କିଶୋରୀ ଚରଣ

ଲେଖା: ଅମ୍ରିତେଶ ଖଟୁଆ

“କଥା, ଲୁହ ଓ ହସର ଭାଷା ତଳେ ଯେଉଁ ଅଦୃଶ୍ୟ ଚେତନ ଗୋବର ଗଦା ରହିଛି ତା’ର ସନ୍ଧାନ ପାଇଛ ? ସେଥିରୁ କେତେବେଳେ କେତେ ରକମର ବାଷ୍ପ ବାହାରେ ତା’ର ହିସାବ ରଖିଛ ? ପାରିବ ନାହିଁ। ତୁମ ଗୋବର ଗଦା ତା’ ଗୋବରଗଦାକୁ ଛୁଇଁପାରିବ ନାହିଁ- ତୁମ ବାଷ୍ପ, ― ଆରେ ମୁହଁ ଏମିତି ବିଚିକିଟିଆ କରୁଛ କାହିଁକି  ? ଛୁଇଁବ, ଛୁଇଁବ, ଧରିପାରିବ ନାହିଁ।
               
ଛୁଇଁଲେ ସାରା ଅଙ୍ଗ ଶୀତେଇ ଉଠିବ। ପ୍ରେମରେ ନୁହେଁ, ଘୃଣାରେ . . କହୁନା ତା ଆତ୍ମାକୁ ଧରିବ ? କହି ପାରିବ ନାହିଁ । ତେଣୁ ଭାବିନିଅ । ଅଳି ମରିଯାଇଛି, ବ୍ୟକ୍ତିମାନେ ମରିଯାଇଛନ୍ତି । ଅଛି କେବଳ ଏହି ଶୋଭାଯାତ୍ରା ବ୍ଯକ୍ତିବିସର୍ଜନର ମଉଜ । ଶାନ୍ତିର ଏକମାତ୍ର ଉପାୟ . . ଚାକୁ, ଚାକୁ, ଚାକୁ . .” (ଗଳ୍ପ: ‘ଶୋଭାଯାତ୍ରା’, ଗଳ୍ପସଙ୍କଳନ: “ଠାକୁରଘର”)

ଆଧୁନିକ ମଣିଷ ମନର କଠୋରତା ଓ ସ୍ନେହ-ମମତାହୀନ ପରିସର ମଧ୍ୟରେ ବ୍ୟଥିତର ଚିନ୍ତନକୁ ଦେଇଛନ୍ତି ସେ ନିଖୁଣ ଚିତ୍ରଣ। ଅବଚେତନ ମନର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ଓ ସମାଜର ଚରିତ୍ରାନୁରୂପ ଭାଷାପ୍ରୟୋଗରେ ତାଙ୍କର ପ୍ରଗଲ୍ଭ ରଚନାପାଟବ ଅଭିବୃଦ୍ଧ। ଏକ ଅହଂପ୍ରବଣ ଜୀବନର ପ୍ରତିଚ୍ଛାୟା ତଳେ ସ୍ଵକୀୟ ଅନାବିଳତା ବଳେ ତାଙ୍କ ଗଳ୍ପ ସାମ୍ରାଜ୍ୟ ବିସ୍ତୃତ – ଗଦ୍ୟଶିଳ୍ପୀ କିଶୋରୀ ଚରଣ ଦାସ !

ସମ୍ଭ୍ରାନ୍ତ ଜୀବନର ପରିଧି ଭିତରୁ ଉଧେଇ ଆସି ଦରଦୀପ୍ରାଣର ସୁଖ-ଦୁଃଖ ସହ ନିତିଦିନିଆ ଘଟଣାଘଟଣକୁ ଅତ୍ୟନ୍ତ ଅନ୍ତରଙ୍ଗ କରିପାରିଥିଲେ। ତାଙ୍କ ପୂର୍ବସୂରୀମାନେ ଜନ୍ମଗ୍ରହଣ କରିଥିଲେ କଟକର ମାହାଙ୍ଗାଠାରେ – ଯେଉଁଠି ଜନ୍ମ ହୋଇଥିଲେ ଜଗନ୍ମୋହନ ଲାଲା, ଗଣକବି ବୈଷ୍ଣବ ପାଣି, ପ୍ୟାରୀମୋହନ ଆଚାର୍ଯ୍ୟ, ପଲ୍ଲୀକବି ନନ୍ଦକିଶୋର ବଳ, ବାଗ୍ମୀ ବିଶ୍ଵନାଥ କର, ଚିତ୍ରଶିଳ୍ପୀ ବିମ୍ବାଧରଙ୍କ ଭଳି ବ୍ଯକ୍ତିତ୍ବ । ୧୯୨୪ ମସିହା ମାର୍ଚ୍ଚ ୧ ତାରିଖରେ ପିତା ବିପ୍ରଚରଣ ଦାସ ତଥା ମାତା ସୀତାମଣି ଦେବୀଙ୍କ ଗର୍ଭରୁ କଟକର ଖଟବିନ୍ ସାହିରେ ଜନ୍ମଗ୍ରହଣ କରନ୍ତି।
               
କିଶୋରୀ ଚରଣଙ୍କ ଜନ୍ମକାଳୀନ ସମୟ ଥିଲା ଅତ୍ୟନ୍ତ ରୋଚକ। ସେ ଥିଲେ ପାଞ୍ଚ ସନ୍ତାନଙ୍କ ମଧ୍ୟରେ ଜ୍ୟେଷ୍ଠ ସନ୍ତାନ। ହେଲେ, ମାତୃଗର୍ଭରେ ସାତମାସ ରହୁ ନ ରହୁଣୁ ତାଙ୍କର ଜନ୍ମ ହୋଇଯାଇଥିଲା। ସମସ୍ତଙ୍କ ମନରେ ପିଲାଟିର ଜୀବନ ବଞ୍ଚିବ କି ନାହିଁ ଭାବି ଚିନ୍ତାଗ୍ରସ୍ତ ହେଲେ। କିନ୍ତୁ, ସେତେବେଳେ କଟକରେ ଜଣେ ଡାକ୍ତରାଣୀ ଥିଲେ, ଯିଏ ସମସ୍ତଙ୍କୁ ଆଶ୍ଵାସନା ଦେଇ ଜଣେଇଲେ ଯେ ପିଲାଟି ଅପରିପକ୍ଵ ସ୍ଥିତାବସ୍ଥାରେ ଜନ୍ମ ହୋଇଥିଲେ ମଧ୍ୟ ତାହାର ସ୍ଵାସ୍ଥ୍ୟ ସ୍ଵାଭାବିକ ଅଛି। ବେଶ୍ ପରୀକ୍ଷଣ-ନିରୀକ୍ଷଣ ଅନ୍ତେ ଯେଉଁ ଡାକ୍ତରାଣୀ ଏହି ସୁଖଦ ସମ୍ବାଦ ଜଣାଇଥିଲେ, ସେ ଆଉ କେହି ନଥିଲେ ବରଂ ଥିଲେ ଓଡ଼ିଆ ସାହିତ୍ଯର ‘ଉତ୍କଳ-ଭାରତୀ’ କୁନ୍ତଳା କୁମାରୀ ସାବତ !
         
ଅସ୍ଵାଭାବିକ ସ୍ଥିତିରେ ଜନ୍ମ ହେତୁ କିଶୋରୀ ଚରଣ ଛୋଟବେଳେ ବେଶ୍ ପୃଥୁଳ ଥିଲେ। ‘ଉତ୍କଳ-ଭାରତୀ’ କୁନ୍ତଳା କୁମାରୀଙ୍କ ଆଶୀର୍ବାଦ ଘେନି ସେ ଧୀରେ ଧୀରେ ବଡ଼ ହୋଇ ପରମ୍ପରାନୁକ୍ରମେ ଚାରି ବର୍ଷ ଚାରି ମାସର ହୋଇଥିଲା ବେଳେ ତ୍ରିଦେବଙ୍କ ତିନିଗୋଟି ଶୂନ୍ୟ ମଡାଇ ବିଦ୍ୟାରମ୍ଭର ଉପକ୍ରମ କରିଥିଲେ। ଘରେ ରହି ପିତା-ମାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ଅନେକ ବର୍ଷ ଯାଏଁ ଆନୁଷ୍ଠାନିକ ପାଠ୍ୟଦାନ-ସୁଲଭ ପଦ୍ଧତିରେ ଘରୋଇ ଅବସ୍ଥାରେ ପାଠ ପଢିଥିଲେ। ଘରୋଇ ଶିକ୍ଷା ଅନ୍ତେ ସେ ଭଦ୍ରକ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଥିଲେ।

ସେତେବେଳେ କିଶୋରୀ ଚରଣ ମାତ୍ର ୯ ବର୍ଷ। ଆଉ ଭଦ୍ରକ ହାଇସ୍କୁଲରେ ତାଙ୍କ ଅଧ୍ୟୟନ ସମୟରେ ତାଙ୍କର ଜଣେ ମାତ୍ର ଘନିଷ୍ଠ ବନ୍ଧୁ ଥିଲେ – କନିଆ ଓରଫ ମହେନ୍ଦ୍ର କୁମାର ରାଉତ, ଦୁହେଁ ଏତେ ଅନ୍ତରଙ୍ଗ ବନ୍ଧୁ ଥିଲେ ଯେ, ଏହି ଅନ୍ତରଙ୍ଗ ସମୟ ତାଙ୍କୁ କାବ୍ୟରଚନା କରି ସ୍ମୃତିମୁଖର ଜୀବନକୁ ଆହୁରି ଉନ୍ମୁଖ କରିବାର ଭାବନା ଦିଏ। ଆଉ ବାପାଙ୍କ ବଦଳି ପରେ ପ୍ରଥମେ ବାଲେଶ୍ବର ଓ ତତ୍ପରେ କେନ୍ଦ୍ରାପଡାରେ ଅଧ୍ୟୟନ ପାଇଁ ଆସିଥିଲେ।
                     
ସେଠାରେ ଯେଉଁ ‘ନବ-କିଶୋର-ଶକ୍ତି’ ତ୍ରୟୀ ଗଢି ଉଠିଥିଲା (ଘନିଷ୍ଠ ବନ୍ଧୁ: ଶକ୍ତିଶେଖର ଦାସ ଓ ନବକିଶୋର ମହାନ୍ତି ), ବୌଦ୍ଧିକ ଆଲୋଚନାର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା। ଆଉ, ସେତେବେଳେ ମହାତ୍ମାଗାନ୍ଧୀଙ୍କ ସ୍ଵାଧୀନତା ସଂଗ୍ରାମ ବିଶେଷ ପ୍ରଭାବ ଦିଏ, କାରଣ, ସେତେବେଳେ ତରୁଣ କିଶୋରୀ ଚରଣଙ୍କ ମନରେ ସ୍ଵାଧୀନତା ପୂର୍ବବର୍ତ୍ତୀ ଘଟଣାକ୍ରମ ସହ ସ୍ଵାଧୀନଚେତା ପିତାଙ୍କ ଭାବାବେଗ ଖୁବ୍ ଅନୁପ୍ରାଣିତ କରିଛି। ଏଥି ବେଳକୁ ୧୯୩୭ ମସିହାରେ ସମ୍ଭ୍ରାନ୍ତ ଲକ୍ଷ୍ମୀଧର ମହାନ୍ତି ଓ ଗରିବ ଯଦୁମଣି ମଙ୍ଗରାଜଙ୍କ ମଧ୍ୟରେ ହୋଇଥିବା ନିର୍ବାଚନ ଲଢେଇ ତାଙ୍କୁ ସ୍ଵତଃ ଗୋଟିଏ ନେତୃତ୍ଵର ଅନୁଭୂତି ଦେଇଥିଲା।ଆଉ ଏଥି ସହ ୧୯୩୮ ମସିହାରେ ସେ ମାଟ୍ରିକ୍ଯୁଲେସନ ସମାପ୍ତ କରି ପିତାଙ୍କ ପରି ଫାଷ୍ଟ ଡିଭିଜନ୍ ପାଇଲେ। ପୁଣି ସେ ରହିଲେ କଟକରେ ବଡ଼ବାପା ହରେକୃଷ୍ଣ ଦାସଙ୍କ ଘରେ, ରେଭେନ୍ସାର ପ୍ରତିଷ୍ଠିତ ଗଣିତ ଅଧ୍ୟାପକ। ଆଉ ଏହି ରେଭେନ୍ସା କଲେଜ ଥିଲା ତାଙ୍କର ପ୍ରଥମ କଲେଜ। ପ୍ରଥମ ଥର ପାଇଁ କିଶୋରୀ ଚରଣ ନିଜ ପରିବାରଠାରୁ ଦୂର ହେବାକୁ ଯାଉଥିବାର ଦେଖି ପିତା-ମାତା କୋହ ସମ୍ଵରଣ କରିପାରିନଥିଲେ। ଆଉ, ଏଥି ସହ ସେ ରେଭେନ୍ସା କଲେଜରେ କଳାର ଛାତ୍ର ଭାବେ ନାମ ଲେଖାଇଲେ।
ସେହି ସମୟରେ ସଚ୍ଚି ରାଉତରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀକାହ୍ନୁଚରଣ ମହାନ୍ତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ କୃତୀତ୍ଵ ଦ୍ଵାରା ଢେର ଅନୁପ୍ରାଣିତ ହୋଇଥିଲେ। ଏତିକି ବେଳକୁ ସେ ଓଡିଶାରୁ ଆଇ.ଏ.ରେ ସର୍ବାଧିକ ସଂଖ୍ୟା ରଖିଥିବା ଛାତ୍ର ହିସାବରେ ‘ମେୟୋ ସ୍କଲାରସିପ୍’ ପାଇବା ସହ ପାଟଣା ବିଶ୍ଵବିଦ୍ୟାଳୟରେ ବି.ଏ. (ଅନର୍ସ)ରେ ପ୍ରଥମ ଶ୍ରେଣୀରେ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥି ସହ ଉଭୟ ସଂସ୍କୃତ ଓ ଇଂରାଜୀରେ ଡିଷ୍ଟିଙ୍ଗସନ୍ ଲାଭ କରି ସାରିବା ପରେ ଉଭୟ ବି.ଏ., ବି.ଏସ୍.ସି. ଓ ବି.କମ୍. ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ।

କିଶୋରୀ ଚରଣ ସେତେବେଳେ ଆମାଶୟ ରୋଗରେ ପୀଡିତ ହୋଇଥିଲେ ସୁଦ୍ଧା ତାଙ୍କର ଏପରି କୃତୀତ୍ଵ ବାସ୍ତବରେ ଆଶୀର୍ବାଦ। ୧୯୪୨ ମସିହାରେ ରେଭେନ୍ସା କଲେଜର ସର୍ବୋତ୍କୃଷ୍ଟ ଛାତ୍ରର ସ୍ଵୀକୃତି ଲାଭ ସହ ପାଟଣା ବିଶ୍ଵବିଦ୍ୟାଳୟରେ  ଏମ୍.ଏ. ପଢିବା ପାଇଁ। ଇତିହାସରେ ୮୦% ନମ୍ଵର ରଖି ସେ ପ୍ରଥମ ଶ୍ରେଣୀ ଲାଭ କରିଥିଲେ। ଏହା ତାଙ୍କ ଜୀବନରେ ଗୋଟିଏ ମହତ୍ତ୍ଵପୂର୍ଣ୍ଣ ଘଟଣା ଥିଲା, କାରଣ ତାଙ୍କ ବାପା ଏକଦା ମେଧାବୀ ଛାତ୍ର ଥାଇ ସୁଦ୍ଧା ସାତମାର୍କର ବ୍ଯବଧାନରେ ବଞ୍ଚିତ ହୋଇଥିଲେ ପ୍ରଥମ ଶ୍ରେଣୀ ଲାଭ ପାଇଁ , ଆଉ ସେଥିପାଇଁ ପୁତ୍ରର ନିଷ୍ଠାପର ଫଳାଫଳ କାହାକୁ ଖୁସି ନ କରିବ ?

ପରିଶେଷରେ କିଶୋରୀ ଚରଣ କଟକ ଫେରି ୧୯୪୪ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ବି.ଏଲ୍. ଦିଗରେ ଅଧ୍ୟୟନ କରୁଥିବା ବେଳେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୁଅନ୍ତି। ଏହା ପରେ ଓଡିଶା ପ୍ରାଶାସନିକ ସେବାରେ କୃତୀତ୍ଵ ଲାଭ କରି ଡେପୁଟି ମାଜିଷ୍ଟ୍ରେଟ ଭାବେ ୧୯୪୭ ମସିହା ଏପ୍ରିଲ ଦୁଇ ତାରିଖରେ ଯୋଗ ଦେଇଥିଲେ। ସେତେବେଳେ ଜଣେ ନିଷ୍ଠାବାନ ଓ ଦାୟିତ୍ଵସମ୍ପନ୍ନ ସରକାରୀ ଅଧିକାରୀ ରୂପେ କାର୍ଯ୍ୟବହନ କରିଛନ୍ତି। ୧୯୪୨ ମସିହାରେ ‘ନବୀନ’ ପତ୍ରିକାରେ ତାଙ୍କ ପ୍ରଥମ ଗଳ୍ପ ‘ପରଦା ତଳେ’ ପ୍ରକାଶ ପାଇଥିଲା। ବାସ୍ତବ ଜୀବନର ଅତ୍ୟନ୍ତ ସାଧାରଣ, ଅଥଚ ନିତିଦିନିଆ ଦୁଃଖ-ଦୈନ୍ୟକୁ ହୃଦୟଗ୍ରାହୀ ଶୈଳୀରେ ବର୍ଣ୍ଣନା କରନ୍ତି।
                    
ଆଉ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ଦିନ କିଶୋରୀ ଚରଣଙ୍କୁ ଏକ ଗ୍ରାମରେ “ଗାଁ ପରିମଳ” ବିଷୟରେ ପ୍ରଚାର ପାଇଁ ଦାୟିତ୍ୱ  ଦିଆଯାଏ। ନିଜ ଆତ୍ମଜୀବନୀ ‘ସମୟ ନାହିଁ’ରେ ସବିଶେଷ ଉଲ୍ଲେଖ କରି କହିଛନ୍ତି ଯେ ଗାଁବାସୀମାନେ ତାଙ୍କୁ ଭଗବାନଙ୍କ ତୁଲ୍ଯ ସମ୍ମାନିତ କରି ଡାକ୍ତରଖାନା, ପାନୀୟଜଳ ବ୍ୟବସ୍ଥା, ବିଦ୍ୟାଳୟରେ ଶିକ୍ଷକ ନଥିବା ଭଳି ସମସ୍ୟା ଶୁଣି ସେ ସମସ୍ତ ପ୍ରତ୍ୟକ୍ଷ ବୁଝିବେ ବୋଲି ପ୍ରତିଶ୍ରୁତି ଦେବେ। ସେତେବେଳେ ଉପରିସ୍ଥ ହାକିମ ତାଙ୍କୁ ବାରଣ କରିବାରୁ ସେ ଆଉ ସେ ଗ୍ରାମକୁ ଯାଇପାରିନଥିଲେ। ସ୍ଵାଧୀନ ଭାରତରେ ପ୍ରଥମ କରି ଏପରି ପରାଧୀନତା ତାଙ୍କୁ ଖୁବ୍ ବ୍ୟଥିତ କରିଥିଲା।

ତରୁଣ ସମୟରୁ କାବ୍ୟ ଲେଖୁଥିଲେ କିଶୋରୀ ଚରଣ। ବଢିଭୋରରୁ ଆଲୁଅ ନ ଦେଇ ସେ ଯାହା ପଢନ୍ତି, ସବୁ ମୁଖସ୍ଥ ହେଇଯାଉଥାଏ। ଆଉ ସେହି ସମୟରେ ଅତ୍ୟନ୍ତ ସୁନ୍ଦର ଭାବରେ ନିଜର କବିତା ସବୁ ଲେଖି ଯାଉଥିଲେ। ୧୯୩୬ ମସିହାରେ କେନ୍ଦ୍ରାପଡାରେ ପଢୁଥିଲା ବେଳେ ପିତା ବିପ୍ରଚରଣଙ୍କ ‘ତାରାବାଈ’ ନାଟକରେ ସେ ମୁଖ୍ୟ ଭୂମିକା ରୂପେ ଅବତୀର୍ଣ୍ଣ ହୋଇଥିଲେ। ପ୍ରଥମ କରି ୧୯୪୨ ମସିହାରେ ବ୍ରହ୍ମପୁରର ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ରେ ତାଙ୍କର ପ୍ରଥମ କବିତା ‘ମଉନ ସନ୍ଧ୍ୟାତାରା’ ପ୍ରକାଶ ଲାଭ କରେ, ଯାହାର କେତୋଟି ଧାଡି :-

“ମଉନ ସନ୍ଧ୍ୟାତାରା
ଦିନ ପରେ ଦିନ ଦିଗବଧୂର କୋଳେ
ଉଇଁଆସ ତୁମେ ପରା
ବୁଝ କି ମୋହରି ପରାଣ ବେଦନା
ଶୁଣ କି ହୃଦର ଆକୁଳିତ ବୀଣା ?
ହେ ଯାମିନୀ ବୁକୁ-ଥରା
ମଉନ ସନ୍ଧ୍ୟାତାରା “
         
୧୯୪୮ ମସିହାରେ କିଶୋରୀ ଚରଣ ଭାରତୀୟ ପ୍ରଶାସନିକ ସେବା ପାଇଁ ଲାଗିପଡିଥିଲେ। ସେତେବେଳେ ସେ ପିତାଙ୍କ ନିକଟରେ ଥାଆନ୍ତି ଆଉ ବ୍ରହ୍ମପୁରରେ ଜଜ୍ ଥାଆନ୍ତି। ପ୍ରତ୍ୟେକ ଥର ଯିବେ ଦୁଇଟି ଗ୍ରାମ ପରିଦର୍ଶନ କରି ଅମିନ କରିଥିବା କାର୍ଯ୍ୟର ଯାଞ୍ଚ ନିମନ୍ତେ। ନିଜେ ମାପଚୁପ ନେବେ ଓ ପ୍ରତ୍ୟକ୍ଷ ଭାବରେ ଏକାଧିକ ମକଦ୍ଦମାର ତ୍ଵରାନ୍ଵିତ ନ୍ୟାୟ କରିପାରିଥିଲେ। ୧୯୫୦ ମସିହା ମାର୍ଚ୍ଚ ମାସରେ ଆଇ.ଏ.ଏସ୍ ରେ କୃତୀତ୍ଵ ଅର୍ଜନ କରି ଇଣ୍ଡିଆନ୍ ଅଡିଟ୍ ଏଣ୍ଡ୍ ଆକାଉଣ୍ଟସ୍ ସର୍ଭିସ୍ ଯୋଗ ଦେଲେ।
                      
ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ଥିଲା, ସେତେବେଳେ କିଶୋରୀ ଚରଣ କେବଳ ୪୦ ଦିନ ଛୁଟି ନେଇ ଆଇ.ଏ.ଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ତାଙ୍କ ଶ୍ଵଶୁର ମଧ୍ୟ ଥିଲେ ଜଣେ ଉଦାର ରାଜନୀତିଜ୍ଞ। ତେଣୁ, ସେତେବେଳେ କିଶୋରୀଚରଣ ଏସ୍.ରଙ୍ଗନାଥନ୍, ଲାଲ୍ ବାହାଦୁର ଶାସ୍ତ୍ରୀ, ସୁରେନ୍ଦ୍ରନାଥ ଦ୍ଵିବେଦୀ, ସାରଙ୍ଗଧର ଦାସଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ଵଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଏହା ପରେ ଯୁଗ୍ମ ସଚିବଙ୍କ ପରାମର୍ଶରେ ସେ ପ୍ରଥମ ଥର ପାଇଁ ୧୯୫୮ ମସିହାରେ ଭିଏତନାମ ଗସ୍ତ କରି ସେଠାରେ ଅନେକ ଯୋଜନା ସମ୍ପର୍କରେ ନିଜ ଦାୟିତ୍ୱ ବହନ କରି ନିର୍ଦ୍ଧାରିତ ସମୟ ଆଗରୁ ଫେରି ଆସିଲେ। ଆଉ ସେତେବେଳେ ସେ ଜଣେ ପ୍ରତିଷ୍ଠିତ ପ୍ରଶାସକ ରୂପେ ବିଦିତ।

ସାରସ୍ଵତ ଜଗତରେ କିଶୋରୀ ଚରଣ ଥିଲେ ଜଣେ ଅମ୍ଳାନ ପ୍ରତିଭା। ସୀତାକାନ୍ତ ମହାପାତ୍ରଙ୍କ ମତରେ ପ୍ରତ୍ୟେକ ସାହିତ୍ୟିକ ତାଙ୍କ ଆଦିମ ପର୍ଯ୍ୟାୟରେ କବିତାର ମୋହଟି ଏକରକମ ଘେରି ରଖିଥାଏ। କିଶୋରୀ ଚରଣଙ୍କୁ ବର୍ଷା ଉପରେ କବିତାଟିଏ ଲେଖିବା ପାଇଁ କୁହାଯାଇଥିଲା, ହେଲେ ସେତେବେଳେ ତାଙ୍କ ଲେଖା ଦିନୁଦିନ ସରୁନଥାଏ। ପିତା ଜାଣିବାକୁ ପାଇଲେ ଯେ ସେ କବିତା ଲେଖୁଥିଲେ। ଆଉ ପିତାଙ୍କ ଘନିଷ୍ଠ ମୈତ୍ର ତଥା ସାହିତ୍ୟିକ ଅନନ୍ତ ପ୍ରସାଦ ପଣ୍ଡା ମଧ୍ୟ କିଶୋରୀ ଚରଣଙ୍କୁ ପ୍ରେରଣା ଦେଇଥିଲେ।
                    
ଏଥି ସହ କେନ୍ଦ୍ରାପଡାରେ ନିଜ ବନ୍ଧୁମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାକୁ ନିଜର ଏକ ଗଳ୍ପ ‘ତୁ କଅଣ ରାମକୃଷ୍ଣ’ରେ ସ୍ଥାନ ଦେଇଛନ୍ତି କିଶୋରୀ ଚରଣ। ପରବର୍ତ୍ତୀ ସମୟରେ ସେ ଅନେକ ଗଳ୍ପ ସଙ୍କଳନ ନିଜ ଶୁଭାକାଂକ୍ଷୀଙ୍କୁ ଉତ୍ସର୍ଗ କରିଛନ୍ତି। ପାଟଣା ବିଶ୍ଵବିଦ୍ୟାଳୟରେ ପଢୁଥିଲା ବେଳେ ସେ ଓଡ଼ିଆ ଛାତ୍ରମାନଙ୍କୁ ନେଇ ‘ଉତ୍କଳିକା’ ନାମକ ଏକ ହାତଲେଖା ପତ୍ରିକାର ପ୍ରକାଶନ କରିଥିଲେ। ଆଉ, ସେଥିରେ ତାଙ୍କର ଆଉ ଏକ ଗଳ୍ପ ‘ରୀତିଫୁଲ’ ପ୍ରକାଶ ପାଇଥିଲା।

ଏମ୍.ଏ. ଅଧ୍ୟୟନ ସମୟରେ ତାଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁ ଥିଲେ ବିଶିଷ୍ଟ ଶିକ୍ଷାବିତ ବିଧୁଭୂଷଣ ଦାସ, ପ୍ରଫୁଲ୍ଲ କୁମାର ପତି ତଥା କବି ଗୁରୁପ୍ରସାଦ ମହାନ୍ତି। ଗୁରୁପ୍ରସାଦ ଥରେ କିଶୋରୀ ଚରଣଙ୍କ ଜନ୍ମଦିବସରେ ତାଙ୍କୁ କବିତା ଭେଟି ଦେଇ ଲେଖିଥିଲେ “ବନ୍ଧୁ ମୋର ଜଣେ ବଡ଼ କବି”। ସେହି କବି ଗୁରୁପ୍ରସାଦ କହନ୍ତି – “କଟକ ସହରର ତତ୍କାଳୀନ ଜଣେ ଖ୍ୟାତନାମା ବ୍ୟକ୍ତି। ବହୁ ଲୋକଙ୍କୁ ସେ ସାହାଯ୍ୟ କରିଛନ୍ତି। ଗାଆଁରୁ ଡାକିଆଣି ଅନେକ ଲୋକଙ୍କୁ ଚାକିରି ଦେଇଛନ୍ତି। ରୋଗ-ବୈରାଗରେ ଚିକିତ୍ସାର ସୁବିଧା କରାଇ ଡାକ୍ତରଖାନା ପାଖରେ ଠିଆ ହୋଇଛନ୍ତି। ଔଷଧ, ପଥି ଆଦିର ବ୍ୟବସ୍ଥା କରିଛନ୍ତି। ***   ***  ତାଙ୍କ ପିଲାମାନେ ଦିଲ୍ଲୀ, ବମ୍ବେ, ମାନ୍ଦ୍ରାଜ ଆଦି ଦୂରଦୂରାନ୍ତ ମହାନଗରୀ ମାନଙ୍କରେ ଅବସ୍ଥାନ କରୁଥିଲେ ମଧ୍ୟ ସେ ଅବସର ନେବା ପରେ ତାଙ୍କର ଭିଟାମାଟି ପ୍ରତି ଆକର୍ଷଣ ଯୋଗୁଁ ସେ କଟକରେ ଖସି ରହିଲେ।”

ଯେତେବେଳେ ଭାରତୀୟ ପ୍ରାଶାସନିକ ସେବା ପାଇ କିଶୋରୀ ଚରଣ ଇଣ୍ଡିଆନ୍ ଅଡିଟ୍ ଏଣ୍ଡ୍ ଆକାଉଣ୍ଟ ସର୍ଭିସରେ ଯୋଗଦେଲେ, ସେତେବେଳେ ଅନେକ ବନ୍ଧୁ ତାଙ୍କ ଲେଖକୀୟତା ବୃତ୍ତିଗତ ଜୀବନ ସହ ଆଉ ଖାପ ଖାଉନି ବୋଲି କହିଲେ। ଏହି ସବୁ ଦ୍ବନ୍ଦ୍ବର ସମାଧାନ କରି କିଶୋରୀ ଚରଣ ‘ହିସାବ-ନିକାଶ’ ନାମକ ଏକ ପ୍ରବନ୍ଧ ଲେଖିଥିଲେ। ଆଉ ଏହା ପରେ ତାଙ୍କ ପାରିବାରିକ ଓ କର୍ମମୟ ଜୀବନ ମଧ୍ୟରେ ସେ ଅବହିତ କରିଥିବା ସମସ୍ତ ଅନୁଭୂତି ଓ ଜୀବନକୁ ଆଧାର କରି ତାଙ୍କ ଗଳ୍ପପାଟବକୁ ପ୍ରଶସ୍ତ କରନ୍ତି।

ତାଙ୍କର ସେହିପରି ଏକ ଗଳ୍ପ ଥିଲା ‘ଭଙ୍ଗା ଖେଳଣା’। ଆଉ ଏହା ଥିଲା ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ। ହେଲେ ୧୯୬୧ ମସିହାରେ ସେ ଆମେରିକା ଯାଇଛନ୍ତି ଏକ ଗୁରୁଦାୟିତ୍ୱ ନିର୍ବାହ ପାଇଁ । ସେତେବେଳେ ତାଙ୍କର ଗଳ୍ପ ‘ଶଙ୍ଖ’, ‘ସହକାର’, ‘ଚତୁରଙ୍ଗ’‘ଝଙ୍କାର’ ଭଳି ପତ୍ରିକାରେ ପ୍ରକାଶ ପାଇ ତାଙ୍କୁ ବାସ୍ତବ ପାଠକୀୟ ସ୍ଵୀକୃତି ଦେଇଥିଲା। ତାଙ୍କର ପ୍ରଥମ ସଙ୍କଳନ ‘ଭଙ୍ଗା ଖେଳଣା’ରେ ସେ କାହ୍ନୁଚରଣ ଓ ଗୋପୀନାଥ ମହାନ୍ତିଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି, କାରଣ, ତାଙ୍କ ପ୍ରଥମ ସଙ୍କଳନର ପ୍ରଧାନ ପୃଷ୍ଠପୋଷକ ଥିଲେ କାହ୍ନୁଚରଣ ମହାନ୍ତି।

ମଧ୍ୟବିତ୍ତ ଓ ଉଚ୍ଚଶିକ୍ଷିତଙ୍କ ଅବଚେତନ ମନର ଭାବଧାରାକୁ ଆଧାର କରି ‘ଭଙ୍ଗା ଖେଳଣା’, ‘ମଣିହରା’ ଭଳି ଗଳ୍ପ ମାନ ରଚନା କରିଯାଇଛନ୍ତି କିଶୋରୀ ଚରଣ। ବିଦେଶୀୟ ତଥାକଥିତ ଅନୁକରଣ-ସର୍ବସ୍ବ ସଭ୍ୟତାରୁ ଯେଉଁ ଫେରନ୍ତା ମଣିଷର ଚିତ୍ରଣ କରନ୍ତି, ତାହାର ଉପପାଦ୍ଯ ହେଉଛି ତାଙ୍କର ‘ଘରବାହୁଡା’ ଗଳ୍ପ। କୌଣସି ରୀତିମତ ଆଦର୍ଶ ତାଙ୍କ ଗଳ୍ପରେ ସୀମିତ ନାହିଁ। ମଣିଷ ମନର ଚିରନ୍ତନ ସତ୍ଯକୁ ନେଇ ଯେଉଁ ବାସ୍ତବବାଦୀ ଦୃଷ୍ଟିକୋଣ ତାଙ୍କ ଗଳ୍ପମାନଙ୍କରେ ଫୁଟିଉଠିଛି।

କିଶୋରୀ ଚରଣ ସ୍ଵୟଂ କହିଛନ୍ତି, “ମୁଁ ଖାଲି ଏତିକି କହିବି ଯେ ଏଥିରେ କୌଣସି ନିର୍ଦ୍ଦିଷ୍ଟ ମତବାଦ ନାହିଁ, ନୂଆ ତଥ୍ଯ ବାଢିବାର ପ୍ରଗଲ୍ଭତା ତ ଦୂରର କଥା। ଅଧେ ଅନୁଭୂତି ଅଧେ କଳ୍ପନା ଦେଇ ଛବି ଆଙ୍କିଛି, ଛବିର ମୂଳ କଥା ହେଲା ମଣିଷ ମନର ବୈଚିତ୍ର୍ୟ। ଭଲ ଖରାପ, ନୀତି ଅନୀତିର ମାପକାଠି ନାହିଁ ମୋ ପାଖରେ, ଯେତେ ମାପକାଠି ଦେଖିଛି ସବୁ ମୋତେ ଲାଗିଛି ବଙ୍କା, ଅସମାନ, ଅସୁନ୍ଦର।” (ଗଳ୍ପ ସଙ୍କଳନ-“ଭଙ୍ଗା ଖେଳଣା”) ଓଡ଼ିଆ ସାହିତ୍ୟରେ ଏପରି ଏକ ସାର୍ଥକତା ତାଙ୍କୁ ଆଜି ମଧ୍ୟ ଅମଳିନ କରିରଖେ।କିଶୋରୀ ଚରଣଙ୍କ ଆମେରିକାର ଅନୁଭୂତିକୁ ଉପଜୀବ୍ୟ କରି ‘ଆମରି ଭିତରୁ ଜଣେ’ ଗଳ୍ପ ଲେଖିଛନ୍ତି। ତହିଁରେ ଜଣେ ମହିଳା କିପରି ନିଜ ସ୍ଵାମୀଙ୍କ ସହ ଆମେରିକା ଯାଇଥିଲା ବେଳେ ତାଙ୍କ ନିଧନ ହୁଏ ଓ ସେହି ମହିଳା ଜଣକ କିପରି ନିଜ ପିଲାଙ୍କୁ ଆମେରିକାରେ ପରିପାଳନ ପାଇଁ ମନସ୍ଥ କରିଛନ୍ତି ଏବଂ ସେଥିରେ ଥିବା ଆବେଗମୟ ମନନ ତାଙ୍କ ଗଳ୍ପକ୍ରମକୁ ଭାରତୀୟ ସାହିତ୍ଯର ଏକ ଅବିଭେଦ୍ୟ ସ୍ରୋତରେ ସାମିଲ୍ କରେଇଛି। ଦୃଷ୍ଟାନ୍ତସ୍ଵରୂପ, ଏହି ଗଳ୍ପଟି ଇଂରାଜୀରେ ଅନୂଦିତ ହେବା ସହ ବିଶିଷ୍ଟ ଲେଖକ ଖୁସୱନ୍ତ ସିଂଙ୍କର ‘Our Favourite Indian Stories’ ରେ ସ୍ଥାନ ପାଇଛି।

କିଶୋରୀ ଚରଣଙ୍କ ‘ଭଗବାନଙ୍କ ଛବି’ ଗଳ୍ପ ସବୁଠାରୁ ମର୍ମନ୍ତୁଦ ଘଟଣାର ଚିତ୍ରଣ କରେ। ତାଙ୍କ ଆମେରିକା ରହଣି ସମୟରେ ଏକ ନିଗ୍ରୋ ଚର୍ଚ୍ଚରେ ବୋମା ପଡିବାରୁ ସେଥିରେ ବାର-ତେର ବର୍ଷର ଚାରିଗୋଟି ଝିଅ ନିହତ ହୋଇଥିଲେ। ମାନବୀୟ ଚିନ୍ତନରେ ଭଗବାନ ତାଙ୍କ ପାଇଁ କଷ୍ଟ ପାଉଥିଲେ ମଧ୍ୟ କେତୋଟି ବ୍ଯକ୍ତି ନିଜର ଶଠତା ପାଇଁ ନିଜେ ଉଦ୍ଧାର ପାଇନାହାନ୍ତି। ତାଙ୍କ ଗଳ୍ପ ଶେଷ ବେଳକୁ ଯେଉଁ ଆଲୋଡ଼ନକାରୀ ପ୍ରଶ୍ନ ସବୁ ପାଠକଙ୍କ ମନରେ ଉଦ୍ରେକ ହୁଏ ତାହା ପାଠକଙ୍କୁ ତାଙ୍କ ଗଳ୍ପ ପ୍ରତି ଆହୁରି କରିଛି ଆକର୍ଷିତ।
                                 
ଆମେରିକାରୁ ଫେରି ଯେତେବେଳେ କିଶୋରୀ ଚରଣ ୧୯୬୪ ମସିହାରେ କଲିକତା ଓ ପୁଣି ୧୯୭୦ରେ ବରୋଦାକୁ ଯାଆନ୍ତି, ଏହି ପାଞ୍ଚ-ଛ’ ବର୍ଷ ମଧ୍ୟରେ ‘ଗୋଟିଏ ଲାଲ୍ ସନ୍ଧ୍ୟା’, ‘ଘେରାଉ’, ‘ଶହେ ପୁଅ’, ‘କ୍ରାନ୍ତି ପାଇଁ କ୍ରିକେଟ୍’ ଇତ୍ୟାଦି ଗଳ୍ପ ଲେଖନ୍ତି। କଲିକତା ଅବସ୍ଥାନ କାଳରେ ତାଙ୍କର ‘ରାତି କୁକୁର’ ଗଳ୍ପଟି ଇଂରାଜୀ, ଫରାସୀ, ହିନ୍ଦୀ ଓ ଗୁଜୁରାଟୀ ଭାଷାରେ ଅନୂଦିତ ହୋଇ ପ୍ଯାରିସ୍ ର ଏକ ପତ୍ରିକାରେ ପ୍ରକାଶ ପାଇଵା ସହ ୧୯୮୪ ମସିହାରେ ଏହାର ନାଟ୍ୟାୟନ ପରେ ମଞ୍ଚସ୍ଥ କରାଯାଏ। ବିଶ୍ଵ ଦରବାରରେ ଓଡ଼ିଆ ସାହିତ୍ଯ ପାଏ ପରିଚିତି!

୧୯୭୫ ମସିହାରୁ ସରକାରୀ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଆଫ୍ରିକାରୁ ସ୍ଵିଜିଲାଣ୍ଡକୁ ଯାତ୍ରା କରନ୍ତି କିଶୋରୀ ଚରଣ। ଆଉ ଏହି ସମୟରେ ତାଙ୍କର ପ୍ରକାଶିତ ଅନବଦ୍ୟ ସଙ୍କଳନ ସବୁ ଥିଲା ‘ଲକ୍ଷ ବିହଙ୍ଗ’ (୧୯୬୮), ‘ଘର ବାହୁଡା’, ‘ଠାକୁର ଘର‘ (୧୯୭୫), ‘ନାଲି ଗୁଲୁଗୁଲୁ ସାଧବ ବୋହୂ’ (୧୯୭୮), ‘ଗମନ’ (୧୯୮୦), ‘ଖେଳର ନାମ ରଙ୍ଗ’, ‘ଶୀତଲହରୀ’ (୧୯୮୬), ‘ତ୍ରୟୋବିଂଶ ମୃତ୍ଯୁ’ (୧୯୮୭), ‘ଧବଳ ଆକାଶ’ (୧୯୯୪), ‘ନେତା ଓ ନେତ୍ରମଣି’, ‘ସ୍ବର୍ଗସୀମା’ ଭଳି ଗଳ୍ପ। ଏଥି ସହ ‘ମୋ ସମୟ ମୋ ସାହିତ୍ୟ’, ‘ଲେଖକର ସଂସାର’, ‘ସାହିତ୍ଯ ପ୍ରେମର ଶେଷ କଥା’ ପ୍ରକାଶିତ।  ଏଥି ସହ ଆଡିଲେଡ୍ ଓ ଅଷ୍ଟ୍ରେଲିଆରେ ସମ୍ମେଳନ ଓ ଓଡ଼ିଆ ଲେଖକ ପ୍ରତିନିଧି ଦଳର ମୁଖ୍ୟଭାବରେ ଯୋଗଦାନ କରନ୍ତି।

୧୯୭୨ ମସିହାରେ ‘ଜୀବନରଙ୍ଗ’ ସାହିତ୍ୟ ସଂସ୍ଥା ପକ୍ଷରୁ ଉପାୟନ ପ୍ରଦାନ, ୧୯୭୪ ମସିହାରେ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପକ୍ଷରୁ ବିଷୁବ ମିଳନ ଅବସରରେ ସନନ୍ଦ ପ୍ରଦାନ ସହ ସମାନ ବର୍ଷ ବିଭୂତି ପଟ୍ଟନାୟକଙ୍କ ‘ଗଳ୍ପ’ ପତ୍ରିକାରେ ‘ସାରସ୍ଵତ ସାକ୍ଷାତକାର’କୁ ସ୍ଥାନ ଦିଅନ୍ତି କିଶୋରୀ ଚରଣ ଦାସଙ୍କୁ।
                  
ଅବସର ପରେ ‘ଇଣ୍ଡିଆନ୍ କାଉନସିଲ୍ କଫ୍ କଲଚରାଲ୍ ରିଲେସନ୍ସ’, ‘ନ୍ଯାସନାଲ୍ ପବ୍ଲିସିଂ ହାଉଶ୍’, ‘ଜୟକୋ ପବ୍ଲିସିଂ ହାଉସ୍’, ‘ନ୍ଯାସନାଲ୍ ବୁକ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ’ ଭଳି ବଦାନ୍ୟ ଜାତୀୟସ୍ତରର ଅନୁଷ୍ଠାନରେ କାର୍ଯ୍ଯ କରି ଭାରତୀୟ ଜ୍ଞାନପୀଠ ଦ୍ଵାରା ପ୍ରକାଶିତ ଗଳ୍ପ ସଙ୍କଳନରେ ତାଙ୍କ ଗଳ୍ପ ସ୍ଥାନ ପାଇଛି । ୧୯୯୪ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଆ ସାହିତ୍ଯ ଏକାଡେମୀର ସଭାପତି ହୋଇଛନ୍ତି। ନିଜ ‘ଠାକୁର ଘର’ ଗଳ୍ପ ସଙ୍କଳନ ପାଇଁ ସେ ୧୯୭୬ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଆଉ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ଉପାଧି ଏବଂ ‘ଉତ୍କଳ ସାହିତ୍ୟ କଳା ପରିଷଦ’ ପକ୍ଷରୁ ‘ଉତ୍କଳଶ୍ରୀ’ ଉପାଧି ପାଇଛନ୍ତି।

୨୦୦୪ ମସିହା ଅଗଷ୍ଟ ୧୭ ତାରିଖରେ ସେହି ମହାନ ସାହିତ୍ୟିକ କିଶୋରୀ ଚରଣ ଦାସ ଇହଲୀଳା ସମ୍ଵରଣ କରନ୍ତି।

© ଅମ୍ରିତେଶ ଖଟୁଆ

Leave a Comment

Your email address will not be published. Required fields are marked *

Scroll to Top