ଲେଖା: ଅମୃତେଶ ଖଟୁଆ
~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~
ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ ଦେଇଥିଲା । ଅଟ୍ଟାଳିମାନଙ୍କ ଅନ୍ଧାରୀ ମୁହଁରେ ସୂର୍ଯ୍ୟଙ୍କ ନିବିଡ କିରଣଜାଲ ଛୁଞ୍ଚପାଣି ପରି ଯାହା ଅଳ୍ପ ଅଳ୍ପକେ ଛିଟିକି ପଡିଲା ସମାନ ଲେପି ହେଇଯାଉଛି । ଗୋଟା ତୁଳସୀବଣର ବାସ୍ନା ପରି ପକ୍ଷୀମାନଙ୍କ କାକଳି ନଭୋମଣ୍ଡଳରେ ସ୍ବଗତ ଜ୍ଞାପକ ଉତ୍ତରା ମାରୁତଗତିରେ ମୀମାଂସିତ ହେଉଥିଲେ ।
ଶନିବାର ସକାଳ ସପ୍ତାହାନ୍ତ ଛୁଟି ଯେହେତୁ ବିଶେଷ କର୍ମଚଞ୍ଚଳତା ଆଖି ଆଗରେ ପଡେନା । ପ୍ରଥମାଷ୍ଟମୀ ବୋଲି ପୂର୍ବବତ୍ ଗହଳ ଲାଗିନାହିଁ । ପୂର୍ବରୁ ଏତେବେଳକୁ ଘରେ କାହିଁ କେତେ ଜଣ ଗଣ୍ଡାଏ ଅତିଥିସୁଲଭ ଦଣ୍ଡାୟମାନ ହୋଇ ଦ୍ଵାର ଦେଶ ସମ୍ମୁଖୀନ ଏରୁଣ୍ଡି ବନ୍ଧ ନ ଛୁଉଁଣୁ ନୀରବତାକୁ ଚିରି ପ୍ରବେଶ କରୁଥାଆନ୍ତେ । ଅଗରାଗଛ ଘର ଆଗରେ ପୂର୍ଣ୍ଣ ହେମଗର୍ଭା କଳସ ପରି ଆଗରେ ଆମ୍ଵଡାଳର ବାହୁ ପରି ନିଜର ପତ୍ର ଉଢାଳ ମଧ୍ୟରୁ ତଟସ୍ଥ ହୋଇ ପ୍ରସାରିତ କରୁଥିବେ । ଏଣ୍ଡୁରି ପିଠା, ମଣ୍ଡା ପିଠା, ଚକୁଳି, ଆରିସା ଭଳି ନାନାବିଧ ଖାଦ୍ୟ ପ୍ରସ୍ତୁତିରେ ଗୃହାଙ୍ଗନ ଯେ କେତେ ଚହଟୁ ନଥିବ !
ରୋଷେଇ ଘରର କିଳିଣୀ ଫିଟି ମାଆ ନହେଲେ ଆଈ ଏଣ୍ଡୁରି ପିଠା କରନ୍ତି । ସାଧାରଣତଃ, ଏହି ଦିନ ମାମୁଁଘର ଜ୍ୟେଷ୍ଠ ନନ୍ଦନ ଦ୍ଵାହିରେ ଗନ୍ତବ୍ୟ ଅଟେ । ଅଭ୍ୟାଗତ ସମଧିକ ମୋ ପ୍ରବେଶ ହେବା କ୍ଷଣି ବନ୍ଦାପନା ହେବ ଓ ଠାକୁରଙ୍କ ପାଖରେ ଦୁଇ ତିନିଖଣ୍ଡ ନୂଆ ଜାମାପଟା ଠାରୁ ହାତଗଣତି ଧରିଲେ ସେହିପରି ବାସବସନ ଲାଗି ହୋଇ ପରିଧାନ ରୂପେ ଅବୟବ ମଣ୍ଡନ କରେ । ତାହା ପରେ ଏଣ୍ଡୁରି ପିଠାର ବାସ୍ନା ହଳଦିପତ୍ର ନ ଫିଟୁଣୁ ଗ୍ୟାସ୍ ଉପରୁ ଚହଟିବାକୁ ଲେଶମାତ୍ର ବିଳମ୍ଵ କରୁନଥିବ । ଜିହ୍ଵା ଲହଲହ ସ୍ଵାଦିଷ୍ଟ ରସାୟନ ଉପଭୋଗ ହେତୁ ତତ୍ପରତା ଆଚ୍ଛନ୍ନ କରିଦିଏ ।
ସେତେବେଳେ ମଗୁଶୁର ଆକାଶରେ ନୀଳ ଭୂଇଁର ଗାଢ ସ୍ପର୍ଶରେ ଗଜୁରି ଉଠୁଥିବା ଦିଗ୍ ବଳୟ ନିସ୍ତରଙ୍ଗରେ କ୍ଷଣେ ରହିଯାଉଥାଏ । ଉଦୟଗିରିକୁ ଆବରଣବଦ୍ଧ କରିବା ଲାଗି ଉଦ୍ୟତ କୁଜ୍ଝଟିକା କାହୁଁ ଅପସୃୟମାଣ । ତେଣୁ ଫୁଲବଗାନରେ ବସନ୍ତାଗମର ସ୍ମିତ ଅଙ୍ଗୀକାର କ୍ରମେ ଅସ୍ପଷ୍ଟତାରୁ ମୁକ୍ତିଲାଭ ଅନ୍ତେ ଫୁଲମାନଙ୍କ କେଶରଚକ୍ର ନୟନଡୋଳା ପରି ଉଦ୍’ଗ୍ରୀବ ହେଲେ । ଗ୍ରାମୀଣ ପରିବେଶ ହୋଇଥିଲେ ଏହି ପରିବେଶରେ ରହି ମଧ୍ୟ ଆମ୍ଭ ହେତୁ କୌଣସି ବ୍ୟତିକ୍ରମ ଅନୁଭୂତ ହୋଇ ନ ଥାଆନ୍ତା । ସୁବିସ୍ତୃତ ମାଟିର ଦରହାସ ତଳେ ନୀହାର ମାଳି ଖସିପଡୁଥାଏ ବୃକ୍ଷମାନଙ୍କ ଉପରୁ ।
ଗତଦିନ ଅନ୍ଧାର ପୂର୍ବରୁ ବିରି ଓ ଚାଉଳ ବଟା ହେଇ ଥୁଆ ହେଇଥାଏ ଡେକ୍ଚିମାନଙ୍କ ଭିତରେ । ସକାଳୁ ଉଠି ଶିଥିଳତାର ସହ ଫେଣେଇ ବିରିବଟା ସବୁକୁ ଛାଞ୍ଚ ଦିହରେ ବସେଇ ଦିଆଯାଏ ଗ୍ୟାସ୍ ଉପରେ । ସତେଜ ପ୍ରସ୍ତୁତ ହେବାର ଦେଖି ବନ୍ଦାପନା କରି ମୁଁ ଏଣ୍ଡୁରିତକ ନିରଙ୍କୁଶ ଭାବେ ଆପ୍ୟାୟିତ କରି ଚାଲୁଥାଏ । ଏଣିକି ଏକାଦଶ ଶ୍ରେଣୀର ପରୀକ୍ଷାପତ୍ର କେତେ ଥିଲା ଯାହା ସାରିକି କ୍ଷଣମିଆଦୀ ଅବକାଶ ଚାଲିଥାଏ । ତେଣୁ, ବିଶେଷ ଶ୍ରମକାତର ହେବାକୁ ସୁଦ୍ଧା ଅବସାଦର ହେତୁ ନାହିଁ । ଘରକୁ ଫେରିଲା ପରେ ଦୈନନ୍ଦିନ ଅଭ୍ୟାସବଶତଃ ଖବରକାଗଜ ଲେଉଟାଏ ।
(ମାଧବ-ସନାଥ ମାଧବାଖ୍ୟ ଗ୍ରାମ (ନନ୍ଦିକେଶ୍ଵରୀ, ରାଧାନାଥ ରାୟ)
ବ୍ୟାଘ୍ରଦ୍ଵାର ସମ୍ମୁଖରୁ ତୁଙ୍ଗ ଦେଉଳ)
ବ୍ୟାଘ୍ରଦ୍ଵାର ସମ୍ମୁଖରୁ ତୁଙ୍ଗ ଦେଉଳ)
ଘରେ ସାଧାରଣତଃ ମୋର ହିଁ ଏକାନ୍ତ ସ୍ଵତନ୍ତ୍ରତା ଯେ ଦିନପାଞ୍ଜି ମୁଖସ୍ଥ ଥାଏ । କାରଣ ସମସ୍ତଙ୍କର ସ୍ଵଭାବତଃ ତାରିଖ ଓ ବାର ବ୍ୟତୀତ କେଉଁ ତିଥି, ଲଗ୍ନ ଓ ପର୍ବ ପଡୁଅଛି, ତାହା ବିଶେଷ ଜ୍ଞାତସାରରେ ନଥାଏ । ପ୍ରତିବର୍ଷର ଆରମ୍ଭରେ ଖବରକାଗଜ ଯାବତୀୟ କ୍ୟାଲେଣ୍ଡର୍ ବା ଦିନପାଞ୍ଜି ଆସେ ତାହାକୁ କାଢିଆଣି କାନ୍ଥରେ ସର୍ବାଗ୍ରେ ଆଣି ଟଙ୍ଗେଇଦିଏ । ଏସବୁ ଓଡ଼ିଆ କୋହେନୂର୍ ପାଞ୍ଜି । ତେଣୁ, ମୋ ପାଖକୁ ଅଧିକ ସମୟ ସମସ୍ତେ ଘରେ ପର୍ବପର୍ବାଣି, ତିଥି, ଓଷା, ବାର, ବ୍ରତ ଆଦି ସମ୍ପର୍କୀୟ ବିବରଣୀ ଜିଜ୍ଞାସା କରିଥାଆନ୍ତି । ତେଣୁ ତଦ୍ଭିନ୍ନ ମୋର ପର୍ବପର୍ବାଣିଙ୍କ ବିଷୟରେ ବ୍ୟାଖ୍ୟା କରିବା ମଧ୍ୟ ବିଶେଷ ରୁଚି ।
ପ୍ରଥମାଷ୍ଟମୀ ବୋଲି ସ୍ମୃତି ଚିହିଁକି ଉଠିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିମାନଙ୍କ ଉପରେ । ମୋର ମନେପଡେ ଯେ କଟକ ଜିଲ୍ଲା ସ୍ଥିତ ନିଆଳି ମାଧବାନନ୍ଦ ଜୀଉଙ୍କ ନିକଟରୁ ଆଜି ପ୍ରଥମାଷ୍ଟମୀର ପୋଢୁଆଁ ଭାର ଯଥାରୀତି ପହଞ୍ଚି ଯିବ । ଲୋକ ପରମ୍ପରା ଅନୁଯାୟୀ ଯେହେତୁ ନିଆଳିର ମାଧବ ଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ, ତେଣୁ ତାଙ୍କଠାରୁ ପୋଢୁଆଁ ଭାର ଧରି ସେଠାରୁ ଅଧିକୃତ ସେବକମାନେ ଯାଆନ୍ତି । ପ୍ରତ୍ୟହ ପ୍ରଥମାଷ୍ଟମୀରେ ଏହି ସୁଯୋଗ ସୃଷ୍ଟି ହୁଏନାହିଁ, ଯେହେତୁ ଏହା ଶୁଣାଯାଏ ଦୁର୍ଭିକ୍ଷ ସମୟରେ କଥିତ ପରମ୍ପରାରେ ଯବନିକା ପଡିଥିଲା ।
କେତେକ ସହୃଦୟ ବ୍ୟକ୍ତିବିଶେଷଙ୍କ ପ୍ରଯତ୍ନ କ୍ରମେ ଏହାର ପୁନରାୟ ଆରମ୍ଭ ହେବାର କୌତୂହଳ ମୋହର ନିହାତି ଉଦ୍ଦୀପନାରେ ପୁଞ୍ଜୀଭୂତ ହୁଏ । ଜାଣିବାର କୌତୁକ ଏବଂ ଅଦୂରସ୍ଥ ଇତିହାସର ନେପଥ୍ୟରେ କୀର୍ତ୍ତିରାଜିଙ୍କୁ ପର୍ଯ୍ୟବେକ୍ଷଣ ସର୍ବାଦୌ ଆକୃଷ୍ଟ କରାଉ ଥାଏ । ତେଣୁ ନିଆଳି ଦ୍ଵାଦଶଶମ୍ଭୁ ଓ ମାଧବାନନ୍ଦ ଜୀଉଙ୍କୁ ଦର୍ଶନାର୍ଥୀ ହୋଇ ଗନ୍ତବ୍ୟପଥ ମନୋନୀତ କଲି । ସମୟ ଓ ଯୋଗାଯୋଗର ସୂତ୍ରପାତ ଦ୍ଵାରା ଜନୈକ ଯୁବ ସମ୍ପର୍କୀୟଙ୍କ ସହ ସେଠାକୁ ଯିବା ଲାଗି ସମସ୍ତ ସାଜ ସରଞ୍ଜାମ ଅଳ୍ପ ସମୟରେ ବ୍ୟବସ୍ଥିତ ହୋଇଗଲା । ଦୁଇଚକିଆ ସ୍କୁଟିରେ ହିଁ ଯିବାଟା ଭଲ ଲାଗିଥାଆନ୍ତା ବୋଲି କହି ସେଥିରେ ବାହାରିଗଲୁ ।
(ନାଟମଣ୍ଡପ ଏବଂ ସମ୍ମୁଖସ୍ଥ ଭୋଗମଣ୍ଡପ)
ନିଆଳି ଆମ ଘରଠୁ ପ୍ରାୟତଃ ୪୫ କିମି ଦୂର ହୋଇଥିଲେ ମଧ୍ୟ ପ୍ରକୃତିର ଗନ୍ତବ୍ୟ ସମ୍ମୁଖରେ ଦୂରତ୍ଵର କଷ୍ଟ ଓ ଆବିଳତା ପ୍ରତି ନିଘା ନ ଥାଏ । ତେଣୁ ପ୍ରଶସ୍ତ ମାର୍ଗର ଅଭିସାରୀ ହେବା ଲାଗି କାହାର ଅଥବା ସ୍ପୃହା ଜାଗରିତ ହେଉନଥିବ ? ଆମ ଘର ପଛପଟ ରାସ୍ତା ପଟିଆ ଷ୍ଟେସନ୍ ଦେଇ କଳାରାହାଙ୍ଗ ବାଟେ ଯାଏ । କଟକକୁ ଯିବା ରାସ୍ତା ପୂର୍ବେ ତେଲେଙ୍ଗାପେଣ୍ଠ, ହଂସପାଳ ଓ ତ୍ରିଶୂଳିଆ ପାଖରେ ଯାହା ପଟିଆ ପଟରୁ ଥିଲା । ହେଲେ ପୂର୍ବରୁ ବନ୍ୟା ଓ ଜାଙ୍ଗଲିକ ପରିବେଶକୁ ଦୃଷ୍ଟିରେ ରଖି ଜନବସତି ଖୁବ୍ ଅଳ୍ପସଂଖ୍ୟକ ଥିବାରୁ ଯାତାୟତ ସୁଲଭ ନଥିଲା । ମାତ୍ର ଏବେ ଏହା ଜନବହୁଳ ହେଇ ସାରିଛି ।
