ଲେଖା: ନିରଞ୍ଜନ ସାହୁ

“କବିକୁଳ କଞ୍ଜ ଉପଇନ୍ଦ୍ର ଭଞ୍ଜ
ନମେ ତବ ପଦତଳେ
କାବ୍ୟ- ସୁମାଧୁରୀ ଭାଷା ସୁଚାତୁରୀ
ପରକାଶିଲ ଉତକଳେ।

ଜନ୍ମି ରାଜକୁଳେ ବଇଭବ କୋଳେ
ଅତୁଳ ସୁଖ ସଦନେ
ତେଜି ସେ ସମ୍ଭୋଗ ଆଚରିଲ ଯୋଗ
ବୀଣାପାଣି ଆରାଧନେ।

ଅତି ମନୋହର ଚାରୁ ଚମତ୍କାର
ଶତ ମାନସୀ ପ୍ରତିମା
କାବ୍ୟ ଚିତ୍ରପଟେ ଉଜ୍ଜ୍ୱଳେ ପ୍ରକଟେ
ତୁମ୍ଭ ପ୍ରତିଭା ଗରିମା ।

କଳ୍ପନାର କାଚେ ତବ ହୃଦ ଛାଞ୍ଚେ
ନବ ବର୍ଣ୍ଣେ ପ୍ରତିଫଳି
ନବ ଅଳଙ୍କାରେ ଶୋଭେ କି ରୁଚିରେ
ପୁରାଣ ଘଟଣାବଳୀ ।”
(ଭାରତମଣି ଗୋପବନ୍ଧୁ ଦାସ)

ଅରଣ୍ୟ ପର୍ବତ ଘେରା ଘୁମୁସର ରାଜ୍ୟରେ ଥିଲା ଚମତ୍କାର ଜାଙ୍ଗଳିକ ସୁଷମା। ସେହି ସୁଷମା ମଧ୍ୟରେ ଆତଯାତ ହେଉଥିଲେ ମୁଖ୍ୟତଃ କନ୍ଧ, ଶବର ପ୍ରଭୃତି ଆଦିବାସୀ । କୁରୁମ, ଓଡ଼ିଆ ଓ କାଳିଞ୍ଜୀ ପାଇକମାନେ ମଧ୍ୟ ବହୁ ସଂଖ୍ୟାରେ ବସବାସ କରୁଥିଲେ। ଭଞ୍ଜ ରାଜାମାନଙ୍କ ଠାରେ ଆଦିବାସୀ ସମ୍ପ୍ରଦାୟ ସାଧାରଣତଃ ଅନୁଗତ ଥିଲେ। ଅରଣ୍ୟ ସମ୍ପଦ ଓ ବୟନଶିଳ୍ପ ଲାଗି ଘୁମୁସର ରାଜ୍ୟ ସେତେବେଳେ ବିଖ୍ୟାତ ଥିଲା। ସେହି ସମୃଦ୍ଧ ଘୁମୁସର ରାଜ୍ୟର କୁଲାଡ଼ଗଡ କଟକରେ ଜନ୍ମଗ୍ରହଣ କରିଥିଲେ ଉପେନ୍ଦ୍ର ଭଞ୍ଜ। ସେଇ ଘୁମୁସର ହିଁ ଆଜିର ଭଞ୍ଜନଗର !

“ଘୁମୁସର ଅଧିପ ପଣେ, ଲୋକେ ବିଖ୍ୟାତ କବିଗୁଣେ
ତଦବତ ତାହାଙ୍କ ତନୁଜ, ନରେଶ ନୀଳକଣ୍ଠ ଭଞ୍ଜ
ତାହାଙ୍କ ଜୈଷ୍ଠ ସୁତ ମୁହିଁ, ଉପେନ୍ଦ୍ର ଭଞ୍ଜ ନାମ ବହି
ତାରକ ମନ୍ତ୍ର ପରସାଦେ, ମୋହର କବିପଣ ଉଦେ।”

ଓଡ଼ିଆ କାବ୍ୟ ସାହିତ୍ୟରେ ଅଳଙ୍କାରିତାର, ଶବ୍ଦସମ୍ଭାର, ଉପମା ବୈଚିତ୍ର୍ୟ, ବର୍ଣ୍ଣନାରେ ଇନ୍ଦ୍ରଜାଲ ସୃଷ୍ଟିର ଶ୍ରେଷ୍ଠ ପ୍ରତିନିଧି ‘ଉପେନ୍ଦ୍ର ଭଞ୍ଜ’। ସାମ୍ପ୍ରତିକ ରୁଚିର ମାନଦଣ୍ଡରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିର ମୂଲ୍ୟାୟନ ସମାଲୋଚନାର ପଦ୍ଧତି ଦୃଷ୍ଟିରୁ ଉଚିତ ହେବନାହିଁ। ତାଙ୍କର ସମସାମୟିକ କାଳରେ ଭାରତୀୟ ସାହିତ୍ୟରେ ଯେଉଁ ଉନ୍ମେଷ ହୋଇଥିଲା, ତାହା ଉପେନ୍ଦ୍ରଙ୍କ ସାହିତ୍ୟରେ ପ୍ରତିଫଳିତ ହେବା ସ୍ବାଭାବିକ। ପରନ୍ତୁ, ସେ ସମୟର ସଂସ୍କୃତ ସାହିତ୍ୟରେ ଯେଉଁ ଅଳଙ୍କାର, ବୈଚିତ୍ର୍ୟ, ବର୍ଣ୍ଣନା ପରିଦୃଷ୍ଟ ହେଉଥିଲା, ତାହାର ସମକକ୍ଷ ହୋଇଥିଲା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ସମୂହ।

ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତା କେହି ବୁଝନ୍ତୁ ବା ନ ବୁଝନ୍ତୁ, କବିସମ୍ରାଟ ରୂପେ ତାଙ୍କର ନାମ ଉଚ୍ଚାରଣ କରି, ପ୍ରତ୍ୟେକ ଓଡ଼ିଆର ଆତ୍ମସତ୍ତା କିନ୍ତୁ ପରିତୃପ୍ତ ହୋଇଥାଏ। ଉପେନ୍ଦ୍ର ଭଞ୍ଜ ଏଇଥି ପାଇଁ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଜାତୀୟତାର ଇତିହାସରେ ଏକ ଜୀବନ୍ତ ଭାବମୂର୍ତ୍ତି। ସେଇଥିପାଇଁ ଏ ଜାତିର କୁଳବୃଦ୍ଧ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଭାଷଣ ପ୍ରସଙ୍ଗରେ କହିଥିଲେ “ଉତ୍କଳ ଜନନୀ ମୃତ୍ୟୁଶଯ୍ୟାରେ ପଡିଛନ୍ତି। ଉପେନ୍ଦ୍ର ଭଞ୍ଜଙ୍କ ମନ୍ତ୍ରରେ କଣ୍ଠ ଫିଟିବ ।”

~ ଅତି ଦୁଃଖର ବିଷୟ ~
ଓଡ଼ିଶାର ଜାତୀୟ ଇତିହାସରେ ଉପେନ୍ଦ୍ର ଭଞ୍ଜଙ୍କ ଏଭଳି ପ୍ରସିଦ୍ଧି ସତ୍ତ୍ୱେ, ତାଙ୍କ ଜୀବନୀ ସମ୍ପର୍କରେ ଉପାଦାନ ଅତ୍ୟନ୍ତ ବିରଳ। ଏପରିକି ତାଙ୍କ ଆବିର୍ଭାବ ଓ ତିରୋଧାନ ଦିବସ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ନିରୂପିତ ହୋଇପାରିନାହିଁ। ଐତିହାସିକ ତଥ୍ୟ ନିର୍ଭର ନ ହେଲେ ହେଁ ଆଲୋଚକ ଗଣ ତାଙ୍କର ସମୟ ୧୬୮୫ରୁ ୧୭୨୫ ମଧ୍ୟରେ ବୋଲି ମତ ଦିଅନ୍ତି।

ଏପରିକି, ଏଯାବତ୍ ଆମେ ଏ ମହାନ ପ୍ରତିଭାଙ୍କ ସଠିକ୍ ପ୍ରତିକୃତିଟିଏ ଠାବ କରିବାରେ ବିଫଳ। ଧନ୍ୟ ଆମେ ! ଏବେ ବହୁଳ ଭାବେ ଦେଖିବାକୁ ମିଳୁଥିବା ଫଟୋଚିତ୍ର ‘କଳିଙ୍ଗ ଭାରତୀ‘ ଦ୍ଵାରା ପରିକଳ୍ପିତ ଓ ବ୍ୟବହୃତ । ଏକ ରେଖାଚିତ୍ର ମଧ୍ୟ ବ୍ୟବହାର କରାଯାଉଛି। ଖ୍ୟାତନାମା ଶିଳ୍ପୀ ହରିଶରଣ ମହାପାତ୍ର କବିଙ୍କର ଆଉ ଏକପ୍ରକାର ପ୍ରତିକୃତି ଅଙ୍କନ କରିଛନ୍ତି, ଯାହା ହିଞ୍ଜିଳିକାଟୁ କଲେଜରେ ସ୍ଥାପିତ ହୋଇଛି। ବେଣୀପଲ୍ଲୀ ନିକଟସ୍ଥ ଘୁମୁସରଗଡ଼ ମନ୍ଦିରର ଏକ ନିର୍ଦ୍ଦିଷ୍ଟ ମୂର୍ତ୍ତି ଏବଂ ଧରାକୋଟ ରାଜପ୍ରାସାଦରେ ଥିବା ଚିତ୍ରିତ ବୈଦେହୀଶ ବିଳାସ ପୋଥିରେ ଥିବା ଉପେନ୍ଦ୍ରଙ୍କ ଚିତ୍ରକୁ ମିଶାଇ ଏକ ସର୍ବସମ୍ମତ ପ୍ରତିକୃତି ପରିକଳ୍ପିତ ଓ ଗୃହୀତ ହୋଇପାରେ ବୋଲି ଅନେକେ (ଗୈାରୀକୁମାର ବ୍ରହ୍ମା) ମତ ଦିଅନ୍ତି ।

ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତି ସୁବିପୁଳ। ପରିମାଣାତ୍ମକ ଦୃଷ୍ଟିରୁ ଆଉ କ୍ୟୈ।ଣସି କବି ଏତେ କାବ୍ୟ ରଚନା କରିନାହାନ୍ତି। ‘ଚିତ୍ରକାବ୍ୟ ବନ୍ଧୋଦୟ’ରେ କବିଙ୍କ ପ୍ରଦତ୍ତ ସୂଚୀ ଅନୁଯାୟୀ ସେ ଛବିଶଟି କାବ୍ୟ ରଚନା କରିଛନ୍ତି। ତଥାପି ବିଶିଷ୍ଟ ଆଲୋଚକ ଅଧ୍ୟାପକ ବ୍ରହ୍ମା ଆହୁରି ଅଠେଇଶ ଖଣ୍ଡ ବହି (କାବ୍ୟ)ର ସନ୍ଧାନ ପାଇଥିବାର ଉଲ୍ଲେଖ କରିଛନ୍ତି। (ତେବେ ଆମର କୃତବିଦ୍ୟ ସାହିତ୍ୟ ସମାଲୋଚକମାନେ ଟିକେ ହେଜନ୍ତୁ !)

ଚଉପାଢୀଆ ସଂସ୍କୃତ ପଣ୍ଡିତମାନଙ୍କର ପାଣ୍ଡିତ୍ୟହୁଙ୍କାରସ୍ଫୀତ ବଜ୍ରମୁଷ୍ଠିରୁ ସାହିତ୍ୟକୁ ଉଦ୍ଧାର କରି, ଆପାମର ଜନସାଧାରଣଙ୍କ ମଧ୍ୟରେ ପ୍ରଚାରିତ ଓ ପ୍ରତିଷ୍ଠିତ କରିବାର ଯେଉଁ ନିରବ ବିପ୍ଳବ, ସାରଳା ଦାସଙ୍କ ସମୟରୁ ଆରମ୍ଭ ହୋଇଥିଲା, ରୀତି ଯୁଗର କବିମାନଙ୍କ ରଚନାରେ ତାହାର ପ୍ରତି ପରିଣତି ଆରମ୍ଭ ହୋଇ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ତାହା ଚୂଡାନ୍ତ ସ୍ପର୍ଶ କରିଥିଲା।

ଉପେନ୍ଦ୍ର ଭଞ୍ଜଙ୍କ ଶବ୍ଦ ପାଣ୍ଡିତ୍ୟ ଥିଲା ବିସ୍ମୟୋଦ୍ଦୀପକ। ଅମରକୋଷ, ତ୍ରିକାଣ୍ଡକୋଷ, ବୈଜୟନ୍ତୀକୋଷ, ବିଶ୍ଵପ୍ରକାଶ କୋଷ ଆୟତ୍ତ କରିଥିବା ‘ଗୀତାଭିଧାନ’ରେ ସେ ଉଲ୍ଲେଖ କରିଛନ୍ତି ଓ ଶବ୍ଦସମୁଦ୍ର ପାର ହୋଇଛନ୍ତି ବୋଲି ଘୋଷଣା ମଧ୍ୟ କରିଛନ୍ତି। ଗୋଟିଏ ଗୋଟିଏ ଶବ୍ଦର ଗୋଲକ ଧନ୍ଦା ଏପରି ଯେ, ତିରିଶ, ଚାଳିଶ ପ୍ରକାର ଅର୍ଥ ନିର୍ଗତ ହେଉଥିବା ଦେଖାଯାଏ। ସାଧାରଣ ଜନସମାଜ ସ୍ତମ୍ଭିଭୂତ ହୁଏ।

“ଗୀତ ଅଭିଧାନ ହୋଇ ସାବଧାନ ଶୁଣ ସୁଜନେ ସନ୍ତୋଷେ,
ଅମର, ତ୍ରିକାଣ୍ଡ, ଯାଦବ, ଶାଶ୍ଵତ, ମେଦିନୀ, ବିଶ୍ଵପ୍ରକାଶେ,
ପ୍ରଚୁର ଶବଦ ଯେତେ ତା’ କହିବା ଛାଡ଼ ଅପ୍ରଚୁରମାନ,
ବୁଝାଇଲେ ମୂର୍ଖେ ବୁଝିବେ ଅକ୍ଲେଶେ ସ୍ଵଭାବେ କୋବିଦଜନ।”

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ। ଏ ଜାତିର କୋଟି କୋଟି ଦଣ୍ଡବତ ପ୍ରଣାମ।

ଆଧାର: ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ, ସୁରେନ୍ଦ୍ର ମହାନ୍ତି ଏବଂ ଡ. କୃଷ୍ଣଚରଣ ବେହେରା

Kabisamrat Upendra Bhanja Kalinga Bharati © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago