡ଼ ବଜାରରେ ଅବସ୍ଥିତ ପଶ୍ଚିମ ଓଡ଼ିଶାର ଏକ ଉଚ୍ଚତମ ମନ୍ଦିର ନୃସିଂହନାଥ ଗୁଣ୍ଡିଚା ମନ୍ଦିର । ଏହି ମନ୍ଦିରଟି ଭଗବାନ ନୃସିଂହନାଥଙ୍କ ପାଇଁ ସୁବର୍ଣ୍ଣପୁର ଗଡ଼ଜାତର ରାଣୀ ଗୁଣ୍ଡିଚା ଦେବୀଙ୍କ ଦ୍ବାରା ନିର୍ମିତ ହୋଇଥିଲା । ରାଣୀ ଗୁଣ୍ଡିଚାଙ୍କ ନାମାନୁସାରେ ଏହା ଗୁଣ୍ଡିଚା ଗୁଡ଼ି (ସମ୍ବଲପୁରୀ ଭାଷାରେ ଗୁଡ଼ି ଅର୍ଥ ମନ୍ଦିର) ହୋଇ ରହିଗଲା । ପରବର୍ତ୍ତୀ ସମୟରେ ରଥଯାତ୍ରା ବେଳେ ମହାପ୍ରଭୁ ଏହିଠାରେ ଅବସ୍ଥାନ କରୁଥିଲେ । ପୁରୀ ମନ୍ଦିର ଅନୁକରଣରେ ଏଠାରେ ପ୍ରଭୁ ଶ୍ରୀ ନରସିଂହଦେବ ଦାରୁ ବିଗ୍ରହ ରାଣୀ ଗୁଣ୍ଡିଚାଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇ ପୂଜା କରାଯାଉଥିଲା । 
ଚ୍ୟୈହାନ ରାଜା ଶ୍ରୀ ପୃଥ୍ବୀ ସିଂଦେଓ ଥିଲେ ସୁବର୍ଣ୍ଣପୁର ରାଜ୍ୟର ନବମ ରାଜା । ତାଙ୍କ ଶାସନ କାଳ ଥିଲା ୧୭୮୬ ମସିହାରୁ ୧୮୪୧ ମସିହା ପର୍ଯ୍ୟନ୍ତ । ରାଜ୍ୟ ଶାସନର କିଛି ବର୍ଷ ପରେ ସେ ମରହଟ୍ଟା ମାନଙ୍କ ଦ୍ବାରା ଯୁଦ୍ଧରେ ପରାସ୍ତ ହୋଇ ଚାନ୍ଦା ଦୁର୍ଗରେ ବନ୍ଦି ହୋଇ ରହିଲେ । ଏହି ସମୟରେ ତାଙ୍କ ଏକମାତ୍ର ପୁତ୍ର ରଘୁନାଥ ସିଂହଦେଓ ମଧ୍ୟ ପ୍ରାଣତ୍ୟାଗ କଲେ । ୧୮୨୨ ମସିହାରେ ମରହଟ୍ଟାଙ୍କ କବଳରୁ ପ୍ରତ୍ୟାବର୍ତ୍ତନ କରି ନିଜର ପରିଣତ ବୟସରେ ବଂଶ ରକ୍ଷା ପାଇଁ ଦଶପଲ୍ଲା ରାଜକୁମାରୀ ଗୁଣ୍ଡିଚା ଦେବୀଙ୍କୁ ବିବାହ କରିଥିଲେ । ୧୮୩୭ ମସିହାରେ ଗୁଣ୍ଡିଚାଦେବୀ ପୁତ୍ର ନିଳାଦ୍ରୀ ସିଂହଦେଓଙ୍କ ଜନନୀ ହେଲେ । ଏହି ନୂତନ ପୁତ୍ରର ସ୍ମୃତି ରକ୍ଷା ନିମନ୍ତେ ସେ ଏହି ନୂତନ ମନ୍ଦିରଟି ନିର୍ମାଣ କରିଥିଲେ ।
ପ୍ରଥମେ ଏଠାରେ ଦାରୁବିଗ୍ରହ ସ୍ଥାପନା କରି ପୂଜାବିଧି କରାଯାଉଥିଲା । ପରେ ରାଜା ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ଦ୍ବାରା ଏଠାରେ ଅଷ୍ଟଧାତୁରେ ନିର୍ମିତ ଏକ ମନୁଷ୍ୟାକୃତି ପ୍ରତିମା ପ୍ରତିଷ୍ଠା କରିଥିଲେ । ସ୍ଥାନୀୟ ସୋନପୁର ସହରର ଘୋଡାଘାଟ ପଡ଼ାର ମହାରଣାମାନେ ନିର୍ମାଣ କରିଥିଲେ ଏହି ପ୍ରତିମା । ଏହାର ପୀଠ ଦେଶରେ ସୋନପୁର ରାଜ୍ୟର ବିଭିନ୍ନ ରାଜାଙ୍କ ବିଷୟରେ ରହିଛି ପ୍ରଶସ୍ତି ବର୍ଣ୍ଣନା । 
ନୃସିଂହନାଥ ଗୁଣ୍ଡିଚା ମନ୍ଦିର ମୁଖଶାଳାର ଦ୍ବାର ଦେଶରେ ଏକ ଅନନ୍ତଶୟନ ବିଷ୍ଣୁ ପ୍ରତିମା ଖୋଦିତ ହୋଇଛି । ତା ତଳି ଭାଗରେ ଉଭୟ ପାର୍ଶ୍ଵରେ ଜୟ – ବିଜୟ ପ୍ରତିମା ଦ୍ଵାରପାଳ ଭାବରେ ସ୍ଥାପିତ ହୋଇଛନ୍ତି । ମନ୍ଦିର ଭିତରେ ମହାରାଜା ନୀଳାଦ୍ରି ସିଂଦେଓ ଏବଂ ପ୍ରତାପ ରୁଦ୍ରଙ୍କ ପ୍ରସ୍ତର ନିର୍ମିତ ପ୍ରତିମୂର୍ତ୍ତି ରହିଛି । ଏଠାରେ ଅନେକ ଦେବାଦେବୀ ତଥା ଶାଳଗ୍ରାମ ପୂଜା ପାଉଛନ୍ତି । ମନ୍ଦିରଟି ବିମାନ, ମୁଖଶାଳା ଏବଂ ରୋଷେଇ ଶାଳକୁ ନେଇ ସୁସଜ୍ଜିତ । ମନ୍ଦିର ବାହ୍ୟ ପାର୍ଶ୍ଵରେ ହନୁମାନ, କାଳୀ , ଶିବ ଏବଂ ଜଗନ୍ନାଥ- ବଳଭଦ୍ର- ଶୁଭଦ୍ରାଙ୍କ ବିରାଟ ମୁର୍ତ୍ତି ସବୁ ଚାରି ଦିଗରେ ରହିଛି । ନୃସିଂହ, ବରାହ, ବାମନ ତଥା ଶ୍ରୀକୃଷ୍ଣଙ୍କ ଲୀଳାର ଦୃଶ୍ୟ ଏବଂ ମୁର୍ତ୍ତି ସବୁ ସ୍ଥାନେ ସ୍ଥାନେ ପରିବେଷ୍ଟିତ ।  
ସେହି ସମୟରେ ନୃସିଂହନାଥ ଗୁଣ୍ଡିଚା ମନ୍ଦିର ତିଆରି ପାଇଁ ପ୍ରୟ ୧୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ଐତିହାସିକ ମାନେ ମତ ବ୍ୟକ୍ତ କରନ୍ତି । ଦଧିନଉତିର ସୁବର୍ଣ୍ଣ କଳସ ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ବାରା ସ୍ଥାପିତ । ଚାରି ଦ୍ଵାର ବିଶିଷ୍ଟ ଜଗମୋହନ ପ୍ରଥମେ ଏକ ସାଧାରଣ ଘର ଥିଲା । ପ୍ରତାପ ରୁଦ୍ର ଦେବଙ୍କ ଅଭିପ୍ରାୟ ଏବଂ ପୁତ୍ର ବିରମିତ୍ରୋଦୟ ଙ୍କ ପ୍ରୟାସ ରେ ୧୯୨୨ ମସିହା ଶ୍ରାବଣ ଶୁକ୍ଳ ପକ୍ଷ ଦ୍ୱାଦଶୀ ଗୁରୁବାର ଦିନ ଆରମ୍ଭ ହୋଇ ୧୯୩୪ ମସିହାରେ ଶେଷ ହୋଇଥିଲା । ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଏ ମନ୍ଦିର ର ବିଶେଷ ଆକର୍ଷଣ। 
ସୁବର୍ଣ୍ଣପୁର ଜିଲ୍ଲାର ଏକ ଐତିହାସିକ ତଥା ପୌରାଣିକ ପ୍ରମାଣ ରଖୁଥିବା ମନ୍ଦିରଟି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଦିନେ ପଶ୍ଚିମ ଓଡ଼ିଶାର ଉଚ୍ଚତମ ମନ୍ଦିରର ସ୍ଥାନ ରଖୁଥିବା ମନ୍ଦିର ଆଜି ଅବହେଳିତ । ମନ୍ଦିରର ସ୍ଥାନେ ସ୍ଥାନେ ବିଭିନ୍ନ ପ୍ରକାରର ଗଛ ଉଠିଲାଣି । ରାସ୍ତା ନିର୍ମାଣ ଯୋଗୁଁ ମନ୍ଦିରର ଅନେକ ଅଂଶ ପୋତି ହୋଇଗଲାଣି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା କଥା ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି ।

Leave a Comment

Your email address will not be published. Required fields are marked *

Scroll to Top