ତ୍ରିଶୂଳିଆ ମାର୍ଗରେ ତିନୋଟି ସେତୁ ସହିତ ପଟିଆ ଷ୍ଟେସନ୍ ବାଟେ ଗଲେ କଳାରାହାଙ୍ଗ ଗ୍ରାମ ଦେଇ ପ୍ରଥମେ ବାରଙ୍ଗ, ଢାଉଆ, ଗଣ୍ଡରପୁର, କଲ୍ୟାଣପୁର, କେନ୍ଦୁପାଟଣା ଓ ପରିଶେଷରେ ପ୍ରତାପନଗରୀ ହେଇକି ଫୁଲନଖରା ଛକ ପଡିବ । ଏଠିକାର ଦୃଶ୍ୟରାଜି ଅନୁରୂପ ଉପଭୋଗ୍ୟ । ସାରଙ୍ଗଗଡ ବା ଚୂଡଙ୍ଗଗଡରୁ ମୁଣ୍ଡ ଟେକିଥିବା ଅନୁଚ୍ଚ ଗିରିଶ୍ରେଣୀ, ଛୋଟ ଛୋଟ ଦହ, ଅବବାହିକା, ହରିତାୟମାନ ଶସ୍ୟକ୍ଷେତ୍ର, ରେଳ ଧାରଣା ବାଟେ ବାଟେ ସବୁଜିମାକୁ ଘେରାଉରେ ରଖି ଗଢି ଉଠିଥିବା ଗାଁ ମାନଙ୍କର ବିସ୍ତୀର୍ଣ୍ଣ କ୍ଷେତ୍ର ଦେଖଣାହାରୀ ଲାଗି ନିରନ୍ତର ବିଦ୍ୟମାନ । ଏଠାରେ ରହିଛି ଅନ୍ୟୂନ ପାଞ୍ଚ ଶହ ବର୍ଷ ପୁରାତନ ସୋମନାଥ ମନ୍ଦିର ।
ଭୁବନେଶ୍ୱର ନିଉ ରେଲୱେ ଷ୍ଟେସନ୍ ପାର୍ଶ୍ଵବର୍ତ୍ତୀ ଗ୍ରାମ ହେଉଛି ଢାଉଆ । ଏଠାରେ ଶସ୍ଯଶ୍ୟାମଳା ଧରଣୀମାତୃକା ନିଜର ଅଭିନବ ହରିତ ଛବିରେ ସୌନ୍ଦର୍ଯ୍ୟକୁ ସଜ୍ଜିତ କରିଛନ୍ତି । ଧାନ ଓ ଗହମର ମନୋହର କ୍ଷେତକୁ ସ୍ଥାନେ ସ୍ଥାନେ ନିକୁଞ୍ଜ ପରି ଗାଁ ଭିତରକୁ ଅଶ୍ଵତ୍ଥ, ବେଲ, ନଡିଆ, ତାଳ ଓ ବରଗଛ ପ୍ରଭୃତି ନାନା ଜାତିର ଦ୍ରୁମବିଶେଷ ପଥପ୍ରାନ୍ତଠୁ ନେଇ ପ୍ରତି ସାହି ଭିତରେ ନିଜର ଉପସ୍ଥିତିକୁ ବଜାୟ ରଖିଛନ୍ତି । ଢାଉଆ ସ୍ଥିତ ସୋମନାଥ ମନ୍ଦିର ଗ୍ରାମର ଉତ୍ତରପୂର୍ବ କୋଣର ଦାଢରେ ଅବସ୍ଥିତ । ତାହାଙ୍କ ତିନିପଟେ ସବୁଜିମାର ପ୍ରସ୍ଥ ମେଲା ରହିଛି ଓ ଏକପାର୍ଶ୍ଵରେ କଲ୍ୟାଣପୁର ଗ୍ରାମକୁ ରାସ୍ତା ଲମ୍ଵିଛି ।
କାଳକ୍ରମେ ସେଠାରେ ଐତିହ୍ୟ ଅବକ୍ଷୟମୁଖୀ ହୋଇ ଦେଖଣାହାରୀଙ୍କ ଉପଭୋଗ ସତ୍ତା ପ୍ରତି ଅବିଗୁଣ କରିଛି । କହିବାର ତାତ୍ପର୍ଯ୍ୟ ଏହିକି ଯେ ଏଠାରେ ପ୍ରାକ୍ତନ ଇତିହାସର ଏକ ମାତ୍ର ପ୍ରତିବିମ୍ବ ଭାବରେ ଉକ୍ତ ସୋମନାଥ ମନ୍ଦିର ଠାରେ ବିଦିତ ଅଟେ । ଲୋକଶ୍ରୁତି ଅନୁସାରେ ପଟିଆ ରାଜା ଜଳେଶ୍ବର ମହାଦେବଙ୍କୁ ଦର୍ଶନ ପରେ କୌଣସି ଏକ ପଟୁଆର ସମୟରେ ଏହି ସ୍ଥାନ ଦେଇ ଯାଇଥିଲେ । ଯିବା ସମୟରେ ରଜା ବସିଥିବା ଘୋଡାଟି ଗୋଟିଏ ସ୍ଥାନରେ ଖୁରାମାଡ କରି ପଡିଯାଏ । ଯେଉଁ ସ୍ଥାନରେ ଖୁରାମାଡ ହେଇଥିଲା, ସେହି ସ୍ଥାନରେ ପାତାଳଫୁଟା ଲିଙ୍ଗ ଦୃଶ୍ୟମାନ ହେଲେ । ଇଏ ଥିଲେ ସୋମନାଥ ମହାଦେବ ।
ଏଠାରେ ଆମେ କିଛି କ୍ଷଣ ଦର୍ଶନ କରିଲା ପରେ ବାରଙ୍ଗ ବାଟେ ଅଗ୍ରସର ହେଇ ପୁରୀ ମୁଖ୍ୟ ଅବବାହିକାକୁ ଅତିକ୍ରମ କରି ମା’ ଧାକୁଲେଇଙ୍କ ପୀଠ ଠାରେ ରହିଲୁ । ସେଠି ଥିଲା ପ୍ରକୃତରେ ବାପାଙ୍କ କାର୍ଯ୍ୟାଳୟଟି । ଜଳ ଓ ଭୂସମ୍ପଦ ପରିଚାଳନା ଅନୁଷ୍ଠାନ । କଡକୁ ମାଆ ଧାକୁଲେଇଙ୍କ ଦର୍ଶନ କରି ତାହା ପରେ ଫୁଲନଖରା ଛକ ଟପି ନିଆଳି ଅଭିମୁଖେ ଅଗ୍ରଗାମୀ ହେଲୁ । ଏଠାରେ ଉପକଣ୍ଠର ଆରମ୍ଭ କ୍ରମଶଃ ବର୍ଣ୍ଣନୀୟ । କେତେକ ଦୁଇତାଲା ଦୋକାନ ବଜାରମାନଙ୍କ ମଧ୍ୟରେ ମୁଣ୍ଡ ଟେକିଥିବା ହାତ ଗଣତି ମଲ୍ ମାନଙ୍କୁ ଛାଡିଲେ ଆଗକୁ ସହରର ବ୍ୟସନ ଏବଂ ଆଧିପତ୍ୟ କ୍ଷୁଣ୍ଣ ହେଇ ଆସେ ।
ଶ୍ୟାମଳ ବୃକ୍ଷଗହଳର ଆବେଷ୍ଟନୀ ଘେରି ରାସ୍ତାକଡକୁ ପଥିକ ପ୍ରତି ଓଳିଗି କରିଥିବା ଗଛଗୁଡିକଙ୍କ ନମ୍ରତା ଆଗରେ ଦୃଷ୍ଟି ପଡିଲେ ଆପଣା ଛାଏଁ ଆଖି ତାହାଠାରେ ବଶ୍ୟତା ସ୍ଵୀକାର କରିବ, ଏହା ପ୍ରତ୍ଯକ୍ଷଦର୍ଶୀ ଭାବରେ ମୋହର ଅଙ୍ଗେ ନିଭା । ଅନନ୍ତପୁର, ନଖରା, ତ୍ରିନାଥ ବଜାର (ଜଗନ୍ନାଥପୁର), ସନ୍ତୋଳ ଏବଂ ଯିବା ବାଟରେ ବାମପଟକୁ ଗୋବିନ୍ଦପୁର । ଏହି ଭିତରେ ଗ୍ରାମମାନଙ୍କ ପରିଧି ବହୁମୁଖୀ ରାସ୍ତାମାନଙ୍କ ଦ୍ଵାରା ସଂଯୁକ୍ତ ହୋଇଥିବାର ଦେଖାଯାଏ । ଅନତିରଞ୍ଜିତ ଚାଷକ୍ଷେତ, ଗାଁର ଅପନ୍ତରା ପଡିଆକୁ ଗୋଚାରଣ ଭୂମିରେ ସୁଦୃଷ୍ଟ ଜୀବନର ଛବି ଅକ୍ଳେଶରେ ନିଜକୁ ନିୟୋଜିତ କରି ରଖେ । ଏଠାରୁ ପଡିବ ପଞ୍ଚବଟୀ ବଜାର ।
ଏଠାରୁ ନିଆଳି ୨୭ କିମି ହେଇଯିବଣି । କ୍ଷୁଦ୍ର କେତେକ ଚାଳମଥାନ ସଙ୍କୁଳ ବିପଣୀସ୍ଥାନ ଅତିକ୍ରମ କରି ପଡିବ ଅଘନ ବିଲପାଟକ । ଗନ୍ତବ୍ୟ ଅଭିମୁଖେ ମନ୍ଦାରିଆ ଗ୍ରାମ ପାଖାପାଖି ପହଞ୍ଚି ହେଇଯିବ । ଏଠାରେ ରାସ୍ତା ପାର୍ଶ୍ଵବର୍ତ୍ତୀ ଲତାଗୁଳ୍ମ, ଛୁରିଅନା, ପାଟଳୀ, କୃଷ୍ଣଚୂଡା, ବରଗଛ, ବରକୋଳି ଓ କେତେକ ସ୍ଥାନରେ ସୁନାରୀ ଗଛ ଦିଶେ । ଏଥି ସହିତ ରାସ୍ତାରେ ପଡିବ ବ୍ରାହ୍ମଣଝରିଲୋ ବା ବଜାର ସାହି । ବାମପାର୍ଶ୍ଵରେ ସଙ୍କୀର୍ଣ୍ଣ ଅବବାହିକାଟିଏ ଦେଇ ପଥ ଯାଉଥାଏ । ଏଠି ଅନେକ ସତେଜ ପନିପରିବା ମିଳିବା ଲାଗି ଏହାର ପ୍ରସିଦ୍ଧି ଆଞ୍ଚଳିକ ସ୍ତରରେ ବହୁଭାବରେ ବିଦିତ ଅଟେ ।
ବାଟରେ ଅନେକ ତ୍ରିନାଥ ମନ୍ଦିର ମାନ ମଧ୍ୟ ଇତସ୍ତତଃ ଦୃଶ୍ୟମାନ ହୁଏ । ସେଠାରେ ବୃକ୍ଷମାନଙ୍କ ଗହଳରେ ଦିଶିଯାଉଥାଏ ଅନ୍ତରଙ୍ଗ ରକ୍ତାଭ ପଟ୍ଟଳରେ ଈଷଦ୍ଧାସ୍ୟ ଘେନିଥିବା କୃଷ୍ଣଚୂଡା ଓ ବବୂର ଗଛମାନଙ୍କ ସମୂହ । ତଦନ୍ତରେ କୁରାଙ୍ଗ ଗ୍ରାମ । ଏଠୁ କୁରାଙ୍ଗରୁ ଭିଙ୍ଗାରପୁରକୁ ଦକ୍ଷିଣପାର୍ଶ୍ଵରେ ଏକ ରାସ୍ତା ବିପଣୀ ଦେଇ ଯାଉଥିବା ବେଳେ ଆମ ରାସ୍ତା ସିଧାସଳଖ ପହଞ୍ଚିଲା କ୍ଷଣି କେଇ ମିଟର୍ ପରେ ନଡିଆଗୁରୁଡି ନାମରେ ସ୍ଥାନ ଆସେ । ଏବେ ଆସେ ବଡ଼ଝରିଲୋ । ତୃଣାଦି ଗୁଳ୍ମ ଓ କ୍ଷୁଦ୍ର ଦହମାନଙ୍କ ମଧ୍ୟରେ ଆଚ୍ଛନ୍ନ ଏ ସ୍ଥାନରୁ ୭ କିମି ଗଲେ ଉଲ୍ଲାର ନାମେ ଗାଁ । ଏହି ଛୋଟ ଛୋଟ ଗ୍ରାମପୁଞ୍ଜର ନାମ ସୁନ୍ଦରଗ୍ରାମ । ସୁନ୍ଦରଗ୍ରାମରୁ ୭ କିମି ପରେ ଅଡଶପୁର ।
ଏହି ମଧ୍ୟରେ ବାଗଲପୁର ପଞ୍ଚାୟତ ପଡେ ଓ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ (କଣ୍ଟାପଡା) । ଇତ୍ୟବସରରେ ଆସେ ଗ୍ରାମୀଣ ଶ୍ରୀଦକ୍ଷିଣେଶ୍ଵର ମହାଦେବଙ୍କ ପୀଠ ଓ ଦାମୋଦରପୁର । କଣ୍ଟାପଡା ପାଖରେ ଆସେ କୁଆଁରପୁର ଦକ୍ଷିଣପାର୍ଶ୍ଵରେ । ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀ ତଟରେ ଅବସ୍ଥିତ ଦ୍ଵାଦଶ ଶମ୍ଭୁ ଏହିଠାରୁ ବହୁ ପରିମାଣରେ ଦୃଶ୍ୟମାନ ହୁଅନ୍ତି । ପୂର୍ବରୁ ଏହି ସମସ୍ତ ମନ୍ଦିରମାନଙ୍କର ପ୍ରାଚୀନ କୀର୍ତ୍ତି ରହିଥିବା ସହିତ ପୌରାଣିକ ବର୍ଣ୍ଣନା ଗୁଡିକ ‘ପ୍ରାଚୀ ମାହାତ୍ମ୍ୟ’ ଗ୍ରନ୍ଥ ଦ୍ଵାରା ପରିପ୍ରକାଶ ଲାଭ କରିଛନ୍ତି । ଇତିହାସର ନିଗୂଢ ଅନୁଶୀଳନ ସହ କିମ୍ଵଦନ୍ତୀର ମେଳରେ ଏଠାକାର ଅବହିତ ଗାଥା ଆମ୍ଭମାନଙ୍କ ନିକଟରେ ଉପଗତ ହୋଇଅଛି ।
ସେତେବେଳେ ଅପରାହ୍ଣ ୧:୪୫ ଟା ପାଖାପାଖି ଓ ଖରାର ପ୍ରକୋପ ସକାଳ ଅପେକ୍ଷା ଅନେକାଂଶରେ ହ୍ରାସ ପାଇ ସାରିଥାଏ । ଏଇଠୁ ସୁଦୃଶ୍ୟମାନ ନିଆଳି ମାଧବ ଅଭିମୁଖୀନ ସୁଗମ ରାସ୍ତା । ନଦୀଶଯ୍ୟା କେଉଁଠି ଯେପରି ଦିଶୁଥିବାର ମନେ ହେବାରୁ ସନ୍ଦିହାନ କରି ସମ୍ପର୍କୀୟ ଭାଇ ଜଣଙ୍କୁ ଅଟକାଇ କହିଲି ଟିକିଏ ଦେଖି ଆସନ୍ତେ କଣ ସେପଟେ ଅଛି ବୋଲି । କୌତୂହଳର ବଶବର୍ତ୍ତୀ ହୋଇ ଯାହାକୁ ନଦୀ ବୋଲି ମନେକରି ଦେଖିବା ଲାଗି ଧାଇଁଯିବାକୁ ବସିଥିଲି, ସେଠାରେ ପ୍ରକୃତରେ ନାଳ ସଦୃଶ ଏକ ଅବବାହିକା ଓ ପୋଖରୀ କେତେକ ଦିଶୁଥିଲା । ଏହି ସ୍ଥାନଟି ଥିଲା ଓଲଟପୁର । ବୃକ୍ଷରାଜି ଏଠାରେ କିୟତ୍ ପଥପ୍ରାନ୍ତରେ ନଥିବାର ସତ୍ତ୍ଵେ ଛୋଟ ଛୋଟ ଅଟ୍ଟାଳି ଇତସ୍ତତଃ ଦିଶୁଥା’ନ୍ତି ।
ଉପକଣ୍ଠର ଗ୍ରାମାଞ୍ଚଳ ସଦୃଶ ନାରିକେଳ, କଦଳୀ, କୃଷ୍ଣଚୂଡା ଓ ନାନାବିଧ ବୃକ୍ଷଲତା ମଧ୍ୟରେ ଦୁଇତାଲା ଓ ଛୋଟ ଛୋଟ ସୌଧମାନ ଠିଆ ହୋଇଛନ୍ତି । ସେମାନଙ୍କ ଛବି ଆଗରେ ବାଟକଡରେ ଯେତେକ ଗଛଲତା ଉହାଡରେ ଆକାଶର ଧୂମାଭ ଛବି ଦିଶୁଥିଲା, ତାହାକୁ ଅନୁସରଣ କରି ସନ୍ଧ୍ୟାଗମ ନ ହେଉଣୁ ସାରସ, ବତକ ଓ ତଦ୍ ଜାତୀୟ ପକ୍ଷୀମାନେ ବସାକୁ ଲେଉଟି ଆସୁଥିଲେ । ସୂର୍ଯ୍ୟଙ୍କ ଆଭା ଲୋହିତ ପିଣ୍ଡ ପରି ତଳପଟୁ ଦିଶି ଦିଶି ଆସୁଥାଏ ଓ ଶୀତର ପରିମାଣ ବଢିବାକୁ ଲାଗେ । ସ୍ଵଳ୍ପ କାକର ପଡିବାର ନଜିର୍ ହେବାରୁ ଦେହର ତେଜ ଆଶ୍ଵସ୍ତ ଭାବି ତୃପ୍ତି ପାଉଥାଏ । ଶୀତର ଖୁସି ନୁହେଁ କି ଖରାର ତାତି ହ୍ରାସ ପାଇ ଦେହକୁ ଆଶ୍ଵସ୍ତି ଦେଉଥିବାର ଖୁସି ନୁହେଁ ।
କୋଳାହଳ ଦ୍ଵାରା ଉପଦ୍ରୁତ ସହରାଞ୍ଚଳର ବାଧା ବନ୍ଧନ ଓ ଅସମନ୍ଵୟରୁ ମୁକ୍ତି ପରେ ଏପରି ସିକ୍ତ ଚେତନାର ଯାତ୍ରା ଲାଗି ବେଳେବେଳେ ତ ଶିର ନଇଁଯାଉଥିଲା । ସେ ଟାଙ୍ଗରା ଭୂଇଁ ଉପରେ କାହାର ପଦପାତ ? ସେହି ମଳୟର ଆକର୍ଷଣରେ ସୁଦ୍ଧା ଘାସମାନଙ୍କ ଟିକି ମୁଣ୍ଡଟିଏ କାହାରି ରୂପର ବଡିମାରେ ପତିତ ନ ହୋଇ ସମୀରଣର ପଦପାତରେ ବଡ଼ ଜୀବନ୍ତ ଭାବରେ ଚାହିଁ ଉଠୁଥିଲେ । ପଥିକର ଆଖି ଆଢୁଆଳକୁ ମେଲି ଦେଇ ଅନବଦ୍ୟ ରୋମାଞ୍ଚ ସହ ଦୃଷ୍ଟିକୋଣର ତୀକ୍ଷ୍ଣ ଧାର ଆଗରେ ଘାସମାନଙ୍କ ଧାର ଶାଣ ହେଉଥିଲା । ସେଥି ପାଇଁ ନା ଘାସମାନେ କେବେ ଏଠି ନିଷ୍ପ୍ରାଣ ନା ଅଭିସାରୀର ପ୍ରାଣ କ୍ଳାନ୍ତ ହେବାର ଦେଖାଯାଏ ! ଏହି ତ କାରଣ ପ୍ରକୃତିର ମାଧୁରୀ ପାଇଁ ।
(ଚକ୍ର ନାରାୟଣ)
ଯେତେ ସହଜସାଧ୍ୟ କରିବାର ପ୍ରଚେଷ୍ଟାରେ ଆମେ ନିତି ଲାଗି ପଡି ନୂତନ ମତବାଦ, ସର୍ଜନା ଓ ମାର୍ଗକୁ ଆଦରି ନେଉ । ତାହାର ପରିଣତି ଯଦି ଜୀଇଁବାର ବିହିତ ସାର୍ଥକତା ସହିତ ସମ୍ପର୍କିତ ନୁହେଁ, ତେବେ ତାହାର ଯଥାର୍ଥ ଉତ୍କର୍ଷ ଆମେ କୃତ୍ରିମ ଜଗତରେ ଲାଭ କରିବାକୁ ସୁଦ୍ଧା ଅକ୍ଷମ । ହେ ନିଆଳି ! ମୁଁ କେଇଦିନ ଯଦି ଏମିତି ଏଠାରେ ରହିଯିବାର ସୁଯୋଗ ପାଆନ୍ତି, ତୁମେ ମୋତେ ଆବୋରି ନେବାରେ କେବେ ହେଁ ସନ୍ଦେହ କରିବ କି ? ତୁମ ଭୂଇଁରେ ମୋର ସମସ୍ତ ବିସ୍ମୟ ଯାତ୍ରା ପଥରେ ଲତା, ଗାଲିଚା ଓ ବୃକ୍ଷରାଜି ଠାରେ ନେସି ଦେଇ ପାରେ ଏହା ଯେ ତୁମରି ସ୍ଥୂଳ ରୂପରେ ଅନ୍ତର୍ଗତ ମମତାର ଅଙ୍ଗରାଗ !
ତାହା ପରେ ଆସିଛି ଇଚ୍ଛାପୁର । ଏପର୍ଯ୍ୟନ୍ତ ଯେଉଁ ବୃକ୍ଷରାଜିର ସ୍ନିଗ୍ଧଚ୍ଛାୟା ଦେଇ ଗମନାଗମନ ହେଉଥିଲା ବର୍ତ୍ତମାନ ଏକ ଉନ୍ମୁକ୍ତ ଆକାଶ ଓ ଉନ୍ମୁଖ କୃଷିକ୍ଷେତ୍ରର ପୃଷ୍ଠପଟ୍ଟ ଦିଗନ୍ତକୁ ଆଗେଇ ନେଇଛି । ଏଠାରେ କ୍ଷେତ୍ରଗୁଡିକ ସମ୍ଭବତଃ କୌଣସି ଏକ ସମୟରେ ବନ୍ୟା, ବର୍ଷା ଓ ଅନବରତ ବାୟୁସ୍ରୋତର କ୍ଷିପ୍ର ସ୍ରୋତରେ ପରାହତ ହେଇ ଅସମତଳ ଏବଂ କୁଜା ପିଠି ପରି କିଛି ଜାଗାରେ ପୋଖରୀ ହୁଡା ଯାଏଁ ଲମ୍ଵିଛନ୍ତି । ତାହା ମଝିରେ ଆମ ଆଖି ଆଗରେ ପ୍ରାଚୀ ନଦୀର ସେତୁ ଦିଶିଗଲାଣି ହେଲେ ନଦୀର ଦୃଶ୍ୟ ଆଖି ପିଛୁଳାକେ ପଡିବାର ଦୃଷ୍ଟି ଲଭିନାହେଁ । ହେଲେ ଆଶା ଥିଲା ଫେରନ୍ତା ପଥରେ ଦେଖିକି ଯିବା ବିଧେୟ ।
ବରାହିପୁର (ଅଡଶପୁର) ପହଞ୍ଚିଲା ଉତ୍ତାରୁ ରାସ୍ତାର ଉଭୟ ପାର୍ଶ୍ଵରେ ବହୁବିଧ ବିପଣୀ ମାନଙ୍କ ସମ୍ଭାର । ପୂର୍ବରୁ ସବୁ ରାସ୍ତାମାନଙ୍କରେ ଗୃହ, ଅନୁଚ୍ଚ ଅଟ୍ଟାଳି ଓ ଲୋକମାନଙ୍କ ଗମନାଗମନ ଇତସ୍ତତଃ ଥିଲା । ମାତ୍ର, ଏଠାରେ ତାହାର ପରିସର ବୃଦ୍ଧି ପାଇ ଜନବସତିର ସଂଖ୍ୟାଗରିଷ୍ଠତା ଲାଗି ହେତୁ ସାଜିଛି । କେତେକ ମଲ୍ ଓ ସମଧିକ ତେଜରାତି ଦୋକାନ, ପରିବା ହାଟ, ଭେରାଇଟି ଦୋକାନ, କପଡା ଦୋକାନ ରାସ୍ତାର ଠିକ୍ ଦୁଇ ଦାଢକୁ ଲାଗି ବହୁସ୍ତରରେ ରହିଅଛନ୍ତି । ଅଡଶପୁର ଠାରେ ପଣସ ପିଇ ଥକା ମାରିବା ଛଳରେ ସେଠାରେ କେତେକ ଜାଗାରେ ଠାଆ କରି ବସି ଗାଆଁ ଲୋକଙ୍କ ସହ ଆଳାପ କରିଗଲୁ ।
(ମାଧବାନନ୍ଦ)
ଶିଖିବାର ବିଷୟ ଓ ଅଭିଜ୍ଞତା ସାଉଁଟିବାର ଅଭିନବ ପାଠଶାଳା ଯେ ଗ୍ରାମ ପରିବେଶ ତାହା ଖୁବ୍ ପ୍ରତିଭାତ ହେଉଥିଲା । ଗ୍ରାମଶ୍ରେଣୀ ଏହି ମତେ ଅତିକ୍ରମ କରି ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବାଟେ ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପଡେ । ବୟସ୍ୟ ବୟସ୍ୟାମାନେ ଗୋଷ୍ଠୀବଦ୍ଧ ହୋଇ ଗୃହ ପ୍ରତ୍ୟାବର୍ତ୍ତୀ ସେତେବେଳେ (୦୨:୦୮ ଅପରାହ୍ଣ ସମୟ) । ଧାନ୍ୟକେଦାର ପ୍ରାୟତଃ ଶୁଖିଲା ଓ ଥୁଣ୍ଟା ଗଛମାନେ ଏହାର ହିଡମୂଳ ଚାରିପଟେ ଇତସ୍ତତଃ ନଗଣ୍ୟ ସଂଖ୍ୟାରେ ଘେରାଉ ଖଣ୍ଡେ ବାନ୍ଧି ନିଜ ଅତୀତର ଭୂମିକାମାନଙ୍କ ଜୀବନ୍ତ ସାକ୍ଷୀ ହେଇ ଅଦ୍ୟାବଧି ସୁଦ୍ଧା ରହିଛନ୍ତି । ସେଠାରେ କ୍ରମେ ଦୂରଗାମୀ ଆକାଶ ସ୍ଵଗତ ଜଣାଉ ଥିଲା ।
ଇତସ୍ତତଃ ଛୋଟବଡ଼ ବାସ, ସୌଧମାନ, ଘରୋଇ ଅନୁଷ୍ଠାନର ଛାତ୍ରାବାସ, ହୋଟେଲ୍, ରହଣିସ୍ଥଳ ପରେ ଦକ୍ଷିଣପାର୍ଶ୍ଵରେ ଦେଖି ଦେଖି ଯାଇହୁଏ ଦିଗନ୍ତ ଯାଏଁ ବିସ୍ତୃତ ଭୂଇଁମାନ । ଏହି ଭୂଇଁ ଉପରୁ ଠିଆ ହେଇ ଯଦି ଦେଖାଯିବ ଯାହା ଓଟର ପିଠି ଉପରେ ଠିଆ ହେଲା ପରି ମନେ ହେବା ସମ୍ଭବତଃ ପ୍ରତୀୟମାନ ହୁଏ । ସୂର୍ଯ୍ୟାସ୍ତ ଦିଶିଲା ପୂର୍ବରୁ ସୂର୍ଯ୍ୟଙ୍କ ମରୀଚିକା ଏହି ଭୂଇଁ ଉପରେ ସୃଷ୍ଟି କରୁନଥିଲା କିନ୍ତୁ ଭ୍ରାନ୍ତି । କାରଣ ମରୀଚିକା ଆଖି ଆଗରୁ ଧୀରେ ଧୀରେ ଅପରାହ୍ଣର ତାତି କମି ଗଲା ପରି ଅପସରି ଯାଉଥିଲା । ଏହା ପରେ ସଳେଇ ବଜାର । ଏହାକୁ ଅତିକ୍ରମ କରି କାଳିଆଘାଈ ନାମଧେୟ ଅବବାହିକାର ସ୍ଥାନରେ ନିଆଳି ଗ୍ରାମର ଉପୋଦ୍ଘାତ ।
ନିଆଳି ଅଞ୍ଚଳରେ ପଶିଲା ସମୟରେ ଗଛଲତାମାନଙ୍କ ଆସର ଗ୍ରାମମାନଙ୍କ ପରିଧିରେ ହିଁ ପରିଲକ୍ଷିତ କରି ହେଉଥିଲେ ମଧ୍ୟ ଆଗକୁ ପ୍ରାଚୀ ନଦୀର ସ୍ରୋତ ରହିଛି । ଏଠି ପଡେ ପ୍ରଥମେ ପୂର୍ବଖଣ୍ଡ ସାହି । ମୁଖ୍ୟତଃ ରାସ୍ତାରେ ଗଲେ ପକ୍ବଶାଳୀ ହାସ୍ୟରତା ଧାନ ଗହମଙ୍କ ଶୋଭାରେ କୃତକୃତ୍ୟ ନିଃସର୍ଗ ମଞ୍ଜୁଳ ପ୍ରତିଚ୍ଛବି ନିୟମିତ ଭାବରେ ପ୍ରତି ସ୍ଥାନରେ ତିଆରି କରୁଥାଏ । ତଦନ୍ତରେ ଅପୂଜା ନାମରେ ପଡେ କ୍ଷୁଦ୍ର ଗ୍ରାମ । ଏହା ଅତିକ୍ରାନ୍ତ ହେଲେ ନିଆଳିର ଦୂରତା ପାଞ୍ଚ କିମି ପାଖାପାଖି ସେଠାରୁ ଅବଶିଷ୍ଟ ଥାଏ । ଏଠି ଆସିବ ଅମାଣକୁଦ । ଏହି ଅମାଣକୁଦ ରାସ୍ତା ଏକ ଢାବା ପରି ରହଣି ସ୍ଥଳରୁ ଆରମ୍ଭ ହେବା ସମୟରେ ମୋଡ ନେଇକି ନିଆଳିର ମୁଖ୍ୟ ରାସ୍ତା ପ୍ରତି ଅଗ୍ରସର ହୁଏ ।
(ଶଙ୍ଖଚକ୍ର ଗଦାହସ୍ତ)
ତହିଁ ପରେ କିଛି ପଥ ଗଲେ ନୂଆଗାଁ ପଡିବ । ଏହି ନୂଆଗାଁ ଓ ଅମାଣକୁଦ ମଝିରେ ‘ଭାବକୁଣ୍ଡଳେଶ୍ଵର’ ମହାଦେବ ଓ ବାରଭୁଜା ଠାକୁରାଣୀଙ୍କ ଭଙ୍ଗା ଦେଉଳ ପ୍ରାକ୍ତନ ଅବଶେଷ ପୂର୍ବରୁ ଦେଖିବାକୁ ମିଳୁଥିଲା । ହେଲେ ଇତିହାସରେ ଅନେକ ଆକ୍ରମଣ ଓ ସମୟର ନିରବଚ୍ଛିନ୍ନ ପ୍ରବାହରେ ସେ ସମସ୍ତ କ୍ଷୟଶୀଳ ମାତ୍ର । ସୂକ୍ଷ୍ମ କାରୁକାର୍ଯ୍ୟ ଓ ବିଭବଶାଳୀ ରୂପରେଖରେ ଆଭିଜାତ୍ୟର ବିନିଯୋଗ ପ୍ରତୀକିତ । ଏଠି ନିଆଳି ମହାବିଦ୍ୟାଳୟ ରହିଛି । ନିଆଳି ମୁଖ୍ୟ ରାସ୍ତା ଆସିଯାଏ । ନିଆଳି ରାସ୍ତାରେ ବଜାର ପଡିବ । ଏହାର ବାମକୁ ମଝିକୁଣ୍ଡରୁ ବିଳାସୁଣୀ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ନିର୍ମିତ ରାସ୍ତାର ଫଳକ ପଡିବ । ନିଆଳି ଆସିଯାଏ ।
ମାଂସ ବେପାରୀମାନଙ୍କ ଭିଡ ଥାଏ ନିହାତି । କପଡା ଦୋକାନଠୁ ନେଇ ହୋଟେଲ୍, ବୈଦ୍ୟୁତିକ କ୍ରୟବିପଣୀ ମାନ ଇତ୍ୟାଦି । ନିଆଳି ମୁଖ୍ୟ ବଜାର ପରେ ଦ୍ଵାଦଶ ଶମ୍ଭୁମାନଙ୍କ ମଧ୍ୟରୁ କପିଳେଶ୍ଵର ଶମ୍ଭୁ ବିଦ୍ୟମାନ ଅଟନ୍ତି । ଏହା ଅପର ସ୍ଥାନ ହଳଦିବସନ୍ତ ଗ୍ରାମ । ରାସ୍ତା ବ୍ୟତୀତ ଉଭୟପାର୍ଶ୍ଵର ଭୂଇଁ ବେଶ୍ ଅସମତଳ ଓ ଗୁଳ୍ମାଚ୍ଛାଦିତ । ଏବେ ଆସେ ଜଲ୍ଲାରପୁର । ଛୋଟ ଛୋଟ ଗ୍ରାମ ମାଣିକପୁର, ତିହୁରୀ ଦେଇ ଅଡଶପୁର ମେଡିକାଲ ଛକ ଦେଇ ଥାଏ ଜଗତସିଂହପୁରକୁ ରାସ୍ତା । ଦୋକାନ ମାନେ ସମସ୍ତ ଗଳିକନ୍ଦିରେ ରହିଥାଏ ଯେମିତି ଗାଁମାନଙ୍କ ଗହଳରେ କୌଣସି ଜାଗାରେ ଖିରିପିଠା ଭୋଜି ଆସର ହେଉଛି ଠିକ୍ ଅବିକଳ ।
ଉକ୍ତ ଜଲ୍ଲାଲପୁରର ନାମକରଣ ସହ ମୁସଲମାନ ଇତିହାସ କେତେକ ଭାବରେ ଅନୁମାନ ମାତ୍ର କରିହେବାକୁ ଏପର୍ଯ୍ୟନ୍ତ କ୍ଷମ, ମାତ୍ର ସୁସ୍ପଷ୍ଟ ବିବରଣୀ ପ୍ରଣିଧାନଯୋଗ୍ୟ ହୋଇ ପାରିନାହିଁ । ଏଠାରେ ପ୍ରାଚୀ ନଦୀର ଚନ୍ଦ୍ରମୌଳି, ଲଳିତଧାର ଓ ଅନ୍ୟାନ୍ୟ କ୍ଷୁଦ୍ର ନିମ୍ନଗାମୀ ସ୍ରୋତ ବହି ଯାଉଥିବେ । ପରିତ୍ଯକ୍ତ କାଶୀବିଶ୍ଵନାଥ ମନ୍ଦିର, ବନ୍ଦରେଶ୍ଵର ମହାଦେବ, ଲଳିତ ମାଧବ ଏବଂ ଲକ୍ଷ୍ମୀ ନାରାୟଣ ମନ୍ଦିର ବିଦ୍ୟମାନ ଅଟେ । ସମୟର ଯେ ଧରଣର ଆକ୍ରୋଶ ଏମାନେ ସହ୍ୟ କରିନଥିବେ, ମାନବିକ ତ୍ରୁଟି ଓ ଅବହେଳାର ଦାୟରେ ଏମାନଙ୍କ ପତନାବସ୍ଥା ନବାଗତ ପର୍ଯ୍ୟଟକମାନଙ୍କୁ ସୁଦ୍ଧା ଅଗୋଚରରେ ନୁହେଁ । ଏଥି ସହ ନିଆଳିରୁ ଅଳ୍ପ ଦୂର ପରେ ମାଧବାନନ୍ଦ ଜୀଉଙ୍କ ସୁରମ୍ୟ ଦେଉଳ ।
(ବଇନତେୟ ଯାହା ଅଗ୍ରତେ ସ୍ଥିତ
ବଇକୁଣ୍ଠ-ପକ୍ଷକ-ଲୋକ ତୋଷିତ ଯେ” – ବିରଳ ଗରୁଡ ମୂର୍ତ୍ତି)
ବଇକୁଣ୍ଠ-ପକ୍ଷକ-ଲୋକ ତୋଷିତ ଯେ” – ବିରଳ ଗରୁଡ ମୂର୍ତ୍ତି)
ଜଲ୍ଲାରପୁରରୁ ପାରି ହେଇକି ଯେଉଁ ସ୍ଥାନଗୁଡିକ ଆମର ପରିପାର୍ଶ୍ଵରେ ଆସିବ, ରାମେଶ୍ୱର ନୋଡାଲ ବିଦ୍ୟାପୀଠ ଓ ତହିଁ ଉତ୍ତାରୁ ଟୋଲା ଗୋପୀନାଥପୁର ଅନ୍ୟତମ ଅଟନ୍ତି । ଟୋଲା ଗୋପୀନାଥ ପୁରର କେତେକ କୁକୁଡ଼ା ପାଳିତ କେନ୍ଦ୍ର ଓ ଗୋଚାରଣ ଭୂମି ପରେ ପଡେ ପନିମାଳ ଛକ । ଏଇଠାରୁ ବାମପଟେ ମାଧବ ପହଙ୍ଗା ରାସ୍ତା ଦେଇ ଗଲେ ଦୁଇ କିଲୋମିଟର ଭିତରକୁ ମାଧବାନନ୍ଦ ଜୀଉଙ୍କ ମନ୍ଦିର । ଗୋଟିଏ କିଲୋମିଟର ପରେ ବିନିଶିପୁର ଗ୍ରାମର ଫଳକ ପଢି ଆଗକୁ ମାଧବ ମନ୍ଦିର । ଏହି ଗ୍ରାମର ନାମ ହେଉଛି ମାଧବ ଗ୍ରାମ । ‘ନନ୍ଦିକେଶ୍ଵରୀ’ କାବ୍ୟ ମାଧ୍ୟମରେ ଏହାର ବର୍ଣ୍ଣନା ଦେଇଛନ୍ତି କବିବର ରାଧାନାଥ ରାୟ :
“ପୁନଙ୍ଗ ବିରହେ ଯହିଁ ବରାଙ୍ଗନା
ସ୍ମର ଛୁରି ମଣେ ଛୁରିଅନା ।
ଗ୍ରାମ୍ୟ-ସୀମନ୍ତିନୀ-ନିଶା-ଅଭିସାର
ଅନୁକୂଳ ବାଲି-ସ୍ତୂପାବଳୀ ଯା’ର ।
ସୁଗଭୀରା ପ୍ରାଚୀ-ତୀରେ ଅଭିରାମ,
ମାଧବ ସନାଥ ମାଧବାଖ୍ୟ ଗ୍ରାମ ।
ନିଆଳୀ ଯା କୁଞ୍ଜେ ପାଟ୍ଟଳି-ପ୍ରସୂନ
କାମିଙ୍କି ତରଜେ ଯେହ୍ନେ କାମ-ତୂଣ ।”
ପନିମାଳ ଛକରୁ ନିଆଳି ମାଧବ ଗ୍ରାମ ଅଭିମୁଖେ ଗଲା ସମୟରେ ରାଧାନାଥଙ୍କ ବର୍ଣ୍ଣନାର ପ୍ରତ୍ୟକ୍ଷଦର୍ଶୀ ହେବା ଯେପରି ବିଧେୟ । କାରଣ ଛୁରିଅନା, ତାଳ, ତମାଳ, ଅଶ୍ଵତ୍ଥ, ନଡିଆ, ନିଆଳୀ ବା ବଣମଲ୍ଲୀ, ସେବତୀ, ମରୁଆ, ଚମ୍ପା, କନିଅଁର, ପୁନ୍ନାଗ ଭଳି କେତେ ଜାତିର ପୁଷ୍ପସମ୍ଭାର ସହିତ କୋଣାର୍କର ସ୍ଵନାମପ୍ରସିଦ୍ଧ ବେଳାଭୂମି ତଟସ୍ଥ ମେରାଇନ୍ ଡ୍ରାଇଭ୍ ର ସ୍ମୃତି ଉଜ୍ଜୀବିତ ହୁଏ । ଅବଶ୍ୟ, ବେଳାଭୂମିର ସିକ୍ତ ଅନୁଭୂତି ଅଥବା ସେହି ଅବନତ ବୃକ୍ଷସ୍ତବକର ଗହନତା ନାହିଁ, ହେଲେ ଏଠାରେ ଶାରଦ, ଶିଶିର ଓ ବସନ୍ତ ଋତୁମାନଙ୍କ ପରସ୍ପର ମଧ୍ୟରେ ସମନ୍ୱୟ ଥିବାର ମନେ ହେଲା ।
ରାସ୍ତାଗୁଡିକ ବିଶେଷ ଓସାର ନଥିଲେ ମଧ୍ୟ ଭାରବାହୀ ଯାନବାହନଙ୍କ ଯିବା ଲାଗି ବିଶେଷ ସୁଲଭ ନୁହେଁ । କାରଣ ଖାଲଢିପ କେତେକ ବାଟରେ ଗହୀରିଆ ଥିବା ବେଳେ ଭାରବାହୀ ଯାନବାହନଙ୍କ ଲାଗି ସେତେଟା ପ୍ରଶସ୍ତ ବାଟ ନାହିଁ । କଡକୁ ଗୋଟିଏ ଛୋଟ ଅବବାହିକା ବିନିଶିପୁର ଗାଁ ଦେଇ ପଶି ପଳେଇ ଯାଉଥିବ । ତା ପାଖରେ ନୀଳବେଣୀର ଧାର, ନିବିଡ ପ୍ରବାହର ମୁଖର କଳକଳ ଧ୍ବନି ଅଥବା ପଦ୍ମମଣ୍ଡଳର ଝୋଟି ପରି ସମସ୍ତ ବିମଳ ଜଳାଶୟମାନଙ୍କ ଅନୁରୂପ ଆଡମ୍ଵରପୂର୍ଣ୍ଣତା ସ୍ଵଳ୍ପ ମାତ୍ର ନଥାଇ ପାରେ । କିନ୍ତୁ, ଆମର ପୂର୍ବକଥିତ ଅନୁଭୂତିରୁ ସୁଦ୍ଧା ଜାଣିହେବ ଯେ ଏଠାରେ ସୌନ୍ଦର୍ଯ୍ୟର ଲୀଳା ଆଗରେ କ୍ଷୁଦ୍ର ସ୍ରୋତ ସୁଦ୍ଧା ମଳିନତା ଧାରଣ କରେନି ।
(ନାଗଲିଙ୍ଗ ବା ଲୋକମୁଖରେ ନାଗଚମ୍ପା ବୃକ୍ଷ – Couroupita Guianensis)
ବିନିଶିପୁର ଗ୍ରାମ ପହଞ୍ଚି ସାରିଛୁ । ଚାରି ଛକ ପରି ସ୍ଥାନର ବାମ ପଟରେ ଅବବାହିକା ଓ ଅନ୍ୟ ଏକ ସାହି ଭିତରକୁ ମାର୍ଗ ପଡିଛି । ଆଗକୁ ଗଲେ କିଛି ବାଟ ଭିତରକୁ ବୋଧ ହୁଏ ଆମ ଗନ୍ତବ୍ୟ ସ୍ଥଳ ଆସିଯାଇପାରେ । କଡକୁ ଛୋଟ ଛୋଟ ଚାଳମଥାନ ଘର ସହ ଅଣ ଓସାରିଆ ରାସ୍ତା ଉପର ତଳ ହେଇ ଖୁବ୍ ବିସର୍ପିଳ ଓ କଙ୍କରିଳ ପଥ ଭାବରେ ସିଧାସଳଖ ମାଧବ ଗ୍ରାମର ଅପରପାର୍ଶ୍ଵରେ ମାଧବାନନ୍ଦ ଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚାଇ ଦେଇଛି । ସପ୍ତରଥ ଯୋଜନାର ବିମାନ ଓ ଜଗମୋହନ ଘେନି ଭବ୍ୟ ମନ୍ଦିର ଦୈବୀ କାରୁକାର୍ଯ୍ୟ ମାଧ୍ୟମରେ ପରିକଳ୍ପିତ ଦେଉଳ । ସେଠାରେ ପହଞ୍ଚିଲା ପରେ ଦର୍ଶନାର୍ଥୀ ଭାବେ ଭିତରକୁ ଗଲୁ । ମନକୁ ଆସୁଥିଲା:
“ଯେ ସ୍ଥାନେ ପ୍ରାଚୀଙ୍କ ବିଳାସ
ସେ ସ୍ଥାନେ ସର୍ବଦା ମୋ ବାସ ।
ହେ ଭଦ୍ରେ ସେ ସ୍ଥାନେ ଯେ ନର
ସାକ୍ଷାତେ ଦେଖ ଦାମୋଦର ।
ଚକ୍ର ମୁଦ୍ଗର ପଦ୍ମକର ।
ସାକ୍ଷାତେ ଚତୁର୍ବାହୁଧର ।।”
ସେ ସ୍ଥାନେ ସର୍ବଦା ମୋ ବାସ ।
ହେ ଭଦ୍ରେ ସେ ସ୍ଥାନେ ଯେ ନର
ସାକ୍ଷାତେ ଦେଖ ଦାମୋଦର ।
ଚକ୍ର ମୁଦ୍ଗର ପଦ୍ମକର ।
ସାକ୍ଷାତେ ଚତୁର୍ବାହୁଧର ।।”
(ପ୍ରାଚୀ ମାହାତ୍ମ୍ୟ, ୧୨ଶ ଅଧ୍ୟାୟ)
ଗ୍ରାମର ବର୍ଣ୍ଣନୀୟ ପରିପାଟୀ ମଧ୍ୟରେ କରଞ୍ଜ ପତ୍ରରେ ତାଳ ଫଳରୁ ଝଡିପଡୁଥିଲା ହେଁ ତମାଳ ଗହଳିରେ ସେ ଅତି ସନ୍ତର୍ପଣରେ ଦେଉଳ ପାଚେରୀକୁ ଲାଗି ରହି ବେଢା ଭିତରକୁ ପଡୁଥାଏ । ଛୁରିଅନା ଅସ୍ଫୁଟ ଅବସ୍ଥାରେ ମଧ୍ୟ ନାଗଚମ୍ପାର ଫଳବତୀ ଡାଳ ଆଡକୁ ଅକ୍ଳେଶରେ ଦୁରୂହ ଐତିହ୍ୟ ପ୍ରତି ସ୍ଵଗତୋକ୍ତି ଦେଉଥାଏ । ମଳୟାଗମର ଆନ୍ଦୋଳନ ସୁପ୍ତ ନିଳୟର ଉଦ୍’ଭ୍ରାନ୍ତ ଚେତନାକୁ ଦେଉଳର ଆଦିଗନ୍ତ ଚାପା ଉତ୍ତରା ପବନରେ ପାଛୋଟି ନେଉଥିଲା ମାଧବ ଗ୍ରାମର ଉପରମୁଣ୍ଡକୁ । ନିସ୍ତରିଲି ବୋଲି ପାଦ ବଢେଇ ଯାଉଥାଏ ।
ଯୁଗପତ୍ ମନେ ପଡିଗଲା ଦେଉଳକୁ ଚାହିଁ ଶୈଶବର ମୁହୂର୍ତ୍ତ । ଅବଶ୍ୟ ଏହି ତରୁଣ ବୟସରେ ତାହାକୁ ମୁଁ ଦେଇଛି ଏକ ପୁନରୁଦ୍ଧାର । ସମସ୍ତଙ୍କ ନିୟମିତ ଚିନ୍ତା ଲାଗିରହିବା ପଶ୍ଚାତ୍ ଶୈଶବର ଅବକ୍ଷୟ ପ୍ରଧାନତର ମାନ୍ୟତା ଅଟେ । ହେଲେ ତାହା ଏ କ୍ଷେତ୍ରରେ ମୋ ଠାବରେ ବରଂ କାଳର ଦୁର୍ନିବାର ସ୍ରୋତ ଆଗୁଳାଇ ଯେପରି ନିଆଳିର ଇତିହାସରେ ମନେ ପକେଇ ଦେଉଛି ଗଙ୍ଗବଂଶୀୟଙ୍କ ଉତ୍ଥାନ ଓ ପତନର କେତେ କଥା । ଇନ୍ଦ୍ରଭାର୍ଯ୍ୟା ଶଚୀଙ୍କ ଆଖିରେ ଯେଉଁ ପ୍ରାଚୀର ନୀଳିମା ତାଙ୍କ ଅବୟବକୁ ତିନ୍ତି ମସୃଣ କରେ, ତାହା ଆମ ଲାଗି କେଉଁ ଭଳି ପରିତ୍ୟକ୍ତ, ତାହା ମଧ୍ୟ ପ୍ରଶ୍ନବାଚୀ ସମଧିକ କୌତୂହଳ ।
(ନିଆଳି ମାଧବାନନ୍ଦଙ୍କ ସୁଦୃଷ୍ଟ ଜଗମୋହନ ଓ ଦେଉଳ)
ନିଆଳି ମାଧବାନନ୍ଦଙ୍କ ଦେଉଳର ଜଗମୋହନ ସମ୍ମୁଖରେ ଅର୍ଦ୍ଧାକୃତ ସ୍ତମ୍ଭ ପ୍ରୋତ୍ଥିତ ରହି ବିବର୍ଣ୍ଣ ଦୃଶ୍ୟମାନ ହେବାରେ ଆଗତ ପର୍ଯ୍ୟଟକଙ୍କ ପ୍ରଥମେ ଆଖିରେ ପଡୁଥିଲା । ତାହା ଥିଲା ଭଗ୍ନ ନାଟ ମଣ୍ଡପ ଯାହାର ଇତିହାସ ମନ୍ଦିରର ଇତିହାସ ସହିତ ଖୁବ୍ ଅର୍ବାଚୀନ । ଏହି ଧରଣରେ ପରିଭ୍ରମଣ କରିଲା ମଧ୍ୟରେ ଦେଉଳ ଲାଗି ଦୁଇଟି ନାଳ ସଦୃଶ ପଥ ଓ ଦେଉଳର ବାହ୍ୟ ପ୍ରାଚୀର ସଂଲଗ୍ନ ସ୍ନାନ ମଣ୍ଡପ ଦୃଶ୍ୟମାନ ହେବେ । ଭିତର ଜଗମୋହନ ଓ ଭୋଗମଣ୍ଡପ ପ୍ରାୟତଃ ସଂଯୁକ୍ତ । ଭୋଗ ମଣ୍ଡପଟି କାରୁକଳାମୟ ନ ହୋଇ ପରବର୍ତ୍ତୀ ସମୟରେ ନୀତିକାନ୍ତି ଓ ଲୋକୋପାସନାର ହେତୁ ସାଜି ଯତ୍ନପୂର୍ବକ ରାଜଅମଳରେ ବର୍ଦ୍ଧିତ ହୋଇଥିବାର ସ୍ପଷ୍ଟ ଅନୁମେୟ ।
ଦୁର୍ଲ୍ଲଭ ପୁଷ୍ପ ନାଗଚମ୍ପା ଆଜି । ତାହାର ଫଳ ବାରୁଦ ଗୋଳା ପରି କଳା ଯେତିକି ସୁଗୋଲ ମଧ୍ୟ ଅନୁରୂପ ଭାବେ । ପ୍ରଥମେ ବେଢା ପରିକ୍ରମା କରି ଉକ୍ତ ନାଗଚମ୍ପା ଫୁଲ ଓ ଫଳକୁ ପ୍ରତ୍ୟେକ ଲେଖାଏଁ ସାଇତି ରଖିଦେଲୁ । ଆସନ୍ନ ଭବିଷ୍ୟତ ଲାଗି ଏହାକୁ ପୂର୍ବସ୍ମୃତିର ଚାରଣା କରିବା ଆପାତତଃ ଅନାୟାସରେ ହୋଇବ । ଏହି ଭିତରେ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରୁ ଜଣେ ପିତୃପ୍ରତିମ ଓ ଖୁବ୍ ଯୁବା ସଦୃଶ ପ୍ରତୀୟମାନ ବ୍ୟକ୍ତି ଆସି ଆମକୁ ପୂଜକଙ୍କ ସହ ପରିଚୟ କରାଇଲେ । ତେଣିକି ତାଙ୍କ ସହିତ ଭେଟ ହେବା ପରେ ସେ ମଧ୍ୟ ଖୁବ୍ କାରୁଣ୍ୟରେ ମନ୍ଦିରର କିଛି ଇତିହାସ ଜଣାଇଲେ ।
ପୂଜକ ମହୋଦୟ ଜଣେ ପଚାଶ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଜଣାପଡୁଥିଲେ । ତାଙ୍କୁ ସମଗ୍ର ଗସ୍ତର ବୃତ୍ତାନ୍ତ ଜଣାଇବା ପରେ ସେ ହଠାତ୍ କୁଆଡେ ଚାଲିଗଲେ ମନ୍ଦିର ବାହାରକୁ । ଆମେ ଟିକିଏ ହତବମ୍ଵ ହେଇ ଠିଆ ହେଇଗଲୁ । ହଠାତ ଆମେ କିଛି ଅସୁବିଧା କଥା କହିଦେଲେ କି ? କିଛି ସମୟ ଅପେକ୍ଷା କରିଲା ପରେ ନନା ନିଜ ପଇତା ଦିହରେ କଞ୍ଚିକାଠି ଧରି ଆସୁଥିଲେ । ପ୍ରସନ୍ନଚିତ୍ତରେ କହି ଉଠିଲେ, “ଆପଣଙ୍କ ବଡ଼ ଭାଗ୍ୟ ହେଉ ଆଜ୍ଞା । ତେବେ ଆପଣ ନିଜେ ଭୁବନେଶ୍ଵରରୁ ଆସି କେବଳ ମାଧବଙ୍କୁ ଦର୍ଶନ କରିବାକୁ ଆସିଛନ୍ତି । ଆମେ ତ ପେଟପାଟଣା କରି ଯାହା ମହାପ୍ରଭୁଙ୍କ ପାଖରେ ସେବକ ମାତ୍ର ।”
ଆମକୁ ପୂଜକଙ୍କ ସହ ପରିଚିତ କରାଇଥିବା ଆଜ୍ଞା ଜଣେ ତଦନ୍ତରେ ଜଣାଇଲେ ଯେ ଇଏ ତରୁଣ ପୁଅଟିଏ ଛିଡା ହେଇଛି ସେ ମାଧବାନନ୍ଦଙ୍କୁ ସୁଦୂର ଭୁବନେଶ୍ୱରର ପଟିଆରୁ ଆସିଛନ୍ତି ତାଙ୍କ ସମ୍ପର୍କୀୟଙ୍କ ସହ ଦେଖିବାକୁ । ମୁଁ ଟିକିଏ ଲାଜ କରି ମୁଁ ଆସିଛି ବୋଲି ନ କହିପାରି ବରଂ ତାଙ୍କୁ ଏହି କଥାଟି ଜଣାଇବାକୁ ମୁଣ୍ଡିଆ ମାରି ଯୋଡହସ୍ତରେ ତାଙ୍କୁ ସମସ୍ତ କହିପାରିଲି । ଆଗହୁଁ ଭାବୁକ ଥିବା ନନା ଜଣକ ଆବେଗରେ ଉଚ୍ଛ୍ଵସିତ ହେଇ ଉଠିଲେ । କହିଲେ, “ବାପା, ତୁମର କୋଟି ପରମାୟୁ ହେଉ । ଆମକୁ ସିନା ମୁଣ୍ଡିଆ ମାରି ପକେଇଲ, ମୁଣ୍ଡିଆ ମରା ଦିଅଁ ପରା ଭିତରେ . . “
“. . ତୁମର ଆଜି ସତରେ ବଡ଼ ଭାଗ୍ୟ ସହରରୁ ଆସି ମାଧବାନନ୍ଦଙ୍କୁ ଆଖି ପୂରେଇ ଦେଖିବା ଲାଗି ମନ ବଳେଇଛ । ଆସ ଭିତରକୁ ।” ଏତକ କହି ଜଗମୋହନ ଭିତରେ ଆମକୁ ଠିଆ କରି କହିଲେ କିଛି କ୍ଷଣ ଠାଆ ହେଇ ଏଠାରେ ରାହା ନେବାକୁ । ଦ୍ଵାରର କିଳିଣୀ ପରଠୁ ଝୁଲୁଥିବା ତାଲାର ଠକ୍ କିନା ଖୋଲିବାର ଜାଣି ମୁଁ ବ୍ୟଗ୍ର ହେଇ ଛିଡା ହେଇପଡିଲି । ଆଖି ଆଗରୁ ଗର୍ଭଗୃହର ସୌନ୍ଦର୍ଯ୍ୟ ଦିଶୁଥାଏ । କିଛି ଗୋଟାଏ କାରୁକାର୍ଯ୍ୟ କାନ୍ଥର ନିଷ୍ପ୍ରାଣ ଚଟାଣରେ ବନ ମାଳତୀ ପରି ଲଟେଇ ହେଇଛି । ତାଙ୍କ ଉପରକୁ ଚାନ୍ଦୁଆର ଛାମୁଣ୍ଡିଆ । ତଳେ ଏକ ରମ୍ୟ ବିଗ୍ରହର ଛଟା ଆଖି ଆଗରେ ପଡିଲା ।
ଗର୍ଭଗୃହରେ ଉପଗତ ହୁଅନ୍ତେ କଳାମୁଗୁନିର ମସୃଣ ତନିମାର ତେଜୋଜ୍ଜ୍ଵଳ କାନ୍ତିରେ ଦିବ୍ୟତା ଓ ନୈପୁଣ୍ୟ ଆମ ନୟନଗତ ହୋଇଛି । ଚତୁର୍ଭୁଜ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣକର୍ତ୍ତୃକ ଶୋଭାସ୍ପଦ ବିଗ୍ରହ ରୂପରେ ବିଦ୍ୟମାନ । ବାମ ପାର୍ଶ୍ଵରୁ ଡାହାଣ ପର୍ଯ୍ୟନ୍ତ ମା ମହାଲକ୍ଷ୍ମୀ, ମା ସରସ୍ଵତୀ, ଶ୍ରୀ ଦୁର୍ଗାମାଧବ, ଜନ୍ମାଷ୍ଟମୀର ଆଣ୍ଠୁଆ ଗୋପାଳ ମୂର୍ତ୍ତି ଓ ଉପର୍ଯୁକ୍ତ ଚତୁର୍ଭୁଜ ବିଗ୍ରହଙ୍କର ସୁବର୍ଣ୍ଣର ବିଜେ ପ୍ରତିମା । ଗର୍ଭଗୃହରେ ନନା ବିଗ୍ରହଙ୍କ ନିକଟ କରାଇ ସାକ୍ଷାତ୍ ହୁଅନ୍ତେ ନନା ପ୍ରଗଲ୍ଭ ଭାବରେ ବିଗ୍ରହଙ୍କ ମହିମା ବ୍ୟାଖ୍ୟା କରୁଥାଆନ୍ତି । ଆମେ ଯାହା ତାଙ୍କ ଭାବ ଧାରାରେ ଅଂଶୀଦାର ହୋଇଥିବା ସ୍ରୋତ ମାତ୍ର ।
(ରାଜନ୍ଯବର୍ଗଙ୍କ ବର୍ଣ୍ଣନାଧର୍ମୀ ପରିବେଷଣ)
ଶ୍ରୀମାଧବାନନ୍ଦ ଜୀଉ । ଲୋକଶ୍ରୁତିରେ ମାଧବ ଜୀଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ହୋଇବେ ତେଣୁ ତାଙ୍କଠାରୁ ପ୍ରତ୍ୟହ ପ୍ରଥମାଷ୍ଟମୀରେ ପୋଢୁଆଁ ଭାର ନିଆଯାଏ । ମାତ୍ର ଚଳିତ ବର୍ଷ ପୋଢୁଆଁ ଭାର ଯିବା ପୂର୍ବରୁ ଏହା ଦୁଇବର୍ଷ ହେବ ଏ ନୀତିର ପୁନରୁଦ୍ଧାର ହୋଇଛି । ନନା କହିଲେ ଯେ କୌଣସି ଏକ ଦୁର୍ଭିକ୍ଷର ବିପତ୍ତି ପଡିଲା ଉତ୍ତାରୁ ଘଟଣାକ୍ରମେ ମାଧବାନନ୍ଦଙ୍କ ପୀଠରୁ ଶ୍ରୀକ୍ଷେତ୍ରକୁ ପୋଢୁଆଁ ଭାର ଯାଉନଥିଲା । ଦୁଇ କିମ୍ବା ତିନି ବର୍ଷ ହେବ ସେଠାରୁ ପୋଢୁଆଁ ଭାର ଯାଉଛି । ରଥଯାତ୍ରାରେ ପ୍ରଥମ ନିମନ୍ତ୍ରଣ ପାଇ ପୁରୀ ବିଜେ କରନ୍ତି ।
ଦେବସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ନିଆଳି ମାଧବାନନ୍ଦ ପୀଠରୁ ଫଳମୂଳ ଓ ମହୌଷଧି ଘେନି ଅଣସର ଭାର ମଧ୍ୟ ଶ୍ରୀମନ୍ଦିରକୁ ଯାଇଥାଏ । ଦକ୍ଷିଣ ଦ୍ଵାର ନିକଟରେ ପହଞ୍ଚିଲେ ଦଇତାପତି ସେବାୟତ ଏହାକୁ ଅଣସର ପିଣ୍ଡିକୁ ନେଇଯାଆନ୍ତି । ମନ୍ଦିରର ଅନେକ ଇତିହାସ ମଧ୍ୟରେ ଜଣାଯାଏ ଏହାର ନିର୍ମାଣ ୧୨୨୬ ଖ୍ରୀଷ୍ଟାବ୍ଦରେ କରିଥିଲେ ରାଜା ଦ୍ଵିତୀୟ ଅନଙ୍ଗଭୀମ ଦେବ । ମାଦଳାପାଞ୍ଜିରେ ମଧ୍ୟ ବର୍ଣ୍ଣିତ ଯେ ପୁରୀରେ ବଡ଼ଦେଉଳ ବ୍ୟତୀତ ପୁରୀ ବାହାରେ ତାଙ୍କ ଦ୍ଵାରା ନାନାବିଧ ଦେଉଳ କୀର୍ତ୍ତି ରଚନାର ପରିସରଭୁକ୍ତ ଅଟନ୍ତି । ଐତିହାସିକଙ୍କ ମତ ଘେନି ଦ୍ଵିତୀୟ ଅନଙ୍ଗଭୀମ ଦେବ ୧୧୭୫ ମସିହାରୁ ୧୨୩୮ ଯାଏଁ ଶାସନ କରିଥିଲେ ।
(ଦେଉଳର ନିମ୍ନଜଙ୍ଘାକୁ ଦିଗପାଳ ଓ ଅଳସୀକନ୍ୟା)
ରେଖା ଶୈଳୀରେ ଦେଉଳ ଓ ପୀଢ ଶୈଳୀର ଜଗମୋହନର ସମଗ୍ର ନିଆଳି ମାଧବାନନ୍ଦ ମନ୍ଦିରଟି ଅତ୍ୟୁଚ୍ଚ ସ୍ଥାନରେ ତିଷ୍ଠିବା ସହିତ ସମୁଦାୟ କ୍ଷେତ୍ରଫଳ ଏହାର ଆପାତତଃ ୪୦,୦୦୦ ବର୍ଗଫୁଟ୍ ହେବ । ଏହାର ଦୁଇଟି ଦ୍ଵାର ରହିଛି ଯାହା ମଧ୍ୟରେ ପୂର୍ବମୁଖୀ ସିଂହଦ୍ଵାର ଏବଂ ଦକ୍ଷିଣମୁଖୀ ଦ୍ଵାର ବ୍ୟାଘ୍ରଦ୍ଵାର ନାମରେ ଅଭିହିତ ହୋଇଥାଆନ୍ତି । ସିଂହଦ୍ଵାର ହିଁ ମନ୍ଦିରର ପ୍ରମୁଖ ପ୍ରବେଶପଥ ହୋଇଥିଲେ ହେଁ ମନ୍ଦିରର ମନୋରମ ଦୃଶ୍ୟପଟ ଆଙ୍କି ହେଇଗଲା ପରି ପୂର୍ବପଟକୁ ଦେଉଳ ଚାହିଁବା କ୍ଷଣି ଭୁବନେଶ୍ୱର ସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବଡ଼ଦେଉଳ ପରି ପ୍ରତୀୟମାନ ହୋଇଥାଏ ।
(ବ୍ୟାଘ୍ର ଦ୍ଵାର)
ମନ୍ଦିରର ଦେଉଳ ସବୁଜିମା ଘେରା ଜାଗତିକ ତମଃସିନ୍ଧୁର ଉଲ୍ଲୋଳ ମଧ୍ୟରେ ମର୍କତଶିଖରୀର ଆବେଶ ଘେନି ଉତ୍ତୁଙ୍ଗ ହୋଇଛି । ଭଗବଦ୍ ବିଧାନର କର୍ତ୍ତୃତ୍ଵ ଯେଉଁଠି ଶୋଭାଶୃଙ୍ଖଳ ହୋଇ ବିଶ୍ଵର ମାନସକ୍ଷେତ୍ରରେ ନିଜର ସ୍ଵତନ୍ତ୍ର ଏକ ‘ବିଶ୍ଵ’ ଗଢିବାରେ କୀର୍ତ୍ତିରାଜିଙ୍କ ଦୌତ୍ୟ କରୁଛି, ତାହାର ଗହୀର ସ୍ଥାପତ୍ୟରେ ଦୌଡନିମଗ୍ନ ସଂସାର । ଚିତ୍ରଗୁମ୍ଫିତ ପରିସର ଅନ୍ତରାଳରେ ପଶିଗଲେ ମନ୍ଦିରର ତାହାର ଜଙ୍ଘ ଭାଗ ଓ ବିମାନର ଏକାଧିକ ଭାଗ ଚଳଚ୍ଚିତ୍ର ରିଲ୍ ପରି କ୍ରମରେ ସଜ୍ଜୀକୃତ । କେଉଁଠି ଯୁଦ୍ଧାରୋହୀ ଅଶ୍ଵ ଉପରେ ରାଜାଙ୍କ ବୀରତ୍ଵର ଠାଣିକୁ ନୃତ୍ୟରତ ବିଳାସୀ ବ୍ୟକ୍ତିମାନଙ୍କୁ ସ୍ନିଗ୍ଧ ସମୀର ଲୟ ପ୍ରଦାନ କରୁଛି ।
(ବାମପାର୍ଶ୍ଵରେ ଜଗମୋହନର ଛବି ଏବଂ ଯୋଡହସ୍ତ ଗରୁଡ)
ନିଆଳି ମାଧବାନନ୍ଦ ପୀଠକ୍ଷେତ୍ର ଦେଉଳର ତିନି ଭାଗରେ ଗଠିତ ହୋଇଛି ମାତ୍ର ପ୍ରଥମ ଭାଗକୁ ଛାଡିଦେଲେ ଅପର ଦୁଇଟି ଭାଗ ପରବର୍ତ୍ତୀ ସମୟର ନିର୍ମାଣ ଭାବେ ବିଚାର କରାଯାଏ । ଆମେ ଯେତେବେଳେ ପୀଠକ୍ଷେତ୍ର ଦର୍ଶନ କରୁଥାଉ, ସେତେବେଳେ ଆମ ଦୃଷ୍ଟି ପଡେ ଦେଉଳର ଭୋଗ ମଣ୍ଡପ ସହିତ ସମ୍ପୂର୍ଣ୍ଣ କାରୁକାର୍ଯ୍ୟ ଉପରେ ଥିବା ଦେଉଳର ପ୍ରତିପତ୍ତି ଉପରେ ! ଦେଉଳ ନିରେଖିବାକୁ ଯାଇ ନିମ୍ନ ଜଙ୍ଘରେ ଦେଖୁ ଅଷ୍ଟ ଦିଗପାଳଙ୍କ ସହ ଉପର ଜଙ୍ଘରେ ତାଙ୍କ ଧର୍ମାଙ୍ଗୀମାନଙ୍କ ପ୍ରତିକୃତି ଲବ୍ଧପ୍ରତିଷ୍ଠ ଅଟନ୍ତି । ଅଗ୍ନି, ଯମ, ବରୁଣ, ବାୟୁ ଓ ଈଶାନଙ୍କୁ ଠିଆ ହେଇଥିବାର ଦେଖି ହେଉଥିବା ବେଳେ ଇନ୍ଦ୍ର ଏବଂ ଇନ୍ଦ୍ରାଣୀ ବସିରହିଛନ୍ତି ।
ଏମାନଙ୍କ ମଧ୍ୟରେ ଦେଖିବା ଅନ୍ୟତମ ବିଷୟ ସ୍ଵରୂପ ବିଦ୍ୟମାନ ଯାହା, ତାହା ହେଉଛି ନିମ୍ନ ଜଙ୍ଘ ଆଡକୁ ଦିଗପାଳଙ୍କ ପାର୍ଶ୍ଵପଟ ନାଗବନ୍ଧ ଦ୍ଵାରା ଶୋଭା ପାଉଛି । ଉତ୍ତର ଓ ଦକ୍ଷିଣ ପଟର ଜଙ୍ଘ ଭାଗରେ ଏମାନେ ପ୍ରତିପନ୍ନ ଥିବାବେଳେ ଉପର ଜଙ୍ଘରେ କାମୋଦ୍ଦୀପକ ନରନାରୀଙ୍କ ଛବି ଯେଉଁ ଧରଣର ପରିକଳ୍ପନା କରାଯାଇଛି, ତାହା ରାଜସଭାର ପ୍ରଭାବ ରୂପେ ଦେଖା ଯାଇପାରେ । କାରଣ, ସେମାନଙ୍କ ଭଙ୍ଗୀ ତାଙ୍କ ଭୂମିକାର ନିର୍ବହନ କଥା କହୁଛି । କେଉଁଠି ପଦଦ୍ଵନ୍ଦ୍ଵ ଓ ଦୁଇ ହସ୍ତର ଲାଜ ଜନିତ ଭଙ୍ଗୀ, ଅଙ୍ଗନାର ଶିଞ୍ଜିତ ନୂପୁରକୁ ବଜେଇ ଗୋଟିଏ ପାଦ ଉତ୍ତୋଳିତ ରଖି ଦୁଇ ହସ୍ତକୁ ଉପରେ ଧରିବା ଖୁବ୍ ଆକୃଷ୍ଟ କରେ ।
ତରୁଣ ବୟସୀ ପଦ ମିଳାଇ ଠିଆ ହେଇଥିବ। ବୃକ୍ଷର ଦୋଳାୟିତ ଗହଳକୁ ଲାଗି ତାହାର ଚେରରେ, ଯେଉଁଠି ଈଷଦ୍ଧାସ୍ୟରେ ଅବନତ ଚନ୍ଦ୍ରଲପନ ତଳେ ପଦପାତରୁ ଫୁଟାଇପାରୁଛି ମେଦୁରବାସୀ ପୁଷ୍ପସମ୍ଭାର । କୁଚ ପଟରୁ ଗଳାର ହାର ବିକୀର୍ଣ୍ଣ ମୁକୁତା ସମାନ ତଳକୁ ଓହଳି ପଡି ତା ବକ୍ଷର କୁଜା ଲଜ୍ଜାର ଭାରକୁ ଦୂର ଯାଏଁ ନିକ୍ଷେପ କରୁଛି । ଦକ୍ଷିଣ ପଟକୁ ତ ଗୋଟିଏ ଶ୍ମଶ୍ରୁମଣ୍ଡିତ ପୁରୁଷର ପ୍ରୌଢ ଛବି ମଧ୍ୟ ସେଠାରେ ନିଜ ଅବନତ ବଦନକୁ ପଦ୍ମଦଳ ଉପରେ ଠିଆ ହେଇ ନୃତ୍ୟ ଶୈଳୀରେ ତିଷ୍ଠି ରଖିଅଛି । କଳରବ ମଧ୍ୟରେ ସେମାନଙ୍କ ପ୍ରଶାନ୍ତିରେ ତରଙ୍ଗ ପ୍ରଭାସିତ ହେଉଥିଲା ପୂର୍ଣ୍ଣତଃ ଚଳଚ୍ଚିତ୍ର ସମାନ ।
(ବରାହ)
ହତଭାଗା ଆଧୁନିକ ସଭ୍ୟତାର କୁତ୍ସିତ ବୁଦ୍ଧି ଯୋଗୁଁ ଅନେକ ଅବକ୍ଷୟ ସ୍ଥାନରେ ପଲସ୍ତରା ଲଗେଇ ସେ ସ୍ଥାନକୁ ସମତଳ କରି ଦିଆଯାଇଥିଲେ ମଧ୍ୟ ଏହାର କୀର୍ତ୍ତିର ବିବିଧତାରେ ନିଜର କଳୁଷ ଲେପି ନ ପାରେ । ବିଷମ ଶିଳାର ରୀତି ନବଜାତ ସୌନ୍ଦର୍ଯ୍ୟକୁ ପିଢି ପରେ ପିଢି ନିଦର୍ଶନ ଭାବରେ ଦଣ୍ଡାୟମାନ ହୋଇ ଚାଲିଛି । ଏହା ନିତାନ୍ତ ଆଶ୍ଚର୍ଯ୍ୟଜନକ ସବୁବେଳେ ଯେ ଶିଳାରେ ମନୋଜ୍ଞ ସମ୍ପଦକୁ କେହି ଲୁଣ୍ଠନ କରିବାର ଉଦ୍ୟମ କରିପାରି ନାହାନ୍ତି । ଐତିହ୍ୟର ଲୁଣ୍ଠନ ଯଦି ହୋଇପାରିଥାଆନ୍ତା, ତାହାଲେ କୀର୍ତ୍ତିରାଜିର ନଶ୍ଵରତା ମନୁଷ୍ୟର ଆୟୁ ଅପେକ୍ଷାକୃତ କ୍ଷୀଣତର ପାଲଟି ଯାଆନ୍ତା ।
ଉପାସକଗଣ ସେଥିପାଇଁ କାହିଁ କେତେ ସେବା ଖଞ୍ଜା ନ ପାଇ ଭାଗ୍ୟବନ୍ତ ରୂପେ କଳନା କରୁନଥିବେ । ଆମେ ଯେତେବେଳେ ମନ୍ଦିର ପଛପଟକୁ (ପଶ୍ଚିମକୁ) ଆସିଗଲୁ, ସେଠି ଦେଉଳକୁ ମୁଣ୍ଡରୁ ଗଣ୍ଡି ପର୍ଯ୍ୟନ୍ତ ଦେଖିଲା ପରି ଆଖି ନିଟୋଳେଇ ଗଲୁ ସେଠାରେ । ଅପାଂକ୍ତେୟ ପଥୁରିଆ ଦେହ ଦିନେ ଏପରି ହେଇ ଯାଇଛି ଯେ ସମୟର ପ୍ରବାହରେ ବ୍ୟାହତ ନ ହୋଇ ସୁବିନ୍ୟସ୍ତ କୀର୍ତ୍ତିକୁ ବିମାନରୁ ନେଇ ଉପରଜଙ୍ଘ, ବାଡ, ରାହାପାଗ ଓ ପୀଠ ଦେଶ ଯାଏଁ ଦେଖିଲେ, ଆଖିକୁ ପଥର ବି ପୁଣ୍ୟର ଫୁଲ ହୋଇ ଗୋଟା ପଣେ ଫୁଟି ଉଠିଛି । ଅପରାହ୍ଣ କ୍ରମଶଃ କୁଜ୍ଝଟିରେ ଘୋଟି ହେବାକୁ ବସିଥାଏ ।
(ଜଗମୋହନର ଅପରପାର୍ଶ୍ଵରୁ ଅଳସୀକନ୍ୟାଙ୍କ ବୃକ୍ଷ ଦୋହଦ ଦୃଶ୍ୟ ସହିତ
ଉପର ଭାଗରେ ରାଜାଙ୍କ ଯୁଦ୍ଧଯାତ୍ରା ଛବି)
ନିଆଳି ମାଧବାନନ୍ଦ ଦେଉଳର ଜଗମୋହନ ଠାରେ ପୀଢ ଶୈଳୀର ଦେଖିବାକୁ ଗଲା ବେଳେ ମୋର ମନେ ହେଲା ଯେପରି ସମସ୍ତ ଗଙ୍ଗବଂଶୀୟଙ୍କ ନିର୍ମାଣରେ ନିର୍ମାତାଙ୍କ ଛବି ମଣ୍ଡନ କରାଯାଇଥାଏ, ଏଠି ମଧ୍ୟ ନିଶ୍ଚୟ ତାହା ସେପରି ଦେଖିବାକୁ ମିଳିବ । ସ୍ପଷ୍ଟତଃ ନ ଦିଶୁଥିଲେ ମଧ୍ୟ ଦକ୍ଷିଣପାର୍ଶ୍ଵକୁ ଜଣେ ବିଭୂଷିତ ରାଜପୁରୁଷ ଗଜାରୋହୀ ହୋଇ ଯୁଦ୍ଧକାଳୀନ ଚିତ୍ରରେ ପର୍ଯ୍ୟବସିତ ହୋଇଛନ୍ତି, ଯାହାକୁ ରାଜାଙ୍କର କୌଣସି ଏକ ଯୁଦ୍ଧ ବିଗ୍ରହର ବିଷୟ କହିହବ । କିଛି ସ୍ଥାନରେ ଜୀବଜନ୍ତୁଙ୍କ ଚିତ୍ର ସହ ସାଧାରଣ ଜନଜୀବନର ଚିତ୍ର, ନରବିଡାଳ, ଗଜବିଡାଳ ଓ ସିଂହ ବିଡାଳ ପ୍ରଭୃତି ଦେଖି ହେଉଥାଏ ।
(ସିଂହ ବିଡାଳ)
ପାର୍ଶ୍ଵଦେବତା ଭାବରେ ପଶ୍ଚିମକୁ ନୃସିଂହ, ଦକ୍ଷିଣକୁ ବରାହ ଏବଂ ପୂର୍ବପଟକୁ ତ୍ରିବିକ୍ରମ ବାମନଙ୍କ ବିଗ୍ରହ ଦେଖିହବ। ନିଆଳି ମାଧବାନନ୍ଦ ଶ୍ରୀଜିଉଙ୍କ ନୀତିକାନ୍ତିମାନଙ୍କ ବିଷୟରେ କହିବା ପୂର୍ବରୁ ନିଶ୍ଚିତ ତାଙ୍କ ସମ୍ପର୍କରେ ଥିବା ଅପୂର୍ବ କିମ୍ଵଦନ୍ତୀର ଅବତାରଣା ଆମେ ଜାଣିବାରେ ନିଶ୍ଚିତ କୌତୂହଳର ଉଦ୍ଦୀପନା କରୁଥିବ । ଆମ ଓଡ଼ିଆ ସାହିତ୍ୟର ବିଖ୍ୟାତ ତଥା ମାତୃଭାଷାର ଆଦିମ ପରିଚୟ ଦେଇ ପୁରପଲ୍ଲୀରେ ସିଦ୍ଧି ଦେବାକୁ ଆଣ୍ଟ ଭିଡି ଓଡ଼ିଆ ପ୍ରାଣର ମହାଭାଷ୍ୟକାର ଶୂଦ୍ରମୁନି ସାରଳା ଦାସ ନିଜ ରଚିତ ଓଡ଼ିଆ ‘ମହାଭାରତ’ ମାଧ୍ୟମରେ ନିଆଳିର ମାଧବାନନ୍ଦଙ୍କ ବିଷୟରେ ବିଶେଷ ତଥ୍ୟ ଦେଇଅଛନ୍ତି । ସେ ସମ୍ପର୍କରେ ଆମ୍ଭେ ଜଣାଇଲୁ ।
(ତ୍ରିବିକ୍ରମ ବାମନ)
‘ସାରଳା ମହାଭାରତ’ ମାଧ୍ୟମରେ ଗୋମୁଖୀ କେଶବଙ୍କ ସମ୍ପର୍କରେ ଅବତୀର୍ଣ୍ଣ କରାଇ ବର୍ଣ୍ଣନାପାଟବ ଦେଖାଇ ଅଛନ୍ତି କିମ୍ଵଦନ୍ତୀର ଅପୂର୍ବ ନିଦର୍ଶନ ମାଧ୍ୟମରେ । ଏକଦା ସତ୍ୟ ଯୁଗରେ ଶିବ ଋଷିସ୍ଵରୂପ ଧରି ଗଙ୍ଗାକୂଳ ନିକଟରେ ତପୋରତ ଥିବା ବେଳେ ସେ କୁଶ ସଜାଇ ଶୁଖାଇଥିଲେ । ଗୁଚ୍ଛାକାର କରି ଷୋହଳ ଗୋଟି ଏପରି ରଖିଥିଲେ ହେଁ ତାହାକୁ ଜଣେ ଗାବ ଆସି ଅଜ୍ଞାତସାରରେ ଦୁବଘାସ ମଧ୍ୟରେ ଦେଖି ଭୁଞ୍ଜି ଦେଇଗଲା । ସେ ଥିଲେ ନନ୍ଦିନୀ, ସୁରଭି ଗାଈର ସନ୍ତତି । ତଦନ୍ତରେ ମହାଦେବ ଜାଣି କୋପ କଲାରୁ ମହାଭୈରବ ରୂପ ଧାରଣପୂର୍ବକ ଗାବର ଶିରଶ୍ଛେଦ କରି ପ୍ରମତ୍ତ ହେଲେ ଓ ତ୍ରିଦିବକୁ ଭୀତତ୍ରସ୍ତ କରାଇଲେ ।
ହିଂସ୍ର ଦୈତ୍ୟ, ବୈରାଗୀ ଋଷି ଓ ତପୀ, ସ୍ଵର୍ଗପୁରରେ ଦେବଗଣଙ୍କ ସମେତ ସମଗ୍ର ଧରାପୃଷ୍ଠରେ ଆତଙ୍କ ଖେଳିଗଲା । ସମସ୍ତ ଦେବତା ମହାଭୈରବ ରୂପରେ ହତହୃଦୟ ପଶ୍ଚାଦ୍ ଧାବମାନ ଥିଲେ ହେଁ ନାରାୟଣ ଶଙ୍କରଙ୍କ ପ୍ରମତ୍ତ ରୂପକୁ ଅଟ୍ଟହାସ୍ୟ କରିଲେ । ମଦପାନ କରି ଅଜ୍ଞାନବଶତଃ ମାଂସ ଭକ୍ଷଣ କରିବା ଶଙ୍କରଙ୍କ ପକ୍ଷେ କେଡେ ଦୁରୂହ କଥା ହେଲା, ଏହା ଶୁଣି ଶଙ୍କର ଅଭିଶାପ ଦେଲେ । ପରେ ନାରାୟଣଙ୍କ ଶିର ଉପରେ ମାଡ କରି ନିଜ ଗଳାରେ ଲମ୍ଵମାନ ଗୋମାତାର ମୁଣ୍ଡ ଗୋଟିକୁ କେଶବଙ୍କ ଶିରସ୍ଥାନରେ ଜୀବନ୍ୟାସ ଦେବାରୁ ସେ ହେଲେ ‘ଗୋମୁଖୀ କେଶବ’ ଅବତାର ।
ଏହି ଗୋମୁଖୀ କେଶବ ଯେତେବେଳେ ସାଗରସିଂହ ନାମଧେୟ ଦୈତ୍ୟର ସଂହାର କରିଥିଲେ, ସେତେ ବେଳେ ଅସୁର ଦ୍ଵାରା ସୃଷ୍ଟିର ବିନଷ୍ଟ ଅଠାଇଶ କୋଟି ଜୀବମାନଙ୍କୁ ପୁନର୍ବାର ବ୍ରହ୍ମା ଓ ବିଶ୍ଵକର୍ମାଙ୍କ ସହ ସର୍ଜନା କଲେ । ଗୋମୁଖୀ କେଶବଙ୍କ ଲାଞ୍ଜ ପଟରୁ ଉକ୍ତ ସୃଷ୍ଟି ସମୟରେ ପ୍ରାଚୀ ନଦୀର ଉତ୍ପତ୍ତି ଘଟିଲା ଏବଂ ଅଶୀ ହଜାର ଗନ୍ଧର୍ବ ତାହାଙ୍କୁ ଧରାପୃଷ୍ଠରେ ଭୂମିଖନନ କ୍ରମେ ଅବତୀର୍ଣ୍ଣ କରାଇଥିଲେ । ଯେତେବେଳେ ଭୂଖନନ ହେଉଥିଲା ସେହି ସମୟରେ କୋଦାଳ ବାଜି କେଶବଙ୍କ ଲାଞ୍ଜ କଟିଯାଏ ଓ ଆଠଗୋଟି ଖଣ୍ଡ ହେଇ ପ୍ରାଚୀକୂଳର ‘ଅଷ୍ଟଶମ୍ଭୁ’ ଭାବେ ଆବିର୍ଭୂତ ହୁଅନ୍ତି ।
(ହିରଣ୍ୟକଶିପୁ ବିଦାରଣକାରୀ ଉଗ୍ର ନୃସିଂହ)
ଏଥର ଦ୍ବାପର ଯୁଗର କଥା । ବନବାସୀ ପଞ୍ଚୁ ପାଣ୍ଡବ । ଭାରତବର୍ଷର ଦିଗ୍’ବିଜୟୀ କୁରୁବଂଶର ପଞ୍ଚ ଧର୍ମପ୍ରାଣ ଭାଇମାନେ ବନବାସ କାଳରେ ତୀର୍ଥାଟନ କରୁଛନ୍ତି । କପିଳାସର ଚନ୍ଦ୍ରଶେଖର, ଚିତ୍ରୋତ୍ପଳା ନଦୀ ତୀରରେ ଉତ୍ପଳେଶ୍ଵର ଓ ଅମରେଶ୍ଵରଙ୍କୁ ପୂଜିଲା ପରେ ପହଞ୍ଚିଛନ୍ତି ଦକ୍ଷିଣ ପଟକୁ । ଦକ୍ଷିଣାଭିମୁଖୀ ପଞ୍ଚୁପାଣ୍ଡବ ପବିତ୍ର ଏକାମ୍ରକ୍ଷେତ୍ରରେ ପହଞ୍ଚି ବିନ୍ଦୁସାଗରରେ ସ୍ନାନ କରିଲେ । ଏହିଠାରୁ ସେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ପଞ୍ଚଗୋଟି ଲିଙ୍ଗ ସ୍ଥାପନା କରିଥିଲେ । ବର୍ତ୍ତମାନ ସେମାନେ ଅଗ୍ନିକୋଣ (ଦକ୍ଷିଣପୂର୍ବ) ରେ ଗତି କରି ପୁରାଣପବିତ୍ର ପ୍ରାଚୀ ନଦୀ ପାଖରେ ଉପଗତ ହୁଅନ୍ତି ।
“ଲୋମଶ କହିଲେ ଯେ ଗୋପ୍ୟାନ ତୀର୍ଥ ପ୍ରାଚୀ
ସତ୍ୟଯୁଗେ ସ୍ରାହାନ ୟେଣେ କରୁଥିଲେ ଶଚୀ ।”
ଚମ୍ପା ଆଦି ଶାଖୀ ଲତାଗୁଳ୍ମ କୁସୁମରହିତା
ଅକାଳେ ହେବାକୁ ପୁଷ୍ପମୁଖ ଯେ
ଚାରିଜାତି ନିତମ୍ଵିନୀ ପ୍ରଧାନ ଯେ ଏହା
ଘେନି ରଚୁଁ ହୋଇ ଦୋହଦ ମୁଖ ଯେ ।
(ରସପଞ୍ଚକ, ଉପେନ୍ଦ୍ର ଭଞ୍ଜ)
ଅକାଳେ ହେବାକୁ ପୁଷ୍ପମୁଖ ଯେ
ଚାରିଜାତି ନିତମ୍ଵିନୀ ପ୍ରଧାନ ଯେ ଏହା
ଘେନି ରଚୁଁ ହୋଇ ଦୋହଦ ମୁଖ ଯେ ।
(ରସପଞ୍ଚକ, ଉପେନ୍ଦ୍ର ଭଞ୍ଜ)
ପ୍ରାଚୀନ ସରସ୍ଵତୀ ନଦୀ ଯେତେବେଳେ ପୂର୍ବ ଦିଗରେ କନକାଚଳରୁ ଅବତୀର୍ଣ୍ଣା ହୋଇ ସମୁଦ୍ରାଗ୍ନି ଲିଭାଇଥିଲେ, ସେତେବେଳେ ତାହାଙ୍କ ନାମ ହୋଇଥିଲା ପ୍ରାଚୀ । ଏହିଠାରେ ଇନ୍ଦ୍ରପତ୍ନୀ ଶଚୀ ନିତ୍ଯ ସ୍ନାନ କରିବା ସହିତ ଏହା କୂଳରେ ଅବସ୍ଥିତ ଅଷ୍ଟଶମ୍ଭୁଙ୍କୁ ପୂଜା କରି ସ୍ଵର୍ଗଲୋକକୁ ଯାଉଥିଲେ । ହେଲେ କ୍ରମଶଃ ଘୋର ବିପନ୍ନ ହେଲା ପ୍ରାଚୀର ତଟ । ଇନ୍ଦ୍ରଦେବ ଅସୁରମାନଙ୍କ ଉପଦ୍ରବ ଓ ବାସ ଦେଖି ଖୁବ୍ ଭୟଭୀତ ହେଇ ଅଶୀ ହଜାର ଗନ୍ଧର୍ବଙ୍କୁ ଶଚୀଙ୍କ ସୁରକ୍ଷା ଲାଗି ଖଞ୍ଜିଦେଲେ । ତେବେ ଅସୁର ଉପଦ୍ରୁତ ପ୍ରାଚୀକୂଳରେ ମାଧବ କେଉଁଠି ଅବସ୍ଥାନ କରୁଥିଲେ ?
ଏହି ସ୍ଥାନରେ ପ୍ରଥମତଃ ରକ୍ଷ ଓ ଭକ୍ଷ ନାଁରେ ଦୁଇ ଦୁଷ୍ଟ ରାକ୍ଷସ ରହୁଥିଲେ ଏବଂ ବଂଶାନୁକ୍ରମେ ହେତି, ପ୍ରହେତି ତାଙ୍କ ପୁତ୍ର ଭାବେ ବଜ୍ରାଙ୍ଗ, କାଳାନଳ ଏହି ପରବର୍ତ୍ତୀ ଦୁହିଁଙ୍କ ଉତ୍ତରସୂରୀ ଭାବେ ଜନ୍ମଗ୍ରହଣ କରି ଥାଆନ୍ତି । ବଜ୍ରାଙ୍ଗର ପୁଅ ମାଳୀ, ସୁମାଳୀ ଓ ମାଲ୍ଯବନ୍ତ ହୁଏ ଯାହା ମଧ୍ୟରେ ମାଲ୍ୟବନ୍ତର ପୁଅ କେତୁମାଳୀ, ତାହାର ପୁତ୍ର ପୁଣି ଅଂଶୁମାଳୀ ନାଁରେ ଜନ୍ମ ନିଏ । କାଳୀ ଓ ଗୋପାଳୀ ଏହାର ପୁତ୍ର ଥିଲେ । ଗୋପାଳୀର ଯେଉଁ ଭାନୁବନ୍ତ ନାଁରେ ତନୟ ଜନ୍ମିଲା, ତାହାଙ୍କର ତିନିପୁତ୍ର ହେଉଛନ୍ତି କୀର୍ତ୍ତନ, କୀର୍ତ୍ତିବାସ ଏବଂ ଆରଡେକ (କେହି କେହି ଏରଣ୍ଡେକ) ମଧ୍ୟ କହିଥାଆନ୍ତି । ଉପାଖ୍ୟାନର ଏହି ତିନିଜଣ ମୁଖ୍ଯ ଚରିତ୍ର ।
(ଜଗମୋହନ)
କନିଷ୍ଠ ଆରଡେକ ଦୈତ୍ୟ ପ୍ରାଚୀ କୂଳରେ ବସା ବାନ୍ଧି ରହିଲା ମାତ୍ର କୀର୍ତ୍ତନ ଓ କୀର୍ତ୍ତିବାସଙ୍କୁ ଗୋପାଳୁଣୀ ରୂପେ ମାତା ପାର୍ବତୀ ନିହତ କରାଇଥିଲେ । ତୀର୍ଥାଟନ ଅବ୍ୟାହତ ରଖି ପାଞ୍ଚ ଭାଇ ଲୋମଶ ଋଷିଙ୍କ ସହ ପ୍ରାଚୀତୀର୍ଥ ପାଖରେ ପହଞ୍ଚିଲେ । ତୀର୍ଥର ସ୍ନାନ ଓ ଗନ୍ଧବହ ସର୍ବାଦୌ ପୂତମନାର ବାଞ୍ଛା । ନଦୀ ମଧ୍ୟରେ ଦେହ ତିନ୍ତି ହେଇ ଧର୍ମାଚାରଣ କଲା ସମୟରେ ଯୁଧିଷ୍ଠିର ଅକସ୍ମାତ୍ ସ୍ଥିର ରହିଗଲେ । ତାଙ୍କ ସ୍ନାନ ସ୍ଥଳରେ କୌଣସି ବିଗ୍ରହ ଦୃଶ୍ୟମାନ ହେଉଛି । ଦେଖିଲା ବେଳକୁ ଊର୍ଦ୍ଧ୍ଵବାହୁରେ ଶଙ୍ଖ ଓ ଚକ୍ରର ଅବିରାମ ଛଟା ଧରି ପଦ୍ମହସ୍ତ ମାଧବ ମୂର୍ତ୍ତି ପ୍ରତ୍ୟକ୍ଷ ହୋଇ ଅଛନ୍ତି ।
ଏହି ଦିବ୍ୟ ମାଧବ ମୂର୍ତ୍ତିଙ୍କୁ ଆରଡେକ ଦୈତ୍ୟ ଉପାସନା କରୁଥିଲା ଏବଂ ତାହାରି ଉପଦ୍ରବରେ ପ୍ରାଚୀତୀର୍ଥ ନିଶୂତିରେ ରହି ଯାଇଥିଲା । ସ୍ଵର୍ଗ ଓ ମର୍ତ୍ତ୍ୟ ତାହାର ଉପଦ୍ରବକୁ ଦର୍ଶାଇ ଶଚୀଙ୍କୁ ମଧ୍ୟ ସ୍ନାନ ନ କରିବା ଲାଗି ଏଠାରେ ଦେବର୍ଷି ନାରଦ ଇନ୍ଦ୍ରଙ୍କୁ ଅବଗତ କରାଇଥିଲେ । ତେଣୁ ଯେତେବେଳେ ଆରଡେକ ଦୈତ୍ୟ ଏହି ସ୍ଥାନକୁ ଆଗମନ କରେ, ସେତେବେଳେ ଏ ଜାଗା ଏକ ଘୋର ବନଭୂମିର ମୃଦୁ ଲାଞ୍ଛନାରେ ଶୋଭାୟମାନ ଥାଏ । ଆରଡେକ ଦୈତ୍ୟ ପଞ୍ଚୁପାଣ୍ଡବଙ୍କୁ ମାଧବ ମୂର୍ତ୍ତି ଉଦ୍ଧାର କରୁଥିବାର ଦେଖି କ୍ରୁଦ୍ଧ ହୋଇଛି । ପଞ୍ଚୁ ପାଣ୍ଡବ ଜାଣିଲେ ଯେ ଦୈତ୍ୟ ତାଙ୍କୁ ଆକ୍ରମଣ ଲାଗି ଉଦ୍ୟତ ।
(ନାଗବନ୍ଧ, ଲତାକାମ ସହ ଅନ୍ୟାନ୍ୟ ଦିଗପାଳ)
ଅଭ୍ରବିଦୀର୍ଣ୍ଣ ସ୍ଵରସଞ୍ଚାର ମଧ୍ୟରେ କମ୍ପମାନ ସସାଗରା ମେଦିନୀ ଦୈତ୍ୟର ବିରାଟ ପରଶୁ ମାଡରେ ସମଧିକ ତ୍ରସ୍ତ । ଅପରପାର୍ଶ୍ଵରୁ ଗଦାହସ୍ତ ଭୀମ ଧରି ଆସିଲା ବେଳେ ଦୁହିଁଙ୍କ ମଧ୍ୟରେ ଦୁର୍ଦ୍ଧର୍ଷ ସମର ଲାଗିଗଲା । ହେଲେ ଗଦାଯୁଦ୍ଧରେ ଭୀମଙ୍କ ଗଦା ଦୁଇଖଣ୍ଡ ହେଇପଡିବାରୁ ଏଥର ଦୁହିଁଙ୍କ ମଧ୍ୟରେ ମଲ୍ଲଯୁଦ୍ଧ ହେଲା । ଉଭୟ ପରସ୍ପରକୁ ଧରି ଘାତ ଓ ପ୍ରତିଘାତ ଦେବା ବେଳେ ଅର୍ଜୁନ ମଧ୍ୟ ସମ୍ମୁଖୀନ ହେଲେ ବୀଭତ୍ସ ଦୈତ୍ୟର । ଯେତେ ତୀରମାଡ ଓ ଦୁର୍ଭେଦ୍ୟ ଶରସଂଗ୍ରାମ କଲେ ମାତ୍ର ଦୈତ୍ୟକୁ ଉଭୟ ଅର୍ଜୁନ ଓ ଭୀମ ପରାହତ କରି ପାରୁନଥିଲେ । ଶୂନ୍ୟବାଣୀ ହେଲା ।
“ହେ ଯୁଧିଷ୍ଠିର ! ଏ ଅସୁର ତ୍ରିଲୋକଜୟୀ ତଥା ଶତସିଂହର ବଳ ରଖିଛି । ଏହି ଦୁର୍ଦ୍ଧର୍ଷ ଦୈତ୍ୟକୁ ଭୀମସେନ ମାଡି ବସିଲା ଭିତରେ ତୁମ୍ଭେ ପ୍ରାଚୀ ନଦୀକୂଳରେ ସ୍ଥିତ ମୃତ୍ତିକା ଗିରିରେ ମାଧବ ମୂର୍ତ୍ତିଙ୍କୁ ଅଧିଷ୍ଠିତ କରାଅ । ” ଏତିକି ବେଳେ ଭୀମସେନ ଅସୁରକୁ ପାଦରୁ ଧରି ଗିରିଦେହରେ ବାଡେଇ ପକେଇଲେ । ଗିରି ଚୂର୍ଣ୍ଣ ହେଇ ଅବନୀଧାମରେ ଧୂଳିସାତ୍ ହେଇପଡିଲା । କିନ୍ତୁ ଯୁଧିଷ୍ଠିର ମାଧବ ମୂର୍ତ୍ତି ସ୍ଥାପନା ନ କଲା ଯାଏଁ ଦୈତ୍ୟ ଅପରାଜେୟ । ଉଛୁର ନ କରି ଯୁଧିଷ୍ଠିର ବ୍ରହ୍ମାଙ୍କ ଆକାଶବାଣୀକୁ ଅନୁପାଳନ କରି ମାଧବଙ୍କୁ ସ୍ଥାପନା କଲେ । ଆଶ୍ଚର୍ଯ୍ୟ ଜନକ ଭାବେ ସେ ସ୍ଥାନର ଭୀଷଣତା ଅନ୍ତର୍ହିତ ହେଲା ।
ଦ୍ୟୁତିଜିତ ମନୋହର କାନ୍ତିରେ ସମଗ୍ର ତୀର୍ଥ ଏକ ଅଭାବନୀୟ ଦିବ୍ୟତାର ଉତ୍ସରେ ପ୍ଳାବମାନ ହେଲାରୁ ଦୈତ୍ୟ ଭୀମସେନଙ୍କ ଦ୍ଵାରା ନିଶ୍ଚେଷ୍ଟ ହୋଇପଡିଲା । ମାଧବାନନ୍ଦଙ୍କ ଦୟା ବଳରେ ଶକ୍ତିଶୂନ୍ୟ ଦୈତ୍ୟର ଅବସାନ ଘଟିଲା । ସୁଦୂରପରାହତ ଦୈତ୍ୟ ବଳ ଉପରେ ବିଜିତ ଧର୍ମରକ୍ଷାର ନିଃଶ୍ରେଣୀ ଆରୋହଣ କରି ମନୁଷ୍ୟର ପ୍ରବୃତ୍ତି ଯେ ଧରଣରେ ପ୍ରସ୍ଫୁଟିତ ହୁଏ, ସେମିତି ଏହି ମାଧବଙ୍କୁ ସ୍ଥାପନା କରି ଯୁଧିଷ୍ଠିରଙ୍କ ସହ ପଞ୍ଚୁ ପାଣ୍ଡବମାନେ ମହିମାନ୍ଵିତ ହେଲେ । ଯେଉଁ ସ୍ଥାନରେ ଭୀମ ଦୈତ୍ୟର ବଧ କଲେ, ବର୍ତ୍ତମାନ ସେ ସ୍ଥାନ ‘ଭୀମେଶ୍ଵର ଝର’ ନାମରେ ପରିଚିତ, ଯାହା ନିଆଳି ମାଧବାନନ୍ଦ ଦେଉଳରୁ ସ୍ବଳ୍ପ ବାଟ ପରେ ଅବସ୍ଥିତ ।
ମାଧବାନନ୍ଦଙ୍କ ପ୍ରତିଷ୍ଠା ସାରା ଜଗତରେ ବିଦିତ ହେଲା :
“ଚାରି ଯୁଗକଇଂ ତୋହୋର କଥା ରହୁ
ଯୁଝେଷ୍ଠି ମାଧବ ବୋଲି ୟେହାର ନାମ ହେଉ ।
× × ×
ସେ ପର୍ବତେ ଉଠିଣ ମାଧବ ଦ୍ରଶନେ
ବାଳ ବୃଦ୍ଧ ତରୁଣ ରୂପ ଦେଖୁ ୟେକ ଦିନେ ।
ଜନ୍ମଯାକେ ଆଉ ନ ଲାଗଇ ପାପ
ହରଇ ସର୍ବଦୋଷ ନାଶ କରଇ ତାପ ।
କିସ କରିବ ହୋ ନାନା ତୀର୍ଥ ଗମନେ
ଧର୍ମ ଅର୍ଥ କାମ ମୋକ୍ଷ ଯୁଝେଷ୍ଠି ମାଧବ ଦ୍ରଶନେ ।”
ଶୂନ୍ୟବାଣୀର ଆଶୀର୍ବାଦ ମହିମାବର୍ଷଣ କଣ୍ଠରେ ଅଜ୍ଞାତ ଉତ୍ସରୁ ନିଃସରି ଯାଉଥାଏ: “ଯିଏ ଯୁଧିଷ୍ଠିର ମାଧବଙ୍କୁ ତୀର୍ଥ କରିପାରିଲା, ତାହା ଲାଗି ଚତୁର୍ବର୍ଗ ଏଠାରେ ହିଁ ଏକତ୍ର ହେଇଛି । ମାଧବାନନ୍ଦଙ୍କୁ ଦର୍ଶନ କରିଲେ ଯମଦଣ୍ଡର ଭୟ ଓହରି ଯାଇ ସମସ୍ତ ପାପର ଅପନୋଦନ ଜନିତ ପୁଣ୍ୟବନ୍ତ ବୁଦ୍ଧିର ଉଦ୍ରେକ ଘଟେ । ଚିରନ୍ତନ ଆୟୁଷରେ ସିଦ୍ଧ ହେଇ ଶେଷରେ ସେହି ସମସ୍ତ ବୟସର ଏକତ୍ର ପ୍ରତିମୂର୍ତ୍ତି ମାଧବଙ୍କର କାନ୍ତି ଅନ୍ତର୍ଗତ ଦର୍ପ ଭାଙ୍ଗି ପ୍ରସନ୍ନଚିତ୍ତରେ ଜନମାନସକୁ ମୁକ୍ତି ଦେବେ।”
(ଯୁଝେଷ୍ଠି ମାଧବ, ଶ୍ରୀ ଶ୍ରୀ ମାଧବାନନ୍ଦ ଜୀଉ ଏବଂ ତାଙ୍କ ପାର୍ଶ୍ଵରେ ଆଣ୍ଠୁଆ ଗୋପାଳ,
ଦୁର୍ଗା, ମହାଲକ୍ଷ୍ମୀ ଏବଂ ମାଧବଙ୍କ ବିଜେ ପ୍ରତିମା)
ନିଆଳି ମାଧବାନନ୍ଦଙ୍କ ସେବା ଓ ନିତ୍ୟ ପରିଚର୍ଯ୍ୟା ଲାଗି ଛତିଶା ନିଯୋଗ ସମସ୍ତ ନିଯୋଗ ଓ ସେବାୟତମାନଙ୍କ ପରିଚାଳନା କରୁଥିବା ବେଳେ ଚାରି ସେବକ ମାନେ ଶ୍ରୀଜିଉଙ୍କ ବିବିଧ ବେଶ ଓ ଅଳଙ୍କରଣ ସେବା କରନ୍ତି । ମେକାପ, ପୁଷ୍ପାଳକ, କରଣ ପ୍ରଭୃତି ଦୈନନ୍ଦିନ ନୀତିମାନଙ୍କରେ ଜଡିତ ରହିଅଛନ୍ତି । ପ୍ରତ୍ୟହ ଚାରି ଅବକାଶ ଓ ତିନିଧୂପ ସହିତ ପହୁଡ ଫିଟି ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଗୋପାଳ ବଲ୍ଲଭ ଓ ସନ୍ଧ୍ୟା ଭୋଗ ସରି ବଡ଼ସିଂହାର ଭୋଗ ଗ୍ରହଣ ଅନ୍ତେ ମାଧବାନନ୍ଦଙ୍କ ପହୁଡ ପଡେ ।
ରସବ୍ୟଞ୍ଜକ ଭୋଗମାନଙ୍କ ମଧ୍ୟରେ ଖେଚୁଡି, ଦହି, ଖଇ, ଡାଲମା, ଚନ୍ଦ୍ରକାନ୍ତି, କନିକା, କ୍ଷୀରି, କାକରା, ମାଠପୁଳି, କେଳି ଓ ଦହି ପଖାଳ ତିଆରି ହୋଇଥାଏ । ପ୍ରତି ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାଦୀପ ଆଡମ୍ଵର ସହିତ ଉଠିଥାଏ ଏବଂ ପ୍ରତି ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ବେଢା ପରିକ୍ରମା ଅନୁଷ୍ଠିତ ହୁଏ । ଏହାଙ୍କର ପର୍ବପର୍ବାଣି ଅଧିକାଂଶ ବାର ମାସର ସମସ୍ତ ପ୍ରମୁଖ ପର୍ବମାନଙ୍କୁ ଘେନି ହେଉଥିଲେ ସୁଦ୍ଧା ଚନ୍ଦନ ଯାତ୍ରା, ଭୈମୀ ଏକାଦଶୀ ଓ ଝୁଲଣଯାତ ମାଧବାନନ୍ଦଙ୍କ ଦର୍ଶନ ଲାଗି ସୁଦୂରାଗତ ଦର୍ଶନାର୍ଥୀଙ୍କୁ ବିହ୍ବଳମନା କରିଦିଏ । ଅଦ୍ୟାବଧି ସୁଦ୍ଧା ମାଧବାନନ୍ଦଙ୍କ ମହିମାରେ ନିଷ୍କମ୍ପ ଚେତନା ସସଂଜ୍ଞ ହୁଏ !
(ବରାହ)
©ମୋ ପ୍ରିୟତମ ପାଥେୟର ସରଣୀ ଅମୃତେଶ