ଲେଖା: ନିରଞ୍ଜନ ସାହୁ
ଗୋଟିଏ ବୃନ୍ତରେ ଦୁଇଟି ସୁଗନ୍ଧଯୁକ୍ତ ପୁଷ୍ପ । ସ୍ଵାମୀ ବିଚିତ୍ରାନନ୍ଦ ଦାସ ଏବଂ ଭୁବନାନନ୍ଦ ଦାସ। ଜମଜ। ପୁରୀ ଜିଲ୍ଲାର କୁରୁଞ୍ଜିପୁର ଶାସନ। ସେଦିନ ଥିଲା ୧୮୮୫ ମସିହାର ମେ ମାସ ୧୪ ତାରିଖ। ଓଡ଼ିଶା ପାଇଁ ଏକ ବିଶେଷ ଦିବସ। ଧରାବତରଣ କରିଥିଲେ ଆମ ଓଡ଼ିଶାର ଦୁଇଟି ଶିଶୁ, ରାମଚନ୍ଦ୍ର ଦାସଙ୍କ ପରିବାରରେ। ପରବର୍ତ୍ତୀ ସମୟରେ ସେ ଦୁଇଭାଇ ଓଡ଼ିଶାର ଜଣେ ଜଣେ ପ୍ରଖ୍ୟାତ ମନିଷୀ ରୂପେ ପ୍ରତିଭାତ ହେଲେ।
ଅତି ଗରିବ ଘରର ପିଲା, ବିଚିତ୍ରାନନ୍ଦ ବିନା କୁର୍ତ୍ତା ଓ ଜୋତାରେ ଖଣ୍ଡେ ଗାମୁଛା ଘୋଡ଼ାଇ ହୋଇ ବିଦ୍ୟାଳୟର ଶିକ୍ଷା ଶେଷ କରିବା ପରେ ବହୁ କଷ୍ଟରେ କଲିକତାରୁ ଆଇନ ପାଠ ଶେଷ କଲେ। ସେ ସମୟରେ ଓଡ଼ିଶା ରାଜ୍ୟର ଜଣେ ବରିଷ୍ଠ, ସୁଦକ୍ଷ ଆଇନଜୀବୀ ହେଉଛନ୍ତି ମିଷ୍ଟର ମଧୁସୂଦନ ଦାସ। ଜଣେ ଜୁନିଅର ଭାବେ ମଧୁସୂଦନଙ୍କ ପାଖରେ କାମ କରିବାକୁ ସୁଯୋଗ ମିଳିଗଲା ବିଚିତ୍ରାନନ୍ଦଙ୍କୁ। ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଆ ମଉଡମଣି ମଧୁସୂଦନଙ୍କ ଆଦର୍ଶବୋଧକୁ ପାଥେୟ କରି ସାମାଜିକ ସେବା ଓ ଅର୍ଥନୈତିକ ବିକାଶ ପାଇଁ ଅଶେଷ ପରିଶ୍ରମ କରି ତାହାର ଯଥାସମ୍ଭବ ସଦୁପଯୋଗ କରିବା ଥିଲା ତାଙ୍କ ଜୀବନର ଆହ୍ବାନ।
ଉତ୍କଳ ଟ୍ୟାନେରୀ ଓଡ଼ିଆଙ୍କ ଅର୍ଥନୈତିକ ଅଭିବୃଦ୍ଧି କରେଇବ, ଏହି ଆଶା ନେଇ ସେ ମଧୁବାବୁଙ୍କ ପ୍ରତିଷ୍ଠିତ ଜୋତା କାରଖାନା ପାଇଁ ଦ୍ଵାର ଦ୍ୱାର ବୁଲି ଅର୍ଥ ସଂଗ୍ରହ ନିମନ୍ତେ ଅଶେଷ ପରିଶ୍ରମ କରି ତାହାକୁ ଚଳାଇ ରଖିଥିଲେ । ଅସହାୟ ଓ ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ମହିଳା ଓ ଶିଶୁମାନଙ୍କ ପାଇଁ କଟକର ଡଗରପଡ଼ା ଠାରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଓ ଶେଷ ପର୍ଯ୍ୟନ୍ତ (ଦୀର୍ଘ ଅର୍ଦ୍ଧ ଶତାବ୍ଦୀ) ଚଳାଇ ରଖିଥିଲେ। ତାଙ୍କର ସମାଜସେବା କାର୍ଯ୍ୟରେ ଆନ୍ତରିକତା ଦେଖି ଓ ପ୍ରୀତ ହୋଇ ବିଶିଷ୍ଟ ସମାଜସେବୀ ଠକ୍କର ବାପା ତାଙ୍କୁ ‘ସ୍ଵାମିଜୀ’ ଉପାଧିରେ ଭୂଷିତ କରିଥିଲେ।
୧୯୩୬ ମସିହାରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସ୍ବାମୀ ବିଚିତ୍ରାନନ୍ଦ ଦାସ କଟକରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ପରେ ଅବଶ୍ୟ ରାଜନୀତିରେ ନିର୍ବାଚନ ଲଢ଼ିବାକୁ ନାପସନ୍ଦ କରି ଆଉ ଆଗେଇ ନଥିଲେ। ୧୯୪୮ ମସିହାରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଭାବରେ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ।
ଜଣେ ଶାନ୍ତ, ଶିଷ୍ଟ, ସଚ୍ଚୋଟ, ନିର୍ଭରଯୋଗ୍ୟ ଅଧିବକ୍ତା ଭାବେ ଅଶେଷ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ଵାମୀ ବିଚିତ୍ରାନନ୍ଦ ଦାସ ଉତ୍କଳ ମାତାର ଜଣେ ସୁଯୋଗ୍ୟ ସନ୍ତାନ। ସ୍ଵାଧୀନତା ସଂଗ୍ରାମରୁ ଆରମ୍ଭ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଜଣେ ଅଗ୍ରଗଣ୍ୟ ବ୍ୟକ୍ତିତ୍ଵ ।
Swami Bichitrananda Das Bhubanananda Das Madhubabu Madhusudan Das © Niranjan Sahu
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…