ଖଇ

ଲେଖା: ଡ. ଜୟଶ୍ରୀ ନନ୍ଦ

~ ଆମ ପାରମ୍ପରିକ ଖାଦ୍ୟ ଖଇ ~
କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ। ଆମ ମହାପ୍ରଭୁ ଯେମିତି ଭୋଜନ ପ୍ରିୟ ଆମେ ଓଡ଼ିଆ ଲୋକମାନେ ସେମିତି ଭୋଜନ ପ୍ରିୟ । ଆମର ସବୁ ପାରମ୍ପରିକ ଖାଦ୍ୟ ସୁଷମ ଓ ସ୍ବାସ୍ଥ୍ୟକର । କେଉଁ ଯୁଗ ଯୁଗରୁ ଏ ସବୁ ପାରମ୍ପରିକ ଖାଦ୍ୟର ପ୍ରାଧାନ୍ୟତା ରହିଛି। ଗାଁରୁ ସହର ଯାଏ। ଘରୁ ମନ୍ଦିର ଯାଏ ଅନେକ ଖାଦ୍ୟ ନିତିପ୍ରତିଦିନ ଆମେ ବ୍ୟବହାର କରୁ। ଆଜି ସେମିତି ଗୋଟିଏ ଖାଦ୍ୟର ଚାହିଦା, ଉପଯୋଗ, ଦୈନନ୍ଦିନ ବ୍ୟବହାର କଥା ଏଠାରେ ବର୍ଣ୍ଣନା/ଉପସ୍ଥାପନା କରୁଛି ଅନ୍ତରଙ୍ଗ କଳିଙ୍ଗ (Antaranga Kalinga) । ଯେଉଁ ଖାଦ୍ୟଟି ସହିତ ସମସ୍ତଙ୍କ ପିଲାବେଳର ସ୍ମୃତି ବି ଜଡିତ । ଏହି ଖାଦ୍ୟ ପଦାର୍ଥଟିର ବିଭିନ୍ନ ନାମ ! #ଖଇ
(ଖଇ ଧାନଚୋପା ଅଲଗା କରିବା ପରେ)
କେହି ଖଇ କହେ ତ କେହି ଲିଆ କହନ୍ତି । ଖଇ ଗାଁଗହଳରେ ବେଶି ପରିଚିତ ଘରେ ଘରେ । ଧାନକୁ ମାଟି ହାଣ୍ଡିରେ ଗରମ ବାଲିରେ ପିଞ୍ଛରେ/ନଡିଆ ପତ୍ର କଞ୍ଚିରେ ଭାଜି ପ୍ରସ୍ତୁତ କରାଯାଏ । ତା ପରେ ଚଲାରେ ଖଇ ଚଲା ହୁଏ ଯାହା ଖଇରୁ ଫୁଟିଥିବା ଧାନଚୋପାକୁ ଅଲଗା କରାଯାଏ । ଖଇ ଚଲାଇବା ପରେ ବି ସବୁ ଧାନଚୋପା ସେଥିରୁ ଅଲଗା ହୋଇ ନ ଥାଏ । ତେଣୁ ଘରର ଝିଅ ଅବା ସ୍ତ୍ରୀଲୋକମାନେ ଧାନଚୋପା ବାଛି ଖଇକୁ ଅଲଗା କରନ୍ତି । ଅନେକ ପିଲାଦିନର ସ୍ମୃତିରୁ ଏ ଖଇ ଭଜା ହେବା ଦେଖିବା ଏକ ସୁନ୍ଦର ସ୍ମୃତି । ଖୁସିଲାଗେ ଦେଖିବାକୁ ଧାନ ଗରମ ବାଲିରେ ଫୁଟି କେମିତି ଖଇ ହୁଏ । ପ୍ରତି ଘରେ ମାଆ ବୁଢିମା ଆଦି ମହିଳାମାନେ ଖଇ ଭାଜନ୍ତି । ଛୋଟବଡ ଝିଅ ମିଶି ଗପସପ ହୋଇ ଖଇ ବାଛିବାର ସେ ସୁବର୍ଣ୍ଣ ମୁହୂର୍ତ୍ତ ଆଜିବି ଆଖି ଆଗରେ ନାଚିଯାଏ । ଆଜିକାଲି ଏ ସବୁ ମେସିନ୍ ରେ ଭଜା ଯାଉଛି । ଦୁଃଖ ଲାଗେ ଆମର ପର ପିଢିର ପିଲାମାନେ ଖଇର ନାମ ମନେ ରଖିଥିବେ କି ନାହିଁ ଆଉ ଏହା କେମିତି ପ୍ରସ୍ତୁତ ହୁଏ ଯଦି କୋଡିଏ ପ୍ରତିଶତ ଗାଁଗହଳର ପିଲା କହିପାରିବେ।
 
(ସକାଳ ଭୋଗ ଖଇ, କମଳା, ମଗଜଲଡୁ, ଖଜୁରୀ, କଦଳୀ))
ମହାପ୍ରଭୁଙ୍କ ପାଖରେ ସକାଳ ବା ଗୋପାଳବଲ୍ଲଭ ଭୋଗରେ ଖଇ, କାର୍ତ୍ତିକ ମାସରେ ମହାବାହୁଙ୍କ ବାଳଭୋଗରେ ଲିଆ ପ୍ରତିଦିନ ବ୍ୟବହାର କରାଯାଏ । କାର୍ତ୍ତିକର ବାଳଭୋଗରେ ଲିଆଭୋଗ ହୁଏ, ଯାହା ନଡ଼ିଆପାତି ଓ ଅଦାଖଣ୍ଡ ସହ ଭକ୍ତଙ୍କୁ ବିକ୍ରି ହୁଏ । #ପୁରୀରେ ଲିଆକୁ ଚିନିପାଗ ହେଲେ ଖଇ ଓ ଗୁଡ଼ପାଗ ହେଲେ ଉଖୁଡା କୁହନ୍ତି।
(ଧନୁମୁଆଁ)
ଘରେ ବା ଗାଁରେ ପ୍ରତିଦିନ ଘରେ ଠାକୁରଙ୍କୁ ଭୋଗ ହେବା ଲାଗି ଖଇ ଭଜା ହୋଇ ଡବାରେ ରଖାଯାଏ । ଖଇରେ ଗୁଡ ବା ଚିନି ପାଗ କରି ଉଖୁଡା ବା ଚିନିଖଇ ପ୍ରସ୍ତୁତ କରି ରଖାଯାଏ । ଉଖୁଡା ମୁଆଁ, କୋରାଖଇ ଆଦି ପ୍ରସ୍ତୁତ କରାଯାଏ । କୋରାଖଇ ଲିଙ୍ଗରାଜଙ୍କର ଅତିପ୍ରିୟ ଭୋଗ। ଉଖୁଡା ପ୍ରାୟ ସବୁ ପୂଜାରେ ଭୋଗ କରାଯାଏ । ଉଖୁଡା ମୁଆଁ କରାଯାଇ ଭୋଗ ଲଖାଯାଏ । ଧନୁସଂକ୍ରାନ୍ତିରେ ଧନୁମୁଆଁ ଭୋଗହୁଏ । କାର୍ତ୍ତିକ ମାସରେ ରାଇ ଦାମୋଦର ପୂଜା, ତୁଳସୀ ଚଉଁରା ପାଖରେ ଖଇ ଉଖୁଡା ସହ ଫଳ ଆଦି ପୂଜା କରାଯାଏ।
(ଉଖୁଡା ମୁଆଁ – ଗୁଡ, ଖଇ, ନଡିଆ, ଗୋଲମରିଚ, ଅଳେଇଚ ପଡି ତିଆରି
ଫଟୋ ସୌଜନ୍ୟ:  BinaPani Sahoo)
ଆଉ ଗୋଟିଏ ଝିଅ ମାନଙ୍କ ପର୍ବ/ଓଷା ଖୁଦୁରୁକୁଣୀ ଯାହା ଭାଦ୍ରବ ମାସରେ ପଡେ । ଯେଉଁଥିରେ ଖଇ ଉଖୁଡା ଭୋଗହୁଏ ଆଉ ଅଧିକ ମାତ୍ରାରେ ବଡ ବଡ ତସଲାରେ ଫଳ ମୂଳ ସହ ଖଇଉଖୁଡା ଭୋଗ ଲାଗେ । ଖୁଦୁରୁକୁଣୀ ଶେଷରେ ଚକଟା ଭୋଗ ହୁଏ । ଖଇଉଖୁଡା, ଗୁଡନଡିଆ, କୋରା କାକୁଡି ଫଳ ଏ ସବୁ। ସେ ଭୋଗ ଚକୁଟା ଓ ଚକୁଟା ଭୋଗ କଥା ମନେପଡିଲେ ଖୁବ୍ ଖୁସିଲାଗେ । ମାଆମାନେ ବୁଧେଇ ଓଷା କରନ୍ତି ସେଥିରେ ବି ଖଇଉଖୁଡା ଭୋଗଲାଗେ ।
(ଖଇ ଚିନିମୁଆଁ)
ବାହାଘର ବ୍ରତ ଘରରେ ଖଇଉଖୁଡାର ସ୍ଥାନ ବା ପ୍ରାଧାନ୍ୟତା ସମସ୍ତଙ୍କୁ ଜଣା। ବାହାଘରରେ ଖଇ ବରବଧୂ ଦୁହେଁ ହୋମରେ ପକାଇ ଥାଆନ୍ତି । ଭାଈ ଭଉଣୀ ହାତକୁ ଏଇ ହୋମ ବେଦୀରେ ଖଇ ଦିଏ ଓ ନବ ବରବଧୁ ଏହାକୁ ହୋମଅଗ୍ନିରେ ପକାଇ ଥାଆନ୍ତି। ଏ ଏକ ପରମ୍ପରା ଓ ପୂଜାର ଏକ ଅଂଶ। ଝିଅ ବାପାଙ୍କ ଘରୁ ବିଦାୟ ନେବା ବେଳେ ଆଞ୍ଜୁଳି ଆଞ୍ଜୁଳି କରି ପଛକୁ ଖଇ ପକାଇ ଥାଆନ୍ତି ଏ ବି ଆମ ଓଡିଆ ଘରର ପରମ୍ପରା ସହ ଜଡିତ। ଆଉ ବାକି ରହିଲା ଏକ ବିଶେଷ ଖଇର ବ୍ୟବହାର । ସେ ହେଉଛି ଝିଅ ବାହା ହୋଇ ଗଲେ ତାର ଶାଶୁଘରକୁ ମିଠା, ଆରିଷା ପିଠା, ପନିପରିବା ଭାର ସହ ଯାଏ ଉଖୁଡା ଭାର । ଖଇକୁ ଗୁଡରେ ପାଗ କରାଯାଇ ସେଥିରେ ନଡିଆପାତି, ବାଦାମ, ଗୋଲମରିଚ ଅଳେଇଚ ଆଦି ପକାଇ ତାକୁ ଗୋଲ ଗୋଲ କରି ଉଖୁଡା ମୁଆଁ ତିଆରି ହୋଇ ଭାର ପଠାଯାଏ । ହଁ ଆଜିକାଲି ଏ ସବୁର ଅନେକ ପରିବର୍ତ୍ତନ ଘଟିଛି କିନ୍ତୁ ଆମ ସମାଜରେ ଅନେକ ଲୋକ ଅଛନ୍ତି ଆଜିବି ସେ ସବୁ ଭୁଲି ନାହାନ୍ତି । ଝିଅ ଶାଶୁଘରକୁ ବାହାଘରର ପ୍ରଥମ ବର୍ଷ ସାରା ଅନେକ ପୂଜା ପର୍ବ ପର୍ବାଣିରେ ଉଖୁଡା ଖଇ ଭାର ଯାଏ । ଜନ୍ମାଷ୍ଟମୀ, କୁମାର ପୂର୍ଣ୍ଣିମା ଆଦିରେ । ଏଇ ଖଇଉଖୁଡା ଭାର ଦେଖି ଶାଶୁଘର ଲୋକ ବାପାଘର ଲୋକଙ୍କର ଉଚ୍ଚ ପରମ୍ପରା ବଷୟରେ ବି ଜାଣନ୍ତି ଓ ପ୍ରଶଂସା କରନ୍ତି।
(କୁମାର ପୂର୍ଣ୍ଣିମାର ଆଞ୍ଜୁଳୀ କୁଲା – ଖଇଫଳମୂଳ; ଫଟୋ ସୌଜନ୍ୟ – Google)
ପିଲାବେଳୁ ବାହାଘର ଯାଏ ଦେଖିଛି ଆମ ଗାଁରେ ଆମ ଘରେ ପ୍ରତିଘରେ ଗଜଲକ୍ଷ୍ମୀ ପୂଜା, ପଣା ସଂକ୍ରାନ୍ତି, ଦୁର୍ଗାପୂଜା, ଜନ୍ମାଷ୍ଟମୀ ଆଗରୁ ସମସ୍ତଙ୍କ ଘରେ ଖଇ ଭଜା ହୁଏ ଆମେ ଝିଅ ସବୁ ବସି ଖଇରୁ ଧାନ ଚୋପା ବାଛୁ। ତା ପରେ ଉଖୁଡା ତିଆରି ହୁଏ। ସେଥିରୁ ଉଖୁଡା ମୁଆଁ ବନାଯାଏ । ବଡ ବଡ ଟିଣ ଡବାରେ ସେ ସବୁ ରଖାଯାଏ । ଖାଲି ଭୋଗ ପାଇଁ ନୁହେଁ ବନ୍ଧୁବାନ୍ଧବ ଆସନ୍ତି ସେମାନଙ୍କ ପାଇଁ ଏ ସବୁ ସକାଳ ଜଳଖିଆ ବା ଅପରାହ୍ନ, ସନ୍ଧ୍ୟାବେଳେ ଚା ସହ ଖାଇବା ପାଇଁ ଦିଆଯାଏ । ଜହ୍ନିଓଷା, କୁମାର ପୂର୍ଣ୍ଣିମାରେ ସକାଳର ଆଞ୍ଜୁଳି ଓ ସନ୍ଧ୍ୟାର ପୂଜା ତ ଖଇ ବିନା ହୁଏ ନାହିଁ । ସାରା ମାସ ଖଇ ପ୍ରତିଦିନ ଭୋଗହୁଏ । ପଣାରେ ଉଖୁଡା ବି ପଡେ । ଚାନ୍ଦପୂଜାରେ ଖଇ ସହ ଫଳ, ଛେନା, କଦଳୀ ଆଦି ପକାଇ ଝିଅମାନେ କୁମାର ପୂର୍ଣିମାରେ ଚାନ୍ଦ ବନାନ୍ତି । ଏପରି ଆହୁରି ଅନେକ ପୂଜା ପର୍ବପର୍ବାଣିରେ ଖଇଉଖୁଡାର ବହୁଳ ବ୍ୟବହାର ହୁଏ।
 
(ପାରମ୍ପରିକ ରୀତିରେ ଖଇଛଡା ଖଇଚଲା; ଫଟୋ ସୌଜନ୍ୟ: Google)
(ପାରମ୍ପରିକ ଖଇଭଜା ମାଟିହାଣ୍ଡି ଓ ପିଞ୍ଛରେ; ଫଟୋ ସୌଜନ୍ୟ: Google)
ପିଲାବେଳର ଗୋଟେ ଅନୁଭୂତି ପ୍ରାୟ ଅନେକଙ୍କର ଥିବ। ଆମ ଝିଅମାନଙ୍କୁ ସାଇପଡିଶାରେ ସମସ୍ତେ ଡାକନ୍ତି ପୂଜା ଆଗରୁ ଖଇବାଛିବା ପାଇଁ। ଆମେ ବି ସର୍ତ୍ତ ରଖିଥାଉ ଭୋଗ ପାଇଁ ରହିବା ପରେ ଆମକୁ ଗୋଟେ ଗୋଟେ ଗୁଡମୁଆଁ ଦେବାକୁ । ସେ ସବୁର ମଜା ଯିଏ ନେଇଛି ସେ ସବୁ ଅନୁଭୂତିକୁ ଯିଏ ସାଇତିଛି ସେ ଜାଣେ ଏ ଖଇଉଖୁଡା ସହ କେତେ ସୁବର୍ଣ୍ଣ ସ୍ମୃତି ଆମ ମନରେ ପେଡି ହୋଇରହିଛି । ଗରମ ଗରମ ଉଖୁଡା ଖାଇବାର ମଜା ଅଲଗା ।
(ଖଇଚଲା; ଫଟୋ ସୌଜନ୍ୟ – Google)
 (ଭିନ୍ନ ପ୍ରକାରର ଖଇଚଲା; ଫଟୋ ସୌଜନ୍ୟ: BinaPani Sahoo)
ଅନ୍ୟ ଏକ ବିଶେଷ ଉପଯୋଗ.. ବ୍ରତ – ନବଜନ୍ମ, ବିବାହ – ଯୁଗ୍ମ ଜୀବନର ଜନ୍ମ ଏ ସମୟରେ ଯେମିତି ଖଇ ବ୍ୟବହାର ହୁଏ ସେମିତି ପୃଥିବୀରୁ ଅନ୍ତିମ ବିଦାୟ ବେଳେ ଦରକାର ହୁଏ ଖଇକଉଡ଼ି . .। ଖଇର ସଂସ୍କୃତ ନାମ ଲାଜା . . ଏଥିପାଇଁ ଝିଅ ବାହାବେଳେ ଲାଜାହୋମଲାଜାଞ୍ଜଳି ପ୍ରୟୋଗ ହୁଏ l 
ପୂଜା, ଭୋଗ, ଭାର ପରେ ସବୁଠାରୁ ବଡ କଥା ହେଲା ଏ ଖଇଉଖୁଡା ଓଡ଼ିଆ ଘରେ ଏକ ପାରମ୍ପରିକ ଖାଦ୍ୟ । ପ୍ରତି ଘରେ ଏହା ଜଳଖିଆ ଭାବେ ବ୍ୟବହାର କରାଯାଏ। ଏହା ସୁଷମ ଓ ବହୁତ ସ୍ବାସ୍ଥ୍ୟକର । ଆଜିକାଲି ଯେଉଁ କର୍ନଫ୍ଲେକ୍ସ ଖାଉଛନ୍ତି ସେ ଆଉ କଣ କି? ଆମେ ପିଲାବେଳେ ଯେଉଁ ଖଇ, ମୁଢି, ଚୁଡା, କଦଳୀ, କ୍ଷୀର, ଦହି, ଗୁଡ, ଚିନି ଆଦି ପକାଇ ଚକଟା ଜଳଖିଆରେ ଖାଉଥିଲୁ ସେଇ ହିଁ । ହଁ ଏବେ ବେରି ଫ୍ରୁଟ୍ ଆଦି ଓଟ୍ ସହ ଖାଉଛନ୍ତି।
 
(ମହାପ୍ରଭୁ କଳାସାଆନ୍ତଙ୍କ ଗୋପାଳବଲ୍ଲଭ ଭୋଗ; ଫଟୋ ସୌଜନ୍ୟ: Google)
ସକାଳ ଜଳଖିଆରେ ବହୁଳ ବ୍ୟବହାର ହୁଏ ଖଇ ଉଖୁଡା । ଖଇଚିନି କ୍ଷୀର, ଖଇଦହି ଖୁଡ, ଉଖୁଡା କଦଳୀ ଦହି, ଖଇଆମ୍ବ ସୋଦୁଅ, ଖଇପଣସ ସୋଦୁଅ ଆଦି ଆମ ବେଳେ ଆମେ ଖାଉଥିଲୁ । ଆମେ ଏ ସବୁ ଶିଖିଥିଲୁ ଖାଇବା ଆମ ବଡମାନଙ୍କ ଠାରୁ। ସେ ସବୁ ଥିଲା ଅତି ସ୍ବାସ୍ଥ୍ୟକର। ନା ତେଲ ନା ମସଲା ନା ଥିଲା ରୋଗ ସେଥିରେ। ଆମ ପାରମ୍ପରିକ ଖାଦ୍ୟ ଆମର ପରିଚୟ । ତାକୁ ଭୁଲନ୍ତୁ ନାହିଁ । ଆମ ଉପର ପିଢି ଆମକୁ ଶିଖାଇଛନ୍ତି ବୋଲି ଆମେ ଜାଣିଛନ୍ତି । ଆମେ ସମସ୍ତେ ଏ ସବୁ ଆମ ପର ପିଢିକୁ ନିଶ୍ଚିତ ଖୁଆଇବା ଓ ଶିଖାଇବା । ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରିବା ଆମର କର୍ତ୍ତବ୍ୟ ହେଉ।
© Dr. Jayashree Nanda

Leave a Comment

Your email address will not be published. Required fields are marked *

Scroll to Top