~ ଉତ୍କଳମଣିଙ୍କ ଦେହାବସାନ ~

ଲେଖା: ଅମୃତେଶ ଖଟୁଆ

୧୯୨୮, ଏପ୍ରିଲ ୨୨ ତାରିଖ !

ଲୋକସେବକ ମଣ୍ଡଳ‘ ବାର୍ଷିକ ଅଧିବେଶନ ପାଇଁ ସମସ୍ତେ ପହଞ୍ଚିଲେ। ତିନି ଦିନିଆ ଅଧିବେଶନ ଶେକୁ ୨୫ ତାରିଖରେ ସରିଲା। ଉତ୍କଳମଣି ନିର୍ବାଚିତ ହୋଇଲେ ‘ଲୋକସେବକ ମଣ୍ଡଳ’ର ଉପସଭାପତି ରୂପେ ନିର୍ବାଚିତ ହୋଇଲେ। କୌଣସି ଓଡ଼ିଆ ଏହିପରି ଏକ ବଡ଼ ସମ୍ମାନର ଅଂଶୀଦାର ହୋଇନଥିଲା ! ଲାଲାଜୀଙ୍କ ପ୍ରଚ୍ଛନ୍ନ ଇଚ୍ଛା ଥିଲା, ଉତ୍କଳମଣି ଏଥର ସମଗ୍ର ଭାରତ ପାଇଁ ନିଜ ପୁରୁଷାର୍ଥକୁ ସାର୍ଥକ କରିବା ହେବେ !

ଲାହୋରରେ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ବାଟରେ ଆସୁଥିଲା ବେଳେ ଗାଡିରେ ଧରିଲା ଟାଇଫଏଡ୍ ଜ୍ଵର। କିନ୍ତୁ, ଦେହରେ ଜ୍ଵର ନଥାଏ। ୨୯ ତାରିଖ ହାୱଡା ଷ୍ଟେସନଠାରେ ତାଙ୍କ ଦେହ ଅଧିକ ଦୁଃସ୍ଥ ହେଇଚାଲିଲା। ଅଚେତନ ଅବସ୍ଥାରେ ତାଙ୍କୁ ପୁରୀ ଏକ୍ସପ୍ରେସରେ ଆଣି ବାଲେଶ୍ଵର ଷ୍ଟେସନରେ ପହଞ୍ଚିଲା ବେଳକୁ ତାଙ୍କର ଚେତା ଫେରି ଆସିବା ସହ ଟିକିଏ ସୁସ୍ଥତା ଅନୁଭବ କରିପାରିଲେ ସେ ! କିନ୍ତୁ, ସେଠାରେ ଓହ୍ଲାଇ ବଢି ଅଞ୍ଚଳରେ ଘର ତିଆରି କାମ ଦେଖିବା ପାଇଁ ଜିଦ କରିଲେ। 


ନିରୁଦବିଗ୍ନ ଏହାଙ୍କ ଠାରୁ ବଳି କେ ହେଇପାରେ ! ଅନ୍ନତୃଣ ପାଇଁ କ୍ଷୁଧାର୍ତ୍ତ ସମସ୍ତ ବିମୃଶ୍ୟ ଅଧରିମା ତାଙ୍କ ନିଷ୍କରୁଣ ଲୋଚନଚୟକୁ ଯେପରି ଉଦବେଳିତ କରିବା ପାଇଁ ଉଦ୍ୟତ, କେବଳ ସେହି ଲକ୍ଷ୍ୟରେ ଅଭିପ୍ରେତ, ଆମ ପତିତଙ୍କ ନାରାୟଣ ଆସିବେ – ଯେମିତି ପୂଜ୍ୟା ମାତୃମୂର୍ତ୍ତି ଅନେଇଥା’ନ୍ତି, ପୁତ୍ର ଆସିଲେ ତାଙ୍କ କୋଳ ପୂରିଦେବ — ଅବଶିଷ୍ଟ ଜୀବନ ପାଇଁ — ମୋକ୍ଷ ସାଧନାରେ ମୋକ୍ଷର ଇଚ୍ଛା ନାହିଁ, ନିଷ୍କରୁଣ ଦେହରେ ଆଜୀବନ ଆଶାର ପୁଲକ ହିଁ ଲୋଡା !

ଏହା ପରଠାରୁ ଏପ୍ରିଲ ୩୦ ତାରିଖରେ ସତ୍ୟବାଦୀ ପହଞ୍ଚିବା ଅନ୍ତେ ତିନି ସପ୍ତାହ ଶଯ୍ୟାଶାୟୀ ! ଏହା ପରେ ମେ ୧୬ ତାରିଖରେ ଲାଲାଜୀ (ଲାଲା ଲାଜପତ ରାୟ) ଙ୍କ ନିକଟକୁ ଏକ ପତ୍ର ଲେଖିଲେ। ସେତେବେଳେ ସାଇମନ୍ କମିଶନଙ୍କ ଆଗମନର ସମୟ — ଉତ୍କଳମଣିଙ୍କ ଉପରେ କଂଗ୍ରେସ ସଭାପତି ଭାବେ ପ୍ରଚାର ଦାୟିତ୍ୱ ସ୍କନ୍ଧନ୍ୟସ୍ତ — ହେଲେ ଉତ୍କଳମଣି ଅବସନ୍ନ ହେଇପଡିଛନ୍ତି ରୋଗବ୍ୟାଧିରେ — ଆଉ ନାହିଁ ସେ ଉତ୍ସାହ, ଆଉ ରହି ପାରିନି ସେ ଉଦ୍ଦୀପିତ ମୁଖତେଜ! ଏହା ପରେ ସେ ଲିଙ୍ଗରାଜ ମିଶ୍ରଙ୍କୁ କଲିକତାର ଶ୍ରମିକ ସଙ୍ଗଠନର ଦାୟିତ୍ୱ ବଢାଇ ପାଇଁ ମଧ୍ୟ ମନସ୍ଥ କରିସାରିଥିଲେ।

ଏହା ପରେ ଓଡିଆ ମାଟିର ମହାପ୍ରାଣଙ୍କ ନିସ୍ତେଜ କାୟ କ୍ଷୀୟମାନ- ଲାଲାଜୀଙ୍କ ଶେଷ ଚିଠି ଥିଲା ଜୁନ୍ ୮ ତାରିଖରେ ତାଙ୍କର “Unhappy India” ପୁସ୍ତକ ପାଇଁ ଗୋପବନ୍ଧୁଙ୍କ ଗୋଟିଏ ଫଟୋ ନିମନ୍ତେ। ସେତେବେଳେ ଗୋପବନ୍ଧୁ ଲେଖିଥିଲେ ଯେ ତାଙ୍କ ପାଖରେ ତାଙ୍କର ନିଜସ୍ଵ ଫଟୋଚିତ୍ରଟିଏ ସୁଦ୍ଧା ନଥାଏ। ସେତେବେଳେ କ୍ୟାଲେଣ୍ଡରରେ ତାଙ୍କ ଫଟୋ ଛପେଇବା ପାଇଁ ଅନେକ ମଧ୍ୟ ଏହିପରି ତାଙ୍କ ନିକଟରେ ଅନୁରୋଧ କରିଥିଲେ ସୁଦ୍ଧା ଗୋପବନ୍ଧୁଙ୍କ ନିଜସ୍ବ ଗୋଟିଏ ଫଟୋ ନଥିଲା। ଓ ସେତେବେଳକୁ ରୋଗ-ବିବର୍ଣ୍ଣ ଦେହ ଆହୁରି ନିସ୍ତେଜ !

ଶେଷ ସମୟରେ ମଧ୍ୟ ଜନସେବାର କୌଣସି ଲେଶ ଛାଡିନଥିଲେ ଉତ୍କଳମଣି। କଲିକତାର ହରିସାନ୍ ରୋଡ ଓ ବହୁବଜାରରେ ଓଡ଼ିଆ ଶ୍ରମିକ ଓ କୁଳିଙ୍କ ଅସନ୍ତୋଷ ନିମନ୍ତେ ଅନେକ ଶ୍ରମିକଙ୍କ ଅନୁନୟକୁ ରକ୍ଷା କରି ଜୁନ୍ ୨ ରେ କଲିକତା ଅଭିମୁଖେ ଯାତ୍ରା କରିଲେ। ଜୁନ୍ ୩ ତାରିଖରେ ସେ ହାୱଡା ଷ୍ଟେସନ୍ ପହଞ୍ଚିଲା ମାତ୍ରେ ଓଡିଆମାନଙ୍କ ବିଶାନ ଜନସମାଗମ ତାଙ୍କୁ ପାଛୋଟି ନେଇଥିଲା, ଏବଂ ବିପୁଳ ଜୟଧ୍ଵନିରେ ସେଠାରେ ଉତ୍କଳମଣିଙ୍କୁ ସ୍ବାଗତ କରିଥିଲେ ଓଡ଼ିଆ ଶ୍ରମିକ ଭାଇମାନେ ! ଏହି ଶ୍ରମିକ ସଙ୍ଗଠନ ଉତ୍କଳମଣିଙ୍କ ଲୋକସେବକ ସମାଜ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଥିଲା।

ସେତେବେଳେ ଗୋପବନ୍ଧୁଙ୍କ ପାଇଁ ସମସ୍ତ ସୁବନ୍ଦୋବସ୍ତ ସତ୍ତ୍ୱେ ସେ କୁଲିମାନଙ୍କ ଭାଡିରେ ରହିବା ପାଇଁ ଅଡି ବସିଥିଲେ। ବଡ଼ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ବି ସେ ଗୋଟିଏ ରାତି ଅତିବାହିତ କରିନେଲେ। ଗୋପବନ୍ଧୁଙ୍କ ଅନୁଭୂତିରୁ ସେ ଲେଖିଥିଲେ ଯେ ଏହି ଦୁଇତାଳା କୋଠା ମଧ୍ୟରେ ପବନ ଯିବାର ମଧ୍ୟ ବାଟ ନଥାଏ। ରାତି ହେଲେ ପିମ୍ପୁଡିମାନେ ଚାଲିଲା ଛାରପୋକ କେତେ ବେଳେ ଆସନ୍ତି ତ କେତେବେଳେ ଉପରେ ଚାଲନ୍ତି ! ଶୀତଦିନ, ବର୍ଷାଦିନ  ଛଡା ଏମାନେ ରାସ୍ତା ଫୁଟପାଥରେ ଶୋଉଥିଲେ। ମାଲିକ ପୋଲିସ୍ ମାନଙ୍କ ନିର୍ଯାତନା ସହ ସବୁ ଦୋଷ ଓଡ଼ିଆ କୁଲିମାନଙ୍କ ଉପରେ ଲଦି ଦେଇ ନିର୍ଘାତ ମାଡ ସହି ଜରିମାନା କରିଥାଏ ! ଏହାସବୁ ଗୋପବନ୍ଧୁଙ୍କ ସେତେବେଳେ ଅନେକ ମାତ୍ରାରେ ଦୁଃଖ ଦେବା ସହ ଓଡିଶାର ତଥା ଓଡିଆ ଶ୍ରମିକଙ୍କ ସ୍ଵାର୍ଥରକ୍ଷାକୁ ଜାତୀୟ କର୍ତ୍ତବ୍ୟ ରୂପେ ପାଳନ କରିବା ପାଇଁ ଆହ୍ଵାନ କରନ୍ତି !

ସେହି ରାତି ଛାରକୀଟମାନଙ୍କ ପାଇଁ ସେ ଅନେକ ଶାରୀରିକ କଷ୍ଟବୋଧର ସମ୍ମୁଖୀନ ହୋଇ ରାତ୍ରି ଅନିଦ୍ରା ହେବାକୁ ପଡିଲା ! ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଛାଡି ସେ ଚାଲି ଆସିଲେ ସତ୍ୟବାଦୀ। ଜୁନ୍ ୧୨ ତାରିଖରେ ପୁଣି ଜ୍ଵର ଲେଉଟିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ୍ ହେଲା। ୧୩ ତାରିଖ ପର୍ଯ୍ୟନ୍ତ ଅନେକ ଆଖପାଖ ଅଞ୍ଚଳର ଲୋକ ପ୍ରତ୍ୟହ ସାକ୍ଷାତ୍ କରିବା ପାଇଁ ଆସୁଥିଲେ, ସେମାନଙ୍କୁ ଦେଖି କୋହରେ ବ୍ୟତିବ୍ୟସ୍ତ ହେଇପଡିଲେ ଉତ୍କଳମଣି –

ସତ୍ୟବାଦୀ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଥିଲାବେଳେ ଶୋକାତୁର କଣ୍ଠରେ କହିଲେ – “ଡାକ୍ତରବାବୁ ମୁଁ ରୋଗରେ ପଡି କେବେ କାନ୍ଦି ନଥିଲି। ଆଜି ଏ ଅଘଟଣ କାହିଁକି ? ମୋ ଆଖିରେ ଲୁହ ଭରି ରହିଛି । ଆପଣ ଜାଣନ୍ତି ମୁଁ କିଛି କିଛି କବିତା ଲେଖାଲେଖି କରେ। ମୋର ଆଜି ଗୋଟିଏ କବିତାର ପଦଟିଏ ମନେ ପଡୁଛି, ଯହିଁରେ ଲେଖାଥିଲା – ‘କେତେ ଦିନ ଆଉ ଏ ବିକ୍ଷୁବ୍ଧ ଜୀବନ-ସାଗରରେ ମୁଁ ଭଙ୍ଗା ଡଙ୍ଗାଟିଏ ଧରି ଆଗେଇ ପାରିବି।’ ଦୟାକରି କୁହନ୍ତୁ ମୋ ଛାତି ଦବି ଦବି ଗଲାପରି ମୋତେ ଲାଗୁଛି… “ । ଉପସ୍ଥିତ ଲୋକଚକ୍ଷୁରେ କୋହଭରା ବ୍ୟଥିତାଶ୍ରୁ !


ସେହି ସମୟରେ ଓଡିଶାର ଦାରିଦ୍ର୍ୟକୁ ଉପଲକ୍ଷ୍ୟ କରି ମଧୁବାବୁ ମଧ୍ୟ ଏକ ଚିଠି ଲେଖି କହିଥିଲେ ଯେ ଉତ୍କଳମଣି ହିଁ ଏକମାତ୍ର, ଯାହାଙ୍କୁ ଦେଖିଲେ ସିଏ ସ୍ଵସ୍ତିରେ ନିଃଶ୍ଵାସ ମାରିପାରିବେ। ଉତ୍କଳମଣି ହିଁ ଏକାନ୍ତ ତାଙ୍କ ବ୍ୟଥିତ ସ୍ଥବିର ହୃଦୟର ବ୍ୟଥାକୁ ବୁଝିପାରିବେ – ଏ ଦେଶମାତୃକାରେ ଲୟ ରଖିଥିବା ଦୁଇ ମହତ୍ ମହାତ୍ମନ୍ – ସବୁବେଳେ ପାଥେୟ ହୋଇ ରହିଥିବେ – ଏହି ଅକିଞ୍ଚିତ ମାଟିର ଉପରେ ସେହିମାନଙ୍କ ପଦଚିହ୍ନ ଅଦ୍ୟାବଧି ମଧ୍ୟ ପୂଜ୍ୟ ଓ ନମସ୍କରଣୀୟ ! ଜୁନ୍ ପନ୍ଦର ତାରିଖରେ ଜ୍ଵର ଛାଡି ହିକ୍କା ହେଲା ଏବଂ ତାହା ପରେ ପୁନଶ୍ଚ ୧୭ ତାରିଖ ଦିନ ଜ୍ଵର ଲେଉଟିବାରୁ ସତ୍ୟବାଦୀର ସିଭିଲ୍ ସର୍ଜନ ଆସି ଚିକିତ୍ସା ଆରମ୍ଭ କରିଲେ।

ଦିନ ତିନିଟା ବେଳକୁ ତାଙ୍କ ଦେହାବସ୍ଥା ଆହୁରି ଦୁର୍ବଳତା ଆଡକୁ ଘେନି ଯାଉଥାଏ । ନୀଳକଣ୍ଠ, ହରିହର, ଲିଙ୍ଗରାଜ, ଜଗବନ୍ଧୁ, ଓକିଲ ବନମାଳୀ ଦାସ ଏବଂ ସତ୍ୟବାଦୀର ବହୁ ଛାତ୍ର ଓ ଶିକ୍ଷକ ଉପସ୍ଥିତ ଥାଆନ୍ତି। ସେତେବେଳେ ସମସ୍ତେ ଗୋଟିଏ ଉଇଲ୍ ଲେଖିବା ପାଇଁ ମନସ୍ଥ କରିଲେ। ଲିଙ୍ଗରାଜ ବାବୁ ପଚାରିଲେ – “ଆପଣେ, ଆପଣେ କ’ଣ ଗୋଟାଏ ଲେଖିଦେବାକୁ ଭାଳୁଛନ୍ତି କିଏ?”

ଦାସେ ଆପଣେ ବୋଇଲେ , “କଣ ଲେଖିବା ବେଳ ହୋଇଗଲାଣି କି ? ସମସ୍ତେ ଏଠିକି ଆସ। ଅନ୍ୟମାନଙ୍କୁ ମୋ ପାଖକୁ ଡାକ।” ଲିଙ୍ଗରାଜବାବୁଙ୍କୁ କାଗଜ କଲମ ଧରିବାର ସଙ୍କେତ ଦେଇ ଦୀର୍ଘ ଉଇଲ୍ ଟିଏ ଲେଖେଇ ଦେଲା ବେଳେ ଜାମାତା ରତ୍ନାକର ପତି ଏବି ରାଧାନାଥ ରଥ ଆସିଲେ। ଗୋପବନ୍ଧୁ ସେ ଦୁହିଁଙ୍କୁ ଦେଖି କହିଲେ, “I am dictating my last will and testament”. ଭାବ ସମ୍ବରି ନ ପାରି କାନ୍ଦିପକାଇଲେ ଦୁଇଜଣ ! ହାତକୁ ଉଇଲ୍ ନେଇ ଶେଷ ଦସ୍ତଖତ ଦେଲେ ଉତ୍କଳର ମଥାମଣି ଗୋପବନ୍ଧୁ !

୧୭ ଜୁନ ୧୯୨୮ ! ଦିନ ପାଞ୍ଚଟା ତିରିଶ ମିନିଟ୍ !

ଗୋପବନ୍ଧୁ କହିଲେ , “ସମସ୍ତେ ସାବଧାନ ଥିବ-ମୋ ବେଳ ଆସିଗଲା। ଏବେ ମୁଁ ଯାଏଁ … ତୁମେ ସମସ୍ତେ ମୋ ଚାରିପାଖରେ ବସି ପ୍ରାର୍ଥନା କର – ମୁଁ ଟିକିଏ ଶୁଏ।” ପ୍ରାର୍ଥନା ହେଲା, ଗୀତା ପାଠ ହେଲା। ପରେ ଜଣାଯାଏ, ନାଡିର ଗତି ଶିଥିଳ ହେଲା ! ସେତେବେଳେ ବାରମ୍ବାର ଇନଜେକ୍ସନ ଦିଆହେଲେ ମଧ୍ୟ କିଛି ହେଲା ନାହିଁ।


ଉପରମୁହାଁ ପବନ ଗତି ବନ୍ଦ ହୋଇ ଆସିଲା ପରି ଜଣାପଡୁଛି କହି ତିନୋଟି ହିକ୍କା ପରେ ସବୁ ନିଷ୍ପ୍ରାଣ ହେଇସାରିଥାଏ। ସେହି ତରୁଣସୁଲଭ ଆଖି ମୁଦି ହେଇଗଲା ଚିରଦିନ ପାଇଁ। ଆଚାର୍ଯ୍ୟ ମହାଶୟ ନାଡି ତନଖି ଦେଖି ଚିତ୍କାର କରିପକାଇଲେ। ସେଦିନ ନେତ୍ରୋତ୍ସବ, ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ନବଯୌବନ ଦର୍ଶନ ପାଇଁ ଲକ୍ଷାଧିକ ଭିଡ଼, କିନ୍ତୁ ମହାତ୍ମନ୍’ଙ୍କ ଇହଲୀଳାର ଯବନିକା ପଡିଲା !

କଂଗ୍ରେସ ପତାକାରେ ତାଙ୍କ ଦେହ ଆଚ୍ଛାଦିତ କରାଗଲା। ପ୍ରିୟ ବକୁଳବନଠାରେ ଘିଅ ଓ ଚନ୍ଦନକାଠରେ ତାଙ୍କ ଜଡ଼ପିଣ୍ଡକୁ ଦିଆଗଲା ବିଦାୟ। ରାତ୍ରିର କାଳିମାରେ ଚରିଯାଇଥିଲା ଅଗ୍ନିଧୂମର କୁଣ୍ଡଳୀ – ଅନନ୍ତ ଆକାଶର ଆବକ୍ଷ ଯେପରି ମୃତ୍ୟୁଞ୍ଜୟୀ ଦେହକୁ ଜ୍ଞାପନ କରିଥିଲେ ତାଙ୍କର ଶେଷ ପ୍ରଣତି ! ଚିରଯଶଧର ଉତ୍କଳର ମଣି ଜାତିକୁ ଦେଇ ଚଳିଗଲେ ଗୋଟିଏ ଜାତିର ମହାମନ୍ତ୍ର !

ଏ ଆଲୋକର ଦେଦୀପ୍ୟମାନ ଶିଖା କଣ କେବେ ଲିଭିବ ? ଏ ତ ଚିରଦିନ ପାଇଁ ସୂର୍ଯ୍ୟ ହୋଇ ଉଦୟ ହେବ !

Utkalmaninka Dehabasana

Gopabandhu Das Amritesh Khatua

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago