ଲେଖା: ଡ. ଜୟଶ୍ରୀ ନନ୍ଦ

~ ତୁଳସୀ~
“କହନ୍ତି ପ୍ରଭୁ ଲକ୍ଷ୍ମୀପତି
ଏମନ୍ତ ତିନି ବନସ୍ପତି
ଅଏଁଳା ତୁଳସୀ ମାଳତୀ
ଏ ତିନି ମୋହ ପ୍ରିୟବତୀ
ସେ ବୃନ୍ଦାବତୀ ତିନିଗୁଣେ
ତ୍ରିପୁରା ଆଜ୍ଞା ପରିମାଣେ।
ବିଶେଷ ତୁଳସୀ ପ୍ରଧାନ
ସଂସାରେ ମୋହରି ସମାନ ।
କହନ୍ତି ପ୍ରଭୁ ନାରାୟଣ
ମୋ ଠାରୁ ଶ୍ରେଷ୍ଠ ବୋଲି ଜାଣ।
ତୁଳସୀ ବୃକ୍ଷ ସେବା କଲେ
ମୋତେ ପାଇବ ପ୍ରାଣୀ ଭଲେ।
ତୁଳସୀ ବିନା ଯେତେ ଭୋଗ
ମୋତେ ନୁହଁଇ ଉପଯୋଗ।
ତୁଳସୀ ଦଳେ ମୋତେ ପୂଜି
ତୁଳସୀ ଘେନି ମୋତେ ଭଜି।
ତୁଳସୀ ଦେବ ମୋର ଶିରେ
ପ୍ରାଣୀ ବସିବେ ମୋର ପୁରେ।”
(ପଦ୍ମପୁରାଣ/ଉତ୍ତରଖଣ୍ଡ/କାର୍ତ୍ତିକ ମାହାତ୍ମ୍ୟ)
ସବୁ ଦିନ ସକାଳେ ଓଡ଼ିଆ ଘରେ ସ୍ନାନ ଅନ୍ତେ ଓଡ଼ିଆ କୂଳବଧୂ ମାନଙ୍କର ଦୀନଚର୍ଯ୍ୟା ଆରମ୍ଭ ହୁଏ ମାଆ ବୃନ୍ଦାବତୀଙ୍କ ପୂଜାରୁ । ତୁଳସୀ ଚଉଁରାରେ ଥିବା ତୁଳସୀ ମୂଳରେ ଜଳ ଢାଳି ପୂଜା କରାଯାଏ ଓ ଏହି ଗଛର ପତ୍ରକୁ ପ୍ରସାଦ ରୂପେ ଗ୍ରହଣ କରାଯାଏ । ହିନ୍ଦୁ ପୁରାଣରେ ତୁଳସୀପତ୍ର ସେବନ ଆତ୍ମାକୁ ସ୍ୱର୍ଗକୁ ଘେନିଯାଇଥାଏ ବୋଲି ବିଶ୍ୱାସ କରାଯାଇଥାଏ ।
ତୁଳସୀ ତିନି ପ୍ରକାରର। ରାମତୁଳସୀ, କୃଷ୍ଣତୁଳସୀବଣ(ବଣୁଆ) ତୁଳସୀ। କୃଷ୍ଣତୁଳସୀ ବା କଳାତୁଳସୀ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ । କାର୍ତ୍ତିକ ମାସରେ ରାଈ ଦାମୋଦର ପୂଜା ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ମୂଳେ ଏହି ପୂଜା ହୁଏ । ପ୍ରତି ଗାଁରେ ଆଈ ବୁଢୀମା ଓ ତାଙ୍କ ସମବୟସୀମାନେ ମିଶି ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସାରା ପୂଜା କରନ୍ତି। ବହି ପଢନ୍ତି। ଘିଅ ଦୀପ ଜାଳନ୍ତି ।
ତୁଳସୀ ଚଉଁରା ମୂଳେ ଦୀପ ଧୂପ ଦାନ ଆମ ଓଡ଼ିଆ ଘରର ପରମ୍ପରା । ତୁଳସୀ ଯେଉଁ ଘରର ଆଗରେ ପୂଜା ପାଆନ୍ତି ବା ଥାଆନ୍ତି ସେ ଘରେ ସ୍ବୟଂ ବିଷ୍ଣୁ ବାସ କରନ୍ତି। ବିଶେଷତଃ ଏହି କାର୍ତ୍ତିକ ମାସରେ ତୁଳସୀ ମାତାଙ୍କର ପୂଜା ସବୁଠାରେ ହୁଏ। ତୁଳସୀପୂଜା, ତୁଳସୀରେ ଜଳଦାନ, ତୁଳସୀଙ୍କୁ ଭୋଗଲାଗି, ତୁଳସୀ ପ୍ରଦକ୍ଷିଣ, ତୁଳସୀଗ୍ରହଣ ଇତ୍ୟାଦି । ତୁଳସୀ ଦାନ ମହାପୂଣ୍ୟ ଏ କଥା ବି ଲୋକୋକ୍ତି ରହିଛି। ଅନେକ ଲୋକ ତୁଳସୀ ଗଛ ମାଟିକୁ ମଥାରେ ଲଗାନ୍ତି । ତୁଳସୀସ୍ତବ/ସ୍ତବକ ପଢନ୍ତି । ଗାଁ ଗଣ୍ଡାରେ ଶଙ୍ଖାରୀ ଶଙ୍ଖା ଚୁଡି ଆଦି ବିକି ଆସିଲେ କୂଳବଧୂମାନେ ନୂଆ ଶଙ୍ଖା ବା ଚୁଡି ପିନ୍ଧି ପ୍ରଥମ ବୃନ୍ଦାବତୀଙ୍କୁ ନମସ୍କାର କରନ୍ତି। ମାଆ ବୃନ୍ଦାବତୀ ସୁଖ ସୌଭାଗ୍ୟକାରିଣୀ । ଝିଅଟିଏ ବିବାହ ପରେ ଶାଶୁ ଘରକୁ ଗଲାବେଳେ ଅବା ବୋହୂଟିଏ ଶାଶୁଘରକୁ ଆସିଲେ ପ୍ରଥମ ଆଣ୍ଠୁମାଡି ମୁଣ୍ଡରେ ଓଢଣା ଦେଇ ମାଆ ବୃନ୍ଦାବତୀଙ୍କୁ ନମସ୍କାର କରେ । ସେ ଘର ଅଗଣା ସବୁବେଳେ ହସୁଥାଏ ଯେଉଁ ଗୃହ ଆଗରେ ମାଆ ବୃନ୍ଦାବତୀ ବାସ କରନ୍ତି ।
ମାଆ ବୃନ୍ଦାବତୀ ଅନେକ ନାମରେ ମଧ୍ୟ ପୂଜା ପାଆନ୍ତି। ଦେବଦୁର୍ଲଭା, ବିଷ୍ଣୁବଲ୍ଲଭା, ଅମର ବଲ୍ଲଭା, ଦେବଦୁନ୍ଦୁଭି, ସୁଲଭା, ମଞ୍ଜରୀ, ଶୂଳଘ୍ନୀ, ରକ୍ଷଣୀ, ରକ୍ଷାକାରିଣୀ, ତ୍ରିପୁରା ଗୌରୀ ଅନେକ ନାମ ମାଆ ବୃନ୍ଦାବତୀଙ୍କର ।
ତୁଳସୀସ୍ତବ ପ୍ରତିଦିନ ଘରର କୂଳବଧୂମାନେ ଗାଆନ୍ତି । ନିଜର ସୁଖସୌଭାଗ୍ୟ ଓ ନିଜର ପରିବାରର ସୁଖଶାନ୍ତି କାମନା କରି ମାଆ ବୃନ୍ଦାବତୀଙ୍କୁ ଝିଅବହୂମାନେ ନିତ୍ୟପୂଜା କରନ୍ତି । ସେହି ସୁଖ ସୌଭାଗ୍ୟକାରିଣୀ ମାଆ ବୃନ୍ଦାବତୀ ପ୍ରତିଘରେ ସୁଖଶାନ୍ତି ସୌଭାଗ୍ୟ ଆଶିଷର ବର୍ଷା ସଦା କରୁଥାନ୍ତୁ ।
“ତୁଳସୀ ଚଉଁରା ମୂଳେ ଜାଳେ ସଞ୍ଜବତୀ
ତୋ ଆଶିଷେ ହେବି ମାଆ ସୌଭାଗ୍ୟବତୀ”।
ହିନ୍ଦୁ ପୁରାଣରେ ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।ବେଳେବେଳେ ତାଙ୍କୁ ବିଷ୍ଣୁଙ୍କ ପତ୍ନୀ ଆଖ୍ୟା ଦିଆଯାଇଥିବାରୁ ତାଙ୍କୁ ବିଷ୍ଣୁପ୍ରିୟା ବା ବିଷ୍ଣୁଙ୍କ ପ୍ରେୟସୀ ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ପୁରାଣ ଅନୁସାରେ ତୁଳସୀବୃକ୍ଷ ପୂର୍ବ ସମୟରେ ବୃନ୍ଦାବତୀ ବା ବୃନ୍ଦା (ତୁଳସୀର ଏକ ପ୍ରତିଶବ୍ଦ) ନାମକ ଜଣେ ମହିଳା ଥିଲେ । ସେ ହେଉଛନ୍ତି କାଳେନିକ ଦୈତ୍ୟ (ଅସୁର) ଙ୍କର କନ୍ୟା । ସେ ଥିଲେ ବିଷ୍ଣୁଭକ୍ତ।
କାଳ ନଉମି ଦୈତ୍ୟଜେମା
ରୂପେ ସୁନ୍ଦରୀ ଦ୍ବିତୀଉମା
ନାମ ତାହାର ବୃନ୍ଦାବତୀ
ସର୍ବଲକ୍ଷଣ ସାଧ୍ବୀସତୀ।
ବୃନ୍ଦାବତୀ ଅସୁର ରାଜା ଜଳନ୍ଧରକୁ ବିବାହ କରିଥିଲେ । ଜଳନ୍ଧର ହେଉଛନ୍ତି ସିନ୍ଧୁ ଦେଶର ରାଜା ।
ଜଳୁ ଯେ ହେଲା ଅବତାର,
ନାମ ତା ଅଟେ ଜଳନ୍ଧର।
ଏ ସିନ୍ଧୁ ସୁତ ଜଳନ୍ଧର,
ରାଜା ଅଟେ ସିନ୍ଧୁ ଦେଶର।
ସେ ରାଜା ସାଗର ନନ୍ଦନ
ଅଟଇ ବଇରୀ ଗଞ୍ଜନ।
ପୂର୍ବେ ଯେ ମନ୍ଥିଲେ ସାଗର
ବିଷ୍ଣୁ ସହିତେ ସୁରାସୁର।
ତହୁଁ ପାଇଲ ଯେତେ ଦ୍ରବ୍ୟ
ଦେବତା ନେଲେ ତାହାସର୍ବ।
ବିଚାରେ ପିତା ଦ୍ରବ୍ୟତାର
ସାଗର ସୁତ ଜଳନ୍ଧର।
ଯେହେତୁ ଜଳନ୍ଧର ସାଗର ସୂତ । ସେ ଦେବତାଙ୍କ ସହ ଯୁଦ୍ଧକରି ସାଗର ମନ୍ଥନରୁ ଯେଉଁ ସବୁ ସମ୍ପଦ ଦେବତାମାନେ ନେଇଥିଲେ ସେ ସବୁ ପାଇଁ ଯୁଦ୍ଧ କରୁଥିଲେ । ଦୈତ୍ୟରାଜା ଜଳନ୍ଧର ଦେବତାଙ୍କ ସହ ଯୁଦ୍ଧ କରି ସବୁ ସମ୍ପଦ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥିଲେ । ପରାକ୍ରମୀ ଥିଲେ । ତାହା ସହିତ ବୃନ୍ଦାବତୀଙ୍କର ସତୀତ୍ୱ ଓ ବିଷ୍ଣୁ ଭକ୍ତି ବଳରେ ଜଳନ୍ଧର ଅଜେୟ ଥିଲେ । ଆମ ହିନ୍ଦୁ ପରମ୍ପରାରେ ନାରୀର ସତୀତ୍ବର ଶକ୍ତି କଥା ଅନେକ ବେଦ ପୁରାଣରୁ ଜଣାପଡେ। ସେମିତି ବୃନ୍ଦାବତୀଙ୍କର ସତୀତ୍ବ ତାଙ୍କ ସ୍ବାମୀ ଜଳନ୍ଧରଙ୍କୁ ଅଜେୟ କରିଥିଲା।
“ସେ ସତୀ ପତିବ୍ରତା ପୂଣ୍ୟେ
ଅସୁର ତେଜ ଦିନୁଦିନେ”।
ଦେବତାମାନେ ମଧ୍ୟ ତାଙ୍କୁ ପରାଜିତ କରିପାରୁନଥିଲେ । ଏ ଅବସରରେ ଦେବତାମାନେ ବିଷ୍ଣୁଙ୍କୁ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ।
ହେ ଦେବ ଦେବ ଚକ୍ରଧର,
ଖଳ ନାଶନ ବାନା ତୋର।
ଯେଣେ ତୋ ନାମ ଅନ୍ତର୍ଯ୍ୟାମୀ,
ଆମ୍ଭ ଆତଙ୍କ ଫେଡ ସ୍ବାମୀ।
ଅପୂର୍ବ ରୂପ ହୋଇ ହରି
ଗରୁଡ କନ୍ଧେ ବିଜେ କରି
ଲକ୍ଷ୍ମୀଙ୍କୁ ଚାହିଁ ଚକ୍ରପାଣୀ
ବୋଲନ୍ତି ଶୁଣ କମଳିନୀ।
ସିନ୍ଧୁ ନନ୍ଦନ ଜଳନ୍ଧର
ସେ ଦୁଷ୍ଟ ସାନୁଜ ତୁମ୍ଭର।
ଯେ ସାଧୁଜନେ ହିଂସା କରି
ସେ ନିଶ୍ଚେ ମୋହର ବଇରୀ।
ଏବେ ମୁଁ ଦେବତାର ଛଳେ,
ମାରିବି ଜଳନ୍ଧର ହେଳେ।
ବୃନ୍ଦାବତୀଙ୍କର ସତୀତ୍ବ ଓ ବିଷ୍ଣୁଭକ୍ତିର ଶକ୍ତି ଏତେ ଅଧିକ ଥିଲା ଯାହା ତାଙ୍କ ସ୍ବାମୀ ଜଳନ୍ଧରଙ୍କୁ ଅଜୟ ଅମର କରିପାରିଥିଲା । ତେଣୁ ଜଳନ୍ଧରର ଅନୁପସ୍ଥିତିରେ ବିଷ୍ଣୁ ତାଙ୍କ ରୂପ ଧରି ବୃନ୍ଦାବତୀଙ୍କ ପାଖକୁ ଯାଇ ତାଙ୍କର ସତୀତ୍ବ ନଷ୍ଟ କଲେ ।
“ବିଷ୍ଣୁ ଯେ ମାୟା ରୂପ ଧରି,
ହରିଲେ ଜଳନ୍ଧର ନାରୀ।
ତା ପତିବ୍ରତ କରି ନାଶ
ପୁଣି ଚିନ୍ତିଲେ ନିଜବେଶ।
ମନେ ବିଚାର କଲେ ହରି
ଏ ସତୀ ହୋଇଲା ଦୋଚାରୀ।
ସ୍ବଧର୍ମ ପଣ ହେଲା ଦୂର
ଏବେ ମରିବ ଜଳନ୍ଧର।
ଏତେ ବିଚାରି ନରହରି,
ବୃନ୍ଦାକୁ କୋଳେ ଛନ୍ତି ଧରି।
ମାୟା ମୂରତୀ ଉପେକ୍ଷିଲେ
ନିଜ ସ୍ବରୂପ ପ୍ରକାଶିଲେ।
ଏମନ୍ତ ରୂପ ବ୍ରହ୍ମରାଶି
ବୃନ୍ଦାଙ୍କୁ ଚାହିଁ ଦେଲେ ହସି।”
ବୃନ୍ଦାବତୀଙ୍କ ସତୀତ୍ବ ନଷ୍ଟ ହେବାରୁ ବୃନ୍ଦାବତୀ କୋପରେ ବିଷ୍ଣୁଙ୍କୁ ଧିକ୍କାର କଲେ ।
“ଧିକ ତୋହର ପ୍ରଭୁପଣ
ତୁ ଯେ ସଂସାରେ ବଡ ଜାଣ।
ମୁଁ ସ୍ତିରୀ ଅବଳା ଯୁକତେ
ଏଡେ କପଟ କିମ୍ପା ମୋତେ।
କପଟେ ହରିଲୁ ମୋ ତପ
ଏବେ ତୁ ଘେନ ମୋର ଶାପ।
ମୋତେ ଯେ କଲୁ ବିଡମ୍ବନ
ଏ ଦେହ ହେଲା ଅକାରଣ।
ମୁଁ ଏହା ନରଖିବି ଆଉ
ତୋର ଉପରେ ହତ୍ୟା ହେଉ।”
