ଲେଖା: ନିରଞ୍ଜନ ସାହୁ
~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~
ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ, ରାଜବଂଶ କ୍ରମରେ ଓ ବିଭିନ୍ନ ତାମ୍ରଲେଖ ଓ ପ୍ରାମାଣିକ ଉପାଦାନକୁ ଭିତ୍ତି କରି ପରବର୍ତ୍ତୀ ସମୟରେ ସ୍ଵତନ୍ତ୍ର ଭାବେ ଲେଖା ହୁଏ ଇତିହାସ । ପ୍ରାମାଣିକତା ଅଭାବରୁ ବହୁ ଘଟଣାର ଉଲ୍ଲେଖ ହୋଇ ନପାରିଲେ ତାହା ହୋଇଥାଏ କିମ୍ବଦନ୍ତୀ, ଉପାଖ୍ୟାନ ଇତ୍ୟାଦି । ତେଣୁ ଇତିହାସ ସଦାସର୍ବଦା ହୋଇଥାଏ ବିଜ୍ଞାନ ସମ୍ମତ । ତେଣୁ ଅତୀତ ଇତିହାସର ଭିତ୍ତିଭୂମି ଉପରେ ଅତୀତର ଅନ୍ଧକାରମୟ ବିସ୍ମୃତି ଗର୍ଭରୁ ସତ୍ୟର ଜ୍ଵଳନ୍ତ ଆଲୋକ ଶିଖା ସନ୍ଧାନ କରି ଇତିହାସର ପ୍ରେରଣାରେ ବର୍ତ୍ତମାନ ହୁଏ ନିୟନ୍ତ୍ରିତ, ଭବିଷ୍ୟତ ହୁଏ ପରିକଳ୍ପିତ । ଗୋଟିଏ ଆତ୍ମବିସ୍ମୃତ ଜାତିକୁ ଆତ୍ମସଚେତନ, ଆତ୍ମ ମର୍ଯ୍ୟାଦାବୋଧ ପ୍ରଦାନ କରିବାରେ ଇତିହାସ ହିଁ ହେଉଛି ଶ୍ରେଷ୍ଠ ମାଧ୍ୟମ । ଏଥିପାଇଁ ଇତିହାସ ଚର୍ଚ୍ଚାର ପ୍ରାସଙ୍ଗିକତା ସର୍ବାଦୌ ଗ୍ରହଣୀୟ ।
ଆମ ଓଡ଼ିଶାର ବୋଇତ ବନ୍ଦାଣ ଉତ୍ସବ ସଂସ୍କୃତିର ‘ସାଧବ ଝିଅ‘ ଇତିହାସ ନୁହେଁ; ଏହା ଏକ କିମ୍ବଦନ୍ତୀ ବା ଉପାଖ୍ୟାନ । ଅଥଚ, ଦରିଆପାରି କିଛି ଚିତ୍ର, ତଥ୍ୟ ଅନୁସାରେ ଉତ୍କଳର ନୌବାଣିଜ୍ୟ ପ୍ରମାଣ ସିଦ୍ଧ । ଇନ୍ଦ୍ରଦ୍ୟୁମ୍ନ ଏ ପର୍ଯ୍ୟନ୍ତ କିମ୍ବଦନ୍ତୀ କିନ୍ତୁ ପ୍ରମାଣ ସିଦ୍ଧ ନୁହନ୍ତି । ତଥାପି ଏହାକୁ ଐତିହାସିକ ଓ ସାଂସ୍କୃତିକ ସତ୍ୟ ଭାବେ ବିବେଚନା କରାଯାଏ । ସେହି ହେତୁରୁ ଆମେମାନେ ମଧ୍ୟ ଖୋଜି ପାଇଛନ୍ତି ଆତ୍ମ ଗଠନର ପ୍ରେରଣା, ଅତୀତର ଗୌରବମୟ କଳିଙ୍ଗ ଉପରେ ଅଖଣ୍ଡ ଆସ୍ଥା । ଏହା ଦ୍ବାରା ହିଁ ସମ୍ଭବ ହେଉଛି ମନୁଷ୍ୟ ଜୀବନଯାତ୍ରାରେ ଜଣେ ଅଭିଜ୍ଞ ଯାତ୍ରୀ ଭାବରେ ନିଃଶଙ୍କ ପଦଯାତ୍ରା । ତେଣୁ ଇତିହାସ ହିଁ ବ୍ୟକ୍ତି ଜୀବନ, ସାମାଜିକ ଜୀବନ ଓ ଜାତୀୟ ଜୀବନରେ ଅପରିହାର୍ଯ୍ୟ ।
ଆମ ଭାରତବର୍ଷର ଇତିହାସ ପ୍ରତି ଏକ ସାମଗ୍ରିକ ଦୃଷ୍ଟି ଆରମ୍ଭ ହୁଏ ରେନେସାଁ କାଳରେ । ଏହାର ପ୍ରଭାବ ମଧ୍ୟ ଅନୁଭୂତ ହୁଏ ଆମ ରାଜ୍ୟରେ । ତେବେ ମାଦଳାପାଞ୍ଜିକୁ ବାଦ୍ ଦେଲେ ଓଡ଼ିଶାରେ ଉନ୍ନବିଂଶ ଶତାବ୍ଦୀର ପ୍ରଥମ ପାଦ ପର୍ଯ୍ୟନ୍ତ ନଥିଲା କୌଣସି ବିଧିବଦ୍ଧ ଇତିହାସ । ଯଦିଓ ମାଦଳାପାଞ୍ଜିର ସମସ୍ତ ତଥ୍ୟ ପ୍ରମାଣ ସିଦ୍ଧ ନୁହେଁ ଏବଂ କିମ୍ବଦନ୍ତୀ, ଆଖ୍ୟାୟିକା ଅନେକତ୍ର ସ୍ଥାନିତ, ତଥାପି ତାକୁ ଭିତ୍ତିକରି କେତେକ ଐତିହାସିକ ମଧ୍ୟ ଓଡ଼ିଶାର ଇତିହାସ ଲେଖିଛନ୍ତି । ୧୮୯୭ ମସିହାରେ ଷ୍ଟାର୍ଲିଂଙ୍କ ଓଡ଼ିଶା ଇତିହାସ ସମ୍ପର୍କୀୟ ଐତିହାସିକ ଆଲୋଚନା ଆରମ୍ଭ । ପରେ ପରେ ହଣ୍ଟର ସାହେବ, ଜନ୍ ବୀମସ୍ ସାହେବ, ରାଜେନ୍ଦ୍ରଲାଲ୍ ମିତ୍ର ଓ ମନମୋହନ ଚକ୍ରବର୍ତ୍ତୀ ପ୍ରମୁଖ ବିଦେଶୀ ଐତିହାସିକ ମାନେ ଓଡ଼ିଶା ଇତିହାସ ଲେଖିଲେ ଇଂରାଜୀ ଭାଷାରେ । ତେଣୁ ସେସବୁ ଇତିହାସ ପୁସ୍ତକ ମାନଙ୍କରେ ନଥିଲା ଉତ୍କଳୀୟତା, ନଥିଲା ପ୍ରାଚୀନ ଋଦ୍ଧିମନ୍ତ ଉତ୍କଳୀୟଙ୍କର ଐତିହାସିକ ସ୍ପନ୍ଦନର ସ୍ପର୍ଶ । ଏସବୁ ଇତିହାସ ଉପରେ ପ୍ରଥମ ପୂର୍ଣ୍ଣଛେଦ ଟଣା ହେଲା ଉତ୍କଳ ଖଣ୍ଡର ପ୍ରଚଣ୍ଡ ସ୍ଵାଭିମାନୀ ଓଡିଆ #ଉତ୍କଳପୁତ୍ର #ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଦ୍ଵାରା । ପୂର୍ବର ବିଦ୍ଵଜନମାନଙ୍କର ଆଲୋଚନା ଭୂମି ତ୍ୟାଗ କରି ଓଡ଼ିଆରେ ଲେଖିଲେ #ଓଡି଼ଶାର #ଇତିହାସ ୧୮୭୯ ମସିହାରେ । ଜନସାଧାରଣଙ୍କୁ ଓଡ଼ିଶାର ଐତିହାସିକ ଆତ୍ମ ପରିଚୟ ଦେବା ଥିଲା ତାଙ୍କର ଉଦ୍ଦେଶ୍ୟ । ଏହାର ବହୁକାଳ ପରେ ପ୍ୟାରୀମୋହନଙ୍କ ଆରବ୍ଧ କର୍ମର ଯଥାର୍ଥ ପରିପୁଷ୍ଟି ବିଧାନ କରିଥିଲେ ଐତିହାସିକ ପଣ୍ଡିତ #କୃପାସିନ୍ଧୁ #ମିଶ୍ର ।
~ ସଂକ୍ଷେପରେ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~
ପଣ୍ଡିତ କୃପାସିନ୍ଧୁ ମିଶ୍ର । ସତ୍ୟବାଦୀ ସାଧକ ଗୋଷ୍ଠୀର ଅନ୍ୟତମ ପଞ୍ଚସଖା । ଜନ୍ମ ୨୭ ଜୁନ ୧୮୯୭ ମସିହା, ପୁରୀ ଜିଲ୍ଲା । ତିରୋଧାନ, ୧୨ ଫେବୃଆରୀ ୧୯୨୬ ମସିହା । ଛାତ୍ର ଜୀବନ ପୁରୀ ଜିଲ୍ଲା ସ୍କୁଲ, ରେଭେନ୍ସା କଲିଜିଏଟ୍, ରେଭେନ୍ସା କଲେଜ ଏବଂ ଶେଷରେ କଲିକତା ବିଶ୍ଵବିଦ୍ୟାଳୟ । ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର । ୧୯୧୪ ମସିହାରେ ଶିକ୍ଷକତା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟବାଦୀ ବନବିଦ୍ୟାଳୟରେ ବୃତ୍ତି । ସେଇଠି ଇତିହାସର ଅନୁଶୀଳନ ଓ ଗବେଷଣା ତାଙ୍କ ସାହିତ୍ୟିକ ଜୀବନର ସର୍ବଶ୍ରେଷ୍ଠ ସାଧନା ଭାବେ ଗୃହୀତ ।
~ ଦର୍ଶନରେ ସ୍ନାତକୋତ୍ତର, ଲକ୍ଷ୍ୟ କିନ୍ତୁ ଇତିହାସ ~
“ଦାର୍ଶନିକର ସୂକ୍ଷ୍ମ ଦର୍ଶନ ଓ ଦେଶପ୍ରେମୀର ସ୍ଵାଦେଶିକ ମମତା ସ୍ନିଗ୍ଧ ଦୃଷ୍ଟିଭଙ୍ଗୀ ନେଇ ଅଧଃପତିତ ଓଡ଼ିଆ ଜାତିର କଲ୍ୟାଣ ସାଧନ ହିଁ ହୋଇପାରେ” — ଏହା ଥିଲା ତାଙ୍କ ଇଛାଶକ୍ତିର ଦୃଢ଼ ଭିତ୍ତିଭୂମି । ଇତିହାସ ତ ଜାତୀୟତା ଗଠନର ପ୍ରଧାନ ସହାୟ । ତେଣୁ ପ୍ରଚୁର ଐତିହାସିକ ଉପାଦାନ ପୂର୍ଣ୍ଣ ଉତ୍କଳର ଇତିହାସ, ଐତିହାସିକ ସ୍ମୃତି ବିଜଡ଼ିତ ଦୁର୍ଗ ଓ ମନ୍ଦିରର ଅନୁସନ୍ଧାନ ଓ ଆଲୋଚନା ପ୍ରତି ଏହି କାରଣରୁ ଆକୃଷ୍ଟ ହୋଇ ପଡ଼ିଲେ ପଣ୍ଡିତ କୃପାସିନ୍ଧୁ ମିଶ୍ର — ପଶ୍ଚାତରେ ପ୍ରେରଣା ଥିଲା ସତ୍ୟବାଦୀ ବନବିଦ୍ୟାଳୟର ଲକ୍ଷ୍ୟ ଏକ ଜାତିକୁ ଆଉଥରେ ପୁନର୍ଜୀବିତ କରିବା ପାଇଁ:
” ପୁଣ୍ୟ ଜନ୍ମଭୂମି ପୁଣ୍ୟ ଦେବାଳୟ
ଉଦ୍ଧରିବା ଲାଗି କଲେ ତନୁ କ୍ଷୟ
ମାନବ ଜୀବନ ହୁଅଇ ସଫଳ
ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?”
କିନ୍ତୁ ଏହି ମହାଦୀକ୍ଷାରେ ଦୀକ୍ଷିତ ହୋଇ ସାରିଥିଲେ କୃପାସିନ୍ଧୁ । ଏଥିପାଇଁ ଇତିହାସ ଚର୍ଚ୍ଚା, ଶ୍ରମ ସାଧ୍ୟ ଐତିହାସିକ ଗବେଷଣା ପ୍ରସୂତ ଯୁକ୍ତିନିଷ୍ଠ ତାତ୍ତ୍ଵିକ ଆଲୋଚନା ସମ୍ବଳିତ ଗ୍ରନ୍ଥ ପ୍ରଣୟନ କରି ଜାତିର ଗୌରବମୟ ଚିତ୍ର ଅତି ସରସ ଭାବରେ ରୂପ ପ୍ରାପ୍ତ ହେଲା ତାଙ୍କରି ଲେଖନୀ ମାଧ୍ୟମରେ । ଫଳତଃ ଓଡ଼ିଆ ଭାଷାର ବିଶିଷ୍ଟ ସମ୍ପଦ ଭାବେ ପରିଗୃହୀତ ହେଲା #ବାରବାଟୀ #ଦୁର୍ଗ, #କୋଣାର୍କ, #ଉତ୍କଳ #ଇତିହାସ (ଅସମ୍ପୂର୍ଣ୍ଣ ) ଓ ବିଭିନ୍ନ ଐତିହାସିକ ଆଲୋଚନା ପ୍ରବନ୍ଧ ମାଧ୍ୟମରେ ।
~ ବାରବାଟୀ ଦୁର୍ଗ ~
” ଉତ୍କଳର ପୂର୍ବ-ସ୍ମୃତି-ପୂତ
ବାରବାଟୀ ଆଜି ସାଜେ ସଜ୍ଜୀଭୂତ ।
ଐତିହାସିକ ଏ ଦୁର୍ଗ ବାରବାଟୀ
ବୀର ରକ୍ତପିଣ୍ଡେ ଗଢ଼ା ଯାର ମାଟି ।”
୧୮୯୭ରେ କବିବର ରାଧାନାଥ ରାୟଙ୍କ ରଚିତ କାବ୍ୟ #ଦରବାର କାବ୍ୟ ଓଡ଼ିଆ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି, ଯହିଁର ଆରମ୍ଭ ଐତିହାସିକ ବାରବାଟୀ ଦୁର୍ଗରେ ଘଟିଥିବା ଗାଥାରୁ । ସେହି ରଚନାର ୧୬ ବର୍ଷ ପରେ କୃପାସିନ୍ଧୁଙ୍କ ଐତିହାସିକ ଗ୍ରନ୍ଥ #ବାରବାଟୀ ଦୁର୍ଗ ହୋଇଉଠିଲା ଅନ୍ୟ ଏକ କାଳଜୟୀ ଐତିହାସିକ ସୃଷ୍ଟି ! ଜାତୀୟ ଉନ୍ମାଦନା ପ୍ରଣୋଦିତ ଏହି ଗ୍ରନ୍ଥ ବାରବାଟୀର ଗରିମାମୟ ଚିତ୍ର ବହନ କରେ ।
ବ୍ୟାସକବି ଫକୀରମୋହନ ଏହି ଗ୍ରନ୍ଥ ପାଠ କରିବା ପରେ ମତ ଦେଇଥିଲେ: “ବାରବାଟୀ ପ୍ରବନ୍ଧ ଆପାତତଃ ଉତ୍କଳ ଭାଷା ଭଣ୍ଡାରର ଗୋଟିଏ ମାଣିକ୍ୟ ।” ଉଲ୍ଲେଖଯୋଗ୍ୟ ଯେ, ପ୍ରସିଦ୍ଧ ପ୍ରତ୍ନତତ୍ତ୍ଵବିଦ୍ ରାଜେନ୍ଦ୍ରଲାଲ୍ ମିତ୍ର, ଆବୁଲ୍ ଫାଜଲଙ୍କ ଆଇନ-ଇ-ଆକବରୀ, ଫର୍ଗୁସନ ଓ ଷ୍ଟାର୍ଲିଂ ପ୍ରଭୃତିଙ୍କ ମତ ଦୃଢ଼ ଭାବରେ ଖଣ୍ଡିତ କୃପାସିନ୍ଧୁଙ୍କ ଦ୍ଵାରା । କେବଳ #ପ୍ରଥମ #ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ନିଜର ଯୁକ୍ତିନିଷ୍ଠ ତାତ୍ତ୍ଵିକ ଆଲୋଚନା କରି ପ୍ରମାଣ କରିଛନ୍ତି ଯେ, ବାରବାଟୀ ଦୁର୍ଗ ମଧ୍ୟରେ ଥିଲା #ନବତଳ #ପ୍ରାସାଦ । ଐତିହାସିକ ବିଶ୍ଳେଷଣ, ତଥ୍ୟ ନିଷ୍ଠା ସହ କବି କଳ୍ପନା, ଦେଶାତ୍ମବୋଧକ ଉଦ୍ଦୀପନା ଏହି ବିଶାଳ ପ୍ରବନ୍ଧରେ ସ୍ଵୀକୃତ ! ଓଡ଼ିଆଙ୍କ ପ୍ରାଣରେ ଅତୀତର ସ୍ଵାଧିନଚିନ୍ତା, ସ୍ଵଭାବସିଦ୍ଧ ବୀରତ୍ଵ, ସ୍ଥାପତ୍ୟ, ଶିଳ୍ପନୈପୁଣ୍ୟର ସ୍ମୃତି ପ୍ରବନ୍ଧର ଛତ୍ରେ ଛତ୍ରେ ପ୍ରସ୍ଫୁଟିତ, ଯେଉଁଥିପାଇଁ କୃପାସିନ୍ଧୁଙ୍କ ନିକଟରେ ଉତ୍କଳ ଋଣୀ !
~ ଜାତୀୟ ଗରିମା କୋଣାର୍କ ~
“ହେ କୋଣାର୍କ ବିଗତ ଯୌବନା
ମୌନ -ଦୁଃଖେ ସୈକତ ଶୟନା
ତୋର ଏହି ଜୀର୍ଣ୍ଣ ଦେହେ
ଅଦ୍ୟାପି ଗୋ ବିମୁଗ୍ଧ ନୟନେ
ଚାହେଁ ବିଶ୍ଵ କରୁଣାରେ ତେଜି ଅଶ୍ରୁ
ତୋ ଦୁଃଖ ଶୟନେ
ଜଗତର ଶିଳ୍ପୀ-କବି ରୂପ-ରାଗ
ଦେଖି ତୋହ ଠାରେ ,
ଆଶ୍ଲେଷ ଇଚ୍ଛଇ ତୋର ବୃଦ୍ଧ ଦେହେ
ଶୋଭା ପିପାସାରେ ।
ଅଂଗେ ଅଂଗେ ଚୁମ୍ବିବାକୁ
ନିରବଧି କରଇ ଭାବନା ,
ତୋହରେ ଗୋ ଗତ-ଯଉବନା ।
(କୋଣାର୍କ, ଡ. ମାୟାଧର ମାନସିଂହ)
ଆଜି ମଧ୍ୟ ପ୍ରଯୁଜ୍ୟ ଏହି କଥା ! ଏବଂ ଏହି କବିତାର ପୂର୍ବରୁ —
“ଶିଳ୍ପ ଜାତୀୟପ୍ରାଣର ପ୍ରକାଶ, ଜାତୀୟ ଭାବର ଅଭିବ୍ୟଞ୍ଜକ । ଓଡ଼ିଶାର ମନ୍ଦିରମାନ ବିଶେଷତଃ କୋଣାର୍କ ମନ୍ଦିର ଆଜି ଆମ୍ଭମାନଙ୍କର ଦୁର୍ବଳ ହୃଦୟରେ ପୂର୍ବପୁରୁଷ ମାନଙ୍କର ଉନ୍ନତ ଆଦର୍ଶର କ୍ଷୀଣ ଆଲୋକ ପକାଇ ଉତ୍ତରାଧିକାରିତ୍ଵ ଅଭିମାନରେ ଆତ୍ମଗୌରବ ଜନ୍ମାଏ । ବାସ୍ତବରେ ଆଖି ଫିଟାଇ ଦେଖିଲେ, କାନ ଡେରି ଶୁଣିଲେ, ଏହିସବୁ ଶିଆଳି ଶବଳିତଶିଳାରାଶି ନିର୍ଜୀବ ଜଡ଼ପିଣ୍ଡ ବୋଲି ପ୍ରତୀୟମାନ ହେବେ ନାହିଁ ।” ଏହା ଥିଲା କୃପାସିନ୍ଧୁଙ୍କ ଦୃଢ଼ ମତ । (କେତେ ନିଛକ ସତ୍ୟ ସତେ ! ଆମେ ଟିକେ ହେଜି ପାରିବା କି ?)
କୋଣାର୍କର ଐତିହାସିକତା, ମାହାତ୍ମ୍ୟ, ମନ୍ଦିର ପରିକଳ୍ପନା, ଗଠନ ବୈଶିଷ୍ଟ୍ୟ, ନିର୍ମାଣ କୌଶଳ, ଶିଳ୍ପ ଓ ସ୍ଥାପତ୍ୟ ସବୁକିଛି ଉପସ୍ଥାପନା, ସଜ୍ଜିକରଣ, କୃପାସିନ୍ଧୁଙ୍କ ରଚନାରେ ଅନନ୍ୟ । ବାମଣ୍ଡା ରାଜନ୍ ସାହିତ୍ୟରସିକ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ୧୯୧୯ ମସିହାରେ ଏହି ପ୍ରବନ୍ଧ ପାଠ କରି ସମ୍ପୂର୍ଣ୍ଣ ଅଭିଭୂତ ! ତେଣୁ ଏହା ପ୍ରକାଶିତ ହେଲା ବାମଣ୍ଡା ହିତୈଷିଣୀ ପ୍ରେସରୁ । ‘କୋଣାର୍କ’ ରଚନା ପୂର୍ବରୁ କୃପାସିନ୍ଧୁ ତନ୍ନ ତନ୍ନ କରି ଦେଖିଛନ୍ତି ଅତୀତର ପୃଷ୍ଠଭୂମି ଓ ମନେହୁଏ ଯେମିତି କୋଣାର୍କର ପ୍ରତି ଶିଳାଖଣ୍ଡରେ ଆତ୍ମା ତାଙ୍କର ନିମଜ୍ଜିତ ହୋଇ ଯାଇଥିଲା । ତେଣୁ ସୃଷ୍ଟି ହେଲା ପ୍ରକୃତ ଇତିବୃତ୍ତ କୋଣାର୍କର ! ପୂର୍ବରୁ କୋଣାର୍କର ଗାଥା ଗାଇଥିବା ରାଜେନ୍ଦ୍ରଲାଲ ମିତ୍ର (Antiques of Orissa ), ବିଶନ ସ୍ଵରୂପ (Konark), ମନମୋହନ ଗାଙ୍ଗୁଲି (Orissa and Her remains), ରାଇଜ୍ ଡେଭିଡସ (Buddhist India), ହାଭେଲ୍ (Aryan Rules in India ), ହଣ୍ଟର ( History of Orissa), ବଂଗର୍ (Asiatic Society Research Journal), ପ୍ରାଚୀ ମାହାତ୍ମ୍ୟ, କପିଳ ସଂହିତା, ଭାଗବତ, ମହାଭାରତ ପ୍ରଭୃତିର ସୂଚନା ଓ ଉଦ୍ଧୃତି ମତର ଖଣ୍ଡନ ମଣ୍ଡନ ଭିତ୍ତିରେ କୃପାସିନ୍ଧୁଙ୍କ #କୋଣାର୍କ ଗ୍ରନ୍ଥ ରଚିତ । ବହୁ ଶାସ୍ତ୍ରଦର୍ଶିତା, ଐତିହାସିକ ସତ୍ୟ ପ୍ରତିଷ୍ଠାରେ ଐକାନ୍ତିକତା ଓ ଯୁକ୍ତିନିଷ୍ଠା ଉପରେ ରଚିତ ଏହି କୋଣାର୍କ ଗ୍ରନ୍ଥର ଆଲୋଚନା । ଏଥିପାଇଁ ଭାରତୀୟ ତଥା ଓଡ଼ିଆ ଭାଷାରେ, ସାହିତ୍ୟରେ ଏହା ହିଁ ଏଯାବତ୍ ଅଦ୍ୱିତୀୟ ଐତିହାସିକ ଗ୍ରନ୍ଥ ।
~ ଅସମ୍ପୂର୍ଣ୍ଣ ଉତ୍କଳ ଇତିହାସ ~
ଦୀର୍ଘକାଳ ଧରି ସଂଗ୍ରହ କରିଥିବା ଉପାଦାନ ଭିତ୍ତିରେ ୧୯୨୫ ବେଳକୁ ଉତ୍କଳ ଇତିହାସ ରଚିତ ହେଲା କୃପାସିନ୍ଧୁଙ୍କ ଦ୍ଵାରା । ଏହା ଥିଲା ତାଙ୍କ କଳ୍ପିତ ବିରାଟ ଇତିହାସର ଏକ ସଂକ୍ଷିପ୍ତିତକୃତ ରୂପ । କିନ୍ତୁ ପୁସ୍ତକ ପୂର୍ଣ୍ଣରୂପ ପ୍ରାପ୍ତି ପୂର୍ବରୁ ଦେହାବସାନ ହୋଇଗଲା ଏହି ମହାନ୍ ଐତିହାସିକଙ୍କର । ତେଣୁ ଆମେ ବଂଚିତ ହେଲେ ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥ ପଠନ ଓ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ।
~ ବିଶିଷ୍ଟ ପ୍ରବନ୍ଧାବଳୀ ~
ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ଜଣେ ବିଶିଷ୍ଟ ପ୍ରାବନ୍ଧିକ । ତାଙ୍କର ପ୍ରବନ୍ଧ ସମୂହକୁ ସାଧାରଣତଃ ଚାରୋଟି ବର୍ଗୀକରଣ କରାଯାଏ । ଯଥା — ଐତିହାସିକ, ଦାର୍ଶନିକ, ସାହିତ୍ୟ ସମୀକ୍ଷା ଓ ସମାଜତାତ୍ତ୍ୱିକ । ତାଙ୍କର ପ୍ରଥମ ପ୍ରକାଶିତ ପ୍ରବନ୍ଧ ‘ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁଥାନ’ । କଟକର ଉତ୍କଳ ଯୁବକ ସମିତିରେ ଏହା ପଠିତ ।
(କ) ଐତିହାସିକ ପ୍ରବନ୍ଧ:
ସତ୍ୟବାଦୀ ବନବିଦ୍ୟାଳୟରେ ଇତିହାସ ସମାଜର ସଭାପତି ଥିଲେ ପଣ୍ଡିତ କୃପାସିନ୍ଧୁ ମିଶ୍ର । ‘ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର’, ‘ଭାରତ ଇତିହାସରେ ବୈଦେଶିକ ଆକ୍ରମଣ’ , ‘ଇଂରେଜ ବଣିକ ମାନଙ୍କର ଓଡିଶାଭିଗମନ’, ‘କୋଣାର୍କ ମନ୍ଦିରର ଶିଳ୍ପ ଓ ସ୍ଥାପତ୍ୟ’ ଆଦି ପ୍ରବନ୍ଧ ।
(ଖ) ଦାର୍ଶନିକ ପ୍ରବନ୍ଧ
ଦର୍ଶନ ଶାସ୍ତ୍ରରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ । ତେଣୁ ଐତିହାସିକ ପ୍ରବନ୍ଧ ମାନଙ୍କରେ ଦାର୍ଶନିକ ଦୃଷ୍ଟିଭଙ୍ଗୀ ମଧ୍ୟ ପ୍ରକଟିତ । ‘କା’ ,’ଲୀଳା’, ‘ଅଦୃଷ୍ଟବାଦ’ ଆଦି ପ୍ରବନ୍ଧ ଜୀବନ ବିଶ୍ଳେଷଣ ପୂର୍ବକ ଲେଖକଙ୍କ କୃତିରେ ସମୃଦ୍ଧ ।
(ଗ) ସାହିତ୍ୟ ସମୀକ୍ଷା
‘କବିତା’, ‘ଭାବଭକ୍ତି’ ଦୁଇଟି ଯାକ ପ୍ରବନ୍ଧ ସେବେଳ ଓ ପରବର୍ତ୍ତୀ ସମାଲୋଚକଙ୍କ ଦ୍ଵାରା ବହୁ ପ୍ରଂଶସିତ । କବିମାନେ ସମାଜର ସ୍ଥାପୟିତା , ସାମାଜିକ ବ୍ୟବସ୍ଥା ପ୍ରଣେତା , ଜୀବନ କଳାର ଆବିଷ୍କାରକ । କବିତା ଯଥାର୍ଥରେ ଐଶିକ — ଏହା ଥିଲା କୃପାସିନ୍ଧୁଙ୍କ ମତ ।
(ଘ) ସମାଜତତ୍ତ୍ଵ ସମ୍ପର୍କୀୟ
‘ହିନ୍ଦୁର ସମାଜ ବିଧାନ’ ତାଙ୍କର ଶ୍ରେଷ୍ଠ ପ୍ରବନ୍ଧମାନଙ୍କ ମଧ୍ୟରେ ଅନ୍ୟତମ। ସମାଜତତ୍ତ୍ଵମୂଳକ ବିଶ୍ଳେଷଣାତ୍ମକ ଏହି ପ୍ରବନ୍ଧରେ ଲେଖକଙ୍କ ମନନଶୀଳତା ଓ ବିଚାରଧାରାର ପରିଚ୍ଛନ୍ନତା ଏକ ଉଲ୍ଲେଖ ବୈଶିଷ୍ଟ୍ୟ ।
~ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳି ~
ଐତିହାସିକ ଆଲୋଚନା କ୍ଷେତ୍ରରେ ବିଂଶ ଶତାବ୍ଦୀର ଆଦ୍ୟପାଦ ଓଡ଼ିଶାରେ କୃପାସିନ୍ଧୁଙ୍କ ଅପୂର୍ବ କୃତିତ୍ୱ, ସ୍ଵକୀୟ ମହିମାରେ ଉଜ୍ଜ୍ୱଳ, ବିଚାରରେ ଯୌକ୍ତିକତା, ଜାତୀୟ ମହତ୍ତ୍ଵ ଅନ୍ଵେଷଣ ହିଁ କୃପାସିନ୍ଧୁଙ୍କ ମହତ୍ତ୍ଵ । ସତ୍ୟବାଦୀ ସାଧକ ମଣ୍ଡଳୀର ଅନ୍ୟତମ ସଖା ପଣ୍ଡିତ କୃପାସିନ୍ଧୁ ମିଶ୍ର ହିଁ ଅପ୍ରତିଦ୍ଵନ୍ଦୀ ଐତିହାସିକ ଓଡ଼ିଶା ଭୂଖଣ୍ଡରେ । ସେଇଥିପାଇଁ ବୋଧେ ଅଳ୍ପ ଦିନରେ ଓଡ଼ିଆ ଇତିହାସ ଓ ସାହିତ୍ୟକୁ ସୁରଭିତ କରୁଥିବା ସମୟରେ ବାହୁଡ଼ି ଗଲେ ୧୯୨୬ ମସିହା ଫେବୃଆରୀ ମାସ ୧୨ ତାରିଖ ଦିନ ମାତ୍ର ୩୮ ବର୍ଷ ବୟସରେ । ଆମକୁ କିନ୍ତୁ ଛାଡ଼ି ଦେଇଗଲେ ଏକ ବିପୁଳ ସମ୍ଭାବନା ମଧ୍ୟରେ “ଓଡ଼ିଆ ଜାତିର ଐତିହାସିକ ଐତିହ୍ୟ” !
ପଣ୍ଡିତ କୃପାସିନ୍ଧୁ ମିଶ୍ର ! ନାମ ଉଚ୍ଚାରଣ ବେଳେ ସ୍ଵତଃ ମନରେ ଆସିଯାଇଛି, “ହେ ଉତ୍କଳ ମାତା ! କାହିଁକି ଏହି ୩୮ ବର୍ଷ ବୟସଟିକୁ ଓଡ଼ିଶା ପାଇଁ ଅଶୁଭ ବୟସ ବୋଲି ବିଧାତା ସୃଷ୍ଟି କରିଛନ୍ତି ? ଏହି ଅଶୁଭ ବୟସରେ (ସଂଖ୍ୟା) ଆମେ ହରେଇଛୁ ଉତ୍କଳ ଭାରତୀ କୁନ୍ତଳା କୁମାରୀ, ସର୍ବହରାର ମହାନ ପ୍ରବକ୍ତା ଓଡ଼ିଶା ମାଟିର ମାର୍କସବାଦର ଭଗିରଥ ଭଗବତୀଚରଣ ପାଣିଗ୍ରାହୀ ଏବଂ ଅପ୍ରତିଦ୍ଵନ୍ଦୀ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କୁ ! ଏହି ବୟସଟି ଆମ ପାଇଁ ଅପୂରଣୀୟ ସାଂସ୍କୃତିକହାନୀ ନୁହେଁ କି ?)
ତଥ୍ୟ: ଡ. ଶ୍ରୀନିବାସ ମିଶ୍ର ମହୋଦୟ