ବୃନ୍ଦାବତୀ କ୍ରୋଧରେ ଅଗ୍ନିରେ ଝାସ ଦେବାକୁ ଯାଆନ୍ତେ ଜଗତଠାକୁର ହାତଯୋଡି ବୃନ୍ଦାଙ୍କୁ କହିଲେ, ତୋର ସ୍ବାମୀ ଜଳନ୍ଧର ଜୀବିତ ଅଛି। ଗୋବିନ୍ଦଙ୍କର କଥା ନଶୁଣି ବୃନ୍ଦାବତୀ ଅଗ୍ନୀରେ ଝାସ ଦେଲେ ଏବଂ କ୍ଷଣକେ ଭସ୍ମ ହୋଇଗଲେ ।
“ଦେଖି ସେ ଅବଳାର ମତି
ବିସ୍ମୟ ହୋଇ ଲକ୍ଷ୍ମୀପତି
ଅଙ୍ଗେ ସେ ଭସ୍ମରାଶି ବୋଳି
ଚିନ୍ତାରେ ନ ପାରିଲେ ଚଳି।
ବୃନ୍ଦାଙ୍କୁ ମନେ ଧ୍ୟାନ କରି
ଯେହ୍ନେ ଅଚଳ ମହାଗିରି।
ତେମନ୍ତ ଭାବେ ନାରାୟଣ,
ବ୍ରତରେ ହୋଇଲେ ମଉନ।”
ବୃନ୍ଦାବତୀ ଅଗ୍ନୀରେ ଝାସ ଦେବା ପରେ ଜଳନ୍ଧରଙ୍କ ବଦ୍ଧ ହେଲା । ମୃତ୍ୟୁପରେ ଜଳନ୍ଧର ଶିବଙ୍କ ଅଙ୍ଗରେ ଓ ସତୀ ବୃନ୍ଦାବତୀ ଗଉରୀଙ୍କ ଅଙ୍ଗରେ ରହିଲେ। ବିଷ୍ଣୁ ବୃନ୍ଦାଙ୍କ ଅଗ୍ନିରେ ଝାସ ଦେବା ଦେଖି ମନସନ୍ତାପରେ ରହିଲେ । ସମସ୍ତ ଦେବତା ଏହାଦେଖି ଶିବଙ୍କୁ ପ୍ରାର୍ଥନା କଲେ । ଶିବ ତେଣୁ ଯୋଗମାୟାଙ୍କୁ ସ୍ତୁତି କରିବା ପାଇଁ ଉପାୟ ବତାଇଲେ । ଯୋଗମାୟା ପ୍ରାର୍ଥନାରେ ପ୍ରକଟ ହୋଇ ବିଷ୍ଣୁଙ୍କୁ ତିନିମୁଷ୍ଠି ବୃକ୍ଷର ବୀଜ ଦେଇ ବୁଣିବା ପାଇଁ କହିଲେ।
“ତିନିଏଁ ହେଲେ ତିନି ମୁଷ୍ଠି
ବୋଇଲେ ଏଣେ ବିଷ୍ଣୁ ତୁଷ୍ଟି।
ଏ ବିଜୁ ହେବ ଯେଉଁ ବୃକ୍ଷ
ତେଣୁ ସଂସାରେ ଜନମୋକ୍ଷ।
ଏଥି ଉତ୍ତାରେ ବିଷ୍ଣୁ ସ୍ଥାନେ
ବୃକ୍ଷ ଅଙ୍କୁରେ ପଞ୍ଚବନେ।
ଯେ ଦେବୀ ଅଂଶେ ଯେଉଁ
ଗୁଣ ବୃକ୍ଷ ବିଧାନେ ତାହା ଶୁଣ।”
ରଜ ଗୁଣରେ ସରସ୍ବତୀ
ତା ଅଂଶେ ଧାତ୍ରୀ ଉତପତ୍ତି।
ତୁଳସୀ ସତ୍ତ୍ବଗୁଣେ ଜାତ
ଗଉରୀ ଅଂଶରେ ଉଦିତ।
ରମା ଅଂଶରେ ତମୋ ଗୁଣେ
ମାଳତୀ ଉପୁଜିଲା ବନେ।
ଏହିପରି ଭାବରେ ତୁଳସୀଙ୍କର ଜନ୍ମ, ତାଙ୍କ ସହିତ ଧାତ୍ରୀ(ଅଁଳା) ଓ ମାଳତୀଙ୍କର ଜନ୍ମ । ତୁଳସୀ ହେଲେ ଗଉରୀଙ୍କର ଅଂଶ, ମାଳତୀ ହେଲେ ଲକ୍ଷ୍ମୀଙ୍କର ଅଂଶ ଓ ଅଁଳା ହେଲେ ସରସ୍ବତୀଙ୍କର ଅଂଶ।
ସ୍ବୟଂ ବିଷ୍ଣୁ ମାୟା କରି ଜଳନ୍ଧରଙ୍କ ଘରଣୀ ବୃନ୍ଦାବତୀଙ୍କ ସତୀତ୍ବ ନଷ୍ଟ କରିଥିଲେ । ଶ୍ରୀବିଷ୍ଣୁଙ୍କୁ ବୃନ୍ଦାବତୀ ଧିକ୍କାର କରି ତାଙ୍କୁ ଅସତୀ କରିବାର ଦୋଷାରୋପ କଲେ ଓ ବୃନ୍ଦାବତୀ ଅଗ୍ନିରେ ଝାସ ଦେଲେ । ତେଣୁ ଶ୍ରୀବିଷ୍ଣୁ ଯୋଗମାୟାଙ୍କୁ ସ୍ତୁତି କରି ବୃନ୍ଦାବତୀଙ୍କୁ ଉଦ୍ଧାର କଲେ । ବୃନ୍ଦାବତୀଙ୍କର ଆତ୍ମା ଅନ୍ତରୀକ୍ଷରେ ତିନିଭାଗ ହୋଇ ତିନିଗୁଣରେ ଭାଗହେଲେ । ରଜ ଗୁଣରେ ଧାତ୍ରୀ ସରସ୍ବତୀଙ୍କ ଅଂଶ ତମ ଗୁଣରେ ମାଳତୀ ଶ୍ରୀଲକ୍ଷ୍ମୀଙ୍କର ଅଂଶ ଓ ସତ୍ତ୍ବ/ ସାତ୍ତ୍ବିକ ଗୁଣରେ ଗଉରୀଙ୍କର ଅଂଶ ହୋଇ ଜନ୍ମନେଲେ । ଯେହେତୁ ବୃନ୍ଦାବତୀଙ୍କର କୌଣସି ଦୋଷ ନଥିଲା ଏହା ଶ୍ରୀବିଷ୍ଣୁଙ୍କର ମାୟା ଥିଲା ବୃନ୍ଦାବତୀଙ୍କ ସ୍ବାମୀ ଜଳନ୍ଧରଙ୍କୁ ବଧ କରିବା ପାଇଁ ତେଣୁ ଶ୍ରୀବିଷ୍ଣୁ ତୁଳସୀ/ବୃନ୍ଦାବତୀଙ୍କୁ ସଦା ଅଙ୍ଗରେ ରଖିବେ ବୋଲି ସ୍ବୀକାର କଲେ ।
“ଯେଣୁ ତା ପୂର୍ବେ ଦୋଷ ନାହିଁ
ସଦା ମୁଁ ଅଙ୍ଗେ ଥିବି ବହି।”
ଲୋକକଥାଟିଏ ଅଛି । କେବଳ ମାଆ ସୁଭଦ୍ରାଙ୍କ ବ୍ୟତୀତ କୌଣସି ଦେବୀଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ । ମା ଲକ୍ଷ୍ମୀ ସାଆନ୍ତାଣୀ ଖୁବ୍ ରୋଷ କରନ୍ତି ବୃନ୍ଦାବତୀଙ୍କ ଉପରେ କାରଣ ବୃନ୍ଦାବତୀ ବା ତୁଳସୀ ସର୍ବଦା ଶ୍ରୀବିଷ୍ଣୁଙ୍କ ଅଙ୍ଗରେ ଲାଗି ହୋଇଥାଆନ୍ତି । ଓଡିଶାରେ ମାଆ ଲକ୍ଷ୍ମୀଙ୍କୁ ତୁଳସୀ ଲାଗି ହୁଏ ନାହିଁ କିନ୍ତୁ ଅନ୍ୟ ରାଜ୍ୟର ଲୋକମାନେ ଲକ୍ଷ୍ମୀଙ୍କୁ ତୁଳସୀ ଅର୍ପଣ ସହ ଭୋଗରେ ବି ତୁଳସୀ ପକାନ୍ତି ।
ବୃନ୍ଦାବତୀ ଜଣେ ଦୈତ୍ୟ କନ୍ୟା ଓ ଦୈତ୍ୟର ଘରଣୀ ହୋଇ ମଧ୍ୟ ନିଜର ସତୀତ୍ବ ପାଇଁ ଦେବୀ ରୂପରେ ଘରେ ଘରେ ପୂଜା ହୁଅନ୍ତି । ଜଣେ ସାଧାରଣ ନାରୀର ସତୀତ୍ବର ଉଦାହରଣ ହେଉଛନ୍ତି ସ୍ବୟଂ ବୃନ୍ଦାବତୀ ଯାହାଙ୍କୁ ଘରେ ଘରେ ପୂଜା କରାଯାଏ । କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଛି:
ଏବେ ତୁଳସୀ ଧର୍ମଶୁଣ
ସେ ବୃକ୍ଷ ସାତ୍ତ୍ବିକ ଲକ୍ଷଣ
ହୋଇବ ତ୍ରିଲୋକ ପ୍ରସିଦ୍ଧି
ମୋର ସମାନେ ପୂଜାବିଧି
ପାଇବ ସକଳ ଲୋକରେ
ବିଶେଷ କାର୍ତ୍ତିକ ମାସରେ
ତୁଳସୀ ଆରାଧିବ ଯେହୁ
ତାଙ୍କ ସୁକୃତ ଫଳ କହୁ
ରୋପିଣ ପାଳିବ ଜତନେ
ପ୍ରତିଦିନ ହିଁ ଜଳଦାନେ।
ଯେ ତାର ପତ୍ର ଘେନି ମୋତେ
ପୂଜା କରିବ ଶୁଦ୍ଧଚିତ୍ତେ।
ସକଳ କୃତ୍ୟ ତପ ଫଳେ
ତା’ ଅଙ୍ଗେ ରହିବ ନିଶ୍ଚଳେ।
ପାଳନେ ସର୍ବତୀର୍ଥ ଧର୍ମ
ଦର୍ଶନେ ସର୍ବ ଇଷ୍ଟକାମ।
ଯେ ଜନ ଦାନ ଦେବେ ନିତ୍ୟେ
ତୁଳାଦି ଦାନ ଫଳ ଯେତେ।
ତୁଳସୀ ପ୍ରଦକ୍ଷିଣ କଲେ
କି ପୂଣ୍ୟ ଅନ୍ୟ ତୀର୍ଥ ଗଲେ।
ତୁଳସୀ ପ୍ରାତଃ ସ୍ମରଣଂ:
ପ୍ରାତଃ ସ୍ମରାମି ତୁଳସୀ ସର୍ବ ପାପ ବିନାଶିନାମ୍
ସର୍ବ ସମ୍ପଦ ପ୍ରଦାୟିନୀଂ ସୁଖ ସୌଭାଗ୍ୟ ବଦ୍ଧିନୀମ୍ ।।
ପ୍ରାତର୍ଭଜାମି ଭଜତା ମଭିଳାଷ ଦାତ୍ରୀଂ ବିଶ୍ଵଧାତ୍ରୀଞ୍ଚ
ଭବଭୟ ବିନାଶିନିମ୍ ମୋକ୍ଷଦାତ୍ରୀଂ ବିଷ୍ଣୁ ବଲ୍ଲଭାମ୍।।
ପ୍ରାତର୍ନମାମି ଅଖିଳା ଦେବାସୁର ନମିତାଂ ସତିଂବୃନ୍ଦାବତିଂ
ସର୍ବଲୋକେଷୁ ପୂଜିତାଂ ବୃକ୍ଷରୂପାଂ ସର୍ବରୋଗହନ୍ତ୍ରୀମ୍ ।।
ଶ୍ଳୋକତ୍ରୟମିଦଂ ପୁଣ୍ୟଂ ସର୍ବପାପୌଘ୍ନନାଶନମ୍ ।
ଯଯଃ ପଠେତ୍ ପ୍ରାତରୁଥାୟ ସର୍ବାନ୍ କାମାନବ ବାପ୍ନୋତି ।।
ତୁଳସୀ କବଚ
ତୁଳସୀ କବଚସ୍ୟାସ୍ୟ ନାରାୟଣ ଋଷି ସ୍ମୃତଃ ।
ଛନ୍ଦୋନୁଷ୍ଟପ୍ ଦେବୀ ତୁଳସୀ ଦେବତା ନମଃ ।।
ଧର୍ମାର୍ଥ କାମମୋକ୍ଷଣାଂ ବିନିଯୋଗଃ ପ୍ରବୀର୍ତ୍ତିତଃ ।
ତୁଳସୀ ମସ୍ତକଂ ପାତୁ ମୁଖଂ ମେ ବିଷ୍ଣୁ ବଲ୍ଲଭା ।।
ଗ୍ରୀବାଂ ପାତୁ ବୃନ୍ଦାବତୀ ସ୍କନ୍ଧୌ ଜଳନ୍ଧର ପ୍ରିୟା ।
ହୃଦୟଂ ପାତୁ ଦେବେଶି ହରିଭକ୍ତି ପ୍ରଦାୟିନୀ ।।
ଭୁଜୌ ପାତୁ ସନାତନୀ ଉଦରଂ ବ୍ୟାଧିନାଶିନୀ ।
ନାଭିଂ ମେ ପାତୁ ସର୍ବବା ଅମୃତା କୃଷ୍ଣବଲ୍ଲଭା ।।
ପୃଷ୍ଠଂ ପାତୁ ମୁକ୍ତିପ୍ରଦା କଟିଂ ମେ ପାପନାଶିନୀ ।
ପାଦୌ ପାତୁ ବୃକ୍ଷରୂପା ସର୍ବାଙ୍ଗ ବ୍ୟାଧିନାଶିନୀ ।।
ଇଦଂ ତୁ କବବଂ ପୁଣ୍ୟଂ ପଠେଦ୍ ବା ଧାରୟେଦବାପି ।
ସର୍ବସିଦ୍ଧି ମବାପ୍ନୋତି ଚଲଭତେ ମୋକ୍ଷମ୍ ।।
ପତିପତ୍ନୀ ସୁଖ ସୌଖ୍ୟ ଯଶଶ୍ରୀ କୀର୍ତ୍ତିବର୍ଦ୍ଧନମ୍ ।
ସର୍ବପୁଣ୍ୟ ଫଳଂ ଲବ୍ଧା ଋନ୍ତେ ଚ ଲଭତେ ସ୍ପର୍ଶମ୍ ।।
ତୁଳସୀଙ୍କୁ ପ୍ରଣାମ
ବୃନ୍ଦାୟୈ ତୁଳସୀ ଦେବ୍ୟୈ ପ୍ରିୟାୟୈ କେଶବସ୍ୟଚ
ବିଷ୍ଣୁ ଭକ୍ତିପ୍ରଦେ ଦେବୀ ସତ୍ୟବତୈ ନମୋନମଃ ।।
ତନ୍ତୁଳେ ସର୍ବତୀର୍ଥାନି ତ୍ୱଦଙ୍ଗେ ସର୍ବଦେବତାଃ
ତତ୍ପତ୍ରେ ସର୍ବଯଜ୍ଞସ୍ୱ ତୁଳସ୍ୟୈ ତେନ ନମୋ ନମଃ ।।
ତୁଳସୀ ବୃକ୍ଷରେ ଜଳ ଦେବାମନ୍ତ୍ର
ଓଁ ଗୋବିନ୍ଦ ବଲ୍ଲଭାଂ ଦେବୀ ଭକ୍ତ ଚୈତନ୍ୟ କାରିଣୀଂ ।
ସ୍ନାପୟାମି ଜଗଦ୍ଧାତ୍ରୀଂ ବିଷ୍ଣୁଭକ୍ତି ପ୍ରଦାୟିନୀ ।।
ନମସ୍କାର ଓ ପ୍ରଦକ୍ଷିଣ ମନ୍ତ୍ର
ସୁର ନର ବଦ୍ଯାଦେବୀ ତ୍ରିପୁରା ଜଗତ୍ତଶ୍ଵରୀ ।
ସତ୍ୟବତୀ ବୃନ୍ଦାବତୀ ସର୍ବଜନ ହିତକାରୀ ।।
ତୁଳସୀ ପତ୍ର ଗଳିତଃ ଯଭୋକ୍ଷ୍ୟୋ ଶିରସା ବହେତ୍ ।
ଗଙ୍ଗାସ୍ନାନ ମବାପ୍ନୋତି ଶତଧେନୁ ଫଳଂ ଲଭେତ୍ ।।
ପ୍ରଦକ୍ଷୀଣ କୃତଂ ନିତ୍ୟଂ ତୁଳସୀ କେଶବ ପ୍ରିୟେ ।
ପଦେ ପଦେଽଶ୍ଵ ମେଧାନମହୁତଂ ଲଭତେ ଫଳଂ ।।
ଯାନି କାନି ଚ ପାପାନି ବ୍ରହ୍ମହତ୍ୟା ଦିବାନି ଚ।
ତାନିଦାନି ପ୍ରଣଶ୍ୟନ୍ତି ପ୍ରଦକ୍ଷିଣଂ ପଦେ ପଦେ ।।
ଯତ୍ପାପଂ ଯୌବନେ ବାଲ୍ୟେ କୌମାରେ ବାର୍ଦ୍ଧକେବୃତଂ ।
ତତ୍ପାପଂ ବିଲୟଂ ଯାତୁ ତୁଳସି ପ୍ରଦକ୍ଷିଣାତ୍ ।।
ତୁଳସୀଙ୍କର କବଚ, ତୁଳସୀ ପ୍ରଣାମ, ତୁଳସୀ ନମସ୍କାର ଓ ପ୍ରଦକ୍ଷିଣ ଏବଂ ତୁଳସୀଙ୍କୁ ଜଳଦାନ ମନ୍ତ୍ର ପ୍ରାୟତଃ ଘରର ମହିଳାମାନଙ୍କ ମୁହଁରେ ଥାଏ । ଏସବୁ ସେମାନେ ନିତି ଦିନ ତୁଳସୀଙ୍କୁ ପୂଜା କରିବା ବେଳେ ଗାଆନ୍ତି । ଆମ ପରମ୍ପରା ସଂସ୍କୃତି ଖୁବ୍ ଅନନ୍ୟ ।
© Dr. Jayashree Nanda
Tulasi Tulsi Chaunra Brundabati
